ଇଣ୍ଟରନେଟ୍‌ ବ୍ୟବହାର ସହରରୁ ଗାଁରେ ଅଧିକ

ଦୃଷ୍ଟିପାତ

ଦେଶରେ ପ୍ରଥମ ଥର ଲାଗି ଗ୍ରାମାଞ୍ଚଳ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳ ଠାରୁ ଅଧିକ ହୋଇଛି। ‘ଇଣ୍ଟରନେଟ୍‌ ଏଣ୍ଡ ମୋବାଇଲ୍‌ ଆସୋସିଏସନ୍‌ ଅଫ୍ ଇଣ୍ଡିଆ’ ବା ‘ଆଇଏମ୍‌ଏଆଇ’ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳର ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୨୨୭ ନିୟୁତ ହୋଇଥିବା ବେଳେ ସହରାଞ୍ଚଳର ବ୍ୟବହାରକାରୀଙ୍କ ସଂଖ୍ୟା ୨୦୫ ନିୟୁତ, ଅର୍ଥାତ୍ ପ୍ରାୟ ୧୦% ଅଧିକ। ଏହି ସର୍ବେକ୍ଷଣରେ ଆହୁରି ଅନେକ ପରିସଂଖ୍ୟାନ ରହିଥିଲେ ମଧ୍ୟ ଉପରୋକ୍ତ ତଥ୍ୟଟି ଏକ ‘ଧାରଣା ପରିବର୍ତ୍ତନକାରୀ’ ସୂଚନା ରୂପେ ସାବ୍ୟସ୍ତ ହୋଇଛି। ପ୍ରକାଶ ଥାଉ କି ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ପଛକୁ ଭାରତର ସ୍ଥାନ ତୃତୀୟରେ। ଭାରତରେ ସକ୍ରିୟ ନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ହେଉଛି ୫୦୪ ନିୟୁତ, ୨୦୧୯ରେ ଯାହା ଥିଲା ୪୫୧ ନିୟୁତ। (ମାସକୁ ଥରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ସକ୍ରିୟ ବ୍ୟବହାରକାରୀ କୁହାଯାଏ।)

ଏହା ସତ ଯେ ମୋବାଇଲ ବା କଂପ୍ୟୁଟର ଭଳି ସାଧନ ବା ଉପକରଣର ଉପଲବ୍‌ଧତା କ୍ଷେତ୍ରରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ଅଧିକ ସାନ୍ଦ୍ର। କିନ୍ତୁ ଏହି ଦୁର୍ବଳତା ଗ୍ରାମାଞ୍ଚଳର ବ୍ୟବହାରକାରୀଙ୍କୁ ପଛରେ ପକାଇ ଦେଇନାହିଁ। ଏହାର ପ୍ରମୁଖ କାରଣଟି ହେଉଛି ଭାରତରେ ଉପଲବ୍‌ଧ ପୃଥିବୀର ସବୁଠାରୁ ଶସ୍ତା ଇଣ୍ଟରନେଟ୍‌ ସେବା। ‘ଡିଜିଟାଲ ଭାରତ’ର ପରିକଳ୍ପନାକୁ ସାକାର କରିବାକୁ ପ୍ରୟାସ ଚାଲିଥିବା ବେ‌ଳେ ଏଭଳି ଏକ ସ୍ଥିତି ବେଶ୍‌ ଉତ୍ସାହପ୍ରଦ ମନେହୁଏ।

ସମ୍ବନ୍ଧିତ ଖବର