ପୂର୍ଣ୍ଣିମା ପୁରୁଷ

ଗୌରହରି ଦାସ

ବିଶ୍ବକବି ରବୀନ୍ଦ୍ରନାଥ କିଭଳି ଗୌତମ ବୁଦ୍ଧ (ଖ୍ରୀ.ପୂ. ୬୨୩ – ଖ୍ରୀ.ପୂ. ୫୪୩)ଙ୍କ ଦର୍ଶନର ମୁଗ୍‌ଧ ଉପାସକ ଥିଲେ ତାହା ତାଙ୍କର ‘ମୂଲ୍ୟପ୍ରାପ୍ତି’ କବିତାରୁ ଜାଣିହୁଏ। ଏହି କବିତା ସୁଦାସ ନାମକ ଜଣେ ମାଳୀକୁ ନେଇ। ଶୀତରାତିର କାକର ପଡ଼ି ପଦ୍ମଫୁଲ ଗୁଡ଼ିକ ସବୁ ନଷ୍ଟ ହୋଇଯାଇଛି। ସେହି ଫୁଲର ସମାଧିରେ କେବଳ ଗୋଟିଏ ଉଜ୍ଜ୍ବଳ ଫୁଲ ହସୁଛି। ମାଳୀ ପ୍ରଭାତରେ ସେଇ ଫୁଲଟି ତୋଳି ନେଉଛି, ରାଜାଙ୍କୁ ଉପହାର ଦେବ। ରାଜପ୍ରାସାଦକୁ ଯିବା ବାଟରେ ଆଉ ଜଣେ ଯାତ୍ରୀ ମାଳୀ ହାତର ଫୁଲଟିକୁ ଦେଖିଛି। ସେ ସହରକୁ ଆସିଥିବା ଗୌତମ ବୁଦ୍ଧଙ୍କୁ ଦର୍ଶନ କରିବାକୁ ଯାଉଛି। ଇଚ୍ଛା ହେଲା ପଦ୍ମଫୁଲଟି ନେଇ ତଥାଗତଙ୍କ ପାଦତଳେ ଭେଟିଦେବ। ଫୁଲଟିର ମୂଲ୍ୟ କ’ଣ? ସେ ପଚାରିଛି। ଗୋଟିଏ ସ୍ବର୍ଣ୍ଣ ମୁଦ୍ରା – ଉତ୍ତର ଦେଇଛି ମାଳୀ। ସେତିକିବେଳେ ରାଜା ପ୍ରସେନଜିତ୍‌ ଆସି ପହଞ୍ଚିଛନ୍ତି। ତାଙ୍କର ମଧ୍ୟ ଫୁଲଟି ନେଇ ବୁଦ୍ଧଙ୍କୁ ଦେବା ପାଇଁ ଆଗ୍ରହ। ସେ କହିଲେ, ମୁଁ ଦଶ ସ୍ବର୍ଣ୍ଣ ମୁଦ୍ରା ଦେଇ ଫୁଲଟିକୁ ନେବି। ପ୍ରଥମ ଗ୍ରାହକ କହିଲେ, ମୁଁ କୋଡ଼ିଏ ସ୍ବର୍ଣ୍ଣ ମୁଦ୍ରା ଦେବି। କେହି କାହାରିକୁ ଛାଡ଼ିବା ଲାଗି ପ୍ରସ୍ତୁତ ନୁହନ୍ତି ଦେଖି ମାଳୀର ଭାବାନ୍ତର ହେଲା। ସେ କହିଲା, ‘ମୁଁ ଫୁଲଟି ବିକିବି ନାହିଁ।’ ଏତକ କହି ସେ ସେଇ ଆମ୍ରବିତାନ ଆଡ଼େ ଫୁଲଟି ଧରି ଛୁଟିଲା, ଯେଉଁଠି ଗୌତମ ବୁଦ୍ଧ ଧ୍ୟାନମୁଦ୍ରାରେ ବସିଥିଲେ। ମାଳୀ ଯାଇ ବୁଦ୍ଧଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ କଲା ଏବ˚ ସଯତ୍ନରେ ସେଇ ଉଜ୍ଜ୍ବଳ ପଦ୍ମଫୁଲଟି ତାଙ୍କ ଚରଣ ତଳେ ଥୋଇଦେଲା। ଗୌତମ ବୁଦ୍ଧ ସ୍ମିତ ହସ ହସି ପଚାରିଲେ, ତୁମର କ’ଣ ଲୋଡ଼ା ବତ୍ସ! ବାଷ୍ପାକୁଳ କଣ୍ଠରେ ସୁଦାସ ମାଳୀ ଉତ୍ତର ଦେଲା- ଆପଣଙ୍କ ଚରଣତଳର ଧୂଳିକଣାଟିଏ ଭିନ୍ନ ଆଉ କିଛି ମୋର ପ୍ରୟୋଜନ ନାହିଁ।

