କିଛି ଦିନ ତଳେ ସମ୍ବାଦପତ୍ରରେ ଜଣେ ମହିଳା ଆତ୍ମହତ୍ୟା କରିଥିବାର ଖବର ପ୍ରକାଶିତ ହୋଇଥିଲା। ଏହା ପଛରେ ଥିବା କାରଣଟି ଥିଲା ଅତ୍ୟନ୍ତ ଲଜ୍ଜାଜନକ ତଥା ହୃଦୟ ବିଦାରକ। ସଂପୃକ୍ତ ମହିଳା ନିଜର ଜଣେ ସଂପର୍କୀୟଙ୍କ ଦ୍ବାରା ବଳାତ୍କାରର ଶିକାର ହେଲେ। ଘଟଣାଟିକୁ ସେ ଭୁଲି ପାରିଲେନାହିଁ କି କାହାକୁ କହି ମଧ୍ୟ ପାରିଲେ ନାହିଁ। ଏକ ତୀବ୍ର ଲଜ୍ଜାବୋଧ ତାଙ୍କୁ ଘଟଣାଟିକୁ ପ୍ରକାଶ କରିବାରୁ ବିରତ କଲା। ସେ ଜାଣିଥିଲେ ଯେ ଘଟଣା ପ୍ରଘଟ ହେଲେ ଦୁଷ୍କର୍ମକାରୀ ତୁଳନାରେ ଅଧିକ ଲାଂଛନା ସେ ସହିବେ। ପୁଣି ଅନେକ ଏହାକୁ ଅବିଶ୍ବାସ କରି ପାରନ୍ତି। ‌େତଣୁ ସେ ଏ କଥା କାହାକୁ କହି ପାରିଲେ ନାହିଁ କି ସହି ମଧ୍ୟ ପାରିଲେ ନାହିଁ।

Advertisment

ସୁତରାଂ, ଆତ୍ମହତ୍ୟା କରିଦେଲେ।

ଘଟଣାଟି ଅନେକଙ୍କୁ ସାଧାରଣ ଭଳି ଲାଗିପାରେ। କିନ୍ତୁ ଏହି ସଂପୂର୍ଣ୍ଣ ପ୍ରକରଣରୁ ହିଁ ଆମ ସମାଜରେ ନାରୀର ସ୍ଥାନ ଓ ସ୍ଥିତି ସମ୍ବନ୍ଧରେ ଏକ ଧାରଣା ମିଳିପାରେ।

ଏହି ପରିପ୍ରେକ୍ଷୀରେ ଯାହା ଅନେକ ସମୟରେ ବିସ୍ମିତ କରେ ତାହା ହେଲା ପ୍ରାଚୀନ କାଳରୁ ଭାରତୀୟ ସମାଜ ନାରୀକୁ ଉଚ୍ଚ ଆସନ ଦେଇ ଆସିଛି। ପୁରାଣ ଇତିହାସରେ ଅନେକ ନାରୀ ଚରିତ୍ର ସେମାନଙ୍କ ସାହସ ଓ ସ୍ବାଭିମାନର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ବୈଦିକ ଯୁଗରେ ଗାର୍ମୀ, ଆପାଲା ଓ ଲୋପାମୁଦ୍ରାଙ୍କ ଭଳି ବିଦୂଷୀ ଥିଲେ। ବାଲ୍ମିକୀ ବା ବେଦବ୍ୟାସଙ୍କ ଭଳି ମହାକବିମାନେ ଅତି ପ୍ରାଚୀନ କାଳରେ ସୀତା ବା ଦ୍ରୌପଦୀଙ୍କ ଭଳି ଉଦାହରଣୀୟ ନାରୀ ଚରିତ୍ର ସୃଷ୍ଟି କରିଥିଲେ। ତଥାପି କାହିଁକି ଭାରତୀୟ ନାରୀ ଲିଙ୍ଗଗତ ବୈଷମ୍ୟ ସହିବାକୁ ବାଧ୍ୟ ହେଲେ, କାହିଁକି ଅତ୍ୟାଚରିତ ଓ ନିପୀଡ଼ିତ ହେଲେଏବଂ ଦ୍ବିତୀୟ ଶ୍ରେଣୀର ନାଗରିକ ଭାବେ ଜିଇବାକୁ ବାଧ୍ୟ ହେଲେ? ତାହା ଏକ ବଡ଼ ପ୍ରଶ୍ନ।

