ସବୁଠାରୁ କଷ୍ଟ କାମ

କଥାଟିଏ - ଯାଯାବର

ଜଣେ ଗୁରୁ ତାଙ୍କ ଶିଷ୍ୟକୁ ଦୀକ୍ଷା ଦେଲା ବେଳେ କହିଲେ- ପ୍ରତିଜ୍ଞା କର, ତୁ ସଦା ବେଳେ ସତ କହିବୁ।

ଶିଷ୍ୟ ତାହା ମାନିବ ବୋଲି ପ୍ରତିଶ୍ରୁତି ଦେଇ ଆଶ୍ରମ ଛାଡ଼ିଲା।

ଅନେକ ବର୍ଷ ପରେ ଶିଷ୍ୟଟି ସହିତ ଗୁରୁଙ୍କ ଅଗତ୍ୟା ଦେଖା ହୋଇଗଲା। କିଛି ସମୟ କଥା ହେବା ପରେ ଗୁରୁ ପଚାରିଲେ- ତୁ ମୋର ଶେଷ ଉପଦେଶ ମନେ ରଖିଛୁ ତ?

ଶିଷ୍ୟ କହିଲା- ମୁଁ ମନେ ରଖିଛି ଏବଂ ତାକୁ ପାଳନ କରୁଛି। କିନ୍ତୁ ସେଇ ଅନୁଭୂତି ମୋର ଏକ ଜ୍ଞାନୋଦୟ ବି କରିଛି।

ଗୁରୁ ପଚାରିଲେ- କିଭଳି ଜ୍ଞାନୋଦୟ?

ଶିଷ୍ୟ କହିଲା- ମୁଁ ପ୍ରଥମେ ଭାବି ନେଇଥିଲି ଯେ ସର୍ବଦା ସତ କହିବା ବିଶେଷ କଷ୍ଟକର ନୁହେଁ। ମୁଁ ଭାବି ନେଇଥିଲି ଯେ ସତ କହିବା ଲାଗି ତ ଭଗବାନ ଆମକୁ ଜିହ୍ବାଟି ଦେଇଛନ୍ତି। କିନ୍ତୁ ବାସ୍ତବରେ ଦେଖିଲି ଯେ ସତ ଶୁଣି ସହି ପାରିବା ଭଳି କାନ ଓ ମନ ଭଗବାନ ଦେଇ ନାହାନ୍ତି। ତେଣୁ ସର୍ବଦା ସତ କହିବା ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି କରିଛି ଯେ କହିଲେ ନ ସରେ!

ଗୁରୁ କହିଲେ- ତାହା ହେଲେ ତୁ କ’ଣ କଲୁ?

ଶିଷ୍ୟ କହିଲା- ଗୋଟିଏ କାମ କଲି, ଯେତେବେଳେ ମିଛ କହିବାକୁ ପଡ଼ିଲା ମୁଁ ନିରବ ରହିଲି। ଏବେ ଦେଖୁଛି ଯେ ଅଧିକାଂଶ ସମୟ ମୌନ ହିଁ ରହୁଛି।

ଗୁରୁ କହିଲେ- ଠିକ୍‌ କହିଲୁ। ସତ କହିବା ହେଉଛି ଏ ପୃଥିବୀରେ ସବୁଠାରୁ କଷ୍ଟକର କାମ।

ସମ୍ବନ୍ଧିତ ଖବର