ଆମ ଜନ ସ˚ପଦ

ଶରତ ଚନ୍ଦ୍ର ମିଶ୍ର

ନିଜ ଦେଶର ଜନସ˚ପଦର ସଠିକ ଆକଳନ ଦେଶ ଶାସନ ପରିଚାଳନାର ଅପରିହାର୍ଯ୍ୟ ଅ˚ଶ। ଚାଣକ୍ୟ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘‘ଅର୍ଥଶାସ୍ତ୍ର’’ରେ ଦେଶର ରାଜା, ନିଜ ରାଜ୍ୟ ଜନସ˚ଖ୍ୟା, ଜନପଦ, ଗୋ-ସ˚ପଦ ଆଦିର ସଠିକ ବିବରଣୀ ଜାଣିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ନିଜ ଦେଶର ଜନଶକ୍ତି ଓ ଯୁବଶକ୍ତିର ସଠିକ ଆକଳନ, ଅନ୍ୟ ଦେଶ ସହ ଯୁଦ୍ଧ ବିଗ୍ରହ ଓ ନିଜର ସୀମାରେଖା ସୁରକ୍ଷା ଦିଗରେ ନିତାନ୍ତ ଆବଶ୍ୟକ। ସେଇପରି ଦେଶର ସ˚ପଦର ଆକଳନ ଠିକ୍‌ ରହିଲେ, କର ହାର ଠିକ୍‌ ଭାବରେ ପ୍ରବର୍ତ୍ତନ କରିହେବ। ଆଇନ୍‌-ଇ-ଆକବରୀରେ ମଧୢ ସଠିକ ଜନଗଣନା ଉପରେ ଗୁରୁତ୍ବ ଆରୋପ କରାଯାଇଛି। ନିଜର ଜନଶକ୍ତିର ସଠିକ ଆକଳନ ନ କରି, ଦ୍ବିତୀୟ ମହାଯୁଦ୍ଧରେ ଜାପାନ, ଭାରତ ପର୍ଯ୍ୟନ୍ତ ଆଗେଇ ଆସି, ପରାଭବ ଭୋଗିଲା। ପରମାଣୁ ବୋମା ନିକ୍ଷେପ ନ ହୋଇଥିଲେ ମଧୢ ଜାପାନ ଆତ୍ମସମର୍ପଣ କରିବାକୁ ବାଧୢ ହୋଇଥା’ନ୍ତା। ସେଇପରି ନେପୋଲିଅନ ନିଜ ଦେଶର ଯୁବଶକ୍ତିର ଠିକ ଆକଳନ ନ କରି, ସମଗ୍ର ଇଉରୋପ ଜୟ ଆଶାରେ ବିଭୋର ହୋଇ ରୁଷିଆ ପର୍ଯ୍ୟନ୍ତ ଆଗେଇ ଗଲେ ଓ ତାଙ୍କର ସମସ୍ତ ସ୍ବପ୍ନ ସେଇଠାରେ ଧୂଳିସାତ୍‌ ହୋଇଗଲା।

ଆମ ଭାରତରେ ଇ˚ରେଜ ସରକାର ଇଷ୍ଟ ଇଣ୍ତିଆ କମ୍ପାନି ଠାରୁ ଶାସନ ଭାର ଗ୍ରହଣ କରିବା ପରେ ଦେଶରେ ଜନସ˚ଖ୍ୟା, ବିଶେଷତଃ ବିଭିନ୍ନ ଧର୍ମାବଲମ୍ବୀଙ୍କ ସ˚ଖ୍ୟା ଜାଣିବାକୁ ଚାହିଁଲେ ଓ ଦେଶର ବିଭିନ୍ନ ସ୍ଥାନରେ ପରୀକ୍ଷାମୂଳକ ଭାବରେ ୧୮୬୫ରୁ ୧୮୭୨ ମଧୢରେ ଜନଗଣନା ଆରମ୍ଭ କଲେ। ସିପାହି ଆନ୍ଦୋଳନ ସମୟର ହିନ୍ଦୁ ମୁସଲମାନ ଏକତା ଭଙ୍ଗ ଏ ଜନଗଣନାର ଏକ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥିଲା। ସରକାର ନିୟମିତ ଭାବରେ ୧୮୮୧ ମସିହାରୁ ଜନଗଣନା ଆରମ୍ଭ କଲେ ଓ ପ୍ରତି ଦଶ ବର୍ଷରେ ଏହି ଗଣନା ହୁଏ। ୨୦୨୧ ମସିହାରେ ହେବାକୁ ଥିବା ଜନଗଣନା ୨୦୨୨କୁ କୋଭିଡ୍‌ ମହାମାରୀ ଯୋଗୁଁ ଘୁଞ୍ଚାଇ ଦିଆହୋଇଅଛି। ଏହା ଦେଶର ୧୬ତମ ଓ ସ୍ବାଧୀନ ଭାରତର ଅଷ୍ଟମ ଜନଗଣନା ହେବ। ଏଥି ନିମନ୍ତେ ବଜେଟ୍‌ରେ ଅର୍ଥର ବ୍ୟବସ୍ଥା କରାହୋଇଛି ଓ ଗଣନା କାର୍ଯ୍ୟରେ ୩୩୦୦୦୦ ବ୍ୟକ୍ତି ନିଯୁକ୍ତ ହେବେ।

ବ୍ରିଟିସ୍‌ ଶାସନ ସମୟରେ ବାରମ୍ବାର ଦୁର୍ଭିକ୍ଷ, ଅନାହାର ମୃତ୍ୟୁ, ଚିକିତ୍ସାର ଅଭାବ, ଅଧିକ ଶିଶୁ ମୃତ୍ୟୁ ଓ ପ୍ରସବକାଳୀନ ମୃତ୍ୟୁ ହେତୁ ଜନସ˚ଖ୍ୟା ବୃଦ୍ଧି ପାଉନଥିଲା। ସ୍ବାଧୀନତା ପ୍ରାପ୍ତି ସମୟରେ ହାରାହାରି ମୃତ୍ୟୁ ବୟସ ୩୨ ଓ ସାକ୍ଷରତା ହାର ମାତ୍ର ଶତକଡ଼ା ୧୮ ଭାଗ ଥିଲା। ଦେଶ ବିଭାଜନ ଜନିତ ଶରଣାର୍ଥୀ ସମସ୍ୟା ଓ ଚାଳିଶ ଦଶକର ସା˚ପ୍ରଦାୟିକ ଦଙ୍ଗା ହଙ୍ଗାମା ହ୍ରାସ ପାଇଲା ପରେ, ଦେଶରେ ଜନସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଲା ଓ କାଳକ୍ରମେ ଭାରତ ବିଶ୍ବର ଦ୍ବିତୀୟ ଜନବହୁଳ ଦେଶରେ ପରିଣତ ହେଲା। ବିଶ୍ବର ସ୍ଥଳ ଭାଗର ମାତ୍ର ୨.୬%ର ଅଧିକାରୀ ଭାରତରେ ବିଶ୍ବର ଛଅ ଭାଗରୁ ଏକ ଭାଗ ଲୋକ ବାସ କଲେ। ଜନ ବିସ୍ଫୋରଣ ଭାରତର ପ୍ରଧାନ ସମସ୍ୟା ହେଲା ଓ ଏହାର ସମାଧାନ ନିମନ୍ତେ ନାନା ପ୍ରକାର ବ୍ୟବସ୍ଥା କଲେ ଏବଂ ଜରୁରୀକାଳୀନ ସମୟରେ ବଳପ୍ରୟୋଗ ମଧୢ ହୋଇଥିଲା। ବର୍ତ୍ତମାନ ଆମର ହାରାହାରି ଆୟୁ ୬୭.୩ ବର୍ଷ, ବିଶ୍ବ ଆୟୁ ହାର ୭୪ର ପାଖାପାଖି। ଜାତିସ˚ଘର ହିସାବ ଅନୁଯାୟୀ ଆମ ଦେଶର ଜନସ˚ଖ୍ୟା ୨୦୨୨ ମସିହା ଜାନୁଆରି ୯ ତାରିଖରେ ୧୪୦ କୋଟି ଅତିକ୍ରମ କରିଛି। ସେଇ ସମୟରେ ଚୀନ୍‌ର ଲୋକସ˚ଖ୍ୟା ହେଉଛି ୧୪୪ କୋଟି ୭୦ ଲକ୍ଷ। ସେଇ ହିସାବ ଅନୁଯାୟୀ ୨୦୨୬ ମସିହାରେ ଉଭୟ ଦେଶର ଜନସ˚ଖ୍ୟା ୧୪୬ କୋଟିରେ ଉପନୀତ ହେବ ଓ ୨୦୩୦ ବେଳକୁ ଭାରତ ବିଶ୍ବର ସବୁଠାରୁ ଅଧିକ ଜନବହୁଳ ରାଷ୍ଟ୍ର ହେବ। ଜନସ˚ଖ୍ୟା ବୃଦ୍ଧି ୨୦୬୦ ପର୍ଯ୍ୟନ୍ତ ବଳବତ୍ତର ରହି ଜନସ˚ଖ୍ୟା ୧୬୦ କୋଟିରେ ପହଞ୍ଚିବ ଓ ତା’ପରେ ଜନସ˚ଖ୍ୟା ହ୍ରାସ ପାଇବା ଆରମ୍ଭ ହେବ।

ଦେଶରେ ଜନସ˚ଖ୍ୟା ବୃଦ୍ଧି ଘଟିଲେ ମଧୢ ଜନସ˚ଖ୍ୟା ବୃଦ୍ଧି ହାର ଗଲା କେତେ ବର୍ଷ ହେଲା କ୍ରମାଗତ ଭାବରେ କମୁଛି। ଦେଶରେ ସବୁଠାରୁ ଅଧିକ ଶିଶୁ ୨୦୦୩ ମସିହାରେ ଜନ୍ମଲାଭ କରିଥିଲେ। ସେ ବର୍ଷ ଯେତିକି ଶିଶୁ ଜନ୍ମ ଲାଭ କରିଥିଲେ, ୨୦୨୧ରେ ତା’ଠାରୁ ସାତ ଲକ୍ଷ କମ୍‌ ଶିଶୁ ଅର୍ଥାତ୍‌ ଦୈନିକ ୧୯୦୦ କମ୍‌ ଶିଶୁ ଜନ୍ମ ହୋଇଛନ୍ତି। ଏ କ୍ଷେତ୍ରରେ ଅନ୍ୟ ଏକ ମାଇଲଖୁଣ୍ଟରେ ୨୦୦୫ ମସିହାରେ ଦେଶ ପହଞ୍ଚିଥିଲା। ମହିଳାମାନଙ୍କର ପ୍ରଜନନ କ୍ଷମତା (Fertility Rate) ହାରାହାରି ୩ରୁ କମ୍‌ ହେଲା। ଅର୍ଥାତ୍‌ ଜଣେ ମହିଳା ହାରାହାରି ଭାବରେ ୩ରୁ କମ୍‌ ଶିଶୁଙ୍କୁ ଜନ୍ମ ଦେଲେ। ଦୁଇ ବର୍ଷ ତଳେ (୨୦୧୯) ଏହା ଦୁଇରୁ ସାମାନ୍ୟ କମ୍‌ରେ ପହଞ୍ଚିଛି। ଏହା ବିଶ୍ବର ହାରାହାରି ଜନ୍ମ ହାର ଠାରୁ କମ୍‌।

ବିଗତ ସମୟରେ ପରିବାରମାନେ ଅଧିକ ସନ୍ତାନ କାମନା କରୁଥିଲେ। ଦେଶଟି ମୋଟାମୋଟି ଭାବରେ ଗ୍ରାମଭିତ୍ତିକ ଓ କୃଷିଭିତ୍ତିକ ଥିଲା। ଜମିରେ କାମ କରିବା ଓ ଗୋଧନ ପାଳନ ନିମନ୍ତେ ପରିବାରରେ ଅଧିକ ବ୍ୟକ୍ତି ଆବଶ୍ୟକ ଥିଲେ। ପୁତ୍ର ମୋହରେ ଅନେକ ପରିବାର ଏକାଧିକ କନ୍ୟା ଜନ୍ମ ପରେ ମଧୢ ସନ୍ତାନ ଜନ୍ମରୁ ନିବୃତ୍ତ ହେଉନଥିଲେ। ଜନ୍ମ ନିୟନ୍ତ୍ରଣର କୌଣସି ସାଧନ ଓ ଜ୍ଞାନ ଉପଲବ୍‌ଧ ନ ଥିଲା ଏବଂ ସନ୍ତାନସନ୍ତତିଙ୍କୁ ଭଗବାନଙ୍କ ଦାନ ଭାବି ଗ୍ରହଣ କରାଯାଉଥିଲା। ପୁନଶ୍ଚ ଗ୍ରାମମାନଙ୍କରେ ପିଲାମାନଙ୍କର ଶିକ୍ଷା ଓ ସ୍ବାସ୍ଥ୍ୟ ଲାଗି କୌଣସି ବ୍ୟବସ୍ଥା ନ ଥିବାରୁ ସେ ଦିଗରେ ଅଭିବାବକମାନଙ୍କର ବ୍ୟୟ ଭାର ନ ଥିଲା। ଏ ଲେଖକର ଜେଜେବାପା ପ୍ରତିଦିନ ସନ୍ଧ୍ୟା କରିବା ସମୟରେ ଅନ୍ୟାନ୍ୟ କଥା ସହିତ ‘‘ମୋ ବ˚ଶ ବୃଶାଳ କର’’ ବୋଲି ୧୯୫୭ ମସିହା ପର୍ଯ୍ୟନ୍ତ ପ୍ରାର୍ଥନା କରୁଥିଲେ। ଏ ଲେଖକ ପଚାଶ ଦଶକରେ ରେଭେନ୍‌ସା କଲେଜରେ ଛାତ୍ର ଥିବା ସମୟରେ ପରିବାର ନିୟନ୍ତ୍ରଣ ସମ୍ବନ୍ଧୀୟ ଏକ ତର୍କ ସଭାରେ ଯୁକ୍ତି ପ୍ରଦର୍ଶନ କରିଥିଲା ଯେ ମହାତ୍ମା ଗାନ୍ଧୀ କବିଗୁରୁ ରବୀନ୍ଦ୍ରନାଥ ଟାଗୋର ଓ ନେତାଜୀ ସୁଭାଷ ବୋଷଙ୍କ ପିତା-ମାତାମାନେ ଯଦି ‘‘ଆମେ ଦୁଇ ଓ ଆମର ଦୁଇ’’ ଦର୍ଶନରେ ଅନୁପ୍ରାଣିତ ହୋଇଥାଆନ୍ତେ ତେବେ ଆମ ଦେଶ ଏ ମନୀଷୀମାନଙ୍କର ଦିଗ୍‌ଦର୍ଶନରୁ ବଞ୍ଚିତ ହୋଇଥାଆନ୍ତା।

ଏ ଅଧିକ ସନ୍ତାନ କାମନା ଦ୍ରୁତ ଗତିରେ ହ୍ରାସ ପାଇବା ଆରମ୍ଭ କଲା। ଏକ ପ୍ରମୁଖ କାରଣ ହେଉଛି ନଗରୀକରଣ। ସହରାଞ୍ଚଳରେ ବିରାଟ ପରିବାର ପୋଷଣ ଏକ କଷ୍ଟକର ବ୍ୟାପାର ହେଲା। ଦ୍ବିତୀୟରେ ମହିଳାମାନଙ୍କ ମଧୢରେ ଶିକ୍ଷାର ପ୍ରସାର ଫଳରେ ସେମାନେ ଆଉ ସେମାନଙ୍କର ସାରା ଜୀବନ ସନ୍ତାନ ପ୍ରସବରେ ବିନିଯୋଗ କରିବାକୁ ନ ଚାହିଁ ନିଜେ ରୋଜଗାରକ୍ଷମ ହେବାକୁ ଚାହିଁଲେ। ଦାରିଦ୍ର୍ୟ ହ୍ରାସ ମଧୢ ଆଉ ଏକ କାରଣ। ଦରିଦ୍ର ପରିବାରରେ ସନ୍ତାନ ସ˚ଖ୍ୟା ଅଧିକ। ବର୍ତ୍ତମାନ ସହରାଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟଗତ ବ୍ୟୟ ଏତେ ଅଧିକ ଯେ ଅନେକ ପରିବାରର ଆୟର ସି˚ହଭାଗ ସେଇ ଦିଗରେ ଖର୍ଚ୍ଚ ହେଉଛି। ତେଣୁ ଅଭିଭାବକମାନେ ଅଧିକ ସନ୍ତାନ ଚାହୁଁ ନାହାନ୍ତି। ଦେଶରେ କଣ୍ତୋମ୍‌ର ବ୍ୟବହାର ବିଶେଷ ଭାବରେ ବୃଦ୍ଧି ପାଉଛି ଓ ଅନ୍ୟାନ୍ୟ ପରିବାର ନିୟନ୍ତ୍ରଣ ବ୍ୟବସ୍ଥା ମଧୢ ଗ୍ରହଣୀୟ ହୋଇଛି।

ଜାତିସ˚ଘ ଆକଳନ ଅନୁଯାୟୀ ଆମ ଦେଶରେ ୨୦୪୫-୫୦ ବେଳକୁ ପ୍ରସବ ହାର ହାରାହାରି ମହିଳାଙ୍କ ପ୍ରତି ୧.୮୬କୁ ଖସି ଆସିବ ଯଦିଓ ଜନସ˚ଖ୍ୟାକୁ ସ୍ଥିର ରଖିବାକୁ ହେଲେ ମହିଳାଙ୍କ ପ୍ରସବ ହାର ୨.୧ ହେବା ଆବଶ୍ୟକ। ଆମ ଦେଶରେ କେବଳ ବିହାରରେ ପ୍ରସବ ହାର ଅଧିକ ରହିବ ଓ ଅନ୍ୟ ସବୁ ଅଞ୍ଚଳରେ ଦୁଇରୁ କମ୍‌ ରହିବ। ଜାମ୍ମୁ, କାଶ୍ମୀର, ସିକିମ ଓ ଲଦାଖରେ ଜନ୍ମହାର ସବୁଠାରୁ କମ୍‌ ରହିବ। ଦରିଦ୍ର, ଅଶିକ୍ଷିତ ମୁସଲମାନମାନଙ୍କର ଜନ୍ମ ହାର କିଛିଟା ଅଧିକା ରହିଲେ ମଧୢ ଶିକ୍ଷିତ ମୁସଲମାନମାନଙ୍କର ପ୍ରଜନନ ହାର ହ୍ରାସ ପାଇବ। କାଶ୍ମୀର ଏହାର ପ୍ରକୃଷ୍ଟ ଉଦାହରଣ।

ଏହି ଆକଳନ ଅନୁଯାୟୀ ଦେଶର ଲୋକସ˚ଖ୍ୟା ୨୦୬୦ ଠାରୁ ହ୍ରାସ ପାଇ ଶତାବ୍ଦୀର ଶେଷ ବେଳକୁ ୧୦୦ କୋଟିରେ ପହଞ୍ଚିବ। ଅଧା ବି ହୋଇ ଯାଇପାରେ। ପୃଥିବୀରେ ବର୍ତ୍ତମାନ ୨୦ଟି ଦେଶରେ ଜନସ˚ଖ୍ୟା ହ୍ରାସ ପାଉଛି ଓ ଆସନ୍ତା ୮୦ ବର୍ଷରେ ଚୀନ୍‌ର ଜନସ˚ଖ୍ୟା ଅର୍ଧେକ ହ୍ରାସ ପାଇବ।

ଜନସ˚ଖ୍ୟା ହ୍ରାସ ପାଇଲେ ବେକାରି, ବାସଗୃହ ଅଭାବ ଆଦି ବହୁ ସମସ୍ୟାର ସମାଧାନ ହୋଇପାରିବ। ଜନସ˚ଖ୍ୟାର ମିଶ୍ରଣ (Composition) ଠିକ୍‌ ନ ରହିଲେ କେତେକ ନୂତନ ସମସ୍ୟାର ମଧୢ ଉଦ୍ଭବ ହେବ। ଜନସ˚ଖ୍ୟାରୁ କେତେକ ଉତ୍ପାଦକ ଓ ଆଉ କେତେକ ନିର୍ଭରଶୀଳ ଥାଆନ୍ତି। ଉତ୍ପାଦକଙ୍କ ସ˚ଖ୍ୟା ନିର୍ଭରଶୀଳଙ୍କ ଅପେକ୍ଷା ଅଧିକ ହେଲେ ଦେଶର ଅଗ୍ରଗତି ହୁଏ। ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ଓ ୬୦ ବର୍ଷରୁ ଅଧିକ ବ୍ୟକ୍ତି ନିର୍ଭରଶୀଳ। ବର୍ତ୍ତମାନ ଚୀନ୍‌ ଓ ପାଶ୍ଚାତ୍ୟ ଜଗତ୍‌ରେ ଏଇ ନିର୍ଭରଶୀଳଙ୍କ ସ˚ଖ୍ୟା ବୃଦ୍ଧି ପାଉଥିବାରୁ, ଚୀନ୍‌ର ଉତ୍ପାଦନ କ୍ଷମତା ହ୍ରାସ ପାଇବାକୁ ଆରମ୍ଭ କଲାଣି ଓ ପାଶ୍ଚାତ୍ୟ ଜଗତ୍‌ ବହିରାଗତଙ୍କ (Immigrant) ଉପରେ ଅନିଚ୍ଛା ସତ୍ତ୍ବେ ନିର୍ଭରଶୀଳ। ଆମ ଦେଶରେ ୨୦୧୧ ପର ଠାରୁ ନିର୍ଭରଶୀଳ ବ୍ୟକ୍ତିଙ୍କ ସ˚ଖ୍ୟା ବୃଦ୍ଧି ପାଇବା ଆରମ୍ଭ କଲାଣି। ପୁନଶ୍ଚ ଆମର କୃଷକ ଓ ଶ୍ରମିକମାନଙ୍କ ଉତ୍ପାଦିକା ଶକ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା ଅଭାବରୁ ଚୀନ୍‌ର ଶ୍ରମିକମାନଙ୍କ ତୁଳନାରେ ୪୦ ଭାଗ କମ୍‌। ବର୍ତ୍ତମାନ ଆମ ଦେଶର କର୍ମଠ ଓ ଶିକ୍ଷିତ ଯୁବଶକ୍ତି, ବିଦେଶରେ ଯାଇ ବସବାସ କରିବାରେ ଆଗ୍ରହୀ। ଭାରତୀୟମାନେ ବର୍ତ୍ତମାନ ବିଶ୍ବରେ ସବୁଠାରୁ ସ˚ଖ୍ୟାଧିକ ଆପ୍ରବାସୀ। ଏ ଅବସ୍ଥା ଓ ମନୋଭାବର ପରିବର୍ତ୍ତନ ନ ଘଟିଲେ ଦେଶରୁ ବୁଦ୍ଧିମାନଙ୍କ ପଳାୟନ (Brain drain) ଲାଗି ରହିବ। ଦେଶରେ ନିଯୁକ୍ତିର ଅଭାବ ଓ ଅତିମାତ୍ରାରେ ସ˚ରକ୍ଷଣ ଏଥି ନିମନ୍ତେ ଦାୟୀ।

ଜନ ବିସ୍ଫୋରଣ ଭୟରେ ସାରା ଜୀବନ ଯାପନ କରି, ଜନସ˚ଖ୍ୟା ହ୍ରାସ ଦେଶର ସମସ୍ୟା ସୃଷ୍ଟି କରିପାରେ ବୋଲି ବିବେଚନା କରିବା କଷ୍ଟକର। କିନ୍ତୁ ଏପରି ପରିସ୍ଥିତି ଅନ୍ୟ ଦେଶରେ ସୃଷ୍ଟି ହେଲାଣି ଓ ଆମକୁ ମଧୢ ଦିନେ ଏହାର ମୁକାବିଲା କରିବାକୁ ହେବ। ବର୍ତ୍ତମାନ ଦେଶର କର୍ତ୍ତବ୍ୟ ହେଉଛି-ଶିଶୁ ମୃତ୍ୟୁ ହାର ହ୍ରାସ ଓ ସେମାନଙ୍କୁ ସୁସ୍ଥ, ବଳବାନ ଓ ଶିକ୍ଷିତ ଯୁବକ ଭାବରେ ଗଢ଼ି ତୋଳିବା। ଦେଶରେ ୨୦୦୦ ମସିହାରେ ସରକାର ଜନସ˚ଖ୍ୟା ନୀତି ପ୍ରଣୟନ କରିଥିଲେ ମଧୢ ତାହା ଉପରେ କୌଣସି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଓ କୌଣସି ରାଜନୈତିକ ଦଳ ତାଙ୍କର ନିର୍ବାଚନ ଇସ୍ତାହାରରେ ଜନସ˚ପଦ ସମ୍ବନ୍ଧରେ ଚିନ୍ତା ପ୍ରକଟ କରିନାହାନ୍ତି। ଦେଶରେ ସୁସ୍ଥ ଉତ୍ପାଦକ ଜନସ˚ଖ୍ୟା ଓ ନିର୍ଭରଶୀଳ ଜନସ˚ଖ୍ୟା ମଧୢରେ ସନ୍ତୁଳନ ରକ୍ଷା କରିବା ନିମନ୍ତେ ଏବେଠୁ ସରକାର ନୀତି ନିୟମ ପ୍ରଣୟନ କରିବା ଆବଶ୍ୟକ। କେବଳ ବର୍ତ୍ତମାନର ସମସ୍ୟା ମଧୢରେ ନିଜକୁ ସୀମାବଦ୍ଧ ନ ରଖି ଭବିଷ୍ୟତ୍‌ର ସମସ୍ୟା ଓ ତା’ର ସମାଧାନର ବାଟ ପ୍ରସ୍ତୁତ କରିବା ଦେଶର ସମସ୍ତ ପ୍ରକାରର ରାଜନୈତିକ ଓ ସାମାଜିକ ନେତାଙ୍କର କର୍ତ୍ତବ୍ୟ।

ମୋ- ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର