ଅନୁକଂପା ରାଶି

ସୃଜନ ପ୍ରକାଶ ଦାସ

ସିଦ୍ଧାର୍ଥର ମୋବାଇଲ ଫୋନ୍‌ ସାଇଲେଣ୍ଟ୍‌ ମୋଡ୍‌ରେ ଥିବାରୁ ଦୁଇ ଦୁଇ ଥର ବାଜିବା ପରେ ବି ସେ ଧ୍ୟାନ ଦେଇ ପାରିନଥିଲା। ଅଫିସ୍‌ରେ ଥିବା ବେଳେ ସେ ସବୁ ଦିନ ଫୋନ୍‌କୁ ଏହିଭଳି ରଖେ। ତୃତୀୟ ଥର ଦପ ଦପ କରି ଲାଇଟ ଜଳି ଉଠିବା ମାତ୍ରକେ ସିଦ୍ଧାର୍ଥ ଅନ୍ୟମନସ୍କ ଭାବରେ ଫୋନ୍‌ ରିସିଭ କଲା। ଫୋନ୍‌ ଆରପଟୁ ଆବେଗହୀନ ଭାବରେ କେହି ଜଣେ ପଚାରିଲେ- ‘ଲକ୍ଷ୍ମୀ ଦେବୀ ଆପଣଙ୍କର କ’ଣ ହୁଅନ୍ତି?’ ଚମକି ଉଠିଲା ସିଦ୍ଧାର୍ଥ। ଲାଗିଲା ସତେ ଯେମିତି ବୈଦ୍ୟୁତିକ ତରଙ୍ଗ ଖେଳିଗଲା ତା’ ଦେହ, ମନ ଭିତରେ। ଏତେ ଦିନ ପରେ ଏ ନାଁ? ନିଜର ପରିଚୟ କିମ୍ବା କେଉଁଠୁ ବା କାହିଁକି ଫୋନ୍‌ କରିଛନ୍ତି- ଏ ବିଷୟରେ କିଛି ବି ନ କହି ସିଧା ସଳଖ ପ୍ରସଙ୍ଗ ଉପରକୁ ଆସିଯାଇଛନ୍ତି ବ୍ୟକ୍ତି ଜଣକ- ‘ଲକ୍ଷ୍ମୀ ଦେବୀ ଆପଣଙ୍କର କ’ଣ ହୁଅନ୍ତି?’ ହଁ, ଲକ୍ଷ୍ମୀ ତ ସିଦ୍ଧାର୍ଥର ମା’। ଯିଏ କି ତାକୁ ଜନ୍ମ ଦେଇଥିଲା ଆଜିକୁ ୫୭ ବର୍ଷ ତଳେ। ଏକ ଶବ୍ଦହୀନ ପୃଥିବୀ ଭିତରେ ସାରା ଜୀବନଟା କାଟିଥିବା ଗୋଟାଏ ମା’। ସେ କାଳରେ ତିନି-ତିନିଟା ଛୁଆଙ୍କୁ ଜନ୍ମ ଦେଇ ନିଜ ମାତୃତ୍ୱକୁ ସଫଳ କରିଥିବା ଗୋଟାଏ ମା’। ହୁଏ’ତ ଅନ୍ୟମାନଙ୍କ ଭଳି ତା’ ପିଲାଙ୍କୁ ସ୍ଲେଟ୍‌, ଖଡ଼ି ଧରି ପଢ଼ାଇ ନାହିଁ ସତ। କିନ୍ତୁ ଅନ୍ୟର ଆବେଗ, ଭାବପ୍ରବଣତାକୁ ବୁଝିବା ପାଇଁ, ତା’ ପାଇଁ ତା’ର ନିଜସ୍ୱ ଭାଷା ହିଁ ଥିଲା ଯଥେଷ୍ଟ। ସିଦ୍ଧାର୍ଥର ମା’ ଯେ ବୁଢ଼ୀ ହୋଇ ଆସୁଥିଲା- ତାହା ସିଦ୍ଧାର୍ଥ ବେଶ ବୁଝି ପାରୁଥିଲା। ବିଶେଷ କରି ତା’ ବାପାଙ୍କର ଅବର୍ତ୍ତମାନରେ ତା’ ମା’ ଆହୁରି ନିଃସ୍ୱ ହୋଇଉଠୁଥିଲା- ତାହା ସିଦ୍ଧାର୍ଥକୁ ଅଛପା ନ ଥିଲା।

କୋଭିଡ୍‌ ଆସିବା ପର ଠୁ ସିଦ୍ଧାର୍ଥ ତା’ ମା’କୁ ସତର୍କ ରହିବାକୁ ସବୁବେଳେ ତାଗିଦ କରିଛି। କାଳେ କେତେବେଳ ବୁଢ଼ୀ ଲୋକଟାକୁ କୋଭିଡ୍‌ ଆକ୍ରମଣ କରିଦେବ! ପ୍ରଥମ ଲହରୀରେ ସିଦ୍ଧାର୍ଥ ନିଜେ ଆକ୍ରାନ୍ତ ହୋଇପଡ଼ିଥିଲା ବୋଲି ତା’ ଡରଟା ଆହୁରି ବଢ଼ି ଯାଇଥିଲା। ସବୁବେଳେ ଆଶଙ୍କା ଥିଲା ତା’ ମା’ ସିନା ନିଜେ ବାହାରକୁ ଯାଏ ନାହିଁ, ହେଲେ ବାହାର ଲୋକ ତା’ ପାଖକୁ ଆସୁଛନ୍ତି। ଏ ରୋଗର ତ କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ। କାଇଁ କେଡ଼େ କେଡ଼େ ଲୋକ ତା’ ପାଖରେ ହାର ମାନିଛନ୍ତି। ଯେଉଁଦିନ ଘରୁ ଖବର ଆସିଲା ଯେ ତା’ ମା’କୁ ଜ୍ବର, ପୁଣି ତା’ ସାଙ୍ଗକୁ ପତଳା ଝାଡ଼ା- କାହିଁକି କେଜାଣି ସିଦ୍ଧାର୍ଥର ମନକୁ ଶଙ୍କା ଛୁଇଁଥିଲା। କୋଭିଡ୍‌ ଟିକା ଆସିବା ପର ଠୁ ତା’ ମା’କୁ ଆଜି ଦେବ, କାଲି ଦେବ କରି ଶେଷ ଯାଏ ଟିକା ଦେଇପାରିନାହିଁ ସିଦ୍ଧାର୍ଥ- ଯାହାର ଦଂଶନରେ ଆଜି ବି ସେ କ୍ଷତାକ୍ତ। କେତେବେଳେ କେମିତି ଏକୁଟିଆ ବସିଥିବା ବେଳେ ଆଜି ବି ସେ ହଠାତ୍‌ ଚମକି ଉଠେ। ନିଜକୁ ପାପୀ ମନେକରେ। ଅଫିସ୍‌ କାମକୁ ଟିକିଏ ଊଣା କରି ଯଦି ଟିକା ସେ ଦେଇପାରିଥାଆନ୍ତା- ହୁଏ’ତ ଆଜି ତା’ ମା’ ତା ପାଖରେ ଥାଆନ୍ତା। ନା, ନିଜ ଛୋଟ ସହର ଡାକ୍ତରଖାନାରେ ୪ ଦିନ ବହୁ ଯନ୍ତ୍ରଣା ପାଇ ତା’ ମା’ ଶେଷରେ ଚାଲିଗଲା। ସ୍ୱାସ୍ଥ୍ୟ ବୀମା କରାଇ ମଧ୍ୟ ସିଦ୍ଧାର୍ଥ ତା’ ମା’କୁ ଭୁବନେଶ୍ୱରରେ ଥିବା ବଡ଼ ବଡ଼ ଡାକ୍ତରଖାନାରେ ଚିକତ୍ସା କରାଇପାରିଲା ନାହିଁ। ଆମ୍ବୁଲାନ୍‌ସରେ ସେହି ଅବସ୍ଥାରେ ଭୁବନେଶ୍ୱର ଯାଏ ଯିବା ଭଳି ଅବସ୍ଥାରେ ନ ଥିଲା ତା’ ମା’। ସେ ତାକୁ ଛାଡ଼ି ଚାଲିଗଲା, ସେହି ଛୋଟ ଡାକ୍ତରଖାନାର ସୀମିତ ସମ୍ବଳ ଭିତରେ ଓ ସମସ୍ତ କର୍ମଚାରୀମାନଙ୍କର ପର୍ଯ୍ୟାପ୍ତ ପ୍ରଚେଷ୍ଟା ସତ୍ତ୍ବେ।

ଇତିମଧ୍ୟରେ ୭-୮ ମାସ ବିତିଯାଇଥିଲା। ଘରେ କିଏ ରହିବ- ତାହା ଥିଲା ସମସ୍ତଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା। ଆଜିଯାଏ ସବୁ ତ ମା’ କାନ୍ଧରେ ଛାଡ଼ି ଦେଇ ସିଦ୍ଧାର୍ଥ ସହରରେ ନିଶ୍ଚିନ୍ତ ଥିଲା। ଜୀବନର ସାଧାରଣ ନିୟମ ଅନୁସାରେ ପୁଣି ସବୁ କିଛି ସାମାନ୍ୟ ହେବାକୁ ଆରମ୍ଭ ହୋଇଯାଇଥିଲା। ଜମିଜମା ବିକ୍ରି କରି ରାଜଧାନୀରେ ରହିବାର ସବୁ ଯୋଜନା, ପିଲାଙ୍କର ପାଠ ପଢ଼ା, ଭୋଜି ଭାତ- ସବୁ କିଛି ସାଧାରଣ ଭାବରେ ଚାଲୁଥିଲା। ପୁଣି ଏତେ ଦିନ ପରେ ଏହି ପ୍ରଶ୍ନ- ‘ଲକ୍ଷ୍ମୀ ଦେବୀ ଆପଣଙ୍କର କ’ଣ ହୁଅନ୍ତି?’ ନିଜକୁ ସମ୍ଭାଳି ଉତ୍ତର ଦେଲା- ‘ହଁ, ମୋ ମା’।’ ‘ଆଚ୍ଛା, ଆପଣ ଜାଣିଛନ୍ତି- ତାଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିଲା? ଆପଣ କୋଭିଡ୍‌ ଅନୁକଂପା ରାଶି ପାଇଁ ଦରଖାସ୍ତ ଦେଇନାହାନ୍ତି ବୋଧହୁଏ?’

ପୁନର୍ବାର ଗୋଟାଏ ଅସ୍ବସ୍ତିକର ପ୍ରଶ୍ନ ସିଦ୍ଧାର୍ଥ ପାଇଁ। ମା’ର ମୃତ୍ୟୁ ପାଇଁ ଅନୁକଂପା ରାଶି! ପୁଣି ଥରେ ତା’ର ହିସାବ ଗୋଳମାଳ ହୋଇଗଲା। ଜୀବଦ୍ଦଶାରେ ମା’ ପାଇଁ କିଛି ବି କରିପାରିନାହିଁ। ବାପା ମା’ଙ୍କର ଅବଦାନକୁ କ’ଣ ମାପି ହୁଏ? ଅଥଚ ଆଜି ତାକୁ ତା’ ନିଜ ସହରର ସରକାରୀ ଡାକ୍ତରଖାନା କୋଭିଡ୍‌ ପରିଚାଳନା କେନ୍ଦ୍ରରୁ ଏ ଫୋନ୍‌- ମା’ର ମୃତ୍ୟୁ ପାଇଁ ଅନୁକଂପା ରାଶି! ନିଜକୁ ବିଧ୍ବସ୍ତ ଲାଗିଲା- ଠିକ ଯେମିତି ଭୂମିକମ୍ପ ପରେ ବଡ଼ ବଡ଼ ଇମାରତ ଦେଖାଯାଆନ୍ତି। ଭଗବାନ ତ ତାକୁ ସବୁ ଦେଇଛନ୍ତି। ସୁଖୀ ପରିବାର, ମାସ ଶେଷରେ ମୋଟା ଅଙ୍କର ଦରମା, ରାଜଧାନୀରେ ଡୁପ୍ଲେକ୍‌ସ, ତିରିଶ ବର୍ଷ ଚାକିରି କାଳରେ ୪ଟି ଦାମୀ ଗାଡ଼ି କିଣିବାର ସାଫଲ୍ୟ- ଏତକ କ’ଣ କମ୍‌?

ସରକାର କୋଭିଡ୍‌ ଅନୁକଂପା ରାଶି ଦେଉଛନ୍ତି ସତ, ହେଲେ ମା’ ବଦଳରେ ଅନୁକଂପା ରାଶି? ନା, ତା’ର ଏ ଅନୁକଂପା ରାଶିର ଆବଶ୍ୟକତା ନାହିଁ, ଆବଶ୍ୟକ ତା’ର ମା’, ମା’ର ଉପସ୍ଥିତି। ହେଲେ, ଏ ଜୀବନରେ ଆଉ ତ ସେ ମା’ ବୋଲି ଡାକି ବି ପାରିବନି- ଡାକିଲେ ବି ମା’ ତା’ର ଶୁଣି ପାରିବ ନାହିଁ।

‘ନା, ଥାଉ। ଏ ଦରଖାସ୍ତ ଦେବା କ’ଣ ବାଧ୍ୟତାମୂଳକ?’, ପ୍ରଶ୍ନ କଲା ସିଦ୍ଧାର୍ଥ। ‘ଆପଣଙ୍କୁ ଜଣାଇବା ଆମର କର୍ତ୍ତବ୍ୟ। ତାଲିକାରେ ଆପଣଙ୍କର ନାଁ ଓ ମୋବାଇଲ ନମ୍ବର ଦେଖିଲି। ତେଣୁ ଫୋନ୍‌ କଲି।’

ସିଦ୍ଧାର୍ଥକୁ କିଛି ବି ଶୁଣା ଯାଉନଥିଲା। ତାକୁ କେବଳ ଦିଶୁଥିଲା ତା’ ମା’ର ସେଇ ମୁହଁ, ଯାହା ମା’ ଶବ୍ଦ ଉଚ୍ଚାରିତ ହେବା ମାତ୍ରକେ ତା’ ମନରେ ଝଲସି ଯାଏ।

ମୋ-୯୪୩୮୧୪୯୭୬୧
[email protected]

ସମ୍ବନ୍ଧିତ ଖବର