ସତୁରି ବର୍ଷ ବୟସରେ, ସ୍ବାଭାବିକ ଭାବରେ, ମୋର ଅନେକ ବନ୍ଧୁ ଅଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦ ପଦବିରେ ଅଧିଷ୍ଠିତ ଥିଲେ। ସମସ୍ତଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ; ପିଲାମାନେ ବି ଭଲ ଚାକିରି କରି, ବିଭା ହୋଇ, ଦିଲ୍ଲୀ, ବମ୍ବେ କିମ୍ବା ବିଦେଶରେ ଭଲରେ ଅଛନ୍ତି। ସବୁ ବନ୍ଧୁମାନଙ୍କ ସ୍ବାସ୍ଥ୍ୟ ମଧ୍ୟ ପ୍ରାୟ ଭଲ ଅଛି। ମାତ୍ର ସେମାନଙ୍କର ଏତେ ସବୁ କୁଶଳ ଅବସ୍ଥା ଭିତରେ ମୁଁ ଯେତେବେଳେ ସେମାନଙ୍କୁ ଦେଖା ସାକ୍ଷାତ୍ ହେଲେ ବା ଫୋନ୍ରେ ପଚାରୁଛି,‘‘କେମିତି ଅଛ?’’, ପ୍ରାୟ ପ୍ରତ୍ୟେକ ଶୁଷ୍କ ନିରସ ଭାବେ ଉତ୍ତର ଦିଅନ୍ତି, ‘‘ହଁ, ସେମିତି ଚାଲିଛି।’’ ଅବା ‘‘ଜୀବନ ତ ସରିଲା। ଆଉ କେତେ ଦିନ କଟିଗଲେ ଗଲା।’’ ଏବଂ ଆଉ କେତେଜଣ ସ୍ପଷ୍ଟ ଭାବେ ମଧ୍ୟ କହନ୍ତି, ‘‘ପ୍ରଚଣ୍ଡ ବୋର୍ ଲାଗୁଛି। କେତେ ଖାଲି ଖାଲି ଘରଟାରେ ବସିବ?’’
ମୋର ଆଉ ଦୁଇଜଣ ଘନିଷ୍ଠ ବନ୍ଧୁ ଅଛନ୍ତି; ଚାକିରି କରିନାହାନ୍ତି; ଆଦିବାସୀମାନଙ୍କ ସାଥିେର ରହି ସେମାନଙ୍କ ପାଇଁ କାମ କରୁଛନ୍ତି ଭିନ୍ନ ଭିନ୍ନ ସ୍ଥାନରେ, ଭିନ୍ନ ଭିନ୍ନ ଅନୁଷ୍ଠାନରେ। ଦୁଇ ଜଣଯାକଙ୍କର ଭଗ୍ନ ସ୍ବାସ୍ଥ୍ୟ; ବେଳେ ବେଳେ ରୁଗ୍ଣ ହୋଇ ମଧ୍ୟ ପଡ଼ିଯାଉଛନ୍ତି। ତଥାପି ସେହିଥିରେ ବର୍ଷା, ଶୀତରେ ପାହାଡ଼, ଜଙ୍ଗଲ ଭିତରେ ଗାଁ ଗାଁ ବୁଲୁଛନ୍ତି। ମୁଁ ଯେତେବେଳେ ଫୋନ୍ରେ ସେମାନଙ୍କ ସାଥିରେ କଥା ହୁଏ, କେବେ ସେମାନଙ୍କ ଠାରୁ ନିରସ ଆତ୍ମପୀଡ଼ନର କଥା ଶୁଣିନାହିଁ। ସବୁବେଳେ ସେମାନଙ୍କ ପାଖରେ ନୂଆ ନୂଆ ଯୋଜନା, ନୂଆ ସ୍ବପ୍ନ, ନୂଆ ଉତ୍ସାହ।
କାହିଁକି ଏପରି ଓଲଟା କଥା ଘଟୁଛି? ମୋର ଏ ଦୁଇ ବନ୍ଧୁଙ୍କର ଉତ୍ସାହର ଉତ୍ସ କେଉଁଠି? ପ୍ରତ୍ୟେକ ମଣିଷ ସଚେତନ ଭାବେ ହେଉ ବା ତା’ର ଅବଚେତନରେ ହେଉ, ନିଜ ଜୀବନ ପାଇଁ ଗୋଟିଏ ଅର୍ଥର (meaning) ସନ୍ଧାନ କରିଥାଏ। ଆମେ ଯଦି ଆମର ଜୀବନକୁ ଲକ୍ଷ୍ୟ କରିବା, ତେବେ ଦେଖିବା ଯେ ଆମର ସମସ୍ତ ଉଦ୍ୟମ, ନିଷ୍ଠା ପଛରେ ଏକମାତ୍ର କାରଣ ହେଉଛି ଆମେ ବାଛିଥିବା ଜୀବନର ଅର୍ଥକୁ। ଯେତେବେଳେ ଜୀବନର ଅର୍ଥଟି ନିର୍ଦ୍ଧାରିତ ହୋଇଯାଏ, ସେତେବେଳେ ଜୀବନରେ ଉତ୍ସାହ ଭରିଯାଏ ତା’କୁ ଫଳବତୀ କରିବା ପାଇଁ। ଦ୍ବିତୀୟ ବିଶ୍ବଯୁଦ୍ଧର ଇହୁଦୀ ନରସଂହାର ବେଳେ ଅସ୍ୱିଜ୍ ଏବଂ ଅନ୍ୟ କନ୍ସେଣ୍ଟ୍ରେସନ୍ କ୍ୟାମ୍ପ୍ରେ ଦୀର୍ଘ ୩ ବର୍ଷ ଧରି ନିଜର ମୃତ୍ୟୁକୁ ପ୍ରତି ମୁହୂର୍ତ୍ତରେ ଅପେକ୍ଷା କରି ରହିଥିବା ଏବଂ ତଥାପି ଏକ ଦୁର୍ବାର ଆଶା ନେଇ ବଞ୍ଚିବା ବିଷୟରେ ଭିକ୍ଟର୍ ଇ ଫ୍ରାଙ୍କଲ୍ ତାଙ୍କର ପୁସ୍ତକ ‘‘Man’s search for Meaning’’ରେ ଲେଖିଛନ୍ତି ଯେ ଜୀବନରେ ଅର୍ଥ ସନ୍ଧାନ କରିବା ମଣିଷ ପାଇଁ ପ୍ରଥମ ପ୍ରେରଣାଦାୟକ ଶକ୍ତି ଅଟେ।
ଯୌନ ପ୍ରବୃତ୍ତି ଚରିତାର୍ଥ କରିବା ବା ସମାଜରେ ପ୍ରତିପତ୍ତି ହାସଲ କରିବା ଅପେକ୍ଷା ଜୀବନର ଅର୍ଥର ସନ୍ଧାନ କରିବା ମଣିଷର ଜୀବନ ପାଇଁ ନିର୍ଣ୍ଣାୟକ ହୋଇପଡ଼େ। ନିତ୍ସେଙ୍କ ଭାଷାରେ, ଯିଏ ଜୀବନରେ କାହିଁକି ବଞ୍ଚୁଛି (why)କୁ ଆବିଷ୍କାର କରିପାରେ, ତା’ ପାଇଁ କିପରି ବଞ୍ଚୁଛି (how)ଟି ଏତେ ପ୍ରାସଙ୍ଗିକ ହୋଇ ରହେ ନାହିଁ। ଏହାର ତାତ୍ପର୍ଯ୍ୟ ହେଉଛି ଯେ ଯିଏ ନିଜ ପାଇଁ ଜୀବନର ଏକ ଅର୍ଥ ଖୋଜିପାରିଲା, ତା’ ପାଇଁ ଅନ୍ୟ ସବୁ କଥା- ଏଥିରେ କଷ୍ଟ ଅଛି, ବିପଦ ଅଛି, ନିନ୍ଦା ଅଛି- ଅବାନ୍ତର ହୋଇଯାଏ। ଥରେ ସେ ନିଜ ଜୀବନର ଅର୍ଥକୁ ସନ୍ଧାନ କରିପାରିଲେ, ତଜ୍ଜନିତ ଉତ୍ସାହ ତା’କୁ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ଆଦରି ନେବାକୁ ପ୍ରସ୍ତୁତ କରେଇଦିଏ। ସେ ଶୂନ୍ୟତା, ଅବସନ୍ନତା ଅନୁଭବ କରେ ନାହିଁ; ସବୁବେଳେ ସେ ପ୍ରାଣ ଚଞ୍ଚଳ ହୋଇ ରହିଥାଏ। ଜୀବନ ପ୍ରତି ସବୁବେଳେ ସେ ସଶ୍ରଦ୍ଧ ହୋଇ ରହିଥାଏ। ସମ୍ବାଦପତ୍ର ମାନଙ୍କରୁ ତ ପ୍ରାୟ ଏହି ପରି ଉତ୍ସାହଭରା ବ୍ୟକ୍ତିମାନଙ୍କର କାହାଣୀ ଜାଣିବାକୁ ମିଳିଥାଏ। କିଏ ବିଦେଶରେ ଉଚ୍ଚ ବେତନ ଓ ବିଳାସର ଜୀବନକୁ ଛାଡ଼ି ଦେଇ ଗାଁରେ ସବୁଜ କୃଷିରେ ନିଜକୁ ନିୟୋଜିତ କଲାଣି ତ କିଏ ପ୍ରାୟ ୯୦ ବର୍ଷ ବୟସରେ ମଧ୍ୟ ସାନ ସାନ ପିଲାମାନଙ୍କୁ ଶିକ୍ଷାଦାନରେ ବ୍ରତୀ ଅଛନ୍ତି। ଯିଏ ଭାବୁଛି ଯେ ତା’ ଜୀବନର କିଛି ଅର୍ଥ ଅଛି, ସେ ଅର୍ଥକୁ ସେ ଅନୁଭବ କରିପାରୁଛି ଏବଂ ତା’ର ହୃଦ୍ବୋଧ ହେଉଛି ଯେ ତା’ର ଜୀବନ ଏହି ଅର୍ଥ, ଏହି କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ, ସେ ସେଥିପାଇଁ ତା’ର ସମସ୍ତ ସତ୍ତାକୁ ପ୍ରେରିତ କରି ରଖୁଛି। ଏହା ହିଁ ଜୀବନରେ ଉତ୍ସାହର ଉତ୍ସ।
ଜୀବନରେ ଯଦି ଉତ୍ସାହ ଅଛି, ଜୀବନଟା ସୁନ୍ଦର ଲାଗେ, ଉତ୍ସବମୟ ଲାଗେ। ଜୀବନରେ ଯଦି ଉତ୍ସାହ ନ ଥାଏ, ତେବେ ଜୀବନ ଶୂନ୍ୟ, ଅସାର ଲାଗେ; ଖାଲି ଗୋଟିଏ ବାଧ୍ୟବଶତଃ, ଅଭ୍ୟାସବଶତଃ ବଞ୍ଚିବା ପରି ଲାଗେ। ଉତ୍ସାହ, ଜୀବନ ପାଇଁ ଶକ୍ତି। ଉତ୍ସାହ ଅଭାବରେ ୩୦/୩୫ ବର୍ଷର ମଣିଷଟିଏ ନିର୍ବେଦଗ୍ରସ୍ତ ବୃଦ୍ଧ ପରି ବଞ୍ଚୁଥାଏ; ଉତ୍ସାହର ପ୍ରଭାବରେ ୮୦/୮୫ ବର୍ଷର ବୃଦ୍ଧ ମଧ୍ୟ ତରୁଣଟିଏ ପରି ସ୍ଫୂର୍ତ୍ତିବାନ୍ ହୋଇ ବଞ୍ଚୁଥାଏ। ଉତ୍ସାହ ଖୋଜି ପାଇବା ମଣିଷ ପାଇଁ ସବୁଠୁ ବଡ଼ ଆହ୍ବାନ। ଯେତେବେଳେ ବୟସ ବଢ଼ି ଚାଲେ, ଏ ଆହ୍ବାନ ଆହୁରି କଷ୍ଟକର ହୋଇପଡ଼େ। ମାତ୍ର ଏବେ ବିଭିନ୍ନ କାରଣରୁ ୩୫/୪୦ ବର୍ଷ ବୟସରେ ବି ଅନେକ ଉତ୍ସାହ ହରେଇ, ମାନସିକ ଭାବେ ଅବସନ୍ନ ହୋଇ, ଜୀବନ ପ୍ରତି ସମସ୍ତ ଶ୍ରଦ୍ଧା ହେରଇ ଦେଉଛନ୍ତି। ପଦ ପଦବି, ପ୍ରଶଂସା, ଅର୍ଥ ଓ ସାଂସାରିକ ସଫଳତା ପରେ ମଧ୍ୟ ଜଣେ ଜୀବନ ପ୍ରତି ନିଃସ୍ପୃହ ଅନୁଭବ କରିପାରେ। ଏହି ଖାଲି ଭାବଟା ଟିକିଏ ବୟସ ଗଡ଼ିଗଲେ ବେଶୀ ଅନୁଭବ ହୁଏ, କାରଣ ଯୌବନ ଠାରୁ ପ୍ରାୟ ମଧ୍ୟ ବୟସ ପର୍ଯ୍ୟନ୍ତ ଜୀବନର ଅର୍ଥକୁ ଆମେ ବୁଝୁ ଯେ ଜୀବିକାଟିଏ ପାଇବା, ବିବାହ ହୋଇ ସଂସାର କରିବା, ଅର୍ଥ ଓ କ୍ଷମତା ହାସଲ କରି ସମାଜରେ ପ୍ରତିପତ୍ତି ହାସଲ କରିବା। ଏହି ଲୌକିକ ସଫଳତାକୁ ଜୀବନର ଅର୍ଥ ବୋଲି ବ୍ୟକ୍ତି କେବେ ନିଜେ ନିଜ ଅନ୍ତରକୁ ଖୋଜି ନିର୍ଦ୍ଧାରିତ କରି ନ ଥାଏ; ଏହାକୁ ସମାଜ, ପରମ୍ପରା ବ୍ୟକ୍ତି ଉପରେ ଆରୋପିତ କରିଦେଇଥାଏ। ସେଥିପାଇଁ େକବେ ନା କେବେ ଏହାର ସମ୍ମୋହନ ଭାଙ୍ଗିଯାଏ। ଜୀବନର ଏକ ବୃହତ୍ ସମୟ ଅନେକ ଏହିପରି ସମାଜ-ରୋପିତ ଜୀବନ ବଞ୍ଚୁଥା’ନ୍ତି ଯେ ସେମାନଙ୍କର ନିଜସ୍ବ ଅନ୍ତରଟି ଜଡ଼ ପାଲଟିଯାଏ। ନିଜ ଅନ୍ତରର ଇଚ୍ଛାକୁ ସେମାନେ ଜାଣିପାରନ୍ତି ନାହିଁ। ଏପରି କି ସେମାନଙ୍କର ଏକ ନିଜସ୍ବ ଆତ୍ମିକ ସତ୍ତା ଅଛି ବୋଲି ସେମାନେ ମଧ୍ୟ ଅନୁଭବ କରିପାରନ୍ତି ନାହିଁ। ସେଥିପାଇଁ ଜୀବନରେ ସମସ୍ତ ସଫଳତା ହାସଲ କରିସାରିଲା ପରେ ବି ଯେତେବେଳେ ଜୀବନ ଖାଲି ଖାଲି, ଅସାର, ଅର୍ଥହୀନ ଲାଗିବାକୁ ଆରମ୍ଭ କରେ, ସେତେବେଳେ ଏହି ଆତ୍ମିକ ଜଡ଼ତା ଯୋଗୁଁ ଆଉ ସହଜରେ ସମ୍ଭବପର ହୋଇପାରେନା ନିଜ ଜୀବନର ଅର୍ଥ ସନ୍ଧାନ କରି ତା’ ପାଇଁ ନିଜକୁ ପ୍ରେରିତ କରିବା। ଉତ୍ତର ବୟସରେ, ଅନେକ, ସମସ୍ତ ଦୃଶ୍ୟମାନ ସଫଳତା ହାସଲ କରିବା ସତ୍ତ୍ବେ ପ୍ରାୟ ଏହି ପରି ଏକ ଅଜଣା ଅଭାବ, ଅବସୋସର ଜୀବନ ବଞ୍ଚୁଥା’ନ୍ତି। ନିଜ ଜୀବନର ଉଦ୍ଦେଶ୍ୟ, ଅର୍ଥକୁ ଚିହ୍ନି ନ ପାରିବା, ଚିହ୍ନି ପାରିଲେ ମଧ୍ୟ ନାନାଦି ବାହ୍ୟ ପ୍ରଲୋଭନ ଯୋଗୁଁ ତା’ ପ୍ରତି ଉଦାସୀନ ରହିବା, ଜୀବନକୁ ବ୍ୟର୍ଥ, ଅପୂର୍ଣ୍ଣ କରେଇଦିଏ।
ଜୀବନର ଅର୍ଥକୁ ସନ୍ଧାନ କରିବା ହେଉଛି ନିଜ ଠାରୁ, ନିଜର ସୀମିତ ସତ୍ତା ଠାରୁ ଊର୍ଦ୍ଧ୍ବରେ ରହି, କିଛି ଗୋଟିଏ ବୃହତ୍ତର ଅନୁଭବକୁ ସ୍ବୀକାର କରିବା। ଫ୍ରାଙ୍କଲ୍ ଏହାକୁ ଆତ୍ମ-ଉତ୍ତରଣ (Self-transcendance) କହୁଥିଲେ। ଯେମିତି ଗୋଟିଏ ରୁଦ୍ଧ କୋଠରିରେ ସୂର୍ଯ୍ୟାଲୋକ ପ୍ରବେଶ କରିପାରେ ନାହିଁ, ସେହିପରି ବ୍ୟକ୍ତି ସତ୍ତାର, ତା’ ସ୍ବାର୍ଥର ରୁଦ୍ଧ ପରିସର ଭିତରେ ଆଉ କିଛି ଅପୂର୍ବ ଅନୁଭବର ସମ୍ଭାବନା ନ ଥାଏ। ଜୀବନର ଅର୍ଥକୁ ଉପଲବ୍ଧି କରିବା ମାନେ ବ୍ୟକ୍ତି ତା’ର ଅହଂକୈନ୍ଦ୍ରିକ ସୀମିତ ପରିସରରୁ ଊର୍ଦ୍ଧ୍ବକୁ ଯାଇ ଅନ୍ୟ କିଛି ଅନୁଭବ ପାଇବ, ଯାହା ତାକୁ ଏକ ଆତ୍ମିକ ସନ୍ତୋଷ ଦେଉଥିବ। ସେଥିପାଇଁ ସମାଜ ଜାଣୁ ବା ନ ଜାଣୁ, ଲୋକମାନେ ପ୍ରଶଂସା କରନ୍ତୁ ବା ନ କରନ୍ତୁ, ସେ ବିଷୟରେ ଆଦୌ ନ ଭାବି, କିଏ ଗରିବ ପିଲାଙ୍କୁ ପାଠ ପଢ଼େଇ, କିଏ ଅସହାୟ ଶିଶୁ, ବୃଦ୍ଧ, ବୃଦ୍ଧାଙ୍କ ଯତ୍ନ ନେଇ, କିଏ ରକ୍ତ ଦାନ କରି, କିଏ ଅଙ୍ଗ ଦାନ କରି, କିଏ ଗରିବ ଲୋକମାନଙ୍କୁ ଡାକ୍ତରଖାନାରେ ସାହାଯ୍ୟ କରି ବା ଶ୍ମଶାନରେ ଶବଦାହରେ ସାହାଯ୍ୟ କରି, କିଏ ଉଜୁଡ଼ା ପ୍ରକୃତିକୁ ପୁଣି ସବୁଜ, ଜୀବନ୍ତ କରି, କିଏ ସଙ୍ଗୀତ, ନୃତ୍ୟ, ସାହିତ୍ୟରେ ନିଜକୁ ନିରୋଳା ସମର୍ପି ଦେଇ, କିଏ ଭଗବାନ୍ଙ୍କ ପାଖରେ ନିଜକୁ ସର୍ବାନ୍ତକରଣରେ ଉତ୍ସର୍ଗ କରି ଦେଇ ଜୀବନର ଅର୍ଥ ପାଇଥାଏ। ଜୀବନର ଗଭୀରତମ ପ୍ରଦେଶରେ ଯଦି କିଛିଟା ପୁଲକ ସୃଷ୍ଟି ହୁଏ, ତେବେ ତାହା ଜଣେ ସନ୍ଧାନ କରିଥିବା ତା’ର ଜୀବନର ଅର୍ଥରୁ। ଯେଉଁମାନେ ଏହି ପୁଲକକୁ ନିଜ ଭିତରେ ଅନୁଭବ କରି ପାରନ୍ତି ନାହିଁ, ସେମାନେ ସେମାନଙ୍କର ସମସ୍ତ ଚାକଚକ୍ୟଭରା ସଫଳ ଜୀବନ ସତ୍ତ୍ବେ ହିଁ ଅତି ମାମୁଲି ଜୀବନ ବଞ୍ଚୁଥା’ନ୍ତି। ପସନ୍ଦ (choice)ଟି ଆମର- ଆମେ ଚାକଚକ୍ୟଭରା ଫମ୍ପା ଜୀବନ ବଞ୍ଚିବା ନା ଗଭୀର ଅନୁଭବଭରା ଆନନ୍ଦ, ଆତ୍ମସନ୍ତୋଷର ଜୀବନ ବଞ୍ଚିବା।
ମୋ- ୯୪୩୭୨୯୨୧୧୩