ମେକ୍-ଇନ୍-ଓଡ଼ିଶା ଓ ମଧୁସୂଦନ

କହିବାର ଅଛି - ଦାଶ ବେନହୁର

ମଧୁସୂଦନ ଦାସଙ୍କୁ ‘‘କୁଳବୃଦ୍ଧ’’ ବା ‘‘ଉତ୍କଳ ଗୌରବ’’ ଏ ପରିକି ‘ଭାରତ ଗୌରବ’’ କହିଲେ ତାହା ତାଙ୍କର ପ୍ରକୃତ ପରିଚୟକୁ ଆମ ଆଗରେ ଉନ୍ମୋଚିତ କରେ ନାହିଁ। ଆମେ ଯେତେ ‘‘ଆ-ଗଙ୍ଗା ଗୋଦାବରୀ ଦଖଲ’’ ଓ କଳିଙ୍ଗ ଯୁଦ୍ଧରେ ‘‘ଧର୍ମର ଜୟ ହିଁ ପ୍ରକୃତ ଜୟ’’ ବୋଲି କହିଲେ ମଧ୍ୟ ତାହା ଉତ୍କଳର ଉତ୍କର୍ଷକଳା କଥା କହେ ନାହିଁ କି ସେ କାଳେ ବିଶ୍ବ ଦରବାରରେ ଉତ୍କଳର ନାଁ କିଏ ଶୁଣିଥିବା କଥା ସୂଚାଏ ନାହିଁ। କୋଶଳ, କଳିଙ୍ଗ, ତୋଷାଳୀ, ଉଡ଼୍ର, ଉତ୍କଳ ଭଳି କିଛି ପରିଚୟ କପିଳ ସଂହିତା ଓ ମହାଭାରତ ତଥା ସ୍କନ୍ଦପୁରାଣ ଆଦିରେ ଅଂଶେ କି ଚିରୁଳାଏ କେଉଁଠି ଥିଲେ ମଧ୍ୟ ତାହା ସାଧାରଣ ଉତ୍କଳୀୟର ଉତ୍କର୍ଷ ବା ଉତ୍କଳ-ମାଟିର ଯଥାର୍ଥ ମହନୀୟତା ପ୍ରତିପାଦିତ କରେ ନାହିଁ।

ଓଡ଼ିଶା ଇତିହାସରେ ମଧୁସୂଦନ ହିଁ ପ୍ରଥମ ବ୍ୟକ୍ତି ଯେ ଉତ୍କଳର ଶିଳ୍ପକଳାକୁ ସେ କାଳ ପୃଥିବୀର ତିନିଚତୁର୍ଥାଂଶ ଅଧିକାର କରିଥିବା ସାମ୍ରାଜ୍ୟର ରାଜଧାନୀ ଇଂଲଣ୍ଡ୍‌ରେ ପ୍ରଦର୍ଶିତ କରି ଓଡ଼ିଶାର ମାଟି ଓ ମଣିଷ ଉଭୟଙ୍କୁ ଗୌରବ ଆଣି ଦେଇଥିଲେ। ସେ ଉତ୍କଳ ଗୌରବ କେବଳ ନୁହନ୍ତି ଉତ୍କଳର ଭଗୀରଥ। ଓଡ଼ିଆ ଶିଳ୍ପକଳାକୁ ଉନ୍ମେଷିତ କରିଥିବା ପ୍ରଥମ ଉଦ୍ଧାରକର୍ତ୍ତା।

ଯୁକ୍ତି କରାଯାଏ ଯେ ରାଜା ରାମମନୋହର ରାୟ ଯେତେବେଳେ ବିଲାତ ଯାଇଥିଲେ ଜାହାଜରେ ନେଇଯାଇଥିଲେ ନିଜର ପାଳିତ ଗାଈଟିଏ। ଗାଈର ଦେଖାରଖା ପାଇଁ ଯେଉଁ ଗୋ-ରକ୍ଷକଟି ଯାଇଥିଲା ସେ କୁଆଡ଼େ ଜଣେ ଓଡ଼ିଆ। ଅତଏବ ମଧୁସୂଦନ ପ୍ରଥମ ଓଡ଼ିଆ ବିଲାତଯାତ୍ରୀ ନୁହନ୍ତି। ପ୍ରଥମ ସେ ଗାଈଆଳଟି। ହେଲା ‌ଏବେ, ମାତ୍ର ଗୋମାତାଙ୍କ ହେପାଜତକାରୀ ଜଣକ କ’ଣ ଜଣେ ଓଡ଼ିଆ ହୋଇ ସେଠାକୁ ଯାଇଥିଲେ? ନା’ ଓଡ଼ିଶାର ମୁଖ ଉଜ୍ଜ୍ବଳ କରିବା ତାଙ୍କ ଉଦ୍ଦେଶ୍ୟ ଥିଲା?

ରାଜା ରାମମୋହନ ବିଲାତ ଯାଇଥିଲେ ୧୮୩୦ରେ। ମଧୁସୂଦନ ପ୍ରଥମ ପାଳି ଯାଇଥିଲେ ୧୮୯୭ରେ। ଗୋଟାଏ ଅର୍ଦ୍ଧ ଶତାବ୍ଦୀ ପରେ। ଜଣେ ଓଡ଼ିଆ ଭାବରେ ଓଡ଼ିଆ ହାତଯଶର ବୁକୁଚା ପିଠିରେ ପକେଇ ସେ ପ୍ରଥମ ଓଡ଼ିଆ ଭାବେ ଇଂଲଣ୍ଡରେ ଓଡ଼ିଆ ଶିଳ୍ପକଳାର ପ୍ରଦର୍ଶନୀ କରିଥିଲେ। ସବୁ ନିଜ ଓକିଲାତି ରୋଜଗାରର ପଇସା। କେହି ରାଜା, ମହାରାଜା ସାହସ କରି ନ ଥିଲେ ସେ ଯାଏ ଓଡ଼ିଶାରୁ ଯାଇ ନିଜ ହାରମାଳ, ମୁକୁଟ ସେଠାରେ ଦେଖାଇବାକୁ।

ଆଭି ଭାରତରେ ‘‘ମେକ୍-ଇନ୍-ଇଣ୍ଡିଆ’’, ‘‘ମେକ୍-ଇନ୍-ଓଡ଼ିଶା’’ର କଥା ଉଠୁଛି। ହେଲେ କେଉଁ ଅତୀତ କାଳରୁ ଅଣ୍ଟା-ଭାଙ୍ଗିଯାଇଥିବା ଓଡ଼ିଶା ମାଟିରେ ଠିଆ ହୋଇ ମଧୁସୂଦନ ସ୍ବପ୍ନ ଦେଖିଥିଲେ ଶିଳ୍ପ ମାଧ୍ୟମରେ ଓଡ଼ିଶାକୁ ସମୃଦ୍ଧ କରିବେ ବୋଲି। କଲିକତାରୁ ବି.ଏ., ଏମ୍.ଏ., ଏଲ୍.ଏଲ୍.ବି. ପାଠ ସାରି ପ୍ରଥମ ଓଡ଼ିଆ ହୋଇ ସେ ଆସିଥିଲେ କଟକ, ୧୮୮୧ରେ। ସେ ତ ଆଲିପୁର କୋର୍ଟ ଓ କଲିକତା ହାଇକୋର୍ଟରେ ଓକିଲାତି କରୁଥିଲେ! କାହିଁକି ଆସିଥିଲେ ଓଡ଼ିଶା? କେଉଁ ହାଇକୋର୍ଟ ନା କେଉଁ ଦାପ୍ତରିକ ସାମର୍ଥ୍ୟ ଥିଲା ଓଡ଼ିଶାର ସେତେବେଳେ? ବଙ୍ଗଳା-ବିହାର-ଓଡ଼ିଶା ଗୋଟେ ପ୍ରଦେଶ। ଓଡ଼ିଆମାନେ ସବା ତଳେ। ନେତା ନାଇଁ, ନେତୃତ୍ବ ନାଇଁ, ନାଁ ସୁଦ୍ଧା ନାଇଁ। ଧର୍ମଛଡ଼ା ବୋଲି ତଡ଼ା ଖାଇଥିବା ମାଟିକୁ କାହିଁକି ଫେରିଥିଲେ ସିଏ? ଓକିଲାତି ସଫଳ ହେବ ବୋଲି କେଉଁ ଆଶା ବା ଥିଲା? ଓଲଟି ପ୍ରଥମ ଓଡ଼ିଆ ଓକିଲ ହୋଇ ଆସିଥିଲେ ବୋଲି ନିଜ ମାଟିରେ ସୁଦ୍ଧା ବଙ୍ଗାଳୀ ଓକିଲମାନେ ତାଙ୍କୁ ଓକିଲଖାନାରେ ଚଉକି ଛାଡ଼ି ନ ଥିଲେ ବସିବାକୁ।

