ଅନୁଦାନ ନୁହେଁ, ନିଯୁକ୍ତି ଲୋଡ଼ା

ଅରୁଣ ସିହ୍ନା

କିଛି ବର୍ଷ ହେଲା ବିଜେପି ନିଜକୁ ବିଜ୍ଞପିତ କରିବା ଲାଗି ଦୃଢ଼ ଯୁକ୍ତି କରି ଚାଲିଛି ଯେ ଦେଶର ଗରିବ ଶ୍ରେଣୀଙ୍କୁ ପୂର୍ବରୁ ଅନ୍ୟ ସରକାର ଯାହା ବି ଦେଇଛନ୍ତି, ତାହାର ଅନେକ ଗୁଣା ଅଧିକ ମୋଦୀ ସରକାର ଦେଇଛନ୍ତି। ମାଗଣା ରାସନ୍‌, ଗ୍ୟାସ୍‌ ସଂଯୋଗ, ପକ୍କା ଘର, ପାନୀୟ ଜଳ, ବିଦ୍ୟୁତ୍‌, ଶୌଚାଳୟ ଓ ସ୍ବାସ୍ଥ୍ୟ ବୀମା ଇତ୍ୟାଦି ଇତ୍ୟାଦି ଭଳି ଅନେକ କିଛି- ଏଭଳି ଲମ୍ବା ତାଲିକା ଯେ ଯଦ୍ଦ୍ବାରା ଗରିବମାନେ ଅଧୁନା ସ୍ବର୍ଗପୁରରେ ରହୁଥିବେ ବୋଲି ଜଣେ ବିଶ୍ବାସ କରିବାକୁ ବାଧ୍ୟ ହେବ।

ସେ ସବୁର କାର୍ଯ୍ୟାନ୍ବୟନ କଥା ଗୋଟିଏ ପଟେ ଛା଼ଡ଼ିଦିଆଯାଉ। ମୋଦୀ ସରକାର ଅମଳରେ ଗଣମାଧ୍ୟମ ଓ ନାଗରିକ ସମାଜ ଭୀଷଣ ଭାବରେ ନିୟନ୍ତ୍ରଣ ଓ ଚାପର ବଶବର୍ତ୍ତୀ ଏବଂ ପ୍ରତିକୂଳ ସରକାରୀ ପରିସଂଖ୍ୟାନଗୁଡ଼ିକ ସାର୍ବଜନୀନ ହୋଇପାରୁନାହିଁ। ସେ ସବୁ କଲ୍ୟାଣମୂଳକ ଯୋଜନାଗୁଡ଼ିକ ପ୍ରକୃତରେ ଗରିବଙ୍କ ପାଖରେ କେତେ ପହଞ୍ଚିପାରିଛି ଏବଂ କେଉଁ ରୂପରେ ପହଞ୍ଚିଛି, ତାହାର ବାସ୍ତବ ରୂପରେଖ ଆମକୁ ଜଣାନାହିଁ। କିନ୍ତୁ ସେସବୁ ସାକାର ହୋଇଛି ବୋଲି ଆମକୁ ଧରିନେବାକୁ ହେବ।

ତେବେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏହି ସବୁ ପଦକ୍ଷେପଗୁଡ଼ିକ କ’ଣ ଯଥେଷ୍ଟ? ଗ୍ୟାସ୍‌ ସଂଯୋଗ ଓ ଗୋଟିଏ ମାଗଣା ଏଲ୍‌ପିଜି ସିଲିଣ୍ଡର ପାଇଥିବା ପରିବାରକୁ ମାସକୁ ଅତି କମ୍‌ରେ ଗୋଟିଏ ସିଲିଣ୍ଡର ଗ୍ୟାସ୍‌ କିଣିବା ଲାଗି ଅର୍ଥର ଆବଶ୍ୟକତା ରହିଛି। ସେହିପରି ମାଗଣା ବା ରିହାତି ଦରରେ କେବଳ ରାସନ୍‌ ପାଇଥିବା ପରିବାରକୁ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ନଗଦ ଟଙ୍କା ଲୋଡ଼ା। ଯୋଉ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ମିଳିଛି, ତାହାକୁ ଅନ୍ୟାନ୍ୟ ରୋଷେଇ ଉପକରଣ ଓ ଫ୍ରିଜ୍‌ ଆଦି କିଣିବା ଲାଗି ଅର୍ଥ ଦରକାର। ଗୁରୁତର ରୋଗ ପାଇଁ ‘ଆୟୁଷ୍ମାନ୍‌ ଭାରତ’ ଯୋଜନାରେ ଯିଏ ସାମିଲ ହୋଇଛି, ତା’ ଲାଗି ଯୋଜନାରେ ସାମିଲ ନ ଥିବା ଛୋଟମୋଟ ଅସୁସ୍ଥତାରୁ ଆରୋଗ୍ୟ ଲାଭ ପାଇଁ ଔଷଧ ଖର୍ଚ୍ଚ ଓ ଡାକ୍ତରୀ ପାଉଣା ତୁଲାଇବାକୁ ଟଙ୍କା ଜରୁରୀ।

ଏ ସବୁ କରିବା ପାଇଁ ପରିବାରଟିଏ କୋଉଠୁ ଅର୍ଥ ପାଇବ? ତା’ ବାଦ୍‌ ପୁଣି ବିବାହ ଉତ୍ସବ, ପର୍ବପର୍ବାଣି ଓ ଯାତାୟାତ ଖର୍ଚ୍ଚ ଆଦି ରହିଛି। ତାହା ତ ଆଉ ସରକାରଙ୍କଠୁ ମିଳୁନାହିଁ। ସରକାର ନିର୍ଦ୍ଦିଷ୍ଟ କଲ୍ୟାଣକାରୀ ଯୋଜନାଗୁଡ଼ିକ ବ୍ୟତୀତ ଅନ୍ୟ କୌଣସି ବାଟରେ ଗୋଟିଏ ସାଧାରଣ ପରିବାରକୁ ସାହାଯ୍ୟ କରୁନାହାନ୍ତି। ପରିବାରଟି ପାଇଁ ସେସବୁ ଅର୍ଥ ଯୋଗାଡ଼ କରିବାକୁ ପଡୁଛି। ତେବେ ପରିବାରର କର୍ମଶୀଳ ସଦସ୍ୟମାନଙ୍କୁ ସ୍ଥାୟୀ ତଥା ସୁରକ୍ଷିତ ଭାବେ ପ୍ରଭୂତ କାମ ମିଳିଲେ ହିଁ ଦିନକୁ ଦିନ କ୍ରମବର୍ଦ୍ଧିଷ୍ଣୁ ହୋଇ ଚାଲିଥିବା ଆବଶ୍ୟକତାଗୁଡ଼ିକ ପୂରଣ ହୋଇପାରନ୍ତା! ସେହିପରି ଦରବୃଦ୍ଧିର ମୁକାବିଲା ପାଇଁ ମଧ୍ୟ ପରିବାରଟିଏ ଅଧିକରୁ ଅଧିକ ରୋଜଗାର କରିପାରନ୍ତା।

କର୍ମନିଯୁକ୍ତି କ’ଣ ମିଳୁଛି? ଏହାର ଉତ୍ତର ହେଉଛି ଅତି କମ୍‌। ଉତ୍ତରପ୍ରଦେଶକୁ ଉଦାହରଣ ରୂପେ ନିଆଯାଉ। ଭାରତୀୟ ଅର୍ଥନୀତି ତଦାରଖ କେନ୍ଦ୍ରର ତଥ୍ୟାନୁଯାୟୀ, ୨୦୨୧ ସେପ୍ଟେମ୍ବରରୁ ଡିସେମ୍ବର ଭିତରେ ରାଜ୍ୟର ୧୫ରୁ ୨୯ ବର୍ଷ ବୟସର ମୋଟ ୭୦.୯୯ ନିୟୁତ ଯୁବକଙ୍କ ମଧ୍ୟରୁ ମାତ୍ର ୧୨.୧୭ ନିୟୁତ (ବା ପ୍ରାୟ ୧୭ ପ୍ରତିଶତ)ଙ୍କୁ ନିଯୁକ୍ତି ମିଳିଛି। ସେହି ସମୟ ଭିତରେ ସମାନ ବୟସ ବର୍ଗର ମୋଟ ୮୦.୪୭ ନିୟୁତ ଯୁବତୀଙ୍କ ମଧ୍ୟରୁ ମାତ୍ର ୧.୫୧ ନିୟୁତ (ବା ୧.୮୮ ପ୍ରତିଶତ) ନିଯୁକ୍ତି ପାଇଛନ୍ତି। ଏଥିରୁ ପରିବାରଗୁଡ଼ିକରେ ହାରାହାରି ନିର୍ଭରଶୀଳଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଏବଂ ରୋଜଗାରିଆଙ୍କ ସଂଖ୍ୟା ଢେର୍‌ କମ୍‌ ଥିବା କଥା ସହଜରେ ଧାରଣା କରିହୁଏ। ଏହା ବ୍ୟତୀତ ସମସ୍ତ ନିଯୁକ୍ତି ନିରାପଦ କି ସ୍ଥାୟୀ ନୁହେଁ। କିଛି କିଛି ଠିକା ଓ ସମୟଭିତ୍ତିକ, ଅର୍ଥାତ୍‌ କିଛି ମାସ ପରେ ପୂଣି ରୋଜଗାରଶୂନ୍ୟତା।

ସ୍ଥାୟୀ କର୍ମସଂସ୍ଥାନ ସୃଷ୍ଟି କରିବା ବଦଳରେ ସରକାର ଗରିବମାନଙ୍କୁ କଲ୍ୟାଣମୂଳକ ଅନୁଦାନ ଦେଇ ଚାଲିଛନ୍ତି। ସେସବୁ ଦାରିଦ୍ର୍ୟ ସମସ୍ୟାର ରାଜନୈତିକ ସମାଧାନ ହୋଇପାରେ, ମାତ୍ର ଅର୍ଥନୈତିକ ସମାଧାନ ଆଦୌ ନୁହେଁ। ତାହା ରାଜନୈତିକ ଦଳକୁ ନିର୍ବାଚନ ଜିତିବାରେ ସାହାଯ୍ୟ କରିଥାଇପାରେ, କିନ୍ତୁ ଗରିବମାନଙ୍କୁ ଦାରିଦ୍ର୍ୟର କାଦୁଅରୁ ବାହାର କରିବାରେ ସଂପୂର୍ଣ୍ଣ ବିଫଳ ହେବ। ତେଣୁ, ସେମାନେ ଯେମିତି ଥିଲେ, ସେମିତି ରହିଛନ୍ତି। ସେମାନଙ୍କ ପିଲାମାନେ ସେମାନଙ୍କ ଠାରୁ ଦାରିଦ୍ର୍ୟ ଆହରଣ କରି ଚାଲିଛନ୍ତି। ଉତ୍ତମ ରୋଜଗାର ସମ୍ବଳିତ ସୁରକ୍ଷିତ ନିଯୁକ୍ତି ହେଉଛି ଦାରିଦ୍ର୍ୟ ପାଇଁ ଅର୍ଥନୈତିକ ସମାଧାନ, ଯାହା ମୋଦୀ ସରକାର ଦେଇପାରୁନାହାନ୍ତି କି ୟୁପିଏ ସରକାର ମଧ୍ୟ କରି ନାହାନ୍ତି।

ମୁଖ୍ୟତଃ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟରେ ବେଶୀ ଗରିବ ରହିଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ବେଳେବେଳେ ଯୁବବର୍ଗଙ୍କୁ ସରକାରୀ ନିଯୁକ୍ତି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥା’ନ୍ତି। ମାତ୍ର ବାସ୍ତବରେ ସରକାରୀ ଚାକିରି ଖୁବ୍‌ କମ୍‌ ରହିଛି। ସରକାର ଏବେ ବିଶେଷ କରି ଠିକା ନିଯୁକ୍ତି ବା ଆଉଟ୍‌ସୋର୍ସିଂ (ବାହାର ସଂସ୍ଥା ଜରିଆରେ) ଭିତ୍ତିରେ ଲୋକଙ୍କୁ କର୍ମସଂସ୍ଥାନ ଦେଉଛନ୍ତି। ପୁଂଜି ପ୍ରତ୍ୟାହାର ଯୋଗୁଁ ମଧ୍ୟ ସରକାରୀ ପରିଚାଳିତ ସଂସ୍ଥାଗୁଡ଼ିକରେ ଚାକିରି କମି କମି ଯାଉଛି। ଫଳରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ଆରକ୍ଷଣ ପ୍ରାବଧାନ ରହିଥିଲେ ହେଁ ସରକାରୀ ଚାକିରି କ୍ଷେତ୍ରରେ ସଂକୋଚନ ଯୋଗୁଁ ତାହା ନିରର୍ଥକ ହୋଇଛି।

ତେଣୁ କେବଳ ବେସରକାରୀ ନିଯୁକ୍ତିଦାତାଙ୍କ ଠାରୁ ଗରିବମାନେ ଚାକିରି ଆଶା କରିପାରିବେ। ଶତକଡ଼ା ନବେ ଭାଗ ଚାକିରି ବେସରକାରୀ କ୍ଷେତ୍ରରେ ରହିଛି। ତେଣୁ ମୋଦୀ ସରକାର ଗରିବମାନଙ୍କୁ ଏପରି ମାଗଣା ଉପହାର ନ ଦେଇ ସମାଜର ଏହି ବଞ୍ଚିତ ବର୍ଗଙ୍କ ପାଇଁ ଅଧିକରୁ ଅଧିକ ଚାକିରି ଯୋଗାଇବା ଲାଗି ଘରୋଇ କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହିତ କରିବା ଦରକାର।

