ୟୁକ୍ରେନ୍ ଉପରେ ଆକ୍ରମଣ ଓ ଭାରତର ପକ୍ଷ

ସରଳ ବିଚାର - ସରଳ କୁମାର ଦାସ

କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣର କରୁଣ ଦୃଶ୍ୟ ସଂଘଟିତ ହେଉଥିଲା ବେଳେ ସେଠାରେ ଉପସ୍ଥିତ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ପରି ଗୁଣୀ, ଜ୍ଞାନୀ, ମହାବୀରମାନେ ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ସେହି ଅନ୍ୟାୟର ପ୍ରତିବାଦ କରିବାକୁ ଅସମର୍ଥ ହୋଇ ନିରବ ରହିଥିଲେ, ଯେଉଁଥିପାଇଁ ସେମାନେ ଆଜି ବି ନିନ୍ଦିତ। ୟୁକ୍ରେନ୍‌ ଯୁଦ୍ଧର ବିଭୀଷିକା ଲାଗି ରହି ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହେବା, ହଜାର ହଜାର ଶିଶୁ ଅନାଥ ହେବା, ଶହ ଶହ କୋଠାବାଡ଼ି ଧ୍ୱଂସ ପାଇ ମାନବତାର ବସ୍ତ୍ରହରଣର କରୁଣ ଦୃଶ୍ୟକୁ ବିଶ୍ୱବାସୀ ଟିଭି ପରଦାରେ ପ୍ରତ୍ୟକ୍ଷ କରୁଥିଲେ ବି ଯୁଦ୍ଧ ବନ୍ଦ କରିବା ଲାଗି ରାଷ୍ଟ୍ରନାୟକମାନେ ନିଜ ନିଜ ଦେଶର ସ୍ୱାର୍ଥ ରକ୍ଷା ଲାଗି ନିରବ ‌ହୋଇ ରହିଛନ୍ତି। ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୧୪୧ଟି ଦେଶ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିବା ବେଳେ ଯେଉଁ କେତୋଟି ଦେଶ ଭୋଟ ଦାନରୁ ବିରତ ରହି ରୁଷିଆକୁ ପରୋକ୍ଷରେ ସମର୍ଥନ ଜଣାଇଲେ, ସେମାନଙ୍କ ମଧ୍ୟରେ ଥିଲା ଭାରତ। ଏଥି ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଭୋଟ ଦାନରେ ମଧ୍ୟ ଭାରତ ଅନୁରୂପ ଆଚରଣ କରିଥିଲା। ଗଣତନ୍ତ୍ର ଓ ସାର୍ବଭୌମତ୍ୱର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଭାରତ ୟୁକ୍ରେନ୍‌ ଭଳି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶର ଆକ୍ରମଣ ପରେ ନିରବ ରହିବା ଅନେକଙ୍କୁ ବ୍ୟଥିତ କଲା। ଅବଶ୍ୟ ରୁଷିଆ ସହ ଭାରତର ଦୀର୍ଘ ଦିନର ଐତିହାସିକ ବନ୍ଧୁତ୍ୱ ଦୃଷ୍ଟିରୁ ଭାରତର ଏ ଭଳି ଆଚରଣ କିଛି ଅପ୍ରତ୍ୟାଶିତ ନୁହେଁ। ଭାରତର ନିର୍ଣ୍ଣୟକୁ ‘ସ୍ୱାଧୀନ ଓ ସନ୍ତୁଳିତ’ କହି ରୁଷିଆ ପ୍ରଶଂସା କରିଥିଲା ବେଳେ ଭାରତର ନିରବତା ନିରପେକ୍ଷତା ନୁହେଁ ବୋଲି ପଶ୍ଚିମା ଦେଶଗୁଡ଼ିକ ମଣୁଛନ୍ତି। ଭାରତର ଏ ଭଳି ଆଭିମୁଖ୍ୟ କୂଟନୈତିକ ଦୃଷ୍ଟିରୁ ତାକୁ ବିଶ୍ୱ-ପଟଳରେ ଏକଘରିକିଆ କରିଦେବ ନାହିଁ ତ?

ଭାରତ କେବେ କାହାକୁ ଆକ୍ରମଣ କରିନାହିଁ ସତ, ହେଲେ ଅନେକ କ୍ଷେତ୍ରରେ ଆକ୍ରମଣକାରୀ ଦେଶମାନଙ୍କୁ କଡ଼ା ଶବ୍ଦରେ ନିନ୍ଦା ମଧ୍ୟ କରିନାହିଁ। ଅତୀତରେ ବିଭିନ୍ନ ଦେଶଙ୍କ ଦ୍ୱାରା ହୋଇଥିବା ଅନେକ ସାମରିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାରତ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ପୋଷଣ କରିଆସିଛି। କେତେବେଳେ ଉତ୍ତେଜନା ହ୍ରାସ ପାଇଁ ସକ୍ରିୟ ମଧ୍ୟସ୍ଥତା କରିଛି ତ କେତେବେଳେ ପୁଣି ନିରବ ରହିବାକୁ ଉଚିତ ମଣିଛି। ଭାରତ ପାଇଁ ଏହି ଧରଣର ପ୍ରଥମ ନିଷ୍ପତ୍ତି ସଙ୍କଟ ଦେଖା ଦେଇଥିଲା ୧୯୫୬ର ‘ସୁଏଜ କେନାଲ ସଙ୍କଟ’ ସମୟରେ ଯେତେବେଳେ ଇଝିପ୍‌ଟର ରାଷ୍ଟ୍ରପତି ନାସେରଙ୍କ ସୁଏଜ କେନାଲର ଜାତୀୟକରଣ ଘୋଷଣା ନିଷ୍ପତ୍ତିକୁ ବିରୋଧ କରି ଅକ୍ଟୋବର ୨୯, ୧୯୫୬ରେ ପ୍ରଥମେ ଇସ୍ରାଏଲ୍‌ ଓ ପରେ ପରେ ବ୍ରିଟେନ୍‌ ଓ ଫ୍ରାନ୍‌ସ ଇଜିପ୍‌ଟର ବିମାନ ଘାଟୀଗୁଡ଼ିକ ଉପରେ ଆକ୍ରମଣ କରିଥିଲେ। ଉଭୟ କୂଟନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ଭାରତ ଉପରେ ଏହି ସଙ୍କଟର ଗଭୀର ପ୍ରଭାବ ପଡ଼ିବାର ଆଶଙ୍କା ଥିଲା। ନାସେରଙ୍କ ସହ ନେହରୁଙ୍କ ଘନିଷ୍ଠ ବନ୍ଧୁତା ସତ୍ତ୍ୱେ ସେ ନାସେରଙ୍କ ଏଭଳି ନିଷ୍ପତ୍ତି ଠାରୁ ନିଜକୁ ଦୂରେଇ ରଖିବା ସଙ୍ଗେ ସଙ୍ଗେ ଇଜିପ୍‌ଟ ବିରୋଧରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ନିନ୍ଦା କରିବାକୁ ପଛାଇ ନ ଥିଲେ। ଏଥି ସହ ସେ ସକ୍ରିୟ ମଧ୍ୟସ୍ଥତା କରି ଆମେରିକା ରାଷ୍ଟ୍ରପତି ଆଇଜେନହାୱାରଙ୍କ ସହ ମିଶି କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲେ, ଯାହା ଉତ୍ତେଜନା ହ୍ରାସରେ ସହାୟକ ହୋଇଥିଲା। ପରେ ଆମେରିକା ଦ୍ୱାରା ଭିଏତ୍‌ନାମ ଯୁଦ୍ଧ ଚାଲିଥିବା ସମୟରେ ତା’ର କଡ଼ା ନିନ୍ଦା କରିବାକୁ ଭାରତ ପଛାଇ ନ ଥିଲା।

କିନ୍ତୁ ୧୯୫୬ରେ ସୋଭିଏତ୍‌ ସଂଘ ଦ୍ୱାରା ହଙ୍ଗେରୀ ବିପ୍ଳବକୁ ଦମନ କରିବା ଲାଗି ଓ ୧୯୬୮ରେ ସୋଭିଏତ୍‌ ସଂଘ ନେତୃତ୍ୱରେ ‘ୱାରସା ମେଣ୍ଟ’ ଦ୍ୱାରା ଚେକୋସ୍ଲୋଭାକିଆ ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରି ନ ଥିଲା। ୧୯୭୯ରେ ଆଫଗାନିସ୍ତାନକୁ ସୋଭିଏତ୍‌ ସଂଘ ନିଜ ଦଖଲକୁ ନେଇଥିଲା ଓ ୧୯୮୦ରେ ଇନ୍ଦିରା ଗାନ୍ଧୀ ସୋଭିଏତ୍‌ ସଂଘର କାର୍ଯ୍ୟାନୁଷ୍ଠାନ ପ୍ରତି ସମର୍ଥନ ଜଣାଇଥିଲେ। ୧୯୭୧ରେ ବଙ୍ଗଳାଦେଶ ଯୁଦ୍ଧ ସମୟରେ ସୋଭିଏତ୍‌ ସଂଘ ଭାରତକୁ ଦୃଢ଼ ସମର୍ଥନ ଜଣାଇବା ସହ ସାମରିକ ସହାୟତା ପ୍ରଦାନ କରିଥିବାରୁ ଭାରତ ସେ ଭଳି ଜଣେ ବନ୍ଧୁକୁ ହରାଇବାକୁ ଚାହୁଁ ନ ଥିଲା। ଏହି କାଳଖଣ୍ଡରେ ଭାରତ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ନେଇ ଉଭୟ ମହାଶକ୍ତିଙ୍କ ନିକଟରୁ ଦୂରତା ରକ୍ଷା କରୁଥିଲେ ବି ସୋଭିଏତ୍‌ ସଂଘ ପ୍ରତି ତା’ର ଦୁର୍ବଳତା ବାରି ହୋଇ ପଡୁଥିଲା। ୨୦୦୩ରେ ଆମେରିକା ଇରାକ ଆକ୍ରମଣ କଲା ପରେ ତତ୍କାଳୀନ ବାଜପେୟୀ ସରକାର ମୃଦୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ବି ସୋଭିଏତ୍‌ ସଂଘର ବିଘଟନ ପରେ ଆମେରିକା ହିଁ ଏକମାତ୍ର ମହାଶକ୍ତି ହୋଇଥିବାରୁ ତା’ ସହ ଗଢ଼ି ଉଠୁଥିବା ସୁସମ୍ପର୍କକୁ ତିକ୍ତ ନ କରିବା ପାଇଁ ନିରବ ରହିବାକୁ ଜାତୀୟ ସ୍ୱାର୍ଥର ଅନୁକୂଳରେ ବୋଲି ମନେ କରିଥିଲେ। କୂଟନୈତିକ ଦୃଷ୍ଟିରୁ ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ ରଖି ପଦକ୍ଷେପ ଗ୍ରହଣ କରିବା ସର୍ବୋପରି ହୋଇଥାଏ, ଯାହା ଏ ଯାଏଁ ଭାରତ କରିଆସିଛି। ସେଥିପାଇଁ ଅନେକ ସମୟରେ କୌଣସି ପ୍ରସଙ୍ଗରେ ନିରପେକ୍ଷତା ଆଚରଣ ବା ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଶ୍ରେୟସ୍କର ମଣିଥିଲେ ବି ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ଭାରତର ନିରପେକ୍ଷ ନୀତି ଅବଲମ୍ୱନ ବିଶ୍ୱ ପଟଳରେ ତା’ର ଭାବମୂର୍ତ୍ତିକୁ ମଳିନ କରିବା ସହ ତାହା ଜାତୀୟ ସ୍ୱାର୍ଥରେ ହୋଇ ନ ପାରେ ବୋଲି ମତ ପ୍ରକାଶ ପାଉଛି।

ଭାରତ ରୁଷିଆ ଆଡ଼କୁ ଢଳିବା ଭଳି ପ୍ରତୀତ ହେବାର ଏକ ବଡ଼ କାରଣ ହେଉଛି ସାମରିକ ଅସ୍ତ୍ରଶସ୍ତ୍ର ପାଇଁ ଭାରତର ରୁଷିଆ ଉପରେ ଅତ୍ୟଧିକ ନିର୍ଭରଶୀଳତା। ଅବଶ୍ୟ ଗତ କିଛି ବର୍ଷ ଧରି ଭାରତ ଅନ୍ୟ କିଛି ଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନି କରି ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ସମର୍ଥ ହୋଇଛି। ତଥାପି ଏବେ ବି ତା’ର ଅର୍ଦ୍ଧାଧିକ ଆବଶ୍ୟକତା ରୁଷିଆ ହିଁ ପୂରଣ କରୁଛି। ତେବେ ବିଭିନ୍ନ ପ୍ରସଙ୍ଗରେ ରୁଷିଆ ଏବେ ଉଭୟ ଚୀନ ଓ ପାକିସ୍ତାନର ନିକଟତର ହୋଇଥିବାରୁ ସୁରକ୍ଷା ଓ କୂଟନୈତିକ ସ୍ତରରେ ଆଗ ଭଳି ଆଉ ଭାରତ ପଛରେ ଠିଆ ହେଉଥିବା ଦେଖାଯାଉ ନାହିଁ। ଗତ ବର୍ଷ ଗଲୱାନ ଉପତ୍ୟକାରେ ଭାରତ, ଚୀନ୍‌ର ସେନା ମୁହାଁମୁହିଁ ହେଉଥିବା ବେଳେ ରୁଷିଆ ନିରପେକ୍ଷତା ଅବଲମ୍ୱନ କରି ନିରବ ରହିବା, ତାହାର ଏକ ଉଦାହରଣ ମାତ୍ର। ଅଧିକନ୍ତୁ, ୟୁକ୍ରେନ୍‌ ପ୍ରସଙ୍ଗରେ ଚୀନ୍‌ର ରୁଷିଆ ପ୍ରତି ଆଭିମୁଖ୍ୟ ଭବିଷ୍ୟତ୍‌ରେ ରୁଷିଆକୁ ଚୀନ୍‌ର ଅଧିକ ନିକଟତର କରିବ। ଭାରତର ଶତ୍ରୁ ଦେଶ ଉଭୟ ଚୀନ ଓ ପାକିସ୍ତାନ ରୁଷିଆର ନିକଟତର ହେବା ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ। ଏହାଦ୍ୱାରା ଦେଶର କାଶ୍ମୀର ନୀତି ପ୍ରତି ବିପଦର ଆଶଙ୍କା ଥିବାରୁ, ଭାରତ ରୁଷିଆର ବନ୍ଧୁତାକୁ ହରାଇବାକୁ ଚାହିଁ ନ ପାରେ। ଗୋଟିଏ ପକ୍ଷରେ ଭବିଷ୍ୟତ୍‌ରେ ରୁଷିଆ ଠାରୁ ସମର୍ଥନ ମିଳିବା ନିଶ୍ଚିତ ହୋଇ ନ ଥିବା ବେଳେ ୟୁକ୍ରେନ୍‌ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଯୋଗୁଁ ଆମେରିକା ଓ ଅନ୍ୟ ପଶିମା ଦେଶମାନେ ଦରକାର ବେଳେ ଭାରତକୁ ସହାୟତା ପ୍ରଦାନ କରିବା ନେଇ ଶଙ୍କା ସୃଷ୍ଟି ହେବା ମଧ୍ୟ କିଛି ଅସ୍ୱାଭାବିକ ନୁହେଁ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ପାଇବାକୁ ଭାରତ ଆଶା ବାନ୍ଧିଆସିଛି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଓ ସାରା ବିଶ୍ୱକୁ ଯୁଦ୍ଧର ବିଭୀଷିକାରୁ ସୁରକ୍ଷିତ ରଖିବା ପାଇଁ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନଙ୍କର ଏକ ବଡ଼ ଭୂମିକା ରହିଛି। ୟୁକ୍ରେନ୍‌ ଯୁଦ୍ଧ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସମେତ ସୁରକ୍ଷା ପରିଷଦର ପ୍ରତିଟି ଦେଶ କିପରି ଆଚରଣ କରୁଛନ୍ତି, ତା’ ଉପରେ ଅନ୍ୟ ଦେଶମାନଙ୍କ ତୀକ୍ଷ୍‌ଣ ନଜର ରହିଛି। ସ୍ଥାୟୀ ସଦସ୍ୟତା ପାଇବା ଲାଗି ଭାରତକୁ ଏପରି କିଛି କଠୋର ନିଷ୍ପତ୍ତି ନେବାକୁ ହେବ ଯଦ୍ଦ୍ୱାରା ଆବଶ୍ୟକ ସ୍ଥଳେ ମାନବତା ଓ ବିଶ୍ୱ ସ୍ୱାର୍ଥର ସୁରକ୍ଷା ପାଇଁ ଭାରତ ଯେ ନିଜ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି କଠିନ ନିର୍ଣ୍ଣୟ ନେବାକୁ ସକ୍ଷମ; ସେହି ପ୍ରତ୍ୟୟ ଅନ୍ୟ ଦେଶମାନଙ୍କ ମଧ୍ୟରେ ସୃଷ୍ଟି ହୋଇପାରିବ। ସେ କ୍ଷେତ୍ରରେ ଭାରତକୁ ହୁଏ’ତ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ, ଯାହା ବିଶ୍ୱ ନେତୃତ୍ୱ ପାଇଁ ଆଶାୟୀ ଯେ କୌଣସି ଦେଶକୁ ଦେବାକୁ ପଡ଼ିଥାଏ। ଭାରତ ଯେଉଁ ଗତାନୁଗତିକ ନୀତି ଅନୁସରଣ କରି ନିରପେକ୍ଷତା ଅବଲମ୍ୱନ କରିଆସୁଛି, ତାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତର ଭାବମୂର୍ତ୍ତିକୁ କୌଣସି ମତେ ଉଜ୍ଜ୍ୱଳ କରୁନାହିଁ କି ତାହା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବି ସପକ୍ଷରେ ଯୁକ୍ତିକୁ ବଳିଷ୍ଠ କରୁନାହିଁ। ତେଣୁ ଭାରତକୁ ତା’ର କୂଟନୀତିର ସମୀକ୍ଷା କରି ସେଥିରେ ଜରୁରୀ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅନୁଭୂତ ହେଉଛି।

ଉପରୋକ୍ତ ସ୍ଥିତିରେ ଭାରତର ରୁଷିଆ ନିକଟରୁ ଶସ୍ତାରେ ଅଶୋଧିତ ତେଲ କିଣିବାକୁ ବି ରୁଷିଆର ନିକଟତର ହେବାର ପ୍ରୟାସ ବୋଲି ଭିନ୍ନ ଦୃଷ୍ଟିରେ ଦେଖାଯାଉଛି, ଯାହା ବିପଦମୁକ୍ତ ନୁହେଁ। ଉପରନ୍ତୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ମୁକାବିଲା ପାଇଁ ଗଠିତ ‘କ୍ୱାଡ୍‌’ ସୁରକ୍ଷା ଗୋଷ୍ଠୀରେ ଥିବା ଭାରତ ଭିନ୍ନ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ରୁଷିଆର ଆକ୍ରମଣକୁ ଖୋଲାଖୋଲି ନିନ୍ଦା କରି ତା’ ଉପରେ କଟକଣାମାନ ଲଗାଇ ସାରିଛନ୍ତି। ଏହା ପରେ ‘କ୍ୱାଡ୍‌’ ଗୋଷ୍ଠୀରେ ଭାରତର ଅବସ୍ଥିତି କେତେ ଅର୍ଥପୂର୍ଣ୍ଣ ହେବ ଏବଂ ଉଭୟ ରୁଷିଆ ଓ ଆମେରିକା ତାକୁ କିଭଳି ଗ୍ରହଣ କରିବେ, ତାହା ଭବିଷ୍ୟତ୍‌ର ଘଟଣାକ୍ରମ ନିର୍ଦ୍ଧାରଣ କରିବ। ଅଧିକାଂଶ ପଡ଼ୋଶୀ ଦେଶଙ୍କ ସହ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିବା ବେଳେ ଭାରତ ତା’ର ପାରମ୍ପରିକ ଶତ୍ରୁ ଦେଶ ପାକିସ୍ତାନ ଓ ଚୀନ ବ୍ୟତୀତ ଅନ୍ୟ କୌଣସି ଦେଶ ସହ ନୂତନ ଭାବେ ଶତ୍ରୁତା ଆଚରଣ କରିବା କଥା ଭାବି ମଧ୍ୟ ପାରିବ ନାହିଁ, ରୁଷିଆ ଓ ଆମେରିକାଙ୍କ ସହ ତ ଆଦୌ ନୁହେଁ। କିନ୍ତୁ ଅାନ୍ତର୍ଜାତିକ ଘଟଣାବଳୀ ଭାରତକୁ ବାରମ୍ୱାର ଏ ଭଳି ସ୍ଥିତିରେ ଆଣି ପହଞ୍ଚାଇବ ଯେ ତାକୁ ରୁଷିଆ ଓ ଆମେରିକା ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିପାରେ। ଏହି ବିକଳ୍ପ ଚୟନ ଦ୍ୱନ୍ଦ୍ୱକୁ ଏଡ଼ାଇବା ପାଇଁ ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଭାରତ ପରି ଏକ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ଦେଶକୁ ଉଭୟଙ୍କ ଠାରୁ ଦୂରତ୍ୱ ରକ୍ଷା କରି ନୈତିକତା ଆଧାରିତ କୂଟନୀତିକୁ ଅଗ୍ରାଧିକାର ଦେଇ ନେତୃତ୍ୱ ନେବାକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡ଼ିପାରେ। କୂଟନୀତିରେ ବ୍ୟାବହାରିକତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହା ଅନେକଟା ତାତ୍ତ୍ୱିକ ପରି ମନେ ହେଉଥିଲେ ବି ଅତୀତରେ ବୌଦ୍ଧ ଧର୍ମର ବିସ୍ତାର ପରେ ଭାରତ ତା’ର ଏହି କୋମଳ ଶକ୍ତି (ସଫ୍‌ଟ ପାୱାର)ର ଉପଯୋଗ କରି ବିଶ୍ୱରେ ନିଜ ସ୍ଥିତି ସୁଦୃଢ଼ କରିବାକୁ ସମର୍ଥ ହୋଇଥିଲା।

ଗଣତାନ୍ତ୍ରିକ ମୂଲ୍ୟବୋଧର ସୁଦୃଢ଼ୀକରଣ ଲାଗି ଅନେକ ଦେଶ ଭାରତ ଭଳି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ଆଡ଼କୁ ଅନାଇ ରହିଥିବା ବେଳେ ଜାତୀୟ ସ୍ୱାର୍ଥର ଆଳ ଦେଖାଇ ଭାରତ ସେହି ଗୁରୁ ଦାୟିତ୍ୱକୁ ଏଡ଼ାଇ ଯାଇପାରିବ ନାହିଁ। ‘କ୍ୱାଡ୍‌’ ଭଳି ସୁରକ୍ଷା ଗୋଷ୍ଠୀର ଅଂଶ ବିଶେଷ ହେବାକୁ କୁଣ୍ଠା ପ୍ରକାଶ କରି ନ ଥିବା ଭାରତ ବିଶ୍ୱର ସପ୍ତମ ସର୍ବବୃହତ୍ ଅର୍ଥନୈତିକ ଶକ୍ତି ଓ ଚତୁର୍ଥ ସର୍ବବୃହତ୍ ସାମରିକ ଶକ୍ତି ଭାବେ ଉଭା ହୋଇ ସାରିଥିବାରୁ ସେହି ଗୁରୁ ଦାୟିତ୍ୱ ବହନ କରିବାକୁ ସକ୍ଷମ। ଏତଦ୍‌ବ୍ୟତୀତ ଦାର୍ଶନିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଭାରତର କୋମଳ ଶକ୍ତି ସର୍ବମାନ୍ୟ। ଭାରତୀୟ ନୀତିଶାସ୍ତ୍ରମାନଙ୍କରେ ନୀତି ନୈତିକତା ଆଧାରରେ ରାଷ୍ଟ୍ର ପରିଚାଳନା ଓ ଧର୍ମ ସଂସ୍ଥାପନାର ଉପଦେଶ ଦିଆ ହୋଇଛି। ଗୋଟିଏ ରାଷ୍ଟ୍ରର ଜୀବନରେ ବି ଏମିତି ଘଡ଼ିସନ୍ଧି ମୁହୂର୍ତ୍ତ ଆସେ, ଯେତେବେଳେ ବିଶ୍ୱ କଲ୍ୟାଣ ଓ ମାନବତାର ରକ୍ଷା ପାଇଁ ଜାତୀୟ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ନୈତିକତାକୁ ଅଗ୍ରାଧିକାର ଦେଇ ଧର୍ମ ସଂସ୍ଥାପନାର ଆବଶ୍ୟକତା ଉପୁଜିଥାଏ। ଆଜି ବୋଧେ ଭାରତ ପାଇଁ ସେହି ମୁହୂର୍ତ୍ତ ଉପନୀତ। ଭାରତ ତା’ର ସେହି କୋମଳ ଶକ୍ତିକୁ ପୁଞ୍ଜି କରି ପ୍ରତିପକ୍ଷଙ୍କୁ ଯୁଦ୍ଧରୁ ନିବୃତ୍ତ ରହିବାକୁ ପ୍ରରୋଚିତ କରିପାରେ। ଏହାକୁ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସକାରାତ୍ମକ ପ୍ରୟାସ କରାଗଲେ ହୁଏ’ତ ଅନ୍ୟାନ୍ୟ ଦେଶମାନଙ୍କ ସମର୍ଥନରେ ଭାରତ ନିଜକୁ ବିଶ୍ୱଗୁରୁ ଭାବେ ଅଧିଷ୍ଠିତ କରାଇପାରିବ।

ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର