ଶିକ୍ଷା-ଦୀକ୍ଷା, ଲାଳନ-ପାଳନ ଏବ˚ ଆଦର୍ଶଗତ ଗଠନ ଦୃଷ୍ଟିରୁ ଦେଖିଲେ କୌଣସି ଦୁଇ ଜଣ ଭାରତୀୟ ରାଜନୀତିଜ୍ଞ, ନରେନ୍ଦ୍ର ମୋଦୀ ଓ ଇନ୍ଦିରା ଗାନ୍ଧୀଙ୍କ ଭଳି ଏତେ ଅଧିକ ବିପରୀତ ହୋଇ ନ ପାରନ୍ତି। ଜଣେ ଅତି ଦୁଃଖ-କଷ୍ଟରେ ବଡ଼ ହୋଇଥିବା ବେଳେ ଅନ୍ୟ ଜଣକ ସାମାଜିକ ଓ ଅର୍ଥନୈତିକ ସୁବିଧା-ସୁଯୋଗ ଏବ˚ ପ୍ରାଚୁର୍ଯ୍ୟ ମଧ୍ୟରେ ବଢ଼ିଥିଲେ। ଜଣଙ୍କର ବିଶ୍ବ ସମ୍ବନ୍ଧୀୟ ଦୃଷ୍ଟିକୋଣ ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ ଦ୍ବାରା ପ୍ରଭାବିତ। ଅନ୍ୟ ଜଣଙ୍କର ନିଜ ପିତାଙ୍କ ଦ୍ବାରା ପ୍ରଭାବିତ ଥିଲା, ଯିଏ ଆର‌୍‌ଏସ୍‌ଏସ୍‌କୁ ପସନ୍ଦ କରୁ ନ ଥିଲେ। ଜଣଙ୍କର ପରିବାର ବୋଲି କିଛି ନାହିଁ; ଏବ˚ ଅନ୍ୟ ଜଣଙ୍କର ପରିବାର, ସନ୍ତାନ ଥିଲା ଏବ˚ ନାତି-ନାତୁଣୀ ଅଛନ୍ତି। ଜଣେ ଭାରତୀୟ ରାଜନୀତିର ଶିଡ଼ିରେ ପାଦେ ପାଦେ ଉପରକୁ ଉଠିଥିବା ବେଳେ ଅନ୍ୟ ଜଣଙ୍କର ରାଜନୀତିରେ ପ୍ରବେଶ ଏବ˚ ଉଚ୍ଚ ପଦ ଲାଭ ଜନ୍ମଗତ ଥିଲା।

Advertisment

ଦୁହିଁଙ୍କ ବ୍ୟକ୍ତିଗତ ଜୀବନରେ କୌଣସି ସାଦୃଶ୍ୟ ନ ଥିବା ସତ୍ତ୍ବେ, ଦୁହିଁଙ୍କର ରାଜନୈତିକ ଶୈଳୀ ମୋତେ ଅନେକ ଦିନ ହେଲା ଏକ ପ୍ରକାର ଲାଗିଆସିଛି। ଫେବ୍ରୁଆରି ୨୦୧୩ରେ ‘ଦ ହିନ୍ଦୁ’ରେ ମୁଁ ଲେଖିଥିଲି- ମୋଦୀଙ୍କର ପ୍ରଶ˚ସକ ବା ତାଙ୍କର ସମାଲୋଚକ ଗ୍ରହଣ କରନ୍ତୁ ବା ନ କରନ୍ତୁ; ଏହା ସତ୍ୟ ଯେ, ଅତୀତ ଓ ବର୍ତ୍ତମାନର ସମସ୍ତ ରାଜନେତାଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ହିଁ ୧୯୭୧-୭୭ କାଳର ଇନ୍ଦିରା ଗାନ୍ଧୀଙ୍କ ସହ ସର୍ବାଧିକ ସାଦୃଶ୍ୟ ରହିଛି। ଏକଦା ଇନ୍ଦିରା କରିଥିବା ଭଳି ମୋଦୀ ମଧ୍ୟ ନିଜର ଦଳ, ନିଜର ସରକାର, ନିଜର ପ୍ରଶାସନ ଏବ˚ ନିଜର ଦେଶକୁ, ନିଜର ବ୍ୟକ୍ତିତ୍ବର ଏକ ପରିବର୍ଦ୍ଧିତ ରୂପ ଦେବାକୁ ଚାହନ୍ତି।

