ଓଡ଼ିଶାର ସ୍ଥିତି-ଏକ ସ୍ଥୂଳ ଚିତ୍ର

ପ୍ରଭାତ ଦାଶ

ଗତ ଡିସେମ୍ବର ୧ ତାରିଖରେ ଏକ ସମ୍ବାଦ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା ଯେ ଓଡ଼ିଶାର ଚାଷୀର ମାସିକ ହାରାହାରି ଆୟ ମାତ୍ର ୫୧୧୨ ଟଙ୍କା, ଯାହା ଦେଶରେ ଦ୍ୱିତୀୟ ସର୍ବନିମ୍ନ, ଯେଉଁଠି କି ମେଘାଳୟ ଚାଷୀଙ୍କ ମାସିକ ୨୯୩୪୮ ଟଙ୍କା, ଅର୍ଥାତ୍‌ ଓଡ଼ିଶା ଚାଷୀଙ୍କ ଆୟର ପ୍ରାୟ ୬ ଗୁଣ। ଏପରି କି ଆମ ରାଜ୍ୟର ପ୍ରତିବେଶୀ ଆନ୍ଧ୍ର, ଛତିଶଗଡ଼ ଏବ ବଙ୍ଗଳା ଚାଷୀଙ୍କ ହାରାହାରି ଆୟ ଓଡ଼ିଶା ଠାରୁ ବହୁ ଆଗରେ। ଓଡ଼ିଶାରେ ଚାଷ ଏବଂ ଚାଷୀ ଯେ ଅତି ବିପର୍ଯ୍ୟସ୍ତ ଅବସ୍ଥାରେ ଏବଂ ଓଡିଶାର ଚାଷୀ ଦୀର୍ଘ କାଳ ଧରି ଚାଷରୁ କୌଣସି ଲାଭ ପାଉନାହିଁ; ଏହା ତା’ର ଦୃଢ଼ ପ୍ରମାଣ।

ଏବେ ଓଡ଼ିଶାର ଚାଷୀମାନେ ଚାଷରୁ ଅମଳ କରିଥିବା ଧାନ ମଣ୍ଡିକୁ ନେଇ ଆସିଛନ୍ତି। ଓଡ଼ିଶାର ସମସ୍ତ ମଣ୍ଡିରେ ଚାଷୀଙ୍କର ପ୍ରବଳ ଭିଡ଼। ସମସ୍ତେ ଚାହିଁ ରହିଛନ୍ତି କେବେ ସେମାନଙ୍କର ଧାନ ମଣ୍ଡିରୁ ଉଠିବ! କିନ୍ତୁ ପରିସ୍ଥିତି ଖରାପ। ମଣ୍ଡିର ପରିଚାଳନା ମିଲର୍‌ମାନଙ୍କ ଇଙ୍ଗିତରେ ହେଉଛି ବୋଲି ଅଭିଯୋଗର ସୁଅ ଛୁଟିଛି। ଆମ ରାଜ୍ୟର ସୀମାନ୍ତ ଅଞ୍ଚଳର ଅନେକ ଚାଷୀ ଅନ୍ୟ ରାଜ୍ୟରୁ ଆସୁଥିବା ଦଲାଲମାନଙ୍କୁ ଶସ୍ତାରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେଲେଣି। ରାଜ୍ୟରେ ଜଳସେଚନର ଅଭାବ, ଶୀତଳ ଭଣ୍ଡା‌ରର ଅଭାବ, ହାତୀ ଓ ମାଙ୍କଡ଼ର ଉପଦ୍ରବରେ ଚାଷ କ୍ଷତିଗ୍ରସ୍ତ। କିନ୍ତୁ ଏହାର ସମାଧାନ ଲାଗି କୃଷି ବିଭାଗରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁନାହିଁ। ଫଳରେ ହଜାର ହଜାର ଚାଷୀ ଚାଷ ଛାଡ଼ି ଶ୍ରମିକ ହେବାକୁ ବାଧ୍ୟ ହେଲେଣି।

ଏହାକୁ ସାବ୍ୟସ୍ତ କରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଶ୍ରମିକ ପଞ୍ଜୀକରଣ। ଶ୍ରମିକ ପଞ୍ଜୀକରଣରେ ଓଡ଼ିଶା ସର୍ବାଗ୍ରେ ରହିଛି। ଓଡ଼ିଶାରୁ ପଞ୍ଜୀକରଣ ସଂଖ୍ୟା ପ୍ରାୟ ୧ କୋଟି ୩୦ ଲକ୍ଷ ଅର୍ଥାତ୍‌ ଓଡ଼ିଶାର ଶ୍ରମିକ ସଂଖ୍ୟା ଓଡ଼ିଶାର ଜନସଂଖ୍ୟାର ଏକ ଚତୁର୍ଥାଂଶ ବା ପ୍ରାୟ ୨୫ ପ୍ରତିଶତରୁ ଅଧିକ। ଏଠାରେ ଲକ୍ଷ୍ୟ କରିବାର କଥା ଓଡ଼ିଶାର ଜନସଂଖ୍ୟା ମାତ୍ର ୪ କୋଟି ୬୩ ଲକ୍ଷ ହୋଇଥିବା ବେଳେ ଉତ୍ତରପ୍ରଦେଶର ଜନସଂଖ୍ୟା ଓଡ଼ିଶାର ପ୍ରାୟ ଚାରି ଗୁଣ। ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟମାନଙ୍କର ଜନସଂଖ୍ୟା ଓଡ଼ିଶା ଠାରୁ ଅନେକ ଅଧିକ। କିନ୍ତୁ ଉପରୋକ୍ତ ପ୍ରଦେଶଗୁଡ଼ିକର ଶ୍ରମିକ ପଞ୍ଜୀକରଣ ସଂଖ୍ୟା ଓଡ଼ିଶା ତୁଳନାରେ ବହୁତ କମ୍‌। ଉତ୍ତରପ୍ରଦେଶର ଶ୍ରମିକ ପଞ୍ଜୀକରଣ ମାତ୍ର ୬୭ ଲକ୍ଷ ଯାହା କି ଜନସଂଖ୍ୟାର ମାତ୍ର ୩ ପ୍ରତିଶତ। ମହାରାଷ୍ଟ୍ରର ଜନସଂଖ୍ୟା ଓଡ଼ିଶାର ପ୍ରାୟ ୨.୫ ଗୁଣ, ମାତ୍ର ସେଠାରେ ଶ୍ରମିକ ପଞ୍ଜୀକରଣ ସଂଖ୍ୟା ୯ ଲକ୍ଷରୁ ଅଳ୍ପ ଅଧିକ ବା ମାତ୍ର ୧ ପ୍ରତିଶତ। ଆସାମ, ଛତିଶଗଡ଼ର ପଞ୍ଜୀକରଣ ସଂଖ୍ୟା ମଧ୍ୟ ୧୦ ଲକ୍ଷ ତଳେ।

ଯଦି ସର୍ବଭାରତୀୟ ସ୍ତରରେ ମହିଳା ଶ୍ରମିକ ପଞ୍ଜୀକରଣ ବିଷୟ ବିଚାରକୁ ନିଆଯାଏ, ତା’ହେଲେ ଇ-ଶ୍ରମ ପୋଟାଲ୍‌ର ପଞ୍ଜୀକରଣ ତଥ୍ୟାନୁସାରେ ୧୫% କେବଳ ଓଡ଼ିଶାରୁ। ଜନସଂଖ୍ୟା ହିସାବରେ ଓଡ଼ିଶାର ଜନସଂଖ୍ୟା ଭାରତ ଜନସଂଖ୍ୟାର ମାତ୍ର ୪%ରୁ ବି କମ୍‌ ହୋଇଥିଲା ବେଳେ ସର୍ବଭାରତୀୟ ଆଧାରରେ ସାଧାରଣ ଶ୍ରମିକ ପଞ୍ଜୀକରଣ ହାର ପ୍ରାୟ ୧୦% ଏବଂ ମହିଳା ଶ୍ରମିକ ପଞ୍ଜୀକରଣ ୧୫ ପ୍ରତିଶତ। ଏହି ପରିସଂଖ୍ୟାନ ଓଡ଼ିଶାର ଦାରିଦ୍ର୍ୟକୁ ସ୍ପଷ୍ଟ କରୁଛି ଯାହା।

ଗଲା ଡିସେମ୍ବର ୨୧ ତାରିଖରେ ଏକ ଖବର ପ୍ରକାଶିତ ହୋଇଥିଲା ଯେ ଓଡ଼ିଶାରେ ୬ ଲକ୍ଷରୁ ଅଧିକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି ଅର୍ଥାତ୍‌ ଓଡ଼ିଶାରେ ଯେତିକି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ସେଥିରୁ ପ୍ରାୟ ୫୦ ଭାଗ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ରହିଯାଉଅଛି।

ବର୍ତ୍ତମାନ ଓଡ଼ିଶାରେ ଯଦି ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଏ, ତା’ହେଲେ ଏକ ଭୟଙ୍କର ତଥ୍ୟ ସାମନାକୁ ଆସିଯାଏ। ତାହା ହେଉଛି ବିଗତ କେତେ ବର୍ଷ ଧରି ଓଡ଼ିଶା ସରକାର ବିଭିନ୍ନ ଛୋଟ ଛୋଟ ପ୍ରକଳ୍ପକୁ ଏକାଠି କରି ଗୋଟିଏ ବିରାଟ ପ୍ୟାକେଜ୍‌ରେ ପରିଣତ କରିଦେଉଛନ୍ତି ଏବଂ ଏହି ବୃହତ ପ୍ରକଳ୍ପ କାର୍ଯ୍ୟକୁ ଓଡ଼ିଶା ବାହାରର ବିଭିନ୍ନ ନିର୍ମାଣ ସଂସ୍ଥାଙ୍କ ହାତକୁ ଟେକି ଦିଆଯାଉଛି। ସେହି ସବୁ ନିର୍ମାଣ ସଂସ୍ଥା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ ପଶ୍ଚିମବଙ୍ଗରୁ ଆସୁଥିବା ଦେଖାଯାଉଛି। ଏହା ପରେ ଆଉ ଯେତେକ ଅଳ୍ପ ଛୋଟ ପ୍ୟାକେଜ୍‌ ରହୁଛି, ତାକୁ ଭାଙ୍ଗି ଛୋଟ ଛୋଟ ଖଣ୍ଡ କରି ଓଡ଼ିଶାର ଠିକାଦାରମାନଙ୍କୁ କରିବାକୁ ଦିଆଯାଉଛି। ପୁଣି ଦେଖିବାକୁ ମିଳୁଛି ଯେ ଦୀର୍ଘ ୮ ବର୍ଷ ତଳର ପୁରୁଣା ଏବଂ ଅବାସ୍ତବ ମୂଲ୍ୟ ଠାରୁ ମଧ୍ୟ ଆହୁରି (-)୧୪.୯୯% କମ୍ ମୂଲ୍ୟରେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ ସଂପାଦନ କରିବାକୁ ବାଧ୍ୟ କରାଯାଉଛି। ଏହାକୁ ସରକାରୀ ଅଧିକାରୀମାନଙ୍କ ଓଡ଼ିଆ ବିରୋଧୀ କାର୍ଯ୍ୟକଳାପ ବୋଲି ଅଭିହିତ କରାଯାଇପାରେ। ତା’ର ଫଳ ହେଉଛି ଓଡ଼ିଶାର ଠିକାଦାରମାନେ ନିର୍ଦ୍ଦିଷ୍ଟ ସମୟରେ ଏବଂ ନିର୍ଦ୍ଦିଷ୍ଟ ଭାବରେ କାର୍ଯ୍ୟ ସଂପାଦନ କରିପାରୁନାହାନ୍ତି ଏବଂ ଯାହାର ପରିଣତି ସ୍ୱରୂପ ଆଜି ଓଡ଼ିଶାରେ ଅସଂଖ୍ୟ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି ଏବଂ ଏଣେ ଓଡ଼ିଶାର ଠିକାଦାରମାନେ ନିଃସ୍ୱ ଅବସ୍ଥାକୁ ଆସି ଗଲେଣି।

