ଓଡ଼ିଶାର ସଦ୍ୟ ସମାପ୍ତ ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନ ତଥା ଅଧିସୂଚିତ ମ୍ୟୁନିସିପାଲିଟି ନିର୍ବାଚନର ଉଷ୍ମତା ତୁଳନାରେ ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ତାତି ଯେ ଅଧିକ, ଏଥିରେ ସନ୍ଦେହ ନାହିଁ। ବିଧାନସଭା ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ଯୋଗୁଁ ଜିଲ୍ଲାପରିଷଦ ନିର୍ବାଚନରେ ବିଜେଡିର ଐତିହାସିକ ସଫଳତାର ଚର୍ଚ୍ଚା ଗଣମାଧ୍ୟମ ଏବଂ ସର୍ବସାଧାରଣରେ ଗୌଣ ହୋଇଗଲା। ଏ ବର୍ଷର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ୨୦୨୪ ଲୋକସଭା ନିର୍ବାଚନର ସେମିଫାଇନାଲ ବୋଲି ଅନେକେ ବିବେଚନା କରୁଥିଲେ। ତୃଣମୂଳ ସ୍ତରରେ ସାଧାରଣ ନାଗରିକଙ୍କ ଅସହାୟତା, କରୋନା ମହାମାରୀର କୁପରିଚାଳନା, କୃଷକ ଆନ୍ଦୋଳନ, ଦରଦାମ ବୃଦ୍ଧି, ଉତ୍କଟ ବେରୋଜଗାରି ଓ ଧର୍ମୀୟ ଧ୍ରୁବୀକରଣ ଭଳି ସାଂଘାତିକ ଆର୍ଥିକ ଓ ସାମାଜିକ ଦୁଃସ୍ଥିତି ସତ୍ତ୍ୱେ କ୍ଷମତାସୀନ ବିଜେପି ଏହି ନିର୍ବାଚନରେ ଆଶାତୀତ ସଫଳତା ପାଇଛି। ପୂର୍ବରୁ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ଓ ଏବେ ପଞ୍ଜାବରେ ଲୋକମତ ବିଜେପି ବିପକ୍ଷରେ ଯାଇଥିଲେ ମଧ୍ୟ, ୟୁପି, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତା ହାସଲ କରିବା ଅନେକ ଅଭିଜ୍ଞ ନିର୍ବାଚନ ଭାଷ୍ୟକାରଙ୍କୁ ମଧ୍ୟ ଚକିତ କରିଛି।

Advertisment

ଉତ୍ତରପ୍ରଦେଶ ପରିପ୍ରେକ୍ଷୀରେ ମୋଦୀ-ଯୋଗୀ ଯୋଡ଼ିର ସଫଳତାର ଯେତେ ଚର୍ଚ୍ଚା ହେଉଛି, ୪୦୩ ବିଧାନସଭା ଆସନରୁ ମାତ୍ର ୨ଟିରେ ବିଜୟ ଲାଭ କରିଥିବା ସର୍ବପୁରାତନ କଂଗ୍ରେସ ଦଳର ବିପର୍ଯ୍ୟୟକୁ ନେଇ ଗଣମାଧ୍ୟମରେ ଅଧିକ ଚର୍ଚ୍ଚା ହେଉଥିବା ଦେଖାଯାଉଛି। ଅତୀତର ଲୋକପ୍ରିୟ ବସ୍ତୁ ଏଚ୍.ଏମ୍.ଟି. ଘଣ୍ଟା ଓ କୋଣାର୍କ ଟିଭି ଭଳି କଂଗ୍ରେସ ଦଳ ଏବେ କର୍ପୂର ବିହୀନ କନାରେ ପରିଣତ ହେବାରେ ଲାଗିଛି। ୧୯୫୩ ମସିହାରେ ପ୍ରତିଷ୍ଠିତ ଏଚ୍.ଏମ୍.ଟି. କମ୍ପାନି ୧୯୬୧ରେ ହାତବନ୍ଧା ଘଣ୍ଟା ଉତ୍ପାଦନ ଆରମ୍ଭ କରିଥିଲା, ଯାହା ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଭାରତୀୟ କାରିଗରିର ବିଶ୍ବସ୍ତରୀୟ ପ୍ରତୀକ ପାଲଟିଥିଲା। ସେତେବେଳେ ଅଧିକାଂଶ ଭାରତୀୟଙ୍କ କଚଟିରେ ଏହି ଘଣ୍ଟା ଶୋଭା ପାଉଥିଲା। ବାହାଘରରେ ବରକନ୍ୟାଙ୍କ ପାଇଁ ଏଚ୍.ଏମ୍.ଟି. ଘଣ୍ଟାର ଚାହିଦା ଯଥେଷ୍ଟ ଥିଲା। ଅବସୋସ, ୨୦୧୬ ମସିହାରେ ଏହି କମ୍ପାନିକୁ ବନ୍ଦ କରିଦିଆଗଲା।

ସେହିପରି ଆମ ଓଡ଼ିଶାରେ ପ୍ରସ୍ତୁତ କୋଣାର୍କ ଟିଭିର କାହାଣୀ ବି କମ୍‌ ଗୌରବାବହ ନ ଥିଲା। ୧୯୭୩ ମସିହାରେ ପ୍ରତିଷ୍ଠିତ ‘କୋଣାର୍କ ଟେଲିଭିଜନ କମ୍ପାନି’ ସ୍ବଦେଶୀ ଜ୍ଞାନକୌଶଳ, ଉତ୍କୃଷ୍ଟ ପରିଚାଳନା ଓ ସରକାରୀ ପୃଷ୍ଠପୋଷକତା ବଳରେ, କେବଳ ରାଜ୍ୟରେ ନୁହେଁ, ସାରା ଦେଶର ବୈଷୟିକ ମାନଚିତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ନିର୍ମାଣ କରିପାରିଥିଲା। ୧୯୮୨ର ଏସୀୟ କ୍ରୀଡ଼ା, ୧୯୮୩ର ବିଶ୍ବକପ୍ କ୍ରିକେଟ୍‌ ମ୍ୟାଚ୍‌ ତଥା ନବେ ଦଶକର ପ୍ରସିଦ୍ଧ ଟିଭି ସିରିୟଲ ରାମାୟଣ ଓ ମହାଭାରତ ଦେଖିବାରେ ସୁଦୃଶ୍ୟ କାଠବାକ୍‌ସରେ ଆବଦ୍ଧ ହେଇପାରୁଥିବା ‘କୋଣାର୍କ ରୋହିଣୀ ଡିଲକ୍‌ସ’ କଳାଧଳା ଟିଭି ସେଟ୍‌ର ଭୂମିକା ଅବିସ୍ମରଣୀୟ। ବିଡ଼ମ୍ବନା, କୋଣାର୍କ ଟିଭି ଭଳି ଉତ୍କୃଷ୍ଟ ବ୍ରାଣ୍ଡ୍‌ଟି ମଧ୍ୟ ଦୁଇ ଦଶନ୍ଧି ମଧ୍ୟରେ ଭାରତୀୟ ବଜାରରୁ ଉଭାନ ହୋଇଗଲା। ନବମ ଦଶକରେ ଦେଶରେ ଆରମ୍ଭ ହୋଇଥିବା ଆର୍ଥିକ ଉଦାରୀକରଣ ହେତୁ ଉତ୍ପନ୍ନ ପ୍ରତିଯୋଗିତା ଓ ଭାରତୀୟ ବଜାରକୁ ପ୍ରବେଶ କରୁଥିବା ବିଦେଶୀ କମ୍ପାନିମାନଙ୍କର ଶସ୍ତା ଓ ସୌଖୀନ ମଡେଲ୍‌ ସହ ଯୁଝି ନ ପାରି ଏଚ୍.ଏମ୍.ଟି. ଘଣ୍ଟା ଓ କୋଣାର୍କ ଟିଭିମାନେ ଅପସରି ଗଲେ। ବୈଷୟିକ ଜଗତ୍‌ର ଅଭୂତପୂର୍ବ ପ୍ରଗତି ଯୋଗୁ ଏକଦା ଘରେ ଘରେ ପରିଚିତ ରେଡିଓ, ଟେପ୍‌ରେକର୍ଡର, ଗ୍ରାମଫୋନ, ଭିସିଆର୍, ଭିସିପି, କୋଡାକ କ୍ୟାମେରା, ଫ୍ଲପି ଡିସ୍କ, ଫ୍ୟାକ୍‌ସ ମେସିନ ଭଳି ଅପରିହାର୍ଯ୍ୟ ବସ୍ତୁଗୁଡ଼ିକ ମଧ୍ୟ ପ୍ରତିଯୋଗିତାରେ ତିଷ୍ଠି ନ ପାରି, ସ୍ବଳ୍ପ କାଳ ମଧ୍ୟରେ ବ୍ୟବହାର ଅଯୋଗ୍ୟ ହେବା ସହିତ ସଂଗ୍ରହାଳୟରେ ସ୍ଥାନ ପାଇଲେ।

ତେବେ ୧୮୮୫ ମସିହାରେ ପ୍ରତିଷ୍ଠିତ ଓ ବ୍ରିଟିସ୍‌ କବଳରୁ ଦେଶକୁ ସ୍ବାଧୀନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ‘ଭାରତୀୟ ଜାତୀୟ କଂଗ୍ରେସ’ ଏଭଳି ଶ୍ରୀହୀନ ହୋଇପଡ଼ିବା କାଳର କାରିଗରି ନା ଦ୍ରୁତ ପରିବର୍ତ୍ତନଶୀଳ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସାମାଜିକ ଓ ରାଜନୀତିକ ସଂରଚନା ସହ ଖାପ ଖୁଆଇ ନ ପାରିବାର ପରିଣାମ? ସ୍ବାଧୀନତା ପ୍ରାପ୍ତିର ଆଦ୍ୟ ଦଶନ୍ଧି ଗୁଡ଼ିକରେ ବିଶାଳତା, ବିବିଧତା ଓ ବିଭାଜନ ଜନିତ ଆହ୍ବାନ ସତ୍ତ୍ବେ ବିଶ୍ବ ସହ ତାଳ ଦେଇ ଭିତ୍ତିଭୂମିର ବିକାଶରେ ଦେଶ ହାସଲ କରିଥିବା ଉପଲବ୍‌ଧି ଯେ ତତ୍କାଳୀନ କଂଗ୍ରେସ ସରକାର ଯୋଗୁ ସମ୍ଭବ ହେଇଥିଲା, ଏଥିରେ ସନ୍ଦେହ ନାହିଁ। ଧର୍ମ ନିରପେକ୍ଷତାର ପ୍ରତିଷ୍ଠା ଓ ରକ୍ଷଣଶୀଳତାର ବିଲୋପ ନିମନ୍ତେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ବିଜ୍ଞାନ କ୍ଷେତ୍ରରେ ହୋଇଥିବା ଯୁଗାନ୍ତକାରୀ ପଦକ୍ଷେପ ଗୁଡ଼ିକର ଫଳଶ୍ରୁତି ହେଉଛି ଆଜିର ସଶକ୍ତ ଭାରତ। ତତ୍କାଳୀନ କଂଗ୍ରେସ ନେତୃତ୍ବ ଯୋଗୁ ହିଁ ଅନେକ ଆଶଙ୍କାକୁ ଭୁଲ୍‌ ପ୍ରମାଣିତ କରି ଭାରତୀୟ ଗଣତନ୍ତ୍ର ଆଜି ବିଶ୍ବରେ ଏକ ଅନନ୍ୟ ଉଦାହରଣ ଭାବେ ପରିଗଣିତ।

୧୯୮୦ରେ ଜନ୍ମ ନେଇଥିବା ବିଜେପି ୨୦୧୪ ବେଳକୁ ହିଁ ଏକ ଗଣଶକ୍ତି ଭାବେ ଉଭା ହୋଇପାରିଲା। ବାଜପେୟୀ ଓ ଆଡଭାନୀଙ୍କ ଭଳି ଦିଗ୍‌ଗଜମାନେ ଯାହା କରିପାରି ନ ଥିଲେ, ମୋଦୀ-ଶାହ-ଯୋଗୀ ଭଳି ଜନନେତାମାନେ ତାହା ସମ୍ଭବ କଲେ। ଅବଶ୍ୟ ଆଜିର ବିଜେପି ସମର୍ଥକମାନେ ବାଜପେୟୀ ଓ ଆଡଭାନୀଙ୍କୁ ଚିହ୍ନିବାକୁ ନାରାଜ। ଆପାତତଃ ଅପ୍ରାସଙ୍ଗିକ ଧର୍ମୀୟ ଧ୍ରୁବୀକରଣ, ରକ୍ଷଣଶୀଳତା ଓ ସଂଖ୍ୟାଧିକଙ୍କ ଭାବପ୍ରବଣତା ଆଧାରରେ ଜନମତକୁ ପ୍ରଭାବିତ କରି ଜନ ସମର୍ଥନ ହାସଲ କରିବା ବିବିଧତାରେ ଭରା ଭାରତବର୍ଷର ଅନ୍ତର୍ଭୁକ୍ତୀ ବିକାଶରେ ବାଧକ ହେବାର ଆଶଙ୍କା ସୃଷ୍ଟି କରେ। ଜାତି, ଧର୍ମ ଓ ସଂପ୍ରଦାୟ ନିର୍ବିଶେଷରେ ସମସ୍ତ ଭାରତୀୟଙ୍କୁ ସ୍ବାଧୀନତା ସଂଗ୍ରାମରେ ସାମିଲ କରିବା ପାଇଁ ଗାନ୍ଧୀଜୀ ଅହିଂସା ଆନ୍ଦୋଳନର ସୂତ୍ରପାତ କରିଥିଲେ ଏବଂ ତାହା ସଫଳ ହୋଇଥିଲା। ଧ୍ରୁବୀକରଣ ଓ ସଂଖ୍ୟାଗରିଷ୍ଠତାର ଅହଙ୍କାର ଭାରତର ବିଶ୍ବବିଦିତ ସାମାଜିକ ନ୍ୟାୟ ଓ ସହାବସ୍ଥାନ ପ୍ରତି ବିପଦ। ଗାଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ସରକାରକୁ ସତର୍କ ଓ ଉତ୍ତରଦାୟୀ କରିବା ନିମନ୍ତେ ଏକ ସଫଳ ଓ ସକ୍ଷମ ବିରୋଧୀ ଦଳର ଅନିବାର୍ଯ୍ୟତା ଅନସ୍ବୀକାର୍ଯ୍ୟ। କ୍ଷୋଭର ବିଷୟ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ କଂଗ୍ରେସ ଦଳର ଅବକ୍ଷୟ ତ୍ୱରାନ୍ୱିତ ହେବାରେ ଲାଗିଛି।

ସ୍ବାଧୀନତୋତ୍ତର ଭାରତବର୍ଷର ବିଶ୍ବ-ଭାବମୂର୍ତ୍ତି ନିର୍ମାଣ ସହିତ ଧର୍ମ ନିରପେକ୍ଷତା ଓ ଅନ୍ତର୍ଭୁକ୍ତୀ ସାମାଜିକ ସଂରଚନାର ମୂଳଦୂଆ ପକେଇଥିବା କଂଗ୍ରେସ ଦଳ କୋଣାର୍କ ଟିଭି ପରି ନିଶ୍ଚିହ୍ନ ହେଇଯିବ ନା ଆଡଭାନୀ-ବାଜପେୟୀଙ୍କୁ ଆଡ଼ କରି ନବନେତୃତ୍ବର ପରାକାଷ୍ଠାରେ ବିଜେପି ଅଗ୍ରଗତି କଲା ପରି, କଂଗ୍ରେସ ମଧ୍ୟ ନିଜ ରାଜନୀତିକ ସିଲାବସ୍‌ରେ ପରିବର୍ତ୍ତନ କରି ପୁଣି ଥରେ ଲୋକମାନଙ୍କର ବିଶ୍ୱାସଭାଜନ ହେବ, ତାହା ଦେଖିବା ବାକି ରହିଲା।

ମୋ- ୯୪୩୭୦୬୬୦୯୯