ଭାରତର ଇତିହାସରେ ସାହସୀ ଓ ସ୍ବାଭିମାନୀ ତଥା ଓଜଃସ୍ବିନୀ ନାରୀ ଚରିତ୍ରର ଅନେକ ଉଦାହରଣ ରହିଛି। ରାଣୀ ଲକ୍ଷ୍ମୀବାଇ ହୁଅନ୍ତୁ କି ଦୁର୍ଗାବତୀ ଅଥବା ଶୁକଦେଈ; ଏମାନେ ସମସ୍ତେ ସାହସ, ସ୍ବାଭିମାନ ଓ ଅପରାଜେୟତାର ପ୍ରତୀକ ହୋଇ ରହିଛନ୍ତି। ଏମାନେ ସମସ୍ତେ ଯୁଦ୍ଧ ଭଳି ଅତ୍ୟନ୍ତ ପୁରୁଷ ପ୍ରଧାନ କ୍ଷେତ୍ରରେ ପୁରୁଷମାନଙ୍କୁ ନେତୃତ୍ବ ପ୍ରଦାନ କରିଛନ୍ତି। କିନ୍ତୁ ବିଡ଼ମ୍ବନା, ନାରୀଙ୍କ ସଂଦର୍ଭରେ କୌଣସି ଆଲୋଚନା ହେଲେ ଏହି ଉଦାହରଣଗୁଡ଼ିକୁ ବାରମ୍ବାର ଉପସ୍ଥାପନ କରାଯାଏ ସିନା, କିନ୍ତୁ ବାସ୍ତବ କ୍ଷେତ୍ରରେ ନାରୀକୁ ଅବଦମନ କରି ରଖିବାର ମାନସିକତାରେ ପରିବର୍ତ୍ତନ ଆସେନାହିଁ।

ଇତିହାସକାରମାନେ କହନ୍ତି ଯେ ଯବନ ଆକ୍ରମଣ ଓ ଅତିକ୍ରମଣ ପରେ ଭାରତୀୟ ସମାଜରେ ମହିଳାମାନଙ୍କ ଲାଗି ପର୍ଦା ପ୍ରଥା ପ୍ରବେଶ କଲା। ଓଡ଼ିଶା‌େର ମଧ୍ୟ ଯବନ ଓ ବର୍ଗୀ ଆକ୍ରମଣ ପରେ ଏହି ପ୍ରଥା ଅନୁସୃତ ହୋଇଥିବ। ଊନବିଂଶ ଶତାବ୍ଦୀ ବା ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଯେତେବେଳେ ଭାରତୀୟ ମହିଳାମାନେ ପର୍ଦା ପଛରେ ରହୁଥିଲେ, ସେତିକି ବେଳେ ଭାରତୀୟ ସାହିତ୍ୟରେ ଉଦାହରଣୀୟ ମହିଳା ଚରିତ୍ରମାନେ ସର୍ଜିତ ହୋଇଥିଲେ। ଓଡ଼ିଆ ସାହିତ୍ୟରେ ଆମେମାନେ ସେମିତି ସାହସୀ ଓ ସ୍ବାଭିମାନୀ ନାରୀ ଚରିତ୍ରଙ୍କୁ ଦେଖିବାକୁ ପାଉ। ରାଧାନାଥ ରାୟଙ୍କ ‘ପାର୍ବତୀ’ କାବ୍ୟର ନାୟିକା ବା ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ରେ ସିଂହାଣୀ ବା ‘ପଟେଣ୍ଟ୍ ମେଡ଼ିସିନ୍’ରେ ସୁଲୋଚନା ବା ନନ୍ଦକିଶୋର ବଳଙ୍କ ‘କନକଲତା’ ଉପନ୍ୟାସର ନାୟିକା ହେଉଛନ୍ତି ନାରୀ ସ୍ୱାଭିମାନ ଓ ସାହସର ଗୋଟିଏ ଗୋଟିଏ ପ୍ରତୀକ।

ତେବେ, ଭାରତୀୟ ଚିନ୍ତାଧାରାରେ ରହିଥିବା ସମସ୍ୟାଟି ହେଲା ନାରୀକୁ ଉଚ୍ଚ ଆସନ ପ୍ରଦାନ କରିବା ଲାଗି ତ ପ୍ରାଚୀନ ସଂସ୍କୃତ ଶ୍ଳୋକ ଜରିଆରେ ହେଉ ବା ପୁରାଣ, ଇତିହାସ ଓ ସାହିତ୍ୟରୁ ଉଦାହରଣମାନ ଦେଇ ହେଉ ସେମାନଙ୍କୁ ‘ଦେବୀ’ମାନଙ୍କ ସ୍ଥାନରେ ପ୍ରତିଷ୍ଠିତ କରିଦିଆଯାଏ, କିନ୍ତୁ ବାସ୍ତବ ଦୁନିଆରେ ସେମାନଙ୍କୁ ଅତ୍ୟନ୍ତ ହୀନ ଦୃଷ୍ଟିରେ ଦେଖାଯାଇଥାଏ। ଏହା ଅବଶ୍ୟ ସତ ଯେ ସଂପ୍ରତି ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ଉଚ୍ଚ ଶିକ୍ଷିତ ହୋଇ କର୍ମକ୍ଷେତ୍ରରେ ପାରଦର୍ଶିତା ଦେଖାଇବାରେ ଲାଗିଛନ୍ତି। ମହାକାଶ ବିଜ୍ଞାନ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ କ୍ଷେତ୍ର ହେଉ ବା ବହୁ ଦେଶୀୟ କଂପାନିର ଶୀର୍ଷ ସ୍ତରୀୟ ପରିଚାଳନା ହେଉ; ସବୁଠି ମହିଳାମାନେ ଦୃଶ୍ୟମାନ। ସେମାନେ ସମସ୍ତେ ଜଣେ ଜଣେ ଉଦାହରଣ।