ଅପର ପକ୍ଷେ, ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଆରକ୍ଷଣ ବ୍ୟବସ୍ଥାକୁ ବିରୋଧ କରାଯାଉଛି। କାରଣ ସେମାନେ ଯୋଗ୍ୟତା ଭିତ୍ତିରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଉଛନ୍ତି, ସୁତରାଂ ଏଥିରେ ସାଲିସ କଲେ ସେମାନଙ୍କ ସଂସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଠିକ୍‌ ଅଛି, ଘରୋଇ ସଂସ୍ଥାମାନେ ଆରକ୍ଷଣ ବ୍ୟବସ୍ଥା ଲାଗୁ ନ କଲେ ନାଇଁ; ମାତ୍ର ସେମାନେ ସ୍ବେଚ୍ଛାକୃତ ଭାବେ ସମାଜର ବଞ୍ଚିତ ବର୍ଗରୁ ଯେତେ ଅଧିକ ସମ୍ଭବ ସେତେ ନିଯୁକ୍ତ କରିବା ଦରକାର। ଘରୋଇ କ୍ଷେତ୍ରର ଏଭଳି ନିଯୁକ୍ତି ନୀତି ହିଁ ସାମାଜିକ ବୈଷମ୍ୟକୁ ଚିରସ୍ଥାୟୀ କରିବାରେ ଏକ ଭୂମିକା ନିର୍ବାହ କରିଛି। ବେସରକାରୀ କ୍ଷେତ୍ରର ଶୀର୍ଷ ପଦରେ ମଧ୍ୟ ଉଚ୍ଚ ଜାତିର ବ୍ୟକ୍ତି ରହିଛନ୍ତି। ସେମାନେ ବରିଷ୍ଠ ସ୍ଥାନରେ ରହିଥିବାରୁ ଏପରି ଯୋଗ୍ୟତାଭିତ୍ତିକ ନିଯୁକ୍ତି କରି ଚାଲିଛନ୍ତି ଏବଂ ସମାଜର ବଞ୍ଚିତ ବର୍ଗଙ୍କ ପ୍ରତି ନକାରାତ୍ମକ ମନୋଭାବ ଥିବାରୁ ସେମାନଙ୍କ ଆବେଦନକୁ ଅଣଦେଖା କରୁଛନ୍ତି।

ତେଣୁ ଘରୋଇ ସଂସ୍ଥାଗୁଡ଼ିକ ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣିବା ଜରୁରୀ। ସମାଜର ବଞ୍ଚିତ ବର୍ଗଙ୍କ ପ୍ରତି ଘଟିଥିବା ‘ଐତିହାସିକ ଅନ୍ୟାୟ’କୁ ହଟାଇବା ଲାଗି ସରକାର ଏପରି ଆରକ୍ଷଣ ବ୍ୟବସ୍ଥା ଚଳାଇଛନ୍ତି। ଘରୋଇ ସଂସ୍ଥାମାନେ ମଧ୍ୟ ସରକାରଙ୍କ ସହ ଦାୟିତ୍ବର ଆବଣ୍ଟନ କରିବା ଦରକାର। ସେମାନଙ୍କ ନିଯୁକ୍ତି ନୀତିରେ ସେହି ‘ଐତିହାସିକ ଅନ୍ୟାୟ’ ହଟାଇବା ସଂକଳ୍ପକୁ ସେମାନେ ମଧ୍ୟ ଅନ୍ତର୍ଭୁକ୍ତ କରିବା ଜରୁରୀ। ତାହା ହିଁ ପ୍ରକୃତରେ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ହେବ।

ଘରୋଇ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ନିର୍ଣ୍ଣାୟକ ଭୂମିକା ଉଦ୍ଦେଶ୍ୟରେ ୨୦୦୬ରେ ମନମୋହନ ସିଂହ ସରକାର ଏକ କୋର୍ଡିନେସନ୍‌ କମିଟି ଗଠନ କରିଥିଲେ। ଉକ୍ତ କମିଟି ଫିକ୍କି, ସିଆଇଆଇ ଓ ଆସୋଚାମ୍‌ ପରି ବାଣିଜ୍ୟ ସଂଗଠନଗୁଡ଼ିକ ସହ ଯୋଗାଯୋଗ କରି ସେମାନଙ୍କ ସଦସ୍ୟ କମ୍ପାନିଗୁଡ଼ିକରେ ଦଳିତ ଓ ଆଦିବାସୀମାନଙ୍କୁ ନିଯୁକ୍ତି ଦେବା ଲାଗି ପରାମର୍ଶ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ନେତୃତ୍ବାଧୀନ ଉକ୍ତ କମିଟି ୟୁପିଏ-୧ ସରକାରଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମୋଦୀ ସରକାରଙ୍କ ଯାଏ ଚାଲୁ ରହିଛି।

ଉକ୍ତ କମିଟି ଗଠନର ପନ୍ଦର ବର୍ଷ ଯାଏ ବାଣିଜ୍ୟ ସଂଗଠନଗୁଡ଼ିକ ସେ ଦିଗରେ ସେପରି କିଛି ଗୁରୁତ୍ବ ପ୍ରଦାନ କରିନାହାନ୍ତି। ୨୦୧୮ରେ ମିଳିଥିବା ତଥ୍ୟ ମୁତାବକ, ଘରୋଇ କ୍ଷେତ୍ରଗୁଡ଼ିକ ସେ ଯାବତ୍‌ ଏକ ଲକ୍ଷ ଭିତରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇଛନ୍ତି। ଉପରୋକ୍ତ ବାଣିଜ୍ୟ ସଂଗଠନଗୁଡ଼ିକରେ ୧୮,୦୦୦ ସଦସ୍ୟ ରହିଛନ୍ତି। ସୁତରାଂ ଦଶ ବର୍ଷ ଭିତରେ ପ୍ରତି ବାଣିଜ୍ୟ ପ୍ରତିଷ୍ଠାନ ହାରାହାରି ୫ ଜଣଙ୍କୁ ନିଯୁକ୍ତି ଦେଇଛି, ଅର୍ଥାତ୍‌ ପ୍ରତି ଦୁଇ ବର୍ଷରେ ଜଣେ। ଏହା ହିଁ ହେଉଛି ଉଦାସୀନତା।

ଜାରି ରହିଥିବା ‘ଐତିହାସିକ ଅନ୍ୟାୟ’ ଧାରାକୁ ହଟାଇ ଘରୋଇ ସଂସ୍ଥାମାନେ ସେମାନଙ୍କ ନିଯୁକ୍ତି ନୀତିରେ ମହିଳା ଓ ତୃତୀୟ ଲିଙ୍ଗୀଙ୍କ ପାଇଁ ଅଧିକ ସୁଯୋଗର ବ୍ୟବସ୍ଥା ଚାଲିଛନ୍ତି। ନିକଟରେ ଟାଟା ଷ୍ଟିଲ୍‌ ୧୪ ଜଣ ତୃତୀୟ ଲିଙ୍ଗୀଙ୍କୁ ନିଯୁକ୍ତି ଦେଇଛି ଏବଂ ଆଗକୁ ଅଧିକ ନିଯୁକ୍ତି ଦେବାର ଯୋଜନା କରିଛି। ସେହିପରି ଇନ୍‌ଫୋସିସ୍‌ ଓ କେପିଏମ୍‌ଜି ପରି କମ୍ପାନି ମଧ୍ୟ ତୃତୀୟ ଲିଙ୍ଗୀଙ୍କ ନିଯୁକ୍ତି କଥା ବିଚାର କରୁଛନ୍ତି। ଯଦି ଘରୋଇ ସଂସ୍ଥାଗୁଡ଼ିକ ମହିଳା ଓ ତୃତୀୟ ଲିଙ୍ଗୀମାନଙ୍କୁ ସାମିଲ କରିବା ଲାଗି ଆଗେଇ ଆସି ‘ଐତିହାସିକ ଅନ୍ୟାୟ’କୁ ସମତୁଲ କରିବାର ପ୍ରୟାସ କରି ପାରୁଛନ୍ତି, ତେବେ ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ତାହା କରି ପାରିବେ ନାହିଁ କାହିଁକି? ତେଣୁ ମୋଦୀ ସରକାର ଯଦି ଗରିବମାନଙ୍କୁ ଦାରିଦ୍ର୍ୟ ପଙ୍କରୁ ଉଦ୍ଧାର କରିବା ଲାଗି ପ୍ରକୃତରେ ଚାହୁଥା’ନ୍ତି, ତେବେ ଘରୋଇ କ୍ଷେତ୍ରକୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଦରକାର।

[email protected]

ସମ୍ବନ୍ଧିତ ଖବର