‘ଶାନ୍ତି’ ସମୟର ବିନାଶ

ଝରକା

ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ୟୁକ୍ରେନ୍ ଏହାର ଅସ୍ତିତ୍ବ ପାଇଁ ସଂଘର୍ଷ ଚଳାଇରଖିଛି। ଏହାକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୌଣସି ୟୁରୋପୀୟ ରାଷ୍ଟ୍ର ଉପରେ ହୋଇଥିବା ସର୍ବବୃହତ୍ ସାମରିକ ଆକ୍ରମଣ ରୂପେ ଚିତ୍ରଣ କରାଯାଉଛି।

୧୯୪୫ରେ ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ପରବର୍ତ୍ତୀ ସମୟ ବିଶ୍ବ ପାଇଁ ଶାନ୍ତିପୂର୍ଣ୍ଣ ହୋଇଆସିଛି ବୋଲି ଏକ ଧାରଣାକୁ ଅନେକ ଗ୍ରହଣ କରି ନିଅନ୍ତି। କିନ୍ତୁ ବିଗତ ସାତ ଦଶନ୍ଧିରେ ବିଶ୍ବର ଅ‌େନକ ସ୍ଥାନ ଯୁଦ୍ଧର ଘନଘଟା ଦେଖିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ସରିବାର ପାଞ୍ଚ ବର୍ଷ ପରେ ଆରମ୍ଭ ହୋଇଥିଲା କୋରିଆ ଯୁଦ୍ଧ। ୧୯୫୦ରେ ସୋଭିଏତ୍‌ ସଂଘ ସମର୍ଥିତ ଉତ୍ତର କୋରିଆ ଯୁକ୍ତରାଷ୍ଟ୍ର ଆମେରିକ ସମର୍ଥିତ ଦକ୍ଷିଣ କୋରିଆକୁ ନିଜ ସହ ମିଶାଇବାର ଅଭିସନ୍ଧି ରଖି ଆକ୍ରମଣ କରିଥିଲା। ଏଥିରେ ପ୍ରାୟ ୨୫ ଲକ୍ଷ ଲୋକଙ୍କ ଜୀବନ ଯିବା ପରେ ଯୁଦ୍ଧ ସରିଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଏ ଯାଏଁ ରହିଛି। ଏହା ପରେ ୧୯୫୫ରେ ଭିଏତନାମରେ ହୋଇଥିବା ଅନୁରୂପ ଯୁଦ୍ଧ ପ୍ରାୟ ଦୁଇ ଦଶନ୍ଧି କାଳ ଚାଲିଥିଲା। ଏଥିରେ ସାମ୍ୟବାଦୀ ଉତ୍ତର ଭିଏତ୍‌ନାମ, ଦକ୍ଷିଣ ଭିଏତ୍‌ନାମ ଜୟ କରିବା ବେଳକୁ ଉଭୟ ପକ୍ଷର ୨୦ ଲକ୍ଷରୁ ଅଧିକ ନାଗରିକ ମୃତ୍ୟୁବରଣ କରିଥିଲେ।

ଯୁଦ୍ଧରେ କୌଣସିମତେ ଜୀବନ ବଞ୍ଚାଇଥିବା ୨୦ ଲକ୍ଷ ନାଗରିକଙ୍କୁ ସ୍ବଦେଶ ତ୍ୟାଗ କରି ଶରଣାର୍ଥୀ ହେବାକୁ ପଡ଼ିଥିଲା। ସେହିପରି ଗଲା ଶତାବ୍ଦୀର ସପ୍ତମ ଦଶକରେ ହୋଇଥିବା ବାଂଲାଦେଶ ଯୁଦ୍ଧରେ ପ୍ରାୟ ଏକ କୋଟି ଶରଣାର୍ଥୀ ନିଜ ଭିଟାମାଟି ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ୧୯୭୮ରୁ ଆଫଗାନିସ୍ତାନ ମାଟି ଏକାଧିକ ଯୁଦ୍ଧ, ଗୃହଯୁଦ୍ଧ ଓ ଆକ୍ରମଣ ଦେଖିଛି। ଏକ ହିସାବ ଅନୁସାରେ ୨୦୧୪ ମସିହା ସୁଦ୍ଧା ଏଠାରେ ୧୪-୨୦ ଲକ୍ଷ ଲୋକଙ୍କ ଜୀବନ ଦୀପ ଲିଭିଯାଇଛି। ସେମିତି ୨୦୦୩ରେ ଆମେରିକା ନେତୃତ୍ବାଧୀନ ରାଷ୍ଟ୍ରସମୁହ ସଦ୍ଦାମ ହୁସେନଙ୍କ ଇରାକ ଉପରେ ଆକ୍ରମଣ କରିଥିଲା। ୨୦୧୧ରେ ଆମେରିକା ସେଠାରୁ ସେନା ପ୍ରତ୍ୟାହାର କରିବା ବେଳକୁ ଇରାକର ଲକ୍ଷାଧିକ ଲୋକଙ୍କ ଜୀବନହାନି ହୋଇସାରିଥିଲା।

କେବଳ ସେତିକି ନୁହେଁ ଏହି ସମୟ ଖଣ୍ଡରେ ଭାରତ ସହିତ ଚୀନ ଓ ପାକିସ୍ତାନର ଯୁଦ୍ଧ ଯଥାକ୍ରମେ ୧୯୬୨ ଓ ୧୯୬୫ ମସିହାରେ ହୋଇଛି। ସେହିପରି ୨୦୧୧ ମସିହା ପର ଠାରୁ ଲିବ୍ୟା ଓ ସିରିଆ ଭଳି ଦେଶରେ ବିଦ୍ରୋହ ଓ ଗୃହଯୁଦ୍ଧ ସଂଘଟିତ ହୋଇ ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଓ ବିସ୍ଥାପନର କାରଣ ହୋଇଛି। ସୁତରାଂ, ଦ୍ବିତୀୟ ବିଶ୍ବ ଯୁଦ୍ଧ ପରବର୍ତ୍ତୀ କାଳ ଯେ ଏକ ଶାନ୍ତର ସମୟ ଥିଲା, ଏ ଧାରଣା ବେଶ୍‌ ଦୁର୍ବଳ ଭଳି ମନେ ହୋଇଥାଏ।

ସମ୍ବନ୍ଧିତ ଖବର