ଖୋଜି ପାଇବାର ଖିଅ

କହିବାର ଅଛି - ଦାଶ ବେନହୁର

କୌଣସି ଠାରେ ଦେଶ, ପ୍ରଦେଶ କି ଜାତିଟିଏ ଆପେ ଗଢ଼ି ହୋଇ ଯାଇ ନ ଥାଏ। ସେ ସବୁକୁ ମଣିଷ ଗଢ଼େ। ଏବଂ ଥରେ ଗଢ଼ିବା ପରେ ତା’ର ହେପାଜତରେ ମନ ଦିଏ। ଭାରତ କି ଓଡ଼ିଶା କ’ଣ ସୃଷ୍ଟି ଆରମ୍ଭରୁ ଥିଲା ନା କ’ଣ? ନା ଓଡ଼ିଆ ଜାତି ଥିଲା? କେତେ ସଂଘାତ, କେତେ କଷଣ କେତେ ବିଫଳତା ପରେ ମାଟି ଓ ଜାତି-ପରିଚୟ ସୃଷ୍ଟି ହୁଏ। ଏଇ ପରିଚୟ ହିଁ ମଣିଷକୁ ବ୍ୟବସ୍ଥିତ କରେ। ଆଗକୁ ବଢ଼ିବା ପାଇଁ ଓ ଏକାତ୍ମ ହେବାରେ ସାହାଯ୍ୟ କରେ।

ଏଇ ତ କାଲି ଭଳିଆ କଥା। ଆମ ଠାରୁ ବିଚ୍ଛିନ୍ନ ହୋଇ ପାକିସ୍ତାନଟିଏ ଗଢ଼ା ହୋଇଗଲା। ପୁଣି ସେଥିରୁ ତିଆରି ହୋଇଗଲା ବାଂଲାଦେଶ। ନୂଆ ସହର, ନୂଆ କଲୋନି ପରି ଦେଶ ଓ ଜାତି ବି ଗଢ଼ାଯାଏ। ହେଲେ ସହର ଓ ଜାତି ଭିତରେ ଗୋଟାଏ ବଡ଼ ଫରକ ଅଛି। ସହର ଗଢ଼ି ଉଠେ କୋଠାବାଡ଼ି, ସଡ଼କକୁ ଧରି। ଗାଁ ବି ତିଆରି ହୁଏ ଜନବସତିକୁ ମୂଳ କରି। ହେଲେ ଜାତିଟିଏ ଗଢ଼ିବା ଲାଗି ଜନ୍ମ ଜନ୍ମ ଚାଲିଯାଏ। ଜାତିର ମୂଳ ଉପାଦାନ ଜୈବିକ। ରକ୍ତ, ମାଂସ, ଦେହ, ମନ, ଇତିହାସ, ଭୂଗୋଳ, ପରମ୍ପରା, ଭାଷା ଓ ବିଶ୍ବାସ ଭଳି କେତେ କଥା ଏକାଠି ହେଲେ ଯାଇ ଜାତିଟିଏ ଗଢ଼ାଯାଏ। ଏଇ ଜାତିବୋଧ ହିଁ ନିର୍ମାଣ କରେ ଦେଶ ଓ ପ୍ରଦେଶ।

ଓଡ଼ିଶା ଗୋଟେ ପ୍ରଦେଶ। ଓଡ଼ିଆ ଗୋଟେ ଜାତି। ଭାରତ ଗୋଟେ ଦେଶ, ଭାରତୀୟତା ଗୋଟାଏ ମହାଜାତି। ଏଇ ଭାବନା ହିଁ ଆମ ଭିତରେ ଥିବା ମଣିଷଟିକୁ ପରିଚୟ ଦେବା ସହିତ ନିଜପଣକୁ ସାବ୍ୟସ୍ତ ତଥା ଆଗୁସାର କରିବା ଲାଗି ଅଭିମନ୍ତ୍ରିତ କରେ। ମଣିଷ ଯେ ଗୋଟେ ପରିଚୟ ଖୋଜୁଥିବା ପ୍ରାଣୀ ତା’ ସକାଶେ ବାଟ ମିଳିଯାଏ।
ହେଲେ ପ୍ରଶ୍ନଟି ଅଛି ବାଟ ଭୁଲିବାରେ। ସେ କଥାର ବିଶ୍ଳେଷଣ ଟିକେ ପରେ।

ଜଣେ ଭାରତୀୟ ଭାବେ ଆପଣ ବିଦେଶ ମାଟିରେ ଗୋଟିଏ ଜାଗାରେ ଠିଆ ହୋଇଛନ୍ତି। ସେଇଠି କେହି ବିଦେଶୀ ଭାରତୀୟତାକୁ ନିନ୍ଦା କରୁଛନ୍ତି, ଗାଳି କରୁଛନ୍ତି। ସେ ମଧ୍ୟ ଜାଣନ୍ତି ନାହିଁ ଯେ ଆପଣ ଭାରତୀୟ ବା ସେ ଆପଣଙ୍କୁ ବି ଉପଲକ୍ଷ୍ୟ କରି କହୁନାହାନ୍ତି। ଅଥଚ ଆପଣ ଲହୁଲୁହାଣ ହେଉଛନ୍ତି। ଆପଣଙ୍କର ଅନ୍ତରାତ୍ମା ବିଦ୍ରୋହ କରି ଉଠୁଛି। କାହିଁକି?

ସେହି ଭଳି ଭାରତ ଭିତରେ ଓଡ଼ିଶା ବାହାରେ କେଉଁଠି ଜଣେ ଆପଣଙ୍କ ଉପସ୍ଥିତିରେ ଓଡ଼ିଶାକୁ ବା ଓଡ଼ିଆଙ୍କୁ ହୀନ କରି କହୁଛନ୍ତି। ନିନ୍ଦା କରୁଥିବା ବ୍ୟକ୍ତି ଆପଣଙ୍କୁ ଚିହ୍ନନ୍ତି ନାହିଁ କି ଜଣେ ଓଡ଼ିଆ ସେଇଠି ଠିଆ ହୋଇଛନ୍ତି ବୋଲି ଜାଣନ୍ତି ନାହିଁ। ସେ କଥା ଶୁଣି ଆପଣ ବିଳପି ଉଠୁଛନ୍ତି। ପ୍ରତିବାଦ କରିବାକୁ ମନ ଡାକୁଛି। କାହିଁକି?

ଏ କାହିଁକିର ଉତ୍ତର ହେଉଛି ଯେ ଆପଣଙ୍କ ଜାତି ପରିଚୟ ଉପରେ ଆଘାତ ପଡୁଛି। ଆପଣଙ୍କ ନାମ, ପଦବି, ଧନ, ଦଉଲତ ଏପରି କି ସକଳ ପାରଙ୍ଗମତା ସେଠାରେ ମୂଲ୍ୟହୀନ। ଆପଣ ସଶରୀରେ ମାଡ଼ ଖାଉନାହାନ୍ତି, ଆପଣଙ୍କ ପରିଚୟ ମାଡ଼ ଖାଉଛି। ଏଇ ଅବବୋଧ ହିଁ ମଣିଷର ସାମାଜିକ ସାନ୍ଦ୍ର ଭାବ। ଏହା ଯେତେ ଯେଉଁଠାରେ ଶିଥିଳ, ସମାଜ ସେଠାରେ ସେତେ ଦୁର୍ବଳ ଓ ପରିଚୟ ତେତେ ଦୟନୀୟ। ଜାତି, ଦେଶ ବା ପ୍ରାଦେଶିକ ପରିଚୟ ଯେ ମଣିଷକୁ ପ୍ରଚୋଦିତ କରେ ତା’ମୂଳରେ ଥାଏ ଏଇ ସାନ୍ଦ୍ର ଭାବର ପ୍ରେରଣା।

ଭଗତ୍ ସିଂ ପ୍ରାଣବଳି ଦେବାକୁ ଆଗେଇ ଆସିଲେ। ବାଜିରାଉତ ଠାରୁ ଆରମ୍ଭ କରି କେତେ କିଏ ସାନ ବଡ଼ ଦେଶ ଜାତି ପାଇଁ ଜୀବନ ଦେଲେ। କୋଟି କୋଟି ଜନତା ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ କେତେ କ’ଣ ହରେଇଲେ। ଭରତୀୟ ସ୍ବାଧୀନତା ଆନ୍ଦୋଳନରେ ସର୍ବସ୍ବ ତ୍ୟାଗ କରି କେତେ କେତେ ସ୍ବଚ୍ଛନ୍ଦ ଜୀବନ ଛାଡ଼ି ଗାନ୍ଧୀଜୀଙ୍କ ଡାକରାରେ ଡେଇଁ ପଡ଼ିଲେ ସ୍ବଦେଶୀ, ସ୍ବରାଜ ନାରା ଦେଇ। ମଧୁବାବୁ ବିକଳ ହୋଇ ଲେଖିଲେ, ‘‘ମାଆ ମାଆ ବୋଲି କେତେ ମୁଁ ଖୋଜିଲି ମାଆକୁ ପାଇଲି ନାହିଁ।’’ ଏ କେଉଁ ଦେଶର କଥା? କେଉଁ ଭାରତୀୟତାକୁ ଅଣ୍ଡାଳୁଥିଲେ ସମସ୍ତେ? ଅବିବେକୀମାନେ ଜାଣନ୍ତି ନାହିଁ ଯେ ଗାନ୍ଧୀଜୀଙ୍କ ଭଳି ଜଣେ ସମ୍ବଳହୀନ ଲୋକର ଡାକରାରେ ଅଗଣିତ ସମ୍ବଳଶାଳୀ ସମର୍ଥ ମଣିଷ ଏତେ ସଂଖ୍ୟାରେ ସ୍ବେଚ୍ଛା ଦାରିଦ୍ର୍ୟ ବରଣ କରି ଦେଶ, ଜାତି ନାଆଁରେ ଦିନେ ସଂଗ୍ରାମକୁ ଡେଇଁ ପଡ଼ିଥିଲେ। ଅଗଣିତ ମାନେ ସତରେ ଅଗଣିତ। ପୃଥିବୀରେ ପ୍ରଥମ। ସେଇ ପ୍ରଥମ ସେଇ ଶେଷ। କ’ଣ ସେ ଦେଶ ଜାତି? ନିର୍ବଳ ବି କହୁଥିଲା ପହିଲା ‘‘ଗୁଳି ମତେ ମାର୍’’। ସୁଭାଷ ଯେ କହୁଥିଲେ ଜୟହିନ୍ଦ୍, କେଉଁ ହିନ୍ଦ୍ ସିଏ? କେଉଁ ସତସତିକା ମାଆକୁ ଖୋଜୁଥିଲେ ଉତ୍କଳ ଗୌରବ ମଧୁସୂଦନ?

ଏ ସମସ୍ତ ସଂପୁଟିତ ହୋଇଛି ଗୋଟିଏ ମାତ୍ର ଶବ୍ଦରେ, ‘‘ପରିଚୟ’’। ଏଇ ପରିଚୟ ପ୍ରାପ୍ତି ହିଁ ସ୍ବାଧୀନତା ସଂଗ୍ରାମର ଅସଲ ବୀଜମନ୍ତ୍ର। ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଏଇ ସ୍ବତନ୍ତ୍ର କଥାଟି ହେଉଛି ସେଇ ପରିଚୟର ନାଦବିନ୍ଦୁ।

ପରିଚୟ, ଗୌରବ ଦିଏ, ପ୍ରେରଣା ଦିଏ, ସାମର୍ଥ୍ୟ ଦିଏ, ସାହସ ଦିଏ, ସୁଖ ଦିଏ, ସ୍ବାତନ୍ତ୍ରୢ ଦିଏ ଏବଂ ଆପଣାକୁ ଖୋଜି ପାଇବାର ସଂବୋଧିତ ମାର୍ଗଟିଏ ଦେଖାଏ। ‘‘ପରିଚୟ’’ ଯଦି ଏ ସବୁ କଥା ଜଣେ ବ୍ୟକ୍ତି ବା ସମୂହକୁ ଦେଇପାରୁନାହିଁ ତେବେ ବୁଝିବାକୁ ହେବ ଯେ ସେ ପରିଚୟର ପାଗଯୋଗ ଠିକ୍ ହୋଇନାହିଁ। ମୁଆଁ କଲା ବେଳେ ଗୁଡ଼ ପାଗ କରି ମୁଢ଼ି, ଉଖୁଡ଼ା ବା ଚୁଡ଼ାଭଜାକୁ ସେଥିରେ ଗୋଳେଇ ଗୋଲାକାର କରାଯାଏ। ତା’ପରେ ସେ ମୁଆଁର ପରିଚୟ ପାଏ। ଏଥିରେ ଅସଲ ସେଇ ଗୁଡ଼ପାଗ। ପାଗ ଯଦି ସାନ୍ଦ୍ର ନୁହେଁ ତେବେ ମୁଆଁ ଫିଟିଯାଏ। ତହିଁରେ ଆଉ ମୁଆଁପଣ ନ ଥାଏ।

ବର୍ତ୍ତମାନ ଓଡ଼ିଶା ଚିତ୍ରପଟକୁ ଆସିବା।

ପ୍ରକୃତରେ କ’ଣ ଓଡ଼ିଆ ବା ଓଡ଼ିଶାର ପରିଚୟ ଆମକୁ ପ୍ରେରଣା, ସାମର୍ଥ୍ୟ, ସାହସ, ସୁଖ ବା ସ୍ବାତନ୍ତ୍ରୢ ଆଜି ଦେଉଛି? ଓଡ଼ିଆ ବୋଲି ସତରେ ଆମେ କେତେ ଗୌରବାନ୍ବିତ? ଦେଶ ବିଦେଶର କଥା ଛାଡ଼ିଦେବା। ଓଡ଼ିଶା ଭିତରେ ଓଡ଼ିଆର ପରିଚୟଟି କ’ଣ? ସତରେ କ’ଣ ଓଡ଼ିଆପଣରେ ସେ ସାନ୍ଦ୍ର ଗୁଡ଼ପାଗ ଅଛି? ମଧୁସୂଦନ ଯେ ନିଜକୁ ତଳିତଳାନ୍ତ କରି ଗୁଡ଼, ଗୁଡ଼ହାଣ୍ଡି କିଣି ଓଡ଼ିଆ ମୁଆଁ କରିବାର ପ୍ରୟାସ କରି ସ୍ବତନ୍ତ୍ର ଓଡ଼ିଆ ପ୍ରଦେଶ କରିବାର ବାଟ ଫିଟାଇଥିଲେ ତାହା କ’ଣ ଆଉ ମୁଆଁ ହୋଇ ଅଛି? କାହିଁ ସେ ଗୁଡ଼, କାହିଁ ସେ ହାଣ୍ଡି? ସେ ଗୁଡ଼ ଆଉ ଗୁଡ଼ ହୋଇ ନାହିଁ କି ସେ ହାଣ୍ଡି ବି ହାଣ୍ଡି ହୋଇ ନାହିଁ। ଗୁଡ଼ରେ ଆଉ ମିଠାପଣ ନାହିଁ। ହାଣ୍ଡିର ମଙ୍ଗ ବି ଫଟା।

ଓଡ଼ିଆ ବୋଲି ଯେ ଗୌରବ ସେ କାହିଁ? ଶ୍ରୀଜଗନ୍ନାଥ, ଓଡ଼ିଶୀ ନାଚ ଗୀତକୁ ଧରି ଢେର୍‌ ଦିନ ଧୋଇ ଶୁଖେଇ ଖିଆ ହେଲା। ଏବେ ଆଧୁନିକ ପୃଥିବୀରେ ଓଡ଼ିଶାର ପରିଚୟ ହିଁ ନାହିଁ? ଅଧୁନାତନ ଭାରତ ଓ ଆଗୁସାର ଦୁନିଆର ମାନଚିତ୍ରରେ ଓଡ଼ିଆ କ’ଣ? କେବେ କ’ଣ ଆମେ ଭାବିଛେ ଯେ ଆୟତନ ଦିଗରୁ ଆମ ଏଇ ଓଡ଼ିଶା ପ୍ରାୟ ଇଂଲଣ୍ଡ୍ ଭଳି? ଏପରି କି ଜର୍ମାନି ରାଷ୍ଟ୍ରଟି ଆୟତନରେ ରାଜସ୍ଥାନ ପ୍ରଦେଶ ଭଳି! ଅଥଚ ଜଣେ ଓଡ଼ିଆ ଭାବେ, ଜଣେ ଭାରତୀୟ ଭାବେ ଯେଉଁ ପରିଚୟ ଲାଗି ଆମେ ଆଗଭର ହେବା କଥା ତାହା ଆମ ଭିତରେ ନାହିଁ।

ଭାରତର ସଙ୍କଟ, ‘‘ପରିଚୟ’’। ଓଡ଼ିଶାର ସଙ୍କଟ ବି ପ୍ରବଳତର ଭାବେ ସେଇ ‘‘ପରିଚୟ’’ର ଅଭାବ।

ପୂର୍ବରୁ କହିଲା ଭଳି ଆମେ ଦିନେ ପରିଚୟ ପାଇଥିବା ଗୋଟେ ବିରାଟ ସମୂହ ଆଜି ପରିଚୟ ହରେଇବାରେ ଲାଗିଛୁ। ମୁଣ୍ଡ ଥାଇ ଆମେ ମୁହଁହୀନ। ବିଶ୍ବ ଦରବାରରେ ନାଁ ନାହିଁ? ଅଲିମ୍ପିକ୍‌ସ୍‌ରେ, ନୋବେଲ ପୁରସ୍କାରରେ, ଉଦ୍ଭାବନରେ, ଆବିଷ୍କାରରେ, ପ୍ରଗତିରେ, ସୁଖ ସୂଚକାଙ୍କରେ, ଆନ୍ତର୍ଜାତିକ ରାଜନୀତିରେ କ’ଣ ଆମ ପରିଚୟ? କିଏ କେତେ କେଉଁଠି ଏଠାରୁ ଯାଇ ସେଠାରେ ଚାକିରି ପାଇଲେ ତାହା କେବେ ବି ଗୋଟାଏ ଜାତିକୁ ଉନ୍ନତ କରେ ନାହିଁ। ଚାକରରୁ ଚାକିରି। ଚାକିରି କେଉଁ ପରିଚୟ ସୃଷ୍ଟି କରେ?
ଓଡ଼ିଶା କଥା କହିଲା ବେଳେ ସଭାରେ କିଏ କେଉଁଠି ‘‘କଳିଙ୍ଗାଃ ସାହସିକାଃ’’ ବା ‘ଉତ୍କଳସ୍ୟ ସମୋଦେଶ ଦେଶନାସ୍ତି ମହୀତଳେ’’ ହୁଏତ କହୁଥିବେ ମାତ୍ର ସାଧାରଣ ଓଡ଼ିଆଙ୍କ ମୁହଁରେ ଯେଉଁ କଥାଟି ଗାଆଁ ଭୂଇଁରୁ ଆରମ୍ଭ କରି ସହର ବଜାର ଯାଏ ବୁଲେ, ତାହା ହେଉଛି, ‘‘ଓଡ଼ିଆ, ଆମେ ମେଣ୍ଢା’’, ‘‘ଓଡ଼ିଆ, ଆମେ କଙ୍କଡ଼ା’’। ନିଜକୁ ଗୋଟାଏ ବିକୃତ ପରିଚୟରେ ସମ୍ବୋଧିତ କରିବାର ଏ ଅଶ୍ଳୀଳ ପରମ୍ପରା କିଏ କେଉଁଠି ଆରମ୍ଭ କରିଥିଲା ତାହା କହିବା କଷ୍ଟ। ଥରେ ଗୋଟିଏ ଜାତି ଗଢ଼ି ହୋଇ ଗୋଟାଏ ଉଜ୍ଜ୍ବଳ ପରିଚୟ ପାଇବା ପରେ ତାହା ଯେ ମଳିନ ହୋଇପଡ଼େ ସେଥିପାଇଁ ମୂଳତଃ ଦାୟୀ ସେ ମାଟିର ଦାୟାଦମାନେ।