କିଛି ଦିନ ତଳେ ଓଡ଼ିଆ ଗଣମାଧ୍ୟମରେ ପ୍ରକାଶିତ ଏକ ସମ୍ବାଦରେ ବିଭିନ୍ନ ଅଞ୍ଚଳର ବେକାରି ସମସ୍ୟା ଉପରେ ତଥ୍ୟ ପ୍ରକାଶ ପାଇଥିଲା। ସେଥିରେ ପ୍ରକାଶ ପାଇଛି ଯେ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ୫୦ ହଜାର ଶିକ୍ଷିତ ଯୁବକ-ଯୁବତୀଙ୍କ ଲାଗି କୌଣସି ନିଯୁକ୍ତି ସୁଯୋଗ ନାହିଁ। ସେହିପରି ଭାବରେ ଝାରସୁଗୁଡ଼ା ଜିଲ୍ଲାର ପରିସ୍ଥିତି ମଧ୍ୟ ଉଦ୍‌ବେଗଜନକ। ପ୍ରକାଶ ଥାଉ କି ଉଭୟ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ହେଉଛନ୍ତି ଓଡ଼ିଶାର ଅଗ୍ରଗଣ୍ୟ ଶିଳ୍ପ ସମୃଦ୍ଧ ଜିଲ୍ଲା। ଝାରସୁଗୁଡ଼ାରେ ଥିବା ଶିଳ୍ପ ସଂସ୍ଥା ସବୁ ଓଡ଼ିଶା ବାହାର ଶିଳ୍ପପତିମାନଙ୍କ ଦ୍ୱାରା ପ୍ରତିଷ୍ଠିତ। ସେମାନେ ସମସ୍ତେ ପ୍ରାୟ ନିଜ ଅଞ୍ଚଳରୁ ବା ଓଡ଼ିଶାର ବାହାର ଅଞ୍ଚଳରୁ ଯୁବକଯୁବତୀମାନଙ୍କୁ ଆଣି କର୍ମ ନିଯୁକ୍ତି ଦେଇଛନ୍ତି। ଫଳତଃ ଓଡ଼ିଶାର ଯୁବକଯୁବତୀମାନେ ନିଯୁକ୍ତି ପାଇବାରୁ ବଂଚିତ। ଜଣାପଡ଼ିଛି ଯେ ସମ୍ବଲପୁରରେ ପ୍ରାୟ ୧୮୭୭୨, ବଲାଙ୍ଗୀର ୩୫୦୦୦, ଢେଙ୍କାନାଳରେ ୨୭୫୪୯, ଗଞ୍ଜାମରେ ୩୮୩୩୭, ଯାଜପୁରରେ ୨୪୬୧୫, ଜଗତ୍‌ସିଂହପୁରରେ ୨୦୭୭୬, ଭଦ୍ରକରେ ୨୭୪୬୪ ଜଣ ପଞ୍ଜିକୃତ ଶିକ୍ଷିତ ଯୁବକଯୁବତୀ କୌଣସି ରୋଜଗାର ନ ପାଇ ବେକାର ହୋଇ ଅଛନ୍ତି।

ଅକ୍‌ଟୋବର ୧୪ରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ସମ୍ବାଦରୁ ଜଣାପଡ଼ିଥିଲା ଯେ ସାଂସଦ ଆଦର୍ଶ ଗ୍ରାମ୍ୟ ଯୋଜନାରେ ଓଡ଼ିଶା ବହୁ ପଛରେ ପଡ଼ିଛି। ତାହାର କାରଣ ଓଡ଼ିଶାର ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ଯେତିକି ଯତ୍ନ ନେବା କଥା ତାହା ନେଉନାହାନ୍ତି। ଏହି ସାଂସଦ ଆଦର୍ଶ ଗ୍ରାମ୍ୟ ଯୋଜନାରେ ଓଡ଼ିଶାରେ ମାତ୍ର ୪୩.୭୬% କାର୍ଯ୍ୟ ଶେଷ ହୋଇଛି, ଯେଉଁଠି ତାମିଲନାଡୁରେ ୯୦.୯୭%, ଉତ୍ତରପ୍ରଦେଶରେ ୮୯.୩୨%, ଗୁଜୁରାଟରେ ୭୯.୫୩% କାର୍ଯ୍ୟ ଶେଷ ହୋଇଛି। ଏହି ପରିସ୍ଥିତି ପାଇଁ ଓଡ଼ିଶାର ସାଂସଦମାନେ ସମ୍ପୂର୍ଣ୍ଣ ରୂପେ ଦାୟୀ ଏବଂ ଏହା ସେମାନଙ୍କର ଉଦାସୀନତା ବ୍ୟତୀତ ଆଉ କିଛି ନୁହେଁ।

