ଗଣତନ୍ତ୍ରର ଯୁଦ୍ଧାସ୍ତ୍ର

କହିବାର ଅଛି - ଦାଶ ବେନହୁର

ପ୍ରତ୍ୟେକ କଥାର ଭଲ ମନ୍ଦ ଅଛି। ଯାହା ଆଜି ଭଲ ଅଛି କାଲିକି ତାହା ମନ୍ଦ ହୋଇପାରେ ଏବଂ ଆଜି ଯାହା ଚଳମାନ ଅଛି କାଲିକି ଯେ ତାହା ଅଚଳ ନ ହେବ ସେ କଥା କେହି କହି ପାରିବେ ନାହିଁ। ଏ ତତ୍ତ୍ବ ଜୀବନ ପାଇଁ ଯେମିତି ସତ୍ୟ, ବ୍ୟବସ୍ଥା ପାଇଁ ମଧ୍ୟ ଅନୁରୂପ ଭାବେ ସତ୍ୟ। ସେଥିପାଇଁ ଜୀବନର ଅନ୍ୟ ନାମ ସଂଘର୍ଷ ବୋଲି ମନ୍ତବ୍ୟ ଦିଆଯାଏ।

ପ୍ରାଣୀଟିଏ ବଞ୍ଚିବା ଲାଗି ଅହରହ ସଂଘର୍ଷ କରେ। ବ୍ୟବସ୍ଥାଟିଏ ସୁସଂହତ ରହିବା ଲାଗି ମଧ୍ୟ ଲଢ଼େଇରେ ବ୍ୟାପ୍ଳୁତ ରହେ। ଆମେ ଭାବୁ ଜନ୍ମ ମାତ୍ରେ ଜୀବନ ସ୍ବାଭାବିକ ମାତ୍ର ଏ ସ୍ବାଭାବିକତା ଏକ ଲଢ଼େଇର ପ୍ରତିଫଳନ ମାତ୍ର। ହେଲେ ଅଦେହୀମାନଙ୍କ ସହ ଅହରହ ଲଢ଼େଇ କଲେ ଯାଇ ଦେହ ସୁସ୍ଥ ରହେ। ଦେହ ଯେ ବଞ୍ଚିଛି ତାହା ତା’ର ପ୍ରତିରୋଧକ କ୍ଷମତା ଲାଗି। ଯେଉଁ ଶରୀରର ପ୍ରତିରୋଧକ କ୍ଷମତା ନାହିଁ ସେ ସହଜରେ ମୃତ୍ୟୁ ମୁଖରେ ପଡ଼େ।

ଏ ବିଚାର ଶାସନ କ୍ଷେତ୍ରରେ ମଧ୍ୟ ଷୋଳପଣ ସତ। ଶାସନ ଏକ ଦେହ। ଦେହକୁ ସୁସ୍ଥ ରଖିବା ସକାଶେ ଯେମିତି ଖାଦ୍ୟ, ପେୟ ଓ ପ୍ରତିରୋଧକ ଶକ୍ତିର ଆବଶ୍ୟକ ପଡ଼େ ସେମିତି ଯେ କୌଣସି ଶାସନବ୍ୟବସ୍ଥାକୁ ସ୍ବାସ୍ଥ୍ୟପୂର୍ଣ୍ଣ ରଖିବା ନିମନ୍ତେ ତାହାକୁ ଆନୁଷଙ୍ଗିକ ଯୁଦ୍ଧାସ୍ତ୍ରରେ ସଜେଇ ରଖିବାକୁ ‌ହୁଏ। ଏହି ଯୁଦ୍ଧାସ୍ତ୍ରର ସବଳ ଉପସ୍ଥିତି ହିଁ ଅନେକ ସମୟରେ ଯୁଦ୍ଧ ବା ସଂଘର୍ଷକୁ ନିୟନ୍ତ୍ରିତ କରି ରଖେ। ଯୁଦ୍ଧାସ୍ତ୍ର ନ ଥାଇ କେଉଁ ଲଢ଼େଇ?

ଗଣତନ୍ତ୍ର ଏକ ଚଳମାନ ବ୍ୟବସ୍ଥା ଯାହା ସଂପ୍ରତି ଆମ ଲାଗି ଏକ ଦେହ ଭଳି କାମ କରୁଛି। ରକ୍ତ, ମାଂସ, ହାଡ଼ର ଶରୀର ସୁସ୍ଥ ଥିଲେ ଆମେ ଯେମିତି ସୁଖୀ ଓ କାର୍ଯ୍ୟକ୍ଷମ ରହୁ ସେମିତି ଏ ଶାସନିକ ବ୍ୟବସ୍ଥା ସୁସ୍ଥ ରହିଲେ ହିଁ ଦେଶ ଓ ଦଶ ସୁଖୀ ରହିବା ସହ ପ୍ରଗତି ପଥରେ ଆଗେଇ ଯାଇ ପାରିବ।

ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଷୟ ଏଠାରେ ବେଶ୍ ପ୍ରଣିଧାନଯୋଗ୍ୟ। ଆମେ ଯେ ଆଦ୍ୟକାଳରେ ଜଙ୍ଗଲ-ଜୀବନ ଯାପନ କରୁଥିଲୁ ସେଥିରୁ ସଭ୍ୟଜୀବନକୁ ଆସିଲୁ କେମିତି? ତା’ର ମୂଳକଥା ହେଲା ‌ଲଢ଼େଇରେ ଜଙ୍ଗଲଜୀବନ ହାରିଲାରୁ ସଭ୍ୟଜୀବନ ଆସିଲା। ସେମିତି ହଜାର ହଜାର ବର୍ଷର ରାଜତନ୍ତ୍ର ବ୍ୟବସ୍ଥା ଆଜି ଆଉ ନାହିଁ କାହିଁକି? କାରଣ ରାଜତନ୍ତ୍ରର ଯେ ଶରୀର ତାହା ଜୀବନ ଲଢ଼େଇରେ ହାରିଯାଇ ଆପେ ନିଶ୍ଚିହ୍ନ ହୋଇଗଲା। ବାଟ ଛାଡ଼ିଦେଲା ଗଣତନ୍ତ୍ରକୁ। ଜଙ୍ଗଲଜୀବନରୁ ସଭ୍ୟଜୀବନ ଓ ରାଜତନ୍ତ୍ରରୁ ଗଣତନ୍ତ୍ରର ଯେଉଁ ଉଦାହରଣ ଏଥି‌େର ଉତ୍ତରଣର ଚିତ୍ର ଅଛି। ମାତ୍ର ଯେତେବେଳେ ଅବତରଣ ଘଟେ? ଦେବତ୍ବର ମୃତ୍ୟୁରେ ଅସୁରତ୍ବ ଆସେ? ଗଣତନ୍ତ୍ର ଆପଣାର ଦେହରକ୍ଷା କରି ନ ପାରିଲେ ଯେତେବେଳେ ସାମରିକତନ୍ତ୍ର, ଗୁଣ୍ଡାତନ୍ତ୍ର ଓ ଫାସିବାଦୀତନ୍ତ୍ରର ଅନୁପ୍ରବେଶ ଘଟେ?

ଆମେ ସମସ୍ତେ ଚାହୁଁ ଅଭଲରୁ ଭଲକୁ ଯିବୁ, ସେଥିରୁ ପୁଣି ଭଲରୁ ଆହୁରି ଭଲକୁ ଉଠିବୁ। ଏ କଥା ଅନସ୍ବୀକାର୍ଯ୍ୟ ଯେ ରାଜତନ୍ତ୍ରରୁ ଗଣତନ୍ତ୍ର ଏକ ଉତ୍ତରଣ ନିଶ୍ଚୟ। ହେଲେ ଏ ଗଣତନ୍ତ୍ର ଭଲ ରହିବ କେମିତି? କେଉଁ ଶରୀର କ’ଣ ଆପେ ଭଲ ରହେ? ଭଲର ଅର୍ଥ ନିରାମୟ ଚଳମାନତା। ବ୍ୟବସ୍ଥା ଠିକ୍ ଥିବା ଦରକାର, ଚଳମାନ ରହିବା ଆବଶ୍ୟକ। ସେଇଥିଲାଗି ତ ଦେହ ସକାଶେ ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା ଉପରେ ଏତେ ଧ୍ୟାନ ଦିଆଯାଉଛି! ଦେଶ କେବଳ ନିଜକୁ ସୁରକ୍ଷିତ ରଖିବା ପାଇଁ ଯୁଦ୍ଧାସ୍ତ୍ରର ଆବଶ୍ୟକତା ରଖେ ନାହିଁ, ପ୍ରତିଟି ଦେହ ବି ଯୁଦ୍ଧାସ୍ତ୍ର ଆବଶ୍ୟକ କରେ। ଖାଦ୍ୟ, ବ୍ୟାୟାମ ଓ ପରିଚ୍ଛନ୍ନତା ପ୍ରକୃତରେ ଶରୀରର ଯୁଦ୍ଧାସ୍ତ୍ର। ଏହାକୁ ଧରି ସେ ଆପଣା ଲାଗି ଲଢ଼େଇ ଜାରି ରଖିଥାଏ।

