ସୁଖର ସନ୍ଧାନ

ଗୀତିକା ପଟ୍ଟନାୟକ

ପ୍ରଥମେ ଗୋଟିଏ ଗଳ୍ପ।

ଜଣେ ସିଦ୍ଧ ସାଧୁଙ୍କ ନିକଟକୁ ଜଣେ ବ୍ୟକ୍ତି ଯାଇ ତାକୁ ପ୍ରଚୁର ସୁନା ମିଳୁ ବୋଲି ବରଟିଏ ମାଗିଲା। ସାଧୁ ତଥାସ୍ତୁ ବୋଲି କହନ୍ତେ ସେ ଅବିଳମ୍ବେ ପ୍ରଚୁର ସୁନାର ମାଲିକ ହୋଇଗଲା। ସେ ଆନନ୍ଦରେ ଗଦଗଦ ହୋଇ ଘରକୁ ଫେରିଲା। ପ୍ରତି ବର୍ଷ ସେହି ସାଧୁ ଏକ ନିର୍ଦ୍ଦିଷ୍ଟ ତିଥିରେ ଥରେ ମାତ୍ର ଏଭଳି ବର ପ୍ରଦାନ କରୁଥିଲେ। ପର ବର୍ଷ ସେହି ତିଥିରେ ସେହି ଲୋକଟି ପୁଣି ସାଧୁଙ୍କ ପାଖରେ ପହଞ୍ଚିବାରୁ ସାଧୁ ପଚାରିଲେ- ସୁନା ତ ପାଇଲୁ? ପୁଣି ଏବେ କ’ଣ?

ସେହି ବ୍ୟକ୍ତି କହିଲା- ସୁନା ପାଇଲି, କିନ୍ତୁ ଯାହା ‌ଖୋଜୁଥିଲି ପାଇଲି ନାହିଁ।

ସୁତରାଂ, ସାଧୁ ପଚାରିଲେ- ତୁମେ ପ୍ରକୃତରେ କ’ଣ ଖୋଜୁଥିଲ କି?

ସେହି ବ୍ୟକ୍ତି କହିଲା- ପ୍ରକୃତରେ ମୁଁ ସୁଖ ଚାହୁଛି!

ସେଇଠୁ ସାଧୁ କହିଲେ- ନିର୍ବୋଧ, ସୁଖ ଚାହୁଁଚୁ ଯଦି ସୁଖ ନ ମାଗି ସୁନା ମାଗୁଛୁ କାହିଁକି?

ଏହି ଗଳ୍ପ‌େର ଯାହା ରହିଛି ତାହା ହିଁ ହେଉଛି ମନୁଷ୍ୟର ବିଡ଼ମ୍ବନା। ଆମେ ଯହିଁରୁ ସୁଖ ଖୋଜୁଛୁ, ତହିଁରୁ ତାହା ମିଳୁନାହିଁ। ତେଣୁ ଜୀବନ ଯାକ ବିଭିନ୍ନ ଉପାୟରେ କେବଳ ଆନନ୍ଦର ସନ୍ଧାନରେ ଲାଗି ରହୁଛୁ ସିନା, ଆନନ୍ଦ ଲାଭ କରି ପାରୁନାହୁଁ।

ଏହି ପରିପ୍ରେକ୍ଷୀରେ ଗଲା ମାର୍ଚ୍ଚ ୨୦ ତାରିଖ ଦିନ ଆନ୍ତର୍ଜାତିକ ଖୁସି ଦିବସ ପାଳନ ଅବସରରେ ଯେଉଁ ତିନି ଗୋଟି ସନ୍ଦେଶ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା, ତାହା ଆମକୁ ସୁଖର ସନ୍ଧାନ ଦିଗରେ ସହାୟକ ହେବ। ତହିଁରୁ ପ୍ରଥମଟି ହେଲା, ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ସ୍ଥିର ଚିତ୍ତ ରହି ନିଜର ମାନସିକ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା। ବ୍ୟକ୍ତି ଯେତେବେଳେ ପ୍ରତିକୂଳତା ସହିତ ସ˚ଘର୍ଷ କରିବା ବେଳେ ଧୈର୍ଯ୍ୟ ଏବଂ ସାହସ ଦେଖାଏ, ଭାଙ୍ଗି ପଡ଼େନାହିଁ ବା ଅବସାଦଗ୍ରସ୍ତ ହୁଏ ନାହିଁ; ସେତିକିବେଳେ ଏକ ଆଶାର କିରଣ ସେହି ଭଳି ବ୍ୟକ୍ତିଙ୍କ ମନ ପଟଳକୁ ସର୍ବଦା ଆଲୋକିତ କରି ରଖିଥାଏ। ସେଥି ଲାଗି ବିଖ୍ୟାତ ଲେଖକ ଅର୍ନେଷ୍ଟ ହେମିଂ‌‌େୱଙ୍କ ଅମର ବକ୍ତବ୍ୟର ଅର୍ଥ ବୁଝି ହୋଇଥାଏ, ଯହିଁରେ ସେ କହିଥିଲେ ଯେ ‘ମନୁଷ୍ୟ ବିଧ୍ବସ୍ତ ହୋଇଯାଇପାରେ, କିନ୍ତୁ ସେ ପରାହତ ହେବ ନାହିଁ।’

ସାଧାରଣ ଭାବେ ଆମେ ଭାବିଥାଉଁ ଯେ ସୁଖର ଅର୍ଥ ସ୍ବାଚ୍ଛନ୍ଦ୍ୟଭରା ବିଳାସପୂର୍ଣ୍ଣ ଜୀବନ। କିନ୍ତୁ ତାହା ଠିକ ନୁହେଁ। ମଣିଷ ସୁଖୀ ହୁଏ, ଯେତେବେଳେ ସେ ନିଜକୁ ଆବିଷ୍କାର କରିପାରେ। ନିଜର ସାମର୍ଥ୍ୟ ଅତିକ୍ରମୀ ସାହସ ଓ ଶକ୍ତି ଦ୍ବାରା ପ୍ରତିକୂଳତାର ସାମନା କରିପାରେ।

ଦ୍ବିତୀୟ ସନ୍ଦେଶଟି ହେଉଛି ମଣିଷ ତା’ର ବୁଦ୍ଧି, ବିବେକ ଏବ˚ ବିଜ୍ଞତାର ଉପଯୋଗ କରି ସଫଳତା ଲାଭ କରିବା ଆବଶ୍ୟକ। କହିବା ବାହୁଲ୍ୟ ଯେ ସଫଳତା ଲାଭ କରିବା ହେଉଛି ଖୁସି ବା ଆନନ୍ଦିତ ହେବାର ଏକ ମୁଖ୍ୟ ଉପାଦାନ। କିନ୍ତୁ ଅସମ୍ଭବକୁ ସମ୍ଭବ କରିବାର ଉଦ୍ୟମ ଅନେକଙ୍କ ଲାଗି କେବଳ ବିଫଳତା ଓ ହତାଶା ଆଣିଦିଏ। ତେଣୁ ବୁଦ୍ଧି, ବିବେକ ଓ ବିଜ୍ଞତାର ଉପଯୋଗ କରି ବାସ୍ତବବାଦୀ ଲକ୍ଷ୍ୟ ଧାର୍ଯ୍ୟ କରିବା ଓ ତହିଁରେ ସଫଳ ହୋଇ ଖୁସି ଲାଭ କରିବା ହେଉଛି ଗୁରୁତ୍ବପୂର୍ଣ୍ଣ। ମଣିଷ ସର୍ବଦା ଖୁସିରେ ଜୀବନ ଅତିବାହିତ କରିବାକୁ ଚାହିଁଥାଏ। କିନ୍ତୁ ଏହି ପ୍ରକରଣରେ ନିହିତ ବିଡ଼ମ୍ବନାଟି ହେଉଛି ସୁଖ ପାଇବା ଲାଗି ସୁଖ ପଛରେ ଧାଇଁବାର ପ୍ରବଣତା, ଯାହା ଦୁଃଖର ମୁଖ୍ୟ କାରଣ ହୋଇପଡ଼େ। ତେଣୁ, ଦୁରନ୍ତ ସ୍ବପ୍ନ ପଛରେ ଅନୁଧାବନ କରୁଥିବା ବ୍ୟକ୍ତିମାନେ ପରିଶେଷରେ ହତାଶ ଓ ଦୁଃଖୀ ହିଁ ହୁଅନ୍ତି।

ତେବେ, ଏହା ମଧ୍ୟ ସତ୍ୟ ଯେ ଅନେକ ସମୟରେ ଯାତ୍ରା ଏଭଳି ଆନନ୍ଦପ୍ରଦାୟୀ ଏବଂ ସମ୍ମୋହକ ହୋଇଥାଏ ଯେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଉପଲବ୍‌ଧି ଗୌଣ ହୋଇଯାଏ। ସେଥି ଲାଗି କୁହାଯାଏ ଯେ ଯଦି ଜଣେ ବ୍ୟକ୍ତି ସେ କରୁଥିବା କାର୍ଯ୍ୟରୁ ସୁଖ ଲାଭ କରୁଥାଏ, ତେବେ ସେ ତା’ର କାର୍ଯ୍ୟରେ କେତେ ସଫଳ ବା ବିଫଳ ହୁଏ; ତାହା ଗୌଣ ହୋଇଯାଏ। ବିଶିଷ୍ଟ ଚିତ୍ରକର ଭାନଗୋଗ ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟ ଦେଇ ଗତି କରୁଥିଲେ ସୁଦ୍ଧା କୌଣସି କଳାକୃତିକୁ ବିକ୍ରି କରୁ ନ ଥିଲେ। ଏଭଳି ସ୍ଥଳେ ଭାନଗୋଗଙ୍କ ପୃଷ୍ଠପୋଷକତା କରୁଥିବା ତାଙ୍କ ଭାଇ ଯେତେବେଳେ ପ୍ରଶ୍ନ କରିଥିଲେ ଯେ ସେ କ’ଣ ଅନ୍ୟ ଚିତ୍ରକରମାନଙ୍କ ଭଳି କିଛି କଳାକୃତି ବିକ୍ରି କରି ଅର୍ଥ ବା ସୁନାମ ଅର୍ଜନ କରିବାକୁ ଚାହାନ୍ତି ନାହିଁ? ଉତ୍ତରରେ ଭାନଗୋଗ କହିଥିଲେ ଯେ ସବୁ ଆନନ୍ଦ ତ ଚିତ୍ର କଲା ବେଳେ ମିଳିଯାଉଛି। ଆଉ କେଉଁ ଆନନ୍ଦ ଲୋଡ଼ା?

ଏବେ ତୃତୀୟ ସନ୍ଦେଶଟି ହେଲା ମନରେ ଦୟା ବା କରୁଣା ଭାବ ବହନ କରିବା। ଏ କଥା ଅନେକ ପାଠକପାଠିକା ନିଜ ଜୀବନରେ ମଧ୍ୟ ଅନୁଭବ କରିପାରିଥିବେ। ଅନ୍ୟର ଦୁଃଖରେ ଦୁଃଖୀ ହେବା ଏବ˚ ସମବେଦନା ଜଣାଇବା ହେଉଛି ସେବା ମନବୃତ୍ତିର ପରିଚାୟକ। ଏହା କାହାରି ନିର୍ଦ୍ଦେଶ କିମ୍ବା ଇଙ୍ଗିତରେ ହୋଇନଥାଏ କିମ୍ବା ଏହା ପଛରେ କୌଣସି ବାଧ୍ୟବାଧକତା ମଧ୍ୟ ନ ଥାଏ। ପ୍ରକୃତ ସେବା ଭାବ ଶ୍ରଦ୍ଧା ଓ କରୁଣାରୁ ଉତ୍ପନ୍ନ ହୋଇଥାଏ। ଏହା ଦ୍ବାରା ମନୁଷ୍ୟ ଲାଭ କରୁଥିବା ସନ୍ତୋ‌ଷ ହିଁ ତାକୁ ଏକ ଅନିର୍ବଚନୀୟ ପରିପୂର୍ଣ୍ଣତାର ବୋଧ ଦେଇଥାଏ। ଆମେ ସମସ୍ତେ ଜାଣୁ ଯେ ନିଃସଙ୍ଗତା ହେଉଛି ଏକ ଅଭିଶାପ। ଯେଉଁ ବ୍ୟକ୍ତି ଅନୁକମ୍ପାରେ ଭରା, ସହାନୁଭୂତିରେ ଆପ୍ଳୁତ ଏବଂ ସ୍ବଭାବଗତ ଭାବେ କ୍ଷମା ଭାବର ଅଧିକାରୀ; ସେ କଦାପି ନିଃସଙ୍ଗ ହୋଇ ନ ଥାଏ। ସ୍ନେହ, ଶ୍ରଦ୍ଧା ଓ ସକାରାତ୍ମକତା ଉପରେ ଆଧାରିତ ତା’ ଜୀବନ ଦ୍ବାରା ଯେଉଁ ସଂପର୍କମାନ ସୃଷ୍ଟି ହୋଇଥାଏ, ତାହା ତାକୁ ନିରନ୍ତର ଆନନ୍ଦ ଲାଭ କରିବାରେ ସାହାଯ୍ୟ କରିଥାଏ।

ମୋ: ୮୨୪୯୬୨୬୭୮୫

ସମ୍ବନ୍ଧିତ ଖବର