ନେତାଜୀଙ୍କ ଧର୍ମ ନିରପେକ୍ଷ ଜାତୀୟତାବାଦ

ସତ୍ୟ ନାରାୟଣ ସାହୁ

ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଦିନ ପରିପ୍ରେକ୍ଷୀରେ କୃତଜ୍ଞ ଦେଶ ତାଙ୍କୁ ସ୍ମରଣ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଭାରତକୁ ବ୍ରିଟିସ୍‌ ଶାସନରୁ ମୁକ୍ତ କରିବା ପାଇଁ ତାଙ୍କର ଐତିହାସିକ ସଂଘର୍ଷ, ତ୍ୟାଗ ଓ ଅତୁଳନୀୟ ବଳିଦାନ ତାଙ୍କୁ ଚିର ଅମର କରିଛି। ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶର ଗଣତନ୍ତ୍ର ଦିବସର ଉତ୍ସବ ନେତାଜୀଙ୍କ ଜନ୍ମ ଦିନ ୨୩ ଜାନୁଆରିରୁ ଆରମ୍ଭ ହୋଇ ୩୦ ଜାନୁଆରିରେ ସରିଲା। ଏଣିକି ତାଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ ଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଗଲା।

ନେତାଜୀ ସୁଭାଷ ବୋଷ ୧୯୩୮ରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହେବା ପରେ ଯୋଜନା କମିଟି (Planning Committee) ସ୍ଥାପନ କଲେ ଓ ଜବାହରଲାଲ ନେହରୁଙ୍କୁ ତାହାର ଅଧ୍ୟକ୍ଷ କଲେ। ଦେଶ ସ୍ୱାଧୀନତା ପାଇବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନେହରୁ ସେହି ଯୋଜନା କମିଟିକୁ ଯୋଜନା ଆୟୋଗ (Planning Commission) କରି ଭାରତର ପୁନର୍ଗଠନ ପାଇଁ ଉତ୍ସର୍ଗୀକୃତ କଲେ। ଦୁଃଖର କଥା ଯେ ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସେହି ଯୋଜନା ଆୟୋଗକୁ ଉଚ୍ଛେଦ କରିଦେଲେ, ଯାହାର ଇତିହାସ ସହିତ ନେତାଜୀ ସୁଭାଷ ଓ ନେହରୁ ଯୋଡ଼ି ହୋଇଥିଲେ। କହିବା ଅନାବଶ୍ୟକ ଯେ ତାହା ନେତାଜୀଙ୍କ ଐତିହ୍ୟର ବିପରୀତ ଥିଲା।

ନେତାଜୀଙ୍କ ସ୍ବପ୍ନ ଥିଲା ଭାରତର ସ୍ୱାଧୀନତା ପରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସେହି ସ୍ବପ୍ନ ସାକାର ହେଲା ଯେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ଲାଲକିଲ୍ଲାରେ ସ୍ୱାଧୀନ ଭାରତର ଜାତୀୟ ପତାକା ୧୫ ଅଗଷ୍ଟ ୧୯୪୭ରେ ଉତ୍ତୋଳନ କଲେ ଏବଂ ତାଙ୍କ ଭାଷଣରେ ସେ କେବଳ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ବୋଷଙ୍କ ନାଁ ନେଇ ସ୍ୱାଧୀନତା ପାଇଁ ତାଙ୍କର ମହାନ ଅବଦାନ ଉପରେ ଆଲୋକପାତ କରିଥିଲେ।

ନେତାଜୀ ଭାରତୀୟ ଜାତୀୟ ସେନା (Indian National Army) ଦ୍ୱାରା ଭାରତକୁ ସ୍ୱାଧୀନ କରିବା ପାଇଁ ଯେଉଁ ସବୁ ବ୍ରିଗେଡ୍‌ କଲେ, ସେଥିରୁ ତିନିଟି ଗାନ୍ଧୀ, ନେହରୁ ଓ ମୌଲାନା ଆଜାଦଙ୍କ ନାଁରେ ରଖିଥିଲେ। ୧୯୪୬ରେ ବ୍ରିଟିସ୍‌ ସରକାର ନେତାଜୀଙ୍କ ଭାରତୀୟ ଜାତୀୟ ସେନାର ତିନିଟି ଅଫିସର- କ୍ୟାପଟନ ଶାହା ନୱାଜ, କ୍ୟାପଟନ ସେହଗଲ ଓ କ୍ୟାପଟନ ଧିଲନ-ଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ଲାଲକିଲ୍ଲାରେ ମକଦ୍ଦମା ଶୁଣାଣି କରିବାରୁ କଂଗ୍ରେସ ନେତା ନେହରୁ, ଆସଫ ଅଲି ଓ ଭୁଲାଭାଇ ଦେଶାଇ ଓକିଲ ହୋଇ ସେମାନଙ୍କ ସପକ୍ଷରେ ଯୁକ୍ତି କରିଥିଲେ ଓ ତାହା ଯୋଗୁଁ ଦେଶରେ ସ୍ୱାଧୀନତା ପ୍ରାପ୍ତି ପାଇଁ ନୂତନ ଉଦ୍ଦୀପନାର ଜାଗରଣ ହୋଇଥିଲା ଓ ନୌ-ସେନାରେ ବିଦ୍ରୋହ ହୋଇଥିଲା।

ନେତାଜୀ ଆଜାଦ ହିନ୍ଦ ସରକାରର ଅସ୍ଥାୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଯେଉଁ ଘୋଷଣା ପତ୍ର ପାଠ କଲେ ସେଥିରେ ବ୍ରିଟିସ୍‌ ସରକାର ବିରୋଧରେ ସଂଘର୍ଷ କରିଥିବା ଅନେକ ବୀର ଓ ବୀରାଂଗନାଙ୍କ ନାଁ ଥିଲା ଓ ତନ୍ମଧ୍ୟରେ ଟିପୁ ସୁଲତାନ ଥିଲେ ଅନ୍ୟତମ। କର୍ଣ୍ଣାଟକ ରାଜ୍ୟରେ ବିଜେପି ଯେଉଁ ଭଳି ଭାବେ ତତ୍କାଳୀନ କଂଗ୍ରେସ ସରକାରର ଟିପୁ ଜୟନ୍ତୀ ପାଳନ କରିବା ନିଷ୍ପତ୍ତିର ପ୍ରତିବାଦ କଲା, ତାହା ନେତାଜୀଙ୍କୁ ମର୍ମାହତ କରିଥାଆନ୍ତା। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ଣ୍ଣାଟକ ବିଧାନସଭାରେ ୨୫ ଅକ୍ଟୋବର ୨୦୧୭ରେ ତାଙ୍କ ଭାଷଣରେ ଟିପୁ ସୁଲତାନ ବ୍ରିଟିସ୍‌ ବିରୋଧରେ କରିଥିବା ସଂଗ୍ରାମ ଓ ତାଙ୍କର ବୀରତ୍ବକୁ ପ୍ରଶଂସା କଲେ। ବିଜେପି ତାକୁ ଗ୍ରହଣ ନ କରି ଆକ୍ଷେପ କଲା ଯେ ରାଷ୍ଟ୍ରପତିଙ୍କ ଭାଷଣ କର୍ଣ୍ଣାଟକର କଂଗ୍ରେସ ସରକାର ଲେଖିଥିଲେ।

ବାରମ୍ବାର ଅନେକ ଅବସରରେ ପ୍ରଧାନମନ୍ତ୍ରୀ ଭାରତର ମୋଗଲ ଶାସନକୁ ନଜରରେ ରଖି ବାର ଶହ ବର୍ଷର ଦାସତ୍ବ କଥା କହୁଛନ୍ତି। ନେତାଜୀ ତାଙ୍କର ବହି ‘ଏନ ଇଣ୍ଡିଆନ ପିଲଗ୍ରିମ’ (ଜଣେ ଭାରତୀୟ ତୀର୍ଥଯାତ୍ରୀ) ରେ ଯୁକ୍ତି ଦେଇଥିଲେ ଯେ ବ୍ରିଟିସ୍‌ ଶାସନର ପୂର୍ବରୁ ଯେଉଁ ଶାସନ ଭାରତରେ ଥିଲା, ତାକୁ ଭାରତର ଦାସତ୍ବ କହିବା ବିଭ୍ରାନ୍ତିକର। ସେ ଲେଖିଥିଲେ, ‘ବ୍ରିଟିସ୍‌ ଶାସନ ପୂର୍ବରୁ ଥିବା ଶାସନକୁ ମୁସଲିମ ଶାସନ ବୋଲି କହିବା ବିଭ୍ରାନ୍ତିକର। ଦିଲ୍ଲୀର ମୋଗଲ ସମ୍ରାଟ୍‌ମାନେ ହୁଅନ୍ତୁ ବା ବଙ୍ଗଳାର ମୁସଲିମ ରାଜାମାନେ ହୁଅନ୍ତୁ; ସେମାନଙ୍କ ଶାସନ ଦାୟିତ୍ବରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଅନେକ ବ୍ୟକ୍ତି ଥିଲେ; ସେହି ଶାସନରେ ଥିବା ଅନେକ ତୁଙ୍ଗ ମନ୍ତ୍ରୀ ଓ ସେନାପତିମାନେ ହିନ୍ଦୁ ସମ୍ପ୍ରଦାୟର ଥିଲେ। ଆହୁରି ମଧ୍ୟ, ହିନ୍ଦୁ କମାଣ୍ଡର୍‌ଙ୍କ ସାହାଯ୍ୟରେ ଭାରତରେ ମୋଗଲ ସାମ୍ରାଜ୍ୟର ଦୃଢ଼ୀକରଣ ସମ୍ଭବ ହୋଇଥିଲା। ନବାବ ସିରାଜୁଦୌଲାଙ୍କ ମୁଖ୍ୟ ସେନାପତି, ଯାହାଙ୍କୁ ୧୭୫୭ ମସିହାରେ ବ୍ରିଟିସ୍‌ ପଲାସୀ ଯୁଦ୍ଧ କରି ପରାସ୍ତ କରିଥିଲେ, ସେ ଜଣେ ହିନ୍ଦୁ ଥିଲେ। ’

ଇତିହାସକୁ ଧର୍ମ ଭିତ୍ତିରେ ବିବେଚନା ନ କରି ନେତାଜୀ ତାଙ୍କର ଉଦାରତାର ପରିଚୟ ଦେଇଥିଲେ। ତାଙ୍କ ବହି ‘ଇଣ୍ଡିଆନ ଷ୍ଟ୍ରଗଲ’ (Indian Struggle) ରେ ଲେଖିଥିଲେ, ‘ଜିନ୍ନା କେବଳ ବ୍ରିଟିସ୍‌ମାନଙ୍କ ସାହାଯ୍ୟରେ ଭାରତକୁ ବିଭାଜନ କରି ପାକିସ୍ତାନ ସ୍ଥାପନ କରିବା ବିଷୟରେ ଚିନ୍ତା କରୁଥିଲେ ଓ କଂଗ୍ରେସ ସଂଗେ ହାତ ମିଶାଇ ମିଳିତ ଭାବେ ସଂଘର୍ଷ କରି ଭାରତକୁ ସ୍ୱାଧୀନ କରିବା ଧାରଣା ତାଙ୍କୁ ଆକର୍ଷଣ କରୁ ନ ଥିଲା। ବୀର ସବରକର କେବଳ ଭାବୁଥିଲେ ଯେ ବ୍ରିଟିସ୍‌ ସେନାରେ ପ୍ରବେଶ କରି ହିନ୍ଦୁମାନେ କିପରି ସାମରିକ ତାଲିମ ପାଇପାରିବେ। ଏଥିରୁ ମୁଁ ବୁଝିପାରିଲି ଯେ ମୁସଲିମ୍ ଲିଗ୍ କିମ୍ବା ହିନ୍ଦୁ ମହାସଭାରୁ କିଛି ଆଶା କରାଯାଇପାରିବ ନାହିଁ।’

ଶ୍ୟାମା ପ୍ରସାଦ ମୁଖାର୍ଜୀ ହିନ୍ଦୁ ମହାସଭାରେ ଯୋଗ ଦେବା ପରେ ନେତାଜୀ ତାଙ୍କୁ ସତର୍କ କରାଇ କହିଥିଲେ ଯେ ସେ ହିନ୍ଦୁ ମହାସଭାକୁ ବଙ୍ଗଳାରେ ଏକ ରାଜନୈତିକ ସଂସ୍ଥା ଭାବେ ସ୍ଥାପନ କରିଥିବା ଚେଷ୍ଟାରୁ ନିବୃତ୍ତ ରହିବା ଉଚିତ। ଏଥିରୁ ପ୍ରମାଣିତ ହେଉଛି ହିନ୍ଦୁତ୍ବ ନେତୃତ୍ବ ବିରୋଧରେ ନେତାଜୀ ସୁଭାଷ ବୋଷଙ୍କ ଆଭିମୁଖ୍ୟ ଦୃଢ଼ ଥିଲା।

ନେତାଜୀ ତାଙ୍କର ଏକ ଲେଖାରେ ଲେଖିଥିଲେ ‘ଧର୍ମାନ୍ଧତା ଲୋକଙ୍କ ଭିତରେ ଥିବା ସାଂସ୍କୃତିକ ସମ୍ପର୍କକୁ ନିବିଡ଼ କରିବା ରାସ୍ତାରେ ଏକ ବଡ଼ କଣ୍ଟକ। ଧର୍ମ ନିରପେକ୍ଷତା ଓ ବୈଜ୍ଞାନିକ ଶିକ୍ଷା ଧର୍ମାନ୍ଧତାର ପ୍ରତିକାର କରିବା ପାଇଁ ଅପରିହାର୍ଯ୍ୟ।’ ମୁସଲିମମାନଙ୍କ ନରସଂହାର କରିବା ପାଇଁ କିଛି ତଥା କଥିତ ସନ୍ଥ ଦେଇଥିବା ଡାକରା ସନ୍ଦର୍ଭରେ ନେତାଜୀଙ୍କ ଏହି ଉକ୍ତିର ପ୍ରାସଙ୍ଗିକତା ପ୍ରତିପାଦିତ ହେଉଛି।

ଭାରତକୁ ସ୍ୱାଧୀନ କରିବା ପାଇଁ ମହାତ୍ମା ଗାନ୍ଧୀ ନେତାଜୀ ସୁଭାଷଙ୍କ ପ୍ରଣାଳୀକୁ ଗ୍ରହଣ ନ କରିବା ସତ୍ତ୍ବେ ସେ ନେତାଜୀଙ୍କୁ ଦେଶପ୍ରେମୀଙ୍କ ମଧ୍ୟରେ ରାଜକୁମାର ବୋଲି କହିଥିଲେ। ସୁଭାଷ ବୋଷ ଯୁଦ୍ଧ କ୍ଷେତ୍ରରୁ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ବୋଲି ସମ୍ବୋଧନ କରିଥିଲେ ଏବଂ ଭାରତକୁ ସ୍ୱାଧୀନ କରିବା ପାଇଁ ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ୧୯୪୮ ମସିହା ଜାନୁଆରି ୨୩ରେ ନେତାଜୀଙ୍କ ଜନ୍ମ ଦିନ ଅବସରରେ ଗାନ୍ଧୀ କହିଥିଲେ ଯେ ସୁଭାଷ ହିନ୍ଦୁ, ମୁସଲିମ, ଶିଖ୍‌ ଓ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଏକାଠି କରି ଦେଶର ସ୍ୱାଧୀନତା ପ୍ରାପ୍ତି ସକାଶେ ପ୍ରାଣ ବିସର୍ଜନ କରିବା ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିପାରିଥିଲେ। ସେ ଆହୁରି କହିଥିଲେ ଯେ ନେତାଜୀ ଜଣେ ସଚ୍ଚା ହିନ୍ଦୁର ପ୍ରମାଣ ଦେଖାଇ ସବୁ ଧର୍ମକୁ ସମ୍ମାନ ଦେଇଥିଲେ।

୧୧ ଏପ୍ରିଲ, ୧୯୪୬ରେ ଗାନ୍ଧୀ ଜେଲ୍‌ ଯାଇ ବ୍ରିଟିସ୍‌ କବଳରେ ଥିବା ଭାରତୀୟ ଜାତୀୟ ସେନାର ସୈନ୍ୟମାନଙ୍କ ସହିତ ମିଶିଥିଲେ। ସେମାନେ ଧର୍ମର ଊର୍ଦ୍ଧ୍ବରେ ରହି ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କଲେ, କିନ୍ତୁ ଗାନ୍ଧୀଙ୍କୁ ବ୍ୟଥିତ ହୋଇ କହିଥିଲେ ଯେ ସେମାନଙ୍କୁ ଜେଲ୍‌ କର୍ମଚାରୀମାନେ ହିନ୍ଦୁ ଚା’, ମୁସଲିମ ଚା’; ହିନ୍ଦୁ ଖାଦ୍ୟ, ମୁସଲିମ ଖାଦ୍ୟ ଭାବେ ଏକ ବିଦ୍ବେଷମୂଳକ ଉଦ୍ଦେଶ୍ୟ ସହିତ ଖାଦ୍ୟ ପରିବେଷଣ କରୁଛନ୍ତି। ସେମାନେ ତାହାର ପ୍ରତିକାର କେମିତି କରୁଛନ୍ତି ବୋଲି ଗାନ୍ଧୀ ପଚାରିବାରୁ ତା’ର ଉତ୍ତରରେ ସୈନ୍ୟମାନେ କହିଥିଲେ ଯେ ସେମାନେ ହିନ୍ଦୁ ଚା’ ଓ ମୁସଲିମ ଚା’ ଗ୍ରହଣ କରି ତାକୁ ଅଧା ଅଧା ମିଶାଇ ପାନ କରୁଛନ୍ତି। ଗାନ୍ଧୀ ସେ କଥା ଶୁଣି ହୃଦୟ ଖୋଲି ହସିଥିଲେ ଓ କହିଥିଲେ ଯେ ନେତାଜୀ ସୁଭାଷ ବୋଷଙ୍କ ସୈନ୍ୟମାନଙ୍କ ଠାରୁ ସାମ୍ପ୍ରଦାୟିକ ଏକତାର ଶିକ୍ଷା ଲାଭ କରି ଦେଶକୁ ଧର୍ମଜନିତ ହିଂସା ଓ ଘୃଣାରୁ ମୁକ୍ତ ରଖିବା ଉଚିତ। ନେତାଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ତାଙ୍କର ଧର୍ମ ନିରପେକ୍ଷତା, ସର୍ବ ଧର୍ମ ସମ ଭାବ ଅନ୍ତର୍ଭୁକ୍ତ ଜାତୀୟତାବାଦ ଓ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷା ପ୍ରଦାନ ଆମର ଧ୍ୟେୟ ହେବା କଥା, ଯାହା ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇ ରଖି ସାମ୍ପ୍ରଦାୟିକ ଶକ୍ତିକୁ ପରାସ୍ତ କରିବାରେ ସହାୟକ ହେବ।

ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ କେ ଆର ନାରାୟଣନଙ୍କ ପ୍ରେସ୍‌ ସଚିବ
ମୋ- ୯୮୭୧୮୯୪୫୩୪

ସମ୍ବନ୍ଧିତ ଖବର