ଅଭିବୃଦ୍ଧିର ବଜେଟ୍

ମହାମେଘବାହନ ଐର ଖାରବେଳ ସ୍ୱାଇଁ

୨୦୨୨ର ବଜେଟ୍‌ ଉପସ୍ଥାପନା ପୂର୍ବରୁ ମୁଦ୍ରାସ୍ଫୀତି ଘଟିଥିଲା। ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ଶେଷ ବେଳକୁ (ମାର୍ଚ୍ଚ ୩୧) ଦେଶର ନିଅଣ୍ଟ ୬.୯%ରେ ପହଞ୍ଚିବ ବୋଲି କୁହାଯାଉଛି। ବଜେଟ୍‌ରେ ମଧ୍ୟ ଘୋଷଣା କରାଯାଇଛି ଯେ, ଚଳିତ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ ୬.୮% ହେବ। ଅର୍ଥାତ୍‌, ସରକାରୀ ଆୟ ଯେତେ, ସରକାରୀ ବ୍ୟୟ ତା’ଠାରୁ ୬.୯% ଅଧିକ ହେବ। ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ଗୋଟିଏ ବିତ୍ତୀୟ ଦାୟିତ୍ୱ ତଥା ବଜେଟ୍‌ ପରିଚାଳନା ଆଇନ ସଂସଦରେ ଗୃହୀତ ହୋଇଥିଲା। ଏହି ଆଇନ ଅନୁସାରେ ବିତ୍ତୀୟ ନିଅଣ୍ଟ (ମୋଟ ବ୍ୟୟ ମୋଟ ଆୟ ଠାରୁ ଯେତେ ବେଶି) ୩%ରୁ ଅଧିକ ହେବା କଥା ନୁହେଁ। କାରଣ ନିଅଣ୍ଟ ପଡ଼ିଲେ ସରକାରଙ୍କୁ ଋଣ କରିବାକୁ ପଡ଼ିବ ଓ ଯେତେ ଋଣ ଦେଶରୁ ବା ବିଦେଶରୁ ଆସିବ, ସରକାରଙ୍କୁ ସେତେ ସୁଧ ଦେବାକୁ ପଡ଼ିବ। ଏହା ଫଳରେ ମୁଦ୍ରାସ୍ଫୀତି (ଦରଦାମ) ବୃଦ୍ଧି ଘଟିଥାଏ। ସରକାର ଆଶା କରୁଛନ୍ତି ଆଗାମୀ ବର୍ଷ ବେଳକୁ ବିତ୍ତୀୟ ନିଅଣ୍ଟ ୬.୪%କୁ କମିଯିବ। କାରଣ ସେତେବେଳକୁ କୋଭିଡ୍‌ ମହାମାରୀ ଯୋଗୁଁ ଯେଉଁ ଆର୍ଥିକ ପତନ ହୋଇଛି, ତାହାର ପୁଣି ପୁନରୁତ୍‌ଥାନ ହେବ।

ଅଧିକାଂଶ ବଜେଟ୍‌ରେ ଲୋକମାନଙ୍କର ଲକ୍ଷ୍ୟ ଥାଏ, ଟିକସ କେତେ ଛାଡ଼ ହେଉଛି, ଟିକସ କେତେ କମୁଛି। କିନ୍ତୁ ଏହି ବଜେଟ୍‌ରେ ଟିକସ ଦାନ କ୍ଷେତ୍ରରେ ଅତି ଅଳ୍ପ ପରିବର୍ତ୍ତନ ହୋଇଛି। ଗତ ବର୍ଷର ବଜେଟ୍‌ରେ ଟିକସ ହାର ବଢ଼ିନଥିଲା। ଏଥରର ବଜେଟ୍‌ରେ ମଧ୍ୟ ଟିକସ ହାର ବୃଦ୍ଧି ପାଇନାହିଁ। ଏହାର ମୁଖ୍ୟ କାରଣ ହେଲା, ଟିକସରେ ସ୍ଥିରତା ଗୋଟିଏ ଦେଶର ବଡ଼ ନୀତି। ବାରମ୍ବାର ଟିକସ ହାରରେ ପରିବର୍ତ୍ତନ ହେଲେ ଏ ଦେଶରେ ପୁଞ୍ଜି ଲଗାଣ କରିବାକୁ କେହି ବିଦେଶରୁ ଆସିବେ ନାହିଁ। ଏ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ୩୫% ଅଧିକ ମୂଳଧନ ଲଗାଉଛନ୍ତି ଖର୍ଚ୍ଚ ପାଇଁ। ଏହାଦ୍ୱାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହାଦ୍ୱାରା ଘରୋଇ କ୍ଷେତ୍ରରେ ଅଧିକ ପୁଞ୍ଜିଲଗାଣ ମଧ୍ୟ ହେବ। ସରକାର ଖର୍ଚ୍ଚ ଅଧିକ କଲେ ଘରୋଇ କ୍ଷେତ୍ର ମଧ୍ୟ ଉତ୍ସାହିତ ହୋଇ ଅର୍ଥଲଗାଣ କରିବା ଆରମ୍ଭ କରିବେ। ସରକାରରେ ଘରୋଇ ଉଦ୍ୟୋଗ ଅଧିକ ପୁଞ୍ଜି ଲଗାଣ କଲେ ଉତ୍ପାଦନ ବଢ଼ିବ। ଶ୍ରମିକମାନଙ୍କର ଦରମା ବଢ଼ିବ ଓ ଅଧିକ ନୂଆ ଚାକିରି ସୃଷ୍ଟି ହେବ। ସରକାର ଭାବୁଛନ୍ତି, ଏଯାଏ ମଧ୍ୟ କୋଭିଡ୍‌ ଅର୍ଥନୀତିକୁ ଗ୍ରାସ କରି ରଖିଛି ଏବଂ ଏହାକୁ ପୁଣି ଉଠାଇବା ପାଇଁ ସରକାରଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଅବଶ୍ୟ ସାରା ବିଶ୍ୱରେ ଏବେ ମୁଦ୍ରାସ୍ଫୀତି ବଢ଼ିଛି, କାରଣ ଉତ୍ପାଦନ କମିଛି। କିନ୍ତୁ ଏହି ମୁଦ୍ରାସ୍ଫୀତିକୁ ରୋକିବାକୁ ଚେଷ୍ଟା ନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚେଷ୍ଟା କରିଛନ୍ତି କେମିତି ଆର୍ଥିକ ଅଭିବୃଦ୍ଧି ଘଟୁ; ଲୋକଙ୍କ ପାଖକୁ ଅଧିକ ଅର୍ଥ ଯାଉ; ଯେମିତି ସେମାନେ ଅଧିକ ଖର୍ଚ୍ଚ କରିବେ ଓ ଅଧିକ ଖର୍ଚ୍ଚ କଲେ ଅଧିକ ଚାହିଦା ବଢ଼ିବ ତଥା ଅଧିକ ବିକ୍ରି ହେବ ଓ ଉତ୍ପାଦନ ବଢ଼ିବ। ଏହାହିଁ ଅର୍ଥନୀତିକୁ ପୁଣି ଉପରକୁ ଉଠାଇବ। ତା’ହେଲେ ଯାଇ ମୁଦ୍ରାସ୍ଫୀତି (ଦରଦାମ) କମିବ।

ଏଥରର ବଜେଟ୍‌ର ଆକାର ଟ.୩୯.୪୫ ଲକ୍ଷ କୋଟିର ହେବ। ଏଥିରେ ରାଜପଥ, ଲୋକମାନଙ୍କ ପାଇଁ ସୁବିଧା ଦରର ଘର ପାଇଁ ଅଧିକ ଖର୍ଚ୍ଚ ହେବ। ରାଜପଥ ନିର୍ମାଣ ହେଲେ ଚିପ୍‌ସ୍‌, ବାଲି, ସିମେଣ୍ଟ, ଲୁହାର ଚାହିଦା ବଢ଼ିବ। ବହୁତ ଲୋକ ଏହି ରାସ୍ତା ନିର୍ମାଣ କାମରେ ଲାଗିବେ। ଘର ତିଆରି ହେଲେ ଘର ପାଇଁ ବାଲି, ସିମେଣ୍ଟ, ଚିପ୍‌ସ ଠାରୁ ଆରମ୍ଭ କରି କାଠ, ବିଜୁଳି ଦ୍ରବ୍ୟ, ରଙ୍ଗ ଇତ୍ୟାଦି ଅନେକ ଦ୍ରବ୍ୟର ଆବଶ୍ୟକତା ପଡ଼ିବ। ଏହାହିଁ ଅର୍ଥନୀତିକୁ ଉଠାଇବ। ଏହିସବୁ ଖର୍ଚ୍ଚକୁ ପୂର୍ବ ଅପେକ୍ଷା ୩୦% ଅଧିକ ବୃଦ୍ଧି କରାଯାଇଛି। ଏହିସବୁ ପାଇଁ ଖର୍ଚ୍ଚ ହେବ ଟ.୭.୫ ଲକ୍ଷ କୋଟି।
ଏଥର ବଜେଟ୍‌ରେ ଘୋଷଣା କରାଯାଇଛି, ଆଗାମୀ ଦିନମାନଙ୍କରେ ରିଜର୍ଭ ବ୍ୟାଙ୍କ୍‌ ଡିଜିଟାଲ କରେନ୍‌ସିର ପ୍ରଚଳନ କରିବେ। ଅର୍ଥାତ୍‌, ବର୍ତ୍ତମାନ ଯେମିତି ସବୁ କଥାକୁ ନଗଦ ନୋଟ୍‌ରେ ଦିଆନିଆ ହେଉଛି, ତାହା ହେବନାହିଁ। କେବଳ ସ୍ମାର୍ଟ‌୍ ଫୋନ୍‌, କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଇତ୍ୟାଦି ମାଧ୍ୟମରେ ଟଙ୍କା ଦିଆନିଆ ହେବ। ତେଣୁ ଟଙ୍କା ଛାପିବାକୁ ସରକାରଙ୍କୁ ବହୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏଥର ୨୫,୦୦୦ କି.ମି ନୂଆ ରାସ୍ତା ନିର୍ମାଣ ହେବ। ୫ଜି ନୂଆ ଟେକ୍‌ନୋଲୋଜିର ପ୍ରୟୋଗ ଘରୋଇ ସ୍ମାର୍ଟ‌୍ ଫୋନ କମ୍ପାନିମାନଙ୍କ ଦ୍ୱାରା କରାଯିବ। ୧୦ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପମାନଙ୍କ କାର୍ଯ୍ୟକାରୀ କରାଯିବ ଯେମିତି ଅଧିକ ଜଳ ଥିବା ନଦୀମାନଙ୍କରୁ ପାଣି, ଜଳ ନ ଥିବା ନଦୀମାନଙ୍କୁ ଯିବ ଓ ସେ ଅଞ୍ଚଳରେ କୃଷିର ଉନ୍ନତି ହେବ। ଏହାଛଡ଼ା ୧୦୦ଟି ଦ୍ରୁତ ଗତିରେ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ ମାନଙ୍କର ପ୍ରଚଳନ ହେବ।

ଯେମିତି ଲୋକମାନଙ୍କର ଯାତାୟାତର ସମୟ କମିବ ଓ ଏହା ଫଳରେ ବ୍ୟବସାୟ ବଢ଼ି ଦର କମିବା ଅଧିକ ସୁବିଧାଜନକ ହେବ। ଏଣୁ ସରକାରଙ୍କର ମୂଳ ଲକ୍ଷ୍ୟ ହେଲା ଅର୍ଥନୀତିର ବିସ୍ତାରୀକରଣ, ଅର୍ଥନୀତିର ଦୃଢ଼ୀକରଣ ନୁହେଁ। ଦୃଢ଼ୀକରଣ ଦ୍ୱାରା କେବଳ ମୁଦ୍ରାସ୍ଫୀତି କମିପାରେ କିନ୍ତୁ ଅର୍ଥନୀତିର ବିସ୍ତାର ଓ ଅଭିବୃଦ୍ଧି ହେବ ନାହିଁ। କେବଳ ଦରଦାମକୁ ନିୟନ୍ତ୍ରିତ କରି ରଖିଲେ ଚାକିରିବାକିରି, କାମ ଧନ୍ଦା ଓ ମଜୁରି ବୃଦ୍ଧି ହେବ ନାହିଁ। ବରଂ କିଛି ଅଂଶ ହେଉ, ସରକାର ଖର୍ଚ୍ଚ କଲେ ଯାଇ ଦେଶର ଆର୍ଥିକ ଅଭିବୃଦ୍ଧି ଘଟିବ। ସରକାରଙ୍କର ମୂଳ ଲକ୍ଷ୍ୟ ସେଥିପାଇଁ ଏହାରି ଉପରେ ଅଛି।

ଏହି ବଜେଟ୍ ମାଧ୍ୟମରେ ଭାରତ ସରକାର କ୍ରିପ୍‌ଟୋକରେନ୍‌ସିକୁ ଚାଲୁ ରଖିବା ପାଇଁ ପ୍ରଥମ ସଂକେତ ଦେଇଛନ୍ତି। କିନ୍ତୁ କ୍ରିପ୍‌ଟୋକରେନ୍‌ସି ଯଥା ବିଟ୍‌କଏନ୍‌ ବା ଓଥେରେଭମ୍ ଇତ୍ୟାଦିଙ୍କ ଉପରେ ବହୁ ଜୋରରେ ଟିକସ ଲାଗୁ ହେବ। ଏଥି ସାଙ୍ଗକୁ ୨୦୨୩ରେ ରିଜର୍ଭ ବ୍ୟାଙ୍କ୍‌ ଲାଗୁ କରିବ ‘ଡିଜିଟାଲ ଟଙ୍କା’। ଏହା ପରେ କ୍ରିପ୍‌ଟୋକରେନ୍‌ସି, ଡିଜିଟାଲ ଟଙ୍କା ବ୍ଲକ୍‌ଚେନ୍‌ ଟେକ୍‌ନୋଲୋଜି ଦ୍ୱାରା ପରିଚାଳିତ ହେବ। ଏହା ପରେ ଗୋଟିଏ କାଗଜ ଖାତାରେ ଦେଣନେଣ ହିସାବ ନ ରହି, ଗୋଟିଏ ଇଲେକ୍ଟ୍ରୋନିକ ଲେଜରରେ ତାହା ଲିପିବଦ୍ଧ ହୋଇ ରହିବ। ଅବଶ୍ୟ ଭାରତର ରିଜର୍ଭ ବ୍ୟାଙ୍କ୍‌ର କ୍ରିପ୍‌ଟୋକରେନ୍‌ସି ପ୍ରତି ପ୍ରବଳ ବିରୋଧାଭାସ ରହିଛି। ତଥାପି ମଧ୍ୟ କ୍ରିପ୍‌ଟୋକରେନ୍‌ସିକୁ ସରକାର ଏକ ଡିଜିଟାଲ ମୁଦ୍ରା ହିସାବରେ ଗ୍ରହଣ ନ କରି, ଡିଜିଟାଲ ସମ୍ପତ୍ତି ଭାବରେ ଗ୍ରହଣ କରିବେ। ଉଦାହରଣ ସ୍ୱରୂପ ସରକାର ବା ବିଭିନ୍ନ ଅନୁଷ୍ଠାନ ଜାରି କରୁଥିବା ବଣ୍ଡ୍‌ମାନେ ହେଲେ ସମ୍ପତ୍ତି। ସେମାନେ ମୁଦ୍ରା ନୁହନ୍ତି। ଭାରତ ସରକାର ଚଳିତ ବଜେଟ୍‌ରେ ଏହି ଡିଜିଟାଲ ସମ୍ପତ୍ତି ଉପରେ ୩୦% ଟିକସ ଲାଗୁ କରିଛନ୍ତି ଯାହା ଅନେକ ଅଧିକ ଅଟେ। ଡିଜିଟାଲ ମୁଦ୍ରା ଦ୍ୱାରା ଯଥାଶୀଘ୍ର ଦେଣ ନେଣ ହୋଇଯିବ। ଏହା ଫଳରେ ନାଟକୀୟ ଭାବରେ ଦେୟ ଦିଆଯାଇଥାଏ ଓ ସଙ୍ଗେ ସଙ୍ଗେ ଦେବା ନେବାର ସମାଧାନ ହୋଇଥାଏ। ଏହି ପଦ୍ଧତି ତ୍ୱରାନ୍ୱିତ ହୋଇଥାଏ ଓ ଶସ୍ତା ହୋଇଥାଏ। ଆର୍‌ଟିଜିଏସ୍‌, ଆଇଏମ୍‌ପିଏସ୍‌ ବା ୟୁପିଆଇ ପଦ୍ଧତି ଅପେକ୍ଷା ଏହା ତ୍ୱରାନ୍ୱିତ ଓ ସହଜ। ଷ୍ଟକ୍‌ ମାର୍କେଟ୍‌ରେ ଯେଉଁ ଲାଭ ସେଠାରେ ଜମାକାରୀମାନେ ପାଆନ୍ତି ସେମାନଙ୍କୁ କ୍ୟାପିଟାଲ ଗେନ୍‌ସ୍ ଟିକସର ଦୁଇ ଗୁଣ ଏଣିକି ଦେବାକୁ ପଡ଼ିବ। ଏହାଛଡ଼ା କ୍ରିପ୍‌ଟୋର ବିକ୍ରି ବେଳେ ସେହିଠାରେ ହିଁ ୧% ଟିକସ କାଟି ଦିଆଯିବ।

ଚଳିତ ବଜେଟ୍‌ ବିରୋଧରେ ଏକ ବଡ଼ ଅଭିଯୋଗ ଉଠୁଛି ଯେ, ଏହି ବଜେଟ୍‌ରେ ମଧ୍ୟମ ବର୍ଗଙ୍କୁ ଅଣଦେଖା କରାଯାଇଛି ଓ ସେମାନଙ୍କୁ କୌଣସି ରିହାତି ମିଳିନାହିଁ। ଅଭିଯୋଗକାରୀମାନେ ଏ ଧରଣର ଅଭିଯୋଗ ଆଣିବା ବେଳେ ଏହି ମତଲବ ରଖିଥା’ନ୍ତି ଯେ, ସେମାନଙ୍କୁ ଆୟକରରେ ରିହାତି ଦିଆଯାଇନାହିଁ ଅବା ସେମାନଙ୍କୁ କୌଣସି ଦ୍ରବ୍ୟ ମାଗଣା ବା ଶସ୍ତାରେ ଦିଆଯାଇନାହିଁ। କିନ୍ତୁ ବାସ୍ତବରେ ବଜେଟ୍‌କୁ ଗଭୀର ଭାବରେ ଅନୁଧ୍ୟାନ କଲେ ଦେଖାଯିବ ଯେ, ଏଥିରେ ମଧ୍ୟମ ବର୍ଗ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।

ଏହି ବଜେଟ୍‌ରେ ରାଜପଥ ଓ ସହରାଞ୍ଚଳ ପ୍ରକଳ୍ପମାନଙ୍କ ପାଇଁ ବିପୁଳ ବ୍ୟୟ ବରାଦ କରାଯାଇଛି। ଏହା ଫଳରେ ଯେଉଁମାନେ ଏହି ଧରଣର ପ୍ରକଳ୍ପମାନଙ୍କରେ କାମ କରୁଛନ୍ତି ସେମାନଙ୍କର ଚାହିଦା ବଢ଼ିଯିବ। କାରଣ ସେମାନେ ସେବା ଯୋଗାଇ ଦେଇପାରିବେ ଦକ୍ଷତାର ସହ। ତେଣୁ ସେମାନଙ୍କ ଦରମା ମଧ୍ୟ ଅନେକ ବୃଦ୍ଧି ପାଇବ। ଏବେ ଓମିକ୍ରନ୍‌ର ବ୍ୟାପକତା କମିଯିବା ପରେ ମଧ୍ୟମ ବର୍ଗର ଲୋକମାନେ ଅଧିକ ସଂଖ୍ୟାରେ ଚାକିରି କ୍ଷେତ୍ରକୁ ପ୍ରବେଶ କରିବେ, କାରଣ ଅର୍ଥନୀତିର ବ୍ୟାପକ ଅଭିବୃଦ୍ଧି ହେବ।

ଏହି ବଜେଟ୍‌ରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଶିଳ୍ପମାନଙ୍କ ପାଇଁ (ଏମ୍‌.ଏସ୍‌.ଏମ୍‌.ଇ.) ସରକାର ବ୍ୟାପକ ଋଣ ଗ୍ୟାରେଣ୍ଟି ଦେବେ ବୋଲି ନିଷ୍ପତ୍ତି କରିଛନ୍ତି। ଏହାଛଡ଼ା ସରକାରୀ କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଶିଳ୍ପମାନଙ୍କ ଦ୍ରବ୍ୟ କିଣା ବେଳେ ଅନେକ ସଂସ୍କାର ଅଣାଯାଇଛି। ଯାହା ଫଳରେ ବିଲ୍ ଦେୟ ଯଥାଶୀଘ୍ର ହୋଇଯିବ। ଯୋଗାଣକାରୀମାନଙ୍କର ୱାର୍କିଂ କ୍ୟାପିଟାଲ (ପରିଚାଳନା ପୁଞ୍ଜି)ର ଆବଶ୍ୟକତା କିଛି ପରିମାଣରେ କମିଯିବ। ଏହା ଫଳରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଶିଳ୍ପମାନେ ମୁଣ୍ଡ ଟେକି ଉଠିବେ। ଏହାହିଁ ହେଉଛି ସବୁଠୁଁ ଅଧିକ ଚାକିରି ଓ କାମ ସୃଷ୍ଟି କରୁଥିବା କ୍ଷେତ୍ର। ଏହାହିଁ ମଧ୍ୟମ ବର୍ଗକୁ ଅଧିକ ସାହାଯ୍ୟ କରିବ।

ସରକାର ଏହି ବଜେଟ୍‌ରେ କହିଛନ୍ତି ଯେ, ଏଣିକି ପୋଷ୍ଟ ଅଫିସ୍‌ମାନେ ବ୍ୟାଙ୍କ୍‌ର ସମାସ୍କନ୍ଧ ହେବେ। ଅର୍ଥାତ୍‌, ବ୍ୟାଙ୍କ୍‌ ପରି ପୋଷ୍ଟ ଅଫିସ୍‌ମାନଙ୍କରେ ଟଙ୍କା ଜମା କରି ହେବ ତଥା ଟଙ୍କା ଉଠାଇ ହେବ। ଅନେକ ମଧ୍ୟମ ବର୍ଗଙ୍କ ଟଙ୍କା ଜମା କରି ହେବ ତଥା ଟଙ୍କା ଉଠାଇ ହେବ। ଅନେକ ମଧ୍ୟମ ବର୍ଗର ଲୋକମାନେ ପୋଷ୍ଟ ଅଫିସ୍‌ରେ ଟଙ୍କା ରଖିବାକୁ ପସନ୍ଦ କରିବେ କାରଣ, ବ୍ୟାଙ୍କ୍‌ରେ ସ୍ଥାୟୀ ଜମା ରଖିଲେ ଯେତେ ସୁଧ ମିଳିବ, ପୋଷ୍ଟ ଅଫିସ୍‌ମାନେ ତା’ଠାରୁ ଅଧିକ ସୁଧ ଦେବେ। ଭାରତରେ ଦେଢ଼ ଲକ୍ଷ ପୋଷ୍ଟ ଅଫିସ୍‌ ଅଛି। ଯେମିତି ବର୍ତ୍ତମାନ ବ୍ୟାଙ୍କ୍‌ମାନେ କମ୍ପ୍ୟୁଟର ଯୋଗେ ପରସ୍ପର ସହ ଯୋଡ଼ା ଯାଉଛନ୍ତି ଯାହାକୁ ‘କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ’ ବୋଲି କୁହାଯାଉଛି, ପୋଷ୍ଟ ଅଫିସ୍‌ମାନେ ମଧ୍ୟ ସେହିପରି କମ୍ପ୍ୟୁଟର ନେଟ୍‌ୱାର୍କ ମାଧ୍ୟମରେ ପରସ୍ପର ସହ ଯୋଡ଼ା ହେବେ। ଏହା ଫଳରେ ବ୍ୟାଙ୍କ୍‌ମାନଙ୍କ ପରି ତତ୍‌କ୍ଷଣାତ ପୋଷ୍ଟ ଅଫିସ୍‌ମାନଙ୍କରେ ମଧ୍ୟ ଦେଣନେଣ ହୋଇପାରିବ। ଏଣୁ ଏବେ ଗ୍ରାମାଞ୍ଚଳରେ ବଢ଼ି ଉଠୁଥିବା ନବ୍ୟ ମଧ୍ୟମ ବର୍ଗର ସୁବିଧା ହେବ ଓ ଡିଜିଟାଲ ଚାନେଲମାନଙ୍କ ମାଧ୍ୟମରେ ସେମାନେ ଟଙ୍କା ଦେବାନେବା କରିପାରିବେ। ବୟସ୍କ ନାଗରିକମାନେ ମଧ୍ୟ ଏହି ପଦ୍ଧତିକୁ ଓ ପୋଷ୍ଟ ଅଫିସ୍‌ ଯୋଗାଉଥିବା ସୁବିଧାକୁ ପସନ୍ଦ କରିବେ।

ଏହି ବଜେଟ୍‌ରେ ଯେଉଁ ଲୋକମାନେ ଯଥାଯଥ ଟିକସ ଦେଇ ପାରିନାହାନ୍ତି, ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଆହୁରି ଦୁଇ ବର୍ଷ ସମୟ ଦିଆଯାଇଛି। ଯେକୌଣସି ଆର୍ଥିକ ବର୍ଷରେ ଏହା ଘଟିପାରିବ। ଏହା ଫଳରେ ଟିକସ ଦେଇପାରି ନ ଥିଲେ ମନରେ ଭୟ ରହିବ ନାହିଁ। ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଏହି ଭୟ ଆଉ ରହିବ ନାହିଁ। ଏହା ହେଉଛି ମଧ୍ୟମ ବର୍ଗ ପାଇଁ ଆଉ ଏକ ସୁବିଧା।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର