ଏ ଦେଶରେ ଏବେ ସବୁଠାରୁ ଧନୀ କିଏ? ଦେଶକୁ ଆର୍ଥିକ ଦୃଷ୍ଟିରୁ ଚଳାଉଛନ୍ତି କିଏ?
ଏଭଳି ପ୍ରଶ୍ନ ଉଠିଲା ବେଳେ କେତେକ ବାମପନ୍ଥୀ, ଉଦାରବାଦୀ ତଥା ବିରୋଧୀ ଦଳ କହିଛନ୍ତି ଯେ ମୁକେଶ ଅମ୍ବାନୀ ଆଉ ଗୌତମ ଅଦାନୀ ହେଉଛନ୍ତି ଦୁଇଟି ଶିଳ୍ପପତି ଯେଉଁମାନେ ଏ ଦେଶର ସବୁଠୁଁ ଅଧିକ ଧନୀ ଓ ସେମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ। ମୋଦୀ ଯାହା କରୁଛନ୍ତି, କେବଳ ସେହିମାନଙ୍କ ଲାଭ ପାଇଁ କରୁଛନ୍ତି। ଏହା ଦ୍ୱାରା ସାଧାରଣ ଲୋକଙ୍କର କିଛି ଲାଭ ହେଉନାହିଁ। ଏପରିକି ଯେତେବେଳେ ତିନିଟି କୃଷି ବିଲ୍ ସଂସଦରେ ଗୃହୀତ ହେଲା ଓ ସେଥିରେ ଚୁକ୍ତିବଦ୍ଧ ଚାଷ (କଣ୍ଟ୍ରାକ୍ଟ ଫାର୍ମିଂ)ର ବ୍ୟବସ୍ଥା ଥିଲା, ସେତେବେଳେ ଏହିମାନେ କହୁଥିଲେ ଯେ, ମୁଖ୍ୟତଃ ଅମ୍ବାନୀ, ଅଦାନୀ ହିଁ କୃଷକର ସବୁ ଜମି ନେଇ ଯାଇ ଚାଷ କରିବେ ଓ ଲାଭ କରିବେ। ଯେତେବେଳେ ଅାବଶ୍ୟକ ଦ୍ରବ୍ୟ ନିୟନ୍ତ୍ରଣ ଆଇନକୁ ଉଠାଇ ନିଆଗଲା, ସେତେବେଳେ କୁହାଗଲା, ହରିଆଣାରେ ଅମ୍ବାନୀ ଓ ଅଦାନୀ ବହୁ ଜମି କିଣି ନେଇଛନ୍ତି। ଏହି ସବୁ ଖାଦ୍ୟ ସାମଗ୍ରୀ ନିଜେ ଠୁଳ କରି ରଖିବେ ଓ ତାକୁ ବିକି ଅନେକ ଲାଭ ଉପାର୍ଜନ କରିବେ। କିନ୍ତୁ ଏବେ ‘କ୍ରେଡିଟ୍ ସୁଇସେ’ ବୋଲି ବିଶ୍ୱର ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଆର୍ଥିକ ଆକଳନକାରୀ ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଛି ଯେ ଦେଶର ୧୦୦ଟି ୟୁନିକର୍ନ୍ ହେଲେଣି ଯେଉଁମାନଙ୍କ ପାଖରେ ବିପୁଳ ଅର୍ଥ ଠୁଳ ହୋଇଗଲାଣି। ଅର୍ଥାତ୍, ଏହି କମ୍ପାନିମାନେ ଏବେ ପ୍ରତ୍ୟେକ ୧୦୦ କୋଟି ଡଲାର୍ ଅର୍ଥାତ୍ ପ୍ରାୟ ୭୫୦୦ କୋଟି ଟଙ୍କାର ମାଲିକ। କିନ୍ତୁ ଏମାନଙ୍କର ପଞ୍ଜୀକରଣ ଷ୍ଟକ୍ ଏକ୍ସଚେଞ୍ଜ୍ରେ ହୋଇନାହିଁ। ବଡ଼ ବଡ଼ କମ୍ପାନିମାନେ ସାଧାରଣତଃ ଷ୍ଟକ୍ ମାର୍କେଟ୍ରେ ନିଜକୁ ତାଲିକାଭୁକ୍ତ କରିଥା’ନ୍ତି ଓ ତାହା ଫଳରେ ସାଧାରଣ ଅର୍ଥ ନିବେଶକମାନେ ସେମାନଙ୍କ କମ୍ପାନିର ଅଂଶଧନ(ସେୟାର) କିଣନ୍ତି ଓ କମ୍ପାନିମାନଙ୍କୁ ମୂଳଧନ ମିଳିଯାଏ।
ୟୁନିକର୍ନମାନେ ହେଲେ ନୂଆ ବ୍ୟବସାୟ। ଏମାନଙ୍କ ବାପ, ଗୋସବାପମାନେ ବ୍ୟବସାୟ କରୁନଥିଲେ ତଥା ସେମାନେ ପୁରୁଣା ବ୍ୟବସାୟରୁ ଉତ୍ତରାଧିକାର ସୂତ୍ରରେ ଏହି ଅର୍ଥ ପାଇନାହାନ୍ତି। ସେମାନେ ତାଙ୍କ କମ୍ପାନିର ମୂଳଧନ ପାଇଁ ରାଜନୈତିକ ନେତାଙ୍କ ସହିତ ଅସାଧୁ ଚୁକ୍ତି କରିନାହାନ୍ତି ଅଥବା ସରକାରୀ ବ୍ୟାଙ୍କ୍ମାନଙ୍କୁ ଲାଞ୍ଚ ଦେଇ ପଇସା ଆଣିନାହାନ୍ତି। ଏମାନଙ୍କୁ ମୂଳଧନ ଯୋଗାଇଥିବା ସଂସ୍ଥା ବା ଶିଳ୍ପସଂସ୍ଥା ଏମାନଙ୍କ ପଛରେ କୌଣସି ବଡ଼ ବଡ଼ ରାଜନୈତିକ ନେତା ବା ଶିଳ୍ପପତି ନ ଥିବା ଜାଣି ମଧ୍ୟ ସେମାନଙ୍କୁ ମୂଳଧନ ଯୋଗାଇ ଦେଇଛନ୍ତି। ଏହି ୟୁନିକର୍ନ୍ମାନଙ୍କର ଅସଲ ପୁଞ୍ଜି ହେଲା ଏମାନଙ୍କ ନୂଆ ନୂଆ ବିଚାର। ଏକବିଂଶ ଶତାବ୍ଦୀକୁ ଏହି ନୂଆ ବିଚାରଗୁଡ଼ିକ ହିଁ ମାଡ଼ି ବସିଛନ୍ତି। ନିବେଶକମାନେ ଏହି ଧରଣର ଷ୍ଟାର୍ଟଅପ୍ କମ୍ପାନିମାନଙ୍କୁ ମୂଳଧନ ଭାବେ ଯେଉଁ ଅର୍ଥ ଯୋଗାଇ ଦେଉଛନ୍ତି, ସେଥି ମଧ୍ୟରୁ କେତେକ ଡୁବି ଯାଇଛନ୍ତି। ତତାପି ସେମାନେ ମୂଳଧନ ଦେଉଛନ୍ତି ଏଇଥି ପାଇଁ ଯେ ଯେଉଁ କେତୋଟି ମଧ୍ୟରୁ ସଫଳ ହେବେ, ତା’ର ଅର୍ଥରେ ଏମାନଙ୍କର ଯଥେଷ୍ଟ ଲାଭ ହେବ। ସେମାନେ ମୁଖ୍ୟତଃ ଇତିହାସରେ ଅଜଣା, ଅଶୁଣା ଶିଳ୍ପୋଦ୍ୟୋଗୀମାନଙ୍କୁ ସୁ୍ଯୋଗ ଦେଉଛନ୍ତି, ଯେଉଁମାନେ ଅତୀତରେ ମୂଳଧନ ବା ବିଭିନ୍ନ ପ୍ରକାର ରାଜନୈତିକ ଅବା ଅନ୍ୟାନ୍ୟ ସମ୍ପର୍କ ଅଭାବରୁ ଅଥବା ଲାଞ୍ଚ ଦେବାର କ୍ଷମତା ନ ଥିବାରୁ ଉପରକୁ ଉଠି ପାରୁନଥିଲେ। ଅବଶ୍ୟ ଏହା କୁହାଯାଇପାରିବ ନାହିଁ ଯେ ଏହି ନୂଆ ଶିଳ୍ପୋଦ୍ୟୋଗୀମାନେ ସମସ୍ତେ ଜଣେ ଜଣେ ଧର୍ମାତ୍ମା ଯୁଧିଷ୍ଠିର ବା ଗୋଟା ପଣେତୁଳସୀ! କିନ୍ତୁ ସେମାନେ ଯେ ପୁରୁଣା ବ୍ୟବସାୟକୁ ମୁକାବିଲା କରିବା ଆରମ୍ଭ କରିଛନ୍ତି, ଏହା ସତ୍ୟ। ଅତୀତରେ ସବୁ ନୂଆ ବ୍ୟବସାୟ ପ୍ରଥମେ ଛୋଟ ଛୋଟ ଆକାରରେ ଆରମ୍ଭ ହୋଇ କ୍ରମେ ବଡ଼ ବଡ଼ ବ୍ୟବସାୟମାନଙ୍କର ମୁକାବିଲା କରୁଥିଲେ। କିନ୍ତୁ ଏବେ ଶୂନ୍ୟରୁ ବିସ୍ଫୋରଣ ଘଟୁଛି ଓ ସେମାନଙ୍କୁ ସାରା ବିଶ୍ୱରୁ ଶହ ଶହ କୋଟିର ପୁଞ୍ଜି ମିଳୁଛି। ଏ ସବୁ ଘଟିଛି ଅଳ୍ପ କେଇ ବର୍ଷ ମଧ୍ୟରେ ଓ ସେମାନେ ସଙ୍ଗେସଙ୍ଗେ ପୁରୁଣା ବ୍ୟବସାୟର ମୁକାବିଲା କରିବା ଆରମ୍ଭ କରିଛନ୍ତି।
ପ୍ରଥମେ ପ୍ରଥମେ ଶୁଣାଯାଉଥିଲା ଯେ ସାରା ଭାରତରେ ୟୁନିକର୍ନ୍ମାନଙ୍କର ସଂଖ୍ୟା ହେଉଛି ୩୦ରୁ ୫୦। କିନ୍ତୁ ଏବେ ବିଦେଶୀ ନିବେଶକମାନେ କେତେ ଜଣ ଷ୍ଟାର୍ଟ୍ଅପ୍ମାନଙ୍କୁ ମୂଳଧନ ଯୋଗାଇ ଦେଉଛନ୍ତି, ସେ ସମ୍ପର୍କରେ ଆକଳନ କଲେ ଦେଖାଯାଉଛି ଯେ ସେମାନଙ୍କ ସଂଖ୍ୟା ୧୦୦ରୁ କମ୍ ନୁହେଁ। ଏବେ କେତେକ ୟୁନିକର୍ନ୍ ପ୍ରସିଦ୍ଧ ହୋଇଗଲେଣି। ପୁନେର ଯେଉଁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ ପ୍ରଥମେ ‘କୋଭିସିଲ୍ଡ’ କରୋନା ଟିକା ବାହାର କଲା, ସେ ଏବେ ବିଶ୍ୱର ସର୍ବବୃହତ୍ ଟିକା ଉତ୍ପାଦକରେ ପରିଣତ ହୋଇଛି। ଫ୍ଲିପ୍କାର୍ଟ ହେଉଛି ଆମାଜୋନ ପରି ଆଉ ଏକ ଦେଶୀ ଇ-କମର୍ସ କମ୍ପାନି ଯାହାକୁ ବିଶ୍ୱର ସର୍ବବୃହତ ରିଟେଲ କମ୍ପାନି ଆମେରିକାର ୱାଲମାର୍ଟ ୧୬୦୦ କୋଟି ଡଲାର ମୂଲ୍ୟରେ କିଣିନେଲା। ଏମାନେ ତ ବିଖ୍ୟାତ ଅଟନ୍ତି। କିନ୍ତୁ ଆଉ କେତେକ ୟୁନିକର୍ନ୍ କମ୍ପାନି ମୁଣ୍ଡ ଟେକି ଉଠିଲେଣି ଯେଉଁମାନେ ଏତେ ପ୍ରସିଦ୍ଧ ହୋଇନାହାନ୍ତି ସିନା ଅଶେଷ ଧନ ଉପାର୍ଜନ କଲେଣି। ସେମାନେ ହେଲେ ଜି.ଆର.ଟି. ଜୁଏଲର୍ସ, ଗ୍ରୀନ୍କୋ, ଡିଜିଟ୍, ଚାର୍ଜବି, ଓଣ୍ଡର ସିମେଣ୍ଟ ଇତ୍ୟାଦି। ଏମାନଙ୍କୁ ଅଧିକ ଲୋକ ନ ଜାଣିବାର କାରଣ ହେଲା ଷ୍ଟକ୍ ମାର୍କେଟ୍ରେ ଏମାନଙ୍କ ନାମ ନାହିଁ। ଷ୍ଟକ୍ ମାର୍କେଟ୍ରେ ଏପରି ନାମ ନ ଥିବା ୟୁନିକର୍ନ୍ଗୁଡ଼ିକ ୨୦୦୫ ପରେ ପ୍ରତିଷ୍ଠିତ ହୋଇଛନ୍ତି। ଏମାନେ ବିଚିତ୍ର ବିଚିତ୍ର ପ୍ରକାରର ବ୍ୟବସାୟ କରୁଛନ୍ତି। କେବଳ ଆଇ.ଟି. ବା ବାଣିଜ୍ୟ କ୍ଷେତ୍ରରେ ନୁହେଁ, ଏମାନେ ଏମିତି ସବୁ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିଛନ୍ତି, ଯାହା ସମ୍ପର୍କରେ କାହାରି ସ୍ପଷ୍ଟ ଧାରଣ ନାହିଁ। ଏ ସବୁ ବ୍ୟବସାୟ କ୍ଷେତ୍ରରେ ଯାହା ସବୁଠୁ ଅଧିକ ବେଗରେ ବଢୁଛି, ତାହା ହେଲା ସଫ୍ଟୱେର୍କୁ ଏକ ସେବା ଆକାରରେ ବ୍ୟବହାର କରାଯିବା। ଅର୍ଥାତ୍, ସଫ୍ଟୱେର୍ ଦ୍ୱାରା ଅନେକ ସମସ୍ୟାମାନଙ୍କର ସମାଧାନ କରିବା। ଏଥିରେ ଅଛି ଗେମିଂ(କମ୍ପ୍ୟୁଟର୍ ଖେଳ), ନୂଆ ପ୍ରକାରର ବଣ୍ଟନ ବ୍ୟବସ୍ଥା ଓ ଜିନିଷପତ୍ର ଯୋଗାଇ ଦେବା, ଆଧୁନିକ ବ୍ୟବସାୟ, ବାଇଓଟେକ୍ (ଜୈବ ଟେକ୍ନୋଲୋଜି), ଫର୍ମାସିଉଟିକାଲସ୍ (ଔଷଧ) ତଥା ଖାଉଟି ଦ୍ରବ୍ୟ। ଏବେ ଭାରତରେ ୮୦,୦୦୦ ସରିକି ଷ୍ଟାର୍ଟ୍ଅପ୍ କାମ କରିବା ଆରମ୍ଭ କରିଛନ୍ତି। ସେମାନେ ହେଉଛନ୍ତି ଏକ ପିରାମିଡ୍ ପରି ଅର୍ଥାତ୍ ନିମ୍ନ ସ୍ତର ହେଉଛି ଚୌଡ଼ା ଓ ଉପରକୁ ଉପରକୁ ତାହା ସଂକୀର୍ଣ୍ଣ ହୋଇ ଉଠିଥାଏ। ଏହା ଅତି ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଏହି ସଂଖ୍ୟାର ଏକ ଦଶମାଂଶ ଷ୍ଟାର୍ଟ୍ଅପ୍ ପ୍ରତି ବର୍ଷ ନୂଆ ସୃଷ୍ଟି ହେଉଛନ୍ତି।
ସେମାନେ ଯେଉଁ ପରି ଭାବରେ ଉପରକୁ ଉଠିବାର ଅଭିଳାଷ ପୋଷଣ କରୁଛନ୍ତି, ତାହା ଅତି ଆଶ୍ଚର୍ଯ୍ୟଜନକ। ଓଲା କାବ୍ କମ୍ପାନି, ଯାହାକୁ ଫୋନ୍ରେ ଡାକିଲେ ଗାଡ଼ି ଆସିଯାଏ, ଏବେ ଯୋଜନା କରୁଛି ଯେ ଏକ କୋଟି ସଂଖ୍ୟାରେ ଦୁଇ ଚକିଆ ବିଦ୍ୟୁତ୍ ଚାଳିତ ଯାନର କାରଖାନା ପ୍ରତିଷ୍ଠା କରିବ। ହୁଏ’ତ ଏହା ବିଫଳ ହୋଇପାରେ, କିନ୍ତୁ ଏପରି କଳ୍ପନା କରିବା ମଧ୍ୟ ଅତି ଆଶ୍ଚର୍ଯ୍ୟଜନକ।
ଷ୍ଟକ୍ ମାର୍କେଟ୍ରେ ଏହି ୟୁନିକର୍ଣ୍ଣମାନେ ନ ମିଶିବାର ଅନେକ କାରଣ ରହିଛି। ଏହି ଷ୍ଟକ୍ ଏକ୍ସଚେଞ୍ଜ୍କୁ ଚଳାଉଥିବା ‘ସେବି’ (ସିକ୍ୟୁରିଟି ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ)ର ନିୟମାବଳୀ ଓ ତତ୍ତ୍ବାବଧାୟକମାନେ ହେଉଛନ୍ତି ପୁରୁଣାକାଳିଆ। ଗୋଟିଏ ନୂଆ କମ୍ପାନି ପ୍ରଥମ ଥର ପାଇଁ ତା’ର ଅଂଶଧନ ବିକ୍ରି (ଆଇ.ପି.ଓ.) ଆରମ୍ଭ କଲା ବେଳେ ତାକୁ ‘ସେବି’ର ଅନେକ ନିୟମକାନୁନ ମାନିବାକୁ ପଡ଼େ। ସେଥିରେ ଅନେକ ଅସୁବିଧାଜନକ ସର୍ତ୍ତମାନ ଥାଏ। ଉଦାହରଣ ସ୍ୱରୂପ ତାଲିକାଭୁକ୍ତ ହେଉଥିବା କମ୍ପାନିର ଗତ ପାଞ୍ଚ ବର୍ଷ ମଧ୍ୟରେ ଲାଭ କେତେ? ଲାଭ ହେଉଛି ବୋଲି ସେ କଂପାନି ଦର୍ଶାଇବା କଥା। କିନ୍ତୁ ଆମାଜୋନ୍ ବା ଫେସ୍ବୁକ୍ ପରି କମ୍ପାନିମାନେ ପ୍ରଥମେ ଅନେକ ବର୍ଷ ଧରି କୌଣସି ଲାଭ କରି ନ ଥିଲେ। କିନ୍ତୁ ସେମାନଙ୍କର ଅଭିବୃଦ୍ଧିର ସମ୍ଭାବନା ଥିବାରୁ ସେମାନଙ୍କ କମ୍ପାନିର ମୂଲ୍ୟ ଅନେକ ବଢ଼ିଗଲା। ସେହିପରି ଭାରତର କେତେକ ୟୁନିକର୍ନ କେବେ ଲାଭ କରିନାହାନ୍ତି ଏବଂ ସେଥିପାଇଁ ଷ୍ଟକ୍ ଏକ୍ସଚେଞ୍ଜ୍ରେ ତାଲିକାଭୁକ୍ତ ହୋଇପାରିବେ ନାହିଁ। ‘ସେବି’ର ଲକ୍ଷ୍ୟ ହେଲା ଭାରତୀୟ ପରିବାରମାନେ ଷ୍ଟକ୍ ମାର୍କେଟ୍ରେ ସେମାନଙ୍କର ସଂଚୟକୁ ଜମା ରଖନ୍ତୁ, ଯେମିତି ତାହାକୁ ଠକମାନେ ଲୁଟି ନେଇ ନ ପାରନ୍ତି। ‘ସେବି’ର ଉଦ୍ଦେଶ୍ୟ ଆଦୌ ନୁହେଁ, ଏହି ଅର୍ଥ ୟୁନିକର୍ନ୍ମାନଙ୍କରେ ଉତ୍ଥାନ ପାଇଁ ଲଗାଯାଉ। ଯଦି ଭାରତ କେବଳ ସ୍ଥାନୀୟ ପୁଞ୍ଜି ଓ ‘ସେବି’ ପରିଚାଳିତ ଷ୍ଟକ୍ ମାର୍କେଟ୍ ଉପରେ ନିର୍ଭରଶୀଳ ହୋଇଥା’ନ୍ତା, ତେବେ ଏଠାରେ ୧୦୦ଟି ୟୁନିକର୍ନ୍ ସୃଷ୍ଟି ହୋଇପାରିନଥା’ନ୍ତେ। ଏହା ସହିତ ଆହୁରି ଶହ ଶହ ୟୁନିକର୍ନ୍ ହେବା ଉଦ୍ୟମରେ ଅଛନ୍ତି।
ଏବେ ୟୁନିକର୍ନ୍ମାନେ ସ୍ଥାନୀୟ ପୁଞ୍ଜି ଓ ‘ସେବି’କୁ ଅତିକ୍ରମ କରି ଯାଇଛନ୍ତି, କାରଣ ଜଗତ୍କରଣ ପ୍ରକ୍ରିୟା ବେଶ୍ ଜୋରରେ ଚାଲୁ ରହିଛି। ଏହାଦ୍ୱାରା କୌଣସି ଭୟ ଆଉ ନାହିଁ ଯେ ଏହି ଉଦ୍ୟମ କେବେ ବ୍ୟର୍ଥ ହୋଇଯିବ। କାରଣ ସାରା ବିଶ୍ୱରେ ଏହି ଷ୍ଟାର୍ଟ୍ଅପ୍ମାନଙ୍କୁ ପୁଞ୍ଜି ଯୋଗାଇ ଦେବା ପାଇଁ ‘ଭେଂଟର କ୍ୟାପିଟାଲ୍’ ଓ ଅନେକ ପ୍ରକାରର ଘରୋଇ କ୍ୟାପିଟାଲ୍ ପୁଞ୍ଜି ସୃଷ୍ଟି ହେଲେଣି। ଏହା ଛଡ଼ା ‘ସ୍ପାକ୍ସ’ ନାମକ ନୂଆ ସଂସ୍ଥାମାନଙ୍କ ସୃଷ୍ଟି ହେଲେଣି। ଏହାର ଅର୍ଥ ହେଲା, ଏହି କମ୍ପାନିମାନେ ଘରୋଇ ନିବେଶକମାନଙ୍କ ପାଖରୁ ଶହ ଶହ କୋଟି ଡଲାର ସଂଗ୍ରହ କରିଥା’ନ୍ତି। ଏହି ଅର୍ଥକୁ କେଉଁଠି ଲଗାଣ କରାଯିବ, ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥାଏ। ଏହାକୁ କୁହାଯାଏ ‘ବ୍ଲାଙ୍କ୍ ଚେକ୍’ କମ୍ପାନି। ଏହି କମ୍ପାନିମାନେ ସାରା ବିଶ୍ୱରେ ଖୋଜୁଥା’ନ୍ତି କେଉଁଠି ଲାଭଜନକ ଭାବରେ ଭଲ କମ୍ପାନିମାନଙ୍କରେ ପୁଞ୍ଜି ଲଗାଣ କରାଯାଇପାରିବ। ଗତ ୨୦୨୦ରେ ସ୍ପାକ୍ସ୍ମାନେ ଆମେରିକାରେ ୮,୩୦୦ କୋଟି ଡଲାର, ପୁଞ୍ଜି ନିବେଶ ପାଇଁ ଚାହୁଁଥିବା ବ୍ୟକ୍ତି ବା କମ୍ପାନିମାନଙ୍କ ଠାରୁ ସଂଗ୍ରହ କରିଥିଲେ ଓ କେବଳ ଜାନୁଆରିରେ ସେମାନେ ୨,୯୦୦ କୋଟି ଡଲାର ପୁଞ୍ଜି ଉଠାଇଥିଲେ ଯେଉଁମାନେ ସେମାନଙ୍କର ଅର୍ଥର ଲଗାଣ କେଉଁଠି କରିବେ ତାହା ଜାଣି ନଥା’ନ୍ତି। ସେମାନେ ସେମାନଙ୍କର ଅର୍ଥକୁ ଏହି ‘ସ୍ପାକ୍ସ’ମାନଙ୍କୁ ଦେଇଥା’ନ୍ତି ଲଗାଣ ପାଇଁ। ଏହି ସ୍ପାକ୍ସମାନେ ସମ୍ଭାବନା ଥିବା ନୂଆ ଉଦ୍ୟୋଗମାନଙ୍କୁ ପାଣ୍ଠି ଯୋଗାଇ ଦେଇପାରନ୍ତି। ଏହି ନବ ଉଦ୍ୟୋଗୀମାନେ ମୂଳଧନ ସଂଗ୍ରହ ପାଇଁ ଆଇ.ପି.ଓ. ଜାରି କରିବା ପରି ବ୍ୟୟବହୁଳ ରାସ୍ତା ଦେଇ ନ ଯାଇ ବା ଷ୍ଟକ୍ ମାର୍କେଟ୍ରେ ତାଲିକାଭୁକ୍ତ ପ୍ରକ୍ରିୟା ଦେଇ ନ ଯାଇ ସ୍ପାକ୍ସରୁ ଅର୍ଥ ଆଣିପାରନ୍ତି, ଯଦି ସେମାନେ ନୂଆ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ପ୍ରତ୍ୟୟ ସୃଷ୍ଟି କରିପାରିଛନ୍ତି। ପୂର୍ବେ ନିଜର ମର୍ଯ୍ୟାଦା ବଢ଼ାଇବା ପାଇଁ ଅବା ବଡ଼ ଧରଣର ମୂଳଧନ ସଂଗ୍ରହ ପାଇଁ ଷ୍ଟକ୍ ମାର୍କେଟ୍ରେ କମ୍ପାନିକୁ ତାଲିକାଭୁକ୍ତ କରିବାକୁ ପଡୁଥିଲା। ଏବେ ଆଉ ତାହା ନାହିଁ। ଅନ୍ୟ ଉପାୟରେ ମଧ୍ୟ ବିପୁଳ ମୂଳଧନ ସଂଗ୍ରହ କରା ଯାଇପାରେ, ଯଦି ବିଶ୍ୱାସ ସୃଷ୍ଟି କରାଯାଏ।
ତେବେ ଗୋଟିଏ କଥା ହେଲା, ଅଧିକାଂଶ ୟୁନିକର୍ନ୍ମାନଙ୍କର ମାଲିକମାନେ ହେଲେ ବିଦେଶୀ। ଏହି କମ୍ପାନିମାନଙ୍କରେ ଭାରତୀୟମାନଙ୍କର ଅଂଶଧନ ଅନେକ କମ୍। ଆମେରିକାରେ ଫେସ୍ବୁକ୍ର ସିଇଓ ମାର୍କ ଜୁକରବର୍ଗ ତାଙ୍କ କମ୍ପାନିର ଅଂଶଧନ (ସେୟାର୍)ଗୁଡ଼ିକୁ ଅନ୍ୟମାନଙ୍କୁ ବିକିଥିଲେ, କିନ୍ତୁ ସେମାନଙ୍କୁ ଅତି ଅଳ୍ପ ଭୋଟଦାନ ଅଧିକାର ଦେଇଥିଲେ ଅବା ମୋଟେ ଦେଇ ନ ଥିଲେ। ଏହା ଦ୍ୱାରା ତାଙ୍କୁ ଅର୍ଥ ମିଳିଲା କିନ୍ତୁ ମାଲିକାନା କେବଳ ତାଙ୍କ ହାତରେ ରହିଲା। ଭାରତୀୟ ଶିଳ୍ପୋଦ୍ୟୋଗୀମାନେ ସେଇମିତି ଚିନ୍ତା କରିବା ଉଚିତ। ଓଡ଼ିଶାର ଶିଳ୍ପୋଦ୍ୟୋଗୀ ମଧ୍ୟ ସେଇମିତି ଚିନ୍ତା କରିବା ଆରମ୍ଭ କରନ୍ତୁ।
ମୋ-୯୪୩୭୦୨୦୨୯୦
[email protected]