କିଏ ଆମର ‘ମହାପ୍ରଭୁ’?

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

କିଏ ଆମର ମହାପ୍ରଭୁ? ଶ୍ରୀଜଗନ୍ନାଥ ନା ଶ୍ରୀଚୈତନ୍ୟ? ଏ ପ୍ରଶ୍ନ ଆଜି ପୁଣିଥରେ ଉଠୁଛି। କାରଣ, ପ୍ରାୟ ମାସକ ତଳେ ଶ୍ରୀକ୍ଷେତ୍ର ପୁରୀଠାରେ ଯେଉଁ ‘ବିଶ୍ୱ ବୈଷ୍ଣବ ରାଜସଭା’ ଅନୁଷ୍ଠିତ ହୋଇଯାଇଛି- ସେହି ଅବସରରେ ବିଶିଷ୍ଟ, ବରିଷ୍ଠ ଓ ବିଦ୍ୱାନ୍‌ମାନେ ଜଗନ୍ନାଥଙ୍କୁ ‘ଶ୍ରୀଜଗନ୍ନାଥ’ ଓ ଚୈତନ୍ୟଙ୍କୁ ‘ମହାପ୍ରଭୁ ଶ୍ରୀଚୈତନ୍ୟ’ କହିବା ଦେଖାଯାଇଛି।

ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୪ ମାର୍ଚ୍ଚ, ୨୦୨୨)ରେ, ସେହି ଅବସରରେ ପ୍ରକାଶିତ କେତୋଟି ଲେଖାର ଆଲୋଚନା କରାଯାଇଥିଲା। ସେହି ସବୁ ଲେଖାର ଲେଖକ ଥିଲେ ବିଶିଷ୍ଟ ଓ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ଓ ବିଦ୍ୱାନ୍‌ମାନେ। ସେମାନେ କିପରି ପୂର୍ବାଗ୍ରହ ବା ଆବେଗ ଚାଳିତ ହୋଇ ଶ୍ରୀଜଗନ୍ନାଥ ଓ ତାଙ୍କ ଇତିହାସକୁ ନେଇ ଖେଳ ଖେଳିଥିଲେ, ତାହା ସେଥିରେ ସଦୃଷ୍ଟାନ୍ତ ଉପସ୍ଥାପିତ ହୋଇଥିଲା। ସେଥିମଧ୍ୟରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ୍ ତଥା ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀଙ୍କର ଗୋଟିଏ ଲେଖା ବି ଥିଲା। କିନ୍ତୁ ସେହି ଗୋଟିଏ ଲେଖା ନୁହେଁ; ଆଉ ଗୋଟିଏ ଲେଖା ମଧ୍ୟ ସେହି ଅବସରରେ ପ୍ରଫେସର ଶତପଥୀ ଲେଖିଛନ୍ତି। ତାହାର ଶୀର୍ଷକ ‘ଭକ୍ତିଗଙ୍ଗାର ଭଗୀରଥ: ଶ୍ରୀଳ ପ୍ରଭୁପାଦ’। ସେଥିରେ କେବଳ ଶ୍ରୀଜଗନ୍ନାଥ ଓ ତାଙ୍କ ଇତିହାସ ସହିତ ନୁହେଁ; ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଧର୍ମଧାରା ସହିତ ବି ଖେଳ ଖେଳାଯାଇଛି।

ସେହି ଲେଖାରେ ସେ ଲେଖିଛନ୍ତି, “ଭକ୍ତି ଆନ୍ଦୋଳନର ପ୍ରମୁଖ ଆଚାର୍ଯ୍ୟ ମହାପ୍ରଭୁ ଚୈତନ୍ୟ ଦୀର୍ଘ ୧୮ବର୍ଷ କାଳ ପୁରୁଷୋତ୍ତମ ଧାମ ଶ୍ରୀକ୍ଷେତ୍ରରେ ରହି ମହାପ୍ରଭୁଙ୍କର ଜଣେ ଅଦ୍ୱିତୀୟ ଭକ୍ତ ହୋଇପାରିଥିଲେ। କୃଷ୍ଣଭକ୍ତି ବା ଜଗନ୍ନାଥ ଭକ୍ତି ହେଉଛି ତାଙ୍କ ଦର୍ଶନର ମୂଳତତ୍ତ୍ୱ।’’ କିନ୍ତୁ ଯଦି ଚୈତନ୍ୟ ଶ୍ରୀଜଗନ୍ନାଥଙ୍କର ଅଦ୍ୱିତୀୟ ଭକ୍ତ, ତେବେ, ସେ କିପରି ‘ମହାପ୍ରଭୁ’ ହେବେ? ଭକ୍ତିର ଇତିହାସ ବା ଭକ୍ତିର ଧାରାରେ ସବୁ ଭକ୍ତ ଭଗବାନ ବା ‘ମହାପ୍ରଭୁ’ଙ୍କର ‘ଦାସ’ ‘ସଖା’ ବା ‘ପ୍ରିୟା’ ହୋଇଛନ୍ତି। କେହି ନିଜେ ‘ମହାପ୍ରଭୁ’ ହୋଇଛନ୍ତି କି?

କେବଳ ଏହି ପ୍ରାକ୍ତନ କୁଳପତି ତଥା ପ୍ରଫେସର ନୁହନ୍ତି; ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମଧ୍ୟ ତାଙ୍କର ଅଭିଭାଷଣରେ ଶ୍ରୀଜଗନ୍ନାଥଙ୍କୁ ‘ପ୍ରଭୁ’ ଓ ଶ୍ରୀଚୈତନ୍ୟଙ୍କୁ ‘ମହାପ୍ରଭୁ’ କହିଛନ୍ତି। ତାଙ୍କର ଯେଉଁ ମୁଦ୍ରିତ ହିନ୍ଦୀ ଅଭିଭାଷଣ ଆମ ନିକଟରେ ଉପଲବ୍‌ଧ, ତାହାର ବିନ୍ଦୁ ୩ ଓ ୪ରେ ସେ କହିଛନ୍ତି, “ଭାରତରେ ଭକ୍ତିଭାବ ନେଇ ଈଶ୍ୱରଙ୍କୁ ପୂଜା କରିବାର ପରମ୍ପରା ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ବିବେଚିତ ହୋଇଆସିଛି। ଏପରି ଅନେକ ବିଭୂତିଙ୍କୁ ନେଇ ଭାରତଭୂମି ଧନ୍ୟ ହୋଇଛି। ସେମାନେ ଜନସାଧାରଣଙ୍କୁ ନିଃସ୍ୱାର୍ଥ ଉପାସନାର ମାର୍ଗ ପ୍ରଦର୍ଶନ କରିଛନ୍ତି। ସେହି ମହାନ୍ ବିଭୂତିଙ୍କ ଭିତରେ ଚୈତନ୍ୟ ମହାପ୍ରଭୁ ବିଶେଷ ସ୍ଥାନର ଅଧିକାରୀ। ତାଙ୍କୁ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ସ୍ୱୀକାର କରାଯାଏ। ଏଥିପାଇଁ ମହାପ୍ରଭୁ ଶବ୍ଦର ପ୍ରୟୋଗ ଭଗବାନଙ୍କ ନାମ ବ୍ୟତୀତ କେବଳ ଶ୍ରୀଚୈତନ୍ୟଙ୍କ ପାଇଁ ପ୍ରଯୁକ୍ତ ହୁଏ।”

କିନ୍ତୁ ଏହା କେତେଦୂର ସତ୍ୟ? ‘ଶ୍ରୀମଦ୍ଭାଗବତ’ ବୈଷ୍ଣବଧର୍ମର ମୂଳଗ୍ରନ୍ଥ। ସେଥିରେ ଅଛି ୨୪ ଅବତାରଙ୍କ ପ୍ରସଙ୍ଗ। ଶ୍ରୀଜୟଦେବଙ୍କ ‘ଗୀତଗୋବିନ୍ଦ’ର ‘ଦଶାବତାର’ ସ୍ତୋତ୍ରରେ ମତ୍ସ୍ୟାବତାର ଠାରୁ ବୁଦ୍ଧାବତାର ପର୍ଯ୍ୟନ୍ତ ନବାବତାରଙ୍କ କଥା କୁହାଯାଇଛି ଏବଂ ତା’ପରେ କୁହାଯାଇଛି ଭବିଷ୍ୟାବତାର କଳ୍‌କୀଙ୍କ କଥା। ସେଥିମଧ୍ୟରେ ଶ୍ରୀଚୈତନ୍ୟ ଅଛନ୍ତି କି? ମାନ୍ୟବର ରାଷ୍ଟ୍ରପତି ତାଙ୍କର ଅଭିଭାଷଣରେ କବିରଦାସ, ସୁରଦାସ, ତୁଳସୀଦାସ ଆଦିଙ୍କ କଥା କହିଛନ୍ତି। ଏମାନେ ସମସ୍ତେ ଶ୍ରୀକ୍ଷେତ୍ର ଆସିଛନ୍ତି ଶ୍ରୀଜଗନ୍ନାଥଙ୍କ ଆକର୍ଷଣରେ। ସେମାନେ ଶ୍ରୀଜଗନ୍ନାଥଙ୍କୁ ପ୍ରଭୁ ଏବଂ ନିଜକୁ ତାଙ୍କର ଦାସ ବୋଲି କହି ତାଙ୍କୁ ହୃଦୟର ଭକ୍ତି ନିବେଦନ କରିଛନ୍ତି। ସେମାନେ କେବେ ନିଜକୁ ‘ପ୍ରଭୁ’ କି ‘ମହାପ୍ରଭୁ’ କହିନାହାନ୍ତି।

ମାନ୍ୟବର ରାଷ୍ଟ୍ରପତି ତାଙ୍କ ଅଭିଭାଷଣର ବିନ୍ଦୁ ୧୦ରେ ଆହୁରି ମଧ୍ୟ କହିଛନ୍ତି, “ଦେଶର ଅନ୍ୟାନ୍ୟ କ୍ଷେତ୍ରରେ ମହାନ୍ ବିଭୂତିମାନେ ଭକ୍ତିମାର୍ଗର ପ୍ରଚାର ପ୍ରସାର କରିଛନ୍ତି। ଆସାମର ଶଙ୍କରଦେବଙ୍କ ଠାରୁ ଆରମ୍ଭ କରି ଗୁଜରାତର ନରସି ମେହତାଙ୍କ ପର୍ଯ୍ୟନ୍ତ; ତଥା ଉତ୍ତରରେ ଗୁରୁନାନକଙ୍କଠାରୁ ଆରମ୍ଭ କରି ଦକ୍ଷିଣରେ ମେଲପତ୍ତୁର ନାରାୟଣଭଟ୍ଟତିରିଙ୍କ ପର୍ଯ୍ୟନ୍ତ; କୌଣସି ଗୋଟିଏ କ୍ଷେତ୍ର ବି ଭକ୍ତିର ଏହି ଧାରାରୁ ଅସ୍ପର୍ଶ୍ୟ ହୋଇ ରହିନାହିଁ। ଗୌଡ଼ଦେଶରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରରେ ସନ୍ତ ତୁକାରାମ, ସନ୍ତ ଏକନାଥ ଏବଂ ସନ୍ତ ଜ୍ଞାନେଶ୍ୱରଙ୍କ ପର୍ଯ୍ୟନ୍ତ, ମହାନ୍ ସନ୍ତମାନେ ସମଗ୍ର ଦେଶକୁ ଭକ୍ତି ଭାବନାରେ ଏକୀଭୂତ କରି ଦେଇଛନ୍ତି।” କିନ୍ତୁ ମାନ୍ୟବର ରାଷ୍ଟ୍ରପତି ଏଥିରେ ଯେଉଁମାନଙ୍କର ନାମୋଲ୍ଲେଖ କରିଛନ୍ତି- ସେମାନେ ସନ୍ତ, ଭକ୍ତ ବା ଗୁରୁ; ସେମାନଙ୍କ ମଧ୍ୟରୁ କାହାକୁ ‘ମହାପ୍ରଭୁ’ ଭାବରେ ଆଖ୍ୟାୟିତ କରାଯାଇ ନାହିଁ। ଏକମାତ୍ର ଶ୍ରୀଚୈତନ୍ୟ କିପରି ବା ଏହାର ବ୍ୟତିକ୍ରମ ହେବେ?

ଏ ପ୍ରସଙ୍ଗରେ ଶ୍ରୀଚୈତନ୍ୟ ସଂପ୍ରଦାୟ ଓ ଶ୍ରୀଚୈତନ୍ୟପନ୍ଥୀ ଭକ୍ତିଧାରା ପ୍ରତି ସମ୍ୟକ୍ ଦୃଷ୍ଟିପାତ ଆବଶ୍ୟକ। ‘ସମ୍ବାଦ-ଆମ ଓଡ଼ିଶା ସାହିତ୍ୟକୋଷ’ର ‘ଚୈତନ୍ୟ ସଂପ୍ରଦାୟ ଓ ସାହିତ୍ୟ’ ଲେଖାରେ ଏ ସଂପର୍କରେ କୁହାଯାଇଛି, “ଗୌଡ଼ୀୟ ବୈଷ୍ଣବଧର୍ମ ବୋଲି କୁହାଯାଉଥିବା ଚୈତନ୍ୟପନ୍ଥୀ ଭକ୍ତିଧାରା, ଚୈତନ୍ୟଙ୍କ ଦେହାବସାନ ପରେ ହିଁ ପ୍ରତିଷ୍ଠିତ। କାରଣ, ରୂପଗୋସ୍ୱାମୀ ରଚିତ ‘ଭକ୍ତିରସାମୃତସିନ୍ଧୁ’ (୧୫୪୧) ଓ ‘ଉଜ୍ଜ୍ୱଳ ନୀଳମଣି’ (୧୫୫୦); ସନାତନ ଗୋସ୍ୱାମୀଙ୍କ ‘ବୈଷ୍ଣବତୋଷିଣୀ’ (୧୫୫୪) ଓ ଜୀବଗୋସ୍ୱାମୀଙ୍କ ‘ଷଟ୍‌ସନ୍ଦର୍ଭ’ ଏହାର ବହୁ ପରେ ରଚିତ। ଏଣୁ ଚୈତନ୍ୟ ସଂପ୍ରଦାୟର ଭକ୍ତି ଭାବନାର ମାନ୍ତ୍ରିକ ରାମାନନ୍ଦ ପଟ୍ଟନାୟକ ଏବଂ ବ୍ୟାଖ୍ୟାକାର ବଳଦେବ ବିଦ୍ୟାଭୂଷଣ।”

‘ଚୈତନ୍ୟ ସଂପ୍ରଦାୟ ଓ ସାହିତ୍ୟ’ ସଂପର୍କରେ ‘ସାହିତ୍ୟକୋଷ’ରେ ଆହୁରି ମଧ୍ୟ କୁହଯାଇଛି, “ଚୈତନ୍ୟପନ୍ଥୀ ସଂପ୍ରଦାୟକୁ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟ କୁହାଯାଏ। ଏହାର ମୂଳତତ୍ତ୍ୱ ‘ଅଚିନ୍ତ୍ୟ ଭେଦାଭେଦବାଦ’। ବିଦ୍ୟାଭୂଷଣ ପ୍ରମାଣ କରିଛନ୍ତି, ଜୀବ ଓ ବ୍ରହ୍ମ ମଧ୍ୟରେ ଭେଦ ଓ ଅଭେଦ ହେଉଛି ଅଚିନ୍ତ୍ୟ। ଉଦାହରଣ ପାଇଁ ମୃଗମଦ (କସ୍ତୁରୀ) ଓ ତା’ର ସୁଗନ୍ଧ ଏବଂ ଅଗ୍ନି ଓ ତା’ର ଦାହିକା ଶକ୍ତିକୁ ଗ୍ରହଣ କରାଯାଇଛି।”

ଚୈତନ୍ୟପନ୍ଥୀ ବୈଷ୍ଣବଧର୍ମର ଅନ୍ୟ ଏକ ଚେତନା ‘ରାଧାକୃଷ୍ଣ ଲୀଳା’ ସଂପର୍କରେ ସେଥିରେ କୁହାଯାଇଛି, “ବୈଷ୍ଣବଧର୍ମର ମୂଳଗ୍ରନ୍ଥ ଭାବେ ଶ୍ରୀମଦ୍‌ଭାଗବତକୁ ଗ୍ରହଣ କରାଯାଉଥିଲେ ହେଁ, ସେଥିରେ ‘ରାଧା’ଙ୍କର ଉଲ୍ଲେଖ ନାହିଁ। ଭାଗବତର ଦଶମ ସ୍କନ୍ଧରେ ରାସଲୀଳା କାଳରେ ଶ୍ରୀକୃଷ୍ଣ କୌଣସି ସୌଭାଗ୍ୟବତୀ ଗୋପରମଣୀ ସହ ଅନ୍ତର୍ହିତ ହୋଇଛନ୍ତି। x x x ମାତ୍ର ସମକାଳରେ ଶୁଦ୍ଧାଭକ୍ତିବାଦୀ ବୈଷ୍ଣବ କବିମାନେ ରାଧାକୃଷ୍ଣ ତତ୍ତ୍ୱର ନିଗୂଢ଼ ବ୍ୟାଖ୍ୟା କରିଛନ୍ତି।”

ଏହି ପରିପ୍ରେକ୍ଷୀରେ ପ୍ରଫେସର ଶତପଥୀଙ୍କ ପୂର୍ବସୂଚିତ ଆଲେଖ୍ୟର ଅବତାରଣା ଆବଶ୍ୟକ। ସେଥିରେ ସେ ଲେଖିଛନ୍ତି, “ଚୈତନ୍ୟଙ୍କ ଅପ୍ରକଟ ପରେ, ଭାରତବର୍ଷରେ ବୈଦିକ କାଳରୁ ତଥା ଜଗନ୍ନାଥଙ୍କର ପ୍ରାକ୍‌ବୈଦିକ କାଳୀନ ଆବିର୍ଭାବଠାରୁ ଭକ୍ତିର ଯେଉଁ ପବିତ୍ର ଗଙ୍ଗା ପ୍ରବାହିତ ହୋଇ ଆସୁଥିଲା, ତାହା ପ୍ରାୟ ଚତୁର୍ଦ୍ଦଶ/ପଞ୍ଚଦଶ ଶତାବ୍ଦୀ ପରେ କ୍ଷୀଣ ହେବାକୁ ଲାଗିଲା। ଶୁଦ୍ଧାଭକ୍ତି ସ୍ଥାନରେ ଜ୍ଞାନମିଶ୍ରା ଭକ୍ତି ଇତ୍ୟାଦିର ସଂଶ୍ଳେଷଣରେ ମଧ୍ୟ ବିଶୁଦ୍ଧ ଭକ୍ତିର ଧାରା ବାଧାପ୍ରାପ୍ତ ହେଲା। ଊନବିଂଶ ଶତାବ୍ଦୀ ବେଳକୁ ଅର୍ଥାତ୍ ଆଜିକୁ ପ୍ରାୟ ୧୫୦ ବର୍ଷ ତଳେ, ଏହି କ୍ଷୀଣପ୍ରାୟ ମନ୍ଦାକିନୀକୁ ପୁନରୁଦ୍ଧାର କରି ଯିଏ ବିଶ୍ୱବକ୍ଷରେ ପ୍ରବାହିତ କରିଦେଲେ, ସେ ହେଉଛନ୍ତି ବିଶ୍ୱବନ୍ଦନୀୟ ଶ୍ରୀଳ ପ୍ରଭୁପାଦ ବା ଶ୍ରୀଳ ଭକ୍ତିସିଦ୍ଧାନ୍ତ ଗୋସ୍ୱାମୀ ପ୍ରଭୁପାଦ।”

ପ୍ରଫେସର ଶତପଥୀଙ୍କ ଏ ଆଲେଖ୍ୟରେ ଇତିହାସବୋଧର ଘୋର ଅଭାବ। ଶ୍ରୀଚୈତନ୍ୟଙ୍କର ଜନ୍ମ ପଞ୍ଚଦଶ ଶତାବ୍ଦୀର ଶେଷପାଦରେ, ୧୪୮୬ ଖ୍ରୀଷ୍ଟାବ୍ଦରେ। ସେ ଓଡ଼ିଶା ଆସିଲେ ଷୋଡ଼ଶ ଶତାବ୍ଦୀର ଆଦ୍ୟପାଦରେ, ୧୫୧୦ ଖ୍ରୀଷ୍ଟାବ୍ଦରେ। କିନ୍ତୁ ସେ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିଲେ ତାଙ୍କ ଜୀବନର ଶେଷ ୧୮ ବର୍ଷ। ତାଙ୍କର ଦେହାବସାନ ବର୍ଷ ଷୋଡ଼ଶ ଶତାବ୍ଦୀର ଚତୁର୍ଥ ଦଶକ- ୧୫୩୩ ଖ୍ରୀଷ୍ଟାବ୍ଦ। ତା’ହେଲେ, ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀରେ ତାଙ୍କର ଦେହାବସାନ ହେଲା କିପରି ଏବଂ କିପରି ବା ତାଙ୍କ ପ୍ରବର୍ତ୍ତିତ ଓ ପ୍ରଚାରିତ ଭକ୍ତିଧାରା ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀ ପରେ କ୍ଷୀଣ ହେବାରେ ଲାଗିଲା?

ଏ ପ୍ରସଙ୍ଗରେ କିନ୍ତୁ ଘୋର ବିଡ଼ମ୍ବନାର ବିଷୟ ଏହି, ଯେ ପ୍ରଫେସର ଶତପଥୀ ତାଙ୍କ ଲେଖାରେ, ଓଡ଼ିଆ ସାହିତ୍ୟ ତଥା ଓଡ଼ିଆ ଭକ୍ତିଧାରାରେ ପଞ୍ଚସଖା ସାହିତ୍ୟ ଏବଂ ସେମାନଙ୍କ ପ୍ରବର୍ତ୍ତିତ ଜ୍ଞାନମିଶ୍ରା ଭକ୍ତିଧାରାକୁ ସଂପୂର୍ଣ୍ଣ ନଗଣ୍ୟ ଦୃଷ୍ଟିରେ ଦେଖିଛନ୍ତି। “ଶୁଦ୍ଧାଭକ୍ତି ସ୍ଥାନରେ ଜ୍ଞାନମିଶ୍ରା ଭକ୍ତି ଇତ୍ୟାଦିର ସଂଶ୍ଳେଷଣରେ ମଧ୍ୟ ବିଶୁଦ୍ଧ ଭକ୍ତିର ଧାରା ବାଧାପ୍ରାପ୍ତ ହେଲା” ବୋଲି କହିଛନ୍ତି। ଏହା ପୂର୍ଣ୍ଣତଃ ଏକ ଗୌଡ଼ୀୟ ବୈଷ୍ଣବସୁଲଭ ଭାବଧାରା। ଏହାର ବାସ୍ତବ ଐତିହାସିକ ପରିଚିତି ପାଇଁ ଉତ୍କଳୀୟ ବୈଷ୍ଣବ ଭକ୍ତିଧାରା ଓ ଗୌଡ଼ୀୟ ବୈଷ୍ଣବ ଭକ୍ତିଧାରାର ତୁଳନାତ୍ମକ ସମୀକ୍ଷା ଆବଶ୍ୟକ।

‘ସାହିତ୍ୟକୋଷ’ର ‘ଅତିବଡ଼ି ସଂପ୍ରଦାୟ’ ଲେଖାରେ ଏବଂ ‘ଅତୀତର ବର୍ଣ୍ଣବୋଧ’ ପୁସ୍ତକରେ, ଏ ବାବଦରେ ଆଲୋଚନା କରିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ସଚ୍ଚିଦାନନ୍ଦ ମିଶ୍ର। ତାଙ୍କର ସେହି ଆଲୋଚନା କହେ- ଶ୍ରୀଚୈତନ୍ୟ ପୁରୀରେ ଥିବାବେଳେ ହିଁ ତାଙ୍କର ଗୌଡ଼ଦେଶୀୟ ଭକ୍ତ ଓ ଉତ୍କଳୀୟ ଭକ୍ତଙ୍କ ମଧ୍ୟରେ ସଦ୍‌ଭାବ ନ ଥିଲା। ମତଭେଦର ମୁଖ୍ୟ କାରଣ- ଉତ୍କଳୀୟମାନେ ପୁରୁଷୋତ୍ତମ କ୍ଷେତ୍ରକୁ ନିତ୍ୟଗୋଲୋକ ଜ୍ଞାନ କରୁଥିବା ସ୍ଥଳେ, ଗୌଡ଼ୀୟମାନେ ବୃନ୍ଦାବନକୁ ମୁଖ୍ୟ କ୍ଷେତ୍ରର ସମ୍ମାନ ଦେଉଥିଲେ। ଉତ୍କଳୀୟମାନଙ୍କର ମତ ଥିଲା- ଶ୍ରୀଜଗନ୍ନାଥ ରାଧାକୃଷ୍ଣଙ୍କର ମିଳିତତନୁ ଏବଂ ସବୁ ଅବତାର ଜଗନ୍ନାଥଙ୍କ ଠାରୁ ଜାତ। ପୁଣି ଉତ୍କଳୀୟମାନେ ପରକୀୟା ଅପେକ୍ଷା ସ୍ୱକୀୟା ପ୍ରୀତିକୁ ଉତ୍କୃଷ୍ଟ ବୋଲି ମନେ କରୁଥିଲେ। ଯମୁନା ଅପେକ୍ଷା ତୀର୍ଥରାଜ ମହୋଦଧି ଥିଲା ସେମାନଙ୍କ ପାଇଁ ଶ୍ରେଷ୍ଠତର।

କେବଳ ଏତିକି ନୁହେଁ- ଏହି ଦୁଇ ସଂପ୍ରଦାୟର ଆଚାର-ବିଚାରରେ ମଧ୍ୟ ଅନେକ ଭିନ୍ନତା ରହିଥିଲା। ଜଗନ୍ନାଥ ଦାସଙ୍କ ଜୀବନୀକାର ଦିବାକର ଦାସ ‘ଜଗନ୍ନାଥ ଚରିତାମୃତ’ରେ ତାହା ସୂଚାଇଛନ୍ତି। ତାହା ସହିତ ଗୌଡ଼ୀୟ ମତର ତୁଳନା କଲେ, ପାର୍ଥକ୍ୟ କେତେ ତାହା ସ୍ପଷ୍ଟ ହୁଏ। ଏହି ଦୁଇ ସଂପ୍ରଦାୟର ତାରକମନ୍ତ୍ର, ଗୋପାଳମନ୍ତ୍ର, ଗାୟତ୍ରୀ ମନ୍ତ୍ର, କ୍ଷେତ୍ର, ତୀର୍ଥ, ଦେବତା, ପ୍ରୀତି, ମାଳା ଓ ତିଳକ ଆଦି ପରସ୍ପରଠାରୁ ପୃଥକ୍। ଉଦାହରଣ ସ୍ୱରୂପ, ଉତ୍କଳୀୟ ବୈଷ୍ଣବଙ୍କ ତିଳକ- ହରିମନ୍ଦିର ହୋଇଥିବାବେଳେ, ଗୌଡ଼ୀୟ ବୈଷ୍ଣବଙ୍କ ତିଳକ- କଲିତିଳକ ଏବଂ ଉତ୍କଳୀୟଙ୍କ ଦେବତା ଶ୍ରୀଜଗନ୍ନାଥ ରାଧା-କୃଷ୍ଣ ମିଳିତ ତନୁ ହୋଇଥିବାବେଳେ ଗୌଡ଼ୀୟଙ୍କ ଦେବତା ବୃନ୍ଦାବନର ରାଧାରମଣ କୃଷ୍ଣ। ସେହିପରି ଉତ୍କଳୀୟଙ୍କ ପ୍ରୀତି ସ୍ୱକୀୟା ଏବଂ ସେହି ସ୍ୱକୀୟାମାନେ ନିତ୍ୟଗୋଲୋକର ରାଧା, ବୈକୁଣ୍ଠର ଲକ୍ଷ୍ମୀ ଓ ଦ୍ୱାରକାର ରୁକ୍ମିଣୀ ହୋଇଥିବାବେଳେ, ଗୌଡ଼ୀୟଙ୍କ ପ୍ରୀତି ପରକୀୟା। ଏପରିକି ବୈଷ୍ଣବମାନେ ଗଳାରେ ଧାରଣ କରୁଥିବା ମାଳାରେ ବି ଉଭୟ ସଂପ୍ରଦାୟ ମଧ୍ୟରେ ଭିନ୍ନତା ଅଛି। ଉତ୍କଳୀୟମାନେ ଏକକଣ୍ଠୀ ମାଳା ଧାରଣ କରୁଥିବାବେଳେ ଗୌଡ଼ୀୟମାନେ ଦ୍ୱିକଣ୍ଠୀ ମାଳା ଧାରଣ କରନ୍ତି।

ଶ୍ରୀଚୈତନ୍ୟ ନିଜେ ଶ୍ରୀକ୍ଷେତ୍ରରେ ଥିଲେ ମଧ୍ୟ, ଏବଂ ଜଗନ୍ନାଥ ଦାସ ତାଙ୍କର ପରିଚର୍ଯ୍ୟା ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ, ଏହି ଦୁଇ ସଂପ୍ରଦାୟ ମଧ୍ୟରେ ଥିବା ଆଚାର ଓ ବିଚାରଗତ ମତଭେଦକୁ ସେ ଦୂର କରିପାରି ନ ଥିଲେ। ଏପରିକି ଜଗନ୍ନାଥ ଦାସଙ୍କୁ ଶ୍ରୀଚୈତନ୍ୟ ‘ଅତିବଡ଼’ ଆଖ୍ୟା ଦେବାରୁ, ତା’ର ବିରୋଧ କରି ବଙ୍ଗୀୟ ବୈଷ୍ଣବମାନେ ତାଙ୍କୁ ଓ ଶ୍ରୀକ୍ଷେତ୍ରକୁ ଛାଡ଼ି ବୃନ୍ଦାବନକୁ ଚାଲିଯାଇଥିଲେ। ତାହା ପରେ, ଭକ୍ତଗୋଷ୍ଠୀ ଛାଡ଼ି ଶ୍ରୀଚୈତନ୍ୟ ଗମ୍ଭୀରାରେ ନିଃସଙ୍ଗ ନିବାସ କରିଥିଲେ।

ଏହା ପରର ଇତିହାସ ହେଉଛି- ଶ୍ରୀଚୈତନ୍ୟ ପୁରୀରେ ନିଃସଙ୍ଗ ନିବାସ କରିବା ସମୟରେ ତାଙ୍କର ଅନୁଗତ ଗୋଷ୍ଠୀ ଦୁଇଭାଗ ହୋଇଯାଇଥିଲେ। ଗୋଟିଏ ଭାଗ ବୃନ୍ଦାବନରେ ରହି, ଚୈତନ୍ୟ ପନ୍ଥାର ମୂଳଦୁଆ ପକାଇ, ସଂସ୍କୃତରେ ବହୁ ତାତ୍ତ୍ୱିକ ଗ୍ରନ୍ଥ ରଚନା କରିଥିଲେ; ଏବଂ ଅନ୍ୟ ଭାଗଟି ବଙ୍ଗଦେଶକୁ ଯାଇ ବଙ୍ଗଭାଷାରେ ରୋଚକ କୀର୍ତ୍ତନମାନ ରଚନା କରିଥିଲେ। ସେମାନେ କିନ୍ତୁ ଶ୍ରୀଚୈତନ୍ୟଙ୍କ ସହ ଶ୍ରୀକ୍ଷେତ୍ର ପୁରୀ ଆସିବା ଦିନରୁ ତାଙ୍କୁ ସ୍ୱୟଂ ଶ୍ରୀକୃଷ୍ଣ ବୋଲି ଗ୍ରହଣ କରୁଥିଲେ।

ଏ ପ୍ରସଙ୍ଗରେ ଶ୍ରୀଚୈତନ୍ୟଙ୍କ ଜୀବନର ଆଦିପର୍ଯ୍ୟାୟର ଘଟଣାରୁ ଜଣାଯାଏ, ଯେ ନବଦ୍ୱୀପରେ ଥିବାବେଳେ ସେ ନିଜକୁ “ମୁଇଁ କୃଷ୍ଣ, ମୁଇଁ କୃଷ୍ଣ” କହୁଥିଲେ; କିନ୍ତୁ ପୁରୀକୁ ଆସି ଦାକ୍ଷିଣାତ୍ୟ ଯିବା ପରେ ଏବଂ ରାମାନନ୍ଦଙ୍କ ଠାରୁ ଭକ୍ତିତତ୍ତ୍ୱ ବୁଝିବା ପରେ, ସେ ବୁଝିଯାଇଥିଲେ ଯେ ନିଜକୁ ଉପାସ୍ୟ (କୃଷ୍ଣ) କରିଦେଲେ, ଉପାସନା ସମ୍ଭବ ହେବନାହିଁ। ତେଣୁ ସେ ‘ମଞ୍ଜରୀଭାବ’ ଓ ‘ରାଧାଭାବ’କୁ ସ୍ୱୀକାର କରି କୃଷ୍ଣଙ୍କ ବିରହରେ କାତର ହେଉଥିଲେ। ଶ୍ରୀଜଗନ୍ନାଥ ହିଁ ଥିଲେ ତାଙ୍କ ପାଇଁ କୃଷ୍ଣ। ତେଣୁ ଶ୍ରୀଜଗନ୍ନାଥଙ୍କ ଅଣସରବେଳେ ସେ ବ୍ୟାକୁଳ ହୋଇ ଅଲାରନାଥଙ୍କ ପୀଠକୁ ଧାଇଁଯାଉଥିଲେ।

ଅଥଚ ଶ୍ରୀଚୈତନ୍ୟଙ୍କ ଦେହାବସାନ ପରେ ସୃଷ୍ଟି ହୋଇଥିବା ଶ୍ରୀଚୈତନ୍ୟପନ୍ଥୀ ଗୌଡ଼ୀୟ ସଂପ୍ରଦାୟର ଭକ୍ତିଧାରାରେ, ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥ ଏକ ରୂପେ ବିବେଚିତ ହୋଇଛନ୍ତି ଏବଂ ଯିଏ କୃଷ୍ଣ, ସିଏ ଜଗନ୍ନାଥ ଏବଂ ସେ ବି ଶ୍ରୀଚୈତନ୍ୟ ବୋଲି ଗ୍ରହଣ କରାଯାଇ ଶ୍ରୀଚୈତନ୍ୟଙ୍କୁ ମଧ୍ୟ ‘ମହାପ୍ରଭୁ’ ବୋଲି ଆଖ୍ୟାୟିତ କରାଯାଉଛି। ଏହା ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଭାବଧାରା ହୋଇପାରେ; କିନ୍ତୁ ଏହା ଉତ୍କଳୀୟ ବୈଷ୍ଣବ ସଂପ୍ରଦାୟର ବା ଓଡ଼ିଶାବାସୀଙ୍କର ଭାବଧାରା ନୁହେଁ।

ଏଣୁ ଆମର ବିଶିଷ୍ଟ, ବରିଷ୍ଠ ଓ ବିଦ୍ୱାନମାନେ, କୌଣସି ପ୍ରକାରର ପୂର୍ବାଗ୍ରହ ବା ଆବେଗଦ୍ୱାରା ଚାଳିତ ନହୁଅନ୍ତୁ। ଆମ ବୈଷ୍ଣବ ଧର୍ମର ପ୍ରକୃତ ଇତିହାସ ଓ ଧର୍ମଧାରା ବୁଝନ୍ତୁ। ଶ୍ରୀଚୈତନ୍ୟଙ୍କୁ ‘ମହାପ୍ରଭୁ’ ଆଖ୍ୟା ଦେବାରୁ କ୍ଷାନ୍ତ ହୁଅନ୍ତୁ। କାରଣ ଆମର ‘ମହାପ୍ରଭୁ’ ହେଉଛନ୍ତି ଜଣେ ଏବଂ ସେ ଜଣକ ‘ଶ୍ରୀଜଗନ୍ନାଥ’ଙ୍କ ବ୍ୟତୀତ ଆଉ କେହି ନୁହନ୍ତି।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର