ଗାନ୍ଧୀ ମରିନାହିଁ
ଗୌରାଙ୍ଗ ଚରଣ ପରିଡ଼ା
‘ମୁଁ ଗାନ୍ଧୀଙ୍କୁ କାହିଁକି ମାରିଲି’, ‘ହ୍ୱାଇ ଆଇ କିଲ୍ଡ ଗାନ୍ଧୀ’; ଏହା ଏବେ ଏକ ଚଳଚ୍ଚିତ୍ରର ନାଁ। ଏ ଚଳଚ୍ଚିତ୍ର ଖୁବ୍ ଶୀଘ୍ର ବଜାରକୁ ଆସୁଛି। ବିଶେଷକରି ଓଟିଟି ପ୍ଲାଟ୍ଫର୍ମ୍ରେ। ନାଥୁରାମ ଗଡ଼ସେ ଏଥିରେ ଗାନ୍ଧୀ ହତ୍ୟାର ନିଜ ସଫେଇ ଦେଇଛି। କିଛି ବୁଦ୍ଧିଜୀବୀ ଏବଂ କିଛି ସିନେ ବିଶ୍ଳେଷକ ଏହାର ବିରୋଧ କଲେଣି। ଏପରି ସିନେମା ପ୍ରସ୍ତୁତି ଆଇନତଃ ଏକ ଅପରାଧ ବୋଲି ଏହି ବୁଦ୍ଧିଜୀବୀମାନଙ୍କ ମତ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୪୮, ଜାନୁଆରି ୩୦ ତାରିଖ ଅପରାହ୍ଣରେ ଗାନ୍ଧୀଜୀ ଦିଲ୍ଲୀର ବିରଳା ଭବନରେ ପ୍ରାର୍ଥନା ସଭାକୁ ଗଲା ବେଳେ ନାଥୁରାମ ଗଡ଼ସେ ଗାନ୍ଧୀଙ୍କୁ ଖୁବ୍ ନିକଟରୁ ଗୁଳି କରି ହତ୍ୟା କରିଥିଲା ଏବଂ ଜାତିର ଜନକ ବାପୁଙ୍କୁ ସେ କାହିଁକି ହତ୍ୟା କଲା, ତାହାର ସଫେଇ ମଧ୍ୟ ସେ ବିଚାର ବେଳେ କୋର୍ଟରେ ଦେଇଥିଲା। କୋର୍ଟ ତାକୁ ଗ୍ରହଣ କରି ନ ଥିଲେ।
ନିଜ ସପକ୍ଷରେ ନାଥୁରାମର ସଫେଇ ବା ‘ଆକ୍ୟୁଜ୍ଡ ଷ୍ଟେଟ୍ମେଣ୍ଟ୍’ ଏକ ଲିଖିତ ଦଲିଲ ଥିଲା। ଏ ଦଲିଲରେ କିଛି ଯୁକ୍ତି ମିଛ ଥିଲା ଏବଂ କିଛି ଅର୍ଧ-ସତ୍ୟ ଉପରେ ଆଧାରିତ ଥିଲା। କିନ୍ତୁ ତାହାକୁ ସତ୍ୟର ବିକୃତ ରୂପ ଦେବାର ଚମତ୍କାର ଉଦ୍ୟମ ହୋଇଥିଲା। ବିଚାରପତି ଏହାକୁ ଶୁଣିଥିଲେ କିନ୍ତୁ ଏହା ଉପରେ ଗୁରୁତ୍ୱ ଦେଇ ନ ଥିଲେ।
ନାଥୁରାମର ଲିଖିତ ସଫେଇ ଦଲିଲକୁ ନେଇ ନାଥୁରାମର ଭାଇ ଗୋପାଳ ଗଡ଼ସେ ଏକ ବହି କରିଛନ୍ତି। ବହିର ନାଁ ହେଉଛି ‘ମେ ଇଟ୍ ପ୍ଲିଜ୍ ୟୁଅର୍ ହନର୍।’ ଏ ବହିର ତଥ୍ୟକୁ ଆଧାର କରି ଏହା ଭିତରେ ବିଭିନ୍ନ ଭାଷାରେ ଅନେକ ବହି ବାହାରି ସାରିଲାଣି। ଅନେକ ନାଟକ ବି ମଞ୍ଚସ୍ଥ ହେଲାଣି। କିଛି ବର୍ଷ ତଳେ ମରାଠୀ ନାଟକ ‘ମି ନାଥୁରାମ ଗଡ଼ସେ ବୋଲତୟେ’ କିଛି ସମୟ ପାଇଁ ଚହଳ ସୃଷ୍ଟି କରିଥିଲା। ଗାନ୍ଧୀଙ୍କୁ ବଦନାମ କରିବାର ଅପରାଧୀୟ ପ୍ରୟାସ ଏବେ ବି ଚାଲିଛି; କିନ୍ତୁ ଏ ଯାଏଁ ସଫଳ ହୋଇନି।
ଗାନ୍ଧୀଜୀଙ୍କ ହତ୍ୟାର ଠିକ ଚାରି ମାସ ପରେ ମକଦ୍ଦମାର ଶୀଘ୍ର ବିଚାର ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିଥିଲେ। ଏହି କୋର୍ଟ ଦିଲ୍ଲୀର ଲାଲକିଲ୍ଲାରେ ସ୍ଥାପିତ ହୋଇଥିଲା। କାନପୁର ସର୍କିଟ୍ କୋର୍ଟର ଜଜ୍, ଏଚ୍. ଅତ୍ମାଚରଣଙ୍କୁ ଏଥିରେ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ବମ୍ବେର ଆଡ୍ଭୋକେଟ୍ ଜେନେରାଲ ବିଚାରପତି ଅତ୍ମାଚରଣଙ୍କୁ ସହାୟତା କରିଥିଲେ।
ନାଥୁରାମଙ୍କ ସମେତ ନଅ ଜଣଙ୍କୁ ଗାନ୍ଧୀ ହତ୍ୟା ଅପରାଧରେ ଅଭିଯୁକ୍ତ କରାଯାଇଥିଲା। ଏ ସମସ୍ତଙ୍କ ବିରୋଧରେ ୩୦୨ (ନରହତ୍ୟା) ଦଫା ଲାଗିଥିଲା। ଏଥିରେ ସାକ୍ଷୀ ଥିଲେ ୧୪୯ ଜଣ। ୧୯୪୮ ମସିହା ଜୁନ୍ ୨୪ ତାରିଖରୁ ବିଚାରପତି ଅତ୍ମାଚରଣ ପ୍ରତି ଦିନ ମକଦ୍ଦମାର ବିଚାର ଆରମ୍ଭ କରିଥିଲେ।
ଅଭିଯୁକ୍ତମାନେ ନିଜ ପକ୍ଷ ରଖିବାକୁ ଭାରତର ଏଗାର ଜଣ ବଡ଼ ବଡ଼ ଓକିଲ ମଧ୍ୟ ନିୟୋଜିତ କରିଥିଲେ। ନାଥୁରାମର ଓକିଲ ଥିଲେ ବାରିଷ୍ଟର ଭି.ଭି. ଓକ୍। ସାବରକର ତାଙ୍କ କେସ୍ ଲଢ଼ିବାକୁ ଦୁଇ ଜଣ ଓକିଲ ଦେଇଥିଲେ। ଦୀର୍ଘ ପ୍ରାୟ ୮ ମାସ ଧରି ମକଦ୍ଦମା ବିଚାର ପରେ ୧୯୪୯ ମସିହା ଫେବ୍ରୁଆରି ୧୦ ତାରିଖରେ ବିଚାରପତି ରା଼ୟ ଶୁଣାଇଥିଲେ। ନାଥୁରାମ ଗଡ଼ସେ ଏବଂ ନାରାୟଣ ଆପତେଙ୍କୁ ଗାନ୍ଧୀ ହତ୍ୟା ଅପରାଧରେ ଫାଶୀ ଦଣ୍ଡ ମିଳିଥିଲା; ଅନ୍ୟ ପାଞ୍ଚ ଜଣଙ୍କୁ ଆଜୀବନ କାରାଦଣ୍ଡ, ଏବଂ ଜଣକୁ ସାତ ବର୍ଷ ଜେଲ୍ ମିଳିଲା। ପ୍ରମାଣ ଅଭାବରୁ ସାବରକରଙ୍କୁ ଖଲାସ କରି ଦିଆଯାଇଥିଲା।
ତଳ କୋର୍ଟର ରା଼ୟ ବିରୋଧରେ ଆସାମୀମାନେ ପଞ୍ଜାବ ହାଇକୋର୍ଟରେ ଅପିଲ କରିଥିଲେ। ହାଇକୋର୍ଟର ତିନି ଜଣିଆ ବେଞ୍ଚ୍ ତଳ କୋର୍ଟର ରା଼ୟକୁ କାଏମ ରଖିଥିଲେ। ପ୍ରିଭି କାଉନ୍ସିଲ୍ରେ ମଧ୍ୟ ଅପିଲ ହୋଇଥିଲା। ପ୍ରିଭି କାଉନ୍ସିଲ୍ ଏହାକୁ ବିଚାର ପାଇଁ ଗ୍ରହଣ କରି ନ ଥିଲେ।
ନାଥୁରାମର ପିତା ଏବଂ ନାରାୟଣର ପତ୍ନୀ ରାଜକ୍ଷମା ପାଇଁ ବି ଗଭର୍ଣ୍ଣର ଜେନେରାଲ୍ଙ୍କୁ ଆବେଦନ କରିଥିଲେ। ଏହା ପ୍ରତ୍ୟାଖ୍ୟାତ ହୋଇଥିଲା। କିନ୍ତୁ ଉଲ୍ଲେଖନୀୟ ଭାବେ ଗାନ୍ଧୀଜୀଙ୍କ ଦୁଇ ପୁତ୍ର ମାଣିଲାଲ ଓ ରାମଦାସ, ନାଥୁରାମ ଏବଂ ନାରାୟଣକୁ ଫାଶୀ ନ ଦେବାକୁ ଗଭର୍ଣ୍ଣର ଜେନେରାଲ୍ଙ୍କୁ ଅନୁରୋଧ କରିଥିଲେ। ମଣିଲାଲ ଏବଂ ରାମଦାସଙ୍କ ଯୁକ୍ତି ଥିଲା ଯେ ଫାଶୀ ଦଣ୍ଡ ଗାନ୍ଧୀ ଆଦର୍ଶର ବିରୋଧୀ। ଅହିଂସାର ପରିପନ୍ଥୀ। ଗାନ୍ଧୀ କହନ୍ତି, ‘ଫାଶୀ ତ, ପୁଣି ଦଣ୍ଡ କ’ଣ?’ ୧୯୪୯ ମସିହା ନଭେମ୍ବର ୧୫ ତାରିଖ ସକାଳେ ଆମ୍ବଲା ଜେଲ୍ରେ ଉଭୟଙ୍କୁ ଫାଶୀ ଦିଆଯାଇଥିଲା। ପ୍ରକାଶ ଥାଉ କି ଭାରତର ନ୍ୟାୟିକ ପଦ୍ଧତି ହିଁ ନାଥୁରାମକୁ ଫାଶୀ ଦେଇଥିଲା, ଯେଉଁ ପ୍ରକ୍ରିୟାରେ ଅନ୍ୟ ହତ୍ୟା ଅପରାଧୀ ଓ ଆତଙ୍କବାଦୀଙ୍କୁ ଫାଶୀ ଦିଆଯାଏ। କିନ୍ତୁ ବିଡ଼ମ୍ବନା ଯେ, ନ୍ୟାୟସିଦ୍ଧ ହତ୍ୟାକାରୀର ମହିମା ଗାନ କରି ଆମେ ଏଠି ବହି ଲେଖୁଛୁ, ଚଳଚ୍ଚିତ୍ର କରୁଛୁ। ୧୯୪୮ ଜାନୁଆରିରେ ଗାନ୍ଧୀ ହତ୍ୟା ନିମନ୍ତେ ଭାରତ ବିଭାଜନ ଏବଂ ପାକିସ୍ତାନକୁ ପଂଚାବନ କୋଟି ଟଙ୍କା ଦେବାର ନାଥୁରାମ ଯେଉଁ କାରଣ ଦିଏ,ଏହା କେମିତି ବାହାନା ପରି ଲାଗେ। କାରଣ, ୧୯୪୮ ମସିହାର ବହୁ ପୂର୍ବରୁ ଯେତେବେଳେ ଭାରତ ବିଭାଜନ ଏକ ପ୍ରସଙ୍ଗ ନ ଥିଲା, ସେତେବେଳେ ବି ଗାନ୍ଧୀଙ୍କ ହତ୍ୟା ପାଇଁ ଉଦ୍ୟମ ହୋଇଥିଲା। ଏଥିରେ ନାଥୁରାମର ସମ୍ପୃକ୍ତି ଅଭିଯୋଗରେ ଆସିଥିଲା।
୧୯୩୪ ମସିହା ଜୁନ୍ ମାସରେ ନିଜର ଏକ ସମ୍ବର୍ଦ୍ଧନା ପାଇଁ ସଭା ସ୍ଥଳକୁ ଗଲାବେଳେ ଗାନ୍ଧୀ ଓ କସ୍ତୁରବା ବସିଥିବା କାର୍ ଉପରକୁ ପୁନେର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପାଖରେ ବୋମା ଫିଙ୍ଗା ଯାଇଥିଲା। ନାଥୁରାମର ଏଥିରେ ହାତ ଥିଲା। ୧୯୪୪ ମସିହାରେ ଆଗାଖାଁ ପ୍ୟାଲେସ୍ରୁ ମୁକ୍ତି ପାଇ ଗାନ୍ଧୀଜୀ ପଞ୍ଚଗନିରେ ବିଶ୍ରାମ ନେବା ବେଳେ ନାଥୁରାମ ମାରଣାସ୍ତ୍ର ଧରି ଗାନ୍ଧୀଙ୍କ କୋଠରି ଭିତରକୁ ଯାଇଥିଲା। ୧୯୪୪ ମସିହା ସେପ୍ଟେମ୍ବର ୮ ତାରିଖରେ ଗାନ୍ଧୀଜୀ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ସାକ୍ଷାତ୍ କରିବାକୁ ଜିନ୍ନାଙ୍କ ବମ୍ବେର ମାଲବାର ହିଲ୍ ସ୍ଥିତ ବାସଭବନକୁ ଗଲାବେଳେ ଗାନ୍ଧୀଙ୍କୁ ଯେଉଁ ବିକ୍ଷୋଭକାରୀମାନେ ବିରୋଧ କରିଥିଲେ, ସେମାନଙ୍କ ଭିତରେ ନାଥୁରାମ ଥିଲା। ନାଥୁରାମକୁ ଗିରଫ କରାଯାଇଥିଲା ଏବଂ ତା’ ପାଖରୁ ଏକ ଖଣ୍ଡା ଜବତ କରାଯାଇଥିଲା। ଏବଂ ୧୯୪୮ ମସିହା ଜାନୁଆରି ୨୦ ତାରିଖର ଗାନ୍ଧୀଙ୍କ ପ୍ରାର୍ଥନା ସଭାରେ ଗାନ୍ଧୀଙ୍କୁ ହତ୍ୟା ନିମନ୍ତେ ମଦନଲାଲର ବୋମା ଫିଙ୍ଗା ଘଟଣା ଯୋଜନା ନାଥୁରାମ କରିଥିଲା। ଯୋଜନାରେ ଥିଲା, ମଦନଲାଲ ବୋମା ଫିଙ୍ଗିବ ଏବଂ ସୁଯୋଗ ଦେଖି ନାଥୁରାମ ଗାନ୍ଧୀଜୀଙ୍କୁ ଗୁଳି କରିବ। ୧୯୪୮ ଜାନୁଆରି ୨୦ ତାରିଖ ବୋମା ଫିଙ୍ଗା ଘଟଣାରେ ସମ୍ପୃକ୍ତ ମଦନଲାଲ ପାଟୱାର ସ୍ପଷ୍ଟୋକ୍ତି ଥିଲା ଯେ ନାଥୁରାମ ଏବଂ ତାଙ୍କ ସନାତନୀ ମହାରାଷ୍ଟ୍ରୀୟ ବନ୍ଧୁମାନେ ଗାନ୍ଧୀଙ୍କ ଅହିଂସା ନୀତି ଏବଂ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ନେତୃତ୍ୱକୁ ଗ୍ରହଣ କରିପାରୁନଥିଲେ। ଶହେ ପଚିଶ ବର୍ଷ ବଂଚିବେ ବୋଲି ଗାନ୍ଧୀ ଯେତେବେଳେ ମନ୍ତବ୍ୟ ଦିଅନ୍ତି, ‘ବଞ୍ଚିବାକୁ କିଏ ସୁଯୋଗ ଦେବ’, ନାଥୁରାମର ଏମିତି ତାଚ୍ଛଲ୍ୟ କଥା, ଗାନ୍ଧୀ ହତ୍ୟାର ଅଭିଯୋଗ ପତ୍ରରେ ଥିଲା।
କେବଳ ଭାରତ ନୁହେଁ, ଆମେରିକା ପରି ମୁକ୍ତ ସମାଜରେ ମାର୍ଟିନ ଲୁଥର କିଙ୍ଗ୍, ଆବ୍ରାହାମ ଲିଂକନଙ୍କ ସମେତ ପାଞ୍ଚଜଣ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଆତତାୟୀମାନେ ହତ୍ୟା କରିସାରିଲେଣି। ରାଷ୍ଟ୍ରନେତାଙ୍କୁ ହତ୍ୟା କରିବାର ବୌଦ୍ଧିକ କାରଣ ଖୋଜିବାକୁ ଏଇ କିଛି ବର୍ଷ ତଳେ କିଛି ବିଶେଷଜ୍ଞଙ୍କୁ ନେଇ ଏକ ଟାସ୍କ ଫୋର୍ସ ଆମେରିକାରେ ଗଠିତ ହୋଇଥିଲା। ଟାସ୍କ ଫୋର୍ସର ରିପୋର୍ଟ ହେଲା, ଅସହିଷ୍ଣୁତା ଏବଂ ‘ନାସନାଲ ଲିଡର୍ସ ଅସାସିନେସନ ସିଣ୍ଡ୍ରୋମ’ ପରି କାରଣ ଏଥିପାଇଁ ଦାୟୀ।
ଗାନ୍ଧୀଙ୍କୁ ଗୁଳି କରି ମାରିଦେବାର ୭୪ ବର୍ଷ ପରେ ପୁଣି ନାଥୁରାମର କ’ଣ କହିବାର ଅଛି, ଏହା ହିଁ ବଡ଼ ପ୍ରଶ୍ନ। ଆମେରିକାରେ ମାର୍ଟିନ ଲୁଥର କିଙ୍ଗ୍ ଜୁନିଅରଙ୍କ ହତ୍ୟା ପରେ ଚିକାଗୋର ‘ସନ ଟାଇମ୍ସ’ ଖବର କାଗଜରେ ଏକ କାର୍ଟୁନ୍ ପ୍ରକାଶ ପାଇଥିଲା। କାର୍ଟୁନ୍ରେ ଥିଲା, ସ୍ୱର୍ଗରେ ଗାନ୍ଧୀଜୀଙ୍କୁ ଦେଖାହୋଇ ମାର୍ଟିନ ଲୁଥର କିଙ୍ଗ୍ କହିଦେଲେ, ‘ସେମାନେ ମୋତେ ମାରିଦେଲେ ବାପୁ’। ଗାନ୍ଧୀଙ୍କ ଉତ୍ତର ଥିଲା, ‘ହତ୍ୟାକାରୀର ବିଡ଼ମ୍ବନା ହେଲା, ସେ ଜାଣେ, ସେ ତୁମକୁ ମାରି ଦେଇଛି।’
କାର୍ଟୁନ୍ର ଏ ବି ସନ୍ଦେଶ ଥିଲା, ଗାନ୍ଧୀଙ୍କୁ ମାରିଦେବାର ଦାବି ମଧ୍ୟ ହାସ୍ୟାସ୍ପଦ। କାରଣ ଗାନ୍ଧୀ ପାଞ୍ଚ ଫୁଟ ପାଞ୍ଚ ଇଞ୍ଚର ଏକ ଧଡ଼ଧଡ଼ିଆ ବ୍ୟକ୍ତି ନୁହନ୍ତି, ସେ ଏକ ବିଚାର। ସେ ବିଚାରର ମୃତ୍ୟୁ ନାହିଁ। ଗାନ୍ଧୀ ମରିନାହିଁ। ମାରି ବି ହେବନି।
ମୋ: ୯୮୬୧୪୬୯୩୨୮