ଭାରତୀୟ ସଂଘୀୟ ବ୍ୟବସ୍ଥା ସଂପ୍ରତି ଚର୍ଚ୍ଚାରେ ରହିଛି। ଜନରାଜ୍ୟ ଦିବସ ଶୋଭାଯାତ୍ରାରେ ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼ଗୁଡ଼ିକୁ ପ୍ରଦର୍ଶନ ପଟୁଆରରେ ଯିବାର ଅନୁମତି ନ ମିଳିବା ସଂପୃକ୍ତ ଅଣବିଜେପି ଶାସିତ ରାଜ୍ୟମାନଙ୍କ ଉପରେ ପ୍ରତୀକାତ୍ମକ ଆକ୍ରମଣ ସଦୃଶ। ଚଳିତ ସଂସଦ ଅଧିବେଶନରେ ଏ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ବିତର୍କ ମଧ୍ୟ ହେଲା। ସାମ୍ବିଧାନିକ ସିଦ୍ଧାନ୍ତ ଓ ମାନଦଣ୍ଡର ଉଲ୍ଲଂଘନ କରି ରାଜ୍ୟମାନଙ୍କର ଅଧିକାରକୁ କେନ୍ଦ୍ର ସରକାର ଏପରି ନୀଚା କରିବା ଘଟଣାରେ ବିରୋଧୀ ଦଳର ସାଂସଦମାନେ ସରକାରଙ୍କ ଚତୁଃପାର୍ଶ୍ବରେ ବ୍ୟୂହ ରଚନା କଲେ।
ସମ୍ବିଧାନର ୩୫୬ ଧାରା ପ୍ରୟୋଗ ଦ୍ବାରା ୧୯୫୯ ମସିହାରେ କେରଳର କମ୍ୟୁନିଷ୍ଟ ସରକାରଙ୍କୁ ବରଖାସ୍ତ କରିବା ହିଁ ଥିଲା ଭାରତୀୟ ସଂଘୀୟ ବ୍ୟବସ୍ଥା ପ୍ରତି ପ୍ରଥମ ଓ ପ୍ରଧାନ ଆକ୍ରମଣ। କଂଗ୍ରେସ ଅଧ୍ୟକ୍ଷା ଇନ୍ଦିରା ଗାନ୍ଧୀ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥ ସେଭଳି ପଦକ୍ଷେପର ପ୍ରମୁଖ ପ୍ରରୋଚକ ଥିଲେ। ତଥାପି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମଧ୍ୟ ଏହି ଦୋଷାରୋପରୁ ବର୍ତ୍ତିଯାଇ ପାରିବେ ନାହିଁ। ଏହି ପଦକ୍ଷେପ ନେହରୁଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧରେ ଏକ କଳା ଦାଗ ହୋଇ ରହିଛି।
ପ୍ରଧାନମନ୍ତ୍ରୀ ହିସାବରେ ନେହରୁଙ୍କ ଦୀର୍ଘ କାର୍ଯ୍ୟକାଳ ଭିତରେ ୩୫୬ ଧାରାକୁ ମୋଟ ୮ ଥର ପ୍ରୟୋଗ କରାଯାଇଛି। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲା ପରେ ଏହି ପ୍ରାବଧାନର ବାରମ୍ବାର ଉପଯୋଗ କରିଥିଲେ। ଏମିତି ହିସାବ କଲେ ତାଙ୍କର ୧୯୬୬ରୁ ୧୯୭୭ ଓ ୧୯୮୦ରୁ ୧୯୮୪ ଯାଏ ଦୁଇଟି ପାଳି ପ୍ରଧାନମନ୍ତ୍ରିତ୍ବ କାଳରେ ସେ ଏହି ଧାରାର ୫୦ ଥର ପ୍ରୟୋଗ କରିଥିଲେ; ଯାହା କି ବର୍ଷକୁ ହାରାହାରି ତିନି ଥରରୁ ଅଧିକ। ଧାରା ୩୫୬କୁ ସେ ମନଇଚ୍ଛା ଦୁଇ ଥର ପ୍ରୟୋଗ କରିଥିଲେ। ବିଶେଷ କରି ପ୍ରଥମେ ୧୯୭୦ ମସିହାରେ ଯେତେବେଳେ ସେ କଂଗ୍ରେସକୁ ବିଭାଜନ କରି ତାଙ୍କ ଗୋଷ୍ଠୀ ରାଜ୍ୟ ସରକାରଗୁଡ଼ିକରେ ପ୍ରାଧାନ୍ୟ ବିସ୍ତାର କରନ୍ତୁ ବୋଲି ଚାହିଥିଲେ।
ସେହିପରି ୧୯୮୦ ମସିହାରେ ଯେତେବେଳେ ସେ କେନ୍ଦ୍ରରେ କ୍ଷମତାକୁ ଫେରିଲେ, ତାଙ୍କ ଦଳ ଭିନ୍ନ ଅନ୍ୟ ଦଳ ଦ୍ବାରା ଶାସିତ ରାଜ୍ୟ ସରକାରମାନଙ୍କୁ ବରଖାସ୍ତ କରିଥିଲେ।
ଭାରତୀୟ ରାଜନୀତିରେ ଇନ୍ଦିରା କଂଗ୍ରେସର ଯୁଗ ୧୯୮୯ରେ ଅନ୍ତ ହେଲା, ଯେତେବେଳେ ତାଙ୍କ ପୁଅ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଆସନରେ ଥାଇ ବି ନିର୍ବାଚନ ହାରିଥିଲେ। ଏବେ ପଶ୍ଚାତ୍ ଦୃଷ୍ଟିରେ ଭାରତୀୟ ସଂଘୀୟ ବ୍ୟବସ୍ଥାର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା ବୋଲି ମନେ ହେଲା। ଲାଇେସନ୍ସ ରାଜ୍ ଶାସନର ବିଘଟନ ସହିତ ସାଧାରଣ ନିର୍ବାଚନରେ କୌଣସି ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ଅର୍ପଣ ନ କରିବାର ନାଗରିକ ଜ୍ଞାନ ଉଭୟ ଆର୍ଥିକ ଅଭିବୃଦ୍ଧି ଆଣିବା ସହ ଶାସନରେ ସହଯୋଗୀ ଭାବନାକୁ ରୂପ ଦେଇଥିଲା। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାରସ୍ପରିକ ସମ୍ମାନବୋଧର ପରିବେଶ ବିକଶିତ ହୋଇଥିଲା।
ତେବେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ଦ୍ବାରା ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ପୁଣି ଥରେ ବିପଦ ଦେଖାଦେଇଛି। ନରେନ୍ଦ୍ର ମୋଦୀଙ୍କର ପ୍ରାୟ ସାଢ଼େ ସାତ ବର୍ଷର ଶାସନ କାଳ ଭିତରେ ୩୫୬ ଧାରାର ୮ ଥର ପ୍ରୟୋଗ ହୋଇଛି, ଯାହାକି ହାରାହାରି ବର୍ଷକୁ ଥରେ। ତେଣୁ ରାଜ୍ୟର ଅଧିକାର ଦୃଷ୍ଟିରୁ ବିଚାର କଲେ ଇନ୍ଦିରା ଗାନ୍ଧୀଙ୍କ ଅପେକ୍ଷା ମୋଦୀ ଅଧିକ ସମ୍ମାନାସ୍ପଦ। ମାତ୍ର ଅନ୍ୟ ଦୃଷ୍ଟିରୁ ସେ ଯେ କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ଭାରତୀୟ ସଂଘୀୟ ବ୍ୟବସ୍ଥାକୁ ଅଧିକ ଦୁର୍ବଳ ଓ ନୀଚା କରିଛନ୍ତି, ତାହା ଟିକେ ବିହଙ୍ଗାବଲୋକନ କଲେ ଜଣା ପଡ଼ିବ।
ପ୍ରଥମତଃ, ରାଜ୍ୟଗୁଡ଼ିକ ସହ ପରାମର୍ଶ ନ କରି ଗୁରୁତ୍ବପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହେଉଛି ଏବଂ ପ୍ରମୁଖ ଆଇନଗୁଡ଼ିକ ପାରିତ ହେଉଛି, ଯେଉଁଗୁଡ଼ିକ ରାଜ୍ୟମାନେ ହିଁ ଲାଗୁ କରିବେ। କୃଷି ଆଇନ (ଯାହା ଏବେ ପ୍ରତ୍ୟାହୃତ ହୋଇଯାଇଛି) କ୍ଷେତ୍ରରେ ଏହା ନିହାତି ସତ। ଅବଶ୍ୟ ଏହା ନିଃସନ୍ଦେହ ଯେ ଶିକ୍ଷା, ସହଯୋଗ, ବ୍ୟାଙ୍କିଙ୍ଗ୍ ଆଦି ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ କେନ୍ଦ୍ର ଦ୍ବାରା ଆଗୁଆ ନିଷ୍ପତ୍ତି ନିଆଯାଉଛି ଏବଂ ପରେ ରାଜ୍ୟଗୁଡ଼ିକ ଉପରେ ସେ ସବୁକୁ ଲଦି ଦିଆଯାଉଛି।
ଦ୍ବିତୀୟତଃ, ଆଇନଶୃଙ୍ଖଳା ଏକ ରାଜ୍ୟ ପ୍ରସଙ୍ଗ ହୋଇଥିଲେ ସୁଦ୍ଧା ମୋଦୀ ସରକାର ରାଜ୍ୟ ସରକାରମାନଙ୍କ କ୍ଷମତା ଓ ସ୍ବାୟତ୍ତତାକୁ ଯଥା ସମ୍ଭବ ଦୁର୍ବଳ କରିଦେଇ କେନ୍ଦ୍ରର କ୍ଷମତାକୁ ଅଧିକ ପ୍ରୟୋଗ କରୁଛନ୍ତି। ପ୍ରକୃତ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ବଦଳରେ ରାଜନୈତିକ ଅସନ୍ତୋଷକୁ ଦାବିବା ପାଇଁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ର ଅବାଧ ତଥା ବେପରୁଆ ଉପଯୋଗ ଏବଂ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଏସ୍ଏ)କୁ ପଠେଇବା ହେଉଛି ଏହାର ଜ୍ବଳନ୍ତ ଉଦାହରଣ।
ରାଜ୍ୟମାନଙ୍କ ସହ ସକ୍ରିୟ ପରାମର୍ଶ ବଳରେ ସାରା ଦେଶକୁ ଏକଜୁଟ କରିବା ପାଇଁ ମହାମାରୀ କୋଭିଡ୍-୧୯ ଏକ ଅପୂର୍ବ ସୁଯୋଗ ଦେଇଥିଲା। ମାତ୍ର ତାହା ପରିବର୍ତ୍ତେ ମୋଦୀ ସରକାର ପ୍ରଥମରୁ ଏକଚାଟିଆ ପଦକ୍ଷେପ ନେଇ ଚାଲିଲେ। ସଂକ୍ରମଣକୁ ଏକ ମହାମାରୀ ଭାବେ ଚିହ୍ନିବା ଲାଗି ମଧ୍ୟପ୍ରଦେଶରେ ପ୍ରବଞ୍ଚନା ଓ ବଳ ପ୍ରୟୋଗର ଉତ୍ପାଦ ବିଜେପି ସରକାରର ଶପଥ ଗ୍ରହଣ ଯାଏ ମୋଦୀ ଅପେକ୍ଷା କଲେ। ତା’ ପରେ କୌଣସି ରାଜ୍ୟ ସହ ଏପରିକି କେନ୍ଦ୍ର କ୍ୟାବିନେଟ୍ ସହ ମଧ୍ୟ ପରାମର୍ଶ ନ କରି ଚାରି ଘଣ୍ଟିଆ ନୋଟିସ୍ ଜାରି କରି ଲକ୍ଡାଉନ୍ ଘୋଷଣା କରିଦେଲେ। ପୁଣି ରାଜ୍ୟମାନଙ୍କ ସହ ପରାମର୍ଶ ନ କରି ଲକ୍ଡାଉନ୍ ସହିତ ଜାତୀୟ ଦୁର୍ବିପାକ ପରିଚାଳନା ଆଇନ (ଏନ୍ଡିଏମ୍ଏ) ମଧ୍ୟ ଲାଗୁ କରିଦେଲେ। ପାଖାପାଖି ଦୁଇ ବର୍ଷ ପରେ ଏବଂ ଭୂତାଣୁ ଉପରେ କେନ୍ଦ୍ର ସରକାରଙ୍କ ବିଜୟର ଗର୍ବ ଘୋଷଣା ସତ୍ତ୍ବେ ଉକ୍ତ ଆଇନ ସେପରି ବଳବତ୍ତର ରହିଛି। ବିଭିନ୍ନ ସାମଗ୍ରୀ ଓ ଲୋକମାନଙ୍କ ଗତିବିଧି ଉପରେ ନିରୀକ୍ଷଣ କରିବାକୁ ଏହା କେନ୍ଦ୍ର ସରକାରଙ୍କୁ ଅସାଧାରଣ କ୍ଷମତା ପ୍ରଦାନ କରୁଥିବାରୁ ଏହା କିଛି ସମୟ ପାଇଁ କାଏମ ରହିବା ଉଚିତ। ତେବେ, ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କୌଣସି ଏକ ଦୁର୍ବିପାକର ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଥିବା ଏହି ଆଇନକୁ ସରକାର ବ୍ୟବହାର କଲେ ରାଜ୍ୟମାନଙ୍କ ଉପରେ ନିଜ କ୍ଷମତାର ଦୁରୁପଯୋଗ କରିବା ଲାଗି।
ତୃତୀୟରେ, ବିରୋଧୀ ଦଳ ଏବଂ ବିରୋଧ କରୁଥିବା ରାଜ୍ୟମାନଙ୍କୁ ଦୁର୍ବଳ ଓ ଭୟଭୀତ କରିବା ପାଇଁ ମୋଦୀ ସରକାର ସି.ବି.ଆଇ. ଓ ଇ.ଡି. ପରି କେନ୍ଦ୍ରୀୟ ତଦନ୍ତ ସଂସ୍ଥାଗୁଡ଼ିକର ଉପଯୋଗ କରୁଛନ୍ତି। ଏ ପରିପ୍ରେକ୍ଷୀରେ ସଂପ୍ରତି କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ଏକ ବ୍ୟଙ୍ଗାତ୍ମକ ଭିଡିଓ ବା ମିମ୍ ପ୍ରସାରିତ ହେବାରେ ଲାଗିଛି କି ଶିବସେନା, ତୃଣମୂଳ କଂଗ୍ରେସ କି ଏନ୍.ସି.ପି. ପରି ଦଳରୁ କେହି ଯଦି ଆସି ବିଜେପିରେ ଯୋଗଦେଉଛି, ତେବେ ସେ ଗଙ୍ଗାସ୍ନାନ କଲା ଭଳି ଯାବତୀୟ ଦୁର୍ନୀତି ଅଭିଯୋଗ କଳଙ୍କରୁ ନିଜକୁ ମୁକ୍ତ ବା ପବିତ୍ର କରିପାରୁଛି।
ଚତୁର୍ଥରେ, ବିରୋଧ କରୁଥିବା ରାଜ୍ୟମାନଙ୍କୁ ମୋଦୀ ସରକାର ଏପରି ଯୋଜନାବଦ୍ଧ ଭାବେ ଆକ୍ରମଣ କରୁଛନ୍ତି ଯେ ଭାରତୀୟ ପୁଲିସ ସେବା ଓ ପ୍ରାଶାସନିକ ସେବାର ଅଧିକାରୀମାନଙ୍କୁ କପଟୀ ନିଷ୍ଠାର ପରୀକ୍ଷା ଦେବାକୁ ପଡୁଛି। ଆଧୁନିକ ଆଇଏଏସ୍ ଓ ଆଇପିଏସ୍ର ସ୍ରଷ୍ଟା ତଥା ଭାରତର ପ୍ରଥମ ଗୃହମନ୍ତ୍ରୀ ବଲ୍ଲଭ ଭାଇ ପଟେଲ ସଂପୃକ୍ତ ଅଧିକାରୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜଣେ ଜଣେ ଉପଯୁକ୍ତ, ଫଳପ୍ରଦ ତଥା ମହତ୍ତ୍ବପୂର୍ଣ୍ଣ ସଂଯୋଜକ ବୋଲି ବିବେଚନା କରୁଥିଲେ। ପଟେଲଙ୍କ ବିଚାରରେ ସେମାନେ ରାଜନେତାମାନଙ୍କର ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ନିର୍ଦ୍ଦେଶ ଅନୁସରଣ କରିବା ପରିବର୍ତ୍ତେ ସର୍ବଦା ସମ୍ବିଧାନକୁ ମନରେ ରଖି ନିଷ୍ପତ୍ତି ନେବା ବିଧେୟ। ଅପର ପକ୍ଷେ, ଏବେ ପଟେଲଙ୍କ ଆସନରେ ବସିଥିବା ଅମିତ ଶାହ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ପରି ଗୁରୁତ୍ବପୂର୍ଣ୍ଣ ଅଣବିଜେପି ଶାସିତ ରାଜ୍ୟର ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ଠାରୁ ବ୍ୟକ୍ତିଗତ ଓ ଆଦର୍ଶଗତ କୃତଜ୍ଞତା ଦାବି କରୁଛନ୍ତି। ଏହି ଅଧିକାରୀମାନେ କେନ୍ଦ୍ରରେ ଥିବା ଶାସକ ଦଳ ପ୍ରତି ନିଜର ନିଷ୍ଠା ଘୋଷଣା କରିବାକୁ ବାଧ୍ୟ ହେଉଛନ୍ତି। ସରକାରୀ କର୍ମଚାରୀଙ୍କର ଏପରି ବିକୃତ ପକ୍ଷପାତିତା ପ୍ରଦର୍ଶନ କେନ୍ଦ୍ର-ରାଜ୍ୟ ସମ୍ପର୍କ ଏବଂ ଏକ ସାମ୍ବିଧାନିକ ସରକାରର ଆଦର୍ଶର ପରିପନ୍ଥୀ। ବିରୋଧୀ ଦଳ ଦ୍ବାରା ଶାସିତ ରାଜ୍ୟମାନଙ୍କର ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ମୋଦୀ-ଶାହ ସରକାର ଅପବ୍ୟବହାର କରି ଚାଲିଛନ୍ତି। ବିଶେଷ କରି ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ଏହା ପ୍ରତିଫଳିତ ହୋଇଛି, ଯେଉଁଠି ରାଜ୍ୟପାଳମାନେ ଗଣତାନ୍ତ୍ରିକ ଇତିହାସରେ ପୂର୍ବରୁ କେବେ ଦେଖା ଯାଇ ନ ଥିବା ଭଳି ନିଜର ଦଳୀୟ ଆନୁଗତ୍ୟକୁ ବଜାୟ ରଖିଛନ୍ତି।
ପଞ୍ଚମରେ, ପ୍ରଧାନମନ୍ତ୍ରୀ ଯେପରି ସରକାରୀ ଅନୁଷ୍ଠାନର ଶକ୍ତି ଦ୍ବାରା ନିଜର ବ୍ୟକ୍ତିଗତ ପ୍ରତିଷ୍ଠାର ଉନ୍ନତି କରି ଚାଲିଛନ୍ତି, ତାହା ‘ଭାରତ ଏକ ସଂଘୀୟ ଗଣତନ୍ତ୍ର’ ଭଳି ଧାରଣାକୁ ଦୁର୍ବଳ କରିଦେଉଛି, ଯେଉଁଠି କେନ୍ଦ୍ର ଓ ରାଜ୍ୟମାନେ ସମାନ ଅଂଶୀଦାର ରହିବା କଥା। ରାଜ୍ୟମାନଙ୍କରେ କାର୍ଯ୍ୟନ୍ବୟନ ହେଉଥିବା ଶିକ୍ଷା, ସ୍ବାସ୍ଥ୍ୟ ଓ ସମାଜ କଲ୍ୟାଣ ସଂକ୍ରାନ୍ତ ଯୋଜନାଗୁଡ଼ିକରେ ନରେନ୍ଦ୍ର ମୋଦୀଙ୍କ ଫଟୋଚିତ୍ର ସମ୍ବଳିତ ବିଜ୍ଞାପନ ଏକ ଭୀଷଣ ପ୍ରଭୁ-ପରାୟଣ ମାନସିକତାର ପ୍ରତିଫଳନ କରିବା ସହ ଶ୍ରେୟ ବାଣ୍ଟିବାରେ କୁଣ୍ଠାକୁ ପ୍ରଦର୍ଶିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଏପରି ବ୍ୟକ୍ତିଗତ ପ୍ରତିଷ୍ଠା ସାଧନ ମଧ୍ୟ ରାଜ୍ୟଗୁଡ଼ିକ ଉପରେ ଅହେତୁକ ଆର୍ଥିକ ବୋଝ ଲଦୁଛି। ଏ ବାବଦରେ ‘ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି’ର ଗଠନ କଥା ବିଚାର କରାଯାଉ। ଗୋପନୀୟତାରେ ଢାଙ୍କି ହୋଇ ରହିଥିବା ଏବଂ ସାର୍ବଜନୀନ ଉତ୍ତରଦାୟିତ୍ବର ସମ୍ପୂର୍ଣ୍ଣ ଅଭାବର ଦୋଷ ଦ୍ବାରା ଯୁକ୍ତ ଏହି ପାଣ୍ଠି ସଂଘୀୟ ସିଦ୍ଧାନ୍ତର ଏକ ଉଲ୍ଲଂଘନ ମଧ୍ୟ। ଏହି ପାଣ୍ଠିକୁ କମ୍ପାନିମାନେ ସେମାନଙ୍କର ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ଅଧୀନରେ ପ୍ରଦାନ କରୁଥିବା ଅର୍ଥରାଶି କରମୁକ୍ତ ହୋଇଥିବା ବେଳେ ପ୍ରତି ରାଜ୍ୟ ଦ୍ବାରା ପରିଚାଳିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କେହି ଦାନ କରିବାକୁ ଚାହୁଥିଲେ ସେଠି ସେହି ରିହାତି ଉପଲବ୍ଧ ନାହିଁ।
ପରିଶେଷରେ, ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କଲେ ନରେନ୍ଦ୍ର ମୋଦୀ ଯଦିଓ କମ୍ ଥର ୩୫୬ ଧାରାର ପ୍ରୟୋଗ କରିଛନ୍ତି, ତେବେ ନ୍ୟାୟତଃ ଗଠିତ ଏକ ରାଜ୍ୟକୁ ଉଚ୍ଛେଦ କରିବାରେ ସେ ଏକମାତ୍ର ପ୍ରଧାନମନ୍ତ୍ରୀ ହେବାର ବିରଳ କୃତିତ୍ବର ଅଧିକାରୀ ମଧ୍ୟ ହୋଇଛନ୍ତି। ଗୋଆ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା ଓ ହିମାଚଳପ୍ରଦେଶ ଆଦି କେନ୍ଦ୍ରଶାସିତ ଅଞ୍ଚଳ ଘଟଣାକ୍ରମେ ରାଜ୍ୟରେ ପରିଣତ ହୋଇଥିଲେ। ଅପରପକ୍ଷେ, ଜାମ୍ମୁକାଶ୍ମୀର ଭିନ୍ନ ପଥରେ ଯାଇଛି ଯେଉଁଠି ଏକ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତାକୁ ଖସେଇ ଦିଆଗଲା। ଏହା ଏକ ନୀତିଚ୍ୟୁତ ଅହଂକାରର ଦର୍ପିତ ସ୍ବର। ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସଂଘୀୟ ସିଦ୍ଧାନ୍ତ ପ୍ରତି କରାଯାଇଥିବା ଏହା ସବୁଠୁ ଅସଭ୍ୟ ଆକ୍ରମଣ ନିଶ୍ଚୟ।
ନରେନ୍ଦ୍ର ମୋଦୀ ଓ ଅମିତ ଶାହ ରାଜ୍ୟର ଅଧିକାରକୁ ଦୁର୍ବଳ କରିବା ପାଇଁ ଅନେକ ସୂକ୍ଷ୍ମ ନୃଶଂସତାର ବ୍ୟବହାର କରିଛନ୍ତି ଏବଂ ସଫଳ ହୋଇଛନ୍ତି ମଧ୍ୟ। ଗଣମାଧ୍ୟମର ସହଯୋଗ ବଳରେ ଆମର ଶ୍ରେଷ୍ଠ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକର ବିନାଶ, ସଶସ୍ତ୍ର ବାହିନୀର ରାଜନୀତୀକରଣ ଏବଂ ବହୁ ସଂଖ୍ୟକବାଦର ପ୍ରୋତ୍ସାହନ ଜରିଆରେ ସଂଘୀୟ ବ୍ୟବସ୍ଥା ଉପରେ ବହୁମୁଖୀ ଆକ୍ରମଣ କରାଯାଉଛି। ଏହା ହେଉଛି ନୂତନ ଭାରତର ଅନ୍ୟତମ ପ୍ରମୁଖ ଉପଲବ୍ଧି।