ଭାରତ ତା’ର ପରମାଣୁ ଶକ୍ତି ବଢ଼ାଉ

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ବେଳେ ଜାତିସଂଘ ନିରାପତ୍ତା ପରିଷଦ, ସାଧାରଣ ଆସେମ୍ଲି ଓ ମାନବିକ ଅଧିକାର କମିସନ୍‌ମାନଙ୍କରେ ରୁଷିଆକୁ ନିନ୍ଦା କରି ପ୍ରସ୍ତାବମାନ ଆଗତ ହୋଇଥିଲା ବେଳେ ଭାରତ ସେଥିରେ ଉପସ୍ଥିତ ରହିନାହିଁ। କାହା ସପକ୍ଷରେ ବା ବିପକ୍ଷରେ ମଧ୍ୟ ଭୋଟ ଦେଇନାହିଁ। ନିଜର ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ଏପରି ପଦକ୍ଷେପ ନେଇଛି ତାହା ସ୍ପଷ୍ଟ, ଯଦିଓ ଏଯାଏ ଅନ୍ତତଃ ଆମେରିକା ଓ ପାଶ୍ଚାତ୍ୟ ବନ୍ଧୁ ରାଷ୍ଟ୍ରମାନେ ଭାରତର ଏହି ଆଭିମୁଖ୍ୟ ପ୍ରତି ଭବିଷ୍ୟତ୍‌ରେ ଧୀରେ ଧୀରେ ବିମୁଖ ହୋଇପାରନ୍ତି।

ଏହାର ପ୍ରଥମ କାରଣ ହେଲା, ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ଭାରତର ନିର୍ଭରଶୀଳତା ଅନେକ ଦିନ ହେଲା ରହିଆସିଛି। ଭାରତ ଯେତେ ଅସ୍ତ୍ରଶସ୍ତ୍ର ଆକାଶ, ନୌସେନା ଓ ପଦାତିକ ବାହିନୀ ପାଇଁ ଅତୀତରେ କିଣିଛି, ତା’ର ୫୦% ଆସିଛି କେବଳ ରୁଷିଆରୁ। ରାଫେଲ ଯୁଦ୍ଧ ବିମାନ ଫ୍ରାନ୍‌ସରୁ କିଣାଯିବା ପରେ ହୁଏ’ତ ରୁଷିଆ ଉପରେ ଅସ୍ତ୍ରଶସ୍ତ୍ର ପାଇଁ ଭାରତର ନିର୍ଭରଶୀଳତା କମି କମି ଆସୁଛି ବୋଲି କୁହାଯାଇପାରେ। ଭାରତ ଏ ଦିଗରେ ଆତ୍ମନିର୍ଭରଶୀଳତା ଓ ଅନ୍ୟତ୍ର ଅସ୍ତ୍ରଶସ୍ତ୍ର ପାଇଁ ଚେଷ୍ଟା ହୁଏ’ତ କରୁଛି ଓ କରିବ। କିନ୍ତୁ ତାହା ତତ୍‌କ୍ଷଣାତ୍‌ ହୋଇପାରିବ ନାହିଁ। ଏଥି ସହ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଭାରତକୁ ଟେକ୍‌ନୋଲୋଜି ହସ୍ତାନ୍ତର ପାଇଁ ରୁଷିଆ ଯେତେ ରାଜି ଅଛି, ଅନ୍ୟ କୌଣସି ଦେଶ ସେତେ ରାଜି ନୁହନ୍ତି। ପୁଣି ଆତ୍ମନିର୍ଭରଶୀଳତା ଏକ ଦୀର୍ଘକାଳିକ ପ୍ରକ୍ରିୟାମାତ୍ର।