ସେ ଆସିଥିଲେ ଓଡ଼ିଶା ପାଇଁ। ଓଡ଼ିଶାର ବିକାଶ ଲାଗି। ଓଡ଼ିଆ ଜାତିର ନିଷ୍ପ୍ରାଣ ହୃଦୟରେ ଜୀବନ ଫୁଙ୍କିବା ଲାଗି। ସିଏ ହିଁ ଏକମାତ୍ର ଲୋକ ଯିଏ ଜାଣିଥିଲା ଓଡ଼ିଆମାନଙ୍କ ଭିତରେ ଥିବା ଶିଳ୍ପ-ଦକ୍ଷତାର କଥା। ସେଇଥିପାଇଁ ତ ଲର୍ଡ କର୍ଜନଙ୍କ ଆଗରେ ଓଡ଼ିଆ ଜାତିର ଶିଳ୍ପକଳା କଥା କହୁ କହୁ କାନ୍ଦି ପକେଇଥିଲେ ସେ।

ଓଡ଼ିଶା ଆସୁ ଆସୁ ଉତ୍କଳ ସଭାକୁ ସକ୍ରିୟ କରି ୧୮୮୨ରୁ ଆରମ୍ଭ କରିଥିଲେ ଓଡ଼ିଶାର ନାନାବିଧ ସମସ୍ୟା କିପରି ସମାହିତ ହେବ। ଓଡ଼ିଆମାନେ କେମିତି ମୁଣ୍ଡଟେକି ଉଠିବେ। ଖାସ୍ ସେଇଥିପାଇଁ ସେ ବିଭିନ୍ନ କାରଣରୁ କଏଦୀ ଜୀବନଯାପନ କରି ଫେରିଥିବା ସମାଜ-ଅଲୋଡ଼ା ମଣିଷମାନଙ୍କୁ ତାଲିମ ଦେଇ ବ୍ୟାୟାମ ଶିକ୍ଷା ଦେବା କାମରେ ଲଗାଉଥିଲେ। ଓଡ଼ିଆ ପିଲାଏ ପହିଲେ ଦେହବଳ ଫେରିପାଆନ୍ତୁ। ତେଣିକି ଅାପେ ମନବଳ ଫେରିବ।

ନିଜ ନିବାସ ଭିତରେ ତାଲିମ ସ୍କୁଲ୍ ଖୋଲି ସେ ଆରମ୍ଭ କରିଥିଲେ ‘‘ଓଡ଼ିଶା ଆର୍ଟ ଓୟାର୍‌ସ୍‌’’ ବା ‘‘ଓଡ଼ିଶା ଅଳଙ୍କାର କାରଖାନା’’। ସେତେବେଳକୁ ୧୮୯୭। ଯାହା ରୋଜଗାର କରିଥିଲେ ସବୁ ଅଜାଡ଼ି ଦେଇଥିଲେ ସେଇଠି। ସହଧର୍ମିଣୀ ସୌଦାମିନୀ ଚାଲିଯାଇଥିଲେ ୧୮୭୮ରୁ। ପିଲାଛୁଆ କେହି ନାହିଁ। ସାରା ଓଡ଼ିଶାକୁ ସେ କରିଥିଲେ ଆପଣା ପରିବାର।

ବଙ୍ଗଭଙ୍ଗ ଘୋଷଣା ତ ୧୯୦୫ର କଥା। ସେଇଠୁ ଆରମ୍ଭ ହୋଇଥିଲା ସ୍ବଦେଶୀ ଆନ୍ଦୋଳନ। ନିଜ ବ୍ୟବହାର ଉପଯୋଗୀ ଜିନିଷ ଆପେ ଗଢ଼ିବା ଥିଲା ଲକ୍ଷ୍ୟ। ସେ କଥାକୁ ଗାନ୍ଧୀଜୀ କାମରେ ଲଗାଇଲା ବେଳକୁ ୧୯୨୪ ହେଲାଣି। ମଧୁସୂଦନ କିନ୍ତୁ ୧୮୦୪ରେ ନିଜେ ଅରଟ କିଣି ଆରମ୍ଭ କରିଥିଲେ ସ୍ବଦେଶୀ ଶିଳ୍ପାୟନ ମାଧ୍ୟମରେ ସ୍ବଦେଶୀ ବସ୍ତ୍ର ଉତ୍ପାଦନର ପ୍ରକ୍ରିୟା। ଓଡ଼ିଶାର ସ୍ଥାପତ୍ୟ ଓ ଶିଳ୍ପକଳା ମଧୁସୂଦନଙ୍କୁ ଭରସା ଦେଇଥିଲା ଯେ ସେଇବାଟେ ହିଁ ଓଡ଼ିଶା ତା’ର ମୁଣ୍ଡ ଟେକିବ। ସୁନା, ରୁପା, ତାରକସି କାମ ଠାରୁ ଆରମ୍ଭ କରି, କାଠ, ହାତୀଦାନ୍ତ ଓ କନାରେ କଲମକାରୀ ଶିଳ୍ପଚାତୁରୀର ପ୍ରଦର୍ଶନ ଲାଗି ସେଇ ୧୮୯୭ରୁ ସେ ଆରମ୍ଭ କରିଥିଲେ ସ୍ବଦେଶୀ ଶିଳ୍ପାୟନର ଯାତ୍ରା।

କଲିକତା ଥିଲା ଭାରତର ରାଜଧାନୀ। କଲିକତା ଥିଲା ତାଙ୍କର ପ୍ରିୟ ପରିଚିତ କର୍ମକ୍ଷେତ୍ର। ସେଠାରେ ଶିଳ୍ପାୟନ ଆରମ୍ଭ କରିଥିଲେ ସେ ତ ଅଜସ୍ର ଲାଭ ପାଇଥା’ନ୍ତେ! ମାତ୍ର ନା’। ଓଡ଼ିଶାର ସ୍ବଦେଶୀ ଶିଳ୍ପାୟନରେ ସେ ଶିଳ୍ପପତି ହେବାକୁ ଚାହିଁନଥିଲେ। ଓଡ଼ିଶାକୁ କରିବାକୁ ଚାହିଁଥିଲେ ଶିଳ୍ପ-ଭୂମି। କାରିଗର ଓଡ଼ିଆ; କାରଖାନା ଓଡ଼ିଶାରେ। ଏ ପରିକି ମ୍ୟାନେଜର୍‌ମାନଙ୍କ ଶତ ଅନୁରୋଧ ସତ୍ତ୍ବେ ସେ କଲିକତାରେ ବିତରଣ କେନ୍ଦ୍ରଟିଏ ସୁଦ୍ଧା ଖୋଲିଲେ ନାହିଁ?

ସ୍ବଦେଶୀ ଶିଳ୍ପାୟନର ଜନକ କେବଳ ନ ଥିଲେ ମଧୁସୂଦନ। ସେ ହିଁ ଯଥାର୍ଥରେ ଥିଲେ ମେକ୍-ଇନ୍-ଓଡ଼ିଶାର ଆଦ୍ୟ ଉଦ୍‌ଗାତା।

ଓଡ଼ିଶା କୃଷ‌ିପ୍ରଧାନ ରାଜ୍ୟ। କୃଷିର ପ୍ରଧାନ ସହାୟକ-ପଶୁ ଗାଈ, ଗୋରୁ, ମଇଁଷି। ଓଡ଼ିଶାରେ ଏମିତି ଜନପଦ ନାହିଁ ଯେଉଁଠି ଗାଈଗୋରୁ ନାହାନ୍ତି, ଗୁହାଳ ନାଇଁ। ଗୋରୁମାନେ ଥିଲେ କୃଷିର ମେରୁଦଣ୍ଡ। ହେଲେ ଯେଉଁ ଗାଈଗୋରୁ ମରିଯାଉଥିଲେ ସେମାନଙ୍କ ଚମଡ଼ା କ’ଣ ହେବ? ସ୍ବଦେଶୀ ହସ୍ତତନ୍ତ ଲୁଗା ଓ ତା’ପରେ ଶିଳ୍ପକଳା କ୍ଷେତ୍ରରେ ସୁନା, ରୁପା, ତାରକସି ଲାଗି ବିକାଶର ଆୟୋଜନ କରିଥିଲେ ସେ। ତାହା ଥିଲା ତାଙ୍କ ସ୍ବଦେଶୀ ଶିଳ୍ପାୟନର ପ୍ରଥମ ଦୁଇ କଡ଼ି। ମାତ୍ର ୧୮୯୭ରେ ବିଲାତରୁ ଫେରିବା ସମୟରେ ଜର୍ମାନି ଓ ଇଜିପ୍‌ଟ ଦେଇ ଆସିବା ବାଟରେ ଚମଡ଼ା କାରଖାନା ସମ୍ପର୍କରେ ସେ ଏକ ଚମତ୍କାର ଅବଧାରଣା ନେଇ ଫେରିଥିଲେ। ଅତଏବ ସ୍ବଦେଶୀ ଶିଳ୍ପାୟନର ଏକ ବୃହତ୍ ‌େଯୗଥଶିଳ୍ପ ଯୋଜନା ସେ ଆରମ୍ଭ କଲେ ୧୯୦୫ରେ। କଟକର ଚାଉଳିଆଗଞ୍ଜ୍‌ରେ ୩୯ ଏକର ଜମି ରେଳଲାଇନ୍ କଡ଼ରେ ନେଇ ସେ ଆରମ୍ଭ କଲେ ଉତ୍କଳ ଟ୍ୟାନେରି। ଜର୍ମାନିରୁ ଇଂଜିନିୟର୍ ଆସି ତାଲିମ ଦେଲେ। ଓଡ଼ିଶା ଗଡ଼ଜାତମାନଙ୍କରୁ ପ୍ରଚୁର କଞ୍ଚାମାଲ ଆସିଲା। ଜାତି ଧର୍ମ ନିର୍ବିଶେଷରେ କାମ କଲେ ସମସ୍ତେ ଏକାଠି ‌ମିଶି। ଓଡ଼ିଶାବାସୀ ହୁଏତ ଜାଣନ୍ତି ନାହିଁ, ସେ‌େ‌ତବେଳକା ଓଡ଼ିଶାର ଚମଡ଼ା କାରଖାନାରେ ମଧୁସୂଦନ ରଖିଥିଲେ ବ୍ରାହ୍ମଣ ମ୍ୟାନେଜର୍ ଏବଂ ଛୁଆଁ ଅଛୁଆଁ ସବୁ ଜାତିର ଲୋକ ଏକାଠି ବସି କାମ କରିବାରେ ବାଧା ନ ଥିଲା ମୋଟେ।

ମଧୁସୂଦନଙ୍କ ସ୍ବଦେଶୀ ଶିଳ୍ପାୟନର ଏହା ଥିଲା ଏକ ଅଦ୍‌ଭୁତ ଦିଗ। ପୁଣି ସେଇକଥା। ସବୁ କାମ ଏଇ ଓଡ଼ିଶା ମାଟିରେ ହେବ। ଓଡ଼ିଆ କାରିଗରମାନେ କରିବେ। ଓଡ଼ିଶା ବା ଉତ୍କଳର ବିଜୟ ବୈଜୟନ୍ତୀ ଉଡ଼ିବ ସାରା ବିଶ୍ବରେ। ସେଇଆ ବି ହେଲା। ରୁଷିଆ, ଜାପାନ ଆଦି ଦେଶରେ ଉତ୍କଳ ଟ୍ୟାନେରିର ଜୋତା ଆଦର ଲାଭ କଲା। ହେଲେ ମଧୁସୂଦନଙ୍କର ସାମାନ୍ୟ ତ୍ରୁଟି ପ୍ରତି ଅସହଣିପଣ ଯୋଗୁଁ ଉତ୍କଳ ଟ୍ୟାନେରି କ୍ଷତି ସହିଲା। ଓଡ଼ିଶାର ସ୍ବାତନ୍ତ୍ରୢ, ପରିଚୟ ସୃଷ୍ଟି ଓ ରାଜନୈତିକ ବାତାବରଣ ସହ ତାଙ୍କର ସମ୍ପୃକ୍ତି ଯୋଗୁଁ ଟ୍ୟାନେରି ପରିଚାଳନାରେ ବିଭ୍ରାଟ ଦେଖାଦେଲା।

କଳନ୍ତର ବଢ଼ି ବଢ଼ି ଚାଲିଲା। ଶେଷରେ ମଧୁସୂଦନ ବାଧ୍ୟ ହୋଇ ୧୯୨୪ରେ ସେତେବେଳେ ସାରା ଭାରତରେ ସ୍ବଦେଶୀ-ଭାବନାର ଶ୍ରେଷ୍ଠ ବ୍ୟକ୍ତିତ୍ବ ପାଲଟିଥିବା ମହାତ୍ମା ଗାନ୍ଧୀଙ୍କ ନିକଟକୁ ଯାଇ ସାହାଯ୍ୟ ଚାହିଁଲେ। ଗାନ୍ଧୀ ୧୯୨୫ରେ ଆସି ତାଙ୍କ ଘରେ ରହିଲେ। ଉତ୍କଳ ଟ୍ୟାନେରି ପରିଦର୍ଶନ କଲେ। ପରାମର୍ଶ ଦେଲେ ଜଣେ ଅଣ-ଓଡ଼ିଆଙ୍କ ହାତକୁ ଉତ୍କଳ ଟ୍ୟାନେରିକୁ ଟେକିଦେବା ପାଇଁ। ମଧୁସୂଦନ ଡୁବିଲେ ପଛକେ ରାଜି ହେଲେ ନାହିଁ। ଓଡ଼ିଆଙ୍କ ହାତରୁ ଚାଲିଗଲେ ଆଉ ସ୍ବଦେଶୀ ହୋଇ ରହିବ କେମିତି ଏ ଶିଳ୍ପ-ମନ୍ଦିର? ପୂର୍ବରୁ ଗୋଟିଏ ବ୍ରିଟିସ୍ କମ୍ପାନି ବି ଚାହିଁଥିଲେ ଉତ୍କଳ ଟ୍ୟାନେରି ମାଲ ଖରିଦ୍ କରି ନିଜ କମ୍ପାନିର ମୋହର ମାରି ତାକୁ ବିକିବେ। ହେଲେ ମଧୁସୂଦନ ସେ କଥା ମଧ୍ୟ ଗ୍ରହଣ କରି ନ ଥିଲେ।
ସ୍ବଦେଶୀ ଶିଳ୍ପାୟନ ମାନେ ନିଜ ମାଟିରେ ନିଜ ଲୋକଙ୍କ ଦ୍ବାରା ତିଆରି ହୋଇଥିବା ଶିଳ୍ପ-ସାମଗ୍ରୀ। ‘‘ମେକ୍-ଇନ୍-ଓଡ଼ିଶା’’।

ମାତ୍ର ଉତ୍କଳ ଟ୍ୟାନେରି ପରିଦର୍ଶନ ବେଳେ ଗାନ୍ଧୀଜୀଙ୍କୁ ସେ ଉତ୍କଳର ସ୍ବଦେଶୀ ଉତ୍କର୍ଷ ସମ୍ପର୍କରେ ଯେଉଁ ଦୁଇପଦ କହିଥିଲେ ତାହା ଅତ୍ୟନ୍ତ ଚିତ୍ତାକର୍ଷକ। ଗାନ୍ଧୀ ପ୍ରଥମେ ବିହ୍ବଳିତ ହୋଇଥିଲେ ଉତ୍କଳ ଟ୍ୟାନେରିରେ ଛୁଆଁ ଅଛୁଆଁ ସବୁ ବର୍ଗର ଲୋକ ଏକାଠି କାମ କରୁଥିବା ଦେଖି। ହେଲେ ମଧୁସୂଦନ ଗାନ୍ଧୀଜୀଙ୍କୁ ଆହୁରି ଚମତ୍କୃତ କରି କହିଥିଲେ, ଫରାସୀ ଲୋକଙ୍କର ଆଖିର କୌଶଳ ଅଛି, ତେଣୁ ସେମାନେ ସୁନ୍ଦର ସୁନ୍ଦର ଚିତ୍ରକଳା କରନ୍ତି। ଜର୍ମାନ୍‌ ମାନଙ୍କର ସେମିିତି ଗଳାର କୌଶଳ ଅଛି। ତେଣୁ ସେମାନେ ଚମତ୍କାର ସଂଗୀତ ଯନ୍ତ୍ର ତିଆରି କରିବାରେ ପଟୁ। ମୋ ଓଡ଼ିଆ ଜାତିର କିନ୍ତୁ ହାତଯଶ ଅଛି। ଓଡ଼ିଆ କାରିଗର ତା’ର ହାତକାମରେ ଯେଉଁ ଚମତ୍କାରିତା ଦେଖାଇ ପାରିବ ତାହା ଆଉ କେହି ପାରିବେ ନାହିଁ। ଗାନ୍ଧୀଜୀ ଆବାକାବା ହୋଇ ଚାହିଁଥିଲେ ମଧୁସୂଦନଙ୍କୁ।

ଉତ୍କଳ ସମ୍ମିଳନୀ ଠାରୁ ଆରମ୍ଭ କରି ଓଡ଼ିଶାର ସବୁ ସଭା ସମିତିକୁ ମଧୁସୂଦନ ଯାଉଥିଲେ ସ୍ବଦେଶୀ ତନ୍ତବୁଣା ଧୋତି ପିନ୍ଧି। କଳା ମନ୍ଦାର ଧଡ଼ିର ଲୁଗା ଆସୁଥିଲା ଖଣ୍ଡପଡ଼ାରୁ। ଶେଷକୁ ତାଙ୍କ ମହାପ୍ରୟାଣ ବେଳେ ମରଶରୀର ବି ଅପେକ୍ଷା କଲା। ନୂଆ ଲୁଗା ନ ଥିଲା। ଖଣ୍ଡପଡ଼ାରୁ ଲୁଗା ଆସିଲା ଓ ତାଙ୍କ ଶବ ଉଠିଲା। ଫେବ୍ରୁଆରି ୪, ୧୯୩୪।

‘‘ଉତ୍କଳ ସମ୍ମିଳନୀ ମଣ୍ଡପ’’ରେ ମଧୁସୂଦନ ଦେଇଥିବା ଖାଣ୍ଟି ଓଡ଼ିଆଭାଷାର ବକ୍ତୃତାଗୁଡ଼ିକ ପଢ଼ିଲେ ଜାଣିହେବ ଯେ ସେ କେବଳ ଅସ୍ଥି, ମଜ୍ଜା ଓ ପ୍ରାଣରେ ଓଡ଼ିଆ ନ ଥିଲେ କି ବିଖଣ୍ଡିତ ଓଡ଼ିଆ ଅଞ୍ଚଳସବୁକୁ ଏକତ୍ରିତ କରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସକାଶେ ପ୍ରାଣପାତ କରି ନ ଥିଲେ, ଆରମ୍ଭରୁ ସେ ଥିଲେ ଓଡ଼ିଶା ମାଟିରେ ଶିଳ୍ପାୟନ ଧାରାର ଚମତ୍କାର ଯୋଜନା ପ୍ରସ୍ତୁତକାରୀ। ମେକ୍-ଇନ୍-ଓଡ଼ିଶା। ଓ ସେଇବାଟେ ଉତ୍କଳ ଜନନୀଙ୍କ ନିକଟରେ ପ୍ରାର୍ଥନା- ଆଜିକା ମିଶ୍ରିତ ପଞ୍ଚ୍ ଭାଷାରେ, ‘‘ମା’ ଓଡ଼ିଶାକୁ ଲିଫ୍‌ଟ୍ କରା ଦେ।’’ ମଧୁସୂଦନ ଯେ ଓଡ଼ିଶାକୁ ନେଇ ସ୍ବଦେଶୀ ଶିଳ୍ପାୟନର ସ୍ବପ୍ନ-ସଉଧ ଗଢ଼ିଥିଲେ ତାହା ତା’ଙ୍କ ଉତ୍କଳ ସମ୍ମିଳନୀରେ ପ୍ରଦତ୍ତ ପ୍ରଥମ ଅଭିଭାଷଣରୁ ହିଁ ବହୁଭାବରେ ପ୍ରମାଣିତ।

ମଧୁସୂଦନ ଦାସ ଓକିଲ ଥିଲେ, ବ୍ୟବସ୍ଥାପକ ଥିଲେ, ମନ୍ତ୍ରୀ ଥିଲେ ଓ ସଂସ୍କାରକ ମଧ୍ୟ ଥିଲେ। ମାତ୍ର ସ୍ବଦେଶୀ ଶିଳ୍ପାୟନରେ ତାଙ୍କର ଭୂମିକା ସାରା ଭାରତବର୍ଷରେ ସୁଦ୍ଧା ଅଦ୍ବିତୀୟ। କେବଳ ଏତିକି ଯେ ନିଜ ମାଟିର ଅସ୍ଥିକଙ୍କାଳସାର ଶରୀରକୁ ଛାଡ଼ି ସେ ଯାଇପାରିନଥିଲେ ବାହାରକୁ। ପରାଧୀନ ଓ ବିଚ୍ଛିନ୍ନ ମାଟିମାଆର ବିକାଶ ଲାଗି ସେ ସାରାଜୀବନ ଓଡ଼ିଶା-ମନସ୍କ ହୋଇ ରହିଥିଲେ। ସେଇଥିପାଇଁ ତାଙ୍କର ଶିଳ୍ପାୟନ ଚିନ୍ତାଧାରା ଥିଲା ପୂରାପୂରି ସ୍ବଦେଶୀ- ‘‘ମେକ୍-ଇନ୍-ଓଡ଼ିଶା’’। ତାହା ପ୍ରତିଫଳିତ ହୋଇଥିଲା ହସ୍ତତନ୍ତରେ, ସୁନାରୁପା ତାରକସିରେ ପୁଣି ଚମଡ଼ା ଶିଳ୍ପରେ।

[email protected]

ସମ୍ବନ୍ଧିତ ଖବର