ହିଜାବ କ’ଣ ଏକ ଧର୍ମୀୟ ଅତ୍ୟାବଶ୍ୟକତା

ମହାମେଘବାହନ ଐର ଖାରବେଳ ସ୍ୱାଇଁ

କର୍ଣ୍ଣାଟକର ଡଡୁପି ଜିଲ୍ଲାରେ ଯେତେବେଳେ ମୁସଲମାନ ଛାତ୍ରୀମାନଙ୍କୁ ହିଜାବ (ମୁଣ୍ଡ ଓଢ଼ଣି) ପିନ୍ଧି ସ୍କୁଲ ଗୃହ ମଧ୍ୟକୁ ଆସିବାକୁ ମନା କରାଗଲା, ସେତେବେଳେ ତାହାକୁ ନେଇ କେବଳ କର୍ଣ୍ଣାଟକରେ ନୁହେଁ, ସାରା ଦେଶରେ ଏକ ଧର୍ମୀୟ ବିବାଦ ସୃଷ୍ଟି ହୋଇଥିଲା। କର୍ଣ୍ଣାଟକର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏ ଧରଣର ଘଟଣା ପରିଲକ୍ଷିତ ହେଲା ଓ ରାଜ୍ୟ ସରକାର ତିନି ଦିନ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ରଖିଲେ। ଦେଖାଗଲା ଯେ ଏହି ଘଟଣାକୁ ନେଇ ସାରା କର୍ଣ୍ଣାଟକ ହିନ୍ଦୁ, ମୁସଲମାନ; ଏମିତି ଦୁଇ ଭାଗରେ ବିଭକ୍ତ ହୋଇଗଲା। ଅନ୍ୟ ସ୍କୁଲମାନଙ୍କୁ ଏହି ବିବାଦ ବ୍ୟାପିଗଲା ଓ ହିନ୍ଦୁ ପିଲାମାନେ ଗେରୁଆ ପଗଡ଼ି ଓ କାନ୍ଧ ଚାଦର ପକାଇ ସ୍କୁଲକୁ ଆସିଲେ।

ଏହି ପ୍ରସଙ୍ଗ ସମ୍ବିଧାନ‌େର ଲିପିବଦ୍ଧ ମୌଳିକ ଅଧିକାର ତଥା ମାନବିକ ଅଧିକାରର କଥା ଉଠାଇଲା; ଅର୍ଥାତ୍‌ ନିଜର ଧର୍ମ ଚିହ୍ନକୁ ସ୍କୁଲକୁ ନେଇ କରି ଯିବାର ମୌଳିକ ଅଧିକାର ପିଲାମାନଙ୍କର ଅଛି। ଏହାଛଡ଼ା ଏହାକୁ ମାନବିକ ଅଧିକାର ବୋଲି ମଧ୍ୟ କୁହାଗଲା। ସମ୍ବିଧାନର ମୌଳିକ ଅଧିକାର ଧାରା ୧୪ ଓ ଧାରା ୨୫ର ପ୍ରସଙ୍ଗ ଉଠାଗଲା। ଧାରା ୧୪ ଅନୁସାରେ ଧର୍ମ, ଜାତି, ଲିଙ୍ଗ ବା ଜନ୍ମ ସ୍ଥାନ ଭିତ୍ତିରେ କାହା ପ୍ରତି ଭେଦଭାବ ପ୍ରଦର୍ଶନ କରାଯାଇପାରିବ ନାହିଁ ଏବଂ ଧାରା ୨୫ ଅନୁସାରେ ସମସ୍ତେ ବିବେକର ସ୍ୱାଧୀନତା ଓ ନିଜର ଧର୍ମକୁ ପାଳନ କରିବା, ଅଭ୍ୟାସ କରିବା ଓ ପ୍ରଚାର କରିବାର ଅଧିକାର ପାଇବେ। ଏପରି ମଧ୍ୟ କୁହାଗଲା ଯେ ଭାରତ ହେଉଛି ଏଭଳି ଏକ ଦେଶ ଯେଉଁଠି ସଂସ୍କୃତିର ବିବିଧତାକୁ ସ୍ୱୀକାର କରାଯାଇଥାଏ। ବିଶ୍ୱର ଅଧିକାଂଶ ଦେଶମାନଙ୍କରେ ମଧ୍ୟ ଏହି ବିବିଧତାକୁ ଗ୍ରହଣ କରାଯାଇଥାଏ।

କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗ ସହ ଆହୁରି କେତେକ ବିଷୟମାନଙ୍କୁ ଯୋଡ଼ି ଦିଆଗଲା, ଯେମିତି କି ଲିଂଗଗତ ଅଧିକାର, ପରିଚୟ, ଜାତିଗତ ସଂପର୍କ ଓ ସଂଖ୍ୟାଲଘୁ-ସଂଖ୍ୟାଗରିଷ୍ଠ ବିବାଦକୁ ନେଇ ନିର୍ବାଚନୀ ପ୍ରକ୍ରିୟା ଇତ୍ୟାଦି। ବିଭିନ୍ନ ରାଜ୍ୟମାନଙ୍କରେ ଏହାକୁ ନେଇ ନାନା ପ୍ରକାର ବିବାଦୀୟ ପ୍ରସଙ୍ଗମାନଙ୍କୁ ଯୋଡ଼ି ଦିଆଗଲା, ଯେମିତି ନାଗରିକତା ସଂଶୋଧନ ଆଇନ ଉପରେ ପ୍ରତିବାଦ ବା ଗୋ-ହତ୍ୟା ଇତ୍ୟାଦି। ହିଜାବ ପ୍ରସଙ୍ଗରୁ ହିନ୍ଦୁମାନଙ୍କ ମଧ୍ୟରେ ଗୋ-ମାଂସ ଖାଇବା ଓ ବୁର୍ଖା, ହିଜାବ, ନିକାବ ଆଦି ପୋଷାକ ସମ୍ପର୍କିତ ମନୋବୃତ୍ତି ମଧ୍ୟ ପଦାକୁ ଆସିଗଲା। ଏହା ଫଳରେ ସମସ୍ୟା ସମାଧାନ ପରିବର୍ତ୍ତେ ବରଂ ନୂଆ ନୂଆ ବିବାଦମାନ ସୃଷ୍ଟି ହୋଇଛି।

ସର୍ବସାଧାରଣ ସ୍ଥାନ ମାନଙ୍କରେ ମୁସଲମାନ ମହିଳାମାନଙ୍କ ବୁର୍ଖା ପିନ୍ଧିବା, ମୁଣ୍ଡ ଓଢ଼ଣି ପିନ୍ଧିବା, ମୁହଁକୁ ଢାଙ୍କିବା ଆଦି ଅଭ୍ୟାସମାନ ସାରା ବିଶ୍ୱରେ ଅନେକ ଦେଶମାନଙ୍କରେ ବିବାଦ ସୃଷ୍ଟି କରିଛି। ତେଣୁ ୨୦୧୮ରେ ରକ୍ଷଣଶୀଳ ସାଉଦି ଆରବ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ମହିଳାମାନେ ନିଜ ଦେହକୁ ସଂପୂର୍ଣ୍ଣ ରୂପେ ଘୋଡାଇ ରଖିବାର ପରମ୍ପରାକୁ ଉଠାଇ ଦେଲା। ସେଠାରେ ଏବେ ମହିଳାମାନେ ନିଜ ପସନ୍ଦ ଅନୁସାରେ ବସ୍ତ୍ର ପିନ୍ଧି ପାରିବେ ଯାହା ରୁଚି ସମ୍ମତ ହୋଇଥିବ। ୨୦୧୧ରେ ଫ୍ରାନ୍‌ସ ଏକ ଆଇନ କରିଛି, ଯେଉଁଥିରେ ମହିଳାମାନେ ନିଜ ମୁହଁକୁ ଘୋଡ଼ାଇ ପାରିବେ ନାହିଁ। ଭାରତରେ ଏବେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଦ୍ୱାରା ଘୋଷିତ ପୋଷାକ ବା ୟୁନିଫର୍ମ ପିନ୍ଧିବା ନିୟମ ରହିଛି। ତେବେ ତାହା କେଉଁଠି ପାଳନ ହେଉଛି ତ କେଉଁଠି ହେଉନାହିଁ। ଏବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଲୋଚନା ହେଉଛି ଯେ ହିଜାବ ପରିଧାନ ଇସଲାମର ଏକ ଅତ୍ୟାବଶ୍ୟକ ଅଭ୍ୟାସ ଅଟେ କି?

ଏହା ଉପରେ ବିବାଦ ବେଳେ କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଯେ ହିଜାବ ଇସଲାମର ଏକ ଅତ୍ୟାବଶ୍ୟକ ଧର୍ମୀୟ ଅଭ୍ୟାସ ନୁହେଁ। ଧର୍ମୀୟ ବ୍ୟାପାର ଉପରେ ପୂର୍ବରୁ ଅଦାଲତମାନେ ଶାବରିମାଳା ମନ୍ଦିରକୁ ରଜୋବତୀ ମହିଳାମାନେ ପ୍ରବେଶ କରିପାରିବା କି ଅବା ତିନି ତଲାକ ଦ୍ୱାରା ଜଣେ ମୁସଲମାନ ମହିଳାଙ୍କୁ ଛାଡ଼ପତ୍ର ଦିଆଯାଇପାରିବ କି ଭଳି ପ୍ରସଙ୍ଗମାନଙ୍କରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟ ଏହି ପ୍ରସଙ୍ଗ ଉଠାଇବାର ଅର୍ଥ ହେଲା କେରଳର ଶାବରିମାଳା ଠାରେ ଧର୍ମୀୟ ବିଶ୍ୱାସ ହେଉଛି ଯେ ସେଠାକାର ଆୟାପ୍ପା ଦେବତା ଦେଉଛନ୍ତି ବ୍ରହ୍ମଚାରୀ। ତେଣୁ ସେ ରଜୋବତୀ ମହିଳାମାନଙ୍କୁ ସାକ୍ଷାତ କରିପାରିବେ ନାହିଁ; ଅର୍ଥାତ୍‌ ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ନିଷେଧ କରାଯିବା ସେଠାକାର ଏକ ଆବଶ୍ୟକତା ଅଟେ। ଏହି ବିଶ୍ୱାସ ଉପରେ ହିଁ ସେ ମନ୍ଦିର ପ୍ରତିଷ୍ଠିତ ହୋଇଛି। ସେ ମନ୍ଦିରକୁ ମହିଳାମାନେ ପ୍ରବେଶ ନ କରିବା ଏକ ଧର୍ମୀୟ ଆବଶ୍ୟକତା। କିନ୍ତୁ ତିନି ତଲାକ ଏକ ଧର୍ମୀୟ ପ୍ରସଙ୍ଗ ନୁହେଁ; ଏହା ମୁସଲମାନ ଆଇନର ଏକ ଅଂଗ ହୋଇପାରେ। ତେବେ ଏହା ମଧ୍ୟ ଇସଲାମୀ ଆଇନର ଅଂଶ ନୁହେଁ ବୋଲି ଅନେକ ଇସଲାମୀ ବିଶେଷଜ୍ଞ ଓ ମହିଳାମାନେ ଦାବି କରିଆସିଛନ୍ତି।

ତେବେ ହିଜାବ ବ୍ୟବହାର କ୍ଷେତ୍ରରେ କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ଏହାର ବ୍ୟବହାରକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବାସନ୍ଦ କରିବା ଧର୍ମ ପାଳନର ବିରୋଧ ନୁହେଁ। କାରଣ ଇସଲାମରେ ଏ ଧରଣର ମୁଣ୍ଡ ଓଢଣି ବା ପୋଷାକ ପିନ୍ଧିବାର ସେମିତି କୌଣସି ଧର୍ମୀୟ ବ୍ୟବସ୍ଥା କୋରାନରେ ଲିପିବଦ୍ଧ ନାହିଁ। ସରକାରଙ୍କ ଏହି ଆଦେଶ ବଳରେ ସରକାର ଧର୍ମ ବ୍ୟାପାରରେ କୌଣସି ହସ୍ତକ୍ଷେପ କରୁନାହାନ୍ତି। ଏହା ଦ୍ୱାରା ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରର ହନନ ହେଉନାହିଁ। ହାଇକୋର୍ଟ ମତ ଦେଇଛନ୍ତି ଯେ ଧାରା ୧୫ରେ ଯେଉଁ ସ୍ୱାଧୀନତା କଥା ଉଲ୍ଲିଖିତ ହୋଇଛି, ହିଜାବ ବାସନ୍ଦ ଦ୍ୱାରା ତାହା ଭଂଗ ହେଉନାହିଁ। କାରଣ କୌଣସି ଗୋଟିଏ ଅନୁଷ୍ଠାନର ପ୍ରାଥମିକତା ହେଲା ସେହି ଅନୁଷ୍ଠାନର ନୀତି ଓ ଲକ୍ଷ୍ୟ ପୂରଣ କରିବା। ଧର୍ମର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ଗୃହୀତ ହେଉ ନ ଥିବା କୌଣସି ଆଚରଣକୁ ରକ୍ଷା କରିବା କୌଣସି ସରକାରୀ ଅନୁଷ୍ଠାନର ଲକ୍ଷ୍ୟ ନୁହେଁ। କାରଣ ତାହା ଏକ ଧର୍ମୀୟ ସ୍ୱାଧୀନତା ନୁହେଁ।