ଏବେ ବିଶ୍ୱର ମାନସିକତା ଓ ଗୋଷ୍ଠୀବଦ୍ଧତାର ପ୍ରକ୍ରିୟା ବଦଳିବାରେ ଲାଗିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରତିରକ୍ଷା ଉପରେ ଆଦୌ ଗୁରୁତ୍ୱ ଦେଇନଥିବା ଜର୍ମାନି ଏବେ ପ୍ରତିରକ୍ଷା ବାବଦରେ ଅଧିକ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛି। ସୁଇଜରଲାଣ୍ଡ ପରି ନିରପେକ୍ଷତା ଅବଲମ୍ବନ କରିଆସିଥିବା ଦେଶ ଏବେ ରୁଷିଆ ବିରୋଧରେ ବାସନ୍ଦ ଲାଗୁ ପ୍ରକ୍ରିୟାରେ ଯୋଗ ଦେଲାଣି। ୟୁରୋପୀୟ ଦେଶମାନେ ଏବେ ଆଶା କରୁଛନ୍ତି ଯେ, ବିଶ୍ୱରେ ନିୟମ ଭିତ୍ତିକ ବ୍ୟବସ୍ଥାକୁ ଭାରତ ସମର୍ଥନ କରିବ। ଅର୍ଥାତ୍‌, କୌଣସି ଦେଶ କୌଣସି ଦେଶ ଉପରେ ଆକ୍ରମଣ କରିବା ବ୍ୟବସ୍ଥାକୁ ଭାରତ ସମର୍ଥନ କରିବ ନାହିଁ। କିନ୍ତୁ ଭାରତର ଏ କ୍ଷେତ୍ରରେ ପକ୍ଷ ଗ୍ରହଣ ନ କରିବା ୟୁରୋପକୁ ଧୀରେ ଧୀରେ ଅଧିକରୁ ଅଧିକ ଅସନ୍ତୁଷ୍ଟ କରିବ। କେବଳ ଆମେରିକା ଇତ୍ୟାଦି ଭାରତର ଅସୁବିଧାକୁ ଏଯାଏ ବୁଝିଛନ୍ତି ଓ ରୁଷିଆ ପ୍ରତି ବାସନ୍ଦ ବ୍ୟବସ୍ଥାରେ ଭାରତକୁ ଏଯାଏ ଜୋର୍‌ କରି ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରିନାହାନ୍ତି।

ଦ୍ବିତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୁଷ୍‌ ସହ ଚୀନ ଏବେ ଘନିଷ୍ଠ ଭାବେ ମିଶିବା ଆରମ୍ଭ କରିଛି, ଯାହା ଭାରତ ଚାହେଁନା। କେବଳ ସେତିକି ନୁହେଁ, ଯେଉଁଦିନ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କଲା, ସେହିଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମସ୍କୋ ଗସ୍ତ କରିଥିଲେ। ମସ୍କୋ ଗସ୍ତରୁ ତାଙ୍କୁ କ’ଣ ମିଳିଲା ତାହା ଏଯାଏ ଜଣାଇନଥିଲେ ମଧ୍ୟ ପୂର୍ବରୁ ଆମେରିକାର ଏକ ଘନିଷ୍ଠ ସହଯୋଗୀ ଥିବା ପାକିସ୍ତାନ ଏବେ ପକ୍ଷ ପରିବର୍ତ୍ତନ କରି ରୁଷିଆ ସହ ବନ୍ଧୁତା କରିବାକୁ ଯିବା ଭାରତ ପାଇଁ ଗ୍ରହଣୀୟ ନୁହେଁ। କାରଣ ଭାରତର ଆଉ ଏକ ଦୃଢ଼ ପ୍ରତିବେଶୀ ବିରୋଧୀ ଚୀନ ସହ ପାକିସ୍ତାନର ଘନିଷ୍ଠ ସମ୍ପର୍କ ଏବେ ଅତି ଦୃଢ଼ ହୋଇଗଲାଣି। ଚୀନ, ପାକିସ୍ତାନ ପରି ଦୁଇଟି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାରତର ପଡ଼ୋଶୀ ରାଷ୍ଟ୍ର ଯେ ଭବିଷ୍ୟତ୍‌ରେ ଅନେକ ବିପଦ ସୃଷ୍ଟି କରିବେ, ଏହା ସତ୍ୟ। ଏମାନଙ୍କ ସହ ରୁଷିଆ ମଧ୍ୟ ଯୋଗଦେବା; ଏ କଥା ଭାରତ ଚାହେଁନା। ତେବେ ସ୍ପଷ୍ଟ କରୁଛି ଯେ, ବିଶ୍ୱରେ ପୁରୁଣା ଗୋଷ୍ଠୀମାନ ଭଳି ନୂଆ ଗୋଷ୍ଠୀ ସବୁ ସୃଷ୍ଟି ହେବାରେ ଲାଗିଲାଣି। ବିଶେଷ କରି ଚୀନ, ରୁଷିଆ ଏକଜୁଟ ହେବା ୟୁରୋପ ବାହାରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବିଶ୍ୱରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିବ। ଭବିଷ୍ୟତ୍‌ରେ ରୁଷିଆ ଉପରେ ପ୍ରତିରକ୍ଷା ପାଇଁ ଅଧିକରୁ ଅଧିକ ନିର୍ଭରଶୀଳ ହେବା ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକା ଓ ତା’ର ବନ୍ଧୁ ରାଷ୍ଟ୍ରମାନଙ୍କ ସହ ମେଣ୍ଟ କରିବାର ସମସ୍ୟା ଅଧିକରୁ ଅଧିକ ଉତ୍କଟତର ହେବ। ବିଶେଷ କରି ଆମେରିକା, ଜାପାନ, ଅଷ୍ଟ୍ରେଲିଆ ସହ ଭାରତର ଯେଉଁ ‘କ୍ୱାଡ୍’ ମେଣ୍ଟ ହୋଇଛି, ତାହା ରୁଷିଆ-ଚୀନ ପ୍ରତି ସମର୍ଥନର ବିରୋଧୀ ହେବ।

ୟୁକ୍ରେନ୍‌ର ଯୁଦ୍ଧ, ଭାରତର ଅର୍ଥନୈତିକ ପ୍ରାଥମିକତାକୁ ମଧ୍ୟ ବଦଳାଇବ। କୋଭିଡ୍‌-୧୯ର ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ଏବଂ ଏହା ପୂର୍ବରୁ ଦେଶର ଅର୍ଥନୈତିକ ଦୁରବସ୍ଥା ଭାରତକୁ ନୂଆ ଚିନ୍ତା କରିବାକୁ ବାଧ୍ୟ କରୁଛି। ଏକ ବିଶ୍ୱ ଶକ୍ତିରେ ପରିଣତ ହେବାକୁ ହେଲେ ଏବେ ଭାରତକୁ ତା’ର ଅର୍ଥନୀତିକୁ ଆହୁରି ମଜଭୁତ କରିବାକୁ ହେବ। ତେଣୁ ଭବିଷ୍ୟତ୍‌ରେ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ବାଣିଜ୍ୟ କାରବାର ବୃଦ୍ଧି ଏକ ବଡ଼ କଥା ହେବ। ୟୁରୋପୀୟ ୟୁନିୟନ୍‌ ଏକ ଗୋଷ୍ଠୀ ହିସାବରେ ଭାରତର ତୃତୀୟ ବାଣିଜ୍ୟ ସହଯୋଗୀ ଅଟେ। କିନ୍ତୁ ୟୁକ୍ରେନ୍‌ ଯୁଦ୍ଧରେ ଭାରତର ନିରପେକ୍ଷତା କ୍ରମଶଃ ୟୁରୋପୀୟ ୟୁନିୟନ୍‌କୁ ଭାରତ ସମ୍ପର୍କରେ ହତାଶା ଆଣିଦେଇପାରେ। କାରଣ ଭାରତ ବାରମ୍ବାର କହିଆସିଛି ଯେ, ଏ ଦେଶ ଏକ ମୂଲ୍ୟବୋଧ ଉପରେ ବିଶ୍ୱାସ କରିଆସିଛି। କୌଣସି ଦେଶର ସାର୍ବଭୌମତ୍ୱ ଓ ମୌଳିକ ଅଖଣ୍ଡତା ଉପରେ ଭାରତ ଦୃଢ଼ ବିଶ୍ୱାସ ରଖିଆସିଛି। କିନ୍ତୁ ୟୁକ୍ରେନ୍‌ କ୍ଷେତ୍ରରେ ଭାରତର ସେହି ମୂଲ୍ୟବୋଧ ପ୍ରତିଫଳିତ ହେଉନାହିଁ। ରୁଷିଆ ୟୁକ୍ରେନ୍‌ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଯେଉଁ ଧମକମାନ ଦେଉଛି, ବର୍ତ୍ତମାନ ସ୍ଥିତିରେ ଭାରତ ତାହାକୁ ବିରୋଧ କରୁନାହିଁ। ଏହା ହେଉଛି ବର୍ତ୍ତମାନ ପାଇଁ ଭାରତର ଦ୍ୱନ୍ଦ୍ୱ।

ଏଠାରେ ଏବେ ପ୍ରଶ୍ନ ଉଠୁଛି ଯେ, ଭାରତର ଆଣବିକ ନୀତି କ’ଣ ହେବା ଉଚିତ। ଏଠାରେ ମହତ୍ତ୍ବପୂର୍ଣ୍ଣ କଥା ହେଲା, ଆଣବିକ ଅସ୍ତ୍ର କେବଳ ଯୁଦ୍ଧ ବେଳେ ପ୍ରୟୋଗ କରାଯାଏ ନାହିଁ। ଏହା ପାଖରେ ଥିଲେ ଅନ୍ୟ ଦେଶମାନଙ୍କୁ ଆକ୍ରମଣ କରିବାରୁ ଏହା ବିରତ କରିଥାଏ। ଯେତେବେଳେ ସୋଭିଏତ୍‌ ୟୁନିୟନ୍‌ ଏକ ରାଷ୍ଟ୍ର ଥିଲା ସେତେବେଳେ ୟୁକ୍ରେନ୍‌, ବେଲାରୁଷ୍‌, କାଜାକସ୍ତାନ ଆଦି ରାଷ୍ଟ୍ରମାନେ ଏହାର ଅଂଶ ଥିଲେ। ଯେତେବେଳେ ସୋଭିଏତ୍‌ ୟୁନିୟନ୍‌ ନବେ ଦଶକର ଆରମ୍ଭରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା, ସେତେବେଳେ ଏହି ଦେଶମାନେ ସ୍ୱାଧୀନ ହୋଇଗଲେ। କିନ୍ତୁ ସୋଭିଏତ୍‌ ୟୁନିୟନ୍‌ର ପରମାଣୁ ଅସ୍ତ୍ରମାନଙ୍କର ଏକ ବଡ଼ ଅଂଶ ଏହି ଦେଶମାନଙ୍କ ପାଖରେ ରହିଗଲା। ଯେଉଁ ଚେର୍ଣ୍ଣୋବିଲ୍ ପରମାଣୁ କାରଖାନା ଆଣବିକ ପ୍ରଦୂଷଣ ସୃଷ୍ଟି ପାଇଁ ବିଶ୍ୱରେ କୁଖ୍ୟାତ ହୋଇଥିଲା, ତାହା ୟୁକ୍ରେନ୍‌ରେ ଅବସ୍ଥିତ ଓ ରୁଷିଆର ସୈନ୍ୟମାନେ ସେହି ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରୁଛନ୍ତି। କିନ୍ତୁ ସୋଭିଏତ୍‌ ୟୁନିୟନ୍‌ର ପତନ ପରେ ଓ ନୂଆ ସ୍ୱାଧୀନ ରାଷ୍ଟ୍ରମାନଙ୍କ ଅଭ୍ୟୁତ୍‌ଥାନ ପରେ ୧୯୯୪ରେ ଏହି ପରମାଣୁ ସମ୍ପନ୍ନ ରାଷ୍ଟ୍ରମାନେ ଗୋଟିଏ ବୁଦାପେଷ୍ଟ ସୁରକ୍ଷା ପ୍ରତିଶ୍ରୁତି ଜ୍ଞାପନରେ ସ୍ୱାକ୍ଷର କରି ସେମାନଙ୍କ ପରମାଣୁ ଅସ୍ତ୍ରଗୁଡ଼ିକ ନଷ୍ଟ କରିଦେଲେ। ଏହା କରିଥିବାରୁ ଏବେ ୟୁକ୍ରେନ୍‌ ପରି ଦେଶମାନେ ଘୋର ଅନୁତାପ କରୁଛନ୍ତି। କାରଣ ଯଦି ୟୁକ୍ରେନ୍‌ ହାତରେ ପରମାଣୁ ଅସ୍ତ୍ର ଥାଆନ୍ତା ତେବେ ରୁଷିଆ ଏହି ଦେଶ ଉପରେ ଆକ୍ରମଣ କରିବା ପୂର୍ବରୁ ଦଶ ଥର ଚିନ୍ତା କରିଥାଆନ୍ତା।

ଏବେ କେବଳ ଯେ ଚୀନ ଓ ପାକିସ୍ତାନ ନିଜ ମଧ୍ୟରେ ଅର୍ଥନୈତିକ, ସାମରିକ ସହଯୋଗିତା ଅନେକ ବଢ଼ାଇ ଦେଲେଣି ସେତିକି ନୁହେଁ, ସେମାନେ ଅଧିକରୁ ଅଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ନିର୍ମାଣ କରି ତାହାକୁ ଠୁଳ କରି ରଖୁଛନ୍ତି। ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ୍‌ର ରିପୋର୍ଟ ଅନୁସାରେ ଏବେ ଚୀନ ପାଖରେ ଆଗାମୀ ୬ ବର୍ଷ ମଧ୍ୟରେ ୭୦୦ ପରମାଣୁ ଅସ୍ତ୍ର ଠୁଳ ହୋଇ ରହିବ। ଆଗାମୀ ୨୦୩୦ ବେଳକୁ ଏହି ଅସ୍ତ୍ର ସଂଖ୍ୟା ୧୦୦୦କୁ ବଢ଼ିବ। ପାକିସ୍ତାନ ମଧ୍ୟ ସେମିତି ଆଣବିକ ଅସ୍ତ୍ର ଠୁଳ କରିବାରେ ଲାଗିଛି। ଅତୀତରେ ଯେତେବେଳେ ଏହି ଦେଶ ଆମେରିକାର ବନ୍ଧୁ ରାଷ୍ଟ୍ର ଥିଲା, ସେତେବେଳେ ପାକିସ୍ତାନର ଏହି ପରମାଣୁ ବୋମା ଠୁଳକୁ ଆମେରିକା ଅଣଦେଖା କରିଥିଲା। ଏହାଛଡ଼ା ଭାରତର ଯେମିତି ‘ପ୍ରଥମ ବ୍ୟବହାର ନୁହେଁ’ ବୋଲି ବାଜପେୟୀଙ୍କ ବେଳୁ ପରମାଣୁ ନୀତି ରହିଆସିଛି, ପାକିସ୍ତାନର ସେମିତି କିଛି ନୀତି ନାହିଁ। ଏହି ଭାରତୀୟ ନୀତିର ଅର୍ଥ ହେଲା, କୌଣସି ଦେଶ ଉପରେ ଭାରତ ପ୍ରଥମେ ପରମାଣୁ ଅାକ୍ରମଣ କରିବ ନାହିଁ। ଭାରତ ଉପରେ ଏହି ଆକ୍ରମଣ ହେଲେ ଯାଇ ଭାରତ ସେପରି ପ୍ରତିଆକ୍ରମଣ କରିବ। ଏହାଛଡ଼ା ଯେଉଁ ଦେଶ ନିକଟରେ ଅ‌ାଦୌ ପରମାଣୁ ବୋମା ନାହିଁ, ସେହି ଦେଶ ଉପରେ ଭାରତ କେବେ ହେଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ ନାହିଁ ବୋଲି ଏହି ନୀତିରେ ଅନ୍ତର୍ଭୁକ୍ତ ଅଛି।

ପାକିସ୍ତାନ ନିକଟରେ ଏବେ ସ୍ୱଳ୍ପ ଦୂରଗାମୀ ଅସ୍ତ୍ର (ହାଟ୍‌ସଫ୍ ଆଇଏକ୍‌ସ) ଓ ଅନ୍ୟ କେତେକ କ୍ଷେପଣାସ୍ତ୍ରମାନ ରହିଛି ଯାହାକୁ ଭାରତର ପାରମ୍ପରିକ ସାମରିକ ଶ୍ରେଷ୍ଠତାକୁ ନଷ୍ଟ କରିବା ପାଇଁ ବ୍ୟବହାର କରିହେବ। ଏଥିରେ ମଧ୍ୟ ପରମାଣୁ ଅସ୍ତ୍ର କ୍ଷମତା ରହୁଛି। ଏହାଛଡ଼ା ଭାରତର ‘କୋଲ୍‌ଡଷ୍ଟାର୍ଟ’ ସାମରିକ ନୀତି ରହିଛି ଯଦ୍ଦ୍ୱାରା ଭାରତୀୟ ସେନା ଅତି ଦ୍ରୁତ ଗତିରେ ପାକିସ୍ତାନୀ ଅଞ୍ଚଳକୁ ପ୍ରବେଶ କରିପାରିବେ। ଏହାକୁ ରୋକିବାକୁ ପାକିସ୍ତାନ ନସ୍ର ଅର୍ଦ୍ଧପରମାଣୁ କ୍ଷେପଣାସ୍ତ୍ର ପ୍ରୟୋଗ କରିବ। ଚୀନ୍‌ର ଭାରତ ଉପରେ ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ସାମରିକ ଶ୍ରେଷ୍ଠତା ଅଛି। ଆମେରିକାର ୟୁରୋପ ଉପରେ ଧ୍ୟାନକେନ୍ଦ୍ରିତ ହେବା ଦ୍ୱାରା ଚୀନ ମଧ୍ୟ ଭାରତର ଉତ୍ତର ପୂର୍ବାଞ୍ଚଳରେ ତା’ର ଆକ୍ରାମକ ନୀତିକୁ ବଢ଼ାଇପାରେ। ଏଣୁ ଭାରତକୁ ପରମାଣୁ ଅସ୍ତ୍ର ଉତ୍ପାଦନର ଭିତ୍ତିଭୂମି ନିର୍ମାଣ କରିବାକୁ ପଡ଼ିବ। ଏହାର ନିୟନ୍ତ୍ରଣ ବ୍ୟବସ୍ଥା (କମାଣ୍ଡ ଏଣ୍ଡ କଣ୍ଟ୍ରୋଲ) ଠିକ କରିବାକୁ ପଡ଼ିବ। ଏଥିପାଇଁ ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ନିର୍ମାଣ କରିବାକୁ ପଡ଼ିବ। ଆଣବିକ ଭିତ୍ତିଭୂମି ଏବେ ମୁଖ୍ୟତଃ ଅନାବଶ୍ୟକ ହୋଇଥିଲେ ମଧ୍ୟ ଏହା ଭାରତ ପାଇଁ ଆବଶ୍ୟକ ଅଟେ। ଏହାଦ୍ୱାରା ଏହାର ପ୍ରତିରକ୍ଷା ବ୍ୟବସ୍ଥା ଯେ ଅତ୍ୟନ୍ତ ସୁଦୃଢ଼ ବୋଲି ଏହି ବାର୍ତ୍ତା ବିଶ୍ୱକୁ ଚାଲିଯିବ। ୧୯୯୮ରେ ଭାରତ ପୋଖରଣ ପରମାଣୁ ପରୀକ୍ଷଣ କଲା। ତା’ପରେ ପାକିସ୍ତାନ ମଧ୍ୟ ସେଇଆ କଲା। ଭାରତ ଏକ ଟ୍ରାଇ ସର୍ଭିସ୍‌ ଷ୍ଟ୍ରାଟେଜିକ୍‌ ସର୍ଭିସ୍‌ କମାଣ୍ଡ ଗଢ଼ିଛି ଯାହା ପରମାଣୁ ବୋମା ସମ୍ପର୍କରେ ନିଷ୍ପତ୍ତି ନେବ। ଏହାଛଡ଼ା ୨୦୦୩ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନ୍ୟୁକ୍ଲିଅର କମାଣ୍ଡ ଅଥରିଟି ମଧ୍ୟ ଗଢ଼ା ହୋଇଛି।

ତେବେ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ (ସବ୍‌ମେରିନ୍‌) ନିର୍ମାଣ କରିବାର ଆବଶ୍ୟକତା ରହିଛି। ପାଣି ଭିତରୁ ସେତେବେଳେ ଯାଇ ପରମାଣୁ ଆକ୍ରମଣ କରି ହେବ, ଯାହାକୁ କୁହାଯାଏ ଏସ୍‌.ଏସ୍‌. ବି.ଏନ୍‌.। ଭାରତରେ ଏବେ ମାତ୍ର ଗୋଟିଏ ଏସ୍‌.ଏସ୍‌.ବି.ଏନ୍‌. ଅଛି ଯାହାର ନାମ ଆଇ.ଏନ୍‌.ଏସ୍‌., ଅରିହଣ୍ଟା; ରୁଷିଆ ସାହାଯ୍ୟରେ ଏହା ନିର୍ମିତ ହୋଇଛି। ଏହା କିନ୍ତୁ ଅନ୍ୟମାନଙ୍କ ଅପେକ୍ଷା କ୍ଷୁଦ୍ର। ଏହାର ଓଜନ ମାତ୍ର ୬୦୦୦ ଟନ୍‌ ଓ ୭୦୦ କିଲୋମିଟରକୁ ଆଣବିକ କ୍ଷେପଣାସ୍ତ୍ର ପ୍ରୟୋଗ ଏଥିରୁ କରାଯାଇପାରେ। ଆଉ ଦୁଇଟି ୭୦୦୦ ଟନ୍‌ ବିଶିଷ୍ଟ ଏସ୍‌.ଏସ୍‌.ବି.ଏନ୍‌. ନିର୍ମାଣ ଚାଲିଛି। ଏହା ପରେ ୧୩,୫୦୦ ଟନ୍‌ ବିଶିଷ୍ଟ ଆଉ ଏକ କ୍ଷେପଣାସ୍ତ୍ରବାହୀ ଜାହାଜ ନିର୍ମିତ ହେବାକୁ ଯାଉଛି। ଏହା ପରେ ୫୦୦୦ କି.ମି. ପ୍ରେରଣଯୋଗୀ କ୍ଷେପଣାସ୍ତ୍ର ପ୍ରୟୋଗର ଉଦ୍ୟମ ଚାଲିଛି। ଗତ କେତେ ବର୍ଷ ହେଲା ଭାରତ ନିକଟରେ ଥିବା ସୁଖୋଇ, ମିରେଜ ଓ ଜାଗୁଆର ଯୁଦ୍ଧ ବିମାନମାନଙ୍କୁ ନୂଆକରି ଗଢ଼ାଯାଉଛି; ଯେମିତି ସେମାନେ ପରମାଣୁ ବୋମା ବହନ କରିପାରିବେ ଓ ତା’ର ପ୍ରୟୋଗ କରିପାରିବେ। ଏବେ ଭାରତୀୟ ଯୁଦ୍ଧ ବିମାନବାହିନୀରେ ମିଶିଥିବା ‘ରାଫେଲ’ ଏହି ପରମାଣୁ ଅସ୍ତ୍ର ବହନ ଓ ପ୍ରୟୋଗର କ୍ଷମତାକୁ ବଢ଼ାଉଛି। ଅଗ୍ନି-୫ କ୍ଷେପଣାସ୍ତ୍ର ଭାରତୀୟ ସେନାରେ ଯୋଗ ଦେଇଛି; ଯାହା ୫୦୦୦ କି.ମି. ଦୂରକୁ ପ୍ରେରିତ ହୋଇପାରିବ। ପୂର୍ବରୁ ପୃଥ୍ବୀ (୩୫୦ କି.ମି), ଅଗ୍ନି-୧ (୭୦୦ କି.ମି.) ଓ ଅଗ୍ନି-୨ (୨୦୦୦ କି.ମି.) ଓ ଅଗ୍ନି-୩ (୩୦୦୦ କି.ମି.) ପ୍ରେରିତ ହେବା ପାଇଁ ପ୍ରସ୍ତୁତ ହୋଇ ରହିଛି। ଦ୍ବିତୀୟ ଥର ପ୍ରେରିତ ହେବାର ଆବଶ୍ୟକତାକୁ ମଧ୍ୟ ଏମାନେ ମେଣ୍ଟାଇପାରିବେ। ବହୁ ଦୂରକୁ କ୍ଷେପଣ କରିପାରୁଥିବା ଯୁଦ୍ଧାସ୍ତ୍ରମାନ ମଧ୍ୟ ଭାରତ ନିର୍ମାଣ କରିବା ଦରକାର। ହାଇପରସୋନିକ ବେଗରେ ଏକାଧିକ କ୍ଷେପଣାସ୍ତ୍ର ପ୍ରୟୋଗ କରିପାରୁଥିବା ଯୁଦ୍ଧାସ୍ତ୍ର ମଧ୍ୟ ଭାରତର ଦରକାର। ଏବେ ଭାରତ ନିକଟରେ ୧୫୦ ପରମାଣୁ ଅସ୍ତ୍ର ଥିଲା ବେଳେ ତାହାକୁ ୨୦୦କୁ ବଢ଼ାଇବାର ଯୋଜନା ଚାଲିଛି। ତା’ହେଲେ ଭାରତର ପ୍ରତିରକ୍ଷା ସୁଦୃଢ଼ ଓ ବିଶ୍ୱାସଯୋଗ୍ୟ ହେବ।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର