ନିର୍ବାଚନ ଆସିଲେ ଉପ‌ହାର କଥ‌ା ମନେ ପଡ଼ିଯାଏ ନେତାମାନଙ୍କୁ। ଭୋଟରମାନଙ୍କ ଲାଗି ଉପହାର ସ୍ବରୂପ ସେମାନେ ଏଭଳି ପ୍ରତିଶ୍ରୁତିର ବର୍ଷା କରାନ୍ତି ଯେ ତଦ୍ଦ୍ବାରା ଆକର୍ଷିତ ହେବା ଛଡ଼ା ଆଉ କୌଣସି ବାଟ ନ ଥାଏ। ଯିଏ ‌ଯେତେ ପ୍ରତିଶ୍ରୁତି ଦେଇପାରିଲା, ସେତେ ଭଲ। ଏବେ ଯଦି ନେତାମାନଙ୍କ ଦ୍ବାରା ଦିଆଯାଉଥିବା ପ୍ରତିଶ୍ରୁତି ବିଷୟରେ ଆଲୋଚନା କରିବା, ତେବେ ସେଥିରେ ବିଭିନ୍ନ ଯୋଜନା ଓ ଭିତ୍ତିଭୂମି ନିର୍ମାଣ ଠାରୁ ଆରମ୍ଭ କରି ଗହଣାଗାଣ୍ଠି, ସ୍ମାର୍ଟ‌୍ ଫୋନ୍‌, ଟେଲିଭିଜନ, ଗ୍ରାଇଣ୍ଡର ଭଳି ଯାବତୀୟ ଘରକରଣା ଜିନିଷକୁ ମଧ୍ୟ ଦେଖିବାକୁ ମିଳିଥାଏ। ଏଥର ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ‌ହେବାକୁ ଯାଉଛି, ସେଠାରେ ଦଳ ଓ ପ୍ରାର୍ଥୀମାନେ ଏଭଳି ପ୍ରତିଶ୍ରୁତିମାନ ଦେଇ ଚାଲିଛନ୍ତି। ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଆହୁରି ବ‌େ‌ର୍ଷ କି ଦୁଇ ବର୍ଷ ବାକି ଅଛି, ସେଠାରେ ମଧ୍ୟ ପ୍ରାର୍ଥୀମା‌େନ ପ୍ରତିଶ୍ରୁତି ଦେବାକୁ ଆରମ୍ଭ କଲେଣି। ଉଦାହରଣ ସ୍ବରୂପ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଜାତୀୟ ଦଳର ଜଣେ ନେତା କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଶସ୍ତାରେ ମଦ ଉପଲବ୍‌ଧ କରାଇବେ। କହିବା ବାହୁଲ୍ୟ ଯେ ଏଥିରେ ଅନେକ ଅବାସ୍ତବ ପ୍ରତିଶ୍ରୁତି ମଧ୍ୟ ରହିଥାଏ, ଯାହାକୁ ପାଳନ କରିବା ପରବର୍ତ୍ତୀ ସମୟରେ ସମ୍ଭବ ହୋଇ ନ ଥାଏ। ସେ ଯାହା ହେଉ, ପ୍ରାୟତଃ ଦେଖାଯାଇଥାଏ ଯେ ଦଳ ଓ ନେତାମାନେ ନିର୍ବାଚନ ‌ପରେ ସେମାନଙ୍କ ଦ୍ବାରା ପ୍ରଦତ୍ତ ପ୍ରତିଶ୍ରୁତିକୁ ଭୁଲି ଯାଆନ୍ତି। କିନ୍ତୁ ପୁଣି ପରବର୍ତ୍ତୀ ନିର୍ବାଚନରେ ପ୍ରତିଶ୍ରୁତିର ବର୍ଷା କରାନ୍ତି।

Advertisment

ଏହି ପରିପ୍ରେକ୍ଷୀରେ ଗୋଟିଏ ଗପ ମନେ ପଡ଼େ। ଥରେ ଜଣେ ରାଜାଙ୍କ ଦରବାରରେ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା। ତହିଁରେ ଅନେକ ସ୍ବନାମଧନ୍ୟ ଗାୟକ ଭାଗ ନେଇଥାଆନ୍ତି। କିନ୍ତୁ ପରିଶେଷରେ ଯିଏ ରାଜାଙ୍କର ମନ ମୋହିନେଲେ, ସେ ଥିଲେ ଜଣେ ଅନାମଧେୟ ଗାୟକ। ତାଙ୍କ ଗୀତ ଶୁଣି ରାଜା ଏତେ ବିଭୋର ହୋଇଉଠିଲେ ‌େଯ ତାଙ୍କ ପାଇଁ ଗୋଟିକ ପରେ ଗୋଟିଏ ମୂଲ୍ୟବାନ ଉପହାରର ଘୋଷଣା କରିବାକୁ ଲାଗିଲେ। ଗୋଟିଏ ଗୀତ ଶୁଣି ରାଜା କହିଲେ, ଶହେ ରୁପା ମୁଦ୍ରା ଦେବି ତ ଆଉ ଗୋଟିଏ ଶୁଣି କହିଲେ ଶହେ ସୁବର୍ଣ୍ଣ ମୁଦ୍ରା ଦେବି। ଏମିତି କିଛି ଗୀତ ଗାଇ ସାରିବା ବେଳକୁ ଗାୟକ ରାଜାଙ୍କ ଠାରୁ ସୁନା, ରୁପା, ଜମି, ଘର ଇତ୍ୟାଦି ଅ‌େନକ କିଛି ପୁରସ୍କାରର ପ୍ରତିଶ୍ରୁତି ପାଇ ସାରିଥିଲେ।

