ବାପା

ମିତ୍ରଭାନୁ ମହାନ୍ତି

ବାପା! ପିଲାମାନଙ୍କ ପାଇଁ ଆଶା ଭରସାର ଏକ ମାଇଲ୍‌ଖୁଣ୍ଟ। ଘର ଓ ପରିବାରର ମେରୁଦଣ୍ଡ। ଯାହାର ଛତ୍ରଛାୟା ତଳେ ପିଲାମାନେ ବଡ଼ ହୋଇଗଲେ ଦୁନିଆକୁ ଚିହ୍ନନ୍ତି। ପାଞ୍ଚଜଣରେ ଜଣେ ହୋଇ ନିଜର ପରିଚୟ ସୃଷ୍ଟି କରିପାରନ୍ତି। ତେଣୁ ପରା କୁହାଯାଏ ‘ବାପା ଥିଲା ପୁଅ ସଭାରେ ହାରେ ନାହିଁ’।

ବାପା ଏପରି ଏକ ବିଶାଳ ତଥା ବିସ୍ମୟକର ଅସ୍ତିତ୍ୱ ଯିଏ କର୍ମରେ ମହନୀୟ ହୋଇ ମଧ୍ୟ ଅନେକ ସମୟରେ ଆକ୍ରୋଶର ଶିକାର ହୁଅନ୍ତି। ସବୁ ‘ଦୋଷ’ର ବୋଝ ମୁଣ୍ଡାଇଥିବା ବାପା ସମସ୍ତଙ୍କ ଅଲକ୍ଷ୍ୟରେ ନିଜର ସନ୍ତାନ ପାଇଁ ଉଚ୍ଚ ଚିନ୍ତା କରୁଥାଆନ୍ତି, ସର୍ବଦା ନିଜ ସନ୍ତାନର ମଙ୍ଗଳ ମନାସୁଥାଆନ୍ତି। ପୁଅ ବା ଝିଅ ଜୀବନରେ ସଫଳ ହେଲେ ବାପା ନିଜେ ସଫଳତା ପାଇବା ଭଳି ଆନନ୍ଦ ଅନୁଭବ କରନ୍ତି। ଓଡ଼ିଶାର ଜଣେ ଆଗଧାଡ଼ିର ପ୍ରତିଷ୍ଠିତ ବ୍ୟକ୍ତି ମୋତେ ତିନି ମାସ ତଳେ ଫୋନ୍‌ରେ କହିଥିଲେ- ‘ପିଲାଦିନେ ମୋ ବାପା ମୋତେ ଡାକ୍ତର ବୋଲି ସମ୍ବୋଧନ କରୁଥିଲେ। ମୁଁ ଯେତେବେଳେ ରେଭେନ୍‌ସାରେ କେମିଷ୍ଟ୍ରି ପଢ଼ିଲି, ତା’ ପର ଠାରୁ ବାପା ମୋତେ ଆଉ ଡାକ୍ତର ବୋଲି ସମ୍ବୋଧନ କଲେ ନାହିଁ। ଆଉ ମୋ ବଡ଼ପୁଅ ଯେଉଁଦିନ ଡାକ୍ତରୀ ପାସ୍‌ କଲା, ସେଦିନ ମୋ ଆଖିରୁ ଧାର ଧାର ହୋଇ ଆନନ୍ଦାଶ୍ରୁ ବହି ଆସିଲା। ସେଦିନ ମୋତେ ଲାଗିଲା କି ସତେ ଯେପରି ମୋ ପୁଅ ନୁହେଁ ବରଂ ମୁଁ ଡାକ୍ତରୀ ପାସ୍ କରିଛି। ମୋର ସ୍ୱର୍ଗତ ପିତାଙ୍କ ସ୍ୱପ୍ନକୁ ମୁଁ ମୋ ପୁଅ ମାଧ୍ୟମରେ ବୋଧହୁଏ ସଫଳ କରିପାରିଛି। ବେଳେବେଳେ ଗୋଟିଏ ପିଢ଼ି ଦେଖିଥିବା ସ୍ୱପ୍ନ ପରବର୍ତ୍ତୀ ପିଢ଼ି ପୂରଣ କରିଥାଏ। ସେତେବେଳେ ସବୁଠାରୁ ବେଶି ଆନନ୍ଦ ଅନୁଭୂତ ହୋଇଥାଏ’। ଭାରତୀୟ ସଂସ୍କୃତିରେ ବାପା ହେଉଛନ୍ତି ଅଦମ୍ୟ ଇଚ୍ଛାଶକ୍ତିର ବାହକ। ପ୍ରାୟତଃ ଦେଖାଯାଏ ବାପାମାନେ ନିଜ ଜୀବନର ଅଧୁରା ସ୍ୱପ୍ନକୁ ନିଜ ସନ୍ତାନ ମାଧ୍ୟମରେ ପୂରଣ କରି ଢେର୍ ଖୁସି ଅନୁଭବ କରନ୍ତି। ଉପରୋକ୍ତ ଉଦାହରଣ ତା’ର ଚାକ୍ଷୁଷ ପ୍ରମାଣ। ଆକାଶ ଠାରୁ ଉଚ୍ଚ, ସାଗର ଠାରୁ ଗଭୀର ହୃଦୟର ଅଧିକାରୀ ହେଉଛନ୍ତି ବାପା। ବାପା ହେଉଛନ୍ତି ସଂସାର ହାଟରେ ଜୀବନ ସଉଦା କରିବାକୁ ବାହାରିଥିବା ପ୍ରତିଟି ସପନବଣିକର ଅଦମ୍ୟ ସାହସ, ଅସରନ୍ତି ପୁଞ୍ଜି।

ଫକୀର ମୋହନ ସେନାପତିଙ୍କ କ୍ଷୁଦ୍ରଗଳ୍ପ ‘ଡାକ ମୁନସୀ’ ମାଧ୍ୟମରେ ବାପା ହରି ସିଂହ ପୁଅ ଗୋପାଳକୁ ମଣିଷ କରିବା ପାଇଁ କେତେ ଯେ ପରିଶ୍ରମ କରିଛନ୍ତି ଓ କେତେ ଯେ ବଳିଦାନ ଦେଇଛନ୍ତି, ତାହା ଏହି ଗଳ୍ପର ପାଠକମାନଙ୍କୁ ଅଛପା ନୁହେଁ। ଇତିହାସ ସାକ୍ଷୀ ଅଛି ସେଦିନ ବାରବର୍ଷର ବାଳକ ଧର୍ମପଦ ଚନ୍ଦ୍ରଭାଗା ନଦୀ ମୁହାଣରେ ନିର୍ମାଣାଧୀନ ବିଶ୍ୱ ବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିରର ଦଧିନଉତି ବସାଇ ଏକ ବିଶ୍ୱସ୍ତରୀୟ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବା ପରେ ବାପା ଭୂମିକାରେ ଅବତୀର୍ଣ୍ଣ ବିଶୁ ମହାରଣା ହିଁ ସବୁଠୁ ବେଶି ଖୁସି ହୋଇଥିଲେ।

ଆଜି ଯେଉଁମାନେ ବଡ଼ ବଡ଼ ପଦ ପଦବିରେ ରହି ସୁନାମ ଅର୍ଜନ କରିଛନ୍ତି, ତା’ର ପ୍ରଚ୍ଛଦପଟରେ ସେମାନଙ୍କ ବାପାମାନଙ୍କର ନିରବଚ୍ଛିନ୍ନ ଭୂମିକା ତଥା ଅବଦାନ ରହିଛି। ବାସ୍ତବରେ ବାପାମାନେ ହେଉଛନ୍ତି ‘ଚଳନ୍ତି ଦେବତା’। ସେଥିପାଇଁ ଭକ୍ତକବି ମଧୁସୂଦନ ରାଓ ଛବିଳ ମଧୁ ବର୍ଣ୍ଣବୋଧରେ ଲେଖିଛନ୍ତି: ‘ପିତାମାତା ଠାରୁ ବଡ଼ ଦେବତା କେ ସରଗ ରାଇଜେ ନାହିଁ, ତାଙ୍କରି ଆଶିଷ ସାହା ଏକା ସିନା ବିପଦୁଁ ତରିବା ପାଇଁ’। ଆଚାର୍ଯ୍ୟ ଚାଣକ୍ୟଙ୍କ ପିତା ଚଣକ ପିଲାଦିନେ ତାଙ୍କୁ ଥରେ କହିଥିଲେ, ‘ପୁତ୍ର, ଜୀବନରେ ସୂର୍ଯ୍ୟ ନ ହୋଇପାରିଲେ ନାହିଁ, ଦୀପଟିଏ ନିଶ୍ଚୟ ହେବୁ’। ପିତାଙ୍କ ଠାରୁ ଆଶୀର୍ବାଦ ପାଇ ପରବର୍ତ୍ତୀ ସମୟରେ ଚାଣକ୍ୟ ନିଜର ଅଗାଧ ପାଣ୍ଡିତ୍ୟ ଏବଂ ଚତୁରତା ବଳରେ ପ୍ରାଚୀନ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିପାରିଥିଲେ।

ମୋର ଜୀବନରେ ‘ପରିବାରବୋଧ’ ନାମକ ଜିନିଷଟିକୁ ମୁଁ ମୋ ବାପାଙ୍କ ଠାରୁ କେବଳ ଶିଖିଛି। ଆଉ ମଧ୍ୟ ସେ କହୁଥିଲେ, ଜଣେ ମଣିଷର ଅସଲ ଡୋର ହେଉଛି ପରିବାରବୋଧ। ଯେଉଁ ଘରେ ମୋତେ ମୋର ପିଲାଟିଦିନୁ ଏପରି ଏକ ପରିବାରବୋଧରେ ସବୁବେଳେ ନିର୍ଭର ହେବାକୁ ଶକ୍ତି ଯୋଗାଇଥିଲା, ସେହି ଘରଟି ପାଖରେ ମୁଁ ନିଶ୍ଚିତ ଭାବରେ ସବୁବେଳେ କୃତଜ୍ଞ। ସେହି ଘର ମୋତେ ସ୍ନେହ ଦେଇଛି, ମୋର ସବୁପ୍ରକାର ଯତ୍ନ ନେଇଛି, ମୋତେ ଆଶିଷ ଦେଇଛି ଓ ସଦିଚ୍ଛା ଦେଇଛି। ମୋତେ ତା’ ପାଖରେ ଟାଣି ରଖିନାହିଁ କି ତା’ର ସେହି ଗୋଟିଏ ପରିଧି ଭିତରେ ମୋତେ ଆବଦ୍ଧ କରି ରଖିବାକୁ କେବେହେଲେ ଚେଷ୍ଟା କରିନାହିଁ। ସେହି ଘରଟିକୁ ଛାଡ଼ି ମୁଁ ଦୀର୍ଘ ୨୧ ବର୍ଷରୁ ଊର୍ଦ୍ଧ୍ୱ ଆମେରିକାରେ ସ୍ଥାୟୀ ବାସିନ୍ଦା ଭାବେ ବସବାସ କରୁଛି। ପରିବାରର ସଦସ୍ୟମାନଙ୍କ ପ୍ରତି ମୋର ମାୟା କେବେହେଲେ ଛାଡ଼ି ଯାଇନାହିଁ। ମୋ ବାପାଙ୍କ ଠାରୁ ପାଇଥିବା ତାଲିମ ମୋତେ ଏ ଦିଗରେ ଅନେକ ସାହାଯ୍ୟ କରିଛି। ଆଜି ଏଇକଥା ଲେଖିଲାବେଳେ ମୋ ଆଖି ଓଦା ହୋଇ ଯାଉଛି। ଜୀବନରେ ମୁଁ ଯେଉଁମାନଙ୍କର ସବୁଠାରୁ ବେଶୀ ସ୍ନେହଶ୍ରଦ୍ଧା ପାଇଥିଲି, ସେଇ ବାପାବୋଉ ସମେତ ଅତି ଆପଣାର ଅନେକ ପ୍ରିୟଜନଙ୍କ କଥା ବର୍ତ୍ତମାନ ମୋତେ ଆମେରିକାରେ ବ୍ୟାକୁଳ କରୁଛି।

ଏଇ ବୟସରେ ମଧ୍ୟ ମୁଁ ମୋ ବାପାଙ୍କ ପୁଅ ହିସାବରେ ତାଙ୍କ ମାଧ୍ୟମରେ ଓଡ଼ିଶାର ସମାଜରେ ଆଜି ସମ୍ମାନ ପାଉଛି। ମୁଁ କେମିତି କହିପାରିବି ଯେ ସେ ମୋତେ ଛାଡ଼ିଦେଇ ଚାଲିଗଲେ ବୋଲି? ବାପାଙ୍କ ଯିବାର ପ୍ରାୟ ମାସେ ହେଲାଣି। ମୁଁ ନିଜକୁ କେବେହେଲେ ପିତୃହରା ବୋଲି ଭାବୁନାହିଁ। ମୋର ପିଠିରେ ବାପାଙ୍କର ହାତ ସ୍ପର୍ଶ ଏବେ ମଧ୍ୟ ଅନୁଭବ କରୁଛି।

ସ୍ଥାୟୀ ବାସିନ୍ଦା ଭାବେ ଆମେରିକାରେ ରହିବାକୁ ସ୍ଥିର କରି ବ୍ୟକ୍ତିଗତ ଭାବରେ ଏହା ମୋ ପାଇଁ ଏକ ‘କଠୋର ଦଣ୍ଡ’ ବୋଲି ମୁଁ ଆଜି ମନେ କରୁଛି। ମୋ ବାପାବୋଉଙ୍କର ଏକମାତ୍ର ପୁଅ ଭାବରେ ମୁଁ ସେମାନଙ୍କର ନୟନ ପିତୁଳା ଥିଲି। ମୋ ଜୀବନର ପ୍ରତ୍ୟେକ ଅଗ୍ରଗାମୀ ପଦକ୍ଷେପରେ, ସବୁବେଳେ ସେମାନଙ୍କ ଇଚ୍ଛା, ଆନନ୍ଦ ଆଉ ଆତ୍ମାଭିମାନ ମୋ ନିଜ ଅପେକ୍ଷା ଅଧିକ ଗୁରୁତ୍ୱ ପାଉଥିଲା। ସୌଭାଗ୍ୟବଶତଃ ମୋର ବାପାଙ୍କ ବିଦାୟ ବେଳାରେ ତାଙ୍କର ଶେଷଶଯ୍ୟା ନିକଟରେ ମୁଁ ଉପସ୍ଥିତ ରହିପାରିଛି।

ଭବିଷ୍ୟତ୍‌ରେ ମୋ ପିଲାମାନଙ୍କ ପାଇଁ ଓଡ଼ିଶା ଖାଲି ଗୋଟାଏ ନାଆଁ- କେଉଁ ଏକ ସୁଦୂରର ମୁଲକ; ଯେଉଁଠିକୁ ସେମାନେ କେବେ କେବେ ହୁଏ’ତ ଠିକ୍ ମୋ ଭଳି କୌଣସି ଛୋଟ ଛୁଟିରେ ଆସି ବୁଲିଯାଇ ପାରନ୍ତି। ମୋର ପିଲାମାନେ ଆମ ପରିବାରର ନୂଆ ପିଢ଼ିର ଝିଆରୀ, ପୁତୁରା ବା ଅନ୍ୟ ସମ୍ପର୍କୀୟ ଭାଇଭଉଣୀମାନଙ୍କ ସହିତ ଆବେଗିକ ଭାବରେ ଜଡ଼ିତ ନୁହନ୍ତି। ମୋର ବୋଉ ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବଙ୍କ ମୃତ୍ୟୁ ପରେ ମୋର ସମ୍ପର୍କ ମଧ୍ୟ ମୋର ଜନ୍ମଭୂମିରୁ ତୁଟିଯିବ।

(ଲେଖକ ଯଶ୍ୱସୀ କବି ଓ ମନସ୍ତତ୍ତ୍ବବିଜ୍ଞାନ ଅଧ୍ୟାପକ ପ୍ରମୋଦ କୁମାର ମହାନ୍ତିଙ୍କର ପୁତ୍ର)

[email protected]

ସମ୍ବନ୍ଧିତ ଖବର