ପୂର୍ବରୁ କହିଲା ଭଳି ଗଣତନ୍ତ୍ର ଗୋଟାଏ ଜୀବନ୍ତ ଓ ଚଳମାନ ଦେହ। ଏହାକୁ ସୁସ୍ଥ ଓ ସୁରକ୍ଷିତ ରଖିବା ନିମନ୍ତେ ଯୁଦ୍ଧାସ୍ତ୍ରର ଆବଶ୍ୟକ। କ’ଣ ସବୁ ଗଣତନ୍ତ୍ରର ଯୁଦ୍ଧାସ୍ତ୍ର? କାହାକୁ ଧରି ଗଣତନ୍ତ୍ର ବଞ୍ଚିରହିବା ସକାଶେ ଲଢ଼େଇ କରେ? କିଏ ଏ ବ୍ୟବସ୍ଥାର ଯୋଦ୍ଧା?

ଯୁଦ୍ଧାସ୍ତ୍ର କେଉଁଠି ଅ‌ାପେ ଯୁଦ୍ଧ କରେ ନାହିଁ। ସେଥିପାଇଁ ଯୋଦ୍ଧା ଆବଶ୍ୟକ। ସୈନ୍ୟସାମନ୍ତ ନ ଥାଇ କେଉଁ ଲଢ଼େଇ କେଉଁଠି ହେଲାଣି? ଏଇଠି ମନେ ରଖିବା ଦରକାର ଯେ ଏ ଲଢ଼େଇ ଆଧୁନିକ ଯୁଗରେ ପ୍ରତ୍ୟକ୍ଷ ଯେତିକି, ପରୋକ୍ଷ ତା’ଠାରୁ ଢେର୍ ଅଧିକ। ସାରା ବିଶ୍ବରେ ଏହି ସୈନ୍ୟସାମନ୍ତ ବଦଳିବାର ରୂପରେଖ ସୁସ୍ପଷ୍ଟ। ଯେତେ‌ ଯେତେ ଅାତଙ୍କବାଦୀ ସଂଗଠନ, ସେ ସମସ୍ତ ଭିନ୍ନ ପ୍ରକାର ଲଢ଼େଇର ବିବର୍ତ୍ତିତ ସୈନ୍ୟସାମନ୍ତ। ରାଷ୍ଟ୍ରମାନେ ସୁରକ୍ଷା ପାଇଁ ସୈନ୍ୟସାମନ୍ତ ପାଳିବା ଓ ଯୁଦ୍ଧାସ୍ତ୍ରରେ ନିଜକୁ ସଜାଇବା ଭଳି ଏବେ ଦେଶ ଦେଶରେ ଅାପଣା ଉଦ୍ଦେଶ୍ୟ ଓ ପ୍ରତିପତ୍ତି ପାଇଁ ଆତଙ୍କବାଦୀଙ୍କୁ ବି ପାଳୁଛନ୍ତି ସେମାନେ। ଅନ୍ୟକୁ ଦୁର୍ବଳ କରି ରଖିଲେ ସେମାନେ ସବଳ ରହିବେ ବୋଲି ବିଚାର କରୁଛନ୍ତି।

ଏ ପରିପ୍ରେକ୍ଷୀରେ ଗଣତନ୍ତ୍ରର ବିଚାରକୁ ଫେରିବା ଦରକାର।

ଏବେ ଓଡ଼ିଶାରେ ଗଣତନ୍ତ୍ରର ଶରୀରଟି ସମସ୍ତଙ୍କୁ ଜଳଜଳ ହୋଇ ଦିଶୁଛି। ନିକଟରେ ଯାଇଛି ପଞ୍ଚାୟତ ନିର୍ବାଚନ। ଗଣତନ୍ତ୍ରର ଅସଲ ଲଢ଼େଇ କ୍ଷେତ୍ର ଏଇ ନିର୍ବାଚନ। ନିର୍ବାଚନ-ଲଢ଼େଇ ନାହିଁ ତ ଗଣତନ୍ତ୍ର ନାହିଁ। ସାରା ଓଡ଼ିଶା ଉଠିଲା ପଡ଼ିଲା ଏ ଲଢ଼େଇରେ। ତା’ ପରେ ଏବେ ପୌର ନିର୍ବାଚନ। ଏ ଲ‌େଢ଼ଇ ଓଡ଼ିଶାର ସମସ୍ତ ପୌରାଞ୍ଚଳକୁ କବଳିତ କରି ରଖିଛି। ଲୋକେ ଭାବୁଥିବେ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ଲଢ଼େଇ କରୁଛନ୍ତି। ହେଲେ ସେମାନେ ପ୍ରକୃତ ଯୋଦ୍ଧା ନୁହନ୍ତି କି ସେମାନଙ୍କ ହାତରେ ଯୁଦ୍ଧାସ୍ତ୍ର-ସମୂହ ନାହିଁ। ଏ ଲଢ଼େଇ ପ୍ରକୃତରେ ଗଣତନ୍ତ୍ରର। ଆମେ ଦେଖିବା କଥା ଏଥିରେ ଗଣତନ୍ତ୍ରର ଶରୀରଟି କେତେ ସୁସ୍ଥ ରହୁଛି ବା ବିପନ୍ନ ହେଉଛି। ଭୂତାଣୁ ଆସି ଅଦୃଶ୍ୟରେ ଯଦି ପ୍ରବେଶ କଲା ତେବେ ସରିଲା କଥା। ଥରେ ଗଣତନ୍ତ୍ରର ନାକରେ ଭେଣ୍ଟିଲେଟର୍ ଲାଗିଲେ ଆଉ ପୂର୍ବାବସ୍ଥାକୁ ଫେରିବା ଦୁରୂହ। ଖାସ୍ ସେଇଥିପାଇଁ ଏ ଯୁଦ୍ଧ, ଯୁଦ୍ଧାସ୍ତ୍ର ସମ୍ପର୍କିତ ଆଲୋଚନା।

ଗଣତନ୍ତ୍ରର ଅସଲ ଯୋଦ୍ଧା ହେଉଛନ୍ତି ଏହାର ଭୋଟର୍ ବା ମତଦାତା। ଯୁଦ୍ଧାସ୍ତ୍ର ହେଉଛି ସେମାନଙ୍କର ଭୋଟ୍। ଯୁଦ୍ଧରେ ଯୁଦ୍ଧାସ୍ତ୍ର ଯୋଦ୍ଧାକୁ ଜିଣେଇଲା ଭଳି ନିର୍ବାଚନ ପଡ଼ିଆରେ ପ୍ରାର୍ଥୀମାନଙ୍କ ହାର ଜିତ୍ ଅପେକ୍ଷା ଗଣତନ୍ତ୍ରର ହାର ଜିତ୍ ଜଣାପଡ଼େ ଏହାର ଯୁଦ୍ଧାସ୍ତ୍ର ପ୍ରୟୋଗ ମାଧ୍ୟମରେ।

ଏବେ ଯେ କୌଣସି ସାଧାରଣ ବ୍ୟକ୍ତି ଏ ସମସ୍ତ କଥା ସମ୍ପର୍କରେ ସଚେତନ ନିଶ୍ଚୟ। ସମୟ ଥିଲା ଯେତେବେଳେ ଦେଶ ସ୍ବାଧୀନ ହେଲା, ଗଣତନ୍ତ୍ର ଆସିଲା ସେତେବେଳେ ଲୋକେ ଏହି ଯୁଦ୍ଧାସ୍ତ୍ରଟି ସମ୍ପର୍କରେ ସଚେତନ ନ ଥିଲେ। ଆଜି ତ ସେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଦ‌ିନେ କେବଳ ନିର୍ଦ୍ଦିଷ୍ଟ ପରିମାଣର କର ଦେଇପାରୁଥିବା ବ୍ୟକ୍ତିମାନେ ହିଁ ଭୋଟ୍ ଅଧିକାର ପାଇଥିଲେ! ଆର୍ମିରେ ବିଭିନ୍ନ ରେଜିମେଣ୍ଟ୍ ଭଳି, ଭୋଟର୍‌ମାନଙ୍କୁ ମଧ୍ୟ ସମ୍ପ୍ରଦାୟ ଭିତ୍ତିରେ ବିଭାଜିତ କରାଯାଉଥିଲା। ସମାଜର ଅର୍ଦ୍ଧାଂଶ ନାରୀ ହେଲେ ମଧ୍ୟ ସେମାନଙ୍କର ଭୋଟ୍ ଅଧିକାର ନ ଥିଲା। ଯଥେଷ୍ଟ ଯୋଦ୍ଧା ନ ଥିଲେ କି ସମାଜ ଯୁଦ୍ଧାସ୍ତ୍ରରେ ସଜ୍ଜିତ ନ ଥିଲା। ସେଥିରେ ଅବା କି ଗଣତନ୍ତ୍ର?
ହେଲେ ଆଜି?

ଆଜି ଆମ ଦେଶରେ ପ୍ରତ୍ୟେକ ସାବାଳକ ଜଣେ ଯୋଦ୍ଧା। ଦେଶ ଠିକ୍ କରିଛି, ଅଠର ବର୍ଷ ହୋଇଗଲେ ସେ ପୁରୁଷ ହେଉ କି ନାରୀ ତା’ ହାତରେ ଯୁଦ୍ଧାସ୍ତ୍ରଟିଏ ସମର୍ପି ଦିଆଯିବ।

ମନେ ରଖିବା ଆବଶ୍ୟକ, ପିଲା ହାତରେ ପିସ୍ତଲ୍ ଦେଲା ଭଳି ଅଯୋଗ୍ୟ ହାତରେ ଯୁଦ୍ଧାସ୍ତ୍ର ଠାରୁ ବଳି ବିପଜ୍ଜନକ ପରିସ୍ଥିତି ଆଉ କିଛି ନାହିଁ। ଅତଏବ ଆମେ ଯେ ନିଜକୁ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର କହି ଆନନ୍ଦିତ ହେଉଛୁ, ସତରେ କ’ଣ ଆମ ଗଣତନ୍ତ୍ର ସୁରକ୍ଷିତ? ଆମ ଯୋଦ୍ଧାମାନେ ଯୁଦ୍ଧାସ୍ତ୍ରର ପ୍ରୟୋଗ ବିଷୟରେ ସଚେତନ ଓ ସମର୍ଥ?
ପ୍ରତିଦିନ ଖବରକାଗଜରେ, ଗଣମାଧ୍ୟମରେ ଏହି ଯୁଦ୍ଧାସ୍ତ୍ର କିଣାବିକାର ବିବରଣୀ ପ୍ରକାଶ ପାଉଛି। କେତେଜଣ ତ ଉପହାର ଦେଇ କବଚ କୁଣ୍ଡଳ ହାତେଇ ନେବାକୁ ପ୍ରସ୍ତୁତ। ଏହାକୁ ହସକଥା ମନେକରି ବୁଦ୍ଧିଜୀବୀମାନେ ବି ଖବରକାଗଜରେ ଟିପ୍ପଣୀ ଦେଇ ନିର୍ମଳ ହସ ହସୁଛନ୍ତି। ଗଣତନ୍ତ୍ରର ଯୁଦ୍ଧାସ୍ତ୍ରଗୁଡ଼ିକ ଅକାମୀ ହୋଇଗଲେ ସତେ ଯେମିତି ସେମାନଙ୍କର କିଛି ହରେଇବାର ନାହିଁ। ସେମାନେ ଯେମିତି ଆଉ କେଉଁ ଦେଶର ବା ଆଉ କେଉଁ ସଂସାରର! ଆମ ଦେଶର ଅଧିକାଂଶ ଶିକ୍ଷିତ ଲୋକ ଭୋଟ ଦିଅନ୍ତି ନାହିଁ। ବିଶେଷକରି ସରକାରୀ ଚାକିରିରେ ବଡ଼ ବଡ଼ ପଦ ପଦବି ଅଧିକାର କରିଥିବା ଲୋକେ ଏ ଯୁଦ୍ଧାସ୍ତ୍ର ହାତରେ ଧରିବାକୁ ଅପମାନଜନକ ମନେକରନ୍ତି। ଶିକ୍ଷିତମାନେ ହିଁ ଗଣତନ୍ତ୍ରର ଅସଲ ଯୋଦ୍ଧା ହେବା ଉଚିତ। ମାତ୍ର ଯୁଦ୍ଧ ପଡ଼ିଆରେ ସେମାନଙ୍କ ସ୍ଥିତି ଆଜି ନଗଣ୍ୟ।

ଗଣତନ୍ତ୍ର ଠାରୁ ଦେଶ ପୁରୁଣା। ଗଣତନ୍ତ୍ର ଦେଉଳ ହେଲେ ପୂଜାଯୋଗ୍ୟ ଦେବମୂର୍ତ୍ତି ହେଉଛି ଏ ଦେଶ, ଏ ରାଷ୍ଟ୍ର। ଦେଉଳ ଭାଙ୍ଗିଦେଲେ ଦେବମୂର୍ତ୍ତି ବି ରହିବ ନାହିଁ। ଈଶ୍ବର ସର୍ବବ୍ୟାପୀ। ରାଷ୍ଟ୍ର-ଈଶ୍ବର ବି ଆମ ମନ ଓ ଚେତନାରେ ସର୍ବବ୍ୟାପକ ମୂର୍ଦ୍ଧନ୍ୟ ଶକ୍ତି ହେବା ଆବଶ୍ୟକ। ଯେ ଭୋଟ୍‌ ଦିଏ ନାହିଁ ସେ ନିର୍ବାଚନ ପ୍ରତି ଅବିଶ୍ବାସୀ। ଯେ ନିର୍ବାଚନ ପ୍ରତି ଅବିଶ୍ବାସୀ ସେ ଗଣତନ୍ତ୍ରରେ ଆସ୍ଥା ‌ରଖେନାହିଁ ବୋଲି ବୁଝିବାକୁ ହେବ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଯିଏ ଗଣତନ୍ତ୍ର ପ୍ରତି ଆସ୍ଥାଭାଜନ ନୁହେଁ ସେ ଯେ ରାଷ୍ଟ୍ରଦ୍ରୋହୀ ଏ କଥା ବୁଝାଇ କହିବା ଅନାବଶ୍ୟକ।

ଯୁଦ୍ଧାସ୍ତ୍ରର ଅପ‌ପ୍ରୟୋଗ ବା ପଇସା ନେଇ ନିଜ ଭୋଟ୍‌ଟିକୁ ବିକିଦେବା ଯେମିତି ଗର୍ହିତ, ତା’ଠାରୁ ଅଧିକ ଗର୍ହିତ ହେଉଛି ଭୋଟ୍ ନ ଦେବା। ଦେଶରେ ଆୟ ବହିର୍ଭୂତ ସମ୍ପତ୍ତିର ଆକଳନ ହେଉଛି। ଭଲ କଥା। ଆଉ ଏ ଯେଉଁ ଭୋଟ୍ ବିବର୍ଜନକାରୀ ନାଗରିକ ସମାଜ? ଭୋଟ୍ ନ ଦେଲେ କେଉଁ ବାସନ୍ଦ, ବାରଣ ବା ଦଣ୍ଡ ଅଛି ସେମାନଙ୍କ ଲାଗି? ଭୋଟର୍ ତାଲିକାରେ ନାଁ ନ ଉଠିବା କଥାର ସମାଧାନ କିଏ କରିବ? ନ କାନ୍ଦିଲେ ମା’ କ୍ଷୀର ଦିଏନି। ‘‘ମୋ ନାମ ଭୋଟର ତାଲିକାରେ କାହିଁକି ନାହିଁ’’ ବୋଲି ଦାବି କରି ସରକାରଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭଳି ନିୟମ ରହିବା ଆବଶ୍ୟକ। ସେହିଭଳି ଭୋଟ୍ ଦେଉନଥିବା ବ୍ୟକ୍ତିଙ୍କ ଦରମା, ସାମାଜିକ ସୁବିଧା ବା ସବ୍‌ସିଡିରେ ଅଙ୍କୁଶ ଲଗାଇବା ଦରକାର।

ଫୁଲକୁଣ୍ଡରେ ପାଣି ନ ଦେଲେ ଗଛ ବଞ୍ଚିବ କେମିତି, ଫୁଲ ଫୁଟିବ କେମିତି? ଗଣତନ୍ତ୍ର ଆମର ଫୁଲଗଛ। ଏ ନିର୍ବାଚନ ତା’ର କୁଣ୍ଡ। ଗୋଟିଏ ଗୋଟିଏ ଭୋଟ୍ ଟୋପେ ଟୋପେ ପାଣି। ବାବୁଭାୟାମାନେ ଫୁଲ ଚାହାନ୍ତି ଅଥଚ ପାଣିଟୋପେ ଦେବେନି। ଏ କେମିତି କଥା?

ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଥିଲା ଲିଖିତ ସମ୍ବିଧାନ ଆଧାରରେ, ସ୍ବାଧୀନତା ପାଇବାର କିଛିବର୍ଷ ପରେ। ସମ୍ବିଧାନ ପ୍ରଣୟନକାରୀମାନେ ନାଗରିକଙ୍କୁ ‘‘ଅଧିକାର’’ ଦେବା ପାଇଁ ସେତେବେଳେ ବ୍ୟସ୍ତ ହୋଇପଡ଼ିଲେ। ହେଲେ କାହାରି ମନକୁ ‘‘ଦାୟିତ୍ବ’’ ଦେବା କଥା ଆସିଲା ନାହିଁ। ଏ ଦାୟିତ୍ବର ଖସଡ଼ା ଯୋଡ଼ାଗଲା ଅନେକ ପରେ। ସେଥିରେ କେତେ କଥା ରହିଲା। ଯେଉଁ ଆଦର୍ଶ ଆଧାରରେ ଆମେ ସ୍ବାଧୀନତା ପାଇଛେ ତା’ର ରକ୍ଷଣାବେକ୍ଷଣ କରିବାର ଦାୟିତ୍ବ କଥା କୁହାଗଲା। ହେଲେ କେହି କହିଲେ ନାହିଁ ସେ ଆଦର୍ଶଟି କ’ଣ? ବିଡ଼ମ୍ବନାର କଥା ହେଲା ଗଣତନ୍ତ୍ର‌େର ସବୁଠାରୁ ବଡ଼ ଦାୟିତ୍ବ ହେଲା ନିର୍ବାଚନରେ ଭୋଟ୍ ଦେବା। ନିର୍ବାଚନ ରଣାଙ୍ଗନରେ ଠିଆ ହୋଇ ଆପଣା ଯୁଦ୍ଧାସ୍ତ୍ରଟିର ଠିକ୍ ପ୍ରୟୋଗ କରିବା। ମାତ୍ର ତାହା ମୌଳିକ ଦାୟିତ୍ବରେ ଗଣାଗଲା ନାହିଁ। କାହାକୁ କହିବା?

କହିବାର ଅଛି, ଆଜି ଏ ଦେଶରେ ସଂଖ୍ୟାଧିକ ଲୋକ ଛାତିରେ ହାତ ଦେଇ କହିପାରିବେ କି ଯେ ଭାରତୀୟ ଗଣତନ୍ତ୍ର ଯେଉଁ ଯୁଦ୍ଧାସ୍ତ୍ରଟି ତା’ଙ୍କ ହାତରେ ଦେଇଛି, ସେମାନେ ତା’ର ଉଚିତ ଉପଯୋଗ କରିଛନ୍ତି!

ଯୁଦ୍ଧ ଦରକାର। ଗଣତନ୍ତ୍ରର ସୁରକ୍ଷା ପାଇଁ ଯୁଦ୍ଧାସ୍ତ୍ରର ପ୍ରୟୋଗ ଠିକ୍ ଭାବରେ ନ ହେଲେ ତା’ର ମୃତ୍ୟୁ ସୁନିଶ୍ଚିତ।

[email protected]

ସମ୍ବନ୍ଧିତ ଖବର