ଜାତି କଥା କହିଲେ ଅନେକ ତା’ର ପରିସରକୁ କ୍ଷୁଦ୍ର ବୋଲି ହୁଏତ ମନେ କରୁଥିବେ। ମାତ୍ର ଜାତି ହିଁ ମଣିଷର ସର୍ବ ବୃହତ୍ ପରିଚୟ। ୟୁନାଇଟେଡ୍ ନେସନ୍‌ସ ଗଢ଼ା ହେଲା ବେଳେ ତାହାକୁ ୟୁନାଇଟେଡ୍ କଣ୍ଟ୍ରିଜ୍ କୁହାଯାଇନାହିଁ କାହିଁକି? କଣ୍ଟ୍ରି ବା ରାଷ୍ଟ୍ରର ଅସଲ ପରିଚୟ ତା’ର ନ୍ୟାସ୍‌ନାଲିଟି ବା ଜାତୀୟତାରେ ନିହିତ। ସେଇଥିପାଇଁ ୟୁନାଇଟେଡ୍ ନେସନ୍‌ସ୍‌ର ଭାରତୀୟ ଅନୁବାଦ ଜାତିସଂଘ, ରାଷ୍ଟ୍ରସଂଘ କି ଦେଶସଂଘ ନୁହେଁ। ରା‌ଷ୍ଟ୍ରଟିଏ, ଦେଶଟିଏ ଏପରି କି ପ୍ରୋଭିନ୍‌ସ୍ ବା ପ୍ରଦେଶଟିଏ ଗଢ଼ି ହେବା ପଛରେ ଯେଉଁ ମହତୀ ଅନୁପ୍ରେରଣାଟି ଥାଏ ତାହା ହେଉଛି ଏଇ ‘‘ଜାତି-ପରିଚୟ’’।

ଯେଉଁ ଜନସମୂହ ଜାତି ପରିଚୟ ପାଇ ବ୍ୟବସ୍ଥିତ ହୋଇପାରିନାହିଁ ସେମାନଙ୍କ ଲାଗି ତା’ଠାରୁ ବଳି ସାମଗ୍ରିକ ଯନ୍ତ୍ରଣା ଆଉ କିଛି ନାହିଁ। ହେଲେ ଯେଉଁଠି ଜାତି ପରିଚୟ ବ୍ୟବସ୍ଥିତ ହୋଇସାରିଛି?

ଓଡ଼ିଆମାନେ ଓଡ଼ିଆ ଭାଷା ଓ ଭୂଖଣ୍ଡ ପାଇବାଦିନୁ ଅତୀତକୁ ମିଶାଇ ଯେ ପରିଚୟ ପାଇଛନ୍ତି ତାହା ତା’ଙ୍କୁ ଆଗୁସାର କରିବା କଥା। ମାତ୍ର ତାହା ହେଉଛି କି? ଥରେ ବାଟ ପାଇ, ଅବାଟରେ ଯିବା ପରି ବା ବାଟ ଭୁଲିବା ପରି ଆଜି ଆମେ ସମସ୍ତେ ପଥହରା ମଣିଷ। ସମସ୍ତେ ପଚାରୁଛନ୍ତି, ‘‘ଓଡ଼ିଶା ଦରିଦ୍ର କାହିଁକି?’’ ଅଥଚ କେହି ପଚାରୁ ନାହିଁ ‘‘ଓଡ଼ିଶା ଦରିଦ୍ର କି?’’ ବାହାର ଲୋକେ କହୁଛନ୍ତି, ଓଡ଼ିଶା ଦରିଦ୍ର। ତା’ଙ୍କ ସହିତ ଦୁଆ ଦେଇ ଓଡ଼ିଆ ବିଦ୍ବାନ୍‌ମାନେ ବି କହୁଛନ୍ତି ଓଡ଼ିଶା ଦରିଦ୍ର। ଦେହରେ ସୁନା ଗହଣା, ଘରେ ସିନ୍ଦୁକରେ, ମାଟି ତଳେ ଧନ ସମ୍ପଦ ଥିବା ଲୋକକୁ ଆମେ କ’ଣ ପଚାରୁଛୁ ତୁମେ ଦରିଦ୍ର କାହିଁକି? ପାଖରେ ଥିବା ଧନ ଅନୁସାରେ ସେ ଯେ ଚଳୁନାହିଁ ତାହା ଏକ ଭିନ୍ନ ପ୍ରସଙ୍ଗ।
ପ୍ରଶ୍ନ ହୋଇପାରେ ଭାବ ଥାଇ ଆମେ ଅଭାବରେ କାହିଁକି ଅଛୁ? ସାରା ଭାରତର ଶତକଡ଼ା ତିରିଶ ଭାଗ ଖଣିଜ ସମ୍ପଦ, ଏଗାର ଭାଗ ଜଳ ସମ୍ପଦ ଓ ତିନିଶହ ଏକ ମାଇଲ୍ ବା ଚାରିଶହ ପଞ୍ଚାଅଶୀ କିଲୋମିଟର ବେଳାଭୂମି ଥିବା ପ୍ରଦେଶକୁ ଦେଶ ବା ଦେଶଲୋକେ ପଚାରୁଛନ୍ତି ତୁ’ ଦରିଦ୍ର କାହିଁକି? ଏ ଅପାରଗତା ବା କଷଣ କ’ଣ କେବଳ ସେହି ପ୍ରଦେଶର? ଦେଶର ନୁହେଁ? ତା’ର ଅର୍ଥ ଏ ପ୍ରଦେଶ ଲାଗି ଦେଶର କିଛି କରିବାର ନାହିଁ। ଜାଣିବାର କଥା ହେଲା ବେଙ୍ଗଲ୍‌ର ବେଳାଭୂମି ହେଲା ମାତ୍ର ଶହେ ଅଠାବନ କିଲୋମିଟର। ଅଥଚ ଆମ ତଟୀୟ ସାଗରର ନାମ ବଙ୍ଗୋପସାଗର। ସ୍ବାଧୀନ ହେଲା ପରେ ବି ପରିଚୟ ଫେରାଇବାରେ ଏ ପ୍ରଦେଶ ଲାଗି କେଉଁ ଚେଷ୍ଟା ହୋଇଛି? ଓଡ଼ିଶାକୁ ଭାଙ୍ଗି, ଓଡ଼ିଆଙ୍କୁ ଚୂରମାର୍ କରି, ଓଡ଼ିଆ ଭାଷାକୁ ପଦାନତ କରି, ଓଡ଼ିଆ ପରିଚୟକୁ ବିକୃତ କରି ଅନ୍ୟମାନେ ଯେ ଆଜି ବି କ୍ରିୟାଶୀଳ ସେ କଥା ପ୍ରତି ନଜର ପକାଇବା ଆମ ଦେଶ ବା ଏ ଭାରତୀୟ ମହାଜାତିର କ’ଣ କର୍ତ୍ତବ୍ୟ ନୁହେଁ?

ଦିନେ ଓଡ଼ିଆ ଭାଷା-ପରିଚୟକୁ ‌ହଟେଇ ଦେବା ଲାଗି ଚେଷ୍ଟା ହୋଇଥିଲା। ଆଜି ଓଡ଼ିଆ ପ୍ରଥମ ଆର୍ଯ୍ୟ ଶାସ୍ତ୍ରୀୟ ଭାଷା। ‘‘କଳିଙ୍ଗ ସାଗର’’ ନାମଟିକୁ ବୁଡ଼େଇ ଫିରିଙ୍ଗି ତାଙ୍କ ଭଙ୍ଗୁରା ଭୂଗୋଳ ଆଧାରରେ କରିଥିଲେ ‘‘ବେ ଅଫ୍ ବେଙ୍ଗଲ୍’ ବା ‘‘ବଙ୍ଗୋପସାଗର’’। କିଏ ଫେରାଇବ ଓଡ଼ିଶାକୁ ତା’ ଉପକୂଳର ପରିଚୟ? ‘‘ମୟୂର ସିଂହାସନ’’, ‘‘କୋହିନୁର ହୀରା’’ ଫେରାଇ ଆଣିବା ଲାଗି ମନ ଡାକୁଚି କାରଣ ତା’ ସହ ଯୋଡ଼ି ହୋଇଛି ଅତୀତ ଭାରତର ପରିଚୟ। ଭାରତର ଅତୀତ ପରିଚୟକୁ ମାଜିମୁଜି ଉଜ୍ଜ୍ବଳ କରିବାରେ ଏବର ଦେଶ-ସରକାର ସକ୍ରିୟ ଅଥଚ ଓଡ଼ିଶା କଥା ମନକୁ ଆସୁନାହିଁ କାହିଁକି?

ସବୁ ଥାଇ ପରିଚୟ ନ ଥିଲେ ଗୋଟାଏ ଜାତି ନିସ୍ପୃହ ହୋଇପଡ଼େ। ଦିଲ୍ଲୀ ଯାଇ ଶାସନର ମଙ୍ଗୁଆଳମାନଙ୍କୁ ଓଡ଼ିଶାର ପରିଚୟ ମାଗିଲେ ଜାଣି ହେବ ସ୍ବାଧୀନ ଭାରତର ଏ ଅମୃତ ମହୋତ୍ସବ ପାଳନ ବେଳାରେ ଦେଶର ତିରିଶ ଭାଗ ଗହଣା ପିନ୍ଧିଥିବା ଏ ମଧୁ-ମାତାଟିର ନାମ କେଉଁଠି? ଦେଶର, ଦେଶବାସୀଙ୍କର ଦାୟିତ୍ବ ଏ ମାଟି ପ୍ରତି କ’ଣ? ମଧୁବାବୁ ମାଆକୁ ଖୋଜି ପାଇଲେ ନାହିଁ। ଆମେ ଅବା କେଉଁ ଖୋଜି ପାଇଛୁ? ସେତେବେଳେ ମାଆ ଥିଲା ଛିନ୍ନ-ମସ୍ତା। ଏବେ ଛିନ୍ନ-ହସ୍ତା, ଛିନ୍ନ-କସ୍ତା, ନ୍ୟାୟ-ତ୍ରସ୍ତା।
ପଡ଼ୋଶୀ, ଏପଟ ଭାଇ କହୁଛି, ତୋ ମାଟି ନେଇଯିବି। ସେପଟ ଭାଇ ଟୁଣ୍‌କି କରି ପାଣି, ଟାଣି ନେବାରେ ଲାଗିଛି। ଯେଉଁ ଭଉଣୀ ଦିନେ ସର୍ବସ୍ବ ନେଇଛି ଏ ମାଟିରୁ ସେ କହୁଛି ଆଳୁ ଟ୍ରକ୍‌ମାନଙ୍କର ବାଟ ବନ୍ଦ କରିଦେବି। ଏ ସବୁର କାରଣ ଆମ ପରିଚୟ ଏବେ ସୁଦୃଢ଼ ନୁହେଁ। ଓଡ଼ିଆ ଜାତି ଯେ ବଳଶାଳୀ ତାହା ପୁରାଣ-ଗୀତ ଗାଇଲେ ପ୍ରମାଣିତ ହେବ ନାହିଁ।

କହିବାର ଅଛି, ଓଡ଼ିଆ ତା’ର ନବୀନ ପରିଚୟ ତିଆରି କରୁ। ଖୋଜି ବାହାର କରୁ ଆପଣା ସମୃଦ୍ଧିର ଖିଅ। ବୁଝିବା ଆବଶ୍ୟକ ଯେ ଗଣତନ୍ତ୍ରର ଭାଷା ହେଉଛି ପ୍ରତିବାଦର ଭାଷା, ସାକୁଲେଇବାର ଭାଷା ନୁହେଁ।

[email protected]

ସମ୍ବନ୍ଧିତ ଖବର