ସଙ୍ଗୀତ କାର୍ଯ୍ୟକ୍ରମ ସରିଲା। ଗାୟକମାନେ ଯେ ଯାହା ଘରକୁ ବାହୁଡ଼ି ଗଲେ। କିନ୍ତୁ ଉପହାର ପ୍ରତିଶ୍ରୁତି ପାଇଥିବା ଗାୟକ ଜଣକ ରାଜ ପ୍ରାସାଦର ଫାଟକ ପାଖରେ ବସି ରହିଲେ। ସ୍ବାଭାବିକ ଭାବେ ସେ ଅପେକ୍ଷା କରି ରହିଥିଲେ ଉପହାର ନେଇ ଘରକୁ ଫେରିବା ପାଇଁ।

କିଛି ଦିନ ଧରି ଗାୟକ ସେଠାରେ ଅପେକ୍ଷା କଲା ପରେ ରାଜାଙ୍କ ପାଖରେ ସେହି ଅପେକ୍ଷାରତ ଗାୟକଙ୍କ ବିଷୟରେ ଖବର ପହଞ୍ଚିଲା। ରାଜା ତାଙ୍କୁ ଡକାଇଲେ। ଗାୟକ ଅତ୍ୟନ୍ତ ଖୁସି ହୋଇ ଭିତରକୁ ଗଲେ। ରାଜା ତାଙ୍କୁ ସେଠାରେ ଅପେକ୍ଷା କରିଥିବାର କାରଣ ବିଷୟରେ ପଚାରିଲେ।

ଗାୟକ କହିଲେ- ମଣିମା, ମୁଁ ଭଲ ଗୀତ ଗାଇଥିଲି ବୋଲି ମୋ‌େତ ଆପଣ ଅନେକ ଉପହାର ଦେବା ଲାଗି ଘୋଷଣା କରିଥିଲେ। ମୁଁ ତାହା ପାଇବାକୁ ଅପେକ୍ଷା କରିଛି।
ରାଜା ପଚାରିଲେ- ଆଚ୍ଛା, ମୋର ଉପହାର ଘୋଷଣା ତମକୁ ଭଲ ଲାଗିଲା କି?

ଗାୟକ କହିଲେ- ଆଜ୍ଞା, କହିବାର ଅଛି? ଏହା ଠାରୁ ବଳି ମୋ ପାଇଁ ଆଉ କ’ଣ ଆଶୀର୍ବାଦ ହୋଇ‌ପାରେ?

ରାଜା ଏଥର ଗହଗହ ହୋଇ ହସିଲେ ଓ କହିଲେ- ତମ ଗୀତ ମୋ କାନକୁ ଭଲ ଲାଗିଲା। ସେହିଭଳି ମୋର ଉପହାର ଘୋଷଣା ତମ କାନକୁ ଭଲ ଲାଗିଲା। ତମେ ଗୀତ ଶୁଣାଇ ମୋତେ ଖୁସି କଲ, ମୋ ଉପହାର ଘୋଷଣା ମଧ୍ୟ ତମକୁ ଖୁସି କରିଦେଲା। ମୁଁ ଖୁସି ହେଲି, ତମେ ବି ଖୁସି ହେଲ। କଥା ସେଠି ସରିଗଲା। ଏବେ ଯାଅ।

ଏହା ଶୁଣି ଗାୟକ ତଟସ୍ଥ ହେଲେ କିନ୍ତୁ କିଛି କହିବାର ଜୁ ନ ଥିଲା।

ଏହି ଗପରେ ଆଜିକାର ନେତାମାନଙ୍କ ନିର୍ବାଚନୀ ପ୍ରତିଶ୍ରୁତି ସହିତ ରାଜାଙ୍କ ଉପହାର ଘୋଷଣାର ଏକ ସମାନ୍ତରାଳ ଦେଖିହୁଏ କି? ନେତାଙ୍କ ପ୍ରତିଶ୍ରୁତି ଅଗଣିତ ଭାରତୀୟ ନାଗରିକଙ୍କ ଆଖିରେ ସ୍ବପ୍ନର ଚମକ ସୃଷ୍ଟି କରୁଥିଲେ ବି ଅଚିରେ ସେହି ଗାୟକଙ୍କ ଭଳି ସହସା ଚୁରମାର ହୋଇଯାଏ କି? କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, କାନକୁ ମିଠା ଶୁଭୁଥିବା ପ୍ରତିଶ୍ରୁତିମାନ ପୁଣି ପର ପାଳି କାନକୁ ମିଠା ଶୁଭେ; ପୁଣି ତାହା ମନରେ ଆଶା ଜାଗ୍ରତ କରେ। ଏହାର କାରଣ କ’ଣ ଏୟା ଯେ ମଣିଷର ମନ ସବୁ କିଛି ଶୀଘ୍ର ପାଶୋରି ଯାଉଥିବା ଭଳି ପ୍ରତିଶ୍ରୁତିଗୁଡ଼ିକୁ ଭୁଲି ଯାଇ ପୁଣି ଥରେ ସେସବୁ ଦ୍ବାରା ଉଚ୍ଚଟିତ ହେବା ଲାଗି ଚାହିଁ ବସିଥାଏ?