ଓଡ଼ିଶାର ଦୟନୀୟ ସ୍ଥିତି କଥା ବିଚାର କଲେ ଆମ ରାଜ୍ୟରେ ଥିବା କୁଷ୍ଠ ରୋଗୀଙ୍କ କଥା ମନକୁ ଆସେ। ଆମ ରାଜ୍ୟରେ ସେମାନଙ୍କ ସଂଖ୍ୟା ଜାତୀୟ ହାର ଠାରୁ ବହୁ ଅଧିକ। ବରଗଡ଼, ସୋନପୁର ଏବଂ ବଲାଙ୍ଗୀରରେ ପରିସ୍ଥିତି ଅତି ଭୟାନକ। କିନ୍ତୁ ଏମାନଙ୍କ ଲାଗି ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ଚିନ୍ତା ବା ଯୋଜନା ନାହିଁ। ସେମିତି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ‘ନାହିଁ ନାହିଁ’ର ସ୍ଥିତି ଦ୍ବାରା ଆକ୍ରାନ୍ତ। ଏଠାରେ ୩୦% ସରକାରୀ ବିଦ୍ୟାଳୟରେ ବ୍ୟବହାର ଯୋଗ୍ୟ ଶୌଚାଳୟ ନାହିଁ। ସଂଚାର ଶିକ୍ଷା ବା ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ବଂଚିତ। ଗଲା ଡିସେମ୍ବର ମାସରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ ବିଗତ ୧୯ ବର୍ଷ ଭିତରେ ଓଡ଼ିଶାରେ ୧୭୦୦ ମହିଳାଙ୍କୁ ହତ୍ୟା କରାଯାଇଛି; ଅର୍ଥାତ୍‌ ବର୍ଷକୁ ପ୍ରାୟ ୯୦ ଜଣ ମହିଳାଙ୍କୁ ହତ୍ୟା କରାଯାଉଛି। ଏହି ପରିସଂଖ୍ୟାନ ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। କିନ୍ତୁ ସତ କହିଲେ ଏଭଳି ଘଟଣା ଅଧିକ ଘଟିଥିବା ସମ୍ଭବ, ଯାହା ବିଭିନ୍ନ କାରଣରୁ ପୁଲିସ ନଜରକୁ ଆସି ନ ଥା‌ଏ। ସେମିତି ଗତ ଡିସେମ୍ବର ୨୦ରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ ସାଧାରଣ ଉଦ୍ୟୋଗ ବିଭାଗର ସଂସ୍କାର ପରିପ୍ରେକ୍ଷୀରେ ୭ କୋଟି ଟଙ୍କା ପରାମର୍ଶଦାତାଙ୍କ ବେତନ ତଥା ଅନ୍ୟାନ୍ୟ କାମରେ ବ୍ୟୟ ହୋଇ ସାରିଲାଣି, ଅଥଚ କୌଣସି ପରାମର୍ଶ ମିଳି ପାରିନାହିଁ।

ଏହା ଓଡ଼ିଶାର ଯେଉଁ ଚିତ୍ର ପ୍ରଦାନ କରୁଛି, ତହିଁରେ ପରିବର୍ତ୍ତନ ଆଣିବାକୁ ହେଲେ ଦୃଢ଼ ଶାସନୀୟ ଓ ପ୍ରଶାସନୀୟ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ତାହା ସହିତ ଆବଶ୍ୟକ ଏକ ସମର୍ପିତ ଭାବ। କିନ୍ତୁ ମନେହୁଏ ଯେ ସରକାରର ମଙ୍ଗରେ ଥିବା ବ୍ୟକ୍ତିମାନେ ଓଡ଼ିଶାର ଉନ୍ନତି ଦିଗରେ ବୀତସ୍ପୃହ।

ମୋ- ୯୪୩୭୦୧୩୪୬୬

ସମ୍ବନ୍ଧିତ ଖବର