ଖାଲି ଏହି କବିତା ନୁହେଁ ନିଜ ରଚନାରେ ଅନେକତ୍ର ରବୀନ୍ଦ୍ରନାଥ ଗୌତମ ବୁଦ୍ଧଙ୍କ ପ୍ରତି ତାଙ୍କର ଅନୁରାଗ ପ୍ରକାଶ କରିଛନ୍ତି। ସ˚ଯୋଗବଶତଃ ଚଳିତ ବର୍ଷ ଗୌତମ ବୁଦ୍ଧଙ୍କ ଜୟନ୍ତୀ ଆଜି, ବୈଶାଖ ପୂର୍ଣ୍ଣିମା ମଇ ୭ ତାରିଖରେ ପଡ଼ିଛି, ଯାହା ବିଶ୍ବକବି ରବୀନ୍ଦ୍ରନାଥଙ୍କର ଜନ୍ମ ତାରିଖ। ଗୟାଠାରେ ଗୌତମ ବୁଦ୍ଧଙ୍କ ମୂର୍ତ୍ତି ଦେଖିବା ପରେ ରବୀନ୍ଦ୍ରନାଥ କହିଥିଲେ, ‘‘ବୁଦ୍ଧ ଯେତେବେଳେ ରକ୍ତମା˚ସର ଶରୀରରେ ଏଇ ଧରାପୃଷ୍ଠରେ ବିଚରଣ କରୁଥିଲେ ସେତେବେଳେ ମୁଁ ଜନ୍ମ ନ ହେଲି କାହିଁକି! ତାହା ହୋଇଥିଲେ ତାଙ୍କର ଉଜ୍ଜ୍ବଳ ଉପସ୍ଥିତି ଓ ଭବ୍ୟ ବ୍ୟକ୍ତିତ୍ବର ହିତାଧିକାରୀ ହେବା ପାଇଁ ମୁଁ ସାମାନ୍ୟ ସୁଯୋଗ ହେଲେ ପାଇପାରିଥାନ୍ତି ତ!’’

କେବଳ ରବୀନ୍ଦ୍ରନାଥ ନୁହନ୍ତି ପୃଥିବୀର କୋଟି କୋଟି ମଣିଷ ଗୌତମ ବୁଦ୍ଧଙ୍କର ଏହି ପ୍ରକାର ମୁଗ୍‌ଧ ଉପାସକ। ଗୌତମ ଭଗବାନ ବିଷ୍ଣୁଙ୍କର ନବମ ଅବତାର ବୋଲି କିଛି ହିନ୍ଦୁ ଧର୍ମଗୁରୁଙ୍କର ଦାବି ସତ୍ତ୍ବେ ବୁଦ୍ଧ ନିଜକୁ କେବେ ଭଗବାନ ବା ଅବତାର ବୋଲି ଦାବି କରି ନ ଥିଲେ; ବର˚ ଏଇ ପ୍ରକାର ଅବତାରବାଦ, ବିଗ୍ରହ ପୂଜାର ସେ ସ˚ପୂର୍ଣ୍ଣ ବିରୋଧୀ ଥିଲେ। ତାଙ୍କ ବିଚାରରେ ପ୍ରତ୍ୟେକ ମଣିଷ ସମାନ। ସମାନତା ଓ ଐକ୍ୟ ବୌଦ୍ଧଧର୍ମର ଆଧାରଶିଳା। ମନୁବାଦୀ ଧର୍ମର ଆଧାର ଠିକ୍‌ ବିପରୀତ। ତାହାର ମୂଳ ତତ୍ତ୍ବ, ଗୋଟିଏ ନୁହେଁ, ମଣିଷ ଚାରି ବର୍ଣ୍ଣରେ ବିଭକ୍ତ। ଋକ୍‌ବେଦର ପୁରୁଷସୂକ୍ତ ଅନୁସାରେ ବ୍ରାହ୍ମଣମାନେ ବ୍ରହ୍ମପୁରୁଷଙ୍କ ମୁଖରୁ, କ୍ଷତ୍ରିୟମାନେ ବାହୁରୁ, ବୈଶ୍ୟମାନେ ଜଙ୍ଘରୁ ଏବ˚ ଶୂଦ୍ରମାନେ ପାଦରୁ ସୃଷ୍ଟି ହୋଇଛନ୍ତି। ଉଲ୍ଲେଖ ନିଷ୍ପ୍ରୟୋଜନ ଏହି ବର୍ଣ୍ଣଭେଦ ହିଁ ହିନ୍ଦୁ ସମାଜର ସର୍ବାଧିକ ସମସ୍ୟାର ମୂଳ କଥା। ବୌଦ୍ଧଧର୍ମ ଏହାର ଚରମ ବିରୋଧୀ।

