ନିର୍ବାଚନ, ଗ୍ଲେମର୍ ଓ ଭୋଟ ବର୍ଜନ

ଦିଲୀପ ସାବତ

ପଞ୍ଚାୟତ ନିର୍ବାଚନ ଏଇ ମାତ୍ର ସରିଲା। ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଲା କିଭଳି ଗଣମାଧ୍ୟମ ବିଶେଷ କରି ପ୍ରାର୍ଥୀମାନଙ୍କ ଚେହେରା ଓ ଚମକକୁ ନେଇ ବ୍ୟସ୍ତ। ଏହା ଅବଶ୍ୟ ସତ ଯେ ପୂର୍ବର କୌଣସି ପଞ୍ଚାୟତ ନିର୍ବାଚନରେ ଏତେ ସଂଖ୍ୟାରେ ଉଚ୍ଚ ଶିକ୍ଷିତ ତଥା ବଡ଼ ବଡ଼ ଚାକିରି ଛାଡ଼ିଥିବା ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ ହେବାର ଦେଖିବାକୁ ମିଳି ନ ଥିଲା। ପୂର୍ବରୁ କେବେ କୌଣସି ମଡେଲ ସରପଞ୍ଚ ପ୍ରାର୍ଥୀ ହୋଇ ନ ଥିଲେ; ତା’ ପୁଣି ବାହାର ରାଜ୍ୟ ଅର୍ଥାତ୍‌ ମଧ୍ୟ ପ୍ରଦେଶରେ କ୍ୟାରିଅର ଗଢ଼ିଥିବା ଯୁବତୀ! ପୂର୍ବଥର ଗୁଡ଼ିକ ତୁଳନାରେ ଏଥର ଅଧିକ ସହରୀ ଯୁବକଯୁବତୀ ଗାଁର ଉନ୍ନତି ଲାଗି ବାହାରି ଆସିଥିଲେ ବୋଲି କହିଲେ ଚଳିବ। ତେଣୁ ସ୍ବାଭାବିକ ଭାବେ ଏଥରର ପଞ୍ଚାୟତ ନିର୍ବାଚନରେ ଏକ ପ୍ରକାର ଗ୍ଲେମର୍ ରହିଥିଲା, ଯାହାକୁ ଗଣମାଧ୍ୟମଗୁଡ଼ିକ ମୂଳ ପୁଂଜି କରି ନେଇଥିଲେ। ତେଣୁ ଯେଉଁ କଥାଗୁଡ଼ିକ ଗଣମାଧ୍ୟମଗୁଡ଼ିକ ଦ୍ବାରା ପ୍ରାୟତଃ ନଜରଅନ୍ଦାଜ କରି ଦିଆଗଲା, ତାହା ଥିଲା ରାଜ୍ୟର ବିଭିନ୍ନ ଗ୍ରାମ ସାମ୍‌ନା କରୁଥିବା ‌େମୗଳିକ ସମସ୍ୟା। ଗଣମାଧ୍ୟମ ସେ ସବୁ ଆଡ଼କୁ ଦୃଷ୍ଟି ନ ଦେଇ ନିର୍ବାଚନ ଲଢୁଥିବା ପ୍ରାର୍ଥୀ, ଦଳ ବା ଗୋଷ୍ଠୀଗତ ସ୍ବାର୍ଥକୁ ନେଇ ସୃଷ୍ଟ ବିବାଦ, ଅସନ୍ତୋଷ ଓ ହି˚ସା ଆଦିର ଚିତ୍ର ଦେଖାଇବାରେ ବ୍ୟସ୍ତ ରହିଲେ।

କିନ୍ତୁ ସତ କହିଲେ, ଆମ ରାଜ୍ୟର ଗାଁଗୁଡ଼ିକରେ ବିଭିନ୍ନ ପ୍ରକାର ସମସ୍ୟାର ପାହାଡ଼। ଗାଁଗୁଡ଼ିକ ଶିକ୍ଷା, ସ୍ବାସ୍ଥ୍ୟ ସେବା ବା ବିଶୁଦ୍ଧ ଜଳ ଉପଲବ୍‌ଧତା ସଂପର୍କିତ ମୌଳିକ ସୁବିଧା ଲାଭରୁ ବଂଚିତ। ତେଣୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଦିନାଙ୍କ ଘୋଷଣା ହେବା ପର ଠାରୁ ଗ୍ରାମବାସୀଙ୍କ ଦ୍ବାରା ପ୍ରତିବାଦର ସ୍ବର ଶୁଣିବାକୁ ମିଳିଲା। ଡିସେମ୍ବର ଶେଷ ସପ୍ତାହରେ ଗଞ୍ଜାମର ନୂଆଁଗାଁ ବାସିନ୍ଦା ହାଣ୍ତି ମାଠିଆ ନେଇ ରାସ୍ତାକୁ ଓହ୍ଲାଇ ଆସିଲେ। ତହିଁରେ ସାମିଲ ଥିଲେ ଜଣେ ୮୦ ବର୍ଷ ବୟସର ବୃଦ୍ଧ ଯେ କହୁଥିଲେ ଯେ ସେ ପିଲାରୁ ଆସି ବୁଢ଼ା ହେଲେଣି, ହେଲେ ଗାଁର ପିଇବା ପାଣି ସମସ୍ୟା ଯେମିତି ଥିଲା ସେମିତି ରହିଛି। ସେମିତି ସାନଖେମୁଣ୍ତି ବ୍ଲକ୍‌ ଡେଙ୍ଗାଡ଼ି ଗ୍ରାମର ବହୁ ମହିଳା ପିଇବା ପାଣି ପାଇଁ ପ୍ରତିବାଦରେ ସକାଳୁ ସ˚ଜ ଯାଏଁ ରାସ୍ତା ଅବରୋଧ କଲେ। ଏହା ପରେ ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଗୋଟାକ ପରେ ଗୋଟିଏ ପ୍ରତିବାଦ ସାମ୍‌ନାକୁ ଆସିଲା। ବିଭିନ୍ନ ଗ୍ରାମର ବାସିନ୍ଦା ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଲେ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ପାକଟମୁଣ୍ତା, ରାୟଗଡ଼ା ଜିଲ୍ଲା କୋଲନରାସ୍ଥିତ ସୂରୀ ପଞ୍ଚାୟତର କମୁଗୁଡ଼ା, ପାପଡ଼ାହାଣ୍ତିର କାଙ୍ଗମାଝୀ ଓ ବୋରିପଦର, ସମ୍ବଲପୁର ଆର‌୍‌ଆର‌୍‌ କଲୋନିର ବାସିନ୍ଦା ଭୋଟ ବର୍ଜନ କ‌ଲେ। ଆହୁରି ଅନେକ ଲୋକ ଭୋଟ ବର୍ଜନ କରିଥିବେ, ଯାହାର କୌଣସି ତଥ୍ୟ ନାହିଁ।

ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠେ ସାମୂହିକ ଭୋଟ ବର୍ଜନ କରିବାର ନିଷ୍ପତ୍ତି ଏକ ଠିକଣା ନିଷ୍ପତ୍ତି କି? ନା ଏହା ଖାଲି ଏକ ନିଷ୍ଫଳ ଅଭିମାନ? ଯେଉଁ ଗ୍ରାମବାସୀମାନେ ପ୍ରତିବାଦ ଜଣାଇ ଭୋଟ ଦିଅନ୍ତି ନାହିଁ ବା ଭୋଟ ବର୍ଜନ କରନ୍ତି, ସେମାନଙ୍କ ଗଣତି ଭୋଟ ଦେଇ ନ ଥିବା ଅନ୍ୟାନ୍ୟ ଲୋକଙ୍କ ଭିତରେ କରାଯାଏ ଏବଂ ସେମାନେ ପ୍ରତିବାଦ କରି ଭୋଟ ଦେଇ ନାହାନ୍ତି ବୋଲି କୌଣସି ଚିହ୍ନ ରହେନା। ଯେଉଁମାନେ ଭୋଟ ବର୍ଜନକୁ ପ୍ରତିବାଦର ଏକ ଧାରା ଭାବେ ଗ୍ରହଣ କରନ୍ତି, ସେମାନେ କେବଳ ଏତିକି ଜାଣନ୍ତୁ ଯେ ନିର୍ବାଚନ କମିସନଙ୍କ ବିଚାରରେ ସେମାନେ କେବଳ ଭୋଟ ଦେଇ ନ ଥିବା ଜଣେ ଜଣେ ନାଗରିକ। କେଉଁମାନେ ପ୍ରତିବାଦ କରି ଭୋଟ ବର୍ଜନ କରିଛନ୍ତି, ତା’ର କୌଣସି ତଥ୍ୟ ଆଧିକାରିକ ଭାବେ ବା ସରକାରୀ ଭାବେ ରହେନା। ତେଣୁ ଯଥାର୍ଥ ମାର୍ଗଟି ହେଲା ଭୋଟ ଦେବା ଏବଂ ତା’ ଜରିଆରେ ନିଜ ନାଗରିକ ଅଧିକାରକୁ ସାବ୍ୟସ୍ତ କରିବା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ସେହି ବ୍ୟକ୍ତିକୁ ଭୋଟ ଦେବା ଯିଏ ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ସଫଳ ହେବ। ଭୋଟ ବର୍ଜନ କରିବା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଯୋଗ୍ୟତମ ପ୍ରାର୍ଥୀକୁ ଚୟନ କରିବା।

ଗଣମାଧ୍ୟମଗୁଡ଼ିକ ମଧ୍ୟ ସର୍ବଦା ଗୁଡ଼ିଏ ଚମକ ସୃଷ୍ଟି କରିବାର ମନସ୍କତାରୁ ମୁକ୍ତ ରହି ନିର୍ବାଚନ ସମୟରେ ନାଗରିକଙ୍କ ମୌଳିକ ସମସ୍ୟାକୁ ଆଗକୁ ଆଣିବାରେ ବ୍ରତୀ ହେବା ଉଚିତ। ନିର୍ବାଚନରେ ଗ୍ଲେମର ସଂପର୍କିତ ଖବର ‘ସାଇଡ୍‌ ଲାଇଟ୍‌’ ଭାବେ ରହିବ ସିନା, ଅଗ୍ରାଧିକାର ପାଇବା ଉଚିତ ନୁହେଁ। ଯଦି ଟିଆର୍‌ପି ବା ପାଠକୀୟତା ବୃଦ୍ଧି କରିବା ଆଶାରେ ଗଣମାଧ୍ୟମ ତାହା କରୁଥାଆନ୍ତି, ତେବେ କହିବାରେ ଦ୍ବିଧା ନାହିଁ ଯେ ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଦାୟିତ୍ବ ସଂପନ୍ନ ଦିଗରେ ନିଜ ଭୂମିକା ନିର୍ବାହରେ ବିଫଳ ହେଉଛନ୍ତି।

ମୋ: ୯୮୬୧୨୪୦୨୨୮

ସମ୍ବନ୍ଧିତ ଖବର