ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ମୋତେ ଅତୀତରେ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ବିଶାଳ ଦେଶମାନେ ନିଜର ଅତିରଞ୍ଜିତ ପ୍ରାଧାନ୍ୟ ସହ ଘଟାଇଥିବା ଦୁର୍ଗତିକୁ ମନେ ପକାଇ ଦେଉଛି। ମୋ’ ଜୀବନକାଳର ସମୟଖଣ୍ଡକୁ ବିଚାରକୁ ନେଲେ ଭିଏତ୍ନାମ ଓ ଇରାକ ଉପରେ ଆମେରିକାର ଦୁର୍ଭାଗ୍ୟଜନକ ଘଟଣା ଓ ଆଫଗାନିସ୍ତାନରେ ସୋଭିଏତ୍ର ଦୁର୍ଭାଗ୍ୟପୂର୍ଣ୍ଣ ପଦକ୍ଷେପ ପରେ ଏହା ଚତୁର୍ଥ ଘଟଣା ହେବ। ପୂର୍ବର ତିନିଟି ଯାକ ହସ୍ତକ୍ଷେପ ଅତି ମନ୍ଦ ଭାବରେ ଶେଷ ହୋଇଥିଲା ଯଦ୍ଦ୍ବାରା ଆକ୍ରମଣର ଶିକାର ଦେଶକୁ ପ୍ରଭୂତ ଯନ୍ତ୍ରଣା ସହିବାକୁ ପଡ଼ିଥିଲା, ଆକ୍ରମଣକାରୀ ଦେଶର ସମ୍ମାନରେ ହାନି ପହଞ୍ଚାଇଥିଲା ଏବଂ ତମାମ ବିଶ୍ବରେ ନକାରାତ୍ମକ ତରଙ୍ଗ ଖେଳିଯାଇଥିଲା।
୧୯୬୫ରେ ଯେତେବେଳେ ଆମେରିକା ରାଷ୍ଟ୍ରପତି ଜନ୍ସନ୍ ଭିଏତ୍ନାମରେ ଆମେରିକୀୟ ହସ୍ତକ୍ଷେପକୁ ତୀବ୍ର କରିଦେଲେ, ସେତେବେଳେ ମୁଁ ଥିଲି ଉତ୍ତର ଭାରତରେ ବଢୁଥିବା ଜଣେ ଶିଶୁ। ସେହି ଯୁଦ୍ଧର ଗତିପଥ ସମ୍ପର୍କରେ ମୋର କ୍ବଚିତ୍ ମନେ ଅଛି, ମାତ୍ର ତାହା କିପରି ଅନ୍ତ ହେଲା, ତାହା ମୁଁ ଭଲ ଭାବରେ ମନେ ପକାଇ ପାରୁଛି। ୧୯୭୫ ଏପ୍ରିଲ ବେଳକୁ ମୁଁ ନୂଆଦିଲ୍ଲୀରେ ଜଣେ କଲେଜ ଛାତ୍ର ଥାଏ। ସାଇଗନ୍ରୁ ଶେଷ ଆମେରିକୀୟ ସୈନିକଙ୍କ ବିଦାୟ ଯାତ୍ରା ସମ୍ପର୍କରେ ବିବିସିର ବିଶଦ ବର୍ଣ୍ଣନାକୁ କିଛି ସାଙ୍ଗମାନଙ୍କ ସହ ଶୁଣୁଥିଲି। ଆମେରିକାର ଏ ପ୍ରକାର ଅପମାନକୁ ଆମେ ସେମାନଙ୍କର ଯଥାଯୋଗ୍ୟ ପୁରସ୍କାର ଭଳି ଦେଖୁଥିଲୁ। ନିଖିଳ ଏସୀୟ ସମାନୁଭୂତି ଏହାର ଆଂଶିକ କାରଣ। ନିକଟ ଅତୀତରେ ବାଂଲାଦେଶ ସଂକଟ ବେଳେ ଆମେରିକାର ଖୋଲାଖୋଲି ପକ୍ଷପାତିତା ଏହାର ଅନ୍ୟତମ କାରଣ। ସେତେବେଳେ ପାକିସ୍ତାନର ନିଷ୍ଠୁର ତଥା ନରସଂହାରକାରୀ ସାମରିକ ଶାସନକୁ ଆମେରିକା ସମର୍ଥନ କରିଥିଲା।
୧୯୭୯ ଡିସେମ୍ବରରେ ସୋଭିଏତ୍ ସଂଘ ଆଫଗାନିସ୍ତାନ ଆକ୍ରମଣ କଲା। ଦିଲ୍ଲୀରେ ସେତେବେଳେ ଚରଣ ସିଂହଙ୍କ ନେତୃତ୍ବରେ ଏକ କାମଚଳା ସରକାର ଶାସନ କରୁଥା’ନ୍ତି। ଆମର ପ୍ରାଚୀନ ଓ ନିବିଡ଼ ସମ୍ପର୍କ ଥିବା ଏକ ସାର୍ବଭୌମ ରାଷ୍ଟ୍ର ଉପରେ ସୋଭିଏତ୍ର ଏଭଳି ଆକ୍ରମଣକୁ ସ୍ବର୍ଗତ ସିଂହ ଭାରତୀୟ ଉପନିବେଶବାଦ-ବିରୋଧୀ ଶ୍ରେଷ୍ଠ ପରମ୍ପରାରେ ତୀବ୍ର ସମାଲୋଚନା କରିଥିଲେ। ତେବେ ୧୯୮୦ ଜାନୁଆରିରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଫେରିବା ପରେ ସୋଭିଏତ୍ର ପଦକ୍ଷେପକୁ ସମର୍ଥନ କରିଥିଲେ। ଏଥିପାଇଁ ଦିଲ୍ଲୀରେ ଥିବା କିଛି ସହଜବିଶ୍ବାସୀ ସୋଭିଏତ୍ ସମର୍ଥକ ସାମ୍ବାଦିକ ଇନ୍ଦିରାଙ୍କୁ ଶିରୋନାମାରେ ରଖିଥିଲେ। ସେହି ସାମ୍ବାଦିକମାନେ ଆଫଗାନିସ୍ତାନ ଦଖଲକାରୀଙ୍କ ଦ୍ବାରା ସଞ୍ଚାଳିତ କାବୁଲ ପରିଭ୍ରମଣ କରି ଫେରିବା ପରେ ସେଠାରେ ସାମନ୍ତବାଦ ଓ ଦମନଲୀଳା କିପରି ସମାଜବାଦ ଓ ସ୍ବାଧୀନତାର ବାଟ ଫିଟାଇଦେଇଛି, ସେ ନେଇ ଜାଜ୍ବଲ୍ୟମାନ ରିପୋର୍ଟ ସବୁ ପ୍ରକାଶ କରିଥିଲେ।
୧୯୮୬ରେ ମୁଁ ପ୍ରଥମ ଥର ପାଇଁ ଆମେରିକା ଯାଇଥିଲି। ଆଉ ମୋର ଭିସାକୁ କଲିକତାର ହୋ ଚି ମିନ୍ ସାରଣୀ ସ୍ଥିତ ବାଣିଜ୍ୟ ଦୂତାବାସରୁ ସଂଗ୍ରହ କରିଥିଲି। ପୂର୍ବରୁ ଏହି ସ୍ଥାନ ହାରିଂଟନ୍ ଷ୍ଟ୍ରିଟ୍ ଭାବରେ ପରିଚିତ ଥିଲା ଯାହାକୁ ୧୯୬୭ରେ ‘ଆମର ନାମ୍, ତୁମାର ନାମ୍, ଭିଏତ୍ନାମ’ ପରି ସ୍ଲୋଗାନ୍କୁ ସମର୍ଥନ କରୁଥିବା ପଶ୍ଚିମବଙ୍ଗର ବାମପନ୍ଥୀ ସରକାର ବଦଳାଇ ଦେଇଥିଲେ। ଆମେରିକାରେ ମୁଁ ପଢ଼ାଉଥିବା ବିଶ୍ବବିଦ୍ୟାଳୟର ଏକ ସଭାରେ ଯୋଗଦେଇଥିଲି ଯାହାକୁ ଆଫଗାନ୍ର ନିର୍ବାସିତ ମୁକ୍ତିଯୋଦ୍ଧାମାନେ ଆୟୋଜନ କରିଥିଲେ। କିଂବଦନ୍ତି ତାଜିକ୍ ଯୋଦ୍ଧା ଅହମଦ ଶାହ ମାସୁଦ୍ଙ୍କ ସହ ଜଡ଼ିତ ଏହି ସ୍ବାଧୀନତା ସଂଗ୍ରାମୀମାନଙ୍କର ଉଲ୍ଲେଖନୀୟ ସଂଖ୍ୟା ରହିବା ସହ ସେମାନେ ସଗର୍ବ ଦେଶପ୍ରେମୀ ଓ ଗଭୀର ଭାବରେ ଧର୍ମ ନିରପେକ୍ଷ ଥିଲେ। ସେହି ସଭାରେ ମୁଁ ଏକମାତ୍ର ଭାରତୀୟ ଭାବେ ଉପସ୍ଥିତ ଥିଲି। ଜଣେ ଆଫଗାନୀ ମୋତେ କହିଥିଲେ, ‘ଇନ୍ଦିରା ଗାନ୍ଧୀ ଆମକୁ ତଳକୁ କରିଦେଲେ। ଆମ ଦେଶ ଉପରେ ସୋଭିଏତ୍ର ଆକ୍ରମଣକୁ ସେ କିପରି ସମର୍ଥନ କରିଥିଲେ? ଭାରତ ସରକାର କିପରି ଏହା କରିପାରିଲେ?’ ମୋ’ ପାଖରେ କୌଣସି ଉତ୍ତର ନ ଥିଲା।
ସେହି ଆଫଗାନୀ ମୁକ୍ତିଯୋଦ୍ଧା ଜଣକ ଥିଲେ ସୁଗଠିତ, ଡେଙ୍ଗା ଓ ପଗଡ଼ି ପରିହିତ। ଏ କଥା ଲେଖିବା ବେଳେ ମୁଁ ତାଙ୍କ ମୁହଁ ଦେଖିପାରୁଛି ଏବଂ ତାଙ୍କ କଥା ଶୁଣିପାରୁଛି। ସେ ଠିକ୍ କହିଥିଲେ ଯେ ଇନ୍ଦିରାଙ୍କ ନେତୃତ୍ବରେ ଭାରତ ସୋଭିଏତ୍କୁ ସମର୍ଥନ କରି ଦୁଃଖଦାୟକ ଭୁଲ୍ କରିଥିଲା। ଏହା ପରିବର୍ତ୍ତେ ଆମ ସରକାର ସେଭଳି ଦଖଲର ଆଗୁଆ ଅନ୍ତ ପାଇଁ କାର୍ଯ୍ୟ କରିପାରିଥା’ନ୍ତେ। ପରିଶେଷରେ ଭାରତ ଓ ଅନ୍ୟ ସହଯୋଗୀମାନଙ୍କ ଦ୍ବାରା ପ୍ରୋତ୍ସାହିତ ହୋଇ ସୋଭିଏତ୍ ଦୀର୍ଘ ଏକ ଦଶନ୍ଧି କାଳ ଆଫଗାନିସ୍ତାନରେ ରହିଥିଲା। ତାହା ସେଠାକାର ବିରୋଧୀ ଗୋଷ୍ଠୀଙ୍କୁ ସାମ୍ପ୍ରଦାୟିକ ଏବଂ ଏପରି କି କଠୋରପନ୍ଥା ଆପଣେଇବା ପାଇଁ ଉତ୍ପ୍ରେରିତ କରିଥିଲା ଯାହା ଏକ ଗୃହଯୁଦ୍ଧରେ ପରିଣତ ହୋଇ ସେହି ଦେଶର ଧ୍ବଂସ ସାଧନ କରିଥିଲା। ତାଲିବାନ୍ମାନଙ୍କର ଉତ୍ଥାନ ପାଇଁ ତାହା ବାଟ ଫିଟାଇଦେଲା ଏବଂ ଆକ୍ରମଣକାରୀଙ୍କୁ ଅପମାନଜନକ ଢଙ୍ଗରେ ଦେଶ ତ୍ୟାଗ ପାଇଁ ବାଧ୍ୟ କରିଥିଲା; ଠିକ୍ ଯେପରି ଆମେରିକୀୟମାନେ ଭିଏତ୍ନାମ ଛାଡ଼ିଥିଲେ।
୨୦୦୧ ମସିହାରେ ଆମେରିକା ପକ୍ଷରୁ ଆଫଗାନିସ୍ତାନରେ ବୋମା ନିକ୍ଷେପ କରାଯିବା ସହ ସେଠାକୁ ସୈନ୍ୟ ପଠାଗଲା। ପୂର୍ବର ସୋଭିଏତ୍ର କାର୍ଯ୍ୟକଳାପ ଅପେକ୍ଷା ଏହା ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣ ପାଇଁ ବେଶୀ ଖୋରାକ ଯୋଗାଇଲା ଯାହାକୁ ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ୍ଙ୍କ ଦ୍ବାରା ସମର୍ଥିତ ତଥା ପରିଚାଳିତ ଅଲ୍ କାଏଦା ଗୋଷ୍ଠୀ ଘଟାଇଥିଲା।
୨୦୦୨ର ଶେଷ ଭାଗ ଆଡ଼କୁ ‘ନ୍ୟୁୟର୍କ ଟାଇମ୍ସ’ର ସାମ୍ବାଦିକ ଥୋମାସ୍ ଫ୍ରିଡ୍ମ୍ୟାନ୍ ବାଙ୍ଗାଲୋର ଆସିଥିଲେ। ଜଣେ ପାରସ୍ପରିକ ଚିହ୍ନା ବ୍ୟକ୍ତିଙ୍କ ଘରେ ମୁଁ ତାଙ୍କୁ ଭେଟିଥିଲି। ଆଫଗାନିସ୍ତାନ ଦଖଲ କରି ସାରିବା ପରେ ଆମେରିକା ଇରାକ ଦଖଲ କରିବା ଉଚିତ ବୋଲି ସେ ଯଥାର୍ଥତା ପ୍ରତିପାଦନ ପାଇଁ ଯାବତୀୟ ମନଗଢ଼ା ଯୁକ୍ତି ବାଢ଼ିଥିଲେ। ମୁଁ ଯଥାସାଧ୍ୟ ତାଙ୍କୁ ବିରୋଧ କରିଥିଲି। ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣରେ ଇରାକର କୌଣସି ଭୂମିକା ନାହିଁ ବୋଲି ମୁଁ ତାଙ୍କୁ କହିଥିଲି। ଆମେରିକା ଠାରୁ ଇରାକ ଯଥେଷ୍ଟ ଦୂରରେ ରହିଛି ଏବଂ ତାହା ପ୍ରତି ଇରାକ ପକ୍ଷରୁ କୌଣସି ବିପଦର ଆଶଙ୍କା ନାହିଁ ବୋଲି ମଧ୍ୟ ମୁଁ କହିଥିଲି। ଏପରି କି ଭିଏତ୍ନାମରେ ଆମେରିକୀୟମାନଙ୍କ ସହ ଯାହା ଘଟିଥିଲା, ସେ ସମ୍ପର୍କରେ ତାଙ୍କୁ ମୁଁ ମନେ ପକାଇ ଦେଇଥିଲି। ମାତ୍ର କୌଣସି ତର୍କ କି ଐତିହାସିକ ପ୍ରମାଣ ତାଙ୍କୁ ଦୋହଲାଇ ପାରିନଥିଲା। ସେ ଆଗକୁ ସେମିତି ଯୁଦ୍ଧର ଜୟଜୟକାର କରିବାକୁ ଲାଗିଲେ।
ବେଆଇନ ତଥା ଅନୈତିକ ଇରାକ ଆକ୍ରମଣର ଯଥାର୍ଥତା ପ୍ରତିପାଦନ ପାଇଁ ଆମେରିକୀୟମାନେ ଏକ ମନଗଢ଼ା କାହାଣୀ ରଚିଲେ ଯେ ଇରାକ ପାଖରେ ଆଣବିକ ଅସ୍ତ୍ର ଅଛି। ପ୍ରକୃତରେ ଏ ହେଉଛି ମହାଶକ୍ତି ଅହଂକାରର ଫଳଶ୍ରୁତି, ଯାହାର ଭୟଙ୍କର ପରିଣତି ଆମେ ଏବେ ବି ଭୋଗୁଛନ୍ତି। ଥୋମାସ୍ ଫ୍ରିଡ୍ମ୍ୟାନ୍ଙ୍କ ପରି ବ୍ୟକ୍ତିବିଶେଷ ହୁଅନ୍ତୁ କି ନ୍ୟୁୟର୍କର ଡେଭିଡ୍ ରେମନିକ୍ ହୁଅନ୍ତୁ ବା ତତ୍କାଳୀନ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍ ହୁଅନ୍ତୁ, ସମସ୍ତେ ହେଉଛନ୍ତି ଇରାକ ଆକ୍ରମଣ ଓ ତା’ ପରବର୍ତ୍ତୀ ମଧ୍ୟ-ପ୍ରାଚ୍ୟ ଗୃହଯୁଦ୍ଧ ଦ୍ବାରା ଛାଇଯାଇଥିବା ଅବ୍ୟକ୍ତ ଯନ୍ତ୍ରଣାର ଜଣେ ଜଣେ ପ୍ରରୋଚକ। ଜନ୍ ଲୁଇସ୍ ଗାଦ୍ଦିସାଣ୍ଡ୍ଙ୍କ ଭଳି ଇତିହାସକାର ମଧ୍ୟ ହେଉଛନ୍ତି ସେଭଳି ଜଣେ ଯିଏ ଜର୍ଜ ଡବ୍ଲ୍ୟୁ ବୁସ୍ଙ୍କୁ ପ୍ରବର୍ତ୍ତାଇଥିଲେ କି ସବୁ କିଛି ତାଙ୍କ ପାଇଁ, ତାଙ୍କ ଦେଶ ପାଇଁ ଏବଂ ପୃଥିବୀ ପାଇଁ ମଙ୍ଗଳକାରୀ ହେବ ବୋଲି।
୧୯୭୫ରେ ଆମେରିକୀୟମାନେ ଭିଏତ୍ନାମ ଛାଡ଼ିଥିଲେ। ତାହାର ୨୮ ବର୍ଷ ପରେ ସେମାନେ ୨୦୦୩ରେ ଇରାକ ଆକ୍ରମଣ କଲେ। ସୋଭିଏତ୍ ସେନା ୧୯୮୯ରେ ଆଫଗାନିସ୍ତାନ ଛାଡ଼ିଥିଲା। ତାହାର ୩୩ ବର୍ଷ ପରେ ଏବେ ରୁଷୀୟ ସେନା ୨୦୨୨ରେ ୟୁକ୍ରେନ୍ ଆକ୍ରମଣ କଲା। ପ୍ରତିଟି କ୍ଷେତ୍ରରେ ସ୍ମୃତିହରଣ ପାଇଁ ଏବଂ ଅତୀତର ଦୁର୍ଗତିର ପରିଣାମ କେତେ ମନ୍ଦ ଥିଲା, ତାହାକୁ ଲୋକେ ଭୁଲିବା ପାଇଁ ଯଥେଷ୍ଟ ସମୟ ମିଳିଛି। ଏବେ ନୂଆ ପିଢ଼ିର ନାଗରିକମାନଙ୍କୁ ସହଜରେ ବୁଝାଯାଇ ପାରିବ କି ନିଜ ଦେଶର ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସତେ ଯେପରି ଅନ୍ୟ ସହ ଯୁଦ୍ଧ କରିବା ଅପରିହାର୍ଯ୍ୟ ଥିଲା।
ପ୍ରତ୍ୟେକ ଘଟଣାରେ ନିଶ୍ଚିତ ଭାବରେ କିଛି ତଫାତ୍ ରହିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଆମେରିକା ଠାରୁ ଉଭୟ ଭିଏତ୍ନାମ ଓ ଇରାକ ବହୁ ଦୂରରେ ଅବସ୍ଥିତ। ଅପରପକ୍ଷେ, ଆଫଗାନିସ୍ତାନ ସୋଭିଏତ୍ ସଂଘକୁ ଲାଗିକରି ରହିଥିଲା ଏବଂ ୟୁକ୍ରେନ୍ ରୁଷିଆକୁ ଲାଗି କରି ରହିଛି। ଇରାକ ଉପରେ ଆକ୍ରମଣ ଏକ ଅହଂକାରୀ ଦମ୍ଭ ଉପରେ ପର୍ଯ୍ୟବସିତ ଥିଲା ଯେ ଆମେରିକା ବିଶ୍ବର ଏକମାତ୍ର ମହାଶକ୍ତି ଯିଏ ନିଜର ଅସ୍ତିତ୍ବକୁ ଚିର ଦିନ ପାଇଁ ଯେଉଁଠି ଚାହିଲେ ସେଇଠି ଜାହିର କରିପାରିବ। ଅପରପକ୍ଷେ, ୟୁକ୍ରେନ୍ ଆକ୍ରମଣ ପଛରେ ଏକ ମାନସିକ ବିକୃତିଗ୍ରସ୍ତ ଭୟ ରହିଛି ଯେ ସାରା ବିଶ୍ବ ରୁଷିଆକୁ ଆଉ ଉଚ୍ଚ ସମ୍ମାନ ଦେବାକୁ ବିଚାରୁନାହିଁ। ତେଣୁ ନିଜକୁ ଏକ ମହାଶକ୍ତି ଭାବେ ପରିଗଣିତ କରିବା ଲାଗି ପୁଟିନ୍ ଏଭଳି ନିର୍ଣ୍ଣାୟକ ପଦକ୍ଷେପ ନେଲେ।
ତେବେ ତଫାତ୍ ଅପେକ୍ଷା ସାମଞ୍ଜସ୍ୟ ବଳିଯାଇଛି। ଚାରିଟି ଯାକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ଯୋଡୁଥିବା ଉପାଦାନଟି ହେଲା, ପ୍ରତ୍ୟେକ ଆକ୍ରମଣ ଅନ୍ୟ ଏକ ସାର୍ବଭୌମ ରାଷ୍ଟ୍ର ଉପରେ ସଂଘଟିତ। ଇରାକ କି ଭିଏତ୍ନାମରେ ଆମେରିକା ରହିବାର କୌଣସି ଅଭିପ୍ରାୟ ନ ଥିଲା। ସେହିପରି ୧୯୭୯ରେ ଆଫଗାନିସ୍ତାନରେ ସୋଭିଏତ୍ ସଂଘ କି ଏବେ ୟୁକ୍ରେନ୍ରେ ରୁଷିଆ ଆକ୍ରମଣର କୌଣସି ମତଲବ ନାହିଁ। ଏହି ସବୁ ପଦକ୍ଷେପଗୁଡ଼ିକ କେବଳ ଜାତୀୟ ପ୍ରଭୁତ୍ବବାଦୀ ଆଦର୍ଶ ଦ୍ବାରା ପରିଚାଳିତ। ଏହି ଆଦର୍ଶ ଅନୁଯାୟୀ ଯେଉଁ ଦେଶ ଯେତେ ବୃହତ୍ତର, ଅଧିକ ଧନଶାଳୀ ଓ ସାମରିକ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ, ତା’ଠାରୁ ଛୋଟ ତଥା କମ୍ ଶକ୍ତିଶାଳୀ ରାଷ୍ଟ୍ରର ସୀମା ଉଲ୍ଲଂଘନ କରିବା ସତେ ଯେପରି ତାହାର ଏକ ଐଶ୍ବରିକ ଅଧିକାର।
ସାମ୍ପ୍ରତିକ ସଂଘର୍ଷର କିଭଳି ଅନ୍ତ ଘଟିବ, ତାହା କହିବା କଠିନ। ତେବେ ୟୁକ୍ରେନ୍ରୁ ଖୁବ୍ ଶୀଘ୍ର ରୁଷୀୟ ସେନା ପ୍ରତ୍ୟାହାର ଶ୍ରେଷ୍ଠ ବିକଳ୍ପ ବୋଲି ବିଚାରବନ୍ତ ଲୋକେ ଆଶା ରଖିଥିବେ। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ତାହା ଅସମ୍ଭବ ମନେ ହୁଏ। ପୁଟିନ୍ ନିଜର ଏପରି ପଦକ୍ଷେପକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଯାଉ ଇରାକ ଉପରେ ଆମେରିକାର ଆକ୍ରମଣ କଥା ଉଲ୍ଲେଖ କରିଛନ୍ତି ଏବଂ ଜର୍ଜ ବୁସ୍ ଓ ତାଙ୍କ ଅହଂକାରୀ ଅନୁଗାମୀମାନେ ଯେଭଳି ସେ ଦେଶରେ ପରିବର୍ତ୍ତନ ଘଟାଇଲେ, ତାହାକୁ ମଧ୍ୟ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି।
ପାଶ୍ଚାତ୍ୟ ସମୀକ୍ଷକମାନେ ଏହାକୁ ଗ୍ରହଣ କରି ନ ପାରନ୍ତି, ମାତ୍ର ବିଦେଶରେ ଆମେରିକାର ସାମରିକ ହସ୍ତକ୍ଷେପ ନିଶ୍ଚିତ ଭାବରେ ରୁଷିଆକୁ ନିଜ ପଡ଼ୋଶୀ ଉପରେ ଏଭଳି ସାମରିକ ହସ୍ତକ୍ଷେପ ପାଇଁ ଖୋରାକ ଯୋଗାଇଛି। ନିକଟରେ ‘ଫିନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ୟୁକ୍ରେନ୍ ଆକ୍ରମଣ ସମ୍ପର୍କିତ ଏକ ଲେଖାରେ ନିରସ ଢଙ୍ଗରେ ଦାବି କରାଯାଇଥିଲା କି ‘ନିଜର ଐତିହାସିକ ଭାଗ୍ୟ ଭିତ୍ତିକ ବିଶ୍ବାସକୁ ସମ୍ବଳ କରି ପୁଟିନ୍ ଅଧିକ ଦୃଢ଼ତା ଓ ନିର୍ଭୀକତାର ସହ କାର୍ଯ୍ୟ କରୁଛନ୍ତି।’ ପ୍ରକୃତରେ ବୁସ୍ ଓ ତାଙ୍କର ୨୦୦୩ ଇରାକ ଆକ୍ରମଣ ସମ୍ପର୍କରେ ସମାନ କଥା କୁହାଯାଇପାରିଥା’ନ୍ତା।
କୌଣସି ରୁଷୀୟ ଐତିହାସିକଙ୍କ କଥା ପୁଟିନ୍ ଶୁଣୁଛନ୍ତି ନା ନାଇଁ, ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଆଫଗାନିସ୍ତାନରେ ସାମରିକ ପରାଜୟ ପରେ ଛାଇଯାଇଥିବା ନୈତିକ ଅଧୋଗତି ଦ୍ବାରା ସୋଭିଏତ୍ ସାମ୍ରାଜ୍ୟ କିପରି ନିଜର ଶକ୍ତି ହରାଇ ବସିଲା ଏବଂ କିଛି ଉଲ୍ଲେଖନୀୟ ଅଞ୍ଚଳରେ ପ୍ରଭାବର ହ୍ରାସ ହେଲା, ସେ ସମ୍ପର୍କରେ କେହି ଜଣେ ପୁଟିନ୍ଙ୍କୁ କୌଣସିମତେ ମନେ ପକାଇଦେବା ଦରକାର। କିମ୍ବା ଇରାକ ଉପରେ ଆମେରିକାର ଆକ୍ରମଣ କିପରି ବିଶ୍ବ ଦରବାରରେ ଆମେରିକାର ସ୍ଥିତିକୁ ଅତ୍ୟନ୍ତ କଷ୍ଟଦାୟକ ଭାବେ ଦୁର୍ବଳ କରିଦେଇଛି, ସେ ସମ୍ପର୍କରେ ବି ଚେତାଇଦେବା ଦରକାର। ଅନ୍ୟ ପଦକ୍ଷେପଗୁଡ଼ିକ ପରି ଚଳିତ ପଦକ୍ଷେପ ମଧ୍ୟ ଅନୈତିକ ଏବଂ ରଣନୀତିକ ଭାବେ ନିର୍ବୋଧ। ଏହାର ପ୍ରାରମ୍ଭିକ ସାମରିକ ବିଜୟରେ ଆକ୍ରମିତ ଦେଶକୁ ସମସ୍ତ ମୂଲ୍ୟ ଦେବାକୁ ପଡ଼ିବ ବୋଲି ପୁଟିନ୍ ଭାବୁଥିବେ, ମାତ୍ର ସଂଘର୍ଷ ଯେତେ ଅଧିକ ଦିନ ଧରି ଚାଲିବ, ରୁଷିଆ ଓ ରୁଷୀୟମାନଙ୍କ ଉପରେ ତାହାର ବୋଝ ବଢ଼ି ବଢ଼ି ଚାଲିବ।
ଭିଏତ୍ନାମ, ଆଫଗାନିସ୍ତାନ, ଇରାକ ଓ ଏବେ ୟୁକ୍ରେନ୍। ସମୟଚକ୍ରରେ ଏହି ଚାରିଟି ଯାକ ଅତିକ୍ରମଣ ଏଭଳି ଦୂରତାରେ ରହିଛନ୍ତି ଯେ ସେଗୁଡ଼ିକୁ ପୃଥକ ଭାବେ ଦେଖାଯାଉଛି। କିନ୍ତୁ ହୁଏ’ତ ଭବିଷ୍ୟତ୍ର ଐତିହାସିକମାନେ ସେଗୁଡ଼ିକୁ ସଂଯୋଗ କରି ଏକ ରେଖା ଟାଣିଦେଇପାରିବେ। ଆମେରିକା ଓ ରୁଷିଆର ‘ମହାଶକ୍ତି’ ଭ୍ରମ ପାଇଁ ସାମଗ୍ରିକ ଭାବେ ସାରା ବିଶ୍ବ ଏବଂ ବିଶେଷ କରି ସେହି ଚାରିଟି ରାଷ୍ଟ୍ରକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି।