ଭାରତରେ ବାଲ୍ୟ ମେଦବହୁଳତା

ଦର୍ପଣ

ଵାର୍ଲଡ୍‌ ଓବିସିଟି ଫେଡେରେସନ୍ ଦ୍ବାରା ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୩୦ ମସିହା ବେଳକୁ ଭାରତର ୨.୭ କୋଟି ଶିଶୁ ମେଦବହୁଳତା ଭୋଗିବାର ଆଶଙ୍କା ରହିଛି। ଫଳସ୍ବରୂପ ବିଶ୍ବସ୍ତରରେ ୧୦ ଜଣ ମେଦବହୁଳ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଭାରତୀୟ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏହି ରିପୋର୍ଟରେ ଅନେକ ଉଦ୍‌ବେଗଜନକ ତଥ୍ୟ ପ୍ରକାଶ ପାଇଛି। ୨୦୩୦ ସୁଦ୍ଧା ୫ରୁ ୯ ବର୍ଷ ବୟସ୍କ ଭାରତୀୟ ଶିଶୁଙ୍କ ମଧ୍ୟରୁ ୧୦.୮୧ ପ୍ରତିଶତ ମୋଟାପଣର ବଶବର୍ତ୍ତୀ ହୋଇସାରିଥିବା ବେଳେ ୧୦ରୁ ୧୯ ବର୍ଷୀୟ କିଶୋରଙ୍କ ମଧ୍ୟରୁ ୬.୨୩ ପ୍ରତିଶତ ମୋଟାପଣ ଭୋଗୁଥିବେ। ବିଶେଷଜ୍ଞଙ୍କ ଅନୁଯାୟୀ ସହରାଞ୍ଚଳ ହେଉଛି ବାଲ୍ୟ ମେଦବହୁଳତାର କେନ୍ଦ୍ରସ୍ଥଳ।

ସହରାଞ୍ଚଳରେ ଆବଶ୍ୟକ ଠାରୁ ଅଧିକ ଓଜନର ଶିଶୁଙ୍କ ହାର ପାଖାପାଖି ୨୫% ରହିଛି। ୧୯୭୫ରୁ ୨୦୧୬ ସମୟଖଣ୍ଡରେ ବାଲ୍ୟ ମେଦବହୁଳତା ୬୦୦ରୁ ୭୦୦ ପ୍ରତିଶତ ବୃଦ୍ଧି ପାଇଛି। ଫଳତଃ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କରେ ବାଲ୍ୟ ମେଦବହୁଳତା ଏକ ସ୍ବାସ୍ଥ୍ୟ ସଂକଟ ରୂପେ ଉଭା ହୋଇଛି। ଏହି ବର୍ଗର ଦେଶମାନଙ୍କରେ ୨୦୨୦ରୁ ୨୦୩୦ ମସିହା ମଧ୍ୟରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହେବାକୁ ଯାଉଛି। ଆଜି ମେଦବହୁଳତା ଏକ ନିରବ ମହାମାରୀ ଭାବେ ପରିଗଣିତ।

ପୂର୍ବରୁ ଏହାକୁ ରୋଗର ଲକ୍ଷଣ କୁହାଯାଉଥିବା ବେଳେ ଏବେ ଏହା ନିଜେ ଏକ ରୋଗର ସ୍ବୀକୃତି ପାଇଛି। ବାଲ୍ୟାବସ୍ଥାରେ ମୋଟାପଣ ଭୋଗୁଥିବା ଶିଶୁ ବୟସ୍କ ହେବା ପରେ ହୃଦ୍‌ରୋଗ, ମଧୁମେହ ଭଳି ରୋଗରେ ଆକ୍ରାନ୍ତ ହେବାର ବିପଦ ଅଧିକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ୨୦୨୫ ସୁଦ୍ଧା ବାଲ୍ୟ ମେଦବହୁଳତା ବନ୍ଦ କରିବାର ଲକ୍ଷ୍ୟ ରଖିଥିବା ବେଳେ ଏହି ରିପୋର୍ଟର ପୂର୍ବାନୁମାନ ଅନୁଯାୟୀ ଭାରତ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବ।

ସମ୍ବନ୍ଧିତ ଖବର