ନିର୍ବାଚନ ବିଜୟ ବନାମ ବିପର୍ଯ୍ୟସ୍ତ ଗଣତନ୍ତ୍ର

ନିରଞ୍ଜନ ପଟ୍ଟନାୟକ

ସଦ୍ୟ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ଏକ ତରଫା ବିଜୟ ଗଣତନ୍ତ୍ର ପାଇଁ ଶୁଭ ସୂଚକ ନୁହେଁ। ମୁଁ ମୁକ୍ତ ସ୍ବରରେ ସ୍ବୀକାର କରୁଛି ଯେ ଏକ ପ୍ରମୁଖ ବିରୋଧୀ ଦଳ ହିସାବରେ ଏଥପାଇଁ ଆମେ ମଧ୍ୟ ଉତ୍ତରଦାୟୀ। ତେବେ ଏତିକି କହିଦେଲେ ସ୍ଥିତିର ଜଟିଳତା, କାରଣ ଓ ନିରାକରଣ ବୁଝି ହେବ ନାହିଁ। ଏଭଳି କାହିଁକି ଘଟୁଛି?

କଂଗ୍ରେସ ଦଳରେ ଅନ୍ତଃ କନ୍ଦଳ ବା ରଣନୀତିର ଅଭାବ ଏଥିପାଇଁ ଦାୟୀ କି? ଏହା ନିଶ୍ଚୟ ଯେ ଆମ ଦଳ ପୁରୁଣା ସ୍ଥିତିରେ ନାହିଁ। ଆମର ଅନେକ ନେତା ଓ ସମର୍ଥକ ଧୈର୍ଯ୍ୟହରା ହୋଇ କ୍ଷମତା ଆଶାରେ ଅନ୍ୟ ଦଳକୁ ପଳେଇଲେଣି। ତେବେ ସେମାନେ କଂଗ୍ରେସ ଛାଡ଼ିବା ରୋଗର ଲକ୍ଷଣ, ରୋଗ ନୁହେଁ। ଭାରତରେ ଅନେକ ଦଶନ୍ଧି ହେଲା ଦଳ-ବଦଳର ରାଜନୈତିକ ପରମ୍ପରା ସୃଷ୍ଟି ହୋଇଛି। ଲୋକେ ଯେଉଁ ବାଟରେ ଗଲେ କ୍ଷମତାକୁ ଆସିବେ ସେ ରାସ୍ତା ଧରୁଛନ୍ତି। ବର୍ତ୍ତମାନର ବାସ୍ତବତା ସାଥିରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ସ୍ଥିତିର ବେଶୀ କିଛି ସମ୍ପର୍କ ନାହିଁ, ଯଦିଓ ଗଣମାଧ୍ୟମ ଏହାକୁ ସବୁବେଳେ ଆଲୋଚନା କରନ୍ତି। ତେଣୁ ବାସ୍ତବ ସମସ୍ୟାଟି କ’ଣ?

ଆମେ ସରକାରରେ ଥିଲାବେଳେ ରାଜ୍ୟ ସରକାରଙ୍କ ଆର୍ଥିକ ସମ୍ବଳ ସୀମିତ ଥିଲା। ସରକାରୀ କର୍ମଚାରୀଙ୍କୁ ଦରମା ଦେଇ ହେଉ ନ ଥିଲା। ଏଥିପାଇଁ ବିଜୁବାବୁଙ୍କୁ ମଧ୍ୟ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନର ସମ୍ମୁଖୀନ ହେଇ ଅପଦସ୍ତ ହେବାକୁ ପଡ଼ିଥିଲା। ସେ ସ୍ଥିତି ଏବେ ନାହିଁ। ୧୯୯୧ ମସିହାରେ ଭାରତରେ ଆର୍ଥିକ ସଂସ୍କାର ହେଲା ପରେ, ଅର୍ଥନୈତିକ ଅଭିବୃଦ୍ଧି ଦର ବଢ଼ିଲା। ଏହା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତି ସୁଧୁରିଲା। ସେହି ଅନୁପାତରେ ରାଜ୍ୟମାନେ କେନ୍ଦ୍ରରୁ ପାଉଥିବା ଅର୍ଥ ତିରିଶ ଗୁଣ ବଢ଼ିଲା। ବର୍ତ୍ତମାନ ପରି ଟଙ୍କିକିଆ ଚାଉଳ, ନରେଗା, ରାସ୍ତା ତିଆରି ଇତ୍ୟାଦି ସେତେବେଳେ ସମ୍ଭବପର ନ ଥିଲା। ଭୋଟର କହୁଛନ୍ତି ଆମେ ଆଗରୁ ପାଉ ନ ଥିଲୁ, ଏବେ ପାଉଛୁ। ତେଣୁ ବର୍ତ୍ତମାନ ସରକାର ଆଗ ସରକାର ଠାରୁ ଭଲ। ଏବେ କେନ୍ଦ୍ରରୁ ବିଭିନ୍ନ ଯୋଜନା ବାବଦରେ ମିଳୁଥିବା ଅର୍ଥ, ଜିଏସ୍‌ଟିରୁ ରାଜ୍ୟର ଭାଗ, ଖଣି ରୟାଲଟି, ଅବକାରୀ ଟିକସ ଓ ପେଟ୍ରୋଲିଅମ୍‌ ଦ୍ରବ୍ୟମାନଙ୍କ ଉପରେ ରାଜ୍ୟ ଟିକସ ମିଶାଇଲେ ରାଜ୍ୟର ଆର୍ଥିକ ସ୍ଥିତି ଆମ ସମୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେତେବେଳେ ସମ୍ଭବ ନ ଥିଲା ଯେ ଆମେ ପଞ୍ଚସ୍ତରି ଲକ୍ଷ ପରିବାରକୁ ସ୍ବାସ୍ଥ୍ୟ ଖର୍ଚ୍ଚ ପାଇଁ କାର୍ଡ ଦେଇ ଦେବୁ। ସରକାରଙ୍କ ପାଇଁ ଏକ ବିଶାଳ ଲାଭାର୍ଥୀ ବର୍ଗ ସୃଷ୍ଟି ହେଇଛନ୍ତି। ସେମାନେ ସୁବିଧା ସୁଯୋଗ ପାଉଛନ୍ତି। ପୂରା ରାଜ୍ୟ ବଜେଟ୍‌ ସରକାର ଭୋଟରଙ୍କୁ ଆକୃଷ୍ଟ କରିବାରେ ବ୍ୟବହାର କରୁଛନ୍ତି। ଆମେ ସରକାରରେ ନାହୁଁ। କେବଳ ପ୍ରତିଶ୍ରୁତି ଦେଇ ପାରିବୁ। ସରକାର ସୁବିଧା ଦେଉଛନ୍ତି ଓ ସେଥିପାଇଁ ଲୋକେ ଭୋଟ ଦେଉଛନ୍ତି। ଗଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଶ ହଜାର କୋଟି ଟଙ୍କା ଖର୍ଚ୍ଚ କଲେ।

ମୁଁ ଗଲା ଷାଠିଏ ବର୍ଷ ହେଲା ରାଜନୀତିରେ ଅଛି, କିନ୍ତୁ ଆଗରୁ ରାଜନୀତି ଏତେ ଅର୍ଥ ବହୁଳ ନ ଥିଲା। ଦଳକୁ କିଛି ଚାନ୍ଦା ମିଳୁଥିଲା। କିନ୍ତୁ ଏବେ ଭଳି ନୁହେଁ। ଯେହେତୁ ବିଜୁ ଜନତା ଦଳ ଗୋଟିଏ ଟାଣୁଆ ରାଜନୈତିକ ସ୍ଥିତିରେ ଅଛି ଓ ବାଇଶ ବର୍ଷ ହେଲା କ୍ଷମତାରେ ଅଛି, ସେମାନେ ଦଳୀୟ କାମ ପାଇଁ ଦୈନିକ ଯେତିକି ଖର୍ଚ୍ଚ କରୁଛନ୍ତି, ଆମେ ମାସକୁ ସେତିକି ଖର୍ଚ୍ଚ କରିବା ସ୍ଥିତିରେ ନାହୁଁ। ସେମାନେ ଗୋଟିଏ ଖବରକାଗଜ, ଗୋଟିଏ ଟି.ଭି. ଚାନେଲ ଚଳାଉଛନ୍ତି। ଅନେକ ଗଣମାଧ୍ୟମର ସମ୍ପାଦକ/ମାଲିକଙ୍କୁ ବିଧାୟକ, ସାଂସଦ କରିଛନ୍ତି। ବିଜ୍ଞାପନ ଦେଉଛନ୍ତି। ସାମାଜିକ ଗଣମାଧ୍ୟମ ପାଇଁ ଖର୍ଚ୍ଚ କରି ପାରୁଛନ୍ତି। ତେଣୁ ଉଭୟ ସରକାରୀ ଓ ବେସରକାରୀ ଅର୍ଥ ବ୍ୟୟ କରି ନିଜ ସପକ୍ଷରେ ପ୍ରଚାର କରି ପାରୁଛନ୍ତି। ପୂରା ସରକାରୀ ଅର୍ଥରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ। ଗ୍ରାମାଞ୍ଚଳରେ ସରକାରୀ ସ୍କୁଲ୍‌ମାନଙ୍କୁ ସାଜସଜ୍ଜା କଲେ। ପୂରା ସରକାରୀ ଖର୍ଚ୍ଚରେ ସବୁ ଜିଲ୍ଲାରେ କାର୍ଯ୍ୟକ୍ରମ କଲେ ଓ ପ୍ରଚାର କଲେ। ନାମକୁ ମାତ୍ର ସରକାରୀ କାର୍ଯ୍ୟକ୍ରମ, ସବୁ ଦଳୀୟ ପ୍ରଚାର। ଲୋକେ ସରକାର ଓ ଦଳ ଭିତରେ ଫରକ ଦେଖୁ ନାହାନ୍ତି। ରାଜନୀତି ଓ ରାଷ୍ଟ୍ରନୀତି ଭିତରେ ଫରକ କରୁ ନାହାନ୍ତି। ବଜେଟ୍‌କୁ କିଭଳି ବିନିଯୋଗ କଲେ ରାଜ୍ୟର ସ୍ବାର୍ଥ ସାଧନ ହେବ; ଶିକ୍ଷା, ସ୍ବାସ୍ଥ୍ୟ, କୃଷିର ଉନ୍ନତି ହେବ; ତାହା ଭୋଟରଙ୍କୁ ବୁଝାଇ ହେଉନି।

କୁହାଯାଉଛି ଶାସକ ଦଳ ରାଜନୈତିକ ଗୋଟି ଚାଳନା କରି ସଫଳ ହେଉଛନ୍ତି। ଗୋଟିଏ ଦଳ ଦଶନ୍ଧି ଦଶନ୍ଧି ଉଦ୍ୟମ କରି ନେତାଟିଏ କରେ। ଛାତ୍ର ନେତାଟିଏ କରେ, ଆଦିବାସୀ ନେତାଟିଏ କରେ ବା ଅନ୍ୟମାନଙ୍କୁ ବିଧାୟକ, ସାଂସଦ, ମନ୍ତ୍ରୀ ଭାବେ ପ୍ରତିଷ୍ଠିତ କରେ। ଶାସକ ଦଳ ସେମାନଙ୍କୁ ନେଇ ବିରୋଧୀଙ୍କୁ ଦୁର୍ବଳ କରିବା ନୈତିକ କି ନୁହେଁ ତାହା ବିଦ୍ବାନ ଲୋକେ ବିଚାର କରିବା ଉଚିତ। ଗୋଟିଏ ଉଦାହରଣ ଦେବି: ୧୯୬୫ ମସିହାରେ ରୋଡେସିଆ, ବର୍ତ୍ତମାନ ଜିମ୍ବାୱେ ସ୍ବାଧୀନ ହେଲା। ସେତେବେଳେ ସେଠି ଦୁଇଟି ଦଳ ଥିଲେ। ଗୋଟିକର ନାମ ହେଲା ଜାନୁ ଓ ଅନ୍ୟଟିର ନାମ ଜାପୁ। ଜାନୁ ଦଳର ରବର୍ଟ ମୁଗାବେ ରାଷ୍ଟ୍ରପତି ହେଲେ। ପରେ ସେ ଜାପୁ ଦଳର ନେତା ଜୋସୁଆ କୋମୋଙ୍କୁ ଜେଲ୍‌ ପଠେଇ ଦେଲେ। ଶେଷରେ ଜାନୁ ଓ ଜାପୁ ମିଶି ଗୋଟିଏ ଦଳ- ଜାନୁ ପିଏଫ ହେଲା। ତେଣିକି ମୁଗାବେ ତିନି ଦଶନ୍ଧି ବିନା ବିରୋଧୀ ଦଳରେ ଶାସନ କଲେ। ବିରୋଧୀ ଦଳରୁ ନେତାମାନଙ୍କୁ ନେଇ, ବିରୋଧୀ ଦଳକୁ ଶେଷ କରିଦେବା ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନୁହେଁ। ଦୁଃଖର କଥା ଆମ ଗଣମାଧ୍ୟମ ଏଥିପାଇଁ ଶାସକ ଦଳକୁ ଥରଟିଏ ସମାଲୋଚନା କରନ୍ତି ନାହିଁ। ବାସ୍ତବରେ ଆମେ ଗଣତନ୍ତ୍ରକୁ ଏପର୍ଯ୍ୟନ୍ତ ଠିକ ଭାବରେ ବୁଝିନେ। ବିଧାନସଭା ନ ଚାଲୁ। ମୁଖ୍ୟମନ୍ତ୍ରୀ ବିଧାନସଭା ବର୍ଷ ବର୍ଷ ଧରି ନ ଆସନ୍ତୁ। କ୍ୟାବିନେଟ୍‌ ରବର ଷ୍ଟାମ୍ପ୍‌ ହେଇଯାଉ। ବିଧାନସଭାର କମିଟିଗୁଡ଼ିକ ଦନ୍ତହୀନ ହେଇ ଯାଆନ୍ତୁ। ବିଶ୍ବବିଦ୍ୟାଳୟ ମାନଙ୍କରୁ ସିନେଟ୍‌ ଓ ସିଣ୍ଡିକେଟ୍‌ ଲୋପ ପାଉ।

କଲେଜ ନିର୍ବାଚନ ବନ୍ଦ ରହୁ। ସରକାରୀ ସ୍କୁଲ୍‌କୁ ପିଲା ନ ଯାଇ ସରସ୍ବତୀ ଶିଶୁ ମନ୍ଦିର ଯାଆନ୍ତୁ, କିଛି ପ୍ରଶାସକ ଓଡ଼ିଶା ସ୍ବାର୍ଥ କଥା ନ ଭାବି ରାଜ୍ୟ ଚଳାନ୍ତୁ। ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ସେହି ପ୍ରଶାସକଙ୍କ ପାଖରେ ନତମସ୍ତକ ହୁଅନ୍ତୁ। ଓଡ଼ିଆଙ୍କ ସ୍ବାଭିମାନ ଧୂଳିସାତ୍‌ ହେଉ। ଏ ସବୁ ସର୍ବଜନବିଦିତ। କିନ୍ତୁ ଆମେ କରିବା କ’ଣ? ଭୋଟର କହୁଛନ୍ତି ବିଧାନସଭା ବସିଲେ କି ହଜିଗଲେ ତାଙ୍କର ଯାଏଆସେ ନାହିଁ। ସେମାନେ ଚାଉଳ ପାଉଛନ୍ତି, ସ୍ବାସ୍ଥ୍ୟକାର୍ଡ ପାଉଛନ୍ତି, ତାଙ୍କ ସ୍କୁଲ୍‌ରେ ଚୂନ ମରା ହେଇଛି, ତାଙ୍କ ନେତାଙ୍କୁ ଠିକା ମିଳୁଛି। ସମ୍ବିଧାନ, ଗଣତନ୍ତ୍ର ଗାଧେଇ ଗଲେ ସେମାନେ ଦୋଷୀ ନୁହନ୍ତି। ଆପଣମାନେ ପ୍ରଶ୍ନ କରିବେ ଅନ୍ୟ ରାଜ୍ୟରେ ଲଢ଼େଇ ହେଉଛି କିପରି? ଉତ୍ତର ହେଲା, ସେଠି ଧର୍ମ ଓ ଜାତି ଭିତ୍ତିରେ ରାଜନୀତି ଚାଲେ। ପରିସ୍ଥିତି ଯାହା ହେଉନା କାହିଁକି ଯାଦବ ଓ ମୁସଲମାନ ଭୋଟ ସମାଜବାଦୀ ଦଳକୁ ମିଳିବ। ଦଳିତ ଭୋଟ ବହୁଜନ ସମାଜ ପାର୍ଟିକୁ ମିଳିବ। ହିନ୍ଦୁତ୍ବ ଭୋଟ ବିଜେପିକୁ ମିଳିବ। ଓଡ଼ିଶାରେ ଏସବୁ ନାହିଁ। ଶାସକ ଦଳ ହାତରେ ପୂରା ବଜେଟ୍‌, ଅର୍ଥାତ୍‌ ପଚାଶ ହଜାର କୋଟି ଟଙ୍କା ଭୋଟ ଜିତିବା ପାଇଁ। ଶାସକ ଦଳ ହାତରେ କୋଟି କୋଟି ଟଙ୍କା ଦଳକୁ ସକ୍ରିୟ ରଖିବା ପାଇଁ, ଦଳୀୟ କାର୍ଯ୍ୟକ୍ରମ ପାଇଁ। ଶାସକ ଦଳ ହାତରେ ବିଧାୟକ ଓ ସାଂସଦ କରିବାର ଶକ୍ତି ବିରୋଧୀ ଦଳରୁ ନେତା ନେଇଯିବା ପାଇଁ ଯଥେଷ୍ଟ, କାରଣ ଆଦର୍ଶ କିଛି ମାନେ ରଖୁନି। ଶାସକ ଦଳ କଳ-ବଳ-କୌଶଳ କରି ଗଣମାଧ୍ୟମକୁ ଅକ୍ତିଆରରେ ରଖୁଛି। ଏହାଛଡ଼ା, ବୁଦ୍ଧିଜୀବୀ ଗଣତନ୍ତ୍ର ପ୍ରତି ଦେଖାଦେଇଥିବା ବିପଦ ଓ ତୃଣମୂଳ ସ୍ତରର ବାସ୍ତବତା ନ ବୁଝି, ବିରୋଧୀ ଦଳ ପଛରେ ପଡ଼ିଛନ୍ତି। ହୁଏ’ତ ଦଶ ବର୍ଷ ତଳେ ପ୍ରତିଯୋଗିତାର ସୁଯୋଗ ଥିଲା। ଏବେ ପୂରା ‘ନାରେଟିଭ’ ବା ମତ ନ ବଦଳିଲେ ନିର୍ବାଚନ ରାଜନୀତି ପ୍ରତିଯୋଗିତାପୂର୍ଣ୍ଣ ହେବ ନାହିଁ। ବିରୋଧୀ ଦୁର୍ବଳ ହେଲେ ସ୍ୱେଚ୍ଛାଚାର ବଢ଼ିବ। ଆମେ ଲୋକମାନଙ୍କୁ ବୁଝେଇବାକୁ ଉଦ୍ୟମ କରୁଛୁ। କିନ୍ତୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ମଧ୍ୟ ଗଣତନ୍ତ୍ରର ସୁରକ୍ଷା ବିଷୟରେ ଚିନ୍ତା କରନ୍ତୁ।

ମୁଁ ରାଜ୍ୟର ଭବିଷ୍ୟତ୍‌କୁ ନେଇ ଚିନ୍ତିତ। ଆମ ସମୟ ଗଲା। କିନ୍ତୁ ଏଠି ଅଣକୁଶଳୀ ଯୁବକ ବାହାରକୁ ପଳାଉଛି। କୁଶଳୀ ଲୋକ ବି ବାହାରକୁ ପଳାଉଛନ୍ତି। ଏଠି କଟକରୁ ସମ୍ବଲପୁର ଯାଏଁ ରାସ୍ତା ଦଶ ବର୍ଷ ବିଳମ୍ବ ହେଲାଣି। ଲୋକେ ଚାଷବାସ କରିବା ବନ୍ଦ କରି ଦେଲେଣି। ଆମ ରାଜ୍ୟରେ ରାସ୍ତାଘାଟରେ ପୁଲିସ ଦେଖିବା ଏକ ସ୍ବପ୍ନ- ପୁଲିସ ବ୍ୟବସ୍ଥାଟି ଅତ୍ୟନ୍ତ ଦୁର୍ବଳ। ଦୋଷୀଙ୍କୁ ଦଣ୍ଡ ମିଳିବାରେ ଓଡ଼ିଶା ଦେଶରେ ସବୁଠାରୁ ତଳେ। ତେଣୁ ଏଠି ପ୍ରଥମେ ଗଣତନ୍ତ୍ର ଫେରିବା ପାଇଁ ଏକ ରାଜନୈତିକ କାର୍ଯ୍ୟକ୍ରମ ଦରକାର। ତା’ପରେ ନିର୍ବାଚନର ଅର୍ଥ ରହିବ। ନିର୍ବାଚନ ଏକ ମାଧ୍ୟମ, କିନ୍ତୁ ଏକ ଗନ୍ତବ୍ୟ ସ୍ଥଳୀ ନୁହେଁ। ଲୋକେ ବର୍ତ୍ତମାନ ବୁଝିଲେଣି ଯେ ବିଜେପି ଦଳର କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ସ୍ଥିତି ସମ୍ପର୍କରେ ଅଜ୍ଞ ବା ଜାଣିଶୁଣି ବିଜୁ ଜନତା ଦଳକୁ ସମର୍ଥନ କରୁଛନ୍ତି। ନବୀନ ବାବୁ ମଧ୍ୟ ବିଜେପିକୁ ସଂସଦ‌େର ଓ ସଂସଦ ବାହାରେ ସମର୍ଥନ କରୁଛନ୍ତି। ଯେତେବେଳେ ବିଜେପିର କର୍ମୀମାନେ ନବୀନ ବାବୁଙ୍କ ବିରୋଧରେ ସ୍ଲୋଗାନ୍‌ ଦେଉଛନ୍ତି, ମୋତେ ଦୁଃଖ ଲାଗେ। ଯଦି ତାଙ୍କ ଦଳର ହାଇକମାଣ୍ଡ ନବୀନ ବାବୁଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି, ଏମାନେ ଏଠି ନବୀନ ବାବୁଙ୍କୁ ଗାଳିମନ୍ଦ କରି ଲାଭ କ’ଣ? ଲୋକଙ୍କୁ ବୁଝିବାକୁ ହେବ ଯେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ। କଂଗ୍ରେସ ଯେତିକି ଦୁର୍ବଳ ହେବ, ରାଜ୍ୟରେ ଗଣତନ୍ତ୍ର ସେତିକି ବିପନ୍ନ ହେବ। ମୁଁ ସ୍ବୀକାର କରୁଛି ଯେ ଗୋଟେ ସମୟରେ ଆମେ ବୁଦ୍ଧିଜୀବୀଙ୍କ ସମର୍ଥନ ହରେଇଲୁ ଓ ଆମ ଦଳର ନେତାମାନଙ୍କ ଉପରେ ଦୁର୍ନୀତି ଓ ଅପରାଧକୁ ପ୍ରଶ୍ରୟ ଦେବାର ଅଭିଯୋଗ ଆସିଲା। ଏବେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ବୁଦ୍ଧିଜୀବୀମାନେ ଆଉ ଥରେ ସୁଯୋଗ ଦିଅନ୍ତୁ। ଆମର ଯେଉଁ ନେତା ଓ ସମର୍ଥକ ବିଜେପିକୁ ବିଜେଡିର ବିକଳ୍ପ ବୋଲି ଭାବି ସମର୍ଥନ ଦେଉଥିଲେ, ସେମାନେ ନିଜ ମତର ପୁନଃ ସମୀକ୍ଷା କରନ୍ତୁ। ରାଜ୍ୟରେ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ, କଂଗ୍ରେସ ଦଳକୁ ସୁଦୃଢ଼ କରିବାକୁ ହେବ ଓ ସେଥିପାଇଁ ବୌଦ୍ଧିକ ସ୍ତରରେ ‘ନାରେଟିଭ’ ବା ମତ ବଦଳିବା ଏକାନ୍ତ ଆବଶ୍ୟକ।

ଦଳ ମତ ନିର୍ବିଶେଷରେ ଯେଉଁମାନେ ଗଣତନ୍ତ୍ରର ସୁରକ୍ଷା ଚାହୁଁଛନ୍ତି, ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଜାତୀୟ ରାଜନୀତିର ଓଡ଼ିଶାର ସ୍ଥିତି ସାଙ୍ଗରେ କୌଣସି ସମ୍ପର୍କ ନାହିଁ। ଦ୍ୱିତୀୟ, ଯୁବକମାନଙ୍କୁ ଲାଭାର୍ଥି ରାଜନୀତିକୁ ବିରୋଧ କରି ଆନ୍ଦୋଳନ କରିବାକୁ ପଡ଼ିବ, ନ ହେଲେ ବେକାରି ସମସ୍ୟାରେ କୌଣସି ଉନ୍ନତି ଆସିବ ନାହିଁ। ପୂରା ବଜେଟ୍‌ଟି ଭୋଟ ରାଜନୀତି ପାଇଁ ବ୍ୟବହୃତ ହେବ। ତୃତୀୟ, କୃଷକ ଓ ଶ୍ରମିକ ସଂଗଠନମାନଙ୍କୁ ଆଗଭର ହେବାକୁ ପଡ଼ିବ। ଏସବୁ କଷ୍ଟ। ତଥାପି ଆମକୁ ଆଶାବାଦୀ ହେବାକୁ ହେବ। ବୁଦ୍ଧିଜୀବୀ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ବୌଦ୍ଧିକ ନେତୃତ୍ବ ନିଅନ୍ତୁ। ତୃଣମୂଳରେ ସୃଷ୍ଟି ହେଇଥିବା ସଂକଟକୁ ନ ବୁଝି ଶୀତତାପ ନିୟନ୍ତ୍ରିତ କୋଠରିରୁ ବିରୋଧୀ ଦଳଙ୍କୁ ସମାଲୋଚନା କଲେ ସଙ୍କଟ ବଢ଼ିବ। ଓଡ଼ିଆଙ୍କ ସ୍ବାଭିମାନ ରକ୍ଷା ହେବ ନାହିଁ। କେବଳ ଆମ ପାଇଁ ନୁହେଁ, ସବୁ ଓଡ଼ିଆଙ୍କ ପାଇଁ ସଙ୍କଟ ଓ ଆତ୍ମ ସମୀକ୍ଷାର ସମୟ।
ସଭାପତି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ସମ୍ବନ୍ଧିତ ଖବର