ଦେଶର ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନୀ କୋଳାହଳ ମଧ୍ୟରେ ସାଧାରଣ ଜନତାଙ୍କ ନଜରରୁ ବିଚଳିତ କଲା ଭଳି ଏକ ଖବର ପ୍ରାୟ ଲୁଚିଯାଇଛି, ଯାହା ହେଲା ସଦ୍ୟ ଉନ୍ମୋଚିତ ହୋଇଥିବା ଦେଶର ବୃହତ୍ତମ ବ୍ୟାଙ୍କ୍ ଠକେଇ। ଅଠେଇଶଟି ସରକାରୀ ଓ ଘରୋଇ ବ୍ୟାଙ୍କ୍ର ଏକ ସହାୟତା-ସଂଘ (କନ୍ସୋର୍ଟିଅମ୍)କୁ ଗୁଜରାଟ ସ୍ଥିତ ‘ଏବିଜି ସିପ୍ୟାର୍ଡସ’ କମ୍ପାନି ଓ ତାହାର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଋଷି କମଳେଶ ଅଗ୍ରୱାଲ ୨୨୮୪୨ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ସିବିଆଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଦେଶରେ ନିୟମିତ ଅନ୍ତରାଳରେ ବଡ଼ ବଡ଼ ବ୍ୟାଙ୍କ୍ ଠକେଇମାନ ସଂଘଟିତ ହେବା ଉଦ୍ବେଗଜନକ କାରଣ ଦେଶର ବିତ୍ତୀୟ ବ୍ୟବସ୍ଥା ଉପରେ ଏହାର ଦୀର୍ଘମିଆଦୀ କୁପ୍ରଭାବ ପଡ଼ିଥାଏ।
ଅଗ୍ରୱାଲଙ୍କ ଦ୍ୱାରା ୧୯୮୫ରେ ଗୁଜରାଟର ଦହେଶ ଓ ସୁରାଟରେ ‘ଏବିଜି ସିପ୍ୟାର୍ଡସ’ କମ୍ପାନି ସ୍ଥାପିତ ହୋଇଥିଲା। ଏହି କମ୍ପାନି ଜାହାଜ ତିଆରି ଓ ଜାହାଜ ମରାମତି କାର୍ଯ୍ୟରେ ନିୟୋଜିତ ହୋଇ ୧୬ ବର୍ଷ ମଧ୍ୟରେ ୧୬୫ଟି ଜାହାଜ ନିର୍ମାଣ କରିଥିଲା ଓ ସେଥିରୁ କିଛି ବିଦେଶରେ ବିକ୍ରି କରିଥିଲା ମଧ୍ୟ। ଏଥିପାଇଁ ‘ଆଇସିଆଇସିଆଇ’ ବ୍ୟାଙ୍କ୍ ସମେତ ୨୮ଟି ସରକାରୀ ଓ ଘରୋଇ ବ୍ୟାଙ୍କ୍ ଏବଂ ‘ଏଲଆଇସି’ ତାକୁ ଋଣ ପ୍ରଦାନ କରିଥିଲେ। ୨୦୦୮ରେ ବିଶ୍ୱ ଅର୍ଥ ସଙ୍କଟ ସମୟରେ କମ୍ପାନିର କାର୍ଯ୍ୟକାରୀ ପୁଞ୍ଜିର ଅଭାବ ଦେଖା ଦେଇ ଆର୍ଥିକ ସମସ୍ୟା ଉତ୍କଟ ହେବାକୁ ଲାଗିଲା। ଏହା ସତ୍ତ୍ୱେ ୨୦୦୫ରୁ ୨୦୧୦ ମଧ୍ୟରେ ବ୍ୟାଙ୍କ୍ଗୁଡ଼ିକ କମ୍ପାନିକୁ ଉଦାରତାପୂର୍ବକ ଋଣ ପ୍ରଦାନ କରି ଚାଲିଲେ। ଶେଷରେ ୨୦୧୩ର ବର୍ଷ ଶେଷ ବେଳକୁ କମ୍ପାନିର ଋଣ ଅନାଦାୟ ଶ୍ରେଣୀଭୁକ୍ତ (ଏନ୍ପିଏ) ହୋଇଗଲା। ତେବେ ୨୦୧୪ରେ କର୍ପୋରେଟ୍ ଋଣ ପୁନର୍ଗଠନ (ସିଡିଆର୍) ବ୍ୟବସ୍ଥା ଅନୁଯାୟୀ ଷ୍ଟେଟ୍ ବ୍ୟାଙ୍କ୍ ଦ୍ୱାରା କମ୍ପାନି ଋଣର ପୁନର୍ବିନ୍ୟାସ ପାଇଁ ଉଦ୍ୟମ କରାଗଲା। ହେଲେ, କମ୍ପାନି ନିର୍ଦ୍ଧାରିତ କିସ୍ତି ଓ ସୁଧ ଠିକ ସମୟରେ ପଇଠ କରିବାକୁ ଅସମର୍ଥ ହେବାରୁ ଋଣ ପୁନର୍ଗଠନ ପ୍ରୟାସ ମଧ୍ୟ ବିଫଳ ହେଲା। ୨୦୧୮ରେ ଠକେଇ ସମ୍ପର୍କରେ ଆଭାସ ମିଳିଲା ପରେ ‘ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍’ କମ୍ପାନିକୁ ଫରେନ୍ସିକ୍ ଅଡିଟ୍ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଗଲା, ଯିଏ ଜାନୁଆରି, ୨୦୧୯ରେ ରିପୋର୍ଟ ପ୍ରଦାନ କଲେ। କମ୍ପାନି ୨୦୧୨ରୁ ୨୦୧୭ ମଧ୍ୟରେ ବେଆଇନ ଭାବେ ବିପୁଳ ପରିମାଣର ଅର୍ଥ ଅପସାରଣ ଓ ଆତ୍ମସାତ୍ କରିଥିବାର ଅଡିଟ୍ ରିପୋର୍ଟରୁ ପ୍ରମାଣ ମିଳିବା। ଏହା ପରେ ବଡ଼ ଧରଣର ବ୍ୟାଙ୍କ୍ ଠକେଇ ହୋଇଥିବା କଥା ସ୍ପଷ୍ଟ ହୋଇଗଲା। ବ୍ୟାଙ୍କ୍ ଓ ଏଲଆଇସିରୁ ମିଳିଥିବା ଋଣ ରାଶିକୁ କମ୍ପାନି ତା’ର ୯୮ଟି ସହଯୋଗୀ କମ୍ପାନି ଜରିଆରେ ଅପସାରଣ କରିବାକୁ ସମର୍ଥ ହୋଇଥିଲା। ଏହି କମ୍ପାନିଗୁଡ଼ିକ ମଧ୍ୟରୁ ଅଧିକାଂଶ ନାମକୁ ମାତ୍ର ଅର୍ଥାତ୍ ସେଲ୍ କମ୍ପାନି ଥିଲେ। ଏହି ସହଯୋଗୀ କମ୍ପାନିଗୁଡ଼ିକ ଜରିଆରେ କମ୍ପାନି ବିଦେଶରେ ସମ୍ପତ୍ତି ଆହରଣ କରିବା ସହ ବିଦେଶୀ କମ୍ପାନିର ଅଂଶଧନରେ ବିନିଯୋଗ କରିବାକୁ ସମର୍ଥ ହେଲା। ବ୍ୟାଙ୍କ୍ ଠକେଇରେ ଯେଉଁ ୨୨୮୪୨ କୋଟି ଟଙ୍କା ହଡ଼ପ ହୋଇଥିବାର ଅଭିଯୋଗ ହୋଇଛି, ତନ୍ମଧ୍ୟରୁ ସର୍ବାଧିକ ୭୦୮୯ କୋଟି ଟଙ୍କା ‘ଆଇସିଆଇସିଆଇ’ ବ୍ୟାଙ୍କ୍ର ହୋଇଥିବା ବେଳେ ‘ଆଇଡିବିଆଇ’ ବ୍ୟାଙ୍କ୍ ୩୬୩୯ କୋଟି ଟଙ୍କା ପ୍ରଦାନ କରିଛି।
ଷ୍ଟେଟ୍ ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ ବରୋଦା, ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ୍, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ ଇଣ୍ଡିଆ ପରି ସରକାରୀ ବ୍ୟାଙ୍କ୍ଗୁଡ଼ିକ ମଧ୍ୟ ଯଥାକ୍ରମେ ୨୯୨୫ କୋଟି, ୧୬୧୪ କୋଟି, ୧୩୨୭ କୋଟି, ୧୨୪୪ କୋଟି, ୭୧୯ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି। ଜାନୁଆରି ୨୦୧୯ରେ ଠକେଇ ଚିହ୍ନଟ ହେବା ଓ ଷ୍ଟେଟ୍ ବ୍ୟାଙ୍କ୍ ଦ୍ୱାରା ଅଭିଯୋଗ ଦାଖଲ ହେବାର ପ୍ରାୟ ୨ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେବା ପରେ ଯାଇ ଫେବ୍ରୁଆରି ୭, ୨୦୨୨ରେ ସିବିଆଇ ତରଫରୁ ‘ଏବିଜି ସିପ୍ୟାର୍ଡସ’ ଓ ‘ଏବିଜି ଇଣ୍ଟରନ୍ୟାସ୍ନାଲ’ କମ୍ପାନି ଦ୍ୱୟ ବିରୋଧରେ ମାମଲା ରୁଜୁ ହେବା ଓ ପରେ ପରେ ପ୍ରତିଷ୍ଠାତା ଋଷି ଅଗ୍ରୱାଲ ଏବଂ ଦୁଇ ଅଧିକାରୀଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଥିଲା। ଏତେ ବଡ଼ ଧରଣର ବ୍ୟାଙ୍କ୍ ଠକେଇରେ କାର୍ଯ୍ୟାନୁଷ୍ଠାନ କରିବାରେ ବିଳମ୍ୱ ହେବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ସିବିଆଇ ନିକଟରେ ଡିସେମ୍ୱର ୨୦୧୯ରେ ପ୍ରଥମ ଅଭିଯୋଗ ଓ ଡିସେମ୍ୱର ୨୦୨୦ରେ ବିସ୍ତୃତ ଅଭିଯୋଗ କରିଥିେଲ ବି ସିବିଆଇ ତରଫରୁ ତତ୍ପରତା ପ୍ରକାଶ ନ ପାଇବାର ରହସ୍ୟ ବୁଝି ହେଉନାହିଁ। ୨୦୧୮ରେ ଠକେଇ ସମ୍ପର୍କରେ ଜଣା ପଡ଼ିଥିଲା ଅଥଚ ଅଭିଯୁକ୍ତଙ୍କ ବିରୋଧରେ ଫେବ୍ରୁଆରି ୨୦୨୨ରେ ‘ଲୁକ୍ ଆଉଟ୍’ ନୋଟିସ୍ ଜାରି ହେଲା। ଏହାର ଅର୍ଥ ଅଭିଯୁକ୍ତ ଚାହିଁଥିଲେ ନିରବ ମୋଦି, ମେହୁଲ ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ଭଳି ସହଜରେ ବିଦେଶକୁ ଖସି ଯାଇ ପାରିଥାଆନ୍ତେ ।
ଏଥି ପୂର୍ବରୁ ଗତ ୭ ବର୍ଷ ମଧ୍ୟରେ ଦେଶରେ ଅନେକ ବଡ଼ ବଡ଼ ବ୍ୟାଙ୍କ୍ ଠକେଇ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି ୨୦୧୮ରେ ସିମ୍ଭାଓଲି ଚିନି ମିଲ୍ ବ୍ୟାଙ୍କ୍ ଠକେଇ ମାମଲାରେ ପ୍ରାୟ ୨୦୦ କୋଟି ଟଙ୍କା, ୨୦୧୮ରେ ସଂଘଟିତ ୫୧୫ କୋଟି ଟଙ୍କାର ଆର.ପି. ଇନ୍ଫୋ ସିଷ୍ଟମ ବ୍ୟାଙ୍କ୍ ଠକେଇ ଯେଉଁଥିରେ ୯ଟି ବ୍ୟାଙ୍କ୍ର ସମ୍ପୃକ୍ତି ଥିଲା, ରୋଟୋମାକ୍ ପେନ୍ ଠକେଇ ଯେଉଁଥିରେ କମ୍ପାନିର ପ୍ରତିଷ୍ଠାତା ବିକ୍ରମ କୋଠାରୀଙ୍କ ଉପରେ ୭ଟି ବ୍ୟାଙ୍କ୍କୁ ସୁଧ ଓ ମୂଳ ମିଶାଇ ୩୯୬୫ କୋଟି ଟଙ୍କା ଠକିଥିବାର ଅଭିଯୋଗ ହୋଇଥିଲା। ୨୦୧୮-୧୯ରେ ୧୮୭୫ କୋଟି ଟଙ୍କାର ‘ଆଇସିଆଇସିଆଇ’ ବ୍ୟାଙ୍କ୍ ଭିଡିଓକନ ଠକେଇ ମାମଲାରେ ବ୍ୟାଙ୍କ୍ର ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ସମ୍ପୃକ୍ତି ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ କିଙ୍ଗ୍ଫିସର୍ ଏୟାର ଲାଇନ୍ସ ଦ୍ୱାରା ୧୩ଟି ବ୍ୟାଙ୍କ୍ରେ ପ୍ରାୟ ୯୪୦୦ କୋଟି ଟଙ୍କାର ଠକେଇ ପରେ ଶିଳ୍ପପତି ବିଜୟ ମାଲ୍ୟା ମାର୍ଚ୍ଚ ୨, ୨୦୧୬ରେ ବିଦେଶକୁ ଖସିଯିବା ଅନେକଙ୍କୁ ଚକିତ କରିଥିଲା। ସେହି ଏକା ପରି ଘଟଣାର ପୁନରାବୃତ୍ତି ଘଟିଥିଲା ୨୦୧୮ରେ, ଯେତେବେଳେ ଉଭୟ ନିରବ ମୋଦି ଓ ମେହୁଲ ଚୋକ୍ସି ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ୍କୁ ୧୧୪୦୦ କୋଟି ଟଙ୍କା ଠକି ବିଦେଶକୁ ପଳାୟନ କରିଥିଲେ। ତା’ ପରେ ମନେ ହେଉଥିଲା ଯେ ଦେଶରେ ଆଉ ବଡ଼ ଧରଣର ବ୍ୟାଙ୍କ୍ ଠକେଇ ହେବ ନାହିଁ। କିନ୍ତୁ ବିଡ଼ମ୍ବନା, ମାତ୍ର ଅଳ୍ପ ଦିନର ବ୍ୟବଧାନରେ ‘ଏବିଜି ସିପ୍ୟାର୍ଡସ୍’ ମାମଲାରେ ବ୍ୟାଙ୍କ୍ ଠକେଇ ହେଲା ଏବଂ ତାହା ପୂର୍ବର ସବୁ ବୃହଦାକାର ଠକେଇକୁ ବଳିଗଲା।
ରିଜର୍ଭ ବ୍ୟାଙ୍କ୍ ନିୟମାନୁସାରେ ୧ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ରାଶିର ଠକେଇ ହୋଇଥିଲେ ତାହା ବ୍ୟାଙ୍କ୍ ଠକେଇ ବୋଲି ବିବେଚିତ ହୋଇଥାଏ। ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ପ୍ରକାଶିତ ‘ରିପୋର୍ଟ୍ ଅନ ଟ୍ରେଣ୍ଡ୍ ଆଣ୍ଡ ପ୍ରୋଗ୍ରେସ୍ ଅଫ ବ୍ୟାଙ୍କିଙ୍ଗ, ୨୦୨୦-୨୧’ ଅନୁଯାୟୀ ଏ ବର୍ଷ ଦେଶରେ ସମୁଦାୟ ୭୩୬୩ଟି ମାମଲାରେ ୧.୩୮ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଛି। ତେବେ, ଏହା ପୂର୍ବ ବର୍ଷର ୧.୮୫ ଲକ୍ଷ କୋଟି ତୁଳନାରେ କମ୍। ବିଡ଼ମ୍ୱନାର ବିଷୟ ଯେ ଏହି ଠକେଇ ପରିମାଣ ଦେଶର କୃଷି ବଜେଟ୍ ଓ ଓଡ଼ିଶା ଭଳି ଅନେକ ରାଜ୍ୟର ବାର୍ଷିକ ବଜେଟ୍ ଠାରୁ ବି ଅଧିକ। ୨୦୨୧-୨୨ର ପ୍ରଥମ ୬ ମାସ ମଧ୍ୟରେ ସଂଘଟିତ ଠକେଇର ସଂଖ୍ୟା ଥିଳା ୪୦୭୧, ଯାହା ୨୦୨୦-୨୧ର ସେହି ସମୟରେ ହୋଇଥିବା ୩୪୯୯ଟି ଠକେଇ ଠାରୁ ଅଧିକ, ଯାହା ଚିନ୍ତାଜନକ। ଗତ ବର୍ଷ ସଂଘଟିତ ଠକେଇ ମଧ୍ୟରେ ସଂଖ୍ୟା ଦୃଷ୍ଟିରୁ ୪୮% ଋଣ କାରବାର ଜନିତ ହୋଇଥିଲା ବେଳେ ପରିମାଣ ଦୃଷ୍ଟିରୁ ଏହା ୧.୩୭ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୯୯ ପ୍ରତିଶତ। ସରକାରୀ ବ୍ୟାଙ୍କ୍ଗୁଡ଼ିକରେ ଅଧିକ ସଂଖ୍ୟକ ବଡ଼ ଠକେଇ ହେଉଥିଲେ ବି ଘରୋଇ ବ୍ୟାଙ୍କ୍ଗୁଡ଼ିକରେ ମଧ୍ୟ ଠକେଇ ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି। ସଂଖ୍ୟା ଦୃଷ୍ଟିରୁ କାର୍ଡ ଓ ଇଣ୍ଟର୍ନେଟ୍ (ଡିଜିଟାଲ କାରବାର)ରେ ଠକେଇ ପ୍ରାୟ ୩୫ ପ୍ରତିଶତ ହୋଇଥିଲେ ବି ଠକେଇର ପରିମାଣ ମାତ୍ର ୧୧୯ କୋଟି ଟଙ୍କା। ବିମୁଦ୍ରୀକରଣ ପରେ ସରକାରଙ୍କ ତରଫରୁ ଡିଜିଟାଲ ଦେଣନେଣ ଉପରେ ଗୁରୁତ୍ୱ ଦିଆଯିବା ପରେ ଏହି ଧରଣର ବ୍ୟାଙ୍କ୍ ଠକେଇ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି।
ଅଫ୍ ବାଲାନ୍ସ ସିଟ୍, ବିଦେଶୀ ମୁଦ୍ରା କାରବାର, ଜମା, ଆନ୍ତଃ-ଶାଖା କାରବାର, ଚେକ୍, ଡ୍ରାଫ୍ଟ, କ୍ଲିଅରିଂ ଆଦି ମାଧ୍ୟମରେ ମଧ୍ୟ ଠକେଇ ହେଉଥିଲେ ବି ଉଭୟ ସଂଖ୍ୟା ଓ ପରିମାଣ ଦୃଷ୍ଟିରୁ ସେଗୁଡ଼ିକ ନଗଣ୍ୟ। ଅର୍ଥାତ୍, କେବଳ ଯଦି ବଡ଼ ବଡ଼ ଋଣ ନେଇ ବ୍ୟାଙ୍କ୍କୁ ଠକୁଥିବା ଋଣଗ୍ରହୀତାଙ୍କ ଉପରେ ଅଙ୍କୁଶ ଲଗା ଯାଇପାରନ୍ତା ତେବେ, ଦେଶରେ ବ୍ୟାଙ୍କ୍ ଠକେଇର ପରିମାଣ ଯଥେଷ୍ଟ ହ୍ରାସ ପାଆନ୍ତା। ଏ ସଂକ୍ରାନ୍ତରେ ବିବେକାନୁମୋଦିତ ତଥା ଦ୍ରୁତ କାର୍ଯ୍ୟାନୁଷ୍ଠାନ କରିବାରେ ଉଚ୍ଚ ପଦସ୍ଥ ବ୍ୟାଙ୍କ୍ ଅଧିକାରୀ, ନିରୀକ୍ଷକ ଓ ନିୟନ୍ତ୍ରକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ଅନେକ ସମୟରେ ସେମାନେ ରାଜନେତାଙ୍କ ଚାପ ଅଥବା ଲାଭ, ଲୋଭ ବା ଭୟର ବଶବର୍ତ୍ତୀ ହୋଇ ନିଜ ଭୂମିକାକୁ ଠିକଣା ଭାବେ ନିର୍ବାହ କରିବାକୁ ଅସମର୍ଥ ହେଉଥିବାରୁ ବଡ଼ ବଡ଼ ବ୍ୟାଙ୍କ୍ ଠକେଇକୁ ପ୍ରଶ୍ରୟ ମିଳୁଛି। ରିଜର୍ଭ ବ୍ୟାଙ୍କ୍ ପ୍ରଦତ୍ତ ସୂଚନା ଅନୁଯାୟୀ ବ୍ୟାଙ୍କ୍ଗୁଡ଼ିକ ସର୍ବମୋଟ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ଠକାମିର ଶିକାର ହୋଇଛନ୍ତି, ଯାହା ସମଗ୍ର ବ୍ୟାଙ୍କ୍ ଋଣ ରାଶିର ପ୍ରାୟ ୪.୫ ପ୍ରତିଶତ। ଠକେଇ ରାଶିରୁ ଆଦାୟ ହୋଇ ପାରିଛି ମାତ୍ର ୧୦ ପ୍ରତିଶତ। ଏହା ଅତ୍ୟନ୍ତ ଉଦ୍ବେଗଜନକ।
ଏହିପରି ବଡ଼ ଧରଣର ବ୍ୟାଙ୍କ୍ ଠକେଇ ବାରମ୍ୱାର ଘଟି ଚାଲିଲେ ଗ୍ରାହକଙ୍କର ବ୍ୟାଙ୍କ୍ ତଥା ବିତ୍ତୀୟ ବ୍ୟବସ୍ଥା ପ୍ରତି ବିଶ୍ୱାସ ହାନି ଓ ସମ୍ମାନ ହାନିର କାରଣ ହୋଇଥାଏ। ଏହାର ପ୍ରତିକୂଳ ପ୍ରଭାବ କେବଳ ଦେଶ ଭିତରେ ନୁହେଁ, ବିଶ୍ୱ ବିତ୍ତୀୟ ପଟଳରେ ମଧ୍ୟ ଅନୁଭୂତ ହୋଇଥାଏ।
ବର୍ଦ୍ଧିତ ଅନାଦାୟ ଋଣ (ଏନ୍ପିଏ) ବୋଝର ସମସ୍ୟାରେ ଆକ୍ରାନ୍ତ ବ୍ୟାଙ୍କ୍ଗୁଡ଼ିକ ଏ ଭଳି ଠକେଇ ଦ୍ୱାରା କ୍ଷତିଗ୍ରସ୍ତ ହୋଇ ଅଧିକ ଦୁର୍ବଳ ହେଉଛନ୍ତି। ସେମାନଙ୍କ କ୍ଷତିଭରଣା କରିବାକୁ ସରକାର ଆଗେଇ ଆସିଲେ ଟିକସ ଦାତାଙ୍କ ଅର୍ଥର ଅପଚୟ ହେବା ହିଁ ସାର ହୋଇଥାଏ। ଏ ଭଳି ବଡ଼ ବଡ଼ ବ୍ୟାଙ୍କ୍ ଠକେଇ ଉଚ୍ଚ ପଦସ୍ଥ ବ୍ୟାଙ୍କ ଅଧିକାରୀ, ନିରୀକ୍ଷକ ଓ ରାଜନେତାଙ୍କ ବିନା ସମ୍ପୃକ୍ତି ବା ଜ୍ଞାତସାରରେ ହେବା କଷ୍ଟକର। କିନ୍ତୁ ଏଥି ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ଅଭାବ କାରଣରୁ ଏଭଳି ଠକେଇ ଅଧିକରୁ ଅଧିକ ହେବାରେ ଲାଗିଛି। ଏ ଭିତରେ ‘ଏବିଜି ସିପ୍ୟାର୍ଡସ’ ମାମଲାରେ ଠକାମି ଚିହ୍ନଟ ହୋଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଚାରି ବର୍ଷ ବିତିଗଲାଣି। ଏ ବିଳମ୍ବ ଇଚ୍ଛାକୃତ ନୁହେଁ ବରଂ ପ୍ରକ୍ରିୟାଗତ କାରଣରୁ ହେଲା ବୋଲି ଉଭୟ ବ୍ୟାଙ୍କ୍ ଓ ଅର୍ଥମନ୍ତ୍ରୀ ସଫେଇ ଦେଇଛନ୍ତି। ତାହା ହେଲେ ସେପରି ପ୍ରକ୍ରିୟାରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯାଉ ନାହିଁ କାହିଁକି? ବ୍ୟାଙ୍କ୍ ବ୍ୟବସ୍ଥାକୁ ପ୍ରାଣବନ୍ତ କରି ରଖିବାକୁ ହେଲେ ଠକେଇ ଉପରେ ପ୍ରଭାବୀ ଲଗାମ ଲାଗିବା ନିତାନ୍ତ ପ୍ରୟୋଜନ।
ମୋ- ୯୪୩୭୦୩୮୦୧୫
www.SaralJatil.com
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/eddd22f.jpg)