ରୋଗୀର ଅବସ୍ଥା ଯେପରି ତାହାର ନାଡ଼ିରୁ ଜଣାପଡ଼ିଥାଏ, କୌଣସି ଦେଶର ଅବସ୍ଥା ସେହିପରି ତାହାର ବୈଦେଶିକ ନୀତି ବୁଝାଇଥାଏ। ବାସ୍ତବରେ ବିଦେଶ ନୀତି ହିଁ କୌଣସି ଦେଶର ଆଭ୍ୟନ୍ତରୀଣ ସ୍ଥିତିର ଆଇନା ହୋଇଥାଏ। ଆମ ନିଜ ଦେଶ ପ୍ରସଙ୍ଗରେ ଆମେ ଭଲ ଭାବରେ ଏହା ହୃଦୟଙ୍ଗମ କରି ପାରିବା।
ଏକ ନିରାଟ ସତ୍ୟ ଏହା ଯେ ଆମେ ଗୋଟିଏ ନିର୍ବାଚନରୁ ଅନ୍ୟ ଗୋଟିଏ ନିର୍ବାଚନ ଜିଣିବା ରଣନୀତିରେ କିଛି ଭିନ୍ନ କରିବା କି କହିବା କଥା ଚିନ୍ତା କରୁନାହେଁ। ଅନ୍ୟକୁ କୁଣ୍ଢାଇ ସମ୍ଭାଷଣ କରିବା, ଦୋଳିରେ ଝୁଲାଇବା ଆଉ ଗଙ୍ଗା ଆଳତି ଦେଖାଇବାକୁ ବିଦେଶ ନୀତି ବିଚାରିବାର ଭ୍ରମ ଯେବେଠୁ ଭାଙ୍ଗିଛି, ସେବେ ଠାରୁ ଆମେ ଏପରି ଦିଗହରା ହୋଇପଡ଼ିଛନ୍ତି, ଯାହା ପୂର୍ବରୁ କେବେ ଦେଖାଯାଇନଥିଲା।
ପାଖାପାଖି ସାରା ଦୁନିଆରେ ଏପରି ଅବସ୍ଥା ଆସିଯାଇଛି। କେଉଁଠି ଲିଲିପୁଟ ଆଉ ଲିଲିପୁଟିଆନ ମିଳିଥିଲେ ତାହା ଗଲିଭରକୁ ତ ଜଣା ନାହିଁ, ଆମକୁ ପ୍ରତିଟି ଅନ୍ତଃ ରାଷ୍ଟ୍ରୀୟ ମଞ୍ଚରେ ସେପରି ବାମନଙ୍କ ଦରବାର ଦେଖାଯାଉଛି। କାରଣ ଯେତେବେଳେ ଜଣେ କୌଣସି ବିକଳ୍ପ ଦର୍ଶନ ଦ୍ବାରା ଜାଗ୍ରତ ହୋଇଥାଏ, ସେତେବେଳେ ହିଁ ନୂଆ ନୀତି, ନୂଆ ସ୍ବପ୍ନ ଓ ନୂଆ ଉତ୍ସାହ ସୃଷ୍ଟି ହୋଇଥାଏ। ଯେତେବେଳେ ଶାସନ କ୍ଷମତା ଦଖଲ ଏକମାତ୍ର ଦର୍ଶନ ପାଲଟିଥାଏ, ସେତେବେଳେ ସତ୍ ସାହସର ସହ କୋଉଠି ଆଉ ପାଦ ରଖିବାକୁ ସ୍ଥାନ ମିଳିବ? ଆମେରିକାରେ ଆଜି ଆଉ କୌଣସି ଡୋନାଲ୍ଡ ଟ୍ରମ୍ପ୍ ନାହାନ୍ତି, ସେଥିପାଇଁ ଆମେରିକା ଲାଗି ହାସ୍ୟାସ୍ପଦ ମୂର୍ଖତା ଓ ଅନ୍ତଃ ରାଷ୍ଟ୍ରୀୟ ଲଜ୍ଜାର ସମୟ ଥମିଗଲା ପରି ଲାଗୁଛି। ମାତ୍ର କୌଣସି ଆମେରିକୀୟ ବିଦ୍ବାନ କ’ଣ କହିପାରିବ ଯେ ଅନ୍ତଃ ରାଷ୍ଟ୍ରୀୟ ପ୍ରସଙ୍ଗରେ ବାଇଡେନ୍ ଏମିତି କିଛି କାର୍ଯ୍ୟକାରୀ କରିଛନ୍ତି, ଯଦ୍ଦ୍ବାରା ଅନ୍ତଃ ରାଷ୍ଟ୍ରୀୟ ମଞ୍ଚରେ ଆମେରିକାର ନୂତନ ଛବି ସୃଷ୍ଟି ହୋଇପାରିଛି? ଆଫଗାନିସ୍ତାନରେ ଏହାର ମୂଲ୍ୟହୀନ ପଦକ୍ଷେପ ଚତୁର୍ଦ୍ଦିଗରେ ଏପରି ପରାଜୟର କାହାଣୀ ବୁଣିଛି, ଯାହା ବିଫଳ ରାଜନୈତିକ ନିର୍ଣ୍ଣୟ ପାଠ୍ୟକ୍ରମରେ ପଢ଼ାଯିବା ଦରକାର। ଆମେରିକାର ଏପରି ଅନ୍ତଃ ରାଷ୍ଟ୍ରୀୟ ସ୍ଥିତି ହେଉଛି ତାହାର ଆର୍ଥିକ ଶକ୍ତିର ପ୍ରତିଛବି। ସେହି ଆର୍ଥିକ ଶକ୍ତି ଝୁଙ୍କି ପଡ଼ିଲା ତ ଆମେରିକାର ପ୍ରତିଷ୍ଠା ବି ଭାଙ୍ଗିଗଲା। ଏହି ଦୁଇଟି ପ୍ରସଙ୍ଗରେ ଆମେରିକାକୁ ପୁଣି ଥରେ ଦମ୍ଭର ସହ ଛି଼ଡ଼ା କରାଇବା ପାଇଁ ବାଇଡେନ୍ଙ୍କ ପାଖରେ ନା ସାହସ ନା ସ୍ବପ୍ନ ରହିଛି! ଏକଦା ମହାତ୍ମା ଗାନ୍ଧୀ ଆମେରିକା ପ୍ରତି ଇସାରା କରି କହିଥିଲେ ଯେ ଯେପର୍ଯ୍ୟନ୍ତ ଆମେରିକା ପୁଞ୍ଜି ପଛରେ ଗୋଡ଼ାଇବାର ପାଗଳ ଦୌଡ଼ରୁ ନିବୃତ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ତାହାକୁ ଦେବା ପାଇଁ ମୋ’ ପାଖରେ କିଛି ନାହିଁ।
ରୁଷିଆ ଓ ଚୀନ୍ର ମଧ୍ୟ ଅନୁରୂପ ଅବସ୍ଥା। ରୁଷ୍ର ୬୯ ବର୍ଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କେବେ ବି ରୁଷ୍ର ଜଣେ ଲୋକପ୍ରିୟ ରାଜନେତା ନ ଥିଲେ। ସେ କେବଳ ଦୀର୍ଘ ୧୬ ବର୍ଷ କାଳ ରୁଷ୍ ଗୁଇନ୍ଦା ସେବାରେ ଚାକିରି କରିଥିଲେ। ସୋଭିଏତ୍ ସଂଘର ବିଭାଜନ ଦ୍ବାରା ଯେଉଁ ମହା ପରିବର୍ତ୍ତନ ଘଟିଲା, ଏହାର ପରିଣାମ ସ୍ବରୂପ, ଅନ୍ୟ କେତେକଙ୍କ ହାତରେ ପଡ଼ିଥିବା ରୁଷିଆର ଶାସନ କ୍ଷମତା ପୁଟିନ୍ଙ୍କ ହାତକୁ ଆସିଥିଲା, ଆଉ ସେବେ ଠାରୁ କ୍ଷମତାକୁ ହାତଛଡ଼ା ନ କରିବାର କପଟତା ହିଁ ପୁଟିନ୍ଙ୍କ ରାଜନୀତି ପାଲଟିଛି। ୨୦୧୨ ମସିହା ପର ଠାରୁ ଅଦ୍ୟାବଧି ରୁଷିଆ ପ୍ରତି ଅନ୍ତଃ ରାଷ୍ଟ୍ରୀୟ ରାଜନୀତିର ଏପରି କୌଣସି ହସ୍ତକ୍ଷେପ ହୋଇନାହିଁ, ଯାହା ଦ୍ବାରା କୌଣସି ଆଚାର ଓ ବିଚାରର ନୂଆ ପନ୍ଥା ଖୋଲି ପାରିଛି। ଗୁଇନ୍ଦାଗିରିର ନିଜସ୍ବ ଅଭିଜ୍ଞତାକୁ ବ୍ୟବହାର କରି ପୁଟିନ୍ ନିଜର ରାଜନୈତିକ ପ୍ରତିଷ୍ଠାକୁ ସୁଦୃଢ଼ କରିବାକୁ ଲାଗି ପଡ଼ିଛନ୍ତି, ଯେମିତି ତାହା ତାଙ୍କର ଶେଷ ନିଃଶ୍ବାସ ଯାଏ ସେମିତି ତାଙ୍କ ପାଖରେ ରହିଥିବ। ବିଶ୍ବର ସବୁଠୁ ଧନୀ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସେ ଜଣେ ଏବଂ ସେ ସାମ୍ୟବାଦର ପ୍ରତିଟି ମୂଲ୍ୟବୋଧକୁ ଦମନ କରିବାକୁ ସକ୍ଷମ।
ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ହେଉଛନ୍ତି ପୁଟିନ୍ଙ୍କର ଏକ ଛୋଟ ସଂସ୍କରଣ, ମାତ୍ର ତାଙ୍କର ପ୍ରତିଷ୍ଠା ପୁଟିନ୍ଙ୍କ ଠୁଁ କାହିଁ କେତେ ଅଧିକ। ୬୮ ବର୍ଷୀୟ ଜିନ୍ପିଙ୍ଗ୍ ସେଇ ୨୦୧୨ ମସିହା ପାଖାପାଖି ଚୀନ୍ର କ୍ଷମତା ସମ୍ଭାଳିଥିଲେ। ପୁଟିନ୍ଙ୍କ ପରି ତାଙ୍କ ରାଜନୀତିର ଆଧାର ହେଉଛି ଆଜୀବନ ଶାସନ କ୍ଷମତାକୁ ନିଜ ହାତରେ ରଖିବା, ମାତ୍ର ତାଙ୍କର ପ୍ରତିଷ୍ଠା ପୁଟିନ୍ଙ୍କ ଠାରୁ ଅଧିକ ବୋଲି ଧରିବାକୁ ପଡ଼ିବ; ଏଥି ଲାଗି ଯେ ସେ ବିଶ୍ବର ଦ୍ବିତୀୟ ସର୍ବାଧିକ ଅର୍ଥନୈତିକ ତଥା ସାମରିକ ଶକ୍ତି ସଂପନ୍ନ ରାଷ୍ଟ୍ରର ମାଲିକ। ତାଙ୍କର ଆହ୍ବାନ ରୁଷିଆ ପାଇଁ ନୁହେଁ, ବରଂ ଆମେରିକା ଓ ଭାରତ ପାଇଁ। ଆମେରିକାକୁ ଆଗରେ ରଖି ଭାରତ ମଧ୍ୟ ଚୀନ୍କୁ ଆହ୍ବାନ କରିବାର ବାଚାଳାମି କରୁଛି, ଯାହାକୁ ଜିନ୍ପିଙ୍ଗ୍ ପିଲାଙ୍କ ହାସ୍ୟକୌତୁକ ଭାବି ଆଡ଼େଇ ଚାଲିଛନ୍ତି।
ସେଥିପାଇଁ ଚୀନ୍ ହେଉଛି ଆମ ବିଦେଶୀ ନୀତିର କଷଟି ପଥର। ବାସ୍ତବରେ ଚୀନ୍ ଓ ଭାରତ ମଧ୍ୟରେ କେମିତି, କେବେ ଓ କେଉଁଠି ବିଭିନ୍ନ ସମସ୍ୟାର ସମାଧାନ ହୋଇଛି ବୋଲି ଏସିଆ ମହାଦେଶର ସମସ୍ତ ଛୋଟ ଛୋଟ ରାଷ୍ଟ୍ର ଚାହିଁ ରହିବା ସ୍ବାଭାବିକ। ଅବଶ୍ୟ ଭାରତର ପ୍ରଧାନମନ୍ତ୍ରୀଙ୍କ ପରି ଜିନ୍ପିଙ୍ଗ୍ ମଧ୍ୟ ଲଗାତାର ବିଦେଶ ଗସ୍ତରେ ବୁଡ଼ି ରହୁଛନ୍ତି; ଯେଉଁଥିରେ କିଛି ଅସୁବିଧା ନାହିଁ, ମାତ୍ର ଉଭୟଙ୍କ ବିଦେଶ ଗସ୍ତ ମଧ୍ୟରେ ବଡ଼ ଫରକ ରହିଛି। ମହାମାରୀ କୋଭିଡ୍-୧୯ର ଉପଦ୍ରବର ଅବଧିକୁ ବାଦ୍ ଦେଲେ ୨୦୧୨ରୁ ଅଦ୍ୟାବଧି ଜିନ୍ପିଙ୍ଗ୍ଙ୍କର ୪୨ଥର ବିଦେଶ ଗସ୍ତରେ ସେ ଯେଉଁ ୬୯ଟି ଦେଶ ପରିଭ୍ରମଣ କରିଛନ୍ତି, ସେଥିରେ ଏସିଆ ଓ ଆଫ୍ରିକାର ଛୋଟ ଛୋଟ ଦେଶର ସଂଖ୍ୟା ଅଧିକ ରହିଛି। ଅବଶ୍ୟ ସେଥିରେ ସେ ତିନି ଥର ଭାରତ ଆସିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୧୧୩ଟି ବିଦେଶ ଗସ୍ତରେ ଯେଉଁ ୬୨ଟି ରାଷ୍ଟ୍ର ଭ୍ରମଣ କରିଛନ୍ତି, ସେଥିରେ ୭ଥର ଆମେରିକା ଓ ପାଞ୍ଚଥର ଚୀନ୍, ଫ୍ରାନ୍ସ ଓ ରୁଷ୍ ଯାଇଛନ୍ତି। ମୋଦୀଙ୍କର ଯାତ୍ରାରେ ଯେଉଁ ସବୁ ଛୋଟ ଦେଶ ରହିଛନ୍ତି, ସେମାନଙ୍କର ଭାରତ-ଚୀନ୍ ପ୍ରସଙ୍ଗରେ କୌଣସି ବିଶେଷ ଭୂମିକା ନାହିଁ।
ଶ୍ରୀଲଙ୍କାରେ ଯେପରି ଚୀନ୍ର ପ୍ରବେଶ ହୋଇ ଚାଲିଛି, ତାହା ଭାରତକୁ ସତର୍କ କରାଉଛି। ରାଜଧାନୀ କଲମ୍ବୋ ନିକଟରେ ଚୀନ୍ ଏକ ନୂତନ ସିଙ୍ଗାପୁର କି ଦୁବାଇ ସ୍ଥାପନ କରିବାକୁ ଯାଉଛି। ଶ୍ରୀଲଙ୍କା ତାହାକୁ ନିଜ ପାଇଁ ଏକ ଅପରିମିତ ସମ୍ଭାବନାର ସୁଯୋଗ ବହନ କରିଥିବା ପ୍ରକଳ୍ପ ବୋଲି ବିଚାରୁଛି। ଭାରତକୁ ଏହାର ଜବାବ ଅର୍ଥନୈତିକ ସ୍ତରରେ ନୁହେଁ, ବରଂ ରାଜନୈତିକ ସ୍ତରରେ ଦେବା ଜରୁରୀ। ମାତ୍ର ଏପରି କୌଣସି ଭାରତୀୟ ଉଦ୍ୟମ ଦେଖା ଯାଉନି କି ସେ ବିଷୟରେ ଶୁଣା ବି ଯାଉନି। ଅପର ପକ୍ଷେ, ଚୀନ୍ର ଇଙ୍ଗିତରେ ଓ ଖୋଲା ସମର୍ଥନରେ ମିଆଁମାରର ସୁ’ କିଙ୍କ ଲୋକତାନ୍ତ୍ରିକ ସରକାରଙ୍କୁ ସାମରିକ ବିଦ୍ରୋହ ଦ୍ବାରା ଯେପରି କବ୍ଜା କରାଗଲା ଏବଂ ସେଠାରେ ସମସ୍ତ ଲୋକତାନ୍ତ୍ରିକ ପ୍ରତିରୋଧକୁ ଯେପରି ସେନା ଦ୍ବାରା ପଦାନତ କରାଗଲା, ତାହାର ଜବାବ ଭାରତ କିପରି ଦେଉଛି, ତାହା ଦେଖି ସମଗ୍ର ଏସୀୟ ଅଞ୍ଚଳ ନିରାଶ ଓ ବିବ୍ରତ ହୋଇପଡ଼ିଛି।
ବାଂଲାଦେଶର ସଂଘର୍ଷ ସମୟରେ ଜୟପ୍ରକାଶ ନାରାୟଣ ଭାରତର ବିଦେଶ ନୀତିରେ ନୈତିକ ହସ୍ତକ୍ଷେପ କରି ଏକ କାଳଜୟୀ ଦିଗ୍ଦର୍ଶନ ଦେଇଥିଲେ କି ଲୋକତନ୍ତ୍ରର ଦମନ କୌଣସି ଦେଶର ଆଭ୍ୟନ୍ତରୀଣ ମାମଲା ନୁହେଁ। ସେହି ଆଧାରକୁ ଭିତ୍ତି କରି ମିଆଁମାର ପ୍ରସଙ୍ଗରେ ଭାରତର ଏପରି କରୁଣ ନିରବତା ତାହାକୁ ଚୀନ୍ ଆଗରେ ନତଜାନୁ ହୋଇ ବସିଲା ପରି ପ୍ରତୀୟମାନ କରାଇଛି। ଭାରତୀୟ କୂଟନୀତିର କୌଣସି ବିଦ୍ୟାର୍ଥୀ ଆଜିଠାରୁ ବହୁ ବର୍ଷ ପରେ ଯେବେ ଏହାର ପ୍ରକରଣ ଖୋଜିବ, ତେବେ ଦେଖିବ ଯେ ପୂରା ପ୍ରସଙ୍ଗରେ ଅନ୍ତଃ ରାଷ୍ଟ୍ରୀୟ ଚାପ ସୃଷ୍ଟି ପାଇଁ ପ୍ରୟାସ କରିବାର ସତ୍ସାହସ ଭାରତ ପ୍ରଦର୍ଶନ କରି ନ ଥିଲା। ଏହା ତାକୁ ଲଜ୍ଜା ଦେଇପାରେ। ଆଉ ଯେତେବେଳେ ହଂକଂ କି ତାଇଵାନ୍ ପ୍ରସଙ୍ଗ ଆସିବ, ସେତେବେଳେ ଭାରତର ଭୂମିକା କେଉଁଠି ଓ କିପରି ଥିଲା ବୋଲି ଖୋଜିବାକୁ ପଡ଼ିବ? ଚୀନ୍ର ବିସ୍ତାରବାଦୀ ନୀତି ହଂକଂ ଓ ତାଇଵାନ୍କୁ ନିଜର ଉପନିବେଶ କରି ରଖିବାକୁ ଚାହୁଛି। ହଂକଂ ପ୍ରସଙ୍ଗ ତ ଗୋଟିଏ ଉପନିବେଶରୁ ମୁକ୍ତି ପାଇ ଆଉ ଏକ ଉପନିବେଶ ପଶାପାଲିର ଗୋଟି ସଦୃଶ। ଯଦି ଇଂଲାଣ୍ଡ୍ର ସାମାନ୍ୟତମ ଆଧୁନିକ ଲୋକତାନ୍ତ୍ରିକ ଚେତନା ଥାଆନ୍ତା, ତେବେ ୧୮୪୨ର ନାନକିଂ ସନ୍ଧି ପରି ପ୍ରାଚୀନ ତଥା ଅନୈତିକ ରାଜିନାମା ଆଳରେ ହଂକଂକୁ ଏପରି ଚୀନ୍ ହାତରେ ସମର୍ପି ନଥା’ନ୍ତା। ସତ କହିଲେ ଜନମତ ସଂଗ୍ରହ ପରି ଏମିତି କୌଣସି ବିକଳ୍ପ ପନ୍ଥା ବାହାର କରିବାର ଥିଲା, ଯେଉଁଥିରେ ହଂକଂକୁ ତାହାର ଲୋକତାନ୍ତ୍ରିକ ଚେତନାକୁ ଜାଗ୍ରତ କରିବା ଲାଗି ସୁଯୋଗ ମିଳିପାରିଥା’ନ୍ତା। ମାତ୍ର ନିଜକୁ ଲୋକତନ୍ତ୍ରର ଜନନୀ ଭାବେ ଦାବି କରୁଥିବା ଇଂଲାଣ୍ଡ୍ ଭାରତ ବିଭାଜନ ବେଳେ ୧୯୪୬-୪୭ରେ ଯେଭଳି କୁତ୍ସିତ ଖେଳ ଖେଳିଥିଲା, ୧୯୯୭ରେ ମଧ୍ୟ ଅନୁରୂପ ବ୍ୟବହାର ଦେଖାଇଲା ଏବଂ ହଂକଂକୁ ଚୀନ୍ ଭରସାରେ ଛାଡ଼ିଦେଲା। ସେତେବେଳେ ଏହି ରାଜନୈତିକ ଅନୈତିକତା ବିରୋଧରେ ଭାରତ କୌଣସି ସ୍ବର ଉତ୍ତୋଳନ କରି ନ ଥିଲା କି ଏବେ ଅନୈତିକ ଆଇନ ରାସ୍ତାରେ ଚୀନ୍ ଯେବେ ହଂକଂକୁ ହଜମ କରିବାକୁ ବସିଛି, ସେତେବେଳେ ମଧ୍ୟ ନିରବ ରହିଛି।
ତାଇଵାନ୍ ସମ୍ପର୍କରେ ଏପରି ଏକ ଧାରଣା ତିଆରି କରାଯାଉଛି, ଯେପରି ଏହା ଚୀନ୍ର ଏକ ଅଂଶ ଥିଲା। ଏହା କିନ୍ତୁ ସତ ନୁହେଁ। ତାଇଵାନ୍ରେ ରହୁଥିବା ଜନଜାତିମାନଙ୍କ ସହ ଚୀନ୍ର କୌଣସି ସମ୍ପର୍କ ନ ଥିଲା। ମାତ୍ର ଡଚ୍ ଔପନିବେଶିକମାନେ ଏହାକୁ ଦଖଲ କରି ନିଜ ଫାଇଦା ପାଇଁ ସେଠାରେ ବହୁସଂଖ୍ୟକ ଚୀନୀ ବସତି ସ୍ଥାପନ କରିଥିଲେ। ତିବ୍ବତରେ ଯାହା ଘଟିଲା, ତାଇଵାନ୍ରେ ମଧ୍ୟ ପାଖାପାଖି ସେୟା ଘଟିଲା। ୧୯୪୯ରେ ରକ୍ତାକ୍ତ ଗୃହ ଯୁଦ୍ଧ ପରେ ତାଇଵାନ୍ ନିଜର ଅସ୍ତିତ୍ବ ଜାହିର କଲା ଏବଂ ଧୀରେ ଧୀରେ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ନିଜକୁ ପରିଚିତ କରାଇଲା। ମାତ୍ର ଚୀନ୍ ତିବ୍ବତକୁ ଯେମିତି ଗିଳି ଦେଇଛି, ସେମିତି ତାଇଵାନ୍କୁ ବି ଗିଳି ଦେବାକୁ ବସିଛି। ସାମ୍ରାଜ୍ୟବାଦର କ୍ଷୁଧା ଦାନବ ସଦୃଶ ହୋଇଥାଏ। ଉଭୟ ହଂକଂ ଓ ତାଇଵାନ୍ ସାମ୍ରାଜ୍ୟବାଦର ଦଂଶନ ଭୋଗୁଛନ୍ତି। ତଥାପି ଭାରତ ଚୁପ୍ କାହିଁକି? ଏଇଠି ପ୍ରଶ୍ନ ଉଠେ ଯେ ଆଜି ଭାରତୀୟ ବିଦେଶ ନୀତିର କେନ୍ଦ୍ରବିନ୍ଦୁ ଚୀନ୍ ପରିସରକୁ ଠେଲି ହୋଇଯିବା ଦରକାର ନା ତାହାକୁ ପଛ କରି ଚୀନ୍କୁ ଆମ ସୀମାରେ ସେନା ଶିବିର ନିର୍ମାଣ ପାଇଁ ସୁଯୋଗ ଦେବା ଦରକାର? ବଜାର ଯାହାର ରାଜନୀତି-ଅର୍ଥନୀତିର ନିର୍ଦ୍ଧାରଣ କରିଥାଏ, ତାହାକୁ କିଏ ବୁଝାଇବ ଯେ ଏପରି କିଛି ମୂଲ୍ୟବୋଧ ରହିଛି ଯାହାର ବିକ୍ରିବଟା ହୁଏ ନାହିଁ କି ହେବା ଉଚିତ ମଧ୍ୟ ନୁହେଁ। ମାତ୍ର ଏପରି କରିବାର ନୈତିକ ବଳ ସେତେବେଳେ ଆସିଥାଏ, ଯେତେବେଳେ ଜଣେ ନିଜ ଦେଶ ଭିତରେ ମଧ୍ୟ ଅନୁରୂପ ମୂଲ୍ୟବୋଧ ପ୍ରତି ସଜାଗ ଓ ନିଷ୍ଠାପର ରହିଥାଏ।
ଭାରତର ରାଜନୈତିକ ହିତର ସୁରକ୍ଷା ତଥା ଉପଲବ୍ଧ ସମସ୍ତ ସୁଯୋଗରେ ଚୀନ୍କୁ ପ୍ରତିରୋଧ କରିବାର ରଣନୀତି ହେଉଛି ଆଜିର ସମୟର ଆହ୍ବାନ। ଏ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ରଖିବାରେ ଅଭାବ ପରିଲକ୍ଷିତ ହେଉଛି। ବିଦେଶ ନୀତି କେବେ ଅନ୍ଧ ଭାବରେ ବାଡ଼ି ବୁଲାଇବାର କଳା ନୁହେଁ। ଏପରି ସ୍ବପ୍ନ ଦେଖିବା ଆଉ ବୁଣିବା ପାଇଁ ସୂକ୍ଷ୍ମ କଳା ଚାତୁରୀ ଆବଶ୍ୟକ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