ଅଭ୍ୟାସ ମନୁଷ୍ୟକୁ ପରିପୂର୍ଣ୍ଣତା ପ୍ରଦାନ କରେ ବୋଲି ଉକ୍ତିଟିଏ ଅଛି। ଶ୍ରୀମଦ୍ ଭଗବତ୍ ଗୀତାର ଦ୍ୱାଦଶ (ଭକ୍ତିଯୋଗ) ଅଧ୍ୟାୟରେ ମନର ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନିରବଚ୍ଛିନ୍ନ ଅଭ୍ୟାସକୁ ଯୋଗର ମାନ୍ୟତା ଦିଆଯାଇଛି। ୧୯୯୪ ମସିହାରେ ମାଲ୍କମ୍ ଗ୍ଲାଡ୍ୱେଲ୍ ନାମକ ଜଣେ ବ୍ୟକ୍ତି ନିଜ ଦ୍ବାରା ଲିଖିତ ‘ଆଉଟ୍ଲିୟର୍ସ’ ନାମକ ପୁସ୍ତକର ବିକ୍ରୟେର ଏକ ରେକର୍ଡ ସୃଷ୍ଟି କରିଛନ୍ତି। ପୁସ୍ତକଟିର ମୂଳ ବିଷୟବସ୍ତୁ ହେଉଛି ଦଶ ହଜାର ଘଣ୍ଟାର ମାହାତ୍ମ୍ୟ। ସେ ଦର୍ଶାଇଥିଲେ ଯେ କୌଣସି ବ୍ୟକ୍ତି ଦଶ ହଜାର ଘଣ୍ଟାର ଅଭ୍ୟାସ ବଳରେ ଯେ କୌଣସି ସଫଳତାର ଶୀର୍ଷକୁ ଛୁଇଁପାରେ।
ଅବଶ୍ୟ ଗ୍ଲାଡ୍ୱେଲ୍ଙ୍କ ସିଦ୍ଧାନ୍ତଟି ଆମେରିକାର ଫ୍ଲୋରିଡା ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀ ଏରିକ୍ସନ୍ଙ୍କ ବିସ୍ତୃତ ଗବେଷଣା ଉପରେ ପର୍ଯ୍ୟବସିତ। ଏରିକ୍ସନ୍ ୧୯୯୩ ମସିହାରେ ଜର୍ମାନିର ବର୍ଲିନ୍ ନଗରୀର ଭାୟୋଲିନ୍ ବାଦକମାନଙ୍କୁ ନେଇ ଏହି ଗବେଷଣାଟି କରିଥିଲେ। ଗବେଷକ ପ୍ରଥମେ ଏହି ବାଦକମାନଙ୍କୁ ତିନିଟି ଦଳରେ ବିଭକ୍ତ କଲେ। ପ୍ରଥମ ଦଳଟି ଥିଲା ଅଭିଜ୍ଞ ତଥା ବିଶାରଦ ଭାୟୋଲିନ୍ ବାଦକଙ୍କ ଦଳ। ଦ୍ୱିତୀୟ ଦଳରେ ଥିଲେ ଏକ ସଙ୍ଗୀତ ଅନୁଷ୍ଠାନର ପାରିଶ୍ରମିକ ପ୍ରାପ୍ତ ଶିଳ୍ପୀଗଣ। ତୃତୀୟ ଦଳଟି ଥିଲା କୌଣସି ସ୍କୁଲ୍ରେ ପିଲାମାନଙ୍କୁ ଭାୟୋଲିନ୍ ଶିକ୍ଷା ଦେଉଥିବା ବ୍ୟକ୍ତିଙ୍କ ଦଳ। ସେମାନେ ପ୍ରତ୍ୟହ କିଭଳି ଅଭ୍ୟାସ କରୁଛନ୍ତି, ତାହା ଉପରେ ଦୃଷ୍ଟି ରଖାଗଲା। ତହିଁରୁ ସଂଗୃହୀତ ସୂଚନାରୁ ଜଣାପଡ଼ିଲା ଯେ ପ୍ରଥମ ଦୁଇ ଦଳ ପ୍ରତି ସପ୍ତାହରେ ହାରାହାରି ପ୍ରାୟ ୨୪ ଘଣ୍ଟା ଅଭ୍ୟାସ କରୁଥିବା ବେଳେ ତୃତୀୟ ଦଳଟି ସପ୍ତାହରେ ମାତ୍ର ୯ ଘଣ୍ଟାର ଅଭ୍ୟାସ କରୁଛନ୍ତି। ଏରିକ୍ସନ୍ଙ୍କ ଗବେଷଣାକୁ ଭିତ୍ତି କରି ଗ୍ଲାଡ୍ୱେଲ୍ ଦଶ ହଜାର ଘଣ୍ଟାର ଚମତ୍କାରିତା କଥା କହିଥିଲେ, ତା’ର କେନ୍ଦ୍ରବିନ୍ଦୁ ହେଉଛି ଅଭ୍ୟାସ ଓ ପରିଶ୍ରମ। ତେବେ ଅଭ୍ୟାସକୁ ଏକ ଜୀବନ ଧାରାରେ ପକାଇବାକୁ ହେଲେ ତିନିଟି ଉପାଦାନର ଆବଶ୍ୟକତା ରହିଛି।
ପ୍ରଥମ ଉପାଦାନଟି ହେଉଛି ମନସ୍କତା। ଅଭ୍ୟାସ ସମୟରେ ମନଯୋଗ ରକ୍ଷା କରିବାକୁ ହେବ। ବିକ୍ଷିପ୍ତ ମନ ନେଇ ଅଭ୍ୟାସ କଲେ ନିରବଚ୍ଛିନ୍ନ ପରିଶ୍ରମ ସତ୍ତ୍ବେ ସୁଫଳ ମିଳି ନ ଥାଏ। ଅଭ୍ୟାସ କାଳରେ ମସ୍ତିଷ୍କ କିଭଳି କାମ କରେ ତା’ର ଅନୁଧ୍ୟାନରୁ ଦେଖାଯାଇଛି ଯେ ଏକାଗ୍ରତାର ଅଭାବ ଅଭ୍ୟାସକୁ ଯନ୍ତ୍ରବତ୍ କରାଏ ଏବଂ ସ୍ନାୟୁ ସଂଯୋଗ ସ୍ଥାପିତ ହୋଇ ନ ଥାଏ। ତେଣୁ ଅଭ୍ୟାସ କରିବା ସମୟରେ ଅଭ୍ୟାସ କରିବାର ଉଦ୍ଦେଶ୍ୟ ଏବଂ ତାହାର ସଫଳତା ଦ୍ବାରା କ’ଣ ହାସଲ କରାଯାଇପାରିବ, ତାହା ମନ ମଧ୍ୟରେ ଲିପିବଦ୍ଧ ହୋଇ ରହିଯିବା ଉଚିତ। ଜିମ୍ ବା ବ୍ୟାୟାମଶାଳାରେ ଯୁବକମାନେ ସେହି ଗୋଟିଏ ପ୍ରକାର ବ୍ୟାୟାମ ଶହଶହ ବାର କରନ୍ତି। ସେମାନେ କହନ୍ତି ଯେ ଅଭ୍ୟାସ ବେଳେ ନିଜ କାର୍ଯ୍ୟ ଉପରେ ଧ୍ୟାନ ନ ରଖିଲେ ମାଂସପେଶୀ ଗଠିତ ହେବାରେ ବିଳମ୍ବ ହୋଇଥାଏ।
ଦ୍ୱିତୀୟ ଉପାଦାନଟି ହେଉଛି ଅଭ୍ୟାସର ଅଗ୍ରଗତି ନେଇ ଅବଗତ ହେବା। ସେଇଥିପାଇଁ ନୃତ୍ୟଶିଳ୍ପୀମାନେ ଅଭ୍ୟାସ କରିବା ସମୟରେ ଦର୍ପଣ ବ୍ୟବହାର କରନ୍ତି। କେହି କେହି ଏଥି ଲାଗି ‘ଗୁରୁ’ ଏବଂ ପ୍ରଶିକ୍ଷକଙ୍କ ସାହାଯ୍ୟ ଲୋଡ଼ନ୍ତି। ଗୁରୁ ବା ପ୍ରଶିକ୍ଷକ ଅଭ୍ୟାସକାରୀଙ୍କ ତ୍ରୁଟି-ବିଚ୍ୟୁତି ଦର୍ଶାଇବା ସହିତ ଉତ୍କର୍ଷ ସାଧନ ପାଇଁ ମାର୍ଗଦର୍ଶନ କରାନ୍ତି।
ତୃତୀୟ ଉପାଦାନଟି ହେଉଛି ଉପଯୁକ୍ତ ବିଶ୍ରାମ। ଏରିକ୍ସନ୍ ତାଙ୍କର ଗବେଷଣାରେ ଲକ୍ଷ୍ୟ କରିଥିଲେ ଯେ ଅତି ଉଚ୍ଚ ସ୍ତରୀୟ କୃତିତ୍ୱ ହାସଲ କରିଥିବା ଶିଳ୍ପୀମାନେ ଦୈନିକ ଚାରି ଘଣ୍ଟା ଅଭ୍ୟାସ କରିବା ସହିତ ଆବଶ୍ୟକ ବିଶ୍ରାମ ବା ବିରତିକୁ ମଧ୍ୟ ଯଥୋଚିତ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଦୈନିକ ସାତ ବା ଆଠ ଘଣ୍ଟାର ନିଦ୍ରା ଏକାନ୍ତ ଜରୁରୀ।
ପରିଶେଷରେ କୁହାଯିବ ଯେ ଜଣେ ଯାହା ଅଭ୍ୟାସ କରୁଛନ୍ତି, ତାହା ତାଙ୍କୁ ଆନନ୍ଦ ପ୍ରଦାନ କରୁଥିବା ଜରୁରୀ। ଲକ୍ଷ୍ୟ କରିବାର କଥା ଯେ ବିଶ୍ୱ ଅଲିମ୍ପିକ୍ ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହୁଏ। ସେଥିରେ ଭାଗ ନେଇ ସଫଳ ହେବାକୁ ଚେଷ୍ଟା କରୁଥିବା ଖେଳାଳିମାନେ ଚାରି ବର୍ଷ ଧରି ଦୈନିକ କଠିନ ପରିଶ୍ରମ କରନ୍ତି। ଏହା ସମ୍ଭବ ହୁଏ କିପରି? ମନୋବିଜ୍ଞାନୀମାନେ କହନ୍ତି ଯେ ସେମାନେ ଯେଉଁ ବିଭାଗରେ ଖେଳନ୍ତି, ତହିଁରୁ ଆନନ୍ଦ ପାଆନ୍ତି ଏବଂ ପଦକ ଜିଣିବାର ସ୍ବପ୍ନ ସୃଷ୍ଟି କରୁଥିବା ସୁଖାନୁଭୂତି ସେମାନଙ୍କୁ ପ୍ରେରଣା ଦିଏ।
ବିଶିଷ୍ଟ ସମରକଳା ବିଶାରଦ ଏବଂ ସିେନମା ଅଭିନେତା ବ୍ରୁସ୍ ଲି ଥରେ କହିଥିଲେ ଯେ ଯେଉଁ ଲୋକ ଦଶ ହଜାର ପ୍ରକାର କରାଟେ ଲାତ ବା କିକ୍ ମାରି ଶିଖିଛି, ମୁଁ ତାକୁ ଡେର ନାହିଁ। କିନ୍ତୁ ଯେଉଁ ଲୋକ ଗୋଟିଏ ଲାତକୁ ପ୍ରତ୍ୟହ ଦଶ ହଜାର ଥର ଅଭ୍ୟାସ କରୁଛି, ମୁଁ ତାକୁ ଡରେ। ଏହା ହେଉଛି ଅଭ୍ୟାସର ମାହାତ୍ମ୍ୟ।
ମୋ- ୯୪୩୭୧୨୧୨୭୯