ଗତ ଦୁଇବର୍ଷ ଧରି କୋଭିଡ୍ ମହାମାରୀ ସହିତ ଲଢ଼େଇ କରି ଜୀବନକୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଆସୁଥିବା ସାଧାରଣ ନାଗରିକମାନଙ୍କ ଆର୍ଥିକ ଦୁର୍ଦଶା କ୍ରମଶଃ ଅସହନୀୟ ହୋଇପଡୁଛି। ଗୋଟିଏ ପଟେ ମୁଦ୍ରାସ୍ଫୀତି ତ ଅନ୍ୟପଟେ ବେରୋଜଗାରୀ ହତାଶା, ଉତ୍କଣ୍ଠା ଓ ଉତ୍ତେଜନାର ପରିବେଶ ସୃଷ୍ଟି କରିଛି। ଏହି ପରିସ୍ଥିତିରେ କେନ୍ଦ୍ରୀୟ ବଜେଟ୍ ୨୦୨୨ରେ ଅର୍ଥମନ୍ତ୍ରୀଙ୍କ ଠାରୁ ସ୍ବଳ୍ପ ଅବଧି ମଧୢରେ ତ୍ବରିତ ଆର୍ଥିକ ବିକାଶର କାର୍ଯ୍ୟସୂଚି ଆଶା କରାଯାଉଥିଲା। କିନ୍ତୁ ବଜେଟ୍ ଆଗତ ହେଲା ପରେ ମନେ ହେଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ବଜେଟ୍କୁ ଏକ ଦୀର୍ଘସୂତ୍ରୀ ବ୍ଲୁ ପ୍ରିଣ୍ଟ୍ର ରୂପ ଦେଇଛନ୍ତି। ତାଙ୍କ ଭାଷାରେ ଚଳିତ ବର୍ଷର ବଜେଟ୍ ପ୍ରସ୍ତାବ ଆଗାମୀ ପଚିଶ ବର୍ଷର ଆର୍ଥିକ ବିକାଶ ପାଇଁ ମୂଳଭିତ୍ତି ସ୍ଥାପନ କରିବ। ଅର୍ଥମନ୍ତ୍ରୀ ଏହି ପଚିଶ ବର୍ଷକୁ ‘ଅମ୍ରିତ୍ କାଲ୍’ (ମାହେନ୍ଦ୍ର ବେଳା) ଆଖ୍ୟା ଦେଇଥିଲେ ଯାହାକୁ ସେ ପ୍ରଧାନମନ୍ତ୍ରୀ ଗତ ସ୍ବାଧୀନତା ଦିବସରେ ଦେଶ ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣରୁ ଉଦ୍ଧୃତ କରିଥିଲେ। ବଜେଟ୍ରେ ଦୀର୍ଘସୂତ୍ରୀ ଆର୍ଥିକ ବିକାଶର ବ୍ଲୁ ପ୍ରିଣ୍ଟ୍ ପାଇଁ କାହାର କିଛି ଆପତ୍ତି ରହିବ ନାହିଁ ଯଦି ଏଥିରେ ସା˚ପ୍ରତିକ ଆର୍ଥିକ ସମସ୍ୟାର ଆଶୁ ପ୍ରତିକାର ପାଇଁ ପ୍ରଭାବଶାଳୀ ଉପଚାରର ବ୍ୟବସ୍ଥା ରହିବ। ଏହି ପରିପ୍ରେକ୍ଷୀରେ ଆଗାମୀ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ର ନିରପେକ୍ଷ ତର୍ଜମା କରାଯାଇପାରେ।
୨୦୨୦ରୁ ଆରମ୍ଭ ହୋଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପ୍ରଡକ୍ସନ୍ ଲିଙ୍କ୍ଡ ଇନ୍ସେନ୍ଟିଭ୍) ବର୍ତ୍ତମାନ ଚଉଦଟି ଗୁରୁତ୍ବପୂର୍ଣ୍ଣ ସେକ୍ଟର ପାଇଁ ପ୍ରଯୁଜ୍ୟ ହେଉଛି। ମହାମାରୀ ଜନିତ ସଙ୍କଟ ସତ୍ତ୍ବେ ଏହି ଯୋଜନା ଅନ୍ତର୍ଗତ କମ୍ପାନିମାନେ ଉତ୍ପାଦନ ପ୍ରକ୍ରିୟା ବୃଦ୍ଧି କରିବାକୁ ଉତ୍ସାହିତ ହୋଇଥିଲେ ଏବ˚ ଏହାଦ୍ବାରା କର୍ମଯୋଗାଣ ଜନିତ ସଙ୍କଟକୁ କେତେକା˚ଶରେ ପ୍ରତିହତ କରାଯାଇପାରିଥିଲା। ଅର୍ଥମନ୍ତ୍ରୀଙ୍କ ବିବୃତ୍ତି ଅନୁସାରେ ଏହି ଯୋଜନା ଦ୍ବାରା ଆସନ୍ତା ପାଞ୍ଚ ବର୍ଷ ମଧୢରେ ଷାଠିଏ ଲକ୍ଷ ନୂଆ କର୍ମଯୋଗାଣ ସୃଷ୍ଟି ହେବା ସହିତ ସାମଗ୍ରିକ ଉତ୍ପାଦନ ତିରିଶ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇବ। ଯଦି ଅର୍ଥମନ୍ତ୍ରୀ ଏହି ଯୋଜନା ଦ୍ବାରା ଆଜି ପର୍ଯ୍ୟନ୍ତ କେତେ କର୍ମ ଯୋଗାଣ ସୃଷ୍ଟି ହେଲାଣି ଓ ଆଗାମୀ ବର୍ଷ ପାଇଁ ଏହାର ଅଟକଳ ପ୍ରଦାନ କରିଥା’ନ୍ତେ, ତେବେ ଏହା ଅଧିକ ଗ୍ରହଣଯୋଗ୍ୟ ହୋଇଥା’ନ୍ତା।
ରୁଗ୍ଣ ନୀଳାଚଳ ଇସ୍ପାତ ନିଗମର ଘରୋଇକରଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି ବୋଲି ଘୋଷଣା ଏକ ଶୁଭ ସୂଚନା। ଓଡ଼ିଶା ସ୍ଥିତ ଏହି ବୃହତ୍ ଷ୍ଟିଲ୍ କମ୍ପାନିରେ ପୁଣି ଥରେ ବିନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ଇସ୍ପାତ ଶିଳ୍ପ ଉପକୃତ ହେବା ସହିତ କର୍ମଯୋଗାଣ ପାଇଁ ସହାୟକ ହେବ। ଆଗାମୀ ବର୍ଷ ଏଲ୍ଆଇସିର ପବ୍ଲିକ୍ ଇସ୍ୟୁ ହେବ ବୋଲି ଘୋଷଣା କରି ଅର୍ଥମନ୍ତ୍ରୀ ପରୋକ୍ଷ ଭାବରେ ସୂଚନା ଦେଇଛନ୍ତି ଯେ ଏହି ବୃହତ୍ ରାଷ୍ଟ୍ରାୟତ୍ତ ଜୀବନ ବୀମା କମ୍ପାନିରୁ କେନ୍ଦ୍ର ସରକାର କ୍ରମଶଃ ଇକ୍ୟୁଟି ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିବେ। ଯଦିଓ ରାଷ୍ଟ୍ରାୟତ୍ତ ସ˚ସ୍ଥାଗୁଡ଼ିକର ଘରୋଇକରଣ ପାଇଁ ମୋଦୀ ସରକାର ନିୟମିତ ପଦକ୍ଷେପ ନେଉଛନ୍ତି ତଥାପି ଅଟକଳ ଓ ଉପଲବ୍ଧି ମଧୢରେ ମାତ୍ରାଧିକ ପାର୍ଥକ୍ୟ ରହୁଥିବାରୁ, ଆଗାମୀ ବର୍ଷ ପାଇଁ ୬୫ ହଜାର କୋଟି ଟଙ୍କାର ପରିମିତ ଅଟକଳ ରଖାଯାଇଛି।
ବହୁବିଧ ପରିବହନ ବ୍ୟବସ୍ଥାର ସ˚ପ୍ରସାରଣ, ଆଧୁନିକୀକରଣ ତଥା ଏକୀକରଣ ପାଇଁ ‘ପ୍ରଧାନମନ୍ତ୍ରୀ ଗତିଶକ୍ତି’ ଯୋଜନା ପାଇଁ ବଜେଟ୍ରେ କୋଡ଼ିଏ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଆସନ୍ତାବର୍ଷ ପଚିଶ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏହା ବ୍ୟତୀତ ଆଠଟି ରଜ୍ଜୁ-ମାର୍ଗ ପ୍ରକଳ୍ପ ଆରମ୍ଭ ହେବ ଯାହାର ମୋଟ ଦୂରତା ୬୦ କିମି ହେବ। ଏହା ନିଶ୍ଚିତ ଭାବରେ ଦୁର୍ଗମ ଅଞ୍ଚଳରେ ଗମନାଗମନ ଓ ପର୍ଯ୍ୟଟନକୁ ସୁଗମ କରିବ। ଏହା ସତ ଯେ ମୋଦୀ ସରକାର ଶାସନ ଭାର ଗ୍ରହଣ କଲା ପରେ ଭିତ୍ତିଭୂମି ବିକାଶ ପାଇଁ ନିୟମିତ ପ୍ରୟାସ କରି ଆସୁଛନ୍ତି। ଆସନ୍ତା ତିନିବର୍ଷ ମଧୢରେ ଚାରିଶହ ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ହେବାର ଯୋଜନା ବଜେଟ୍ରେ ଉଲ୍ଲେଖ ଅଛି। ଯଦି ଅର୍ଥମନ୍ତ୍ରୀ ଆସନ୍ତା ବର୍ଷ କେତୋଟି ଟ୍ରେନ୍ ନିର୍ମାଣ ହେବ, ଏହାର ଏକ ସୂଚନା ଦେଇଥା’ନ୍ତେ, ତେବେ ଏହା ସରକାରଙ୍କ ଅଙ୍ଗୀକାରକୁ ଅଧିକ ହୃଦ୍ବୋଧଜନକ କରିଥା’ନ୍ତା। ଦୁଇବର୍ଷ ତଳେ ଏହି ଯୋଜନା ଆରମ୍ଭ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ମାତ୍ର ଦୁଇଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି।
ଭାରତର ପ୍ରଥମ ନଦୀ ସ˚ଯୋଗ ଯୋଜନା କେନ୍-ବେଟଵା ଲିଙ୍କ୍ ପ୍ରୋଜେକ୍ଟ ପାଇଁ ମୋଟ ୪୪,୬୦୫ କୋଟି ବ୍ୟୟ ହେବ ବୋଲି ଅଟକଳ କରାଯାଇଛି। ଏଥିପାଇଁ ଆଗାମୀ ଆର୍ଥିକ ବର୍ଷରେ ୧୪୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ ଯାହା ମୋଟ ଖର୍ଚ୍ଚର ମାତ୍ର ୩%। ଏହି ଯୋଜନା ଦ୍ବାରା ଉତ୍ତରପ୍ରଦେଶ ଓ ମଧୢପ୍ରଦେଶର ମରୁଡ଼ି ପ୍ରବଣ ବୁନ୍ଦେଲଖଣ୍ତ ଅଞ୍ଚଳରେ ଜଳସେଚନ, ପାନୀୟଜଳ ଯୋଗାଣ ତଥା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବିକାଶ ହେବ। ଏଠାରେ କହି ରଖିବା ଉଚିତ ହେବ ଯେ ଏହି ପ୍ରକଳ୍ପ ଉପା ସରକାରଙ୍କ ସମୟରେ ୨୦୦୫ ମସିହାରେ ଆରମ୍ଭ ହୋଇଥିଲା। ୨୦୦୮ରେ ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିଥିଲା। କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଉପା ସରକାରଙ୍କ ଦୀର୍ଘ ଦିନର ଶାସନ କାଳ ମଧୢରେ ଏହା କେବଳ ଫାଇଲ ମଧୢରେ ସୀମିତ ରହିଥିଲା। ମୋଦୀ ସରକାର କାର୍ଯ୍ୟଭାର ଗ୍ରହଣ କରିବାର ଦୀର୍ଘ ସାତବର୍ଷ ପରେ ହିଁ ଏହି ପ୍ରକଳ୍ପ ଆଉ ଥରେ ଲୋକଲୋଚନକୁ ଆସିଛି। ପ୍ରଶ୍ନ ଉଠେ ଏହା ନିକଟରେ ଅନୁଷ୍ଠିତ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ଓ ଆଗାମୀ ବର୍ଷ ହେବାକୁ ଥିବା ମଧୢପ୍ରଦେଶ ନିର୍ବାଚନକୁ ଆଖି ଆଗରେ ରଖି ଆରମ୍ଭ କରାଯାଇ ନାହିଁ ତ? ଯଦିଓ ଏହି ପ୍ରକଳ୍ପ ଆଠବର୍ଷ ମଧୢରେ କାର୍ଯ୍ୟକାରୀ ହେବ ବୋଲି ଡିସେମ୍ବର ମାସରେ ବିଭାଗୀୟ ମନ୍ତ୍ରାଳୟ ସୂଚନା ଦେଇଥିଲେ, ଏହି ପ୍ରକଳ୍ପର କାର୍ଯ୍ୟାନ୍ବୟନ ପାଇଁ ଅର୍ଥମନ୍ତ୍ରୀ ବଜେଟ୍ରେ କୌଣସି ସମୟ ସୂଚି ଉଲ୍ଲେଖ କରିନଥିଲେ। ଯଦି ପାଣ୍ଠି ଅଭାବରୁ ଏହା ମେଗା ପ୍ରୋଜେକ୍ଟ କାର୍ଯ୍ୟାନ୍ବୟନ ପାଇଁ ଦୀର୍ଘ ସମୟ ଓ ବିପୁଳ ପାଣ୍ଠି ଆବଶ୍ୟକ, ତେବେ ଆଗାମୀ ବର୍ଷ ବଜେଟ୍ରେ ଆହୁରି ପାଞ୍ଚଟି ନୂଆ ନଦୀ ସ˚ଯୋଗ ଯୋଜନାକୁ ଅନ୍ତର୍ଭୁକ୍ତ କରିବାର କ’ଣ ଆବଶ୍ୟକତା ଥିଲା? ବର˚ ପ୍ରଥମ ପ୍ରକଳ୍ପର ତ୍ବରିତ ସଫଳ ରୂପାୟନ ଅଧିକ ଶ୍ରେୟସ୍କର ହେବ।
ଘରେ ଘରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଆସନ୍ତା ବର୍ଷ ବଜେଟ୍ରେ ଷାଠିଏ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ଯଦ୍ଦ୍ବାରା ପ୍ରାୟ ଚାରିକୋଟି ପରିବାର ଉପକୃତ ହେବେ। ଏହି ପ୍ରସ୍ତାବ ସ୍ବାଗତଯୋଗ୍ୟ ଓ ବିଶ୍ବସନୀୟ ମଧୢ କାରଣ ଗତ ଦୁଇବର୍ଷ ମଧୢରେ ସାଢ଼େ ପାଞ୍ଚକୋଟି ପରିବାରଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇପାରିଛି। ‘ପ୍ରଧାନମନ୍ତ୍ରୀ ଆଵାସ’ ଯୋଜନାରେ ଅଶୀ ଲକ୍ଷ ଘର ନିର୍ମାଣ କରାଯିବ ଯେଉଁଥିପାଇଁ ୪୮ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହା ମଧୢ ପ୍ରଶ˚ସନୀୟ ପ୍ରସ୍ତାବ। ଏହାଦ୍ବାରା ପର୍ଯ୍ୟାପ୍ତ ଶ୍ରମ ଦିବସ ସୃଷ୍ଟି ହେବା ସହିତ ସିମେଣ୍ଟ, ଷ୍ଟିଲ୍ ଭଳି ଶିଳ୍ପଗୁଡ଼ିକ ଉପକୃତ ହେବେ।
ଅର୍ଥମନ୍ତ୍ରୀ କହିଥିଲେ ଯେ ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିଲା ବେଳକୁ ଜନସ˚ଖ୍ୟାର ଅର୍ଧେକ ସହରରେ ବସବାସ କରୁଥିବେ। ତେଣୁ ଏବେ ଠାରୁ ଦ୍ବିତୀୟ ଓ ତୃତୀୟ ବର୍ଗର ସହରମାନଙ୍କ ଉପଯୁକ୍ତ ବିକାଶ ଆରମ୍ଭ ହେବା ଉଚିତ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଉଚ୍ଚ ସ୍ତରୀୟ କମିଟି ଗଠନ କରି ଏହାର ପରାମର୍ଶ ମୁତାବକ ଆବଶ୍ୟକ ପଦକ୍ଷେପ ନେବେ। ମନେହେଲା ଏହା ଅର୍ଥମନ୍ତ୍ରୀଙ୍କ କାମନା କଳ୍ପିତ ଚିନ୍ତନ, କାରଣ ବଜେଟ୍ରେ ଏହି ସ˚କ୍ରାନ୍ତରେ କୌଣସି ବିତ୍ତୀୟ ବିବରଣୀ ନ ଥିଲା। ଏଠାରେ ସ˚କ୍ଷିପ୍ତ ଭାବରେ ସୂଚାଇ ଦେବା ଉଚିତ ହେବ ଯେ ପାଞ୍ଚବର୍ଷ ତଳେ ଆରମ୍ଭ ହୋଇଥିବା ବହୁ ଚର୍ଚ୍ଚିତ ‘ସ୍ମାର୍ଟ୍ ସିଟି’ ପ୍ରୋଜେକ୍ଟ ବର୍ତ୍ତମାନ ଶିଥିଳ ପଡ଼ିଯାଇଥିବା ମନେ ହେଉଛି।
ଗତ ନଭେମ୍ବର ମାସରେ ଗ୍ଲାସ୍ଗୋ ସହରରେ ଅନୁଷ୍ଠିତ ‘କୋପ୍’ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିବା ସ˚କଳ୍ପକୁ ସାକାର କରିବା ପାଇଁ ପ୍ରୟାସ ବଜେଟ୍ରେ ପ୍ରତିଫଳିତ ହୋଇଛି। ୨୦୩୦ ସୁଦ୍ଧା ସୌର ଶକ୍ତି କ୍ଷେତ୍ରରେ ୨୮୦ ମେଗାଵାଟ୍ କ୍ଷମତା ସ˚ସ୍ଥାପନ କରିବା ପାଇଁ ୧୯,୫୦୦ କୋଟି ଟଙ୍କା ବ୍ୟୟ ବରାଦ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ। ଆଉ ଏକ ପ୍ରଶ˚ସନୀୟ ପ୍ରସ୍ତାବ ହେଉଛି ଯେ ଥର୍ମାଲ୍ ପାଵାର୍ ପ୍ଲାଣ୍ଟ୍ ଗୁଡ଼ିକରେ ପାଞ୍ଚରୁ ସାତ ପ୍ରତିଶତ ବାୟୋମାସ (ଜୈବିକ ଅଳିଆ) ଜାଳେଣି ରୂପେ ବ୍ୟବହାର କରାଯିବ ଯଦ୍ଦ୍ବାରା ବାର୍ଷିକ ୩୮ ନିୟୁତ ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଳ ଗ୍ୟାସ୍ ନିଃସରଣ ହ୍ରାସ କରାଯାଇପାରିବ।
ଆସନ୍ତା ବର୍ଷ ବଜେଟ୍ରେ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟର ପ୍ରସ୍ତାବ ଅଛି। ଏହା ଚଳିତ ବର୍ଷ ପୁଞ୍ଜି ବ୍ୟୟ ତୁଳନାରେ ୩୫ ପ୍ରତିଶତ ଅଧିକ ଏବ˚ ଜିଡିପିର ପ୍ରାୟ ୩ ପ୍ରତିଶତ ହେବ। ମହାମାରୀ ଜନିତ ସଙ୍କଟ ସମୟରେ ଏଭଳି ପୁଞ୍ଜି ବ୍ୟୟ ଅର୍ଥନୀତିର ତ୍ବରିତ ବିକାଶ ସହିତ ବିପୁଳ କର୍ମଯୋଗାଣ ସୃଷ୍ଟି କରିପାରିବ। ଗତ ବଜେଟ୍ରେ ଆସେଟ୍ ମନିଟାଇଜେସନ୍ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଥିଲା। ଭିତ୍ତିଭୂମି ସ˚ଶ୍ଳିଷ୍ଟ ସରକାରୀ ସମ୍ପତ୍ତିକୁ ଘରୋଇ ସ˚ସ୍ଥାମାନଙ୍କୁ ନିର୍ଦ୍ଦିଷ୍ଟ ଅବଧି ପାଇଁ ଭଡ଼ା ସୂତ୍ରରେ ଦେଇ ସରକାର ରାଜସ୍ବ ଅର୍ଜନ କରିପାରିବେ ଏବ˚ ଏହି ରାଜସ୍ବକୁ ପ୍ରକାରାନ୍ତେ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ବ୍ୟୟ କରିପାରିବେ। ଏହି ପ୍ରକ୍ରିୟା ଦ୍ବାରା ସରକାର ଚାରିବର୍ଷ ମଧୢରେ ଛଅ ଲକ୍ଷ କୋଟି ଟଙ୍କା ରାଜସ୍ବ ପାଇବେ ବୋଲି ଅଟକଳ କରାଯାଇଥିଲା, କିନ୍ତୁ ଚଳିତ ବଜେଟ୍ରେ ଅର୍ଥମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ କୌଣସି ବିତ୍ତୀୟ ତଥ୍ୟ ପ୍ରଦାନ କରିନଥିଲେ।
ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବଜେଟ୍ର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ହେଉଛି ଘରୋଇ କ୍ରିପ୍ଟୋ କରେନ୍ସି ମୁଦ୍ରା ପରିବର୍ତ୍ତେ ସାମଗ୍ରୀ ରୂପେ ଗଣ୍ୟ ହେବ ଏବ˚ ଏହି କାରବାରରୁ ଉପଲବ୍ଧ ଲାଭା˚ଶ ଉପରେ ୩୦ ପ୍ରତିଶତ ହାରରେ ଆୟକର ଲାଗୁ ହେବ। ମନେହେଲା ଅର୍ଥମନ୍ତ୍ରୀ ବିପୁଳ ରାଜସ୍ବ ଆଶାରେ ଘରୋଇ କ୍ରିପ୍ଟୋ କରେନ୍ସିକୁ ବେଆଇନ ବୋଲି ଘୋଷଣା କରିବାରୁ କ୍ଷାନ୍ତ ହୋଇଛନ୍ତି। ବଜେଟ୍ ପରେ ବିତ୍ତ ସଚିବ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ଟିକସ ଲାଗୁ ନିଷ୍ପତ୍ତି ସତ୍ତ୍ବେ ସରକାର ଏହି ମୁଦ୍ରାକୁ ଆଇନଗତ ସ୍ବୀକୃତି ଦେଇନାହାନ୍ତି ଏବ˚ ଏହାର କାରବାରରୁ ଉପୁଜୁଥିବା କ୍ଷତି ପାଇଁ ସରକାର ଆଦୌ ଦାୟୀ ରହିବେ ନାହିଁ। ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣରଙ୍କ ଚେତାବନୀ ସତ୍ତ୍ବେ ଘରୋଇ ଡିଜିଟାଲ ମୁଦ୍ରା କାରବାରକୁ ବେଆଇନ ନ କରିବା ଦ୍ବାରା ଭବିଷ୍ୟତ୍ରେ ମାକ୍ରୋ ଅର୍ଥନୀତି ଓ ବିତ୍ତୀୟ ସ୍ଥିରତା ପ୍ରତି ବିପଦର ଆଶଙ୍କା ଜାରି ରହିବ। ଅପରପକ୍ଷରେ ରିଜର୍ଭ ବ୍ୟାଙ୍କ୍ର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଡିଜିଟାଲ ମୁଦ୍ରା (ସିବିଡିସି) ଆସନ୍ତା ଆର୍ଥିକ ବର୍ଷରେ ପ୍ରଚଳନ ହେବା ଘୋଷଣା ସ୍ବାଗତଯୋଗ୍ୟ।
୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରାପ୍ତ ରାଶି ୩୯.୪୫ ଲକ୍ଷ କୋଟି ଟଙ୍କାର ୪୨% ଅର୍ଥାତ୍ ୧୬.୬୧ ଲକ୍ଷ କୋଟି ଟଙ୍କା ଋଣ ସୂତ୍ରରେ ଆସିବ। ଅପରପକ୍ଷରେ ମୋଟ ବ୍ୟୟ ରାଶି ୩୯.୪୫ ଲକ୍ଷ କୋଟି ଟଙ୍କାର ୫୦% ଅର୍ଥାତ୍ ୧୯.୮୯ ଲକ୍ଷ କୋଟି ଟଙ୍କା ସରକାରୀ ଦରମା, ପେନ୍ସନ ଓ ପ୍ରଶାସନିକ ଖର୍ଚ୍ଚ (୧୭%), ସୁଧ ଦେୟ (୨୪%) ଏବଂ ସବ୍ସିଡି (୯%) ଭଳି ଅଣଯୋଜନା ଖର୍ଚ୍ଚ ବାବଦରେ ବ୍ୟୟ ହେବ। ସରକାରୀ ପ୍ରଶାସନିକ ଖର୍ଚ୍ଚ ଓ ସବ୍ସିଡିକୁ ଯଥାସମ୍ଭବ ହ୍ରାସ କରିବାକୁ ପଡ଼ିବ ନଚେତ୍ ବିତ୍ତୀୟ ନିଅଣ୍ଟ ଓ ମୁଦ୍ରାସ୍ଫୀତି ବେଲଗାମ ହେବାର ସମ୍ଭାବନା ରହିବ। ଆଗାମୀ ବର୍ଷ ବିତ୍ତୀୟ ନିଅଣ୍ଟ ୬.୪% (ବେଞ୍ଚ ମାର୍କ ୩%) ହେବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଜିଡିପି ବିକାଶ ହାର ୮%-୮.୫% ହେବ ବୋଲି ଅଟକଳ କରାଯାଇଛି। କୋହଳ ବିତ୍ତୀୟ ନିଅଣ୍ଟ ଅର୍ଥାତ୍ ଅତିରିକ୍ତ ଋଣ ସତ୍ତ୍ବେ ବିକାଶ ହାର ସନ୍ତୋଷଜନକ ମନେ ହେଉନାହିଁ।
ଏଥର ବଜେଟ୍ରେ ଉଲ୍ଲେଖନୀୟ ଆର୍ଥିକ ସ˚ସ୍କାର ଦେଖିବାକୁ ମିଳିଲା ନାହିଁ। ମନେ ହେଲା ସରକାର କୃଷି ଆଇନ ପ୍ରତ୍ୟାହାର ତଥା ଆସନ୍ନ ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏକ ରକ୍ଷଣଶୀଳ ବଜେଟ୍ ଆଗତ କରିଛନ୍ତି। ବଜେଟ୍ର ଏକ ମୌଳିକ ଆବଶ୍ୟକତା ହେଉଛି ଆଗାମୀ ବର୍ଷ ପାଇଁ ପ୍ରସ୍ତାବିତ ବିଭିନ୍ନ ଯୋଜନାର ସୁନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ବିତ୍ତୀୟ ବିବରଣ ରହିବା ଉଚିତ। କିନ୍ତୁ ଏଥର ବଜେଟ୍ରେ କେତେକ ପ୍ରସ୍ତାବ ପାଇଁ ଏପରି ତଥ୍ୟ ଉପଲବ୍ଧ ନ ଥିଲା। ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଯେଭଳି ମାଗଣା ସାମଗ୍ରୀ ଓ ସେବାର (ଫ୍ରିବି) ଘୋଷଣା କରୁଛନ୍ତି, ତାହା କ’ଣ ‘ମାକ୍ରୋ’ ଅର୍ଥନୀତିର ସୁପରିଚାଳନା ତଥା ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଣୀତ ଫିସ୍କାଲ ରେସ୍ପନ୍ସି ବିଲିଟି ଏଣ୍ଡ ବଜେଟ୍ ମ୍ୟାନେଜ୍ମେଣ୍ଟ ଆକ୍ଟ, ୨୦୦୩ର ଉଦ୍ଦେଶ୍ୟକୁ ପରାହତ କରୁନାହିଁ? ପରିଶେଷରେ କ୍ଷୋଭର ସହିତ କୁହାଯିବ ଯେ ବିରୋଧୀ ଦଳର ତୁଙ୍ଗନେତାମାନେ ବଜେଟ୍ ସମ୍ପର୍କରେ ନିରପେକ୍ଷ ସମୀକ୍ଷା ଓ ସକାରାତ୍ମକ ପରାମର୍ଶ କ୍ଷେତ୍ରରେ ନିଜର ଦାୟିତ୍ବ ପାଳନ କରିବାରେ ବିଫଳ ହେଉଛନ୍ତି, ଯାହା ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ।
ମୋ: ୯୮୮୬୨୧୧୭୭୨
[email protected]