ଅଦାଲତ କହିଛନ୍ତି ଯେ ସ୍କୁଲ ୟୁନିଫର୍ମ (ପୋଷାକ)ର ଗୁୁରୁତର ଉଦ୍ଦେଶ୍ୟ ହେଲା ସମାନତାର ପ୍ରଚାର। ଏହି ସମାନତା ଧର୍ମୀୟ ଓ ବର୍ଗୀୟ ବିବିଧତାର ଊର୍ଦ୍ଧ୍ୱରେ ରହିଛି। ଅଦାଲତ କହିଛନ୍ତି ଯେ ସ୍କୁଲ୍‌ମାନଙ୍କର ମୂଳ ଉଦ୍ଦେଶ୍ୟ ହେଲା ପିଲାମାନଙ୍କ ମଧ୍ୟରେ ଏକ ବୈଜ୍ଞାନିକ ମନୋବୃତ୍ତିର ଉଦ୍ରେକ କରାଇବା; ଅର୍ଥାତ୍‌, ଯେ କୌଣସି ପରମ୍ପରାକୁ ପ୍ରଶ୍ନ କରିବା। କାହିଁକି ଏପରି ଘଟୁଛି? ବା କି କାରଣ ପାଇଁ ଏ କଥା ଘଟୁଛି? ଭଳି। ଅନ୍ଧ ଭାବରେ କୌଣସି କଥାକୁ ଗ୍ରହଣ କରି ନେବା ବୈଜ୍ଞାନିକ ମନୋବୃତ୍ତି ନୁହେଁ। ଧର୍ମୀୟ ପ୍ରତୀକ ବୋଲି ଧରି ନେଇ ଯଦି ଯୁବ ମାନସିକତା ହିଜାବ ବା ଗେରୁଆ ବସ୍ତ୍ରକୁ ଅନ୍ଧ ଭାବରେ ପିନ୍ଧେ, ତେବେ ସେମାନଙ୍କ ବିଚାର ବୁଦ୍ଧିରେ କେବେ ହେଲେ ଉନ୍ନତି ହେବନାହିଁ। ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଦାଲତ ଉଠାଇଛନ୍ତି, ଯାହା ହେଲା ଅନେକ ସର୍ବସାଧାରଣ ଅନୁଷ୍ଠାନମାନଙ୍କୁ ବିଭିନ୍ନ ବର୍ଗ ସଦାବେଳେ ଆକ୍ରମଣ କରୁଛନ୍ତି। ହାଇକୋର୍ଟର ବିଚାରପତିମାନେ ସ୍କୁଲ୍‌କୁ ଏକ ସର୍ବସାଧାରଣ ସ୍ଥାନ ହିସାବରେ ଗଣନା କରିଛନ୍ତି। ଏହି ନିର୍ଦ୍ଦିଷ୍ଟ ସର୍ବସାଧାରଣ ସ୍ଥାନ ମାନଙ୍କରେ ଯଦି କୌଣସି ଯୁକ୍ତିଯୁକ୍ତ ନିୟମ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ କରାଯାଏ, ତେବେ ଏହାକୁ ପାତରଅନ୍ତର ବୋଲି କୁହାଯାଇପାରିବ ନାହିଁ। ଏଣୁ ଏ କ୍ଷେତ୍ରରେ ଏହି ନିୟମମାନ ଧାରା ୧୪ (ଆଇନ ଆଗରେ ସମାନତା) ଧାରା ୧୫ (ପାତରଅନ୍ତରହୀନତା) ଓ ଧାରା ୧୯(୧) (ମତ ପ୍ରକାଶ କରିବାର ସ୍ୱାଧୀନତା)ର ଉଲ୍ଲଘଂନ ନୁହେଁ। ବିଶେଷ କରି ସ୍କୁଲ ୟୁନିଫର୍ମ (ପୋଷାକ) ହେଉଛି ଏକ ସାର୍ବଜନୀନ ଆବଶ୍ୟକତା, ଯାହା ସାଂପ୍ରଦାୟିକ ନୁହେଁ।

କେବଳ ହାଇକୋର୍ଟଙ୍କ ରାୟ ନୁହେଁ, କେତେକ ଇସଲାମୀ ଆଇନ ଓ ଧର୍ମ-ବିଶ୍ୱାସ ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି ଯେ କର୍ଣ୍ଣାଟକ ସରକାରଙ୍କ ସ୍କୁଲ୍‌ରେ ୟୁନିଫର୍ମ ପିନ୍ଧିବା ନିଷ୍ପତ୍ତି କୌଣସି ଧର୍ମର ବିରୋଧ ନୁହେଁ। ଉଦାହରଣ ସ୍ୱରୂପ, ଜଣେ ବିଶିଷ୍ଟ ଇସଲାମୀ ବିଦୁଷୀ ଓ ଶାନ୍ତି ଏବଂ ଆଧ୍ୟାତ୍ମିକତା କେନ୍ଦ୍ରର ଅଧ୍ୟକ୍ଷା ଫରିଦା ଖାନାମ, ବିଖ୍ୟାତ ଇଂରେଜୀ ଦୈନିକ ଦି ଟାଇମ୍‌ସ ଅଫ୍ ଇଣ୍ଡିଆରେ ଲେଖିଛନ୍ତି ଯେ ଇସଲାମରେ ପୁରୁଷ ଓ ନାରୀ ମଧ୍ୟରେ କୌଣସି ଫରକର ଉଲ୍ଲେଖ ନାହିଁ। ନାରୀମାନେ ନିଜ ମୁହଁ, ହାତ ଇତ୍ୟାଦିକୁ ସଦା ବେଳେ ପୋଷାକ ଦ୍ୱାରା ଲୁଚାଇବେ ଭଳି କଥା ଇସଲାମର ପ୍ରତିଷ୍ଠାତା ପୈଗମ୍ବର ମହମ୍ମଦ ମଧ୍ୟ କେଉଁଠି କହିନାହାନ୍ତି। ପୁରୁଷମାନେ ନିଜକୁ ଖୋଲା ରଖିବେ କିନ୍ତୁ ନାରୀମାନେ ଘୋଡ଼ାଇ ହେବେ; ଏ କଥା ମଧ୍ୟ ପୈଗମ୍ବର ମହମ୍ମଦ କହିନାହାନ୍ତି ବା କୋରାନରେ ମଧ୍ୟ ଏ କଥା କେଉଁଠି ଲେଖାନାହିଁ। ତାଙ୍କ କହିବା ଅନୁସାରେ ପୈଗମ୍ବର ମହମ୍ମଦଙ୍କ ସହଯୋଗୀ ରହିଥିବା ଏକାଦଶ ଶତାଦ୍ଦୀର ଇସଲାମ ଧର୍ମର ବିଦ୍ୱାନ ଇଜନ୍ ହାଜମ ଲେଖିଛନ୍ତି ଯେ ଯେତେବେଳେ ପୈଗମ୍ବର ମହମ୍ମଦ ମହିଳାମାନଙ୍କୁ ଦାନ ଦେବାକୁ ଅନୁରୋଧ କଲେ, ସେତେବେଳେ ସେମାନଙ୍କ ସାମନାରେ ଗୋଟିଏ ବସ୍ତ୍ର ପକାଇ ଦିଆଗଲା, ଯାହା ଉପରେ ମହିଳାମାନେ ନିଜର ହାତ ମୁଦିମାନ ପକାଇ ଦେଲେ ଦାନ ଆକାରରେ। ସେତେବେଳେ ସେହି ମହିଳାମାନଙ୍କର ମୁହଁ ବା ହାତକୁ ବସ୍ତ୍ରରେ ଘୋଡ଼ାଇ ଦିଆ ଯାଇ ନ ଥିଲା। ସେ ସବୁ ଖୋଲା ଥିଲା। ଆଉ ଜଣେ ବିଶିଷ୍ଟ ଇସଲାମୀ ବିଦ୍ୱାନ ଇବନ୍ ଡାଇମିୟାଲ କହିଛନ୍ତି ଯେ ଯେଉଁ ମୁସଲମାନମାନେ ଏକ ବହୁ ଧର୍ମମୟ ସମାଜରେ ରହୁଛନ୍ତି, ସେମାନେ ସେଠାକାର ଲୋକମାନଙ୍କ ବିରୋଧରେ ଯିବା ଉଚିତ ନୁହେଁ। ବରଂ କେତେକ କ୍ଷେତ୍ରରେ ସେ ଦେଶର ଆଇନ ମାନିବା ସେମାନଙ୍କ ପକ୍ଷରେ ଏକ ଅନିବାର୍ଯ୍ୟତା ଅଟେ। ତେଣୁ ଫରିଦା ଖାନାମ କହିଛନ୍ତି ଯେ କର୍ଣ୍ଣାଟକର ମୁସଲମାନ ଝିଅମାନେ ସେଠାକାର ଶିକ୍ଷାନୁଷ୍ଠାନମାନଙ୍କର ନିୟମ ଗ୍ରହଣ କରିବା ଉଚିତ।

ମୋ- ୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର