ଯୁଦ୍ଧ, ଆମେରିକାର ଖେଳ!

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ରୁଷିଆର ବୋମା ମାଡ଼ରେ ୟୁକ୍ରେନ୍‌ ଏବେ ଭଗ୍ନସ୍ତୂପରେ ପରିଣତ ହେବାରେ ଲାଗିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ହେଉଛି ୟୁରୋପରେ ସଂଘଟିତ ହୋଇଥିବା ସର୍ବାଧିକ ଭୟଙ୍କର ଯୁଦ୍ଧଜନିତ ପରିସ୍ଥିତି। କିନ୍ତୁ ବିଡ଼ମ୍ବନାଟି ହେଲା ଏଭଳି ସ୍ଥିତି ଲାଗି ଦାୟୀ ଭାବେ ଅନେକ ଯାହା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି, ତାହା ରୁଷିଆ ନୁହେଁ, ବରଂ ତାହା ହେଉଛି ନିଜକୁ ସଭ୍ୟତମ, ଗଣତନ୍ତ୍ରର ବୃହତ୍ତମ ପୃଷ୍ଠପୋଷକ ଏବଂ ସର୍ବାଧିକ ଶାନ୍ତିକାମୀ ରାଷ୍ଟ୍ର ରୂପେ ବିଜ୍ଞପିତ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା। କାରଣ ସଂପ୍ରତି ୟୁକ୍ରେନ୍‌ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ସଂଘାତ ଆମେରିକାର ତ୍ରୁଟିପୂର୍ଣ୍ଣ କୂଟନୀତିର ପରିଣାମ ବୋଲି ସେମାନେ ଆରୋପ କରି ଥାଆନ୍ତି।

୧୯୯୧ ମସିହାରେ ସୋଭିଏତ୍‌ ସଂଘର ବିଲୟ ପରେ ୟୁକ୍ରେନ୍‌ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଘୋଷଣା କଲା ଏବଂ ବିଶ୍ବ ସମୁଦାୟର ସ୍ବୀକୃତି ହାସଲ କଲା ମଧ୍ୟ। ପ୍ରାରମ୍ଭିକ ସମୟରେ ପଡ଼ୋଶୀ ରାଷ୍ଟ୍ର ରୁଷିଆ ସହିତ ଏହାର ସଂପର୍କ ମଧ୍ୟ ଅନୁକୂଳ ଥିଲା। କିନ୍ତୁ ଆମେରିକା ସେଠାରେ ଏକ ‘ନାଟୋ’ ସାମରିକ ଘାଟି ପ୍ରତିଷ୍ଠା କରିବାର ଯୋଜନା କରିବା ପରେ ୟୁକ୍ରେନ୍ ରୁଷିଆର ସନ୍ଦେହାସ୍ପଦ ହେଲା ଏବଂ ଦୁଇ ଦେଶ ମଧ୍ୟରେ ସଂପର୍କ ବିଗିଡ଼ିବାକୁ ଲାଗିଲା। ୧୯୪୯ ମସିହାରେ ‘ନାଟୋ’ ଗଠନ ପଛର ମୂଳ ଏବଂ ପ୍ରାରମ୍ଭିକ ଲକ୍ଷ୍ୟ ଥିଲା ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ କିଛି ସଦସ୍ୟ ୟୁରୋପୀୟ ରାଷ୍ଟ୍ରଙ୍କ ନିରାପତ୍ତା ସହିତ ସୋଭିଏତ୍‌ ସଂଘର ପ୍ରଭାବକୁ ନିଷ୍ପ୍ରଭ କରିବା। ସୋଭିଏତ୍‌ ଅସ୍ତିତ୍ବ ବିଲୀନ ହେବା ପରେ ସେହି ଲକ୍ଷ୍ୟ ରୁଷିଆକୁ ଚାପରେ ରଖିବାରେ ପରିବର୍ତ୍ତିତ ହୋଇଛି। ତେଣୁ ଏହା ସ୍ବାଭାବିକ ଯେ ୟୁକ୍ରେନ୍‌ରେ ‘ନାଟୋ’ର ପ୍ରଭାବ ବୃଦ୍ଧିକୁ ରୁଷିଆ ବିରୋଧ କରିବ।

ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଚାହାନ୍ତି ଯେ ୟୁକ୍ରେନ୍ ‘ନାଟୋ’ ଆଡ଼କୁ ନ ଢ଼ଳି ରୁଷିଆ ସହିତ ମିତ୍ରତା ବନ୍ଧନରେ ରହୁ। କେବଳ ସେତିକି ନୁହେଁ ଭ୍ଲାଡିମିର ପୁଟିନଙ୍କ ଧାରଣାରେ ଏକ ସ୍ବାଧୀନ ୟୁକ୍ରେନ୍‌ ଆଦୌ ଗ୍ରହଣୀୟ ନୁହେଁ, କାରଣ ତାହା ସର୍ବଦା ରୁଷିଆର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା ଓ ରହିବ ଏବଂ ଯାହା ଅକ୍ଟୋବର ବିପ୍ଳବର ଜନକ ଭ୍ଲାଡିମିର ଲେନିନଙ୍କ ଏକ ଐତିହାସିକ ଅପରିଣାମଦର୍ଶିତା ହେତୁ ଅସ୍ତିତ୍ବକୁ ଆସିଲା। ତେଣୁ ଏଭଳି ଏକ ପୃଷ୍ଠଭୂମିରେ ୟୁ‌େକ୍ରନ୍‌ ‘ନାଟୋ’ର ନିକଟବର୍ତ୍ତୀ ହେବା ରୁଷିଆ ଏବଂ ପୁଟିନଙ୍କ ପ୍ରତି ଅସହ୍ୟ ହୋଇଥିବ ନିଶ୍ଚୟ।

ଏଠାରେ ଏକ ସ୍ବାଭାବିକ ଯୁକ୍ତି ହେଲା ଗୋଟିଏ ସ୍ବାଧୀନ ରାଷ୍ଟ୍ର କାହା ପ୍ରତି ଅନୁରକ୍ତ ହେବ, ତାହା ସେହି ରାଷ୍ଟ୍ରର ଇଚ୍ଛାର ଅଧୀନ ହେବା ଜରୁରୀ। ତେଣୁ ‘ନାଟୋ’ ଆଡ଼କୁ ଢଳିଥିବା କାରଣରୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ହେଉଛି ସଂପୂର୍ଣ୍ଣ ଭାବେ ଭୁଲ୍‌। କିନ୍ତୁ ଏହି ଯୁଦ୍ଧ ପରିପ୍ରେକ୍ଷୀରେ ଯାହାର ଭୁଲ୍‌ ସର୍ବାଧିକ ବୋଲି କହିଲେ ଚଳିବ, ତାହା ହେଲା ଯୁକ୍ତରାଷ୍ଟ୍ର ଆମେରିକାର ସ୍ବାର୍ଥ ସର୍ବସ୍ବ ସୁବିଧାବାଦୀ କୂଟନୀତି। କାରଣ, ରୁଷିଆ ପକ୍ଷରୁ ଆକ୍ରମଣ ହେଲେ ଆମେରିକା ଏବଂ ‘ନାଟୋ’ ତାକୁ ସାମରିକ ସହାୟତା ଯୋଗାଇ ଦେବେ ବୋଲି ଧରି ନେଇ ସେମାନଙ୍କୁ ସମର୍ଥନ କରିଥିବା ୟୁକ୍ରେନ୍‌ କୌଣସି ସହାୟତା ନ ପାଇ ଏକାକୀ ଏକ ଦୟନୀୟ ଯୁଦ୍ଧ ଲଢୁଛି। ସ୍ବାର୍ଥପର ଯୁକ୍ତରାଷ୍ଟ୍ର ଆମେରିକା ଭରସାଯୋଗ୍ୟ ନୁହେଁ ବୋଲି ପୁଟିନ ନିଶ୍ଚିତ ଥିବାରୁ ସେ ୟୁ‌େକ୍ରନ୍‌ ଆକ୍ରମଣ କରିବାକୁ ସାହସ କଲେ। ଯଦି ‘ନାଟୋ’ ୟୁକ୍ରେନ୍‌ ପଛରେ ଛିଡ଼ା ହୋଇଥାଆନ୍ତା, ତେବେ ଏହି ଯୁଦ୍ଧ ହୋଇ ନ ଥାଆନ୍ତା।

ଯୁକ୍ତରାଷ୍ଟ୍ର ଆମେରିକାର ଦ୍ବିତୀୟ ଭୁଲ୍‌ ହେଉଛି, ରୁଷିଆ ଉପରେ ଅତ୍ୟନ୍ତ କଠୋର ଆର୍ଥିକ ପ୍ରତିବନ୍ଧ ଲଗାଇବା। ଏହାର ଉଦ୍ଦେଶ୍ୟ ଏଥିରୁ ସୃଷ୍ଟ ଆର୍ଥିକ ଦୁରବସ୍ଥା ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରିବ। କିନ୍ତୁ ଓଲଟି ଦେଖିବାକୁ ମିଳୁଛି ଯେ ରୁଷିଆ ଦ୍ବାରା ଆକ୍ରମଣ ଜୋରଦାର ହେଉଛି। ଏବଂ ବଡ଼ କଥା ହେଲା ମୁକ୍ତ ବଜାର ଏବଂ ଉଦାର ଅର୍ଥନୀତିରେ ପରିଚାଳିତ ବିଶ୍ବ ଏବେ ପରସ୍ପର ସହିତ ଏଭଳି ଛନ୍ଦାଛନ୍ଦି ଯେ ରୁଷିଆ ଉପରେ ହୋଇଥିବା ଅର୍ଥନୈତିକ ପ୍ରତିବନ୍ଧ ଦ୍ବାରା ସମଗ୍ର ପୃଥିବୀ ଆକ୍ରାନ୍ତ ହେବାକୁ ବସିଛି। ଉଦାହରଣ ସ୍ବରୂପ ଏହା ଦ୍ବାରା ଆନ୍ତର୍ଜାତିକ ବଜାରରେ ଖଣିଜ ତୈଳର ଦର ଆକାଶଛୁଆଁ ହୋଇ ମୁଦ୍ରାସ୍ଫୀତିକୁ ଉପର ମୁହାଁ କରି କରୋନାକାଳୀନ ପୃଥିବୀକୁ ଘୋର ଆର୍ଥିକ ସଂକଟ ମଧ୍ୟକୁ ନିକ୍ଷେପ କରିବାର ଆଶଙ୍କା ସୃଷ୍ଟି କରିଛି। ଏହା ସହିତ ଏହି ପ୍ରତିବନ୍ଧ କିଛି ଆନ୍ତର୍ଜାତିକ ସଂପର୍କର ସମୀକରଣକୁ ବିଗାଡ଼ିବାର ସମ୍ଭାବନା ସୃ‌ଷ୍ଟି କଲାଣି; ଯେମିତି କି ଖଣିଜ ତୈଳ ଓ ଗ୍ୟାସ୍‌ ଲାଗି ରୁଷିଆ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ଜର୍ମାନି ଏହି ପ୍ରତିବନ୍ଧକୁ କେତେ କାଳ ପର୍ଯ୍ୟନ୍ତ ସମ୍ମାନ ଦେଇ ପାରିବ, ତାହା ଦେଖିବା କଥା! ସୁତରାଂ, ଏହା ‘ନାଟୋ’ରେ ଫାଟ ସୃଷ୍ଟି କରିବାର ଭୟ ରହିଛି।

ଏଣେ ସୋଭିଏତ୍‌ର ବିଘଟନର ତିନି ଦଶନ୍ଧି ପରେ ପୁଣି ଏକ ଶୀତଳ ଯୁଦ୍ଧକାଳୀନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି, ଯହିଁରେ ଦୁଇଟି ଶତ୍ରୁଭାବାପନ୍ନ ଶିବିର ସୃଷ୍ଟି ହେବା ଜଳ ଜଳ ଦିଶିଲାଣି। ଏଥିରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ ଶିବିର ବିରୋଧରେ ରୁଷିଆ ସହିତ ଚୀନ, ପାକିସ୍ତାନ ଇତ୍ୟାଦିଙ୍କୁ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ଚୀନ ଏବେ ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ଏବଂ ତାହା ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରିବାକୁ ବ୍ୟଗ୍ର। ଅର୍ଥ ସାହାଯ୍ୟର ପ୍ରଲୋଭନ ଦେଖାଇ ଅନେକ ଏସୀୟ ରାଷ୍ଟ୍ରକୁ ଚୀନ ନିଜର ବଶମ୍ବଦ ରାଷ୍ଟ୍ରରେ ପରିଣତ କରିବାର କୌଶଳ ଆପଣାଇଛି। ଏଭଳି ଏକ ସ୍ଥିତିରେ ଭାରତ ଭଳି ରାଷ୍ଟ୍ର ସେମାନଙ୍କ ଭୌଗୋଳିକ ସ୍ଥିତି ଏବଂ ରଣନୈତିକ ଆବଶ୍ୟକତା ପରିପ୍ରେକ୍ଷୀରେ କେଉଁ ଆଡ଼କୁ ଢଳି‌େବ, ସେ ନେଇ ଦ୍ବନ୍ଦ୍ବରେ ରହି‌େବ। ଏହି ଘଟଣାକ୍ରମ ପୁଣି ଏକ ସ୍ଥାୟୀ ଯୁଦ୍ଧ ଏବଂ ଅସୁସ୍ଥ ପ୍ରତିଦ୍ବନ୍ଦ୍ବିତାର ବାତାବରଣକୁ ଜନ୍ମ ଦେବ। କହିବା ଅନାବଶ୍ୟକ ଯେ ଏହାର ମୂଳ ଆମେରିକାର କୂଟ‌ନୈତିକ ଖେଳ।

ଏଠାରେ ପ୍ରଶ୍ନ ଉଠେ ଆମେରିକା ପ୍ରକୃତରେ କ’ଣ ଚାହେଁ? ଅନେକ କହନ୍ତି ଯେ ଶାନ୍ତି ପ୍ରତିଷ୍ଠାର ଆଳ‌େର ଆମେରିକା ବାସ୍ତବରେ ପୃଥିବୀକୁ ଯୁଦ୍ଧାକ୍ରାନ୍ତ କରି ରଖିବାକୁ ଚାହେଁ। ପୃଥିବୀରେ ଯୁଦ୍ଧ ଦ୍ବାରା ଆକ୍ରାନ୍ତ ଏଭଳି କୌଣସି ରାଷ୍ଟ୍ର ନାହିଁ, ଯେଉଁଠି ଆମେରିକାର ସଂପୃକ୍ତି ନ ରହିଛି। ଅନେକ ସନ୍ଦେହ କରନ୍ତି ଯେ ଆତଙ୍କବାଦ ବିଲୋପନ ବା ଯୁଦ୍ଧର ପରିସମାପ୍ତି ଅଥବା ଚିରନ୍ତନ ଶାନ୍ତି ପ୍ରତିଷ୍ଠା କଥା କହୁଥିବା ଆମେରିକାର ତାହା ଆଦୌ କାମ୍ୟ ନୁହେଁ। ଯଦି ତାହା ଆମେରିକାର ଧ୍ୟେୟ ହେବ, ତେବେ ତା’ର ବୃହତ୍ତମ ଅସ୍ତ୍ରଶସ୍ତ୍ର ନିର୍ମାଣ ଶିଳ୍ପ ରପ୍ତାନି ବ୍ୟବସାୟ କେମିତି ଚାଲିବ?

ସମ୍ବନ୍ଧିତ ଖବର