ଗୌତମ ବୁଦ୍ଧ ଚେତନାର ହିମାଳୟ, ପୃଥିବୀକୁ ଭାରତବର୍ଷର ଶ୍ରେଷ୍ଠ ଅବଦାନ। ସେ ବିଚାର କରୁଥିଲେ, ପ୍ରତି ମଣିଷ ଭିତରେ ବୁଦ୍ଧତ୍ବର ସମ୍ଭାବନା ରହିଛି। କରୁଣା ହିଁ ମାନବିକତାର ପ୍ରଥମ ପରିଭାଷା। ସେ କହୁଥିଲେ, ‘‘ଆସନ୍ତାକାଲି କିମ୍ବା ଗତକାଲି ନୁହେଁ, ଆଜି ଉପରେ ଧ୍ୟାନ କେନ୍ଦ୍ରୀଭୂତ କର। ଅନ୍ତର ଭିତରେ ଆଶାର ଆଲୋକବର୍ତ୍ତିକାକୁ ଜଳେଇ ରଖ, ତାହାହେଲେ କେହି ତୁମକୁ ଦୁର୍ବଳ କରି ପାରିବ ନାହିଁ। ମହମବତିଟିଏର ଆଲୋକ ଯେତେ ନମ୍ର ହେଲେ ମଧ୍ୟ ପୃଥିବୀର ସବୁଯାକ ଅନ୍ଧାର ମିଶି ତା’ର ଆଲୋକକୁ ଢାଙ୍କିପାରନ୍ତି ନାହିଁ।’’

ବୈଶାଖ ପୂର୍ଣ୍ଣିମା ଗୌତମ ବୁଦ୍ଧଙ୍କ ଜୀବନ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତିଥି। ଏହି ତିଥିରେ କପିଳବାସ୍ତୁର ଲୁମ୍ବିନୀରେ ତାଙ୍କର ଜନ୍ମ ହୋଇଥିଲା। ଏହି ତିଥିରେ ପୁଣି ବୋଧଗୟାରେ ସେ ବୁଦ୍ଧତ୍ବ ପ୍ରାପ୍ତ ହୋଇଥିଲେ ଏବ˚ ଏହି ବୈଶାଖ ପୂର୍ଣ୍ଣିମା ତିଥିରେ ସେ ୮୦ ବର୍ଷର ଜୀବନ ସମାପ୍ତ କରି କୁଶିନଗରରେ ପରିନିର୍ବାଣ ପ୍ରାପ୍ତ ହୋଇଥିଲେ। କୌଣସି ମହାପୁରୁଷଙ୍କ ଜୀବନରେ ଗୋଟିଏ ତିଥିରେ ଏଭଳି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିବା କଥା ବାସ୍ତବିକ ବିରଳ।

ଗୌତମ ବୁଦ୍ଧଙ୍କ ଜନ୍ମବେଳକୁ ଭାରତରେ ବୈଦିକ ସଭ୍ୟତାର ପ୍ରଭାବ ରହିଥିଲା। ପୂର୍ବରୁ ଚାରିବର୍ଣ୍ଣ କଥା କୁହାଯାଇଛି। ଭାରତରେ ଏହି ସମୟରେ ନାରୀମାନଙ୍କର ସ୍ଥାନ ଶୂଦ୍ରମାନଙ୍କଠାରୁ ମଧ୍ୟ ନିମ୍ନରେ ଥିଲା। ଗୌତମ ବୁଦ୍ଧ ଏହାର ପ୍ରତିବାଦରେ ନାରୀମାନଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ସେତେବେଳେ ଶିକ୍ଷାଦାନ ଓ ଗ୍ରହଣର ପରିସର ସଙ୍କୁଚିତ ଥିଲା। ବ୍ରାହ୍ମଣମାନେ ଗୁରୁ ଥିଲେ ଏବ˚ ସେମାନେ ଅଳ୍ପ ସ˚ଖ୍ୟକ ଛାତ୍ରଙ୍କୁ ଶିକ୍ଷାଦାନ କରୁଥିଲେ। ଗୌତମ ବୁଦ୍ଧ ଶିକ୍ଷାକୁ ସାର୍ବଜନୀନ କରିବାର ଉଦ୍ୟମ କରିଥିଲେ। ବ୍ରାହ୍ମଣ ବର୍ଗ ବିପକ୍ଷରେ ଛଅଟି ଶ୍ରମଣ ଗୋଷ୍ଠୀର ଆବିର୍ଭାବ ହୋଇଥିଲା ଯେଉଁମାନେ ବୌଦ୍ଧ ବିହାରରେ ଶିକ୍ଷାଗ୍ରହଣ କରିଥିଲେ।

ଗୌତମ ବୁଦ୍ଧ ଯାଗ-ଯଜ୍ଞ ଓ ବଳିପ୍ରଥାର ଘୋର ବିରୋଧୀ ଥିବା ଆମେ ଜାଣନ୍ତି। ଥରେ ବୁଦ୍ଧ ଶ୍ରାବସ୍ତୀର ଜେତବନରେ ଅନାଥ ପଣ୍ତିତଙ୍କ ଆଶ୍ରମରେ ରହୁଥିଲେ। ସେହି ସମୟରେ ଉଦ୍‌ଗତଶରୀର ନାମକ ଜଣେ ବ୍ରାହ୍ମଣ ମହାଯଜ୍ଞର ଆୟୋଜନ କରୁଥିଲେ। ପାଞ୍ଚଶହ ବଳଦ, ପାଞ୍ଚଶହ ଅଣ୍ତିରା ବାଛୁରୀ, ପାଞ୍ଚଶହ ମାଈ ବାଛୁରୀ, ପାଞ୍ଚଶହ ଛେଳି ଓ ପାଞ୍ଚଶହ ମେଣ୍ଢା ବଳି ନିମନ୍ତେ ଯୂପରେ ବନ୍ଧା ହୋଇଥିଲେ। ଏକଥା ଜାଣିବା ପରେ ବୁଦ୍ଧ କହିଥିଲେ, ‘ଯେଉଁ ଲୋକ ଯଜ୍ଞ ନିମିତ୍ତ ଅଗ୍ନି ସ˚ଯୋଗ କରେ ଏବ˚ ଯୂପ ସ୍ଥାପନ କରେ ସେ ତିନିଟି ଦୁଃଖ-ଉତ୍ପାଦକ ଅକୁଶଳ ଶସ୍ତ୍ର ଉଠାଇଥାଏ। ସେଗୁଡ଼ିକ ହେଉଛି କାୟ-ଶସ୍ତ୍ର, ବାକ୍‌-ଶସ୍ତ୍ର ଓ ଚିତ୍ତ-ଶସ୍ତ୍ର। ଯେଉଁ ଲୋକ ଯଜ୍ଞ ଆରମ୍ଭ କରେ ତାହା ମନରେ ଏହି ଅକୁଶଳ ବିଚାର ଜାତ ହୁଏ ଯେ – ଏତେ ବଳଦ, ମାଈ ବାଛୁରୀ, ଅଣ୍ତିରା ବାଛୁରୀ, ଏତେ ଛେଳି, ଏତେ ମେଣ୍ଢା ମରାଯାଉଛନ୍ତି। ସର୍ବପ୍ରଥମେ ସେ ଏହିପରି ଅକୁଶଳ ଚିତ୍ତ-ଶସ୍ତ୍ର ଉଠାଇଥାଏ। ପୁଣି ନିଜ ମୁହଁରେ ସମସ୍ତ ପ୍ରାଣୀ ବଧ ପାଇଁ ସେ ଆଦେଶ ଦିଏ। ଏହାଫଳରେ ଦୁଃଖ-ଉତ୍ପାଦକ ଅକୁଶଳ ବାକ୍‌-ଶସ୍ତ୍ର ଉଠାଇଥାଏ। ତାହାପରେ ସେହି ପ୍ରାଣୀମାନଙ୍କୁ ମାରିବା ଆରମ୍ଭ କରିଦିଏ। ଏହା ଦ୍ବାରା ସେ ଦୁଃଖ ଉତ୍ପାଦକ ଅକୁଶଳ କାୟ-ଶସ୍ତ୍ର ଉଠାଇଥାଏ। ହେ ବ୍ରାହ୍ମଣ! ଏହି ତିନି ପ୍ରକାର ଅଗ୍ନି ସର୍ବଥା ତ୍ୟାଗ କରିବାକୁ ହେବ। କ’ଣ କ’ଣ? କାମାଗ୍ନି, ଦ୍ବେଷାଗ୍ନି ଓ ମୋହାଗ୍ନି। ଯେଉଁ ମନୁଷ୍ୟ କାମାଭିଭୂତ ହୁଏ ସେ କାୟିକ, ବାଚିକ ଓ ମାନସିକ କୁକର୍ମ କରେ। ତାହା ଫଳରେ ସେ ମରଣୋତ୍ତର ଦୁର୍ଗତି ଲାଭ କରେ। ଅତଏବ ଏହି ତିନି ଅଗ୍ନି ସର୍ବଥା ପରିତ୍ୟାଜ୍ୟ।

ବୁଦ୍ଧଙ୍କର ଏହି କଥା ଶୁଣି ବ୍ରାହ୍ମଣ ଉଦ୍‌ଗତଶରୀର ତାଙ୍କର ଉପାସକ ହୋଇପଡ଼ିଲେ ଏବ˚ କହିଲେ- ‘‘ହେ ଗୌତମ! ମୁଁ ଏହି ପ୍ରାଣୀମାନଙ୍କୁ ଯୂପରୁ ଫିଟାଇ ଦେଉଛି। ସେମାନଙ୍କୁ ମୁଁ ଜୀବନ ଦାନ କରୁଛି। କଅଁଳ ଘାସ ଖାଇ ଓ ଥଣ୍ତା ପାଣି ପିଇ ସେମାନେ ଶୀତଳ ଛାୟାରେ ଆନନ୍ଦରେ ରହନ୍ତୁ।’’ (ଭଗବାନ ବୁଦ୍ଧ – ଧର୍ମାନନ୍ଦ କୋସମ୍ବୀ)

ଗୌତମ ବୁଦ୍ଧଙ୍କ ମତରେ ଆପଣାର ଅଧିକାରପଣରୁ ପ୍ରାଣୀକୁ ମୁକ୍ତି ଦେବା ହେଉଛି ଯଥାର୍ଥ ବଳି। ତାହାର ଅର୍ଥ ରକ୍ତପାତ ନୁହେଁ, ମୁକ୍ତି ପ୍ରଦାନ।

ନିଜ ବିଚାରରେ ଏହି ମୌଳିକ ଭିନ୍ନତା ପାଇଁ ଗୌତମ ବୁଦ୍ଧ ଅନ୍ୟ ସମସ୍ତଙ୍କଠାରୁ ପୃଥକ୍‌। କରୁଣା ଓ ଜୀବେଦୟା ତାଙ୍କ ଦର୍ଶନର ମୂଳତତ୍ତ୍ବ। ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ ଯେ ଯେତେ ଅବତାର ପୁରୁଷ ଅଛନ୍ତି ସେ ସମସ୍ତଙ୍କର ହସିବାର ମୁଦ୍ରା ମଧ୍ୟ କୋଉଠି ହେଲେ ଚିତ୍ରିତ ହୋଇଛି, କେବଳ ଗୌତମ ବୁଦ୍ଧଙ୍କୁ ଛାଡ଼ି। ଏହାର କାରଣ କ’ଣ? ଉତ୍ତରରେ କୁହାଯାଇଛି ଯେ ଯେଉଁ ସିଦ୍ଧପୁରୁଷ ମଣିଷର ଦୁଃଖ, ବେଦନା ଓ ସନ୍ତାପକୁ ଭଲ ଭାବେ ବୁଝିଯାଆନ୍ତି, ତାଙ୍କ ପାଖେ ହସିବା ପାଇଁ କୌଣସି କାରଣ ନ ଥାଏ। ସେ ଗମ୍ଭୀର ରହିବାକୁ ବାଧ୍ୟ। ଗୌତମ ବୁଦ୍ଧ ମଣିଷର ଜନ୍ମ ଓ ଜୀବନର ରହସ୍ୟ ଭଲ ଭାବେ ବୁଝିଥିବାରୁ ତାଙ୍କ ପାଖେ ହସିବା ଲାଗି କୌଣସି କାରଣ ସେ ଖୋଜି ପାଇ ନ ଥିଲେ।

ବୁଦ୍ଧ ଶବ୍ଦର ଅର୍ଥ ପ୍ରଜ୍ଞାଦୀପ୍ତ ଆତ୍ମା। ମଣିଷ ସବୁବେଳେ ବଦଳି ଚାଲିଥାଏ। କୌଣସି ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେଇ ଏକା ମଣିଷ ହୋଇ ରହି ନ ଥାଏ। ଦଶ ଘଣ୍ଟା ପୂର୍ବର ମଣିଷ ଏବର ମଣିଷ ନୁହେଁ, ଏପରିକି ଦଶ ମିନିଟ୍‌ ତଳେ ସେ ଯାହା ଥିଲା ବର୍ତ୍ତମାନ ସେଇ ସମାନ ମଣିଷ ହୋଇ ରହିନାହିଁ। ଯିଏ ଯାତନାରୁ ମୁକ୍ତିର ଦୀର୍ଘପଥରେ ଅଭିଯାତ୍ରୀ ସିଏ ବୋଧିସତ୍ତ୍ବ। ବୁଦ୍ଧଙ୍କର ଜନ୍ମ ଆଗରୁ ସେ ବହୁବାର ବୋଧିସତ୍ତ୍ବ ଭାବେ ଜନ୍ମଗ୍ରହଣ କରିଥିଲେ ଏବ˚ ସେସବୁ ଯାତ୍ରା ନିର୍ବାଣ ଅଭିମୁଖେ ତାଙ୍କର ସୁଦୀର୍ଘ ଅଭିଯାତ୍ରାର ଗୋଟିଏ ଗୋଟିଏ ପଦକ୍ଷେପ ଥିଲା।

ଗୌତମ ବୁଦ୍ଧଙ୍କ ଦର୍ଶନ ହେଲା ଜଣେ ନିଜେ ଯେପରି ବ୍ୟବହାର ଆଶା କରେ ସେ ଅନ୍ୟମାନଙ୍କୁ ସେହିପରି ବ୍ୟବହାର ପ୍ରଦର୍ଶନ କରିବା ଆବଶ୍ୟକ। ଏହା ହିଁ ହେଉଛି ଶୀଳ ବା ନୈତିକ ଗୁଣ। ସମାଧିର ଅର୍ଥ ହେଉଛି ଏକାଗ୍ର ସାଧନା। ମନର ଅଭ୍ୟୁତ୍‌ଥାନ ପାଇଁ ଏହା ପ୍ରୟୋଜନ, କାରଣ ମନ ହିଁ ମଣିଷକୁ ନିୟନ୍ତ୍ରିତ କରେ। ଏହାପର କଥା ହେଉଛି ପ୍ରଜ୍ଞା ବା ସିଦ୍ଧିଲାଭ।

ଗୌତମ ବୁଦ୍ଧଙ୍କ ବିଚାରରେ ମଣିଷର ଦୁଃଖର କାରଣ ଅନେକ। ଯାହା ଚାହୁଛ ତାହା ନ ପାଇବା ଯେପରି ଦୁଃଖର କାରଣ, ନ ଚାହୁଥିବା ଜିନିଷର ପ୍ରାପ୍ତି ମଧ୍ୟ ସେପରି ଦୁଃଖର କାରଣ। ପ୍ରିୟଜନକୁ ହରେଇବାର ଭୟ, ନିଜ ସୁଖ ସ୍ବାଚ୍ଛନ୍ଦ୍ୟର ଅସ୍ଥାୟିତ୍ବ, ଆଶଙ୍କା, ବ୍ୟାଧି, ଯନ୍ତ୍ରଣା ଓ ବିଫଳତା ଏସବୁ ଦୁଃଖର କାରଣ। ଏ ଦୁଃଖର କାରଣ ହେଉଛି ଆସକ୍ତି। ମଣିଷ ଯେତେବେଳେ ଅନ୍ୟକୁ ବା ନିଜ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଆସ୍ଫାଳନ କରେ ସେତେବେଳେ ଦୁଃଖକୁ ଆମନ୍ତ୍ରଣ କରି ବସେ। ଅର୍ଥ, କାମ ଓ ଯଶର କାମନା ମଣିଷକୁ ଦୁଃଖୀ କରିଥାଏ। ଯେହେତୁ ଯନ୍ତ୍ରଣାର ଶେଷ ନାହିଁ ସେଥିପାଇଁ ମଣିଷ ଆସକ୍ତିକୁ ଅତିକ୍ରମ କରିବାକୁ ଉଦ୍ୟମ କରିବା ଦରକାର। ଏହାକୁ ନିରୋଧ କୁହାଯାଏ। ଆସକ୍ତିରୁ ମୁକ୍ତ ହେବା ହେଉଛି ଦୁଃଖ ଓ ଯନ୍ତ୍ରଣାକୁ ଅତିକ୍ରମ କରିବାର ଏକମାତ୍ର ମାର୍ଗ। ଗୌତମ ବୁଦ୍ଧ ଏଥିପାଇଁ ଅଷ୍ଟ ମାର୍ଗର କଥା କହିଥିଲେ। କାମନାର ବିନାଶରେ ହିଁ ଦୁଃଖର ବିନାଶ।

ଗୌତମ ବୁଦ୍ଧଙ୍କ ଜୀବନ ଓ ବିବାହ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ରହିଛି। ଉଦାହରଣ ସ୍ବରୂପ କେତେକ କହିଥା’ନ୍ତି ଯେ ଗୌତମଙ୍କୁ ତାଙ୍କ ପିତା ଶୁଦ୍ଧୋଦନ ବାଧ୍ୟ କରି ଯଶୋଧାରାଙ୍କ ସହ ବିବାହ କରାଇଥିଲେ। ମାତ୍ର ଆଉ ଗୋଟିଏ ମତ ହେଉଛି ଯେ ଅସ୍ତ୍ର ପ୍ରତିଯୋଗିତାରେ ସମର୍ଥ ବହୁ ରାଜପୁରୁଷଙ୍କୁ ପରାସ୍ତ କରି ଗୌତମ ଯଶୋଧାରାଙ୍କର ପାଣିଗ୍ରହଣ କରିଥିଲେ। ସେହିପରି ବୃଦ୍ଧ, ବ୍ୟାଧିଗ୍ରସ୍ତ, ଶବ ଓ ସନ୍ନ୍ୟାସୀଙ୍କୁ ଦେଖି ଗୌତମଙ୍କର ମନ ପରିବର୍ତ୍ତନ କଥା ନେଇ ମଧ୍ୟ ଏକାଧିକ ମତ ରହିଛି। ଯେଉଁମାନେ ଏ ମତର ବିରୋଧୀ ସେମାନେ କହିଥାନ୍ତି ଯେ, ଗୌତମଙ୍କର ଚେତନାଗତ ଉତ୍ତରଣ ଆନୁକ୍ରମିକ, ଆକସ୍ମିକ ନୁହେଁ। ଗୌତମଙ୍କର ଜନ୍ମ ପରେ ତାଙ୍କ ମାତା ମହାମାୟାଙ୍କ ପରଲୋକ ହୋଇଥିଲା ଓ ମାଆଙ୍କ ଭଉଣୀ ମହାପ୍ରଜାପତି ଗୌତମୀ ତାଙ୍କର ଲାଳନପାଳନ କରିଥିଲେ। ଗୌତମଙ୍କୁ ୨୯ ବର୍ଷ ବୟସ ହୋଇଥିବା ବେଳେ, ପୁତ୍ର ରାହୁଳ (ରାହୁଳ ଶବ୍ଦର ଅର୍ଥ ବେଡ଼ି ବା ଶୃଙ୍ଖଳ) ଜନ୍ମ ହେଲେ ଓ ତା’ପରେ ଗୌତମ ଗୃହତ୍ୟାଗ କରିଥିଲେ। କପିଳବାସ୍ତୁ ରାଜପ୍ରାସାଦ ତ୍ୟାଗ ପରେ ଗୌତମ ବିଭିନ୍ନ ଆଡ଼େ ଭ୍ରମଣ କରିଥିଲେ ଓ ବହୁ ପ୍ରକାର କୃଚ୍ଛ୍ର ସାଧନାରେ ବ୍ରତୀ ହୋଇଥିଲେ। ସେହି ସମୟରେ ମଗଧର ରାଜା ବିମ୍ବିସାର ତାଙ୍କୁ ଆମନ୍ତ୍ରଣ କରି ରାଜ୍ୟ ଉପହାର ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ ସୁଦ୍ଧା ଗୌତମ ତାହା ଗ୍ରହଣ କରି ନ ଥିଲେ। ଗୃହତ୍ୟାଗ କରିବାର ଦୀର୍ଘ ଛଅବର୍ଷ ପରେ ସେ ବୁଦ୍ଧତ୍ବ ପ୍ରାପ୍ତ ହୋଇଥିଲେ।

ବୁଦ୍ଧଙ୍କର ପରମ ଶିଷ୍ୟ ସାରୀପୁତ୍ତଙ୍କ ବ˚ଶବୃତ୍ତି ନେଇ ମଧ୍ୟ ଭିନ୍ନ ମତ ରହିଛି। କିଛି ସାହିତ୍ୟରେ ‘ସାରୀପୁତ୍ତ’ ଶୂଦ୍ର ଥିବା କୁହାଯାଇଛି। ଅନ୍ୟ କେତେକ ଗ୍ରନ୍ଥ ଅନୁସାରେ ସାରୀପୁତ୍ତ ଥିଲେ ବୁଦ୍ଧଙ୍କର ପ୍ରଥମ ବ୍ରାହ୍ମଣ ଶିଷ୍ୟ। ଯେହେତୁ ବ୍ରାହ୍ମଣ୍ୟବାଦ, ମୂର୍ତ୍ତି ପୂଜା, ବଳି ପ୍ରଥାକୁ ଗୌତମ ବିରୋଧ କରୁଥିଲେ ସେହିହେତୁ ସାରୀପୁତ୍ତଙ୍କ ପୂର୍ବରୁ ସେ ବ୍ରାହ୍ମଣ ଶିଷ୍ୟଙ୍କୁ ଗ୍ରହଣ କରି ନ ଥିଲେ। ବୋଧଗୟାରେ ଗୌତମଙ୍କର ବୁଦ୍ଧତ୍ବ ପ୍ରାପ୍ତି ପରେ ସାରନାଥରେ ସେ ପ୍ରଥମେ ପାଞ୍ଚଜଣ ନିର୍ବାଚିତ ଶିଷ୍ୟଙ୍କୁ ତାଙ୍କର ଅଭିଜ୍ଞତା ଶୁଣାଇଥିଲେ।

ଗୌତମ ବୁଦ୍ଧଙ୍କର ଗୃହତ୍ୟାଗ ପରେ ତାଙ୍କର ପତ୍ନୀ ଯଶୋଧାରା ଦୁଃଖରେ ଭାଙ୍ଗିପଡ଼ିଥିଲେ ମଧ୍ୟ ରାଜପ୍ରାସାଦରେ ରହି ସେ ସନ୍ନ୍ୟାସିନୀର ଜୀବନଯାପନ କରିଥିଲେ। ତାଙ୍କର ଆଗ୍ରହ ଅନୁସାରେ ବୁଦ୍ଧ ଆଉ ଥରେ କପିଳବାସ୍ତୁ ଯାଇଥିଲେ ଓ ଯଶୋଧାରାଙ୍କୁ ଭିକ୍ଷୁଣୀ ସ˚ଘର ପ୍ରଥମ ସଭ୍ୟା ଭାବରେ ଗ୍ରହଣ କରିଥିଲେ ଏବଂ ଏହା ପଛରେ ମହାପ୍ରଜାପତି ଗୌତମୀଙ୍କର ଅବଦାନ ମୁଖ୍ୟ ଥିଲା।

ବୁଦ୍ଧଙ୍କ ଜୀବନକାଳ ମଧ୍ୟରେ ସେ ବହୁ ପ୍ରକାର ମତ, ବାଦ ଓ ବ୍ୟକ୍ତିଗତ ଆକ୍ରୋଶର ଶରବ୍ୟ ହୋଇଥିଲେ। ତାଙ୍କ ନିଜର ସ˚ପର୍କୀୟ ଭାଇ ଦେବଦତ୍ତ ତାଙ୍କୁ ଜୀବନରୁ ମାରିଦେବା ଲାଗି ଏକାଧିକ ବାର ଉଦ୍ୟମ କରିଥିଲେ; ମାତ୍ର ସେଥିରେ ସଫଳକାମ ହୋଇପାରି ନ ଥିଲେ। ଗୌତମଙ୍କର ଜନ୍ମବେଳେ ଯେମିତି କିଛି ଅଲୌକିକ ଘଟଣା ଘଟିଥିଲା, ତାଙ୍କର ପରିନିର୍ବାଣ ସମୟରେ ମଧ୍ୟ ସେମିତି କିଛି ଘଟଣା ଘଟିଥିଲା। ଚୁନ୍ଦଙ୍କ ବାସଭବନରେ ଶୂକର ମା˚ସ ଖାଇବା ଯୋଗୁଁ ବୁଦ୍ଧ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଉଦ୍ୟାନର ଦୁଇଟି ଗଛ ମଝିରେ ଶୁଆଇ ଦିଆଯାଇଥିଲା। ସହସା ସେହି ପୁଷ୍ପହୀନ ତରୁଯୋଡ଼ିକ ପୁଷ୍ପିତ ହୋଇ ଉଠିଥିଲେ। ଯେଉଁମାନେ ତାଙ୍କୁ ବିଞ୍ଚଣା କରୁଥିଲେ ସେମାନଙ୍କୁ ବୁଦ୍ଧ ଦୂରକୁ ଘୁଞ୍ଚିଯିବା ଲାଗି ସଙ୍କେତ ଦେବା ପରେ ସେ ନିଜର ଶେଷ ବକ୍ତବ୍ୟ ଦେଇ ଆଖି ବୁଜି ଦେଇଥିଲେ।

ଗୌତମ ବୁଦ୍ଧଙ୍କର ଗୋଟିଏ ଉକ୍ତି ହେଲା, ‘ମୁହୂର୍ତ୍ତଟିଏ ଯେପରି ଗୋଟିଏ ଦିନକୁ ଓ ଦିନଟିଏ ଯେପରି ଗୋଟିଏ ଜୀବନକୁ ବଦଳାଇ ଦେଇଥାଏ, ସେହିପରି ଗୋଟିଏ ଜୀବନ ପୃଥିବୀକୁ ବଦଳାଇ ଦେଇପାରେ।’ ଗୌତମ ବୁଦ୍ଧଙ୍କର ନିଜ ଜୀବନ ସେହିପରି ଏକ ଜୀବନ ଥିଲା, ଯାହା ଏ ପୃଥିବୀକୁ ବଦଳେଇ ଦେଇପାରିଥିଲା।

ମୋ: ୯୪୩୭୦୭୭୨୮୮
[email protected]

ସମ୍ବନ୍ଧିତ ଖବର