ହୃଦୟର ସେଲ୍‌ଫି

ସରସ ରସ - ସୁଭାଷ ପଟ୍ଟନାୟକ

ଅନ୍ୟମାନେ ମତେ ଭଲପାଆନ୍ତୁ, ଏ ଇଚ୍ଛା ଆମର ଥାଉ କି ନ ଥାଉ, ଏବେ ଆମେ ଚାହୁଁଛୁ ସମସ୍ତେ ଆମ ଚେହେରାକୁ ଭଲପାଆନ୍ତୁ, ଆଉ ଏ ଇଚ୍ଛାକୁ ଆମର ଫଳବତୀ କରିଛି ଆମ ମୋବାଇଲ୍‌ ଫୋନ୍‌ର ସେଲ୍‌ଫି। ମୋବାଇଲ୍‌ ଫୋନ୍‌ରେ ସମ୍ମୁଖ କ୍ୟାମେରାର ଉଦ୍ଭାବନ ପରେ ଗତ ବାର ବର୍ଷ ହେଲା ଏ ଇଚ୍ଛା ପରିଣତ ହୋଇଛି ଏକ ନିଶାରେ। ବିଗତ ଦିନରେ ଦର୍ପଣ ସମ୍ମୁଖରେ ନିଜ ଛବି ଦେଖି ଆମୋଦିତ ହେଉଥିବା ମନୁଷ୍ୟ ଏବେ ସେଇ ଛବିକୁ ସେଲ୍‌ଫି ମାଧ୍ୟମରେ ଦୁନିଆକୁ ଦେଖାଇ ପ୍ରଶଂସିତ ହେବାକୁ ଇଚ୍ଛା କରୁଛି। ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ ପରି ସାମାଜିକ ଗଣମାଧ୍ୟମ ମୁଖ୍ୟତଃ ସେଲ୍‌ଫିର ପ୍ରଜ୍ଞାପନ ପାଇଁ ମାଧ୍ୟମ ପାଲଟିଛି। ପାହାଡ଼ ଶିଖରରେ ଚଢ଼ି ସେଲ୍‌ଫି, ବଣ୍ୟ ଜନ୍ତୁଙ୍କ ସମ୍ମୁଖରେ ଠିଆ ହୋଇ ଓ ଚଳନ୍ତା ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି। ନିଦରୁ ଉଠି ଅଳସ ଭାଙ୍ଗିବାର, ଦାନ୍ତ ଘଷିବାର, ଏପରି କି ପ୍ରିୟଜନର ଶବାଧାର ନିକଟରେ ଓ ଶୋକସଭାରେ ବସିଥିବାର ସେଲ୍‌ଫି ପ୍ରକାଶ କରି ଆମେ ଆନନ୍ଦିତ ହେଉଛେ। ସେଲ୍‌ଫି ମୋହରେ ପଡ଼ି ଅନେକ ଜୀବନ ଅକାଳରେ ଚାଲି ଯାଉଛି। ଆମେରିକାର ପୂର୍ବ ରାଷ୍ଟ୍ରପତି ଓବାମା ତ ନେଲସନ୍ ମାଣ୍ଡେଲାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ବେଳେ ହସି ହସି ସେଲ୍‌ଫି ଉଠାଇ ନିନ୍ଦିତ ହୋଇଥିଲେ!

ଜୀବନର ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ଚିତ୍ର ଆକାରରେ ବାନ୍ଧି ରଖିବାର ଇଚ୍ଛାରୁ ସେଲ୍‌ଫିର ସୃଷ୍ଟି। ଏହା ମାଧ୍ୟମରେ ଆମେ ଆମର ଚେହେରା ପ୍ରତି ଥିବା ଅନୁରାଗର ସହଜ ପ୍ରଜ୍ଞାପନ କରିପାରୁଛେ। ସୀମାତିରିକ୍ତ ଏ ଇଚ୍ଛା ଆମ ଭିତରେ ଛପି ରହିଥିବା ‘ନାର୍ସିସିଷ୍ଟିକ୍’ ବା ଆତ୍ମ-ମୋହର ମାନସିକତାକୁ ପ୍ରକାଶ କରୁଛି। ଗ୍ରୀକ୍ ପୁରାଣର ନାରସିସିୟସ୍ ଯେମିତି ଜଳାଶୟରେ ନିଜର ପ୍ରତିବିମ୍ବ ଦେଖି ତା’ ପ୍ରେମରେ ପଡ଼ିଗଲେ ଆମେ ସେମିତି ସେଲ୍‌ଫି ମାଧ୍ୟମରେ ନିଜ ଚେହେରାର ପ୍ରେମରେ ପଡ଼ିଯାଉଛେ। ସେଲ୍‌ଫିକୁ ଯଦି ନିଜ ବ୍ୟକ୍ତିଗତ ମୁହୂର୍ତ୍ତର ଏକ ଏକ ସ୍ମାରକୀ ଭାବରେ ଧରି ନିଆଯାଏ, ତେବେ ଏ ସ୍ମାରକୀକୁ ନିଜ ପାଖରେ ନ ରଖି ସାମାଜିକ ଗଣମାଧ୍ୟମରେ ଆମ ପରିଚିତ ତଥା ଅପରିଚିତମାନଙ୍କ ଉଦ୍ଦେଶ୍ୟରେ ଆମେ ପ୍ରକାଶ କରୁ କାହିଁକି? ଅନେକ ହୁଏ’ତ ଯୁକ୍ତି ବାଢ଼ି ପାରନ୍ତି, ମନୁଷ୍ୟ ଯେମିତି ପ୍ରତ୍ୟହ ନିଜର ଡାଏରି ଲେଖେ, ସେଲ୍‌ଫି ଉଠାଇବା ସେମିତି ଗୋଟିଏ ଚିତ୍ରାୟିତ ଦିନପଞ୍ଜି। ପ୍ରଶ୍ନଉଠେ, ଡାଏରି କ’ଣ ଲେଖାଯାଏ ସର୍ବସାଧାରଣରେ ପ୍ରକାଶନ ଉଦ୍ଦେଶ୍ୟରେ? ଅତ୍ୟଧିକ ସେଲ୍‌ଫି ଉଠାଇ ପ୍ରକାଶ କରିବା ‘ସେଲ୍‌ଫିଟିସ୍’ ନାମକ ଏକ ମାନସିକ ରୋଗ ବୋଲି ଏବେ ମନୋଚିକିତ୍ସକମାନେ କହିଲେଣି। କାରଣ ସେଲ୍‌ଫି ମାଧ୍ୟମରେ ଜଣେ ଅନ୍ୟମାନଙ୍କୁ କହି ବୁଲୁଛି ଯେ, ତା’ ଚେହେରା ଅନ୍ୟମାନଙ୍କର ଦେଖିବାର ଯୋଗ୍ୟ। ଅନ୍ୟମାନେ ତାକୁ ପସନ୍ଦ କରି ଉତ୍ତର ନ ଦେଲେ ସେ ମାନସିକ ପୀଡ଼ା ଭୋଗୁଛି। ତେଣୁ, ସେଲ୍‌ଫି ପ୍ରକାଶ କରି ଆମ ଅସ୍ତିତ୍ବର ପ୍ରମାଣ ବାରମ୍ବାର ଦେଇ ଚାଲିବା ଅନାବଶ୍ୟକ।

ଚିତ୍ର ଚରିତ୍ର ନୁହେଁ, ମାତ୍ର ଚରିତ୍ର ଗୋଟିଏ ଚିତ୍ର ଯାହା ସେଲ୍‌ଫି ଠାରୁ ମଧ୍ୟ ଅଧିକ ନିଷ୍କପଟ ପ୍ରତିବେଦକ। ମୁଁ କିଏ? ଆମ ବ୍ୟକ୍ତିଗତ ପରିଚୟର ଏ ପ୍ରଶ୍ନଟି ମାନବବାଦର ଗୋଟିଏ ମୌଳିକ ପ୍ରଶ୍ନ, ଯାହା ସର୍ବଦା ଆମ ସାମାଜିକ ଅଭିବ୍ୟକ୍ତିରେ ପ୍ରକାଶ ପାଇଥାଏ। ଓସ୍କାର ୱାଇଲ୍‌ଡଙ୍କ ଉପନ୍ୟାସ ‘ପିକ୍‌ଚର ଅଫ୍ ଡୋରିଆନଗ୍ରେ’ କଥା ମନେ ପକାନ୍ତୁ। ଅତ୍ୟନ୍ତ ସୌମ୍ୟ ଦର୍ଶନ ଡୋରିଆନ୍‌ ନିଜ ହୃଦୟଟି ଜଣେ ଚିତ୍ରକରଙ୍କୁ ବିକ୍ରୟ କରି ପ୍ରତିବଦଳରେ ନିଜର ଏକ ଛବି ଅଙ୍କେଇଲେ। ସର୍ତ୍ତ ଅନୁସାରେ ଡୋରିଆନ୍‌ଙ୍କ ଚେହେରା ଓ ଚରିତ୍ରର ପ୍ରଭାବ ତାଙ୍କ ଉପରେ ନ ପଡ଼ି ଚିତ୍ରଟି ଉପରେ ପଡ଼ିଲା ଏବଂ ଡୋରିଆନ୍‌ଙ୍କ ସୌନ୍ଦର୍ଯ୍ୟ ଅପରିବର୍ତ୍ତିତ ରହିଲା। ଚିତ୍ରର ବୟସ ବଢ଼ି ଚାଲିଲା, ଡୋରିଆନ୍‌ ଚିର ସୁନ୍ଦର ଓ ଚିର ଯୁବକ ହୋଇ ରହିଲେ। କାଳକ୍ରମେ ତାଙ୍କ କୃତ କୁକର୍ମ ସବୁର ପ୍ରଭାବ ଚିତ୍ରଟି ବହନ କରି ଧୀରେ ଧୀରେ ଏକ କଦାକାର ବୃଦ୍ଧର ଚିତ୍ରରେ ପରିଣତ ହେଲା। ଏକଦା ନିଜର ସେଇ କଦାକାର ଚିତ୍ରଟି ଦେଖି ଘୃଣା ଓ ରାଗରେ ଡୋରିଆନ୍‌ ତାକୁ ଛୁରୀ ମାରି ନଷ୍ଟ କରିଦେବାକୁ ବସିଲେ। ପରିଚାରକ ଆସି ଦେଖେ ତ ସୌମ୍ୟ ଦର୍ଶନ ଡୋରିଆନ୍‌ ଏକ କଦାକାର ବୃଦ୍ଧରେ ପରିଣତ ହୋଇ ମରି ପଡ଼ିଛନ୍ତି ଓ ଛାତିରେ ତାଙ୍କର ବିଦ୍ଧ ହୋଇ ରହିଛି ଏକ ଛୁରୀ। ଚିତ୍ରଟି ତା’ର ପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇଛି। ପ୍ରକୃତରେ ହୃଦୟ ସୁନ୍ଦର ହେଲେ ଚେହେରା ଆପେ ସୁନ୍ଦର ହେବ। ଚେହେରା ପାଇଁ ହୃଦୟକୁ ବିକ୍ରି କରିଦେଲେ ଆମେ ଡୋରିଆନଗ୍ରେ ପାଲଟି ଯିବା। ଚେହେରା ଠାରୁ ବ୍ୟକ୍ତିତ୍ବ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏକ ସୁନ୍ଦର ବ୍ୟକ୍ତିତ୍ବ ଅନ୍ତଃ ସୌନ୍ଦର୍ଯ୍ୟ ହେଲା ବେଳେ ଚେହେରା ବାହ୍ୟ ସୌନ୍ଦର୍ଯ୍ୟ। ବାହ୍ୟ ସୌନ୍ଦର୍ଯ୍ୟ ବଦଳାଇ ହୁଏ, କିନ୍ତୁ ଅନ୍ତଃ ସୌନ୍ଦର୍ଯ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ରହେ ଓ ତା’ର ଆଭାରେ ଆମ କଦାକାର ବାହ୍ୟ ଚେହେରା ମଧ୍ୟ ସୁନ୍ଦର ଲାଗେ।

ମନୁଷ୍ୟ ଏକ କାଚ ତିଆରି ଝରକା ପରି। ଖରା ପଡ଼ିଲେ ବାହାରଟି ତା’ର ଝଟକେ ମାତ୍ର ଘର ଭିତରଟି ଦେଖି ହୁଏନା। ଗୃହର ଅଭ୍ୟନ୍ତର ଆଲୋକିତ ହେଲେ ଝରକା ଦେଇ ଘରର ସୌନ୍ଦର୍ଯ୍ୟ ସମସ୍ତେ ଦେଖନ୍ତି। ଭିତରର ଆଲୋକ ହେଉଛି ଆମର ବିଚାର ବୁଦ୍ଧି, ନୈତିକତା ଓ ସଦାଚାର ଇତ୍ୟାଦି ଥାଇ ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ବ। ଯଦି ଆମ ଆଖି ଅନ୍ତରାତ୍ମାର ଚିତ୍ର ଦେଖି ପାରୁଥାଆନ୍ତା, ଆମ ସୌନ୍ଦର୍ଯ୍ୟବୋଧର ସଂଜ୍ଞା ହୁଏ’ତ ଅଲଗା ହୋଇଥାଆନ୍ତା। ଚେହେରାର ସେଲ୍‌ଫି ଅନ୍ୟକୁ ଦେଖାଇ ବାହାବା ଆଶା କରିବା ବଦଳରେ ନିଜ ଆତ୍ମାର ସେଲ୍‌ଫି ଦେଖାଇ ଅନ୍ୟର ଅନ୍ତରାତ୍ମାରେ ଛବିଟିଏ ହୋଇ ଝୁଲି ପାରିଲେ କେତେ ଭଲ ହୁଅନ୍ତା ସତେ! ସେଲ୍‌ଫିର ମୋହ ଛାଡ଼ିଗଲା ପରେ ଦିନେ ହୁଏ’ତ ଆମେ ଡୋରିଆନଗ୍ରେ ପରି ଆମ ଚେହେରା ଦେଖି ଅତିଷ୍ଠ ହେବା ଓ ଆମ ସେଲ୍‌ଫିକୁ ଛୁରୀକାଘାତ କରିବା। ସେତେବେଳେ ନିଜ ସେଲ୍‌ଫି ବଦଳରେ ଛୁରୀଟି ବିଦ୍ଧ ହୋଇଥିବ ଆମ ଛାତିରେ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର