ଏକ ଦୁର୍ଘଟଣାର ଜ୍ୟୋତିଷୀ ବ୍ୟବ‌ଚ୍ଛେଦ

ଚକ୍ରଧର ମହାପାତ୍ର

ସେନାବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାରେ ଭାରତର ତିନି ସେନାର ଅଧିପତି ବିପିନ୍ ରାୱତଙ୍କ ସସ୍ତ୍ରୀକ ଅନ୍ୟ ୧୨ଜଣ କର୍ମଚାରୀଙ୍କ ମୃତ୍ୟୁ ହେଲା। ସେହି ପରିପ୍ରେକ୍ଷୀରେ ଏହାର ଏକ ଜ୍ୟୋତିଷିକ ତଥ୍ୟ ନିରୂପଣରେ ଜାଣିଲି ଯେ ଯାତ୍ରାରମ୍ଭ ସମୟ ହିଁ ଏ ଦୁର୍ଘଟଣାର କାରଣ। ଏହା ବ୍ୟତୀତ ତାଙ୍କର ଆୟୁ ବିଷୟରେ ମଧ୍ୟ ଜାଣିବାର ଆଗ୍ରହ ଥିଲା। ତାଙ୍କର ଜନ୍ମ ତାରିଖ (ଗଣମାଧ୍ୟମ ଅନୁସାରେ) ୧୬ ମାର୍ଚ୍ଚ, ୧୯୫୮, ରବିବାର। ଜନ୍ମ ସମୟ ଜଣା ନାହିଁ; ତେଣୁ ସୁଦର୍ଶନ ପଦ୍ଧତି ଅନୁସାରେ ରବି ଓ ଚନ୍ଦ୍ର ଲଗ୍ନରୁ ବିଚାର କରିବାରୁ ରବିବାର ଗ୍ରହସ୍ଥିତିରୁ ଜଣାଗଲା ଯେ ଏହା ଏକ ପୃଷ୍ଠ କାଳ ସର୍ପ ଯୋଗ ଯୁକ୍ତ ଚକ୍ର ଯୋଗରେ ଆରମ୍ଭ ଓ ଶେଷାବଧି ୮ ତାରିଖ ଠାରୁ ୨୫ ତାରିଖ ଯାଏ ଥିଲା। ତେଣୁ ଉଭୟ ରବି ଓ ଚନ୍ଦ୍ର ଲଗ୍ନ ଏ ଯୋଗ ଗ୍ରସ୍ତ। ପରମାୟୁ ବିଷୟ ତୃତୀୟ ଓ ଅଷ୍ଟମ ସ୍ଥାନ ଓ ଶନିର ସ୍ଥିତି ଅନୁସାରେ ବିଚାର ହୁଏ। ୧୬ ତାରିଖ ଦିନ ବୃହସ୍ପତି ବକ୍ର ଓ ବୁଧ ଅସ୍ତ। ବକ୍ର ବୃହସ୍ପତିଙ୍କ ଗୃହରେ ରବି ଦୁର୍ବଳ ଓ ଶନି ମଧ୍ୟ ଦୁର୍ବଳ। ରବି ଅଷ୍ଟମ ପତି (ଆୟୁପତି) ଓ ଶନି ଆୟୁକାରକ- ଦୁଇଟି ଗ୍ରହ ବଳହୀନ। ରବି ମୀନରେ, ତେଣୁ ମୀନର ସପ୍ତମ ପତି ବାଧକ ଗ୍ରହ। ଏବେ ନୀଚସ୍ଥ ରବି ଓ ଚନ୍ଦ୍ର ଲଗ୍ନରୁ ଆୟୁ ସ୍ଥାନକୁ କୌଣସି ଶୁଭ ଗ୍ରହର ଦୃଷ୍ଟି ନାହିଁ। ରବି ଲଗ୍ନର ଅଧିପତି ବୃହସ୍ପତି ବକ୍ର ଓ ରାହୁଯୁକ୍ତ। ତେଣୁ ଗୁରୁ ଚଣ୍ଡାଳ ଯୋଗ ଅଷ୍ଟମ ସ୍ଥାନରେ। ରବି ଲଗ୍ନରୁ ତୃତୀୟ ଓ ଅଷ୍ଟମ ପତି ଶୁକ୍ର ଏକାଦଶ ସ୍ଥାନରେ ଦ୍ବିତୀୟ ଓ ନବମ ପତିଯୁକ୍ତ। ନବମ ଭାଗ୍ୟ ସ୍ଥାନ ଓ ଏହାର ଅଧିପତି ମଂଗଳ ଏକାଦଶରେ ଉଚ୍ଚସ୍ଥ। ତେଣୁ ଉଚ୍ଚ ପଦ ପ୍ରାପ୍ତି ଓ ଧନବାନ୍ ରବି ଲଗ୍ନରୁ ନବମ ପତି ଉଚ୍ଚସ୍ଥ ଓ କର୍ମ (୧୦ମ ସ୍ଥାନରେ) ଶନି ଉଚ୍ଚ ପଦ ଦିଏ।

ରବି ଲଗ୍ନରୁ ଅଷ୍ଟମରେ ଲଗ୍ନପତି ରାହୁଯୁକ୍ତ। ଲଗ୍ନପତି ଅଷ୍ଟମରେ ଓ ରାହୁ ମଧ୍ୟ ଅଷ୍ଟମରେ ଥିଲେ ଏହା ମଧ୍ୟାୟୁ ପ୍ରଦାନ କରେ। ମଧ୍ୟାୟୁର ସୀମା ୩୬ରୁ ୭୨ ବର୍ଷ ଯାଏ। ତାଙ୍କୁ ୬୪ ବର୍ଷ ହୋଇଥିଲା।

ଏଥିରେ ଅନ୍ୟ ଏକ ପ୍ରଶ୍ନ ଆସେ ଏକ ସଂଗରେ ଅନ୍ୟମାନଙ୍କ ମୃତ୍ୟୁ। ଏହାକୁ ‘ସହ ମରଣ’ ଯୋଗ କୁହାଯାଏ। ଚଉଦ ଜଣଙ୍କ ମଧ୍ୟରେ କାହରି ଜାତକରେ ସହ ମରଣ ଯୋଗ ଥାଇପାରେ। ତେବେ ରବି ଲଗ୍ନପତି ବୃହସ୍ପତି ଓ ରାହୁ ଅଷ୍ଟମ ସ୍ଥାନ ବାୟୁତତ୍ତ୍ବ ରାଶିରେ ଥିବାରୁ ମୃତ୍ୟୁ ବାୟୁ ମଣ୍ଡଳରେ ହୁଏ। ଅର୍ଥାତ୍ ଉଚ୍ଚ ସ୍ଥାନରୁ ପତନ। ବ୍ୟୋମଯାନରେ ଅର୍ଥାତ୍‌ ବେକରେ ଦଉଡ଼ି ଦେଇ ଉଚ୍ଚ ସ୍ଥାନରୁ ଝୁଲିବାରେ ମୃତ୍ୟୁ, ଯାହା ବାୟୁତତ୍ତ୍ବ ରାଶିର ଲକ୍ଷଣ। ମେସିତି ଜଳତତ୍ତ୍ବ- ପାଣି‌େର ବୁଡ଼ିମରିବା, ତାହା ଗାଧୁଆଘରେ ପଡ଼ି ମରିବା ହୋଇପାରେ। ଅଗ୍ନିତତ୍ତ୍ବ ରାଶିରେ ପୋଡ଼ି ହୋଇ ମରିବା। ପୃଥ୍ୱୀତତ୍ତ୍ବ ରାଶିରେ ଘରେ ବା ଡାକ୍ତରଖାନାରେ ରହି ଚିକିତ୍ସାଧୀନ ଅବସ୍ଥାରେ ମରିବା। ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ଶନି ମହାଦଶାରେ ମୃତ୍ୟୁ। ଶନି ଅଗ୍ନିତତ୍ତ୍ବ ରାଶି ଧନୁରେ ଓ ଚନ୍ଦ୍ର ଲଗ୍ନରୁ ବ୍ୟୟ (Loss) ଭାବରେ ଅବସ୍ଥିତ; ବ୍ୟୟ କାହାର? ତନୁଭାବ(ଲଗ୍ନ)ର ବ୍ୟୟ।

ଏଥିରେ ଅାଶ୍ଚର୍ଯ୍ୟଜନକ ଘଟଣା ହେଲା ଦୁର୍ଘଟଣା ଦିନ ଗ୍ରହ ସ୍ଥିତିରେ ସମ୍ମୁଖ କାଳସର୍ପ ଯୋଗ ଅଛି। ତାରିଖ ୮/୧୨/୨୧ ବୁଧବାର। ଦୁର୍ଘଟଣା ଘଟିବାର ସମୟ ହେଲା ଦିନ ଘ୧୨/୮ମିନିଟ୍‌। ଏହି ସମୟର କୋଷ୍ଠୀରେ କୁମ୍ଭ ଲଗ୍ନ। ଏହା ଘ୧୧/୦୭ରୁ ଘ୧୨/୩୩ ଯାଏ। ସ୍ଥାନୀୟ ସମୟ ଅନୁସାରେ ୨୨ ମିନିଟ୍ ୫୬ ସେକେଣ୍ଡ୍‌ ବିଯୁକ୍ତ କଲେ ଘ୧୦/୪୪ରୁ ଦିନ ୧୨/୧୦ମି ଯାଏ। ଭାରତୀୟ ସମୟ ଅନୁସାରେ ୧୨/୮ରେ ଦୁର୍ଘଟଣା, ସ୍ଥାନୀୟ ସମୟାନୁସାରେ ହେଲି‌େକପ୍ଟର ଦିନ ୧୧/୨୫ (LMT) ବା ୧୧/୪୮ (IST)ରେ ଯାତ୍ରାରମ୍ଭ କଲା। ଏହା କୁମ୍ଭ ଲଗ୍ନର ସମୟ- ଜ୍ୟୋତିଷ ଶାସ୍ତ୍ରରେ ଯାତ୍ରା ଅନୁକୂଳ ସମୟ କେଉଁ ଦିଗକୁ, କେଉଁ ବାରରେ, ଯୋଗିନୀର ସ୍ଥିତି ଅନୁସାରେ ଯାତ୍ରାରମ୍ଭ କରିିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଯାତ୍ରା ସମୟ ମୋଟେ ‘କୁମ୍ଭ ଲଗ୍ନର ସମୟ’ ହୋଇନଥିବ; ଅନ୍ୟ ଯେ କୌଣସି ଲଗ୍ନ ବେଳାରେ ଯାତ୍ରା ଆରମ୍ଭ କରାଯାଇପାରେ କିନ୍ତୁ କୁମ୍ଭ ଲଗ୍ନରେ କଦାପି ନୁହେଁ।

ଶ୍ରୀମଦ୍ ଭାଗବତରେ ଅଛି ମୁହୂର୍ତ୍ତା ଗର୍ଭରୁ ମୁହୂର୍ତ୍ତ ନାମକ ଦେବତାମାନେ ଜନ୍ମ ଗ୍ରହଣ କରି ‘ମୁହୂର୍ତ୍ତ’ ନାମରେ ମାନବମାନଙ୍କୁ ଶୁଭାଶୁଭ ଫଳ ପ୍ରଦାନ କରନ୍ତି। ଏହା ମଧ୍ୟରେ ଶନିଙ୍କ ବେଳାକୁ କାଳବେଳା କୁହାଯାଏ ଓ ରାହୁଙ୍କ ବେଳାକୁ ରାହୁବେଳା କୁହାଯାଏ। ମୁହୂର୍ତ୍ତମାନଙ୍କ ମଧ୍ୟରେ ଅଭିଜିତ ମୁହୂର୍ତ୍ତ ବୁଧବାରକୁ ଛାଡ଼ି ଅନ୍ୟ ବାରରେ ଶୁଭ। ତେବେ ରାମାୟଣରେ ଏହାକୁ ବିଜୟ ଯୋଗ ବା ମୁହୂର୍ତ୍ତ ବୋଲି କୁହାଯାଇଛି।

ଅନ୍ୟ ଏକ ବିଷୟ ହେଲା ବିପିନ୍ ରାୱତ୍‌ଙ୍କ ଜନ୍ମ ଦିନ ତାଙ୍କର ରାଶି ନକ୍ଷତ୍ର ୨୨/୧୦ ଥିଲା ଓ ମୃତ୍ୟୁ ଦିନ ମଧ୍ୟ ୨୨/୧୦ ରାଶି-ନକ୍ଷତ୍ର। ଗୋଚର ମତେ ଜନ୍ମ ଶନି ଓ ୨ୟ ବୃହସ୍ପତି ଦୁର୍ଘଟଣା କୁମ୍ଭ ଲଗ୍ନର ୧୨ଶ ସ୍ଥାନରେ ଶନି ଥିବା ବେଳେ ଜନ୍ମ ଦିନର ଚନ୍ଦ୍ର ଲଗ୍ନର ଦ୍ବାଦଶରେ ଶନି ଅଛନ୍ତି।
ଅନ୍ୟ ଏକ କାରଣ ହେଲା ‘ଶରଣ ପଞ୍ଚକ’ ଯୋଗ। ଚନ୍ଦ୍ର ଯେତେବେଳେ ୨୧ରୁ ୨୫ ନକ୍ଷତ୍ର ମଧ୍ୟରେ ଗତି କରୁଥିବେ, ସେଇ ସମୟରେ ଯାତ୍ରା ଆରମ୍ଭ କରିବା ଉଚିତ ନୁହେଁ। ଘ୧୧/୪୦ରୁ ୧/୩ ମଧ୍ୟେ ବାର ବେଳା (ସ୍ଥାନୀୟ ସମୟ ଅନୁସାରେ ମଧ୍ୟ ଠିକ୍‌) ଏ ହେତୁ ଯାତ୍ରାରମ୍ଭର ସମୟ ଅଶୁଭ ଥିଲା। ‘ଯୋଗିନୀ’ ବିଚାର ସମ୍ମୁଖ ଯୋଗିନୀରେ ଯାତ୍ରା ବିଫଳ। ବୁଧବାର ଦିନ ପଞ୍ଚମୀ ତିଥିରେ ଯୋଗିନୀ ଦକ୍ଷିଣ ଦିଗରେ ଥାଏ। ତେଣୁ ହେଲି‌କପ୍ଟରଟି ଦକ୍ଷିଣ ଦିଗକୁ ଯାତ୍ରା କରିଥିଲା। ଅନ୍ୟ ଏକ ନିୟମ ହେଲା ଯେଉଁ ଦିଗରେ ଚନ୍ଦ୍ର ଥିବେ, ସେ ଦିଗକୁ ଯାତ୍ରା କରିବା ଶୁଭ। ଏଣୁ ୮/୧୨/୨୧ରେ ଚନ୍ଦ୍ର ଦକ୍ଷିଣ ଦିଗରେ ଥିଲେ ଓ ଏମାନେ ସମ୍ମୁଖ ଚନ୍ଦ୍ରରେ ଯାତ୍ରାରମ୍ଭ କଲେ। ଏହା କିନ୍ତୁ “ସମୟ” ବା କାଳୋଚିତ ନ ଥିଲା।

ଅନ୍ୟ ଏକ କାରଣ ହେଲା ବୁଧବାର ଦିନ ଅଭିଜିତ୍ ମୁହୂର୍ତ୍ତ ଅଶୁଭ। ଏହା ଦିନ ୧୧/୧୫ରୁ ୧୨/୪୫ (IST) ଯାଏ ଭୋଗ ହୁଏ। କେବଳ ବୁଧବାରକୁ ଛାଡ଼ି ଅନ୍ୟ ବାରରେ ଯାତ୍ରା କରାଯାଏ। ଏହା ବ୍ୟତୀତ ‘ଯୋଗ’ ବା ‘କରଣ’ ଦୋଷ ନ ଥିଲା। ବୈଦେହୀଶ ବିଳାସର ୨୩ ଛାନ୍ଦରେ ୧୮ ପଦରେ ଉପେନ୍ଦ୍ର ଭଂଜ ଯାହା ଲେଖିଛନ୍ତି, ତା’ର ସାରାଂଶ ହେଲା- ବିଷ୍ଟୀକରଣ ଭୋଗ ସମୟରେ ରାମଙ୍କ ଠାରୁ ଲକ୍ଷ୍ମଣଙ୍କ ନିକଟକୁ ଲେଖିଥିବା ପତ୍ର ନେଇ ସୁର୍ପଣଖା ଯାଇ ତା’ର ନାକ ଓ କାନର ଶୋଭା ହରାଇ କୁରୂପ ହୋଇଥିଲା।

ଏଇଟା ହେଲା କଳିଯୁଗ। ମୟ ଦାନବ ଯେ କି ରାବଣର ସମୁର ଥିଲା। ତା’ର କରାମତିର ଯୁଗ ୟେ। କିନ୍ତୁ ବିଡ଼ମ୍ବନା ହେଲା, ଏହାକୁ ଏବେ କୋଉ ଉଚ୍ଚ ଶିକ୍ଷିତ ଲୋକ ମାନୁଛନ୍ତି ଯେ?
(ମତାମତ ଲେଖକଙ୍କ ନିଜସ୍ବ)

ବଡ଼ପାଳ, କୁଜଙ୍ଗ, ଜଗତ୍‌ସିଂହପୁର
ମୋ- ୭୭୮୮୯୨୨୮୩୨

ସମ୍ବନ୍ଧିତ ଖବର