କୃତଜ୍ଞତାର ଯଜ୍ଞ

କହିବାର ଅଛି - ଦାଶ ବେନହୁର

ସମସ୍ତେ ଚାହାନ୍ତି ସୁଖରେ ରହିବେ। ହେଲେ ଏ ସୁଖ ଥାଏ କେଉଁଠି? ଧନରେ, ପ୍ରତିପତ୍ତିରେ, ପ୍ରସିଦ୍ଧିରେ, ବିଳାସ ବ୍ୟସନରେ, ଖାଦ୍ୟରେ, ନିଦ୍ରାରେ, ସ୍ବାସ୍ଥ୍ୟରେ ନା ସମ୍ଭୋଗରେ! ଏହାର ଉତ୍ତର ଖୁବ୍ କଠିନ। ଉପରୋକ୍ତ ସବୁ ଥାଇ ମଧ୍ୟ ନିଜର ପ୍ରିୟ ମଣିଷ ବା ବସ୍ତୁକୁ ହରାଇଦେଲେ ବ୍ୟକ୍ତିଟିଏ ମୁହ୍ୟମାନ ହୋଇପଡ଼େ। ସମ୍ବେଦନା ଥିବା ମଣି‌ଷଟି କାହାର ଦୁଃଖ କଥା ଶୁଣିଲେ ନିଜେ ଅସାଡ଼ ହୋଇଯାଏ। ଏ କଥା ଯେ କେବଳ ମଣିଷମାନଙ୍କ କ୍ଷେତ୍ରରେ ଘଟେ ସେ କଥା ନୁହେଁ। ଅନେକ ପ୍ରାଣୀ ଅଛନ୍ତି ଯେଉଁମାନଙ୍କ ଭିତରେ ସମ୍ବେଦନା ଥାଏ। ଖାମିଦର ଦୁଃଖରେ ସେମାନେ ଦୁଃଖୀ ହୋଇପଡ଼ନ୍ତି। ଖାଇବା ପିଇବା ଛାଡ଼ିଦେଇ ଶେଷରେ ଜୀବନ ହରେଇ ଦିଅନ୍ତି।

ପ୍ରତ୍ୟେକ ପ୍ରାଣୀ ପାଖରେ ମୌଳିକ ଭାବେ ଦେହଟି ହିଁ ଥାଏ। ଏହି ଦେହର ସୁରକ୍ଷା ତା’ର ମୌଳିକ ଅଧିକାର। କୃମି, କୀଟରୁ ଆରମ୍ଭ କରି ମଣିଷ, ସଭିଏଁ ଦେହଧାରୀ। ମାତ୍ର କୃମି, କୀଟଙ୍କର ମନ ନ ଥାଏ। ସଂସାରରେ ତିନିପ୍ରକାରର ପ୍ରାଣୀ। ଦେହଧାରୀ, ଦେହ-ମନଧାରୀ ଓ ଦେହ-ମନ-ଚେତନାଧାରୀ। କୃମି, କୀଟ, ପତଙ୍ଗ ସ୍ତରରୁ ଉନ୍ନୀତ ଜୀବଙ୍କର ମନ ଥାଏ। ଏ ମନ କେଉଁଠାରେ ଉତ୍ତୀର୍ଣ୍ଣ ତ କେଉଁଠାରେ ସାମାନ୍ୟ। ଜାଣିବା ଦରକାର ଯେ ଉନ୍ନତ ମନର ପ୍ରାଣୀମାନେ ହିଁ ନିଜ ଭିତରେ ସମ୍ବେଦନାର ସ୍ଥିତି ଉପୁଜାଇ ପାରନ୍ତି। ମଣିଷ ଯେତେ ଯେତେ ପ୍ରାଣୀଙ୍କୁ ଗୃହପାଳିତ କରିଛି ସେମାନେ ସମସ୍ତେ ମନ ଥିବା ପ୍ରାଣୀ। ଏଇ ମନକୁ ମଣ କରି ସେ ପ୍ରାଣୀଟିକୁ ବଶ କରେ। ତା’ ଭିତରେ ଆପଣା ଭାବଟିକୁ ସଞ୍ଚରିତ କରାଏ। ଗାଈ, ମଇଁଷି, କୁକୁର, ବିଲେଇ, ଛେଳି, ମେଣ୍ଢା, ଶୁଆ, ଶାରୀ, ପାରା ଆଦି ଯେତେ ଯେତେ ଗୃହପାଳିତ ପ୍ରାଣୀ ଏମାନେ ସମସ୍ତେ ମନଧାରୀ। ଯାହାର ମନ ନାହିଁ ସେ ଗୃହପାଳିତ ହେବା ଅସମ୍ଭବ।

ନେଉଳ, ମାଙ୍କଡ଼ ଆଦି ମୂଳତଃ ବନ୍ୟ ପ୍ରାଣୀ। ହେଲେ ସେମାନଙ୍କର ମନ ଥିବାରୁ ମଣିଷ ତା’ଙ୍କୁ ବଶ କରି ରଖେ। ଏ ମନ ଅନେକ ସମୟରେ ତାଲିମ ମାଧ୍ୟମରେ ଆପେ ଫୁଟି ଉଠେ। ସାଧନା ଓ ତପସ୍ୟା କରି ମଣିଷଟିଏ ସିଦ୍ଧି ପାଇବା ପରି ଅନେକ ସମୟରେ ଇତରପ୍ରାଣୀ ଦେହରେ ଅାପଣା ଭାବ, ସ୍ନେହ ଓ ସମ୍ବେଦନା ପୂରାଇ ମଣିଷ, ପଶୁର ମନକୁ ଉତ୍ତରିତ କରେ। ସେଇଥି ପାଇଁ ମନ ଥିବା ପ୍ରାଣୀମାନେ ମନୁଷ୍ୟ ସହ ସୁଖ ବାଣ୍ଟନ୍ତି। ଅବିକଶିତ ମନ ଥିବା ପ୍ରାଣୀମାନେ ବିକଶିତ ହୋଇ ପାରନ୍ତି। ମାଙ୍କଡ଼, ମଣିଷ ପାଇଁ ନାଚେ। ନେଉଳଟିଏ ମାଲିକର ଘର ଖୋଜି ଆପେ ଆସି ହାଜର ହୋଇଯାଏ।

ମନେ ନାଇଁ ପ୍ରେମଚାନ୍ଦଙ୍କର ସେ ସୁନ୍ଦର ଗପଟି! ‘ହୀରା-ମୋତି’! ହୀରା ଆଉ ମୋତି ନାମକ ଦୁଇ ବଳଦଙ୍କର ମାଲିକ ଝୁରୀ। ପରିସ୍ଥିତିରେ ପଡ଼ି ଝୁରୀ ବିକିଦିଏ ହୀରା, ମୋତିଙ୍କୁ। ହେଲେ ବିକଶିତ ମନ ଓ ସମ୍ବେଦନାରେ ଉତ୍ତରିତ ଦୁଇଟିଯାକ ପଶୁ ଦିନେ ଘର ଖୋଜି କେଉଁ ଦୂର ଅଞ୍ଚଳରୁ ଦଉଡ଼ି ଆସନ୍ତି ମାଲିକ ପାଖକୁ। ସେ ମିଳନର ଭାବାବେଗ ଅପୂର୍ବ। ଆଖିରୁ ଲୁହ ଖସେଇଦେବା ଭଳି ସେ କାହାଣୀ।

ପଶୁ ଭିତରକୁ ଏ ମନ ଆସିଲା କେ‌ମିତି? ଏଠାରେ ପଶୁଦୁଇଟିଙ୍କର ମନ ମଣିଷ ଦ୍ବାରା ତାଲିମ ପ୍ରାପ୍ତ। ଦୀର୍ଘବର୍ଷର ଆପଣା ସମ୍ବେଦନା ଦେଇ ମାନବେତରକୁ ଯେ ମନର ଉଚ୍ଚତମ ସୋପାନକୁ ନିଆଯାଇପାରେ ଏହା ତା’ର ଏକ ନିଚ୍ଛକ ଉଦାହରଣ। ସେମିତି ରାଜା ପୁରୁଙ୍କର ‘ଯୁଦ୍ଧହାତୀ’, ଯିଏ ତେଣ୍ଟା, ବର୍ଚ୍ଛା, ଖଣ୍ଡାଚୋଟ ଖାଇ ଶେଷଯାଏ ମାଲିକକୁ ଜାବୁଡ଼ି ରଖିଛି ନିଜର ଚାରିଗୋଡ଼ ଭିତରେ। ସେମିତି ମହାରାଣା ପ୍ରତାପଙ୍କର ଘୋଡ଼ା ‘ଚୈତକ’। ମାଲିକଙ୍କ ଲାଗି କି ବଳିଦାନ! ସେମିତି ଜାପାନୀ ମାଲିକ ହିଦେସାବୁରୁଙ୍କ କୁକୁର ‘ହାଚିକୋ’। ବା ଆଲେକ୍‌ଜାଣ୍ଡରଙ୍କ ଘୋଡ଼ା ‘ବୁସେଫେଲସ୍’।

ଏମିତି ଅନେକ କାହାଣୀ ଅଛି ପଶୁଦେହଧାରୀ ବିକଶିତ ମନର। ମନ ଯେତେବେଳେ ଅତି ଅଧିକ ବିକଶିତ ହୁଏ ତାହା ଚେତନାକୁ ଜାଗ୍ରତ କରାଏ। ଏଇ ଯେ ‘ହୀରା-ମୋତି’, ପୁରୁଙ୍କ ‘ଯୁଦ୍ଧ-ହାତୀ’ (ଦୁଃଖ! ଯେ ଇତିହାସ ତା’ର ନାମକୁ ଟିପି ରଖିପାରିନାହିଁ।), ‘ଚୈତକ’, ‘ହାଚିକୋ’ ବା ‘ବୁସେଫେଲସ୍’ ଏମାନେ ମାନବେତର ପ୍ରାଣୀ, ମାତ୍ର ମଣିଷ ସଂସ୍ପର୍ଶରେ ଆସି ସମସ୍ତେ ଅଦ୍‌ଭୁତ ଚେତନାର ଅଧିକାରୀ ହୋଇଥିଲେ।

ପ୍ରାଣୀ ମାତ୍ରେ ଶକ୍ତିଧାରୀ। କିଏ କେବଳ ଦେହ ଶକ୍ତିଧାରୀ ତ କିଏ ସ୍ମୃତି ଶକ୍ତିଧାରୀ, କିଏ ମେଧା ଶକ୍ତିଧାରୀ, କିଏ ମନ ଶକ୍ତିଧାରୀ। ମାତ୍ର ମଣିଷ ଏକମାତ୍ର ପ୍ରାଣୀ ଯେ କି ଦେହ, ମନ ଓ ଚେତନାର ଅପୂର୍ବ ଅଧିକାରୀ। ମଣିଷ ସାଧନା କଲେ ଏ ତିନିଶକ୍ତିର ଅସମ୍ଭବ ସ୍ତରକୁ ଉନ୍ନୀତ ହୋଇଯାଇପାରେ। ମାତ୍ର ମୂଳକଥା ରହିଛି ସାଧନାରେ। ସାଧନା ବିନା ସିଦ୍ଧି ନାହିଁ। ଅନେକ ସମୟରେ ଆମେ ଜ୍ଞାନକୁ ପ୍ରାଧାନ୍ୟ ଦେଇ ଭକ୍ତିକୁ ଅଣଦେଖା କରୁ। ଜ୍ଞାନ, ଆଲୁଅ ଜାଳିଦିଏ ମାତ୍ର ବାଟ ବା ମାର୍ଗ ଦେଖାଏ ନାହିଁ। ଭକ୍ତି ହିଁ ମାର୍ଗ ପ୍ରଦର୍ଶକ। ବୈଜ୍ଞାନିକ ବିଜ୍ଞାନର ଭକ୍ତ ନ ହେଲେ କେବଳ ଜ୍ଞାନ ନେଇ ଗବେଷଣା କରିପାରିବେ ନାହିଁ। ସାହିତ୍ୟିକ ଶବ୍ଦଜ୍ଞାନ, ଶାସ୍ତ୍ରଜ୍ଞାନ, ଅଳଙ୍କାରଜ୍ଞାନ ଧରି ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କରିପାରିବେ ନାହିଁ, ଯେ ପର୍ଯ୍ୟନ୍ତ ଆପଣା ଭାବ ପ୍ରତି ସେ ଭକ୍ତିଶୀଳ ହୋଇ ନାହାନ୍ତି।

ଚେତନାର ଶୀର୍ଷତମ ସ୍ତର ହେଉଛି ସିଦ୍ଧି। ଏ ସିଦ୍ଧି, ଜ୍ଞାନ ଓ ଭକ୍ତିର ମିଶ୍ରଣରେ ହିଁ ସମ୍ଭବ ହୋଇଥାଏ। ଆଶ୍ଚର୍ଯ୍ୟର କଥା ଫରୁଆ ଭିତରେ ଫରୁଆ ପରି ଭକ୍ତି ଭିତରେ ଥାଏ ଜ୍ଞାନ ଆହରଣର ସମ୍ଭାବନା, ଯାହା ଜ୍ଞାନରେ ନ ଥାଏ। ଜ୍ଞାନ ଆପେ ଭକ୍ତି ସୃଷ୍ଟି କରେନାହିଁ, ଅଥଚ ଭକ୍ତ ଆପେ ଭକ୍ତିର ଉତ୍କର୍ଷ ମାଧ୍ୟମରେ ଜ୍ଞାନ ହାସଲ କରେ।

ଜ୍ଞାନ ମାଧ୍ୟମରେ ଭକ୍ତିଲାଭ ଲାଗି ମୂଳ କଥାଟି ରହିଛି କୃତଜ୍ଞତାରେ। ଯେ କୌଣସି ଜ୍ଞାନଜ୍ଞ ବା ବିଦ୍ବାନ ଯେତେ ପଣ୍ଡିତ ହେଲେ ମଧ୍ୟ କୃତଜ୍ଞତା ନ ଥି‌େଲ ସେ ଭକ୍ତ ହୋଇପାରନ୍ତି ନାହିଁ। ଋଷି ବିଶ୍ବାମିତ୍ର ଥିଲେ ଅମାପ ଜ୍ଞାନର ଅଧିକାରୀ। ହେଲେ ବଶିଷ୍ଠଙ୍କୁ ସେ ଟପି ପାରିଲେ ନାହିଁ କାରଣ ବଶିଷ୍ଠଙ୍କ ଭିତରେ ଜ୍ଞାନ ସହ ଥିଲା କୃତଜ୍ଞତାର ଭାବ। ଅନେକ ଅନ୍ବେଷା ପରେ ବିଶ୍ବାମିତ୍ର ଯେ ସିଦ୍ଧି ଲାଭ କଲେ, ତାହା ଜ୍ଞାନ ମାଧ୍ୟମରେ ନୁହେଁ, ଜ୍ଞାନ ମିଶା ଭକ୍ତି ମାଧ୍ୟମରେ ଯାହା ବଶିଷ୍ଠଙ୍କ ଠାରୁ ଶିଖି ସେ ପାଇଥିଲେ କୃତଜ୍ଞତାକୁ ପାଥେୟ କରି।

ଏତେ ସବୁ ଆଲୋଚନାର ମୂଳକଥା ହେଲା ଯେ ସୁଖ ହିଁ ଅସଲ ସିଦ୍ଧି। ଅର୍ଥ ଓ ପ୍ରସିଦ୍ଧି ଏପରି କି ଅତୁଟ ସ୍ବାସ୍ଥ୍ୟ ଥାଇ ମଣିଷଟିଏ ଅସୁଖୀ ହୁଏ କାହିଁକି? ଏମିତି ନୁହେଁ ଯେ ଧନ, ପ୍ରତିପତ୍ତି ବା ନିରୋଗଭାବ ମଣିଷକୁ ସୁଖ ଦେବ! ଧରାଯାଉ ଜଣେ ବ୍ୟକ୍ତିଙ୍କ ପାଖରେ ଆମେ ସୁଖର ମାଧ୍ୟମ ଭାବରେ ବିଚାର କରୁଥିବା ସବୁ କଥା ଅଛି ମାତ୍ର ତାଙ୍କର ଚେତନା ବିକଶିତ ନୁହେଁ। ତା’ଙ୍କର ଚେତନାର ସ୍ତର ସବୁବେଳେ ତଳ ସହ ବାନ୍ଧି ହୋଇ ରହୁଛି। ମୋ ଘର, ମୋ ସମ୍ପତ୍ତି, ମୋ ସାମାଜିକ ସ୍ଥିତି, ମୋ ଲୋକ, ମୋ ପରିବାର, ମୋ ଦେହ। ଏ ସବୁ କଥା ଥାଇ ବି ଜଣେ ଯେ ସୁଖୀ ହୋଇପାରନ୍ତି ନାହିଁ, ତା’ର କାରଣ କ’ଣ?

ଅସଲ କଥା ହେଲା ସବୁଥାଇ ଯେ ଅକୃତଜ୍ଞ, ତା’ର ମନ ଆପେ କଳଙ୍କି ଲଗା। ମନ ପରିଚ୍ଛନ୍ନ ନ ହେଲେ ସେ ବିକଶିତ କେମିତି ହେବ? ଚେତନା ଉତ୍ତରିତ ହୋଇପାରିବ ନାହିଁ। କେମିତି ପାଇବ ସେ ସୁଖ!

ଏଠାରେ ଜଣେ ଧନୀ ଓ ଜଣେ ଗରିବଙ୍କ ସୁଖର କଥା ତୁଳନା କରିବା। ଆମେ କହିପାରିବା କି ଧନ ଥିବା ଲୋକଟି ଗରିବ ଲୋକଟି ଠାରୁ ଅଧିକ ସୁଖୀ ନିଶ୍ଚୟ! ନା। ତା’ର କାରଣ ଧନ, ସୁଖର ମାପକାଠି ନୁହେଁ। ସବୁ ଥାଇ ଧନର ମନଟି ଯଦି ସୁଖମୁଖୀ ନୁହେଁ ତେବେ ସେ ଅସୁଖୀ। ଅଥଚ ଗରିବଟିର କିଛି ନ ଥାଇ ତା’ର ଚେତନାସଂଯୁକ୍ତ ମନଟି ଯଦି ସୁଖ-ପିଢ଼ାରେ ବସିଛି ତେବେ ସେ ଆପେ ସୁଖୀ।

କହିବାର ଅଛି, ମନ ହିଁ ସୁଖର ଅସଲ ଯଜ୍ଞବେଦି। ଏବଂ ଯଜ୍ଞବେଦିର ଯେ ହବନ କ୍ରିୟା ସେଥିରେ ମୂଳ ହେଉଛି କୃତଜ୍ଞତା। କୃତଜ୍ଞତା ନ ଥାଇ ଯେଉଁ ଯଜ୍ଞ ତାହା କେବଳ ଅଗ୍ନିର ବାହାସ୍ଫୋଟ। ତାହା ଦ୍ବାରା ଅଯଥା ଉତ୍ତାପ ସୃଷ୍ଟି ହୋଇପାରେ। ସେଥିରେ ନା ଥାଏ ବ୍ୟକ୍ତିର କୁଶଳ ନା ସମୂହର କଲ୍ୟାଣ।
ଏବେ ଉଭୟ ଯଜ୍ଞ ଓ କୃତଜ୍ଞତାର ମୂଳ ଉପାଦାନଗୁଡ଼ିକୁ ବୁଝିବା ଆବଶ୍ୟକ। ଅନେକ ସମୟରେ ଲୋକେ ଯଜ୍ଞକୁ ହୋମ ସହ ତୁଳନା କରନ୍ତି। ହେଲେ ହୋମ ହେଉଛି ଯଜ୍ଞାଗ୍ନିରେ ଘିଅ ଢାଳିବା। ଏ କାର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ। ଯଜ୍ଞର ବିଚାର ଆଉଟିକେ ଅଧିକ ବିସ୍ତାରିତ। ଯଜ୍ଞର ଅସଲ ନିୟାମକ ହୋମ ହେଲେ ବି ଯଜ୍ଞର ମୂଳ କଥା ହେଲା ଉତ୍ସର୍ଗ ବା ତ୍ୟାଗ। ପାଲି, ସଂସ୍କୃତ ଏବଂ ବୌଦ୍ଧଧର୍ମରେ ଯଜ୍ଞକୁ ନେଇ ଯେତେ ବ୍ୟାଖ୍ୟାନ ରହିଛି ତାହା ହେଉଛି ନୈସର୍ଗିକ ତ୍ୟାଗ। କୁହାଯାଇଛି ଯେ ବିଶ୍ବର ହିତ ନି‌ମନ୍ତେ ସମତୁଲତା ଆଣିବା ପାଇଁ ଯେଉଁ ଉତ୍ସର୍ଗ କରାଯାଏ ତାହା ହିଁ ଯଜ୍ଞ। ବେଦରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଆଗମ ଓ ତନ୍ତ୍ରବିଦ୍ୟାରେ ଯଜ୍ଞ ଲାଗି ଯେଉଁ ବିଧାନ ରହିଛି ତା’ର ଗୋଟିଏ ଅର୍ଥ- ‘‘ପରମ ଉତ୍ସର୍ଗ’’।
ଯଦି ବିଶ୍ବକଲ୍ୟାଣ ଲାଗି ଉତ୍ସର୍ଗ ହିଁ ଅସଲ ମାର୍ଗ ତେବେ ସମୂହ ସୁଖ ସକାଶେ ବ୍ୟକ୍ତି ଯେ ଯଜ୍ଞ ଆବଶ୍ୟକ କରୁଛି ତାହା କ’ଣ ମନ୍ତ୍ରଜ୍ଞାତା ବ୍ରାହ୍ମଣଙ୍କୁ ଡାକି ଆଣି ଅଗ୍ନିକୁଣ୍ଡଟିଏ କରି ସେଥିରେ ବଜାରକିଣା ଘିଅ ଢାଳିଲେ ହାସଲ ହୋଇପାରିବ? ଏହା କେବଳ ଆପଣା ଅହଂର ପୁନଃ ପ୍ରତିପାଦନ। ମୁଁ ପାରେ, ମୁଁ ସମର୍ଥ, ମୁଁ ଏତେ ବଡ଼ ଅଗ୍ନିକୁଣ୍ଡର ଆୟୋଜନ କରିପାରିଲିର ଅହଂକାର ଛଡ଼ା ଏହା ଅବା କେଉଁ କଲ୍ୟାଣର ଯଜ୍ଞ?

ମଣିଷ ମାତ୍ରେ ସେ କେତେ କେତେ ଉପାଦାନର ଅଧିକାରୀ। ତା’ ଭିତରେ ନିଆଁ ଅଛି, ପାଣି ଅଛି। ମହୁ ଅଛି, ଘିଅ ଅଛି। କୃତଜ୍ଞତା ହିଁ ମଣିଷ ଭିତରର ଘିଅ। ନିଜ ଭିତରର କ୍ଷୀରକୁ କେତେ ସିଦ୍ଧ କରି ସର ବସେଇ ଲବଣି ପ୍ରସ୍ତୁତ କରି ସମର୍ପଣର ଅଗ୍ନିରେ ଜାଳିଲେ ସେଥିରୁ କୃତଜ୍ଞତାର ଘିଅ ବାହାରେ। ଏଇଠି ମନେ ରଖିବା ଆବଶ୍ୟକ ଯେ ଆମେ ‌ଅନେକ କୃତଜ୍ଞତା ନାମରେ ମିଛ ବାହାନା କରୁ। ତା’ର ମୂଳ ଉଦ୍ଦେଶ୍ୟ ଲାଭ ଉଠେଇବା। ମାତ୍ର କୃତଜ୍ଞତା ମଣିଷକୁ ଅମ୍ଳାନ ସୁଖ ପ୍ରଦାନ କରେ। ସେ କଥା ପ୍ରତି ଅନେକ ଅନଭିଜ୍ଞ। ଯେ କୌଣସି ପ୍ରାଣୀ, ବ୍ୟକ୍ତି, ଆଦର୍ଶ, ଅନୁଷ୍ଠାନ, ଉପାଦାନ ଏପରି କି ବୃକ୍ଷଲତା, ଇତରପ୍ରାଣୀଙ୍କ ପ୍ରତି ଉଚ୍ଚତର ମଣିଷ ସବୁବେଳେ କୃତଜ୍ଞତା ପ୍ରକାଶ କରେ। ଏ ପ୍ରକ୍ରିୟାରେ ଯେ କୃତଜ୍ଞ ସେ ହିଁ ଉପକାର ପାଏ, ଯାହା ପ୍ରତି ଏ କୃତଜ୍ଞତା ସେ ସେଥିରୁ କିଛି ପାଇବାର ନାହିଁ। ଆମେ ନଦୀ ପ୍ରତି, ବୃକ୍ଷ ପ୍ରତି ଏପରି କି ଆପଣା ଶରୀର ପ୍ରତି କୃତଜ୍ଞ ରହିଲେ ଆପେ ଲାଭବାନ ହେଉ। ପରିବେଶର ଆଜି ଯେ ଜଗତବ୍ୟାପୀ ଦୁଃସ୍ଥିତି; ମାଟି, ପାଣି, ପବନ, ଆକାଶରେ ବିଷ, ତାହା ସମ୍ଭବ ହୋଇଛି ମଣିଷ ଜାତିର ପ୍ରକୃତି ପ୍ରତି ଚରମ ଅକୃତଜ୍ଞତାରୁ।

ଯେ କୃତଜ୍ଞ, ସେ ସୁଖୀ; ଯେ ଅକୃତଜ୍ଞ ସେ ଅସୁଖୀ।

ପ୍ରଥମ କଥା ହେଲା କୃତଜ୍ଞତା କାହାକୁ ନ୍ୟୂନ କରେ ନାହିଁ ଓଲଟି ତାହାକୁ ଉତ୍ତରିତ କରେ। ମଣିଷ ସବୁବେଳେ ଉପକାରକାମୀ। ସୁଷମ ଖାଦ୍ୟ ଖାଇଲେ, ଦେହ ଭଲ ରହେ। ତେଣୁ ସେ ସୁଷମ ଖାଦ୍ୟ ପ୍ରତି ବିଶ୍ବାସୀ ହେବା ଆବଶ୍ୟକ। ଥରେ ବିଶ୍ବାସ ଜନ୍ମିଲେ ସେ ତା’କୁ ଗ୍ରହଣ କରେ, ତା’ ପ୍ରତି ସମର୍ପିତ ହୁଏ। ଏହି ସମର୍ପଣ ସମ୍ଭବ ହୁଏ କୃତଜ୍ଞତାରୁ। କୃତଜ୍ଞତା ଯେତେବେଳେ ଉଚ୍ଚାଙ୍ଗ ହୁଏ ତାହା ଭକ୍ତିରେ ପରିଣତ ହୁଏ। ଏ କଥା ଦେବତାଙ୍କ ଠାରୁ ଆରମ୍ଭ କରି ଦେଶ ବା ଯେ କୌଣସି ବସ୍ତୁ ଓ ଆଦର୍ଶ ପାଇଁ ମଧ୍ୟ ପ୍ରଯୁଜ୍ୟ। ଆମେ ପଥରଟିଏ ପୂଜା କରୁ, ଏଇ ବିଶ୍ବାସରେ ଯେ ସେଠାରେ ଦେବତାଟିଏ ଅଛି। ଏ ଭକ୍ତି ପଥର ପାଇଁ ନୁହେଁ, ପଥରରେ ଥିବା ଦେବତା ପାଇଁ। ପୁଣି ଆମେ ଯେତେବେଳେ ସମଗ୍ର ପ୍ରକୃତି ପ୍ରତି କୃତଜ୍ଞ ହେଉ ଆପେ ମାଟି, ପାଣି, ପବନ ଓ ଆକାଶର ଭକ୍ତ ପାଲଟି ଯାଉ। ପଥର ମଧ୍ୟ ପାଲଟେ ଭକ୍ତିର ଉପାଦାନ। ପତର ହୁଏ ଈଶ୍ବର।

ଆମର ପୂର୍ବପୁୁରୁଷମାନେ ଥିଲେ ପ୍ରକୃତି ପ୍ରତି କୃତଜ୍ଞ। ମାତ୍ର ଆମେ ଆଜି ପ୍ରକୃତିର ଧ୍ବଂସକାରୀ। ପରିବେଶ ପ୍ରତି, ପ୍ରକୃତି ପ୍ରତି ଆମର କୃତଜ୍ଞଭାବ ନାହିଁ, ତେଣୁ ଭକ୍ତି ଆସିବ କେଉଁଠୁ। ଭକ୍ତି ନ ଥିଲେ ସୁଖର ଯେ ଚେତନା ତା’ର କ୍ଷରଣ ହେବ କେମିତି?

ପୃଥିବୀରେ ଜ୍ଞାନର ପରିପ୍ରକାଶ ଘଟୁଛି ମାତ୍ର ସେଥିରେ ଭକ୍ତି ନାହିଁ। ଭକ୍ତି ନ ଥାଇ ଜ୍ଞାନୀ ହେଲେ ମଣିଷ ଅସୁର ପାଲଟେ। ଜ୍ଞାନ ଓ ଭକ୍ତିର ଉଚ୍ଚତମ ସୋପାନକୁ ଗଲେ ସେଇ ମଣିଷ ଦେବତା ହୁଏ। ଅନ୍ୟ ପକ୍ଷରେ ଜ୍ଞାନ ନ ଥିବା ମଣିଷ ଭକ୍ତିରେ ଜଡ଼ ସଡ଼ ହେଲେ ତା’ ଭିତରେ ମଣିଷପଣିଆର ଉନ୍ମେଷ ଆପେ ଆପେ ଘଟେ।

ଆଜିର ପୃଥିବୀ ବିଜ୍ଞାନର ମହାର୍ଘ ପୋଷାକରେ ନିଜକୁ ବିମଣ୍ଡିତ କରିଛି। ହେଲେ କେତେ ସୁଖୀ ସାମ୍ପ୍ରତିକ ଧରିତ୍ରୀର ମଣିଷମାନେ? ପାଶ୍ଚାତ୍ୟ ଜଗତରେ ସୁଖର ସୂଚକାଙ୍କକୁ ପଦାର୍ଥରେ ଖୋଜନ୍ତି। ଆମେ ମଧ୍ୟ ଏତେ ବର୍ଷର ପୁରୁଣା ସଭ୍ୟତା ହୋଇ ତାଙ୍କ ନିଦାନକୁ ବିନା ସଙ୍କୋଚରେ ଗ୍ରହଣ କରୁ। ଭୁଲିଯାଉ ଯେ କେବଳ ସମୃଦ୍ଧି ସୁଖ ଦିଏ ନାହିଁ। ସୁଖ ଭୋଗ ପାଇଁ ବିକଶିତ ମନଟିଏ ଲୋଡ଼ା ଯାହା ଚେତନାର ସ୍ବର୍ଣ୍ଣିମ ଦ୍ବାରକୁ ସବୁବେଳେ ଉନ୍ମୁକ୍ତ କରି ରଖିବ।

ଆଜି କୃତଜ୍ଞତାର ଘୋର ଅଭାବ। ବାପା, ମା’, ଭାଇ, ବନ୍ଧୁ, ପଡ଼ୋଶୀ, ନିଜ ମାଟି, ନିଜ ଭାଷା ଏ ଭଳି କି ନିଜ ଦେଶ ପ୍ରତି ଯେଉଁ କୃତଜ୍ଞତା, ସେଥିରେ ଆମେ ସମ‌ସ୍ତେ ବହୁତ ପଛରେ। କୃତଜ୍ଞତା ତ ନାହିଁ, ଆମେ କୃତଜ୍ଞତାର ଯଜ୍ଞାନୁଷ୍ଠାନ କରିବା କେମିତି?

ଆସନ୍ତୁ କୃତଜ୍ଞ ହେବା, କୃତଜ୍ଞତାର ଚରମ ଉତ୍ସର୍ଗ ପ୍ରତିପାଦିତ କରି ନିଜକୁ ସୁଖୀ କରିବା ସହ ଦେଶ ଓ ପୃଥିବୀକୁ ସୁଖୀ କରାଇବା।

[email protected]

ସମ୍ବନ୍ଧିତ ଖବର