କିନ୍ତୁ ଆଉ ଏକ ବିଡ଼ମ୍ବନା ହେଲା ଭାରତୀୟ ମହିଳାମାନଙ୍କ ଜୟଯାତ୍ରା କଥା ଉଠିଲେ ସାଧାରଣତଃ କର୍ମ କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ତଥା ପରାକାଷ୍ଠା ପ୍ରଦର୍ଶନ କଥା ଉଠେ, କିନ୍ତୁ ଗୃହିଣୀ ହୋଇ ପରିବାର ପରିଚାଳନା କରୁଥିବା ଅସଂଖ୍ୟ ମହିଳାଙ୍କ କଥା ଉଠେଡ଼ା। ଏକ ଆକଳନ ଅନୁସାରେ ପ୍ରତ୍ୟେକ ଭାରତୀୟ ଗୃହିଣୀ ଦୈନିକ ହାରାହାରି ୩୫୨ ମିନିଟ୍ ଗୃହ କାର୍ଯ୍ୟ କରୁଥିବା ବେଳେ ପ୍ରତି ଭାରତୀୟ ପୁରୁ‌ଷ ମାତ୍ର ୫୦ ମିନିଟ୍‌ ‌େଦଇଥାଏ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବା ଆଇ.ଏମ୍‌.ଏଫ୍‌.ର ଏକ ରିପୋର୍ଟ ଅନୁସାରେ ଯଦି ଭାରତୀୟ ଗୃହିଣୀମାନଙ୍କ ଅବଦାନର ଆର୍ଥିକ ଆକଳନ କରାଯାଆନ୍ତା ତେବେତ ାହା ଭାରତୀୟ ଜି.ଡି.ପି. ବା ଜାତୀୟ ଆୟରେ ୨୭ ପ୍ରତିଶତ ବୃଦ୍ଧି ଘଟାନ୍ତା। କିନ୍ତୁ ଯଦି ଆମେ ଭାରତୀୟ ଗୃହିଣୀଙ୍କ ଅବଦାନର ଆର୍ଥିକ ମୂଳ୍ୟ କଥା ଚିନ୍ତା ନ କରି ମହାନ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ କହିଥିବା ଭଳି ବିଚାର କରିବା ତେବେ ବୁଝି ପାରିବା ଯେ ପରିବାରରେ ରୋଷେଇ କରିବା, ଘରଦ୍ବାର ସଫା ରଖିବା, ପରିବାର ସଦସ୍ରଙ୍କ ଯତ୍ନ ନେବା, ରୋଗବାଧିକା ବେଳେ ସେବାକରି ବା, ପିଲାମାନଙ୍କ ଯତ୍ନ ନେବା ଓ ସେମାନଙ୍କୁ ପାଠ ପଢ଼ାଇବା ଭଳି କାର୍ଯ୍ୟରେ ଲାଗି ରହିଥିବା ମହିଳାମାନଙ୍କ ଦ୍ବାରା ପରିବାରକୁ ଯେୁଉଁ ସୁଖ ଓ ଶାନ୍ତି ମିଳେ, ତାହାର କୌଣସି ଆର୍ଥିକ ହିସାବ ଅସମ୍ଭବ। ଏହା ମୂଲ୍ୟାତୀତ।

କେବଳ ଭାରତରେ ନୁହେଁ, ପୃଥିବୀର ସର୍ବତ୍ର ମହିଳାମାନେ ହେୟ ମନୋଭାବର ଶିକାର। ଆଧୁନିକ ଓ ଉନ୍ନତ ପାଶ୍ଚାତ୍ୟ ରାଷ୍ଟ୍ରରେ ମଧ୍ୟ ସେହି ଧାରା ଦିଶିଥାଏ। କିନ୍ତୁ ସବୁ ସମାଜରେ ମହିଳାମାନଙ୍କ ଅବଦାନ ହେଉଛି ମୂଲ୍ୟାତୀତ।

ମୋ: ୯୪୩୮୬୭୩୮୯୮