ମହାକାଳ ବକ୍ଷରେ ଅଲିଭା ଚିହ୍ନ

ମହମ୍ମଦ ହିଫ୍‌ଜୁର ‌ରହେମାନ୍

କରୋନା ‘ଲକ୍‌ଡାଉନ୍’ ପୂର୍ବରୁ ଆକାଶରେ ଦିନକୁ ଉଡ଼ୁଥିଲେ ଏକ ଲକ୍ଷ ଦୁଇ ହଜାରରୁ ଅଧିକ ବିମାନ। ଏକ ରିପୋର୍ଟ ଅନୁସାରେ ଯେକୌଣସି ମୁହୂର୍ତ୍ତରେ ଆକାଶରେ ୯୭୦୦ ବିମାନ ଉଡ଼ୁଥାନ୍ତି। କିନ୍ତୁ ଏବେ ଏହି ସଂଖ୍ୟା ମାତ୍ର ୧୭୦୦। ଭାରତରେ ମଧ୍ୟ ଦିନକୁ ଉଡ଼ୁଥିଲେ ୮୨୦୦ରୁ ଅଧିକ ବିମାନ। ଏବେ ଏସବୁ ଭୂମି ଆବଦ୍ଧ। ସେହିଭଳି ଭାରତରେ କମ୍ପନ ସୃଷ୍ଟି କରୁଥିବା ରେଳ ମଧ୍ୟ ନିରବ ‌େହାଇଯାଉଛି। ଦୈନିକ ଅଢ଼େଇ କୋଟି ଲୋକଙ୍କୁ ନେଇ ଯାଉଥିବା ୧୨୦୦ ପାସେଞ୍ଜର ଟ୍ରେନ୍‌ ଏବେ ନିରବ। ବସ୍, କାର୍‌ ସମେତ ଭାରତୀୟ ରାସ୍ତାରେ ଗଡ଼ୁଥିବା ୨୪ କୋଟି ଗାଡ଼ି ମଧ୍ୟରୁ ଅଧିକାଂଶ ଗାଡ଼ି ଗଡ଼ୁନି। ରାସ୍ତା ଶୂନ୍‌ଶାନ୍। ଏଭଳି ଦିନକୁ ବିଶ୍ବ ସାମନା କରିବ ବୋଲି କେହି କେବେ କଳ୍ପନା ସୁଦ୍ଧା କରି ନଥିଲେ। ସତରେ ପ୍ରକୃତିର ରୋଷ ନିକଟରେ ମନୁଷ୍ୟ କେତେ ଅସହାୟ! ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରରେ ପ୍ରକୃତିକୁ ଜୟ କରିସାରିଛି ବୋଲି ଆସ୍ଫାଳନ କରୁଥିବା ମଣିଷ ଆଜି ଗୋଟିଏ ଭୂତାଣୁ ଆଗରେ କେତେ ଅସହାୟ ହୋଇପଡ଼ିନାହିଁ ସତେ? ମଣିଷର ଶତ୍ରୁଙ୍କ ତାଲିକାରେ ଏକ ନୂଆ ନାମ ଯୋଡ଼ି ହୋଇଯାଇଛି। ତାହା କରୋନା ହୋଇପାରେ ଅବା ହୋଇପାରେ ଅନ୍ୟ କୌଣସି ଭୂତାଣୁ!

କୁଆଡ଼େ ଗଲେ ‘ସୁପର ପାୱାର’? ଆମେରିକା ଅ‌ାଣ୍ଠେଇଛି। ଏଠାରେ ଲକ୍ଷାଧିକ ଲୋକ ମଲେଣି। କଥା କଥାରେ ଯୁଦ୍ଧର ଧମକ ଦେଉଥିବା ଆମେରିକା ଆଜି ଔଷଧ ପାଇଁ ହାତ ପତାଉଛି। ପୃଥିବୀକୁ କରୋନା ଭୂତାଣୁ ରପ୍ତାନି କରିଦେଇ ଚୀନ ଲୁଚିଛି। ଅତ୍ୟାଧୁନିକ ଜୀବନଶୈଳୀ ଓ ଚିକିତ୍ସା ବ୍ୟବସ୍ଥାକୁ ନେଇ ଗର୍ବ କରୁଥିବା ୟୁରୋପ ଆଜି ଶ୍ମଶାନ ପାଲଟିଛି। ବୈଜ୍ଞାନିକ ଉପଲବ୍‌ଧି ବିଷୟରେ ସେଠି ଆଉ କେହି ଭାବୁ ନାହାନ୍ତି। କଫିନ ଲାଗି କାଠର ଅଭାବ ଦେଖାଦେଲାଣି। ଚାରିଆଡ଼େ ହାହାକାରମୟ ସ୍ଥିତି। କରୋନା ବିପତ୍ତି ମଣିଷର ‘ଲାଇଫ ଷ୍ଟାଇଲ’କୁ ବଦଳାଇ ଦେଇଛି। ଅଫିସ ଏବଂ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଗହଳଚହଳ ଭରା ରାସ୍ତାଘାଟ ଏବେ ଶୂନ୍‌ଶାନ୍। ଲୋ‌େକ ଘରୁ ବାହାରୁ ନାହାନ୍ତି। ଘ‌େର ରହି ଅଫିସ କାମ କରୁଛନ୍ତି। ସ୍କୁଲ, କଲେଜ ବନ୍ଦ। ଦୋକାନ ବଜାର ବି ବନ୍ଦ। ମନ୍ଦିର, ମସ୍‌ଜିଦ ଓ ଅନ୍ୟ ଧର୍ମାନୁଷ୍ଠାନ ବି ବନ୍ଦ। ଅତ୍ୟାଧୁନିକ ‘ଲାଇଫ ଷ୍ଟାଇଲ’କୁ ପରିଭାଷିତ କରିଥିବା ବଡ଼ ବଡ଼ ସପିଂ ମଲ୍, କ୍ଲବ୍‌, ବିଉଟି ପାର୍ଲର ସବୁ ବନ୍ଦ। ସମୁଦ୍ରର ବେଳାଭୂମି ଜନମାନବ ଶୂନ୍ୟ ଏବଂ ସେହି କୋଳାହଳଶୂନ୍ୟ ବେଳାଭୂମିରେ ମନ ଖୁସିରେ ଡେଇଁ ଡେଇଁ ସମୁଦ୍ର ସ୍ନାନ କରୁଥିବା ହରିଣ ଛୁଆର ଭିଡିଓ ସର୍ବତ୍ର ଭାଇରାଲ ହେଉଛି।

ଆସ୍ଥା ଓ ଧର୍ମ ନାମରେ ଚାଲିଥିବା ପ୍ରତିଯୋଗିତାରେ ଗଢ଼ି ଉଠିଥିବା ହଜାର ହଜାର ସଂଖ୍ୟକ ଧର୍ମାନୁଷ୍ଠାନରେ ଆଜି ତାଲା ପଡ଼ିଛି। ଏକ ହିସାବରୁ ଜଣାପଡ଼ିଛି ଯେ ଆମ ଦେଶରେ ଥିବା ୩୦ ଲକ୍ଷ ମନ୍ଦିର, ୪ ଲକ୍ଷ ମସ୍‌ଜିଦ ଏବଂ ଆହୁରି ହଜାର ହଜାର ଧର୍ମପୀଠରୁ ପ୍ରାୟ ସବୁ ବନ୍ଦ ରହିଛି। ପ୍ରବଳ ଜନସମାଗମ ସୃଷ୍ଟି କରୁଥିବା ଧର୍ମ ଉତ୍ସବର ପ୍ରଶ୍ନ ନାହିଁ। ଶହେ ତିରିଶ କୋଟିରୁ ଅଧିକ ସଂଖ୍ୟକ ଲୋକ ପାଇଁ ଆମ ଦେଶରେ ଯେତିକି ଡାକ୍ତରଖାନା ରହିଛି ତାହା ଅତି କମ୍। କରୋନା ସଂକ୍ରମଣ ପରେ ଚେତା ପଶିଛି। ତେଣୁ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଅନେକ ଅସ୍ଥାୟୀ ମେଡିକାଲ ଖୋଲାଯାଉଛି। କେଉଁଠି ଷ୍ଟାଡିୟମ ଅସ୍ଥାୟୀ ମେଡିକାଲରେ ପରିଣତ ହେଲାଣି ତ କେଉଁଠି ଶିକ୍ଷାନୁଷ୍ଠାନ ଓ ହୋଟେଲ୍‌ରେ ଏ ବ୍ୟବସ୍ଥା କରାଯାଉଛି। ମଣିଷ ହାତରେ ଆଉ କିଛି ନାହିଁ। ଏ ସଂପର୍କରେ ବିଶିଷ୍ଟ ସ୍ତମ୍ଭକାର ଟିଜିଏସ୍ ଜର୍ଜ ଲେଖିଛନ୍ତି, ‘ଅତୀତରେ ମଣିଷ ବିଶ୍ବର ଦିଗ ନିର୍ଣ୍ଣୟ କରୁଥିଲା। କିନ୍ତୁ ଏଥର ବିଶ୍ବ ଆମ ପାଇଁ ଯେଉଁ ପରିବେଶ ସୃଷ୍ଟି କରିବ, ସେଥିରେ ଆମକୁ ଚଳିବାକୁ ପଡ଼ିବ, ଆମକୁ ଭଲ ଲାଗୁ ବା ନ ଲାଗୁ।’

ଏବେ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ଖସି ଯାଇଛି। ପୃଥିବୀ ଟିକିଏ ଶାନ୍ତିର ପ୍ରଶ୍ବାସ ନେଉଛି। ଆକାଶର ପ୍ରକୃତ ନୀଳ ରଙ୍ଗ ଏବେ ‌େଦଖାଗଲାଣି। ଅନେକ ଦିନ ହେଲା ଦେଖା ଯାଉ ନ ଥିବା ପକ୍ଷୀ ଏବେ ମୁକ୍ତ ଆକାଶରେ ଘୂରି ବୁଲୁଛନ୍ତି। କରୋନା ଭାଇରସ୍‌ ସାରା ବିଶ୍ବକୁ ଏଭଳି ଏକ ମୋଡ଼ରେ ଆଣି ଠିଆ କରାଇ ଦେଇଛି, ଯେଉଁଠି ସମୟ ଦୁଇ ଭାଗରେ ବିଭାଜିତ। ମଣିଷର ଇତିହାସ‌େର ଏଣିକି ଯାହା ବି କୁହାଯିବ ତାକୁ ‘କରୋନା ପୂର୍ବବର୍ତ୍ତୀ ସମୟ’ ବା ‘କରୋନା ପରବର୍ତ୍ତୀ ସମୟ’ ଆଧାରରେ କୁହାଯିବ। ୨୦୨୦ ମହାକାଳ ବକ୍ଷରେ ଏକ ଅଲିଭା ଚିହ୍ନ ହୋଇ ରହିଯିବ।
[email protected]

ସମ୍ବନ୍ଧିତ ଖବର