ବାହାଘରିଆ କଥା

ସତ୍ୟନାରାୟଣ ଗନ୍ତାୟତ

ବିବାହ କଥା ଉଠିଛି ମାନେ ଜରୁର୍ ଜାଣିଥିବେ ଯେ ଏହା କୁଆଡ଼େ ଏକ ସ୍ୱର୍ଗୀୟ ବ୍ୟାପାର! କଥାଟି ଫେଣେଇ କହିଲେ ଏଇଆ ଯେ ବିବାହ କୁଆଡ଼େ ସ୍ୱର୍ଗରେ ସ୍ଥିର ହୋଇ ସାରିଥାଏ। ଅବଶ୍ୟ ତା’ ସହ ସମ ତାଳେ ଏ କଥାଟି ବି ଯୋଡ଼ା ହୋଇଥାଏ ଯେ ସ୍ୱର୍ଗୀୟ ଭାବେ ସ୍ଥିରୀକୃତ ଏହି ବିବାହକୁ କିନ୍ତୁ ଆମର ଏହି ଧୂଳି ଧୂସରିତ ମର୍ତ୍ତ୍ୟ ଭୂମିରେ ହିଁ ଆୟୋଜନ କରିବାକୁ ପଡ଼ିଥାଏ।

ତେବେ ତଥାକଥିତ ବିବାହ ନାମଧ୍ୟେୟ ଏହି ସାମାଜିକ ଅନୁଷ୍ଠାନଟି ତଜ୍ଜନିତ ମହାର୍ଘ ଆୟୋଜନର ନାନାଦି ଘନଘଟା ଭିତର ଦେଇ ଯାଉ ଯାଉ କୋଉ ଛଟକରେ ‘ବାହାଘର’ ବନି ସାରିଥାଏ ଜଣା ପଡ଼େନି।

ବିବାହ ଆୟୋଜନ ହେବ ମାନେ ବର ପାଇଁ କନ୍ୟା ଓ କନ୍ୟା ପାଇଁ ବର ଯୋଗାଡ଼ ପହିଲେ କରିବାକୁ ହେବ। ଆମ ଏଠି ପୁଅ ଓ ତା’ ଘର ଲୋକେ ଝିଅ ଦେଖିବାକୁ ଯାଆନ୍ତି। ଏ କଥାଟି କେଜାଣି କାହିଁକି ଭାରି ନାକରା ଲାଗି ଆସିଛି ଆମ ପରମ ମିତ୍ର ବାବୁ ରାଓକୁ। ତା’ କହିବା କଥା ଏ ଦୁନିଆରେ କେତେ କ’ଣ କେଡ଼େ ଘାଏଁ ବଦଳି ଚାଲିଥିବା ବେଳେ ଏ କନ୍ୟା ଦେଖା ବ୍ୟାପାରଟି ବି ବଦଳୁ ନାହିଁ କାହିଁକି? ଝିଏ ବରଂ ପୁଅ ଦେଖିବାକୁ ଆସିଥିଲେ ମାମଲା କିଞ୍ଚିତ୍‌ ଜମିଥା’ନ୍ତା !

ନା, ଆମ ଏଠେଇଁ ସେମନ୍ତ ହୁଏନି। ସୁତରାଂ ଝିଅକୁ ଦେଖିବାକୁ ପୁଅ ହିଁ ଆସେ। ଯେମନ୍ତ ହାଲ୍‌ରେ ବାବୁ ରାଓ ଓ ତା’ ପତ୍ନୀ ସେମାନଙ୍କ ଏକମାତ୍ର ସନ୍ତାନ ପୁଅକୁ ନେଇ ଯାଇଥିଲେ ଝିଅ ଦେଖିବାକୁ।

ବାବୁରାଓର ମାଆ ପୁରୁଣାକାଳିଆ ମଣିଷ। ଯିବା ଆଗରୁ ସେ ତୁହାକୁ ତୁହା ଏମାନଙ୍କ କାନରେ କାନରେ କହିଥିଲେ: ଶୁଣ, ଝିଅ ଘରେ ନାନା ରକମର ଖାଇବା ଚିଜ ଆଣି ତୁମମାନଙ୍କ ଆଗରେ ଥୋଇ ଦେଲେ ବି ଫଳ ବା ମିଠାରୁ ଟୁକୁରାଏ ନେଇ ଚାଖିବ ସିନା, ହାଉଁମାଉଁ ହୋଇ ସବୁ ଗେଫି ଯିବନି। ଖାସ୍ କରି ଲୁଣିଆ ଦରବମାନ ଖାଇବ ତ’ ଏବଠୁ ଝିଅ ଘରର ଗୁଣ ଗାନ କରି ସେମାନଙ୍କ ଅଧୀନ ହୋଇଯିବ ମୋ ନାତି। ଝିଅ ଦେଖାରେ ଆମ ମହତ୍ତ୍ବ ଜମା ରହିବନି!’

ହେଲେ ଉପରକୁ ତୁନିମୁନିଆ ଦିଶୁଥିବା ବାବୁ ରାଓର ସୁପୁତ୍ର ପେଟରେ ଯେ ଏତେ କଥା ଡିଆଁ ନଚା କରୁଥିଲେ କିଏ ଜାଣିଥିଲା? ଝିଅ ଆଉ ପୁଅ ଦେଖାଦେଖି ପରେ ବାପା ମା’ ତା’ ମତାମତ ଲୋଡ଼ନ୍ତେ, ସେ ସାଫ୍ ସାଫ୍ ଶୁଣାଇ ଦେଲା ଯେ ଝିଅ ଓ ସେମାନଙ୍କ ଘର ସବୁ ତା’ ମନକୁ ପାଇଲେ ବି ଝିଅ ଆଣି ଯାହା ପରଷି ଦେଇଛି, ସେ ସବୁ କ’ଣ ସେ ତିଆରି କରିଛି? ଏ ଚପ୍ ଓ ବରା ତ ନୀଳାଚଳ ହୋଟେଲ୍‌ରୁ ଆସିଚି, ମିଠା ତ ଶାରଳା ମିଷ୍ଟାନ୍ନ ଭଣ୍ଡାରର। ଆଉ ଝିଅ ତା’ ନିଜ ହାତରେ ବନେଇଲା କ’ଣ? ମୋର ତା’ ହାତରନ୍ଧା ଚାଖିବା ଜରୁରୀ। ତେଣୁ ବରଂ ଗୋଟେ କାମ କଲେ ଭଲ ହେବ, ମୋତେ ଆପଣଙ୍କ ରୋଷେଇ ଘର ପାଖରେ ବସିବାର ବ୍ୟବସ୍ଥା କରିଦେଲେ ମୁଁ ନିଜେ ଦେଖିବି ବିନା କାହାରି ସାହାଯ୍ୟରେ ଝିଅ କେମିତି ରନ୍ଧାରନ୍ଧି କରୁଚି ଓ ସେ ରନ୍ଧା କେମିତି ଲାଗୁଚି?

ବାବୁ ରାଓର ପତ୍ନୀ ଆସିବା ବେଳେ ଜେଜେମା’ କହିଥିବା କଥା ଯେତେ ମନେ ପକାଇଲେ ବି ପୁଅ ସେଥକୁ ଖାତିର ନ କରି ତା’ କଥାରେ ଅଡ଼ି ବସନ୍ତେ ଅଗତ୍ୟା ଝିଅ ସେ ଭଲ କରି ବନାଇ ପାରୁଥିବା ସୁଜି ଉପମା ଓ ବାଦାମ ଚଟଣି ନିଜେ ବନାଇଲା ଓ ବାବୁରାଓର ଖାଉରା ପୁଅ ସବୁ ଗେଫି ପ୍ଲେଟ୍‌ ପୂରା ସାଫ୍ କରି ସାରି ଜଣାଇଲା ଯେ ସେ ଏ ପ୍ରସ୍ତାବରେ ରାଜି।

‘ତ ଭଲ ହେଲା, ପୁଅ ସହ ତୁମେ ଦୁହେଁ ବି ବୋହୂ ପରଷାରେ ଏଣିକି ଭଲ ଖାଇବା ପାଇବ’ ବୋଲି ଆମେ ଯେତେ କହିଲେ ବି ବାବୁ ରାଓ କିନ୍ତୁ ଗମ୍ଭୀର ହୋଇ କହି ଚାଲିଲା ‘ଝିଅଟି ସିନା ପରିସ୍ଥିତି ସମ୍ଭାଳି ନେଲା, ନୋହିଲେ ତାଙ୍କ ଲୋକଙ୍କ ଆଗରେ ଆମ ଟୋକା ଘରର ମହତ ସାରି ଦେବାକୁ ଯାଉଥିଲା ନା ନାଇଁ?’

ବାବୁ ରାଓ ଏମନ୍ତ କହନ୍ତେ ଆମେ ଆମ ମଗଜ ପେଟରା ଫେଇବାକୁ ବାଧ୍ୟ ହେଲୁ ଓ ତାକୁ ତା’ ବାହାଘର ବେଳେ ସେ କରିଥିବା ହରକତ କଥା ମନେ ପକାଇ ଦେଲୁ।
କଥା କ’ଣ କି ଆମ ପରମ ମିତ୍ର ବାବୁ ରାଓ ଯେଉଁ ଗାଁର ଯେଉଁ ସାହିରେ କନ୍ୟା ଦେଖିବାକୁ ଯାଇଥିଲା, ସିଧା ସେ କନ୍ୟା ଘରକୁ ନ ଯାଇ ସେ ସାହିରେ ପଶୁ ପଶୁ ସାହି ମୁଣ୍ଡରେ ଥିବା ନଳକୂଅରୁ ପାଣି ଗରାଏ ଧରି ଧୀରେ ଧୀରେ ଯାଉଥିବା ଆଉ ଜଣେ ସୁନ୍ଦରୀ ତନୁ ପାତଳୀ ଓ କନକ ଗୋରୀ ବାଗିଆ ଝିଅକୁ ଦେଖି ମୋହଗ୍ରସ୍ତ ହୋଇ ପଡ଼ିଲା ଏବଂ ଅଡ଼ି ବସିଲା ସେଇ ଝିଅର ପଛେ ପଛେ ତା’ ଘରକୁ ଯିବ। ସେଠି ଝିଅ ଘର ରାଜି ହେଲେ ବାହା ହୋଇ ପଡ଼ିବାକୁ ସେ ବି ରାଜି ବୋଲି ତତ୍କାଳ ଘୋଷଣା କରିପକାଇ ଥିଲା।

ପ୍ରକାଶ ଥାଉ କି ବାବୁ ରାଓର ପତ୍ନୀ ବୋଲାଇ ତା’ ଭଳି ଜୀବକୁ ସମ୍ଭାଳି ଆସିଥିବା ଆମର ଆଦରଣୀୟା ଭାଉଜ ବାବୁ ରାଓ ସହ ତାଙ୍କ ବାହାଘର ପୂର୍ବରୁ ସଂଘଟିତ ଏହି ମହାର୍ଘ ଦେଖାଦେଖି କଥା ଉଠିଲେ ଏବେ ବି ଲାଜେଇ ନାଲି ପଡ଼ିଯାଆନ୍ତି।

ଏବେ ବାବୁ ରାଓର ପୁଅ ବାପାଙ୍କ ପଦାଙ୍କ ଅନୁସରଣ କରି କିଞ୍ଚିତ୍‌ ହରକତ କରି ବାହା ହେବାରୁ ଆମର ଏ ସବୁ କଥା ମନେ ପଡ଼ିଗଲା।

ତେବେ ଆମେ କିନ୍ତୁ ଏଇନେ ଧୀରେ ଧୀରେ ସମଝି ଗଲୁଣି ଯେ ବାବୁ ରାଓ କିଆଁ କହି ଆସୁଛି ଝିଏ ବରଂ ଏଣିକି ପୁଅକୁ ଦେଖିବାକୁ ଆସନ୍ତୁ। ଅବଶ୍ୟ ଆମ ମତରେ ଏଇ ବାହାଘରିଆ ବ୍ୟାପାରରେ ‘ଯିଏ ଯା’ ହାଣ୍ଡିରେ (ଏ କାଳରେ ବରଂ ରାଇସ୍ କୁକର୍‌ରେ) ଚାଉଳ ପକାଇଥିବ, ସିଏ କୁଆଡ଼େ ଅବଲୀଳା କ୍ରମେ ତା’ର ଇ ହୋଇଥାଏ’ ବୋଲି କୁହାଯାଇଥିବା ସର୍ବଜନ ସୁବିଦିତ ସେଇ କଥାଟି ବେଶୀ ପ୍ରାସଙ୍ଗିକ ବୋଲି ଆମେ ଏ କ୍ଷଣି ଦୃଢ଼ତାର ସହ ଏଠେଇଁ କହି ରଖୁଛୁ।

ମୋ: ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର