‘ଫେକ୍ ନ୍ୟୁଜ୍’ର ଭାଇରସ

ବିଜନ କୁମାର ମହାପାତ୍ର

ଏକବିଂଶ ଶତାବ୍ଦୀରେ ‘ସୋସିଆଲ ମିଡିଆ’ ବା ସାମାଜିକ ଗଣମାଧ୍ୟମର ଭୂମିକା ମାନବ ସମାଜ ପାଇଁ କିଭଳି ଲାଭପ୍ରଦ ହୋଇପାରିଛି, ତାହା କରୋନା ଦ୍ବାରା ଆକ୍ରାନ୍ତ ପୃଥିବୀରେ ବେଶ୍‌ ଅନୁଭୂତ। କିନ୍ତୁ ଏହାର ଦୁରୁପଯୋଗ କିଭଳି ଭୟଙ୍କର ହୋଇପାରେ ତାହା ମଧ୍ୟ ଏବେ ସାମନାକୁ ଆସିବାରେ ଲାଗିଛି। ଫେସ୍‌ବୁକ୍, ହ୍ବାଟ୍‌ସଆପ୍ ଓ ଟ୍ବିଟର ପରି ସାମାଜିକ ଗଣମାଧ୍ୟମ ମଞ୍ଚରେ ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବରର ବହୁଳତା ବିଭିନ୍ନ ପ୍ରକାର ବିଭ୍ରାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି।

ଦେଖିବାକୁ ମିଳୁଛି ଯେ ଅନେକ ବ୍ୟକ୍ତି ଅପ୍ରମାଣିତ ସୂତ୍ରରୁ ଭୁଲ ସୂଚନା ହାସଲ କରି ସାମାଜିକ ଗଣମାଧ୍ୟମରେ ପ୍ରସାର ଘଟାଇ ସେମାନଙ୍କ ଅଗୋଚରରେ ବିଶୃଙ୍ଖଳାର କାରଣ ହୋଇପଡୁଛନ୍ତି। କିନ୍ତୁ ଯାହା ବିପଜ୍ଜନକ ତାହା ହେଲା କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ରାଷ୍ଟ୍ର ଓ ସମାଜକୁ ନଷ୍ଟଭ୍ରଷ୍ଟ କରିବା ଲାଗି ଜାଣିଶୁଣି ‘