ଦ୍ବିତୀୟ ବିଶ୍ୱଯୁଦ୍ଧର ଅବ୍ୟବହିତ ପୂର୍ବରୁ ୧୯୩୯ ଜୁଲାଇ ୨୩ରେ ଆଡଲ୍ଫ ହିଟ୍ଲରଙ୍କୁ ମହାତ୍ମା ଗାନ୍ଧୀ ଏକ ଚିଠି ୱାର୍ଦ୍ଧାରୁ ଲେଖିଥିଲେ। ସେ ଲେଖିଥିଲେ, ‘ପ୍ରିୟ ବନ୍ଧୁ, ମାନବ ସଭ୍ୟତାର ରକ୍ଷା ପାଇଁ ମୋର କିଛି ବନ୍ଧୁ ଆପଣଙ୍କ ପାଖକୁ ଲେଖିବାକୁ ମୋତେ ବାଧ୍ୟ କରିଛନ୍ତି। ପ୍ରଥମେ ଭାବିଲି, ଏପରି ଲେଖିବା ହୁଏ’ତ ମୋର ଧୃଷ୍ଟତା ହୋଇପାରେ। ତଥାପି ଆପଣଙ୍କୁ ଏକ ନିବେଦନ କରି ଲେଖୁଛି। ଏହା ନିଶ୍ଚିତ ଯେ ଆପଣ ହିଁ ଏକମାତ୍ର ଆସନ୍ନ ମହାଯୁଦ୍ଧକୁ ବନ୍ଦ କରିପାରିବେ। ଏ ଯୁଦ୍ଧ ମାନବଜାତିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେବ। ଏ ଯୁଦ୍ଧରେ ଆପଣଙ୍କ ଲକ୍ଷ୍ୟ ହାସଲ ହେଲେ ବି ଆପଣଙ୍କୁ ଅନେକ ମୂଲ୍ୟ ଦେବାକୁ ହେବ। ଆଶା କରେ, ଯୁଦ୍ଧ ବନ୍ଦ ପାଇଁ ମୋର ନିବେଦନକୁ ଆପଣ ଶୁଣିବେ। ମୁଁ ଜାଣିଜାଣି ସାରା ଜୀବନ ଯୁଦ୍ଧ ଓ ହିଂସାର ବାଟକୁ ତ୍ୟାଗ କରିଦେଇଛି। -ଆପଣଙ୍କର, ଏମ୍ କେ ଗାନ୍ଧୀ।’
ଗାନ୍ଧୀଜୀଙ୍କ ନିବେଦନ କିନ୍ତୁ ହିଟ୍ଲର ଶୁଣି ନଥିଲେ। ହିଂସା-ପ୍ରବୃତ୍ତିର ଦୁର୍ଗୁଣ ହେଲା, ଏହା ବିବେକ ଓ କରୁଣାକୁ ଧ୍ବଂସ କରି ଦେଇଥାଏ। ଗାନ୍ଧୀଙ୍କ ଚିଠିର ଦୁଇ ମାସ ପରେ ୧୯୩୯ ସେପ୍ଟେମ୍ବରରେ ହିଟ୍ଲର ପୋଲାଣ୍ଡ୍ ଆକ୍ରମଣ କଲା ପରେ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିଲା।
ଦ୍ବିତୀୟ ବିଶ୍ୱଯୁଦ୍ଧର ପ୍ରାୟ ଆଠ ଦଶନ୍ଧି ପରେ ଅତ୍ୟାଧୁନିକ ବିଶ୍ୱ ପୁଣି ଆଉ ଏକ ବିଶ୍ୱଯୁଦ୍ଧର ସମ୍ମୁଖୀନ ହେବାର ଆଶଙ୍କା ବର୍ତ୍ତମାନର ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆଣିଦେଇଛି। ସେଥି ପାଇଁ ସମଗ୍ର ପୃଥିବୀ ଆଜି ବିଚଳିତ। କାରଣ ଅନେକ ରାଷ୍ଟ୍ରରେ ଏବେ ପରମାଣୁ ବୋମା ରହିଛି। ତୃତୀୟ ବିଶ୍ୱଯୁଦ୍ଧ ଯେ ଏକ ପରମାଣୁ ଯୁଦ୍ଧ ହେବନି, ଏହା ଅସ୍ବୀକାର କରିହେଉନି। ଦ୍ବିତୀୟ ବିଶ୍ୱଯୁଦ୍ଧରେ ଜାପାନର ହିରୋସୀମା ଏବଂ ନାଗାସାକି ଉପରେ ପରମାଣୁ ବୋମା ବିସ୍ଫୋରଣ ଯେଉଁ ବିପର୍ଯ୍ୟୟ ଆଣିଥିଲା, ଏବେ ମଧ୍ୟ ତାହା ଅଭୁଲା ରହିଛି।
୧୯୧୦ ଫେବ୍ରୁଆରି ୧୨ ତାରିଖ ‘ଇଣ୍ଡିଆନ ଓପିନିଅନ ମାଗାଜିନ’ରେ ଯୁଦ୍ଧ ସମ୍ପର୍କରେ ଗାନ୍ଧୀଜୀ ଲେଖିଥିଲେ, ‘ଏଠି ଯୁଦ୍ଧର ଯେତେ ମହିମାଗାନ କଲେ ବି ଯୁଦ୍ଧ ପାଷାଣ୍ଡ ଶକ୍ତିର ଏକ କ୍ରୂର ପ୍ରଦର୍ଶନ। ଯେଉଁମାନେ ଯୁଦ୍ଧ ପାଇଁ ପ୍ରଶିକ୍ଷିତ ହୋଇ ଥାଆନ୍ତି, ସେମାନେ ଯୁଦ୍ଧ ଭୂଇଁରେ ନୀତିହୀନ ହୋଇଯାଆନ୍ତି ଏବଂ ବିଜୟ ତଥା ଗୌରବର ରାସ୍ତା କହୁଥିବା ଯୁଦ୍ଧରେ କେବଳ ରକ୍ତ ଏବଂ ହତ୍ୟା ସଂଗଠିତ ହୋଇଥାଏ।’ ଗାନ୍ଧୀ ସମାଲୋଚକମାନେ ଅଭିଯୋଗ କରନ୍ତି, ଯୁଦ୍ଧ ସମ୍ପର୍କରେ ଗାନ୍ଧୀଜୀଙ୍କ ମତ ସବୁବେଳେ ସମାନ ନୁହେଁ। ଗାନ୍ଧୀ ବି ଯୁଦ୍ଧରେ ଭାଗ ନେଇଛନ୍ତି। ବୋଅର, ଜୁଲୁ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଗାନ୍ଧୀଜୀ ଯୁଦ୍ଧକୁ ସମର୍ଥନ କରିଛନ୍ତି।
ଇଂରେଜ ଏବଂ ବୋଅରଙ୍କ ଭିତରେ ଦକ୍ଷିଣ ଆଫ୍ରିକାର ଟ୍ରାନ୍ସବାହାଲରେ ୧୮୯୯ ମସିହାରେ ଆରମ୍ଭ ହୋଇଥିବା ଯୁଦ୍ଧ ୧୯୦୨ରେ ସରିଥିଲା। ଟ୍ରାନ୍ସବାହାଲର ସୁନାଖଣିର ଆବିଷ୍କାର ପରେ ଟ୍ରାନ୍ସବାହାଲରେ ଆଧିପତ୍ୟ ନିମନ୍ତେ ନାଟାଲରେ ଶାସନ କରୁଥିବା ଇଂରେଜମାନେ ଟ୍ରାନ୍ସବାହାଲ ବୋଅର ଶାସକଙ୍କ ସହ ଯୁଦ୍ଧ କରିଥିଲେ। ବ୍ରିଟିସ୍ ସାମ୍ରାଜ୍ୟର ଜଣେ ନାଗରିକ ଭାବେ ଗାନ୍ଧୀଜୀ ଭାରତୀୟ ସ୍ୱେଚ୍ଛାସେବୀ ବାହିନୀର ନେତୃତ୍ୱ ନେଇଥିଲେ। ଷ୍ଟ୍ରେଚର ବାହିନୀର ଜଣେ ସର୍ଜେଣ୍ଟ୍ ଭାବରେ ଆହତ ସୈନିକମାନଙ୍କର ସେ ସେବା ଶୁଶ୍ରୂଷା କରିଥିଲେ।
ସେହିପରି ୧୯୦୬ ମସିହା ଦକ୍ଷିଣ ଆଫ୍ରିକାର ଜୁଲୁ ବିଦ୍ରୋହରେ ବି ଯୁଦ୍ଧ ଭୂଇଁର ସ୍ୱେଚ୍ଛାସେବୀ ଭାବେ ଭାଗୀଦାରି ଥିଲା ଗାନ୍ଧୀଙ୍କର। ଜୁଲୁମାନେ ନିର୍ବାଚନ ଟିକସ ଦେବାକୁ ମନା କରି ଇଂରେଜଙ୍କୁ ଆକ୍ରମଣ କରିବାରୁ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଇଂରେଜ ସୈନିକମାନେ ଜୁଲୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ସହ ସେମାନଙ୍କୁ ହତ୍ୟା ବି କରିଥିଲେ। ଯୁଦ୍ଧ ଭୂଇଁରେ ଆହତଙ୍କ ସେବା କଲାବେଳେ କିନ୍ତୁ ଗାନ୍ଧୀଙ୍କର ରଙ୍ଗଭେଦ ନ ଥିଲା। ସମାଲୋଚକମାନଙ୍କୁ ଗାନ୍ଧୀ ଉତ୍ତର ଦେଇ କହୁଥିଲେ, ଯୁଦ୍ଧର ବିଭୀଷିକା ସାମନାରୁ ନ ଦେଖି ଯୁଦ୍ଧ ସମ୍ପର୍କରେ କହିବା ବି ଏକ ଅସଂଗତି।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଂରେଜ ସେନାରେ ଭାରତୀୟଙ୍କ ନିଯୁକ୍ତି ନେଇ ଗାନ୍ଧୀଜୀଙ୍କ ଉଦ୍ୟମ ବେଶ୍ ବିବାଦୀୟ ଥିଲା। ଗାନ୍ଧୀଜୀଙ୍କୁ ଭାରତରେ ସମାଲୋଚନା କରାଯାଇଥିଲା। ପ୍ରଶ୍ନ ଥିଲା, ଅହିଂସାର କଥା କହୁଥିବା ଗାନ୍ଧୀ ଯୁଦ୍ଧ ପାଇଁ ସୈନ୍ୟ ଯୋଗାଡ଼ କଥା କହୁଛନ୍ତି କିପରି? ଗାନ୍ଧୀଜୀଙ୍କ ଯୁକ୍ତି ଥିଲା, ସ୍ୱରାଜର ସୁରକ୍ଷା ପାଇଁ ଭାରତୀୟମାନେ ସେନାରେ ବି ରହିବା ଉଚିତ। ଗାନ୍ଧୀଜୀଙ୍କ ସେନା ନିଯୁକ୍ତି ଅଭିଯାନ ବିଫଳ ହୋଇଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ କିନ୍ତୁ ଗାନ୍ଧୀଙ୍କ ଯୁଦ୍ଧ ଆଭିମୁଖ୍ୟରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଯାଇଥିଲା। ଗାନ୍ଧୀ ପୂରାପୂରି ଯୁଦ୍ଧ ବିରୋଧୀ ହୋଇଯାଇଥିଲେ। ଗାନ୍ଧୀଙ୍କ ପାଇଁ ଯୁଦ୍ଧର ଅନ୍ୟ ନାଁ ଥିଲା ଗଣହତ୍ୟା। ଯୁଦ୍ଧର ବିଜ୍ଞାନ ଯେ କେବଳ ଏକଛତ୍ରବାଦ ସୃଷ୍ଟି କରେ ଏବଂ ଅହିଂସାର ବିଜ୍ଞାନ ଯେ ଗଣତନ୍ତ୍ର ଆଣେ, ତାହା ଥିଲା ଗାନ୍ଧୀଙ୍କ ସ୍ଲୋଗାନ୍। ୧୯୪୦ ଏପ୍ରିଲ ୧୩ ହରିଜନ ପତ୍ରିକାରେ ଯୁଦ୍ଧ ସମ୍ପର୍କରେ ଗାନ୍ଧୀଙ୍କ ସ୍ପଷ୍ଟ ଆଭିମୁଖ୍ୟ ଥିଲା: ଯେତେବେଳେ ଗୋଟିଏ ଦୁର୍ବଳ ସ୍ୱାଧୀନ ରାଷ୍ଟ୍ର ଦଖଲ କରିନେବାକୁ ଯୁଦ୍ଧ ଉଦ୍ୟମ ହୁଏ, ପୃଥିବୀର ସମସ୍ତ ହିଂସା ବିରୋଧୀ ଶାନ୍ତିବାଦୀମାନେ ଏହାର ବିରୋଧ କରିବା ଉଚିତ। ଅହିଂସା ଅସ୍ତ୍ରରେ ପ୍ରତିରୋଧ ହେବା ଦରକାର। ୧୯୩୬ ମସିହାରେ ମୁସଲିନ ଆବସିନିଆ (ବର୍ତ୍ତମାନର ଇଥିଓପିଆ)କୁ ଯୁଦ୍ଧରେ ବିଷ ଗ୍ୟାସ୍ ପ୍ରୟୋଗ କରି ଦଖଲ କରିନେବା ପରେ ଏହାର ପ୍ରତିବାଦରେ ଗାନ୍ଧୀଜୀ ଭାରତରେ ଅନଶନରେ ବସିଥିଲେ ଏବଂ ସମସ୍ତ ଆବସେନୀୟମାନଙ୍କୁ ଅହିଂସାରେ ପ୍ରତିରୋଧ କରିବାକୁ ଆହ୍ୱାନ ଦେଇଥିଲେ।
ଯୁଦ୍ଧ ସମ୍ପର୍କିତ ସ୍ବରଚିତ ‘ହିନ୍ଦ୍ ସ୍ୱରାଜ’ ପୁସ୍ତକରେ ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ହେଲା, ଯୁଦ୍ଧ ସମାଧାନର ରାସ୍ତା ନୁହେଁ। କିମ୍ବା ଶାନ୍ତି ପାଇଁ ବାଟ ନୁହେଁ। ଯୁଦ୍ଧ ଯଦି ସମାଧାନ ହେଉଥା’ନ୍ତା ତେବେ ଯୁଦ୍ଧ ପରେ ପୁଣି ଯୁଦ୍ଧ ହେଉ ନ ଥା’ନ୍ତା। ଇତିହାସ ଯୁଦ୍ଧର ରେକର୍ଡ ରଖି ନ ଥା’ନ୍ତା। ଯୁଦ୍ଧ ପରେ ଯେଉଁ ଶାନ୍ତି ଆସେ, ତାହା ସାମୟିକ ଶାନ୍ତି ହୋଇଥାଏ। ଏହି ଶାନ୍ତିରେ କେବଳ ଅନ୍ୟ ଏକ ଶାନ୍ତି ପାଇଁ ପ୍ରସ୍ତୁତି ଚାଲିଥାଏ।
ସତ କଥା ହେଲା, ଆଉ ଏକ ବିଶ୍ୱଯୁଦ୍ଧକୁ ଏ ପୃଥିବୀ ସହ୍ୟ କରିପାରିବ କି ନା, ତାହା ଏକ ବଡ଼ ପ୍ରଶ୍ନବାଚୀ। କିନ୍ତୁ ଏହା ନିଶ୍ଚିତ ଯେ, ଯେମିତି ସବୁ ଯୁଦ୍ଧରେ ହୁଏ, ଶାସକ ନେତାମାନେ ଯୁଦ୍ଧ ଶେଷରେ ପରସ୍ପର କରମର୍ଦ୍ଦନ କରିବେ। ଅସ୍ତ୍ର ପ୍ରସ୍ତୁତକାରୀ କମ୍ପାନିମାନେ ପୁଣି ଅସ୍ତ୍ର ନିର୍ମାଣରେ ଲାଗି ପଡ଼ିବେ। ପୁଅକୁ ହରାଇଥିବା ମା’, ସ୍ୱାମୀକୁ ହରାଇଥିବା ସ୍ତ୍ରୀ ଏବଂ ବାପାକୁ ହରାଇଥିବା ପିଲାଙ୍କ ଯୁଦ୍ଧଯନ୍ତ୍ରଣା କିନ୍ତୁ ଆଜୀବନ ଦୁର୍ବିଷହ ହୋଇ ରହିଯିବ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ବନ୍ଦ ନିମନ୍ତେ ତେଣୁ ଗାନ୍ଧୀଜୀଙ୍କ ନାଁରେ ବିଶ୍ୱ ଶାନ୍ତି କାମନା କରି ଏବେ ସବୁଠି ପ୍ରାର୍ଥନା ଆରମ୍ଭ ହୋଇଗଲାଣି।
ମୋ: ୯୮୬୧୪୬୯୩୨୮