ଜାତିବାଦ ଓ ବିଜେପିର ବିଜୟ

ଅରୁଣ ସିହ୍ନା

ଉତ୍ତରପ୍ରଦେଶରେ ବିଜେପିର ବିଜୟକୁ ଦଳ ଜାତିବାଦ ବିରୋଧରେ ବିଜୟ ବୋଲି କରୁଥିବା ଦାବିର କୌଣସି ଯଥାର୍ଥତା ନାହିଁ। ଅବଶ୍ୟ ଯାଦବମାନଙ୍କ ଭୋଟ ଉପରେ ବିଶେଷ ଭରସା ରଖିଥିବା ଏବଂ ଅନ୍ୟ ପଛୁଆ ବର୍ଗଙ୍କୁ ପ୍ରଭାବିତ କରିବାକୁ ଚାହୁଥିବା ସମାଜବାଦୀ ପାର୍ଟି ବିରୋଧରେ ଏହା ନିଶ୍ଚିତ ଭାବରେ ଏକ ପ୍ରଚଣ୍ଡ ବିଜୟ, ମାତ୍ର ତାହା କୌଣସି ଜାତିବାଦୀ ଦଳ ଉପରେ ଜାତିବାଦବିହୀନ ଦଳର ବିଜୟ ନୁହେଁ। ବରଂ ଜାତିକୁ ଅଧିକ ତେଲେଇ ପାରିଥିବା ଏକ ଦଳ ଉପରେ ଅପେକ୍ଷାକୃତ କମ୍ ଅନୁରୂପ ଗୁଣ ବିଶିଷ୍ଟ ଦଳର ଏହା ଏକ ବିଜୟ ବୋଲି ଧରିବାକୁ ହେବ।

ଅବଶ୍ୟ ନିର୍ବାଚନରେ କଠୋର ଜାତୀୟତାବାଦ ଓ ହିନ୍ଦୁତ୍ବର ଭୂମିକା ରହିଥିଲା। ବିଜେପି ତାହାକୁ ନିଜର ଏକ ପୃଥକ୍ ପତାକା ଭାବେ ଉଡ଼ାଇଲା ଏବଂ ସମାଜିକ ଗଙ୍ଗାରେ ଆହୁଲା ମାରି ଚାଲିଥିବା ନାଆଗୁଡ଼ିକୁ ଏକାଠି ଭିଡ଼ି ବାନ୍ଧିବାରେ ଜାତିବାଦକୁ ଏକ ରଜ୍ଜୁ ଭାବରେ ବ୍ୟବହାର କଲା। ଫଳରେ ସେହି ଡଙ୍ଗାଗୁଡ଼ିକ ଅନ୍ୟତ୍ର ଯାଇପାରିଲେ ନାହିଁ।
ଯାଦବ ପ୍ରଭାବ ଓ ପ୍ରଭୁତ୍ବକୁ ବିରୋଧ କରୁଥିବା ପଛୁଆ ବର୍ଗ ଓ ଦଳିତମାନଙ୍କର ଏକ ରାଜନୈତିକ ତନ୍ତ୍ର ଭାବେ ନିଜକୁ ପ୍ରଦର୍ଶନ କରିବାରେ ବିଜେପି ସଫଳ ହେଲା। ପ୍ରତିକୂଳ କାରଣରୁ ଅଖିଳେଶଙ୍କ ପାଞ୍ଚ ବର୍ଷ (୨୦୧୨-୧୭)ର ଶାସନକୁ ‘ଯାଦବରାଜ୍’ ଭାବେ ବିଚାରୁଥିବା ଯାଦବ ଓ ଅଣଯାଦବମାନେ ବିଶେଷ କରି ଯାଦବବି ରୋଧୀ ଭାବନାର ମଞ୍ଚି ବୁଣିଚାଲିଲେ; ଯେଉଁଥିରୁ ବିଜେପି ହିଁ ଭଲ ରକମ ଅମଳ କରି ଫାଇଦା ମାରିନେଲା।

ଏକ ଜାତୀୟତାବାଦୀ ଦଳକୁ ସୁହାଇଲା ଭଳି ଜାତିହୀନ ସ୍ବରୂପ ଧାରଣ କରି ବିଜେପି କେବେ ଭୋଟରଙ୍କ ପାଖକୁ ଯାଇ ନ ଥିଲା। ବିଜେପି କେବେ କହି ନ ଥିଲା ଯେ ‘ଜଣେ ଯାଦବ ହେଉ କି ତେଲୀ ହେଉ ବା ମୌର୍ଯ୍ୟ ହେଉ କି ଜାତବ (ଚମାର) କି ପାସି; ସମସ୍ତେ ଏକ ପରିବାରର। ଚାଲ ଆମେ ମିଳିମିଶି ଦେଶ ଗଠନ କରିବା।’ ସେମାନଙ୍କ ମଧ୍ୟରେ ଭ୍ରାତୃ ଭାବ ପ୍ରତିଷ୍ଠା ପାଇଁ ମଧ୍ୟ ଦଳ କାମ କରି ନ ଥିଲା। ବରଂ ଅପର ପକ୍ଷେ, ନିଜର ରାଜନୈତିକ ଫାଇଦା ପାଇଁ ଏହା ଯାଦବ ଓ ଅନ୍ୟ ପଛୁଆ ବର୍ଗଙ୍କ ଭିତରେ ଏବଂ ଚମାର ଓ ଅନ୍ୟ ଅନୁସୂଚିତ ବର୍ଗଙ୍କ ଭିତରେ ଶତ୍ରୁତା ଜାଗରଣ କରି ଫାଟକୁ ଆହୁରି ବଢ଼ାଇ ଦେଇଥିଲା।

ଅବଶ୍ୟ, ବିହାରରେ ନୀତୀଶ କୁମାର ଯାହା କରିଥିଲେ, ବିଜେପି ଠିକ୍ ସେଇଆ କଲା। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଭଳି ବିହାରରେ ରାଷ୍ଟ୍ରୀୟ ଜନତା ଦଳ ମଧ୍ୟ ଯାଦବମାନଙ୍କ ଦ୍ବାରା ବହୁଳ ଭାବେ ପ୍ରଭାବିତ। ନୀତୀଶ କୁମାର ସେଠାରେ ଅଣଯାଦବ ପଛୁଆ ବର୍ଗଙ୍କର ଏକ ଗଠବନ୍ଧନ ତିଆରି କରିଥିଲେ। ଏଥି ସହିତ ଦଳିତମାନଙ୍କ ଭିତରେ ପ୍ରମୁଖ ଥିବା ଦୁସାଧ (ପାଶଵାନ୍)ମାନଙ୍କୁ ଭିନ୍ନ କରି ରଖିବା ଲାଗି ସେଥିରେ ସେ ‘ମହାଦଳିତ’ ନାମରେ ଏକ ନୂଆ ବର୍ଗ ଯୋଡ଼ିଥିଲେ। ଏହା ତାଙ୍କ ପାଇଁ ଏକ ଦୁର୍ଜେୟ ରାଜନୈତିକ ଭିତ୍ତିଭୂମି ଗଢ଼ିବା ସହ ଏବେ ସୁଦ୍ଧା ତା’ର ସୁଫଳ ଦେଇ ଚାଲିଛି।

ମାତ୍ର ବିଜେପି ନୀତୀଶଙ୍କୁ ଅତିକ୍ରମ କରିଗଲା। ଏହା ଉତ୍ତର ପ୍ରଦେଶରେ ପ୍ରତ୍ୟେକ ଜାତିର ପ୍ରତିନିଧିମାନଙ୍କୁ ଧରି ସଭା କରାଇଲା, ଯେଉଁଠିକି ଆହୂତ ନିର୍ଦ୍ଦିଷ୍ଟ ଜାତିର ନେତା ଭାଷଣ ଦେଲେ। ଏହା ପ୍ରତ୍ୟେକ ଜାତିର ‘ସମ୍ପ୍ରଦାୟ ନେତା’ ଚିହ୍ନଟ କରାଇଲା, ଯାହା ସହିତ ସ୍ଥାନୀୟ ବିଜେପି ନେତାମାନଙ୍କୁ ନିରନ୍ତର ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଗଲା। କେନ୍ଦ୍ରରେ ମୋଦୀ ସରକାର ଓ ରାଜ୍ୟରେ ଯୋଗୀ ସରକାର ସଂପୃକ୍ତ ସମ୍ପ୍ରଦାୟ ପାଇଁ ଆଣିଥିବା ଯୋଜନାଗୁଡ଼ିକ ସମ୍ପର୍କରେ ସେହି ‘ସମ୍ପ୍ରଦାୟ ନେତା’ମାନଙ୍କ ମାଧ୍ୟମରେ ଦଳୀୟ କର୍ମୀମାନେ ମତଦାତାମାନଙ୍କୁ ସଚେଚତନ କରାଇଲେ। ଉଦାହରଣ ସ୍ବରୂପ, ବିଜେପି କର୍ମୀମାନେ କୁମ୍ଭାରମାନଙ୍କୁ କହିଲେ କି ଯୋଗୀ ସରକାର କେମିତି ତାଙ୍କ କୌଳିକ ବୃତ୍ତିର ପ୍ରୋତ୍ସାହନ ପାଇଁ ଯୋଜନା କରି ଅଯୋଧ୍ୟାରେ ୨୦୨୧ ଦୀପାବଳି ପାଳନରେ ସେମାନଙ୍କ ଠାରୁ ୧୨ ଲକ୍ଷ ମାଟି ଦୀପ କିଣିଥିଲେ।

କୌଣସି ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ପ୍ରଭାବିତ କରିବା ଲାଗି ଦଳ ସେହି ‘ସମ୍ପ୍ରଦାୟର ନେତା’ମାନଙ୍କୁ ବ୍ୟବହାର କରିଥିବା ବେଳେ ସେହି ନେତାମାନଙ୍କୁ ଦଳର ସଂଗଠନରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ନିଯୁକ୍ତ କରି ସେହି ଜାତି ସହ ସମ୍ପର୍କକୁ ନିବି଼ଡ଼ ମଧ୍ୟ କରିପାରିଲା। ଫଳରେ ନିର୍ବାଚନ ପୂର୍ବରୁ ପଛୁଆ ବର୍ଗ ଓ ଅଣଯାଦବମାନଙ୍କୁ ଏକାଠି କରିବାକୁ ଚାହୁଥିବା ସମାଜବାଦୀ ପାର୍ଟିକୁ ବିଜେପି ମାତ୍ ଦେଇ ପାରିଲା। ତେଣୁ ବିଜେପିର ବିଜୟକୁ ଫମ୍ପା ଓ ଉପରଠାଉରିଆ ଜାତିବାଦ ଉପରେ ଗଭୀର ଜାତିବାଦର ବିଜୟ ବୋଲି କହିବାକୁ ହେବ।

ବିଜେପି କେବେ ନିଜର ରାଜନୀତିରେ ନିଜକୁ ଜାତୀୟତାବାଦୀ କି ଜାତିବାଦବିହୀନ ବୋଲି ଦେଖାଇ ଦୃଢ଼ ପଦକ୍ଷେପ ନେଇନାହିଁ। ଅନ୍ୟ ରାଜନୈତିକ ଦଳଗୁଡ଼ିକ ଯେପରି କରି ଆସୁଛନ୍ତି, ବିଜେପି ସେପରି ଜାତି ଭିତ୍ତିକ ବିଭାଜନ ନ କରି ଜାତିଗୁଡ଼ିକୁ ଏକାଠି କରି ଅଧିକ ସୁଦୃଢ଼ କଲା।

ଜାତି ସାଧାରଣତଃ ତିନିଟି ରୂପରେ ତିଷ୍ଠି ରହିଛି। ସେଥିରୁ ଗୋଟିଏ ହେଲା ରାଜନୈତିକ ସ୍ବରୂପ। ଅନ୍ୟ ଦଳମାନଙ୍କ ପରି ନିର୍ବାଚନରେ ସମର୍ଥନ ସାଉଁଟିବା ଲାଗି ବିଜେପି ଜାତିର ରାଜନୈତିକ ଅଭିବ୍ୟକ୍ତିକୁ ବ୍ୟବହାର କଲା। ଏହି ଅଭିବ୍ୟକ୍ତି ପରିବର୍ତ୍ତନଶୀଳ। ଜାତିଗୁଡ଼ିକ ଗୋଟିଏ ଦଳରୁ ଅନ୍ୟ ଦଳକୁ ସେମାନଙ୍କ ପୃଷ୍ଠପୋଷକତା ବଦଳାଇ ଚାଲିଛନ୍ତି। ସରକାରରେ ରାଜନୈତିକ ଦଳଗୁଡ଼ିକର ପରିବର୍ତ୍ତନ ଘଟୁଛି। ମାତ୍ର ଜାତିର ରାଜନୈତିକ ସଂରଚନାରେ ପରିବର୍ତ୍ତନ ହେଉନାହିଁ। ତେଣୁ ଜାତିଗୁଡ଼ିକୁ ରଙ୍ଗିନ ଇନ୍ଦ୍ରଧନୁସୁଲଭ ଗଠବନ୍ଧନରେ ସାମିଲ କରିପାରିଛି ବୋଲି ବିଜେପି ଆମ ମନରେ କଦାପି ଭରସା ସୃଷ୍ଟି କରି ପାରିବ ନାହିଁ। ସେହି ଇନ୍ଦ୍ରଧନୁ ଆଜି ନ ହେଲେ କାଲି ଉଭେଇ ଯିବ।

ଜାତିର ଦ୍ବିତୀୟ ସ୍ବରୂପ ହେଲା ସାମାଜିକ ସଂଗଠନ। ବିଜେପି ଯଦି ଜାତିବାଦକୁ ଭାଙ୍ଗିବାକୁ ଚାହୁଥା’ନ୍ତା, ତେବେ ଜାତି ପ୍ରଥାର ସାମାଜିକ ପଦାନୁକ୍ରମକୁ ଭାଙ୍ଗି ଦେଇଥା’ନ୍ତା। ଉତ୍ତରପ୍ରଦେଶରେ କେତେ ଜଣ ଠାକୁର ଜଣେ ମୌର୍ଯ୍ୟ ଜ୍ବାଇଁକୁ ସ୍ବାଗତ କରିବେ? ଗାଁର ବ୍ରାହ୍ମଣ ସାହିରେ କ’ଣ ଜଣେ ଚମାର ଘରଟିଏ ତୋଳିପାରିବ? ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏକ ପରିଷ୍କାର ପରିଚ୍ଛନ୍ନ ଦଳିତ ଘରେ ଭୋଜନ କରୁଥିବାର ଫଟୋ ଛାଡ଼ିଥିଲେ। ମାତ୍ର ଉଚ୍ଚ ବର୍ଗର କେତେ ଜଣ ପୁରୁଷ କି ମହିଳା ଏପରି ଦଳିତଙ୍କ ସହ ମିଶି ଏକାଠି ଆହାର କରୁଛନ୍ତି? ଉଚ୍ଚ ଜାତି ଘରର ବିବାହ ଉତ୍ସବକୁ କେତେ ଜଣ ନିମ୍ନ ବର୍ଗର ଲୋକ ନିମନ୍ତ୍ରିତ ହୋଇ ଆସୁଛନ୍ତି?

ସାମାଜିକ ପଦାନୁକ୍ରମ ତିଷ୍ଠି ରହିଛି, କାରଣ କର୍ମାନୁସାରେ ପୁନର୍ଜନ୍ମ ଓ ରକ୍ତ ଶୁଦ୍ଧୀକରଣ ସମ୍ପର୍କରେ ଏକ ଗଭୀର ଭ୍ରାନ୍ତ ଧାରଣା ରହି ଆସିଛି। ଏହି ସବୁ ଧାରଣାର ନିଅଁ ଉପରେ ସାମାଜିକ ପଦାନୁକ୍ରମର ପ୍ରାସାଦ ଛିଡ଼ା ହୋଇଛି। ସେ ବାବଦରେ ବିଜେପି କିଛି କରିନି, କାରଣ ହିନ୍ଦୁତ୍ବର ବିଶ୍ବାସ ଓ ପରମ୍ପରା ଉପରେ ତାହା ଆକ୍ରମଣ ସଦୃଶ ହେବ। ସୁତରାଂ ତାହା ନିର୍ବିବାଦରେ ସେମିତି ବଳବତ୍ତର ହୋଇ ରହି ଆସିଛି।

ଜାତିର ତୃତୀୟ ସ୍ବରୂପ ହେଲା ଆର୍ଥିକ ସ୍ଥିତି। ଶତାବ୍ଦୀ ଶତାବ୍ଦୀ ଧରି ପ୍ରତ୍ୟେକ ଜାତି ଏକ ନିର୍ଦ୍ଦିଷ୍ଟ ବୃତ୍ତିକୁ ଅନୁସରଣ କରି ଆସିଛି। ସେହି ବୃତ୍ତିଗୁଡ଼ିକର ପୁଣି ଉଚ୍ଚନୀଚ ସ୍ତର ରହିଛି ଯାହାକୁ ଭିତ୍ତି କରି ଅସ୍ପୃଶ୍ୟତା, ପୃଥକତ୍ବ ଓ ପଦାନୁକ୍ରମ ଆଦି ସୃଷ୍ଟି ହୋଇଛି। ସହରୀକରଣ ଓ ଶିଳ୍ପୀକରଣ ଯୋଗୁଁ ଜାତି ଓ ବୃତ୍ତି ମଧ୍ୟରେ ରହିଥିବା ସଂଯୋଗ ଦୁର୍ବଳ ହେବାରେ ଲାଗିଛି। ତଥାପି କୌଳିକ ବୃତ୍ତି ଛାଡ଼ି ଉଦ୍ୟୋଗ ଓ ବାଣିଜ୍ୟ ଭଳି ଅନ୍ୟ ବୃତ୍ତିକୁ ଆପଣେଇଲେ ମଧ୍ୟ ଗ୍ରାମାଞ୍ଚଳରେ ନୀଚ ଜାତିର ଲୋକଙ୍କୁ ନିମ୍ନ ଶ୍ରେଣୀ ରୂପେ ବ୍ୟବହାର ମିଳୁଛି। ତେବେ, ଜାତିର ଆର୍ଥିକ ସ୍ବରୂପ ଅପେକ୍ଷା ତାହାର ସାମାଜିକ ସ୍ବରୂପ ଦୀର୍ଘସ୍ଥାୟୀ ହେବା ଭଳି ମନେ ହେଉଛି।

ଜାତିର ଏହି ସାମାଜିକ ସ୍ବରୂପ ଏଭଳି ତିଷ୍ଠି ରହିବାର ମାନେ ନୁହେଁ ଯେ ଏହାର ବିଲୋପ କେବେ ହେଲେ ହେବନାହିଁ। ଏହା ଅପରିବର୍ତ୍ତିତ ରହିବାର ଯେଭଳି ଅନେକ ଉଦାହରଣ ରହିଛି, ଏହା ନିଷ୍ପ୍ରଭ ହେଉଥିବାର ମଧ୍ୟ ଅନେକ ଦୃଷ୍ଟାନ୍ତ ମିଳିବାରେ ଲାଗିଛି। ତେବେ ଜାତି ପ୍ରଥା ଭାଙ୍ଗିବାର ଉପାୟ ହେଲା ଉଚ୍ଚ ବର୍ଗ ମାଡ଼ି ବସିଥିବା ପଦ ବଦବିରେ ନିମ୍ନ ବର୍ଗଙ୍କୁ ସ୍ଥାନିତ କରାଇବା। ସଂକ୍ଷେପରେ, ଜାତି ପ୍ରଥାର ବିଲୋପ ଚାହୁଥିବା ରାଜନୈତିକ ଦଳର ମୁଖ୍ୟ ଅସ୍ତ୍ର ହେଲା ନିମ୍ନ ବର୍ଗଙ୍କ ପାଇଁ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପ୍ରଭୂତ ସୁଯୋଗ ସୃଷ୍ଟି କରିବା। ବିଜେପି କ’ଣ ଉତ୍ତରପ୍ରଦେଶରେ ତାହା କରୁଛି? ଭାରତୀୟ ଅର୍ଥନୀତି ନିରୀକ୍ଷଣ କେନ୍ଦ୍ରର ତଥ୍ୟାନୁଯାୟୀ, ଉକ୍ତ ରାଜ୍ୟର ୧୫ରୁ ୨୯ ବର୍ଷର ମୋଟ ୭୦.୯୯ ନିୟୁତ ଯୁବକଯୁବତୀଙ୍କ ଭିତରୁ ଗତ ୨୦୨୧ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ମାତ୍ର ୧୨.୧୭ ନିୟୁତ (ପ୍ରାୟ ୧୭ ପ୍ରତିଶତ)ଙ୍କୁ ନିଯୁକ୍ତି ମିଳିଛି। ଏଭଳି ହେଲେ ଜାତି ଓ ବୃତ୍ତି ମଧ୍ୟରେ ରହିଥିବା ସଂଯୋଗ କିପରି ଛିନ୍ନ ହୋଇପାରିବ?

[email protected]

ସମ୍ବନ୍ଧିତ ଖବର