‘ଦ ହିନ୍ଦୁ’ରେ ମୋର ନିବନ୍ଧ ପ୍ରକାଶ ପାଇଥିବା ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ, ଜାତୀୟ ସ୍ତରରେ ନେତୃତ୍ବ ନେବା ନିମନ୍ତେ ନିଜର ଅଭିଳାଷ ଚରିତାର୍ଥ କରିବା ଦିଗରେ ଲାଗିଥିଲେ। ପନ୍ଦର ମାସ ପରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ; ଭାରତୀୟ ଜନତା ପାର୍ଟି, ତାଙ୍କ ନେତୃତ୍ବରେ ବିଜୟ ଲାଭକରିଥିଲା; ଏବ˚ ୧୯୮୪ ପରେ କୌଣସି ଦଳ ଲୋକସଭାରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ସ˚ଖ୍ୟା-ଗରିଷ୍ଠତା ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ପରେ ହିଁ ଇନ୍ଦିରାଙ୍କ ସହ ତାଙ୍କର ସାଦୃଶ୍ୟ, ତାଙ୍କ କାର୍ଯ୍ୟକଳାପରୁ ପ୍ରମାଣିତ ହୋଇଯାଇଥିଲା। ଏକଦା ଇନ୍ଦିରା କରିଥିବା ଭଳି, ସେ ମଧ୍ୟ ନିଜ ଦଳର ଅନ୍ୟ ନେତାମାନଙ୍କୁ ସୀମିତ କରି ଦେଇଥିଲେ। ଗଣମାଧ୍ୟମକୁ ବୋଲକରା କରିପାରିଥିଲେ। ପ୍ରଶାସନିକ ସେବା, କୂଟନୈତିକ କର୍ମଚାରୀ, ତଦନ୍ତକାରୀ ସ˚ସ୍ଥା ଆଦିର ରାଜନୈତିକ ବ୍ୟବହାର ଆରମ୍ଭ କରିଥିଲେ ଏବ˚ ବ୍ୟକ୍ତି-ଉପାସନାର ମୂଳଦୁଆ ପକାଇଥିଲେ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାର କିଛି ମାସ ପରେ, ଅନ୍ୟମାନେ ମଧ୍ୟ ଇନ୍ଦିରାଙ୍କ ସହ ତାଙ୍କୁ ତୁଳନା କରିବାକୁ ଆରମ୍ଭ କରିଥିଲେ। ଏକ ‘ଅଘୋଷିତ ଜରୁରିକାଳୀନ ପରିସ୍ଥିତି’ ବାବଦରେ ଆଲୋଚନା ଆରମ୍ଭ ହୋଇଥିଲା; ଏପରିକି ‘ଫାସିବାଦ’ ମୁଣ୍ତ ଟେକୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କର ମୂଳ ପ୍ରବୃତ୍ତି ବାବଦରେ ମୋର କୌଣସି ସନ୍ଦେହ ନ ଥିଲା। ତେବେ, ମୋ ଭିତରେ ଥିବା ଜଣେ ଇତିହାସକାରର ସତ୍ତା ମୋତେ ସଚେତନ ଭାବେ ବିଚାର କରିବା ପାଇଁ ଚେତାବନୀ ଦେଉଥିଲା। ୧୯୭୫ର ଭାରତ ଏବ˚ ୨୦୧୪ର ଭାରତ ବସ୍ତୁତଃ ଭିନ୍ନ ଥିବା ମୁଁ ଅନୁଭବ କରୁଥିଲି। ଯେତେବେଳେ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ, କେନ୍ଦ୍ରରେ ତାଙ୍କର କ˚ଗ୍ରେସ୍‌ ଦଳ ଶାସନ କ୍ଷମତାରେ ଥିଲା। କେବଳ ତାମିଲନାଡ଼ୁକୁ ଛାଡ଼ି ଅନ୍ୟ ସମସ୍ତ ପ୍ରମୁଖ ରାଜ୍ୟରେ ତାଙ୍କ ଦଳ ଏକଲା ବା ମେଣ୍ଟ ବଳରେ ଶାସନ କରୁଥିଲା। ଅପର ପକ୍ଷେ ନରେନ୍ଦ୍ର ମୋଦୀ ଯେତେ ବେଳେ ପ୍ରଧାନମନ୍ତ୍ରୀ ହେଲେ, ଅନେକ ରାଜ୍ୟ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ବାହାରେ ଥିଲେ।

ତେଣୁ, ସ୍ବାଭାବିକ ଭାବେ ମୋର ବିଶ୍ବାସ ଥିଲା, ଆମ ସ˚ଘୀୟ ବ୍ୟବସ୍ଥା ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତାବାଦର ବିରୋଧ କରିବ। ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବର ପ୍ରଥମ ପାଳିରେ ଭା.ଜ.ପା. କେତେକ ପ୍ରମୁଖ ରାଜ୍ୟରେ ନିର୍ବାଚନ ଜିତିଲା ଏବ˚ କେତେକ ରାଜ୍ୟରେ ହାରିଲା। ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ମୋଦୀ ଓ ଭା.ଜ.ପା.କୁ ଉଲ୍ଲେଖନୀୟ ବିଜୟ ହାସଲ ହେବା ସତ୍ତ୍ବେ ସମସ୍ତ ରାଜ୍ୟ ସେମାନଙ୍କ ନିୟନ୍ତ୍ରଣକୁ ଆସିପାରି ନ ଥିଲା। ପରେ ଝାଡ଼ଖଣ୍ତ ଓ ମହାରାଷ୍ଟ୍ର ସେମାନଙ୍କ ନିୟନ୍ତ୍ରଣରୁ ଚାଲିଗଲା।

ସାରା ଦେଶରେ ‘ନାଗରିକତା ସ˚ଶୋଧନ ଆଇନ’ର ତୀବ୍ର ବିରୋଧରୁ ଭାରତୀୟ ସ˚ଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ତଥାପି ଦୃଢ଼ ଥିବା ହୃଦ୍‌ବୋଧ ହୋଇଥିଲା। ସମ୍ବିଧାନର ଉଲ୍ଲ˚ଘନ କରୁଥିବା ଏକ ପକ୍ଷପାତୀ ଆଇନ ବିରୋଧରେ ନାଗରିକ ଏକତ୍ର ସ୍ବର ଉତ୍ତୋଳନ କରିଥିଲେ। ଅନେକ ପ୍ରମୁଖ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଆଇନର ବିରୋଧ କରିଥିଲେ। ଏହା ଦ୍ବାରା ଅତୀତ ଯେ ବର୍ତ୍ତମାନ ନୁହେଁ, ପ୍ରମାଣିତ ହେଲା। ଇନ୍ଦିରା ଗାନ୍ଧୀ ଯାହା ଚାହିଥିଲେ କରିପାରିଥିଲେ; କାରଣ, ତାଙ୍କ ଦଳ ଉଭୟ କେନ୍ଦ୍ର ଏବ˚ ପ୍ରାୟ ସମସ୍ତ ରାଜ୍ୟ (ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେବାର କିଛି କାଳ ପରେ ତାମିଲନାଡ଼ୁର ଡିଏମ୍‌କେ ସରକାରକୁ ବରଖାସ୍ତ କରାଯାଇଥିଲା)ରେ ଶାସନ କ୍ଷମତାରେ ଥିଲା।

‘କୋଭିଡ୍‌-୧୯’ ମହାମାରୀ ସବୁ କିଛି ବଦଳାଇ ଦେଇଛି। ଦେଶର ସ˚ଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଏହା ମୋଦୀ ଓ ତାଙ୍କ ସରକାରକୁ ସୁଯୋଗ ଆଣିଦେଇଛି। ଏବେ କେନ୍ଦ୍ର ପାଲଟିଛି ଏକକ ଶକ୍ତିଶାଳୀ। ରାଜ୍ୟଗୁଡ଼ିକୁ ଅଧିକରୁ ଅଧିକ ଦୁର୍ବଳ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। ଏହି ଲକ୍ଷ୍ୟ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି।

୧. ଜିଏସ୍‌ଟି ବାବଦକୁ ରାଜ୍ୟଗୁଡ଼ିକ ପାଇବାକୁ ଥିବା ବକୈୟା ଅର୍ଥ ପ୍ରଦାନ କରାଯାଉନାହିଁ। ଏହି ଅର୍ଥ ପ୍ରଦାନ ସମୟ ଘୁଞ୍ଚାଇ ଦିଆଯାଇଛି। ଏହାର ପରିମାଣ ତିରିଶ ହଜାର କୋଟି ଟଙ୍କାରୁ ଅଧିକ। ଯଦି ଏହି ଅର୍ଥ ସଙ୍ଗେସଙ୍ଗେ ପ୍ରଦାନ କରାଯାଆନ୍ତା, ରାଜ୍ୟଗୁଡ଼ିକ ଭୋଗୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବ୍ୟବହୃତ ହୋଇପାରନ୍ତା।

୨. କେନ୍ଦ୍ରରେ ‘ପିଏମ୍‌- କେଆର୍ସ‌୍‌’ ପାଣ୍ଠିର ସୃଷ୍ଟି ଏକ ପକ୍ଷପାତୀ ପଦକ୍ଷେପ। ଏହି ପାଣ୍ଠିକୁ ଦାନ ଦେଉଥିବା ବଡ଼ ବଡ଼ କର୍ପୋରେଟ୍‌ଗୁଡ଼ିକ ଯେଉଁ ସୁବିଧା ପାଇବେ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ ଦେଲେ ସେହି ସୁବିଧା ପାଇବେନାହିଁ। ଏହି ପାଣ୍ଠିର ଅର୍ଥକୁ ପ୍ରଧାନମନ୍ତ୍ରୀ ନିଜ ଇଚ୍ଛା ଅନୁଯାୟୀ ଖର୍ଚ୍ଚ କରିପାରିବେ। ଅତ୍ୟନ୍ତ ଗୋପନୀୟ ଭାବେ ଏହାର ବିନିଯୋଗ ହୋଇପାରିବ। ମହା-ଲେଖା ନିୟନ୍ତ୍ରକ ତଥା ମହା-ସମୀକ୍ଷକ ମଧ୍ୟ ଏହାର ଅଡିଟ୍‌ କରିପାରିବେ ନାହିଁ।

୩. ସା˚ସଦ ପାଣ୍ଠି ବା ‘ଏମ୍‌ପିଲାଡ୍‌’ ଯୋଜନାର ଉଚ୍ଛେଦ କରାଯିବା ମଧ୍ୟ କେନ୍ଦ୍ରୀକରଣର ନଗ୍ନ ନମୁନା। ସା˚ସଦମାନେ ନିଜ ନିର୍ବାଚନ ମଣ୍ତଳୀର ଲୋକଙ୍କ ଦୁର୍ଦଶା ଦୂର ପାଇଁ ନିଜ ପାଣ୍ଠିରୁ ଖର୍ଚ୍ଚ କରିପାରିବେ ନାହିଁ।

୪. ଅଣ-ଭା.ଜ.ପା. ସରକାର ଥିବା ରାଜ୍ୟଗୁଡ଼ିକର ରାଜ୍ୟପାଳମାନେ କେନ୍ଦ୍ର ସରକାରର ସମର୍ଥକ ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ଜାଣିଶୁଣି ସାମ୍ବିଧାନିକ ଦାୟିତ୍ବ ସ˚ପାଦନ କରିବା ପରିବର୍ତ୍ତେ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବିରୋଧରେ ଲାଗିଛନ୍ତି। ମହାରାଷ୍ଟ୍ରର ରାଜ୍ୟପାଳ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲେଜିସ୍‌ଲେଟିଭ୍‌ କାଉନ୍‌ସିଲ୍‌କୁ ମନୋନୟନ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବିତ କରାଉଛନ୍ତି। ପଶ୍ଚିମବଙ୍ଗର ରାଜ୍ୟପାଳ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅବାଞ୍ଛିତ ଭାଷା (ପଶ୍ଚିମବଙ୍ଗରେ କରୋନା ଭୂତାଣୁ ବିରୋଧରେ ଆପଣଙ୍କ ସରକାରର ବିଫଳତା ଘୋଡ଼ାଇବା ପାଇଁ ଆପଣ ଜନତାର ଧ୍ୟାନ ଅନ୍ୟତ୍ର ନେଉଥିବା ମୁଁ ଜାଣିପାରୁଛି। ସ˚ଖ୍ୟାଲଘୁ ସ˚ପ୍ରଦାୟର ତୁଷ୍ଟୀକରଣ ପାଇଁ ଆପଣଙ୍କ ନୀତି ଜଳଜଳ ଦିଶୁଛି।) ପ୍ରୟୋଗ କରୁଛନ୍ତି। ଏହି ରାଜ୍ୟପାଳମାନେ ନିଜ ବିଚାରବୋଧ ଦ୍ବାରା ପରିଚାଳିତ ହେଉଥିବା ଭଳି ଲାଗୁନାହିଁ। ଯେଉଁ ରାଜ୍ୟଗୁଡ଼ିକରେ ଭା.ଜ.ପା.ର ସରକାର ନାହିଁ, ସେହି ରାଜ୍ୟଗୁଡ଼ିକର ରାଜ୍ୟପାଳମାନେ ଭା.ଜ.ପା. ମୁଖ୍ୟଙ୍କ ନିର୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି।

କେନ୍ଦ୍ରର ରାଜ୍ୟ ବିରୋଧୀ ବିଭିନ୍ନ ପଦକ୍ଷେପର ଏହି ତାଲିକା ଚୂଡ଼ାନ୍ତ ନୁହେଁ। କେବଳ ଦୃଷ୍ଟାନ୍ତ ପାଇଁ ଏହା ଦେଇଛି। ଆହୁରି ଅନେକ ଅଛି। ମୋଟାମୋଟି ରାଜ୍ୟଗୁଡ଼ିକୁ ଭୂଲୁଣ୍ଠିତ କରିବା ପାଇଁ କେନ୍ଦ୍ର ମସୁଧା ଚଳାଇଛି। ‘କୋଭିଡ୍‌-୧୯’ ମହାମାରୀର ସୁଯୋଗ ନେଇ ସ˚ଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ଏବ˚ ଯୋଜନାବଦ୍ଧ ଭାବେ ବ୍ୟକ୍ତି-ଉପାସନାକୁ ଦୃଢ଼ କରିବା ଏବେ ମୁଖ୍ୟ ଲକ୍ଷ୍ୟ। ଦୂରଦର୍ଶନ, ବରିଷ୍ଠ କେନ୍ଦ୍ର ମନ୍ତ୍ରୀଗଣ ଏବ˚ ଶାସକ ଦଳର ଆଇଟି ସେଲ୍‌ ଦିନରାତି ଏକାକାର କରି ମାତ୍ର ଗୋଟିଏ ଘୋଷଣା କରିଚାଲିଛନ୍ତି- କେବଳ ମୋଦୀ ହିଁ ଭାରତକୁ ବଞ୍ଚାଇପାରିବେ।

୨୦୦୨ ପୂର୍ବରୁ ଏବ˚ ପରେ ଅନେକ ଥର ଗୁଜରାଟ ଭ୍ରମଣ କରିଥିବାରୁ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଶୈଳୀ ବାବଦରେ ମୋର କୌଣସି ଭ୍ରାନ୍ତ ଧାରଣା ନାହିଁ। ବିବିଧତାପୂର୍ଣ୍ଣ ଆମର ଦେଶ ଜଣେ ବିଚାରଶୀଳ, ଖୋଲା, ବହୁବାଦୀ ଓ ଶାଳୀନ ନେତୃତ୍ବ ଲୋଡ଼େ। ମୁଁ ଏହା ଭଲ ଭାବେ ଜାଣେ ଯେ ମୋଦୀ ଏ ଧରଣର ନୁହନ୍ତି। ସେ ନିଜ ଦଳ, ନିଜ କ୍ୟାବିନେଟ୍‌, ନିଜ କର୍ମଚାରୀ ଏବ˚ ନିଜ ରାଷ୍ଟ୍ର ଉପରେ ନିରଙ୍କୁଶ ନିୟନ୍ତ୍ରଣରେ ବିଶ୍ବାସ କରନ୍ତି। ତେଣୁ, ୨୦୧୩ରେ ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଚାହୁଥିବା ଇନ୍ଦିରା ଗାନ୍ଧୀଙ୍କ ସହ ତାଙ୍କୁ ତୁଳନା କରିଥିଲି। ଏହା ସତ୍ତ୍ବେ, ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହି ଆଶା ରଖିଥିଲି ଯେ ତାଙ୍କର ଅଭିଳାଷ ଏତେ ସହଜରେ ଚରିତାର୍ଥ ହେବନାହିଁ। ସେ ନାନା ବାଧା ଓ ବିରୋଧର ସାମନା କରିବେ।

ଏ ଲେଖକ ଜରୁରିକାଳୀନ ପରିସ୍ଥିତି ପ୍ରତ୍ୟକ୍ଷ କରିବା ସହ ଏହା ଉପରେ ଗବେଷଣା କରିଛି। ଜୁନ୍‌ ୧୯୭୫ରୁ ମାର୍ଚ୍ଚ‌୍ ୧୯୭୭ ମଧ୍ୟରେ ଆମ ସାଧାରଣତନ୍ତ୍ର ଯେଉଁ ଧରଣର ସ୍ବୈରଶାସନର ସମ୍ମୁଖୀନ ହୋଇଥିଲା, ସେହି ଭଳି ଏବେ ଘଟିବ ନାହିଁ ବୋଲି ମେ ୨୦୧୪ରୁ ଜାନୁଆରି ୨୦୨୦ ମଧ୍ୟରେ ମୁଁ ଭାବିଥିଲି। କାରଣ ଏବେ ଅଧିକା˚ଶ ରାଜ୍ୟରେ ଭା.ଜ.ପା.ର ସରକାର ନାହିଁ ଏବ˚ ଅଣ-ଭା.ଜ.ପା. ସରକାର ଥିବା ରାଜ୍ୟଗୁଡ଼ିକ ସାଧାରଣତନ୍ତ୍ରକୁ ବଞ୍ଚାଇବାରେ ସକ୍ଷମ ହେବେ। ତେବେ, ଅତୀତରେ ସାମାନ୍ୟ ହେଉ ପଛକେ ଯେଉଁ ଆଶ୍ବାସନା ମିଳିଥିଲା, ତାହା ଆଧାରରେ ଭବିଷ୍ୟତ୍‌ରେ କ’ଣ ଘଟିବ କହିହେବ ନାହିଁ। ଦେଶର ସ˚ଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ମହାମାରୀ ଏକ ବଡ଼ ସୁଯୋଗ ଆଣିଦେଇଛି; ମୋଦୀ ସରକାର ପାଇଁ ରାସ୍ତା ଖୋଲିଦେଇଛି। ତେବେ, ଏହାକୁ ସଫଳ କରାଇ ଦେବାନାହିଁ। ରାଜ୍ୟଗୁଡ଼ିକ ଯଥା ସ˚ଭବ ଜୋର‌୍‌ ଲଗାଇ ପ୍ରତିରୋଧ କରିବା ଉଚିତ। ଜରୁରୀ କାଳୀନ ପରିସ୍ଥିତି ଜନିତ ଅଭିଜ୍ଞତାରୁ ଯଦି ଆମେ କିଛି ଶିକ୍ଷା କରିଛେ, ତାହା ହେଉଛି- ଏକ ଦଳ, ଏକ ଆଦର୍ଶ ଏବ˚ ଏକ ନେତା ଚିନ୍ତାଧାରା ଅବାଞ୍ଛନୀୟ। ଆମ ସାଧାରଣତନ୍ତ୍ରର ମହାନତା ଓ ଗୌରବ ଅକ୍ଷୁଣ୍ଣ ରଖିବା ଲାଗି ସେମାନଙ୍କ ଇଚ୍ଛା ଯେପରି ଆମ ଉପରେ ଲଦି ଦିଆ ନ ଯାଏ, ତାହା ଦେଖିବା ଏବ˚ ତାହାକୁ ଅନୁମତି ନ ଦେବା ଆମ ଦାୟିତ୍ବ।