ବିଡିଓ ବାବୁ

ପ୍ରଶାସକର ଅନୁଭୂତି - କୃଷ୍ଣଚନ୍ଦ୍ର ମହାପାତ୍ର

ସେତେବେଳେ ମୁଁ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଥାଏ। ରବିବାର ଦିନ ଛୁଟି ହେତୁ ସରକାରୀ ଅଫିସ୍‌ର କୋଳହଳପୂର୍ଣ୍ଣ ପରିବେଶ ଶାନ୍ତ ରହୁଥିଲେ ମଧୢ ସକାଳୁ ମଧୢାହ୍ନ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଚଳଚଞ୍ଚଳତା ଲାଗି ରହେ। ଦିନ ଯାକର ବ୍ୟସ୍ତତା ପରେ ନିଦାଘ ଗ୍ରୀଷ୍ମର ତତଲା ତାଵାରୁ କିଛି କ୍ଷଣ ମୁକ୍ତି ପାଇବା ପାଇଁ ସର୍କିଟ୍‌ ହାଉସ୍‌ ପ୍ରାଚୀରକୁ ଲାଗି ଥିବା କ୍ଷୁଦ୍ର ଜଳସେଚନ ପୋଖରୀ ନିକଟରେ ଚଉକି ପକାଇ ମୁଁ ବିଶ୍ରାମ ନେଉଥାଏ। ହଠାତ୍‌ ଭାବିଲି ଓଡ଼ଗାଁ ଯାଇ ପ୍ରଭୁ ଶ୍ରୀରଘୁନାଥଙ୍କୁ ଦର୍ଶନ କରିବା ସହିତ ନୂତନ କରି ପ୍ରତିଷ୍ଠା ହେବାକୁ ଯାଉଥିବା ‘ରାମ ବିହାର’ ଆଡ଼େ ଟିକିଏ ବୁଲି ଆସିଲେ ଭଲ ହୁଅନ୍ତା। ‘ରାମ ଜନ୍ମ’ ଠାରୁ ଆରମ୍ଭ କରି ‘ରାମାଭିଷେକ’ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରଘୁନାଥଙ୍କର ବିଭିନ୍ନ ବେଶକୁ ମୃଣ୍ମୟ ମୂର୍ତ୍ତି ଜରିଆରେ ଅତି ଆକର୍ଷଣୀୟ ଭାବେ ପ୍ରତିଷ୍ଠା କରିବାର ଉଦ୍ୟମର ଫଳଶ୍ରୁତି ଥିଲା ‘ରାମ ବିହାର’, ଯାହାକୁ ସେହି ବର୍ଷ ରାମନବମୀ ଠାରୁ ସାର୍ବଜନୀନ କରିବାର ଯୋଜନା ଥିଲା।

ଓଡ଼ଗାଁ ରଘୁନାଥଜିଉଙ୍କ ଦର୍ଶନ ସାରି ଗଲି ‘ରାମ ବିହାର’ ଏବଂ ସେଠାରେ କାର୍ଯ୍ୟର ସମୀକ୍ଷା ସାରି ଫେରିଲି ନୟାଗଡ଼। ଫେରିବା ବାଟରେ ନୟାଗଡ଼ ପହଞ୍ଚିବା ପୂର୍ବରୁ ଭାବିଲି ପଲ୍ଲୀଶାସନ ଓ ଆଉ କେତୋଟି ଗ୍ରାମକୁ ଯାଇ ସେଠାରେ ଲୋକମାନଙ୍କ ସହିତ ମିଶିିବି। ସେମାନଙ୍କ ସୁବିଧା-ଅସୁବିଧା କଥା ଆଲୋଚନା କରିବି।

ଗାଡ଼ି ପହଞ୍ଚିଲା ପଲ୍ଲୀଶାସନ ଗ୍ରାମରେ। ପଞ୍ଚାୟତ ସେଚ କୂପ ନିକଟରେ ଗାଡ଼ି ରଖି କୂପ ନିକଟକୁ ଗଲି। ସେଠାରେ ମୋଟର ପମ୍ପ୍‌ ଲଗାଯାଇ ଚତୁଃ ପାର୍ଶ୍ବରେ ପ୍ରାୟ ୫୦ରୁ ୬୦ ଏକର ଜମିରେ ପାଣି ମଡ଼ାଇବାର ବ୍ୟବସ୍ଥା କରାଯାଇଥିଲା। ଚାଷୀମାନଙ୍କ ସହିତ ଉତ୍ତମ ବୁଝାମଣା ରଖି ପଞ୍ଚାୟତ ଜଳସେଚନ କରୁଥିଲା। ଗାଁଟି ଛୋଟ। ଗ୍ରାମବାସୀମାନେ ମୁଖ୍ୟତଃ ଚାଷୀ। ଚାକିରିଆ ବହୁତ କମ୍‌। ଗାଁର ଲୋକମାନଙ୍କର ଆର୍ଥିକ ଅବସ୍ଥା ଅପେକ୍ଷାକୃତ ସ୍ବଚ୍ଛଳ। ମୋ ଆଗରେ ସେଚ କୂପର ଆୟକଟ ପରିସରଭୁକ୍ତ ଜମିରେ ଖରାଦିନିଆ ଧାନ ଓ ରବି ଫସଲର ସମ୍ଭାର। ମନ ଖୁସିରେ ପୂରି ଉଠିଲା। ଭାବୁଥଲି ଏ ରାଜ୍ୟରେ ପୁଣି କେତେ ଚାଷଜମି ପଡ଼ିଆ ପଡ଼ିଛି; ଅନେକ ସ୍ଥାନରେ କ୍ଷୁଧାର ତାଡ଼ନା! କିନ୍ତୁ କାହିଁକି? କାହିଁକି ଏଭଳି ସବୁଜ ଶସ୍ୟର ମହୋତ୍ସବ ସର୍ବତ୍ର ଦେଖିବାକୁ ମିଳୁନାହିଁ?

ନାଲିବତି ଲାଗିଥିବା ଗାଡ଼ି ଦେଖି ତାସ ଖେଳୁଥିବା ଯୁବକ ଓ କିଛି ମଧ୍ୟ-ବୟସ୍କ ସେଠାରେ ଜୁଟିଲେ। କିଛି ସମୟ ପରେ ସରପଞ୍ଚ ମଧ୍ୟ ଆସି ପହଞ୍ଚିଲେ। ସେ ଯୁବକ ଲୋକ। ମୁଁ ତାଙ୍କୁ ପଚାରିଲି -‘ଗାଁର ଯୋଉ ଜମି ପଡ଼ିଆ ପଡ଼ିଛି, ‌େସଥି ଲାଗି ବ୍ୟାଙ୍କ୍‌ ଋଣ ଓ ବିଜୁଳି ସବ୍‌ସିଡିର ସୁ‌େଯା‌ଗ ନେଇ ସେଚ କୂପର ବ୍ୟବସ୍ଥା କରୁନାହାନ୍ତି କାହିଁକି?

ସରପଞ୍ଚ କହିଲେ- ଆଜ୍ଞା, ଠିକ କଥା କହୁଛନ୍ତି। ଆମେ କରିବୁ। ହେଲେ, ସାର୍ ଏହି ପଞ୍ଚାୟତ ସେଚ କୂପଟି ବହୁତ ପୁରୁଣା। ଆମେ ଶୁଣିଛୁ ସେ ସମୟର ଜଣେ ବିଡିଓ ସାର‌୍‌ଙ୍କ ଯୋଗୁ ଏହା ସମ୍ଭବ ହେଲା। ତା’ ପରେ ସେମିତି ଆଉ ହୋଇନାହିଁ।

ସେମାନେ ୧୯୮୦-୮୧ ମସିହାର କଥା କହୁଥିଲେ ଅର୍ଥାତ୍‌ ସେତେବେଳକୁ ୨୦ରୁ ୨୨ ବର୍ଷ ବିତି ସାରିଥାଏ। ସେହି ବର୍ଷ ବ୍ଲକ୍‌ର ପ୍ରତି ଗାଁରେ ଚାଷୀଙ୍କ ଜମିରେ ବିଦ୍ୟୁତ୍‌ ଚାଳିତ ସେଚ କୂପମାନ ଖୋଳିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚେଷ୍ଟା ଚାଲିଥାଏ। ବିଡିଓମାନେ ବିଧାୟକଙ୍କ ସହ ଗାଁ ଗାଁ ବୁଲି ଲୋକମାନଙ୍କୁ ଏ ବାବଦରେ ବୁଝାଉଥାଆନ୍ତି ଓ ବ୍ୟାଙ୍କ୍‌ ଋଣ, ସବ୍‌ସିଡି, ବିଦ୍ୟୁତ୍‌ ଯୋଗାଣ ଇତ୍ୟାଦି କାମର ତଦାରଖ କରୁଥାଆନ୍ତି। ସେହି ପରିପ୍ରେକ୍ଷୀରେ ସେହି ଯୁବ ସରପଞ୍ଚ ଓ ଯୁବକମାନେ ପୁରୁଣା ବିଡିଓଙ୍କ କଥା ସୁମରଣା କରୁଥିଲେ। ଏମାନଙ୍କ ମଧ୍ୟରୁ କେହି ହେଲେ ବିଡିଓ ବାବୁଙ୍କୁ ଦେଖି ନ ଥିଲେ; କେବଳ ଯାହା ତାଙ୍କ ବିଷୟରେ ବାପା ବା ଦାଦାମାନଙ୍କ ଠାରୁ ଶୁଣିଥିଲେ।

ମୁଁ ଗାଁର କେତେକ ମୁରବି ସ୍ଥାନୀୟ ଲୋକଙ୍କ ବାବଦରେ ପଚାରିଲି। ସେମାନଙ୍କ ମଧ୍ୟରୁ କେତେକ ଆଉ ଜୀବିତ ନ ଥିଲେ। ପୂର୍ବତନ ସରପଞ୍ଚ ବି ନ ଥିଲେ। ତେବେ ମୋ ଲାଗି ଯାହା ବିସ୍ମୟକର ଥିଲା, ତାହା ହେଉଛି ଜଣେ ପୁରୁଣା ସରକାରୀ ଅଫିସରଙ୍କ କାମକୁ ଗାଁର ନୂଆ ପିଢ଼ି ସ୍ମରଣରେ ରଖି ତା’ର ପ୍ରଶଂସା କରିବା।

ସନ୍ଧ୍ୟା ହେବାକୁ ବସିଥିଲା। ମୁଁ ଗାଁ ଭିତରକୁ ନ ଯାଇ ସେହିଠାରୁ ଫେରିବାକୁ ବାହାରିଲି। ଅକସ୍ମାତ୍‌ ସେଠାରେ ପହଞ୍ଚିଗଲେ ପଞ୍ଚାୟତର ପୁରୁଣା ସ˚ପାଦକ। ତାଙ୍କୁ ଚିହ୍ନି ପାରିଲି। ତାଙ୍କ ସମୟରେ ହିଁ କୂପଟି ନିର୍ମିତ ହୋଇ କାମ କରିବା ଆରମ୍ଭ କରିଥିଲା। ମାଛି ଅନ୍ଧାରରେ ଏବଂ ତାଙ୍କ ଦୃଷ୍ଟି ଶକ୍ତି ନିଷ୍ପ୍ରଭ ହୋଇ ଆସୁଥିବା ସତ୍ତ୍ବେ ‌େସ ମୋତେ ଚିହ୍ନି ପାରି ‘ସାର‌୍‌ ପ୍ରଣାମ’ ବୋଲି ଉଚ୍ଛ୍ବସିତ ଭାବେ କହି ଉଠିଲେ। ସେଠାରେ ଜମିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ସେ କହିଲେ- ଆରେ ଜାଣିଛ କି ନାହିଁ, ୟେ ପରା ସେହି ବିଡିଓ ବାବୁ!

କହି ରଖେ ଯେ ସେହି ସମୟରେ ଗୋଟିଏ ବର୍ଷରେ ନୟାଗଡ଼ ବ୍ଲକ୍‌ରେ ୧୦୨ଟି ବିଦ୍ୟୁତ୍‌ ଚାଳିତ ସେଚ କୂପ ନିର୍ମାଣ କରାଯାଇପାରିଥିଲା। ନୟାଗଡ଼ ବ୍ଲକ୍‌ର ଆଖୁ ଚାଷୀ ଓ ଅନ୍ୟାନ୍ୟ ଚାଷୀମାନେ ଏହାର ଭରପୂର ଲାଭ ପାଇଥିଲେ।

ହଠାତ୍‌ ପରିବେଶଟି ଉଷ୍ମ ହୋଇ ଉଠିଥିଲା। ସେମାନଙ୍କ ଚକ୍ଷୁରେ ଆନନ୍ଦ ଓ କୃତଜ୍ଞତା ଦେଖିପାରୁଥିଲି। କିନ୍ତୁ ଯାହା ମୋ ମନକୁ ଆପ୍ଳୁତ କରିଥିଲା ତାହା ମଧ୍ୟ ଏକ କୃତଜ୍ଞତାର ଭାବ। ସତରେ ଗ୍ରାମବାସୀମାନେ କେତେ ମହାନ୍‌। ମୁଁ ଜଣେ ଅଧିକାରୀ ଭାବେ ମୋର କର୍ତ୍ତବ୍ୟ ସଂପାଦନ କରିଥିଲି ମାତ୍ର; କିନ୍ତୁ ସେମାନେ ତାହାକୁ ଏକ ବରଦାନର ମାନ୍ୟତା ଦେଇ ନିଜ ସ୍ମୃତିରେ ସାଇତି ରଖିଥିଲେ। ବୋଧହୁଏ, ଏହା ହିଁ ଜଣେ ସରକାରୀ କର୍ମଚାରୀ ଲାଗି ସର୍ବାଧିକ ମୂଲ୍ୟବାନ ଉପହାର। ସବୁ ପ୍ରଶାସନିକ ଅଧିକାରୀ ହୃଦୟଙ୍ଗମ କରିବା ଉଚିତ ଯେ ଗ୍ରାମାଞ୍ଚଳରେ ସେମାନେ କରିଥିବା ମହତ୍‌ କାମ କେବେ ହେଲେ ବିସ୍ମୃତିର ଗର୍ଭକୁ ଯାଇ ନ ଥାଏ। ଗୋଟିଏ ପିଢ଼ି ତା’ର ପରବର୍ତ୍ତୀ ପିଢ଼ିକୁ ସେ ବିଷୟରେ ଜଣାଇ ଦେଇଥାଏ, ଯେମିତି ପଲ୍ଲୀଶାସନ ଗାଁର ଯୁବକମାନେ ଜାଣିଥିଲେ। ଫେରିବା ବାଟରେ ସେହି ଗ୍ରାମବାସୀମାନଙ୍କ ସଦୟ କୃତଜ୍ଞତା ଲାଗି ମୋ ଆଖି ମଧ୍ୟ କୃତଜ୍ଞତାର ଅଶ୍ରୁରେ ସଜଳ ହୋଇ ଉଠିଥିଲା।

ପୂର୍ବତନ ଜିଲ୍ଲାପାଳ
ମୋ- ୯୪୩୭୦୩୨୦୦୨

ସମ୍ବନ୍ଧିତ ଖବର