ବହୁ-ବିବାହିତର ଜ୍ଞାନ

ଚିନ୍ମୟ ଚେତନା - ଚିନ୍ମୟ ହୋତା

ବିବାହ ଅନୁଷ୍ଠାନ ପ୍ରତି ସମଗ୍ର ମଣିଷ ଜାତିର ମନୋଭାବ ଏକ ପ୍ରକାରର ନୁହେଁ। କିଏ କହେ ବିବାହ କର୍ମଟି ସିନା ପାଳନ କରାଯାଇଥାଏ ଧରା ପୃଷ୍ଠରେ, ଅସଲରେ ତାହା ସ୍ବର୍ଗରେ ହିଁ ସଂପନ୍ନ ହୋଇଥାଏ। ଏହି ସ୍ୱର୍ଗୀୟ ସଂଯୋଗକୁ ଟିକିଏ ସୁଦୃଢ଼ କରିବା ପାଇଁ ଆମ ଦେଶରେ ଦେବଦେବୀଙ୍କର ବୈବାହିକ ଉତ୍ସବ ପାଳନ କରାଯାଏ ନିଷ୍ଠାର ସହିତ। ମଣିଷର ବିବାହ ବେଦିରେ ପୁରାଣର ପ୍ରସିଦ୍ଧ ତଥା ଆଦର୍ଶ ଦଂପତିମାନଙ୍କର ଆବାହନ କରାଯାଇଥାଏ। ବେଳେ ବେଳେ ତ ଏହି ଅନୁଷ୍ଠାନ ପ୍ରତି ନିଜର ଆସ୍ଥା ଦର୍ଶାଇବାକୁ ଯାଇ କିଛି ଖାମିଦ ନିଜର ଗୃହପାଳିତ ପଶୁମାନଙ୍କର ବିବାହ ଉତ୍ସବ ମଧ୍ୟ ଧୁମ୍‌ଧାମ୍‌ରେ ପାଳନ କରନ୍ତି।

ଅନ୍ୟ ଦିଗରେ କିଛି ଲୋକ ଏହି ପୁରୁଣା ପରଂପରାଟିକୁ ବିଦ୍ରୂପ ବା ଭର୍ତ୍ସନା କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ବହୁ ନାରୀବାଦୀ ବିବାହ ବନ୍ଧନକୁ କ୍ରୀତଦାସ ପ୍ରଥା ବୋଲି କହିଥିବା ବେଳେ, ଗଲିଭର୍ସ ଟ୍ରାଭେଲ୍‌ସର ରଚୟିତା ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ ଇଂରେଜ ଲେଖକ ଜନାଥନ ସୁଇଫ୍‌ଟ ଏହାକୁ ଆଇନଗତ ଶରୀର ବ୍ୟବସାୟ ବୋଲି ଅଭିହିତ କରିଥିଲେ। ଯୁଗ ଯୁଗ ଧରି ଅନିବାର୍ଯ୍ୟ ବୋଲି ବିଚାର କରାଯାଉଥିବା ଏହି ବ୍ୟବସ୍ଥାଟି ଆଜି ଲୋକପ୍ରିୟତା ହରାଇବାରେ ଲାଗିଛି। ଫ୍ରାନ୍‌ସ ଭଳି ଦେଶରେ ଯୁବ ସମାଜ ବିବାହ ପ୍ରତି ବୀତସ୍ପୃହ ଓ ଅନେକ ଦେଶରେ ବିବାହ ବନ୍ଧନ ଆଜି କ୍ଷଣସ୍ଥାୟୀ। ଆମ ଦେଶରେ ମଧ୍ୟ ‘ନିର୍ଯାତିତ ପତି ସଙ୍ଘ’ ଓ ‘ପୁରୁଷ କମିସନ’ ଇତ୍ୟାଦି ଗଠନର ଦାବି ଉଠୁଥିବାରୁ ଜଣାପଡ଼େ ବିବାହ ଏଠି ମଧ୍ୟ ବିପଦଗ୍ରସ୍ତ।

ଜଣାଶୁଣା ପ୍ରଥାଟି ପ୍ରତି ମଣିଷର ଉପରୋକ୍ତ ଦୁଇ ବିପରୀତଧର୍ମୀ ଦୃଷ୍ଟିକୋଣକୁ ସୁନ୍ଦର ଭାବରେ ଚିତ୍ରିତ କରିଥାଏ ଏହି ଜନପ୍ରିୟ ଉକ୍ତିଟି: ବାହାଘର ଲଡୁ, ଯିଏ ଖାଇଲା ସିଏ ତ ପଶ୍ଚାତ୍ତାପ କଲା ଓ ଯିଏ ନ ଖାଇଲା ସିଏ ବି। ନିଜକୁ କିନ୍ତୁ ଏମିତି ଦ୍ବିଧାଗ୍ରସ୍ତ ଅବସ୍ଥାରେ କେବେ ହେଲେ ପାଇ ନ ଥିବେ ଓଡ଼ିଶାର ସେହି ବ୍ୟକ୍ତି ଯାହାଙ୍କର ବହୁ-ବିବାହ ପାଇଁ ଅଦମ୍ୟ ଉଦ୍ଦୀପନା ଆଜି ସମସ୍ତ ରାଜ୍ୟବାସୀଙ୍କୁ ଚକିତ ଓ ଅାମୋଦିତ କରି ରଖିଛି। ରାଜ୍ୟର ସମ୍ପୂର୍ଣ୍ଣ ଏକତରଫା ନିର୍ବାଚନ ଦୃଶ୍ୟପଟର ଶୁଷ୍କ ଓ ଉତ୍ତେଜନାହୀନ ବାତାବରଣରୁ ତ୍ରାଣ ପାଇବା ପାଇଁ ଆମର ଖବରକାଗଜ ଓ ଚାନେଲ ବାଲାଏ ‘ରଙ୍ଗିଲା ରମେଶ’ ଉପରେ ଆଜି ଯେମିତି ପୂରା ନିର୍ଭରଶୀଳ। ସମ୍ପୂର୍ଣ୍ଣ ଭାବରେ ପୂର୍ବାନୁମାନଯୋଗ୍ୟ ନିର୍ବାଚନ ଫଳ ଅପେକ୍ଷା ଅଧିକ କୌତୂହଳ ସୃଷ୍ଟି କରିପାରିଛି ‘ରଙ୍ଗିଲା ରମେଶ’ର କୌଣସି ଏକ ଗୋପନୀୟ ବିବାହର ନୂଆ ସ୍ୱୀକାରୋକ୍ତି।

ବହୁ-ବିବାହ କିଛି ନୂଆ କଥା ନୁହେଁ। ପୂର୍ବରୁ ଆମ ରାଜ୍ୟର କେନ୍ଦୁଝର ଜିଲ୍ଲାରେ ଜଣେ ବ୍ୟକ୍ତି ସର୍ବାଧିକ ବିବାହ କରି ଏକ ସର୍ବଭାରତୀୟ ରେକର୍ଡ ସୃଷ୍ଟି କରି ସାରିଛନ୍ତି। ତେବେ ‘ରଙ୍ଗିଲା ରମେଶ’ କ୍ଷେତ୍ରରେ ବ୍ୟତିକ୍ରମ ଏତିକି ଯେ ତା’ର ସତେଇଶ କିମ୍ବା ତତୋଧିକ ପତ୍ନୀ କେହି ଅନ୍ୟ ପତ୍ନୀମାନଙ୍କ ବିଷୟରେ ସୁରାକ ପାଇ ନ ଥିଲେ। ଏହି ସନ୍ତୁଳନ ବଜାୟ ରଖିବା ପାଇଁ ତାଙ୍କର ଉର୍ବର ମସ୍ତିଷ୍କକୁ କେତେ କସରତ କରିବାକୁ ପଡୁ ନ ଥିବ ସତେ! ଗୋପନୀୟତା ରଖିବା କ୍ଷେତ୍ରରେ ତା’ର ଦକ୍ଷତା ଥିଲା ଅତୁଳନୀୟ। ମାଟ୍ରିକ ପରୀକ୍ଷାରେ ସିନା ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲା, ହେଲେ ମାଟ୍ରିମନି ବା ବିବାହ ପରୀକ୍ଷାରେ ଅନାୟାସରେ ସୋପାନ ପରେ ସୋପାନ ଉଠି ଚାଲିଥିଲା ସେ।

ପୁରାଣ କାଳରେ ବୀର ଯୋଦ୍ଧା ଓ ରାଜାମାନଙ୍କୁ ମନପସନ୍ଦର ରାଜକନ୍ୟାଟିଏ ଲାଭ କରିବା ପାଇଁ ସ୍ବୟଂବରରେ ଭାଗ ନେଇ କଠିନ ପ୍ରତିଯୋଗିତାର ସାମନା କରିବାକୁ ପଡୁଥିଲା। ଅନ୍ୟାନ୍ୟ ଧୁରନ୍ଧର ପ୍ରତ୍ୟାଶୀମାନଙ୍କୁ ପଛରେ ପକାଇ ସେମାନଙ୍କୁ ବିଜୟୀ ହେବାକୁ ପଡୁଥିଲା। ସାମାନ୍ୟ ଟିକିଏ ଭୁଲ୍‌ ହୋଇଗଲେ କନ୍ୟାର ହାତ ଜିତିବା ତ ଦୂରର କଥା, ବିଫଳତା ଜନିତ ସମ୍ମାନ ହାନି ସବୁ କ୍ଷୋଭକୁ ବଳି ଯାଉଥିଲା। ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କୁ ମଧ୍ୟ ଶିବ ଧନୁ ଭାଙ୍ଗିବା ଭଳି କଷ୍ଟସାଧ୍ୟ କାର୍ଯ୍ୟ କରି ମାତା ସୀତାଙ୍କୁ ଜିତିବାକୁ ପଡ଼ିଥିଲା। ବୀର ଅର୍ଜୁନଙ୍କୁ ମାଛର ଆଖିକୁ ଲକ୍ଷ୍ୟ ରଖି ଦୃଢ଼ ଏକାଗ୍ରତାର ସହ ସ୍ବୟଂବରରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା। ହେଲେ ‘ରଙ୍ଗିଲା ରମେଶ’ କେବଳ କନ୍ୟାମାନଙ୍କର ସଂପତ୍ତି ଓ ଦୁର୍ବଳ ମନ ଉପରେ ଏକାଗ୍ରତା ରଖି ସୂର-ବୀରମାନଙ୍କ ଅପେକ୍ଷା ସହଜରେ ସମସ୍ତ ସ୍ବୟଂବର ଜିତି ଯାଉଥିଲା।

ବିବାହର ସଂଜ୍ଞା ବିଭିନ୍ନ ଲୋକଙ୍କ ପାଇଁ ଅଲଗା ହୋଇପାରେ, କିନ୍ତୁ ଧୂର୍ତ୍ତ ରମେଶ ପାଇଁ ତାହା ଥିଲା ତା’ର ଜୀବିକା ଓ ଅର୍ଥ ଉପାର୍ଜନର ମାଧ୍ୟମ। କିନ୍ତୁ ଯେଉଁ ଶିକ୍ଷିତା ଓ ପ୍ରତିଷ୍ଠିତା ମହିଳାମାନେ ତା’ ଜାଲରେ ଫସୁଥିଲେ, ସେମାନେ ଏତେ ବେପରୁଆ ହେଲେ କେମିତି? କ’ଣ ଥିଲା ସେମାନଙ୍କର ବାଧ୍ୟବାଧକତା? ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବଙ୍ଗଳାରେ ବଳବତ୍ତର ଥିବା ଏକ କୁଖ୍ୟାତ ବିବାହ ପରଂପରା ଅନୁସାରେ କୁଳୀନ ବ୍ରାହ୍ମଣ ପରିବାରର ଶିଶୁ କନ୍ୟାମାନଙ୍କୁ ମଧ୍ୟ ମୃତବତ୍‌ ଓ ବହୁ-ବିବାହିତ ବୃଦ୍ଧ ବରପାତ୍ରମାନଙ୍କ ହାତକୁ ଟେକି ଦିଆଯାଉଥିଲା। ହେଲେ ଆଜିର ଆଧୁନିକ ମହିଳାମାନଙ୍କର ସେମିତି ସାମାଜିକ ଚାପ ତ ନ ଥିଲା। ହୁଏ’ତ ଆଜିର ଇଣ୍ଟରନେଟ୍‌ ସୃଷ୍ଟ ଆଭାସୀ ଦୁନିଆରେ ରକ୍ତ ମାଂସଧାରୀ ମଣିଷ ଓ ତା’ର ପରିବେଶକୁ ପ୍ରତ୍ୟକ୍ଷ ଭାବେ ପରଖିବା ପାଇଁ ମଣିଷ ଆବଶ୍ୟକ ମଣୁନାହିଁ, ଯେଉଁଥି ପାଇଁ ଯେତେ ସବୁ ଠକାମି ଓ ପ୍ରତାରଣା ସମ୍ଭବ ହୋଇ ପାରୁଛି। ସବୁ କିଛି କମ୍ପ୍ୟୁଟର ବା ସ୍ମାର୍ଟ ଫୋନ୍‌ର ପରଦା ମାଧ୍ୟମରେ ତୁଲାଇ ଦେବାର ଇଚ୍ଛାରେ ମଣିଷ ବହୁତ ସମୟରେ ଅଖଞ୍ଜରେ ପଡୁଛି।

ବିବାହ ବିଷୟକ ଅନେକ କଟାକ୍ଷରେ ଆଜି ସାମାଜିକ ଗଣମାଧ୍ୟମ ଉବୁଟୁବୁ। ଏମିତି ଗୋଟିଏ ଉକ୍ତି ହେଲା, ‘ଯଦି ଦୁନିଆକୁ ବଦଳାଇବାକୁ ଚାହଁ, ତେବେ ଅବିବାହିତ ଥିବା ସମୟରେ ସେ କାମ ସାରି ଦିଅ; ବାହା ହେଲା ପରେ ଟିଭିର ଚାନେଲ୍‌ଟିଏ ବି ବଦଳ କରିବାକୁ ସୁଯୋଗ ପାଇବନି।’ ହୁଏ’ତ ଏଇ କଥାଟିକୁ ଆମ ରାଜ୍ୟ ଓ ଦେଶର ଅନେକ ବଡ଼ ନେତା ଗୁରୁତ୍ବର ସହିତ ଗ୍ରହଣ କରି ଅବିବାହିତ ରହି ଦେଶ ସେବା କରୁଛନ୍ତି। ‘ରଙ୍ଗିଲା ରମେଶ’ କ୍ଷେତ୍ରରେ କିନ୍ତୁ ଉକ୍ତିଟି ସମ୍ପୂର୍ଣ୍ଣ ଅଲଗା। ତା’ ଅନୁସାରେ, ‘ଯଦି ନିଜର ଭାଗ୍ୟ ବଦଳାଇବାକୁ ଚାହୁଁଥାଅ ତେବେ ପୁଣି ଥରେ ବାହା ହୋଇପଡ଼।’

କିଏ କହେ ବିବାହିତ ମଣିଷ ହିତାହିତ ଜ୍ଞାନ ହରାଇ ବସେ ବୋଲି?

ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର