କୁହ, ଅଭିନୟ କେମିତି ଲାଗିଲା?

ସରସ ରସ - ସୁଭାଷ ପଟ୍ଟନାୟକ

ଅଭିନୟ ତ ଚାଲିଛି, ଚାଲିଥିବ। ଏ ଅଭିନୟର ଏକ ଚରିତ୍ର ହେଉଛି ସନାତନ। ଆମ ସମସ୍ତଙ୍କ ଭିତରେ ଲୁଚି ରହିଥିବା ଗୋଟିଏ କଳାକାର। ଗାଁ ରାମଲୀଳାରେ ରାବଣର ଭୂମିକାରେ ଅଭିନୟ କରେ ସେ। ଯେଉଁଠି ଥିଲେ ବି, ରାମଲୀଳା ଆରମ୍ଭ ହେବା ପୂର୍ବରୁ ସମସ୍ତ କଳାକାର ଆସି ଗାଁରେ ପହଞ୍ଚି ଯାଆନ୍ତି। ରାମଲୀଳା କେବେ ବନ୍ଦ ହେବାର ନୁହେଁ। ଗାଁ ଲୋକଙ୍କର ଅମଙ୍ଗଳ ହେବ। ସନାତନ ବିନା ରାମଲୀଳା ହେବା ଏକ ପ୍ରକାର ଅସମ୍ଭବ। ରାବଣର ଅଭିନୟ ତା’ ପରି ଏତେ ନିଖୁଣ ଭାବରେ ଆଉ କିଏ କରି ପାରିବେନି। ଦଶଟି ମୁଣ୍ଡର ମୁଖା ପିନ୍ଧି ଯେତେବେଳେ ସନାତନ ଛାମୁଣ୍ଡିଆ ତଳର ମଞ୍ଚ ଉପରକୁ ଚାଲିଆସେ, ଦର୍ଶକଙ୍କ କରତାଳିରେ ନିଃଶଦ୍ଦ ଗାଁ ଦାଣ୍ଡରେ କମ୍ପନ ସୃଷ୍ଟି ହୁଏ। ସିଂହାସନରେ ବସି ପାଦ ତଳେ ଯୋଡ଼ ହସ୍ତରେ ବିନତି କରୁଥିବା ବିଭୀଷଣକୁ କର୍କଶ ସ୍ବରରେ ଧିକ୍କାରେ। ତା’ର ପଦାଘାତରେ ବିଭୀଷଣ ଛିଟିକି ପଡେ ଖଣ୍ଡେ ଦୂରରେ। କରତାଳି ଶୁଣି ବିମୋହିତ ହୋଇଯାଏ ସନାତନ।

ରାମଲୀଳା ମଞ୍ଚ ପରି ଜୀବନଟା ମଧ୍ୟ ଏକ ରଙ୍ଗମଞ୍ଚ। ପ୍ରତ୍ୟେକ ମନୁଷ୍ୟ ନିଜର ଅଭିନୟ ଶେଷରେ ଏଠାରୁ ବାହୁଡ଼ି ଯାଆନ୍ତି। ରାତ୍ରିର ଅଭିନୟ ଶେଷ ହୋଇଗଲେ ସକାଳୁ ମୁଖା ଖୋଲିଦେଇ ସନାତନ ତା’ ଜୀବନର ରଙ୍ଗମଞ୍ଚକୁ ଫେରିଯାଏ ଆଉଏକ ନାଟକରେ ଅଭିନୟ କରିବାକୁ। ଜୀବନର ମଞ୍ଚରେ ଅଭିନୟଟି ନିଖୁଣ ଭାବରେ କରିବାର ପ୍ରଯତ୍ନ କରେ। ପତ୍ନୀ, ସନ୍ତାନ, ବୃଦ୍ଧ ପିତାମାତା ଓ ବନ୍ଧୁ ପରିଜନ; ସମସ୍ତଙ୍କ ପାଇଁ ତା’ର ଅଭିନୟ ଅଲଗା ଅଲଗା। ରାତ୍ରିର ଅଭିନୟ ଶେଷ ହେଲେ ରାବଣର ମୁଖା ଖୋଲି ଦେଇ ସେ ସିନା ମୁକ୍ତ ହୋଇଯାଏ, ଥରେ ରଙ୍ଗ ମାଖି ହୋଇ ଜୀବନର ରଙ୍ଗମଞ୍ଚକୁ ଚାଲି ଆସିଲେ ଏଠାରୁ ମୁକ୍ତି ପାଇବା ଏତେ ସହଜ ନୁହେଁ। ଏଠି ଅଭିନୟ ଶେଷ ହେଲେ ସେଇ ଗ୍ରୀନ୍‌ ରୁମ୍‌କୁ ଫେରିଯିବାକୁ ହୁଏ, ଯେଉଁଠୁ ଆଉ ଥରେ ମଞ୍ଚ ଉପରକୁ ଆସିବାର ସୁଯୋଗ ନ ଥାଏ। ବଡ ଦୁଃଖ ପାଏ ସନାତନ। ତାକୁ ଲାଗେ ରାତ୍ରିର ରଙ୍ଗମଞ୍ଚରେ ରାବଣର ଅଭିନୟ ପରି ଜୀବନର ରଙ୍ଗମଞ୍ଚରେ ସେ ଏତେ ସଫଳ କଳାକାର ହୋଇ ପାରୁନାହିଁ। ସମସ୍ତ ପ୍ରଯତ୍ନ ତା’ର ନିଷ୍ଫଳ ହେଉଛି। ଉଭୟ ମଞ୍ଚରେ ସଂଳାପ କହିବା ବେଳେ ସେ ଭୁଲି ଯାଏ ସନାତନ ନାମରେ ଜଣେ ବ୍ୟକ୍ତି ଅଛି ଓ ତା’ର ଏକ ବ୍ୟକ୍ତିଗତ ଜୀବନ ମଧ୍ୟ ଅଛି। ତଥାପି ଜୀବନର ମଞ୍ଚରେ କରତାଳି ଟିକିଏ ମିଳେନାହିଁ। ରାବଣର ଭୂମିକାରେ ଅଭିନୟ କଲା ବେଳେ ନିଜକୁ ସେ ସୁବର୍ଣ୍ଣ ଲଙ୍କାର ଅଧୀଶ୍ବର ବୋଲି ଭାବି ନେଇ ଅଭିନୟ କରେ, ମାତ୍ର ଜୀବନର ରଙ୍ଗମଞ୍ଚରେ ପାତ୍ର ଭିନ୍ନ; ସହ କଳାକାର ଭିନ୍ନଭିନ୍ନ ଓ ସଂଳାପ ମଧ୍ୟ ଅଲଗା ଅଲଗା। ଅନେକ ସମୟରେ ରାବଣର ମୁଖା ତଳେ ଥାଇ ସେ ସ୍ବପ୍ନ ଦେଖେ, ମାତ୍ର ରାତିଟି ତା’ର ଏତେ ଛୋଟ ଯେ, ଅନ୍ୟମାନେ ଉଠିବା ପୂର୍ବରୁ ସୂର୍ଯ୍ୟଙ୍କ କିରଣ ତା’ର ମୁହଁକୁ ଛୁଇଁ ଭୂମିରେ ପଡ଼ି ସାରିଥାଏ। ପ୍ରକୃତିସ୍ଥ ହୋଇଯାଏ ସେ। ରାତ୍ରିର ଅଭିନୟଟି ତ ନାଟକ ଭିତରେ ଅନ୍ୟ ଏକ ନାଟକ। ଚିତ୍ର ମଧ୍ୟରେ ଚିତ୍ରଟିଏ ପରି। ଉଭୟ ନାଟକର ସଂଯୋଗ ସ୍ଥଳ ଖୋଜୁ ଖୋଜୁ ଇନ୍ଦ୍ରଜିତର ବଧ ଖବର ଶୁଣି ରାବଣର ମୁଖା ତଳୁ ସନାତନ କାନ୍ଦି ଉଠେ। ତା’ ନିଜ ପୁଅ ଇନ୍ଦ୍ରମଣିର ମୃତ୍ୟୁ କଥା ତା’ର ମନେପଡ଼େ କି ନାହିଁ, ଆମେ ତାହା ଜାଣୁନା; ମାତ୍ର କ୍ରନ୍ଦନ ତା’ର ଏତେ ଜୀବନ୍ତ ଲାଗେ ଯେ ଦର୍ଶକର ଆଖି ଓଦା ହୋଇଯାଏ।

ଏବେ ସନାତନର ଜୀବନ ମଞ୍ଚର ଅଭିନୟ ଟିକିଏ ଦେଖି ନେବା। ଏଠି ଅଭିନୟ କରିବାକୁ ସମୟର ହାତୁଡ଼ିରେ ନିଜକୁ ପିଟି ପିଟି ଅନେକ ରୂପ ଦେବାକୁ ହୁଏ ତାକୁ। ଏ ହେଉଛି ସନାତନର ଘର। ତା’ ଜୀବନ-ନାଟକର ମୁଖ୍ୟ ରଙ୍ଗମଞ୍ଚ। ଦେହ ଲୁଚୁ ନ ଥିବା ଅଧା ଚିରା ଶାଢିଟିଏ ପିନ୍ଧି ପତ୍ନୀ ତା’ର ଚୁଲି ମୁଣ୍ଡରେ ବସିଛି। ହାଣ୍ଡି ଆଜି ଚୁଲି ଉପରକୁ ଏ ଯାଏଁ ଯାଇନି। ବୃଦ୍ଧ ପିତାମାତା ତା’ର ବସିଛନ୍ତି ଦାଣ୍ଡ ପିଣ୍ଡାରେ। ପାଖରେ ବସି ଗପ ଜମେଇଛି ରାମଲୀଳାର ହନୁମାନ। ଶାରୀରିକ ଅକ୍ଷମ ଦଶ ବର୍ଷର ପୁଅ ଦଉଡ଼ିଆ ଖଟରେ ପଡ଼ି ରହିଛି। ସାନ ଝିଅଟି ମା’ ପାଖରେ ବସି ମୁଢ଼ି ଚୋବାଉଛି। ସନାତନକୁ ଏଠି ଆପଣ ଏବେ ପାଇବେନି। ପତ୍ନୀ ତା’ର କହୁଛି ସେ ଯାଇଛି ସାଆନ୍ତଙ୍କ ଘରକୁ। ଚାଲନ୍ତୁ, ଫେରିଯିବା। ବାଟରେ ପଡ଼ିବ ତା’ ସାଆନ୍ତଙ୍କ ଘର।

ଏଇ ଦେଖନ୍ତୁ, ଉଚ୍ଚ ପିଣ୍ଡାରେ ଯିଏ ବସିଛି ସେ ସନାତନର ସାଆନ୍ତ। ଗତ ରାତି ରାମଲୀଳାର ବିଭୀଷଣ। ସନାତନ ତଳ ପାହାଚରେ ଠିଆ ହୋଇ ଅନୁନୟ କରୁଛି। ଚିତ୍କାର କରୁଛି ସାଆନ୍ତ- ‘ବର୍ଷକର ମଜୁରି ପୁଅର ଚିକିତ୍ସା ପାଇଁ ଦରକାର କହି ଆଗତୁରା ନେଇଗଲୁ। ତା’ ପରେ ପୁଣି ଦୁଇ ବସ୍ତା ଧାନ ଉଧାର ନେଲୁଣି। ପୁଣି ଏବେ ଟଙ୍କା ମାଗିବାକୁ ପହଞ୍ଚି ଯାଇଛୁ? ଆଉ ଟଙ୍କାଟେ ବି ଦେବିନି। ଚୁପଚାପ୍ ବିଲକୁ ଯାଆ।’

ସନାତନର ନିଷ୍ଫଳ ବିନୟ ବଡ ଜୀବନ୍ତ, ମାତ୍ର ଦର୍ଶକ କାହାନ୍ତି ଏଠି ତାଳି ମାରିବାକୁ? ଏଠି ସେ ନିଜେ ଅଭିନେତା, ନିଜେ ବି ଦର୍ଶକ। ଆମ ଭିତରର ସନାତନଟିର ଏ ହେଉଛି ଦର୍ଶକ ବିହୀନ ନିରୋଳା ଅଭିନୟ। ମୁଁ ଜାଣେ, ଆଜି ଆପଣ ମଧ୍ୟ ତାଳି ମାରିବେନି। ତାଳି ଶୁଣିବାକୁ ଆଉ ଥରେ ତାକୁ ରାବଣ ହେବାକୁ ପଡ଼ିବ। ରାମଲୀଳାରେ ରାମ ଅଭିନୟ କରୁଥିବା କିଶୋର ବିଡ଼ାଏ ସଜନା ଛୁଇଁ ଧରି ପହଞ୍ଚିଲା। ସନାତନର ହାତରେ ଧରାଇ ଦେଇ କହିଲା- ‘ଦାଦା, ଗଛ ସାରା ଛୁଇଁ ଯେତିକି ସଁବାଳୁଆ ମଧ୍ୟ ସେତିକି। ତୋଳିଲା ବେଳେ ଦେହରେ ଖସି ପଡୁଛନ୍ତି। ଅଳ୍ପ ତୋଳିଥିଲି। ଏ ଯୋଡାକ ନେଇଯାଅ। ଖୁଡୀ ତ ବଢ଼ିଆ ଛୁଇଁ ବେସର କରନ୍ତି।’

ସନାତନ ଭାବୁଥିଲା ସୁଆଦିଆ ଛୁଇଁ ହେଉ ଅବା ସୁନ୍ଦର ପ୍ରଜାପତି ହେଉ; ତାକୁ ପାଇବାକୁ କୁତ୍ସିତ ସଁବାଳୁଆକୁ ତ ପ୍ରଥମେ ସହିବାକୁ ପଡ଼ିବ। ଦିନର ଅଭିନୟ ବିଗିଡ଼ି ଯାଉ, ରାତି ତ ଆସିବ!

ନାଟକ ତ ଚାଲିଛି, ଚାଲିଥିବ, ଚାଲନ୍ତୁ ଫେରିଯିବା। ସେଇ ଦିନଟିକୁ ଅପେକ୍ଷା କରିବା, ଯେଉଁ ଦିନ ଆମ ଭିତରର ସନାତନଟି ଅଭିନୟ ଶେଷ କରି ଗ୍ରୀନ୍‌ ରୁମ୍‌କୁ ଫେରିଗଲା ବେଳେ ନାଟ୍ୟକାରଙ୍କୁ ପ୍ରଶ୍ନ କରିବ- ‘କୁହ, ଅଭିନୟ ମୋର କେମିତି ଲାଗିଲା?’

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର