ଜହ୍ନ ତୁ କେଉଁ ଧର୍ମର? ଇଦ୍ ବି ତୋ’ର, କୁମାର ପୂର୍ଣ୍ଣିମା ବି ତୋ’ର। ଧର୍ମର ଶିକାରରେ କେବଳ ଜହ୍ନ ନୁହେଁ, ପଶୁପକ୍ଷୀମାନେ ମଧ୍ୟ ବାଣ୍ଟି ହୋଇ ଯାଇଛନ୍ତି। ଗାଈମାନେ ହିନ୍ଦୁ ହୋଇଯାଇଛନ୍ତି ଆଉ ଛେଳିମାନେ ମୁସଲମାନ ହୋଇ ଯାଇଛନ୍ତି। ଉଦ୍ଭିଦ ଜଗତର ଫଳ ଓ ଫୁଲମାନେ ମଧ୍ୟ ବାଣ୍ଟି ହୋଇ ଯାଇଛନ୍ତି। ନଡ଼ିଆ ଓ ମନ୍ଦାର ଫୁଲ ହିନ୍ଦୁ ହୋଇଯାଇଛନ୍ତି। ଖଜୁର ଓ ଗୋଲାପ ଫୁଲ ମୁସଲମାନ ହୋଇଯାଇଛନ୍ତି। ନିର୍ଜୀବ ରଙ୍ଗମାନେ ମଧ୍ୟ ବାଣ୍ଟି ହୋଇଯାଇଛନ୍ତି। ଗୈରିକ ସବୁ ହିନ୍ଦୁ ହୋଇଯାଇଛନ୍ତି ଓ ସବୁଜ ମୁସଲମାନ ହୋଇଯାଇଛନ୍ତି।

Advertisment

ଉପରୋକ୍ତ ଏକ ଅନାମଧ୍ୟେୟ ହିନ୍ଦୀ କବିତାରେ ପ୍ରକୃତିକୁ ଏହିପରି ଭାଗ ଭାଗ କରି ବାଣ୍ଟି ଦେଇଥିବା ଧର୍ମର ଶିକାରୀମାନେ ସବୁ କିଏ? ବର୍ତ୍ତମାନ ଏହାକୁ ପାଥେୟ କରି ଧର୍ମର ଏହି ଶିକାରୀମାନେ ଭୋଟ୍‌ର ଭିକ୍ଷାକାରୀ ହୋଇପଡ଼ିଛନ୍ତି। ପୁଣି ଭୋଟ୍‌ର ଠିକାଦାର ସାଜି ଭୋଟ୍‌ ପାଇଁ ଧର୍ମର ଠିକା ନେଇଯାଇଛନ୍ତି। ଏମାନଙ୍କର ଗୋଟିଏ ଲକ୍ଷ୍ୟ ଏବଂ ତାହା ହେଉଛି ଭୋଟ୍‌ର ଧର୍ମଭିତ୍ତିକ ଧ୍ରୁବୀକରଣ ହେଉ।

ଏତାଦୃଶ ଶିକାରୀମାନଙ୍କୁ ବର୍ତ୍ତମାନ ଏକ ସୁନ୍ଦର ଶିକାର ମିଳିଯାଇଛି। ତାହା ହେଉଛି କୋମଳମତି ବାଳକବାଳିକାମାନଙ୍କର ସ୍କୁଲ୍‌ ୟୁନିଫର୍ମ‌୍ରେ ଧାର୍ମିକ ଛିଟା। ପ୍ରଶ୍ନ ଉଠେ ୟୁନିଫର୍ମ‌୍ କ’ଣ ଓ କାହିଁକି? ୟୁନିଫର୍ମ‌୍ ହେଉଛି ଏକ ମାନକ ଓ ନିୟମାନୁଯାୟୀ କୌଣସି ସଂସ୍ଥାର ଏକ ବିଶେଷ ପୋଷାକ, ଯାହା ସାମ୍ୟ, ସମତା ଓ ସମାନତା ଆଧାରରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥାଏ। ଏହାକୁ ସଂସ୍ଥାର ସମସ୍ତ ସଦସ୍ୟ ଓ ସଦସ୍ୟା ସଂସ୍ଥାରେ ଉପସ୍ଥିତ ଥିବା ସମୟରେ ଗ୍ରହଣ କରିବାକୁ ବାଧ୍ୟ ହୋଇଥା’ନ୍ତି। ଭାରତବର୍ଷର ତିନି ପ୍ରମୁଖ ସେନାବାହିନୀ ଠାରୁ ନେଇ ଦେଶର କୋଣ ଅନୁକୋଣରେ ଥିବା ହଜାର ହଜାର ସ୍କୁଲ୍‌ ଓ କଲେଜମାନଙ୍କରେ ଏହା ପ୍ରଚଳିତ ହୋଇଥାଏ। ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ଆପଣ କହିପାରିବେ ନାହିଁ ଯେ ଏହା ଆପଣଙ୍କର ପୋଷାକ ପିନ୍ଧିବାର ମୌଳିକ ଅଧିକାରକୁ ଛିନ୍ନ କରୁଛି। ଘରେ ଅବା ବାହାରେ ଆପଣ ଯାହା ପିନ୍ଧନ୍ତୁ ସେ ନିଷ୍ପତ୍ତି ନେବାର ଅଧିକାର କୌଣସି ସଂସ୍ଥା ବା ସରକାରର ନାହିଁ। କିନ୍ତୁ ଆପଣ ଯେ ପର୍ଯ୍ୟନ୍ତ କୌଣସି ସଂସ୍ଥାରେ ଉପସ୍ଥିତ ଅଛନ୍ତି କିମ୍ବା ତାହାକୁ ପ୍ରତିନିଧିତ୍ୱ କରୁଛନ୍ତି, ସେ ପର୍ଯ୍ୟନ୍ତ ଆପଣ ସେହି ସଂସ୍ଥା ଦ୍ବାରା ସ୍ଥିରୀକୃତ ୟୁନିଫର୍ମ‌୍ ହିଁ ପିନ୍ଧିବା ଉଚି଼ତ। ଏହା ସାମ୍ବିଧାନିକ ଓ ଧର୍ମ ନିରପେକ୍ଷ।

ଯେଉଁମାନେ ଧର୍ମର ଦ୍ୱାହି ଦେଇ ବର୍ତ୍ତମାନ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନେ ହୃଦୟଙ୍ଗମ କରିବା ଉଚିତ ଯେ ଜଣେ କେବଳ ଗୈରିକ ବସ୍ତ୍ର ପରିଧାନ କରିଦେଲେ କି ହିଜାବ ପିନ୍ଧିଦେଲେ କୌଣସି ନିର୍ଦ୍ଦିଷ୍ଟ ଧର୍ମର ହୋଇ ଯାଆନ୍ତି ନାହିଁ। ଧର୍ମର ଆତ୍ମା ଆପଣଙ୍କ ହୃଦୟରେ ଥାଏ, ପୋଷାକରେ ନୁହେଁ। ଥରେ ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ଚର୍ଚ୍ଚକୁ ଯାଇ ଯୀଶୁଙ୍କୁ ପ୍ରାର୍ଥନା କରୁଥିଲେ। ଚିରା ପ୍ୟାଣ୍ଟ୍‌ ସାର୍ଟ‌୍ ଓ ଛିଣ୍ଡା ଚପଲ ପିନ୍ଧି ସେହି ଲୋକ ସୁଟ୍‌ବୁଟ୍‌ ପିନ୍ଧିଥିବା ଭଦ୍ରବ୍ୟକ୍ତିମାନଙ୍କ ଭିତରେ ଛିଡ଼ା ହୋଇ ପ୍ରାର୍ଥନା କରୁଥିବା ବେଳେ ଜଣେ ପାଦ୍ରି ତାଙ୍କୁ ଲକ୍ଷ୍ୟ କରି ଅତ୍ୟନ୍ତ ବିନମ୍ର ସ୍ୱରରେ ଆସନ୍ତା ପ୍ରାର୍ଥନା ସଭାରେ ଉପଯୁକ୍ତ ପୋଷାକ ପିନ୍ଧି ଉପସ୍ଥିତ ରହିବାକୁ ଅନୁରୋଧ କଲେ। ‘ଉପଯୁକ୍ତ ପୋଷାକ କ’ଣ?’ ବୋଲି ବ୍ୟକ୍ତି ଜଣକ ପ୍ରଶ୍ନ କରିବାରୁ ପାଦ୍ରି ତାଙ୍କୁ କହିଲେ ‘ତୁମେ ଯୀଶୁଙ୍କୁ ଯଦି ଏତେ ଭଲ ପାଉଛ, ତେବେ ତାଙ୍କୁ ହିଁ ଆଜି ସ୍ୱପ୍ନରେ ଏହି ପ୍ରଶ୍ନ କରିବ ଏବଂ ସିଏ ହିଁ ତୁମକୁ ଉପଯୁକ୍ତ ଉତ୍ତର ଦେଇ ପାରିବେ।’ ପାଦ୍ରିଙ୍କ କଥା ଅନୁଯାୟୀ ସେ ରାତିରେ ଯୀଶୁଙ୍କୁ ପ୍ରାର୍ଥନା କରି ଉପଯୁକ୍ତ ପୋଷାକ କ’ଣ ବୋଲି ପ୍ରଶ୍ନ କଲେ। ତା’ ପରଦିନ ପାଦ୍ରିଙ୍କୁ ସାକ୍ଷାତ୍‌ କରି ସେ କହିଲେ, ‘ମହାଶୟ, ମୁଁ କାଲି ରାତିରେ ଯୀଶୁଙ୍କୁ ସେହି ପ୍ରଶ୍ନ ପଚାରିଥିଲି ଏବଂ ସିଏ କହିଲେ ‘ଚର୍ଚ୍ଚରେ ଉପସ୍ଥିତ ଥିବା ଲୋକମାନଙ୍କର ଚେ‌େହରା ସବୁ ମୋ’ର ମନେ ଅଛି; କିନ୍ତୁ ସେମାନଙ୍କର ପୋଷାକ କିପରି ଥିଲା, ତାହା ମୋ’ର ମନେ ନାହିଁ। ତେଣୁ ତୁମ ପ୍ରଶ୍ନର ଉତ୍ତର ମୁଁ ଦେଇ ପାରିବି ନାହିଁ।’

ବନ୍ଧୁଗଣ, ପଗଡ଼ି ହେଉ କି ତିଳକ ହେଉ କି ହିଜାବ୍‌; ଏମାନେ ବିଭିନ୍ନ ଧର୍ମର ପରିଚୟ ନିମନ୍ତେ ଗୋଟିଏ ଗୋଟିଏ ଚିହ୍ନ। ମା’ମାନେ ଛୋଟ ଛୋଟ ପିଲାମାନଙ୍କୁ ଆକାଶରେ ଜହ୍ନମାମୁଁକୁ ଦେଖେଇବା ନିମନ୍ତେ ହାତକୁ ବଢ଼େଇ ପାପୁଲିର ତର୍ଜନୀ ଅଙ୍ଗୁଳିର ସାହାଯ୍ୟ ନେଇଥା’ନ୍ତି। ଏଠାରେ ମନେ ରଖିବା ଉଚି଼ତ ଯେ ତର୍ଜନୀ ଅଙ୍ଗୁଳି ଜହ୍ନ ନୁହେଁ, ଏହାକୁ କେବଳ ଜହ୍ନକୁ ଚିହ୍ନେଇବା ପାଇଁ ବ୍ୟବହାର କରାଯାଇଥାଏ। ଦୁଃଖର କଥା ଆମେ ଆଜି ତର୍ଜନୀକୁ ଜହ୍ନ ବୋଲି ଭାବି ନେଇଛେ। ପୋଷାକ ଠିକ୍ ସେହିପରି। ଧର୍ମକୁ ଚିହ୍ନିବାକୁ ଓ ଚିହ୍ନେଇବାକୁ ଏହାକୁ ପିନ୍ଧା ଯାଇପାରେ। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେମାନେ ପୋଷାକକୁ ଧର୍ମ ବୋଲି ମାନି ନେଇଛୁ।

ବିଡ଼ମ୍ବନାର ବିଷୟ ଏହି ଯେ ବର୍ତ୍ତମାନ ସମଗ୍ର ଭାରତବର୍ଷ ଏକ ଅର୍ଥନୈତିକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। ଏହି ସମୟରେ ଆମେମାନେ ଧର୍ମର ପୋଷାକ ନେଇ ଯୁକ୍ତିତର୍କରେ ବ୍ୟସ୍ତ ରହିଛୁ। ପରିସଂଖ୍ୟାନ କହୁଛି ଯେ କୋଭିଡ୍‌ ସଂକ୍ରମଣ ପରେ ଭାରତବର୍ଷରେ କୋଟି କୋଟି ମଧ୍ୟବିତ୍ତ ବ୍ୟକ୍ତି ଦରିଦ୍ର ହୋଇଯାଇଥିବା ବେଳେ କୋଟି କୋଟି ଦରିଦ୍ର କାଙ୍ଗାଳ ହୋଇଯାଇଛନ୍ତି। ଏହି ସମୟରେ ଆମେ ଦାରିଦ୍ର୍ୟ ଓ ତା’ର ଦୂରୀକରଣ ଭଳି ପ୍ରସଙ୍ଗ ଉପରେ ଚିନ୍ତା କରିବା ଆବଶ୍ୟକ।

ଦାରିଦ୍ର୍ୟ ଜନିତ ବୁଭୁକ୍ଷା ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଗ୍ରାସ କରିଥାଏ। ଥରେ ରାସ୍ତା କଡ଼ରେ ଛିଡ଼ା ହୋଇ ଭିକାରିଟିଏ କାକୁତିମିନତି ହୋଇ ଭିକ ମାଗୁଥିଲା। ଜଣେ ବ୍ୟକ୍ତି ଭିକ ଦେବା ପୂର୍ବରୁ ତାକୁ ପ୍ରଶ୍ନ କରିଥିଲେ ‘ତୁମେ ହିନ୍ଦୁ ନା ମୁସଲମାନ?’ ଭିକାରି ଜଣକ ଅତ୍ୟନ୍ତ କରୁଣ ସ୍ୱରରେ କହିଲା ‘ଆଜ୍ଞା, ମୁଁ ଭୋକିଲା।’

ମୋ: ୯୪୩୭୦୬୭୫୬୭