ସାହିତ୍ୟ ଏକାଡେମୀ- ସମ୍ବିଧାନ ପଢ଼ିଛନ୍ତି କି ସଭାପତି?

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଆଶ୍ୱସ୍ତିର କଥା, ଯେ ଆଗାମୀ ମାର୍ଚ୍ଚ ୨ ତାରିଖ ପୂର୍ବାହ୍ନରେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦର ଏକ ବୈଠକ ବସିବାକୁ ଯାଉଛି। କିନ୍ତୁ ଅସ୍ୱସ୍ତିର କଥା ଏହି, ଯେ ଏହି ବୈଠକ ଦୀର୍ଘ ପାଞ୍ଚମାସ ପରେ ବସିବ।

ଏହା ଯୁଗପତ୍ ଏକ ଆଶ୍ୱସ୍ତିକର ଓ ଅସ୍ୱସ୍ତିକର ବିଷୟ ଏଇଥିପାଇଁ, ଯେ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ସମ୍ବିଧାନ ଅଛି ଏବଂ ସେହି ସମ୍ବିଧାନରେ କାର୍ଯ୍ୟକାରୀ ପରିଷଦର ବୈଠକ ବସିବା ନିମନ୍ତେ ନିର୍ଦ୍ଦିଷ୍ଟ ଅବଧି ନିର୍ଦ୍ଧାରିତ ହୋଇଛି। ତାହାର ‘କଣ୍ଡକ୍ଟ ଅଫ୍ ବିଜିନେସ୍‌’ ବିଭାଗରେ କାର୍ଯ୍ୟକାରୀ ପରିଷଦର କାର୍ଯ୍ୟଧାରା ସଂପର୍କରେ ଉଲ୍ଲେଖ ରହିଛି। ଧାରା ୧(କ)ରେ କୁହାଯାଇଛି- କାର୍ଯ୍ୟକାରୀ ପରିଷଦର ବୈଠକ ମାସକୁ ଅନ୍ତତଃ ଥରେ ବସିବ ଏବଂ ସେହି ବୈଠକ ଏକାଡେମୀର ମୁଖ୍ୟାଳୟରେ ହେବ କି ଅନ୍ୟ କୌଣସି ସ୍ଥାନରେ, ତାହା ସଭାପତି ସ୍ଥିର କରିବେ। ଆହୁରି ମଧ୍ୟ, ତାହାର ଧାରା- ୧ (ଖ)ରେ ଉଲ୍ଲେଖ ଅଛି- ଏହା ବ୍ୟତୀତ ଅନ୍ୟକୌଣସି ସମୟରେ ମଧ୍ୟ ସଭାପତି ପ୍ରୟୋଜନମତେ ନିଜେ କିମ୍ବା ଅନ୍ତତଃ ତିନିଜଣ ସଦସ୍ୟଙ୍କ ଉପରୋଧ ବା ତାଗିଦାରେ ଏହି ବୈଠକ ଡାକି ପାରିବେ।

ଓଡ଼ିଶା ସାହିତ୍ୟ ଏକାଡେମୀର ଶେଷ କାର୍ଯ୍ୟକାରୀ ପରିଷଦ ବୈଠକ ବସିଥିଲା ୨୭ ସେପ୍ଟେମ୍ବର, ୨୦୨୧ରେ। ଏଣୁ ୨ ମାର୍ଚ୍ଚ ୨୦୨୨ରେ ଡକାଯାଇଥିବା ବୈଠକରୁ ସୂଚିତ, ଯେ ପ୍ରତିମାସରେ ଅନ୍ତତଃ ଥରେ ଏହି ବୈଠକ ବସିବାପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ଥିବାବେଳେ, ସଭାପତି ଦୀର୍ଘ ପାଞ୍ଚମାସ ଭିତରେ କାର୍ଯ୍ୟକାରୀ ପରିଷଦର ଗୋଟିଏ ହେଲେ ବୈଠକ ଡାକି ନାହାନ୍ତି। ଏଥିରୁ ଧାରଣା ହେଉଛି, ସେ ହୁଏ’ତ ସାହିତ୍ୟ ଏକାଡେମୀର ସମ୍ବିଧାନ ଠିକ୍ ଭାବରେ ପଢ଼ି ନାହାନ୍ତି; ବା ପଢ଼ିଥିଲେ, ଏହି ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ତାଙ୍କର ଖାତିର ନାହିଁ। ସମ୍ବିଧାନର ସେହି ବିଭାଗର ଧାରା-୫ରେ ମଧ୍ୟ ସ୍ପଷ୍ଟ ସୂଚିତ ଅଛି, ଯେ ଏକାଡେମୀର ସଚିବ (ସଂପାଦକ) ସଭାପତିଙ୍କ ସହ ପରାମର୍ଶ କରି ବୈଠକର କାର୍ଯ୍ୟସୂଚି ପ୍ରସ୍ତୁତ କରିବେ। ଏଣୁ, ଏଥିରୁ ମଧ୍ୟ ଧାରଣା ହୁଏ ଯେ ସଚିବ ଓ ସଭାପତି ଉଭୟଙ୍କ ମିଳିତ ରାଜିନାମାରେ, ଏହି ଗୁରୁତର ସାମ୍ବିଧାନିକ ବ୍ୟତିକ୍ରମ ଘଟିଛି।

୨୫ ଜୁଲାଇ ୧୯୫୭ରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜନ୍ମ। କିନ୍ତୁ ତାହାର ସମ୍ବିଧାନ ପ୍ରଣୟନ ହୋଇଥିଲା ଦୀର୍ଘ ତେରବର୍ଷ ପରେ; ୧୯୭୦ ମସିହାର ସେହି ଜୁଲାଇ ୨୫ ତାରିଖରେ। ସମ୍ବିଧାନରେ ଏହି ଅନୁଷ୍ଠାନର ସଂଗଠନ ଓ କାର୍ଯ୍ୟାବଳୀ ସଂପର୍କରେ ବିଶଦ ଭାବରେ ଉଲ୍ଲେଖ ରହିଛି। ତାହାର ୨(ଖ) ୫ ଧାରାରେ କୁହାଯାଇଛି, ଯେ ଏକାଡେମୀ ଲେଖକମାନଙ୍କୁ ତାଙ୍କର ଉଲ୍ଲେଖନୀୟ କୃତି ପାଇଁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିବ। କିନ୍ତୁ, ଏ ବାବଦରେ ମଧ୍ୟ ଏହି ଏକାଡେମୀ ଏବେ ଅନ୍ୟୂନ ପାଞ୍ଚବର୍ଷ ପଛୁଆ ଅଛି। ୨୦୧୭ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ପୁରସ୍କାର ବାକି ରହିଥିବାବେଳେ, ୨୦୨୨ ମସିହାକୁ ମିଶାଇଲେ, ଏହା ଛଅବର୍ଷକୁ ଛୁଉଁଛି। ଏ ଦୃଷ୍ଟିରୁ, ୨୧ ମେ ୨୦୨୧ରେ ଦାୟିତ୍ୱ ନେବା ପରେ, ନୂଆ ସଭାପତି ହୃଷୀକେଶ ମଲ୍ଲିକ ନୂତନ ଉତ୍ସାହରେ ଘୋଷଣା କରିଥିଲେ, ଯେ ୨୦୨୧ ବର୍ଷ ଶେଷ ସୁଦ୍ଧା ସବୁ ବାକିଆ ପୁରସ୍କାର ଦେଇଦିଆଯିବ। ତାହା ହେଲା ନାହିଁ। ତାହା ପରେ, ପୁନଶ୍ଚ ସେ ଘୋଷଣା କଲେ, ଯେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ତାହା ଦେଇ ଦିଆଯିବ। ମାତ୍ର ମାର୍ଚ୍ଚ ୨ ତାରିଖ ଦିନ ଡକାଯାଇଥିବା କାର୍ଯ୍ୟକାରୀ ପରିଷଦର ବୈଠକ କାର୍ଯ୍ୟାବଳିରୁ ସୂଚିତ, ଯେ ତାହା ମଧ୍ୟ ସଂପୂର୍ଣ୍ଣ ଅସମ୍ଭବ। କାରଣ, ଯେଉଁ ବିବାଦକୁ ନେଇ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରକ୍ରିୟା ଏବେ ବସ୍ତୁତଃ ଅଚଳ ହୋଇଯାଇଛି- ସେହି ବିବାଦ ସେ ବୈଠକର କାର୍ଯ୍ୟସୂଚିର ଗୋଟିଏ ବିଷୟ ।

ସୂଚନା ଅନୁସାରେ, ଆଗାମୀ କାର୍ଯ୍ୟକାରୀ ପରିଷଦ ବୈଠକର କାର୍ଯ୍ୟସୂଚିରେ ରହିଛି ମୋଟ ୭ଟି ବିନ୍ଦୁ ଏବଂ ଅଷ୍ଟମରେ ବୈଠକର ଅଧ୍ୟକ୍ଷ ତଥା ସଭାପତିଙ୍କ ଅନୁମତିକ୍ରମେ ଅନ୍ୟାନ୍ୟ ବିଷୟ ଆଲୋଚନା ହେବାର ସମ୍ଭାବନା ଅଛି। କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରକ୍ରିୟାରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି- ତାହାର ସୂଚନା ନିହିତ ଅଛି ୭ମ ବିନ୍ଦୁରେ। ତାହାର ବିଷୟ ହେଉଛି- ସାଧାରଣ ପରିଷଦ ସଦସ୍ୟମାନଙ୍କର ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ ସମୟରେ ଅନ୍ତର୍ଭୁକ୍ତ କରାନଯିବା ସଂପର୍କରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯେଉଁ ପତ୍ର ଆସିଥିଲା, ତାହାର ପରିପ୍ରେକ୍ଷୀରେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ମୁଖ୍ୟତଃ ଏହି କାରଣ ଯୋଗୁଁ ହିଁ ଏକାଡେମୀର ପୁରସ୍କାର ପ୍ରକ୍ରିୟାରେ ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି, ଏହି ସ୍ତମ୍ଭର ଏକ ଲେଖାରେ ପୂର୍ବରୁ ସ୍ପଷ୍ଟ ସୂଚିତ କରାଯାଇ ଥିଲା।
କିନ୍ତୁ ଏହା ପଛରେ ଯେ ସଭାପତିଙ୍କର ସମର୍ଥନ ଅଛି, ତାହା ସ୍ପଷ୍ଟ। କାରଣ, ନୂତନ ସଭାପତି ଓ ନୂତନ ସଚିବ (ସଂପାଦକ) ନିଯୁକ୍ତ ହୋଇ, ନୂତନ କାର୍ଯ୍ୟକାରୀ ପରିଷଦ ଗଠିତ ହେବା ପରେ, ୨ ଜୁଲାଇ ୨୦୨୧ରେ ଯେଉଁ ପ୍ରଥମ କାର୍ଯ୍ୟକାରୀ ପରିଷଦ ବୈଠକ ହୋଇଥିଲା, ତାହାର ବିବରଣୀରେ ଏ ପ୍ରସଙ୍ଗର ଉଲ୍ଲେଖ ରହିଛି। ସେହି ବିବରଣୀର ମୋଟ ୧୨ଟି ବିନ୍ଦୁ ମଧ୍ୟରୁ, ଶେଷଟି ହେଉଛି, “ଅନ୍ୟାନ୍ୟ- ସଭାପତିଙ୍କ ଅନୁମତିକ୍ରମେ”। ତାହାର ‘କ’ ଉପବିନ୍ଦୁରେ ଉଲ୍ଲେଖ ଅଛି- “ଶ୍ରୀ ସଦାଶିବ ଦାଶ ଅର୍ଥ ସମିତିର ସଦସ୍ୟ ଥିବା ସମୟରେ, କବିତା ବିଭାଗରେ ୨୦୦୦ ମସିହା ପାଇଁ ତାଙ୍କ ରଚିତ କବିତା ପୁସ୍ତକ ‘ପ୍ରେମିକା ପ୍ରେମିକା’କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏକାଡେମୀ ଉପରେ ପ୍ରିୟାପ୍ରୀତି ତୋଷଣ ଓ ଅଯାଚିତ ଅନୁଗ୍ରହ ପ୍ରଦାନର ଅଭିଯୋଗ ଆଣି ସଦାଶିବଙ୍କ ପୁରସ୍କାରକୁ ନାକଚ କରିବା ପାଇଁ ଜନୈକ ସାରଳା ସାଂସ୍କୃତିକ ପରିଷଦ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମୋକଦ୍ଦମା ରୁଜୁ କରିଥିଲେ (ମୋକଦ୍ଦମା ନଂ. ୪୬୨୭/୨୦୦୨)। x x x ଏହି ପ୍ରସଙ୍ଗରେ ସଭାପତି ଦର୍ଶାଇଥିଲେ, ଯେ ହାଇକୋର୍ଟରେ କରାଯାଇଥିବା ମାମଲା ଏପର୍ଯ୍ୟନ୍ତ ଅମୀମାଂସିତ ଥିବାରୁ, ୨୦୧୭ରୁ ୨୦୨୧ ଯାଏଁ ଦିଆଯିବାକୁ ଥିବା ଏକାଡେମୀ ପୁରସ୍କାରରେ ଏକାଡେମୀ ସଭ୍ୟମାନଙ୍କ ଦ୍ୱାରା ରଚିତ ପୁସ୍ତକକୁ ବିଚାରକୁ ନିଆଯିବା ଅନୁଚିତ ହେବ।”

ଏ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ବିଧାନ ଅନୁସାରେ, ଏକାଡେମୀର ସର୍ବୋଚ୍ଚ (ବା ନମ୍ବର-୧) କର୍ତ୍ତୃପକ୍ଷ (ଅଥରିଟି) ହେଉଛି ‘ସାଧାରଣ ପରିଷଦ’ ବା ‘ଜେନେରାଲ କାଉନ୍‌ସିଲ’। ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ବିଧାନରେ ଏହାର କାର୍ଯ୍ୟାବଳୀ ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ଅଛି, ଯେ କାର୍ଯ୍ୟକାରୀ ପରିଷଦ ଯେଉଁସବୁ ନିଷ୍ପତ୍ତି ନେବ, ତାହାକୁ ସାଧାରଣ ପରିଷଦ ଅନୁମୋଦନ କରିବା ପରେ ହିଁ ତାହାକୁ ସରକାରଙ୍କ ପାଖକୁ ପଠାଯିବ ଏବଂ ସରକାରଙ୍କ ଅନୁମୋଦନ ପାଇବା ପରେ ହିଁ ତାହା କାର୍ଯ୍ୟକାରୀ ହେବ। ଅର୍ଥାତ୍‌, କାର୍ଯ୍ୟକାରୀ ପରିଷଦ ତାହାକୁ ଆପଣା ଇଚ୍ଛାରେ କାର୍ଯ୍ୟକାରୀ କରିପାରିବ ନାହିଁ।

ଏ ପ୍ରସଙ୍ଗରେ ବିଡ଼ମ୍ବନାର ବିଷୟ ଏହି, ଯେ କାର୍ଯ୍ୟକାରୀ ପରିଷଦର ବୈଠକରେ ହୋଇଥିବା ଏହି ଆଲୋଚନାର ଅଢ଼େଇ ମାସ ପରେ, ୧୭ ସେପ୍ଟେମ୍ବର ୨୦୨୧ରେ ଅନୁଷ୍ଠିତ ହୋଇଥିବା ସାଧାରଣ ପରିଷଦ ବୈଠକରେ ଏ ପ୍ରସଙ୍ଗକୁ ଉପସ୍ଥାପିତ କରାଯାଇ ସାଧାରଣ ପରିଷଦ ସଦସ୍ୟମାନଙ୍କର ଅନୁମୋଦନ ନିଆଗଲା ନାହିଁ। ଅଥଚ ଏବେ, ମାର୍ଚ୍ଚ ୨ ତାରିଖର କାର୍ଯ୍ୟକାରୀ ପରିଷଦ ବୈଠକରେ ଏହାକୁ କାର୍ଯ୍ୟସୂଚିର ଅନ୍ତର୍ଭୁକ୍ତ କରାଯାଇ, ସରକାରଙ୍କର ଏକ ଚିଠିର ଆଳରେ, ସେ ବାବଦରେ କାର୍ଯ୍ୟକାରୀ ପରିଷଦରେ ନିଷ୍ପତ୍ତି କରାଯିବାର ମସୁଧା ହୋଇଛି। ଏହା ମଧ୍ୟ ଏକାଡେମୀର ସାମ୍ବିଧାନିକ ବିଧିବ୍ୟବସ୍ଥାର ଖିଲାପ। କାର୍ଯ୍ୟକାରୀ ପରିଷଦ ବୈଠକର ଏ କାର୍ଯ୍ୟସୂଚି ସଭାପତିଙ୍କ ପରାମର୍ଶକ୍ରମେ ସଚିବ (ସଂପାଦକ) ପ୍ରସ୍ତୁତ କରିଛନ୍ତି। ଘୋର ବିଡ଼ମ୍ବନାର ବିଷୟ, ଯେ ସାମ୍ବିଧାନିକ ବିଧିବ୍ୟବସ୍ଥା ସଂପର୍କରେ ଏହି ଅନବହିତତା ବା ବେଖାତିର ମନୋଭାବ ଯୋଗୁଁ ହିଁ ଏକାଡେମୀର ପୁରସ୍କାର ପ୍ରକ୍ରିୟା ବସ୍ତୁତଃ ଅଚଳ ହୋଇ ପଡ଼ିିଛି।

ପୂର୍ବସୂଚିତ ଯେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ବିଧାନ ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟ, କୃତୀ ସାହିତ୍ୟିକଙ୍କୁ ସମ୍ମାନିତ ବା ସେମାନଙ୍କର ଉଲ୍ଲେଖନୀୟ କୃତିକୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ଥିଲା। ଏକାଡେମୀର ଇତିହାସ କହେ, ୨୫ ଜୁଲାଇ ୧୯୫୭ରେ ଏକାଡେମୀ ଜନ୍ମଲାଭ କରି, ସେହିବର୍ଷ ସେପ୍ଟେମ୍ବର ୭ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା। ତାହାର ପ୍ରଥମ କାର୍ଯ୍ୟକାରୀ ପରିଷଦ ବୈଠକ (୨୫.୯.୧୯୫୭)ଠାରୁ ଚତୁର୍ଥ କାର୍ଯ୍ୟକାରୀ ପରିଷଦ ବୈଠକ (୫.୧୨.୧୯୫୭) ମଧ୍ୟରେ ଏ ବାବଦରେ ଆଲୋଚନା ହୋଇ ବିଧିବଦ୍ଧ ନିଷ୍ପତ୍ତି ହୋଇଥିଲା। ୧ ଜାନୁଆରି ୧୯୫୪ରୁ ୩୧ ଡିସେମ୍ବର ୧୯୫୬ ମଧ୍ୟରେ ପ୍ରକାଶିତ ପୁସ୍ତକ ଭିତ୍ତିରେ, କାବ୍ୟ, ନାଟକ, ସାହିତ୍ୟସମାଲୋଚନା, ଅନୁବାଦ ଓ ଶିଶୁସାହିତ୍ୟକୁ ନେଇ ପାଞ୍ଚଟି ବିଭାଗରେ, ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଭିତ୍ତିରେ ଦୁଇଟି ଲେଖାଏଁ ପୁରସ୍କାର ଦେବାର ବ୍ୟବସ୍ଥା କରାଯାଇଥିଲା। ସେତେବେଳେ ପ୍ରଥମ ସ୍ଥାନର ପୁରସ୍କାର ପାଇଁ ୫୦୦ଟଙ୍କା ଏବଂ ଦ୍ୱିତୀୟ ସ୍ଥାନର ପୁରସ୍କାର ପାଇଁ ୨୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା ଥିଲା। ସେହି ପୁରସ୍କାରର ସଂଖ୍ୟା ଏବେ ବଢ଼ି ବଢ଼ି ୫ରୁ ୧୧ରେ ପହଞ୍ଚିଛି ଏବଂ ପୁରସ୍କାରର ପରିମାଣ ୨ ଲକ୍ଷ ଟଙ୍କା ହୋଇଛି। ବିଭିନ୍ନ ସମୟରେ ପ୍ରବର୍ତ୍ତିତ ପୁରସ୍କାର ପାଇଁ, ନିର୍ଦ୍ଦିଷ୍ଟ ନିୟମାବଳୀ ମଧ୍ୟ ପ୍ରସ୍ତୁତ ହୋଇ ପ୍ରଚଳିତ ଅଛି।

ସେହି ନିୟମାବଳୀର ୧୪ ଧାରାରେ, କେଉଁ ପର୍ଯ୍ୟାୟଭୁକ୍ତ ପୁସ୍ତକ ପୁରସ୍କାର ପାଇଁ ବିଚାରଯୋଗ୍ୟ ହେବନାହିଁ ତାହା ନିର୍ଦ୍ଧାରିତ ହୋଇଛି। ସେଥିରେ ଅଛି ମୋଟ ଛଅଟି ବିନ୍ଦୁ। ତାହାର ପ୍ରଥମ ବିନ୍ଦୁ ହେଉଛି- “ବିଚାରକାଳ ମଧ୍ୟରେ ଏକାଡେମୀ କାର୍ଯ୍ୟକାରୀ ସମିତି (ବା ପରିଷଦ)ର ସଦସ୍ୟ ରହିଥିବା ଲେଖକଙ୍କ ପୁସ୍ତକ।” ସେହି ନିୟମ ଅନୁସାରେ, ୨୦୧୭ ଓ ୨୦୧୮ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯେଉଁ ବିଜ୍ଞପ୍ତି ୨୦୧୮ ମସିହା ଅଗଷ୍ଟ ମାସରେ ପ୍ରକାଶ ପାଇଛି, ତାହାର ପ୍ରଥମ ବିନ୍ଦୁରେ ଉଲ୍ଲେଖ ଅଛି- “ବିଚାରକାଳ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ପରିଷଦ ସଦସ୍ୟ ରହିଥିବା ଲେଖକଙ୍କ ପୁସ୍ତକ” ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବନାହିଁ। ପରବର୍ତ୍ତୀ କାଳରେ, ୨୦୨୧ ଫେବ୍ରୁଆରିରେ, ୨୦୧୯ରୁ ୨୦୨୧ ମସିହା- ତିନିବର୍ଷର ପୁରସ୍କାର ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି, ସେଥିରେ ମଧ୍ୟ ଏହି ନିୟମର ଉଲ୍ଲେଖ ରହିଛି। ଅର୍ଥାତ୍‌- ବିଚାରକାଳ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ରହିଥିବା ଲେଖକଙ୍କ ପୁସ୍ତକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବନାହିଁ। ଏଣୁ, ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟଙ୍କ ପୁସ୍ତକ ପୁରସ୍କାର ପାଇବା ନିମନ୍ତେ, ଏକାଡେମୀର ଏହି ସାମ୍ବିଧାନିକ ଓ ବୈଧ ପୁରସ୍କାର ନିୟମାବଳୀରେ କୌଣସି ବାଧକ ନାହିଁ।

ଅଥଚ, ୨୦୦୦ ମସିହାର ପୁରସ୍କାର ବାବଦରେ, ୨୦୦୨ରେ ଓଡ଼ିଶା ହାଇକୋର୍ଟରେ ହୋଇଥିବା ଏକ ମାମଲାର ଆଳରେ, ସାଧାରଣ ପରିଷଦ ସଦସ୍ୟଙ୍କୁ ଏହି ପୁରସ୍କାରର ବିଚାର ପ୍ରକ୍ରିୟାରୁ ବାଦ୍ ଦେବା ପାଇଁ ଉଦ୍ୟମ କରି, ସଭାପତି ଏକାଡେମୀର ପୁରସ୍କାର ପ୍ରକ୍ରିୟାକୁ ଏକପ୍ରକାର ଅଚଳ କରି ରଖିଛନ୍ତି। ଏହା ମଧ୍ୟ, ଏକାଡେମୀ ପୁରସ୍କାରର ସାମ୍ବିଧାନିକ ଓ ବୈଧ ନିୟମାବଳୀ ବାବଦରେ ତାଙ୍କର ଅଜ୍ଞତା ବା ତାହା ପ୍ରତି ବେଖାତିର ମନୋଭାବର ଏକ ନିଦର୍ଶନ। କାରଣ ‘ପ୍ରେମିକା ପ୍ରେମିକା’ ପୁସ୍ତକର ଲେଖକ, ୨୦୦୦ ମସିହାର ପୁରସ୍କାର ପ୍ରକ୍ରିୟା କାଳରେ, ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ନ ଥିଲେ; ସେ ଥିଲେ ସାଧାରଣ ପରିଷଦର ସଦସ୍ୟ। ସେ ଯେଉଁ କମିଟିର ସଦସ୍ୟ ଥିଲେ, ସେ କମିଟିର ସଦସ୍ୟତା କାର୍ଯ୍ୟକାରୀ ପରିଷଦର ଅନ୍ତର୍ଭୁକ୍ତ ନୁହେଁ। ତେଣୁ ସେ ଏକାଡେମୀ ପୁରସ୍କାର ପାଇବାରେ କୌଣସି ସାମ୍ବିଧାନିକ ବେନିୟମ ହୋଇନାହିଁ।

କିନ୍ତୁ, ଏ ବାବଦରେ ହାଇକୋର୍ଟର ଯେଉଁ ମାମଲାର ଆଳ ସଭାପତି ଦେଖାଇଛନ୍ତି, ସେ ମାମଲାର ଚୂଡ଼ାନ୍ତ ରାୟ ତଥାପି ପ୍ରକାଶ ପାଇନାହିଁ। ଅପରପକ୍ଷେ, ୨୦୦୨ର ସେହି ମାମଲା ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ଥିବା ସତ୍ତ୍ୱେ, ଅନ୍ତତଃ ତିନିଜଣ ସାଧାରଣ ପରିଷଦ ସଦସ୍ୟ ଏ ଭିତରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ସୂଚନା ଅନୁସାରେ, ସେ ତିନିଜଣ ହେଉଛନ୍ତି- ୧. ‘ବାଟ ବସାଘର’ ପୁସ୍ତକର କଥାକାର ଅରବିନ୍ଦ ରାୟ (୨୦୧୦), ୨. ‘ସ୍ୱରଚିତ୍ର’ର କବି ବିପିନ ନାୟକ (୨୦୧୪) ଓ ୩. ‘ପଶ୍ଚିମ ଓଡ଼ିଶାର ବରପୁତ୍ର’ର ଜୀବନୀକାର ଗଣେଶଚନ୍ଦ୍ର ନାହାକ।

ଏଣୁ, ଓଡ଼ିଶା ଉଚ୍ଚନ୍ୟାୟାଳୟର ମାମଲାର ଆଳରେ, ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦ ସଦସ୍ୟ ଓ ଏହାର ଅଧ୍ୟକ୍ଷ ଭାବରେ ଏକାଡେମୀର ସଭାପତି, ସାମ୍ବିଧାନିକ ଓ ବୈଧ ପୁରସ୍କାର ନିୟମାବଳୀର ବ୍ୟତିକ୍ରମ ନ କରନ୍ତୁ। ପାଞ୍ଚବର୍ଷର ବିଳମ୍ବିତ ପୁରସ୍କାରକୁ ଆଉ ବିଳମ୍ବିତ ନ କରି, ଆଗାମୀ ବୈଠକରେ ପୁରସ୍କାର ପ୍ରକ୍ରିୟାକୁ ଏହି ଅଚଳାବସ୍ଥାରୁ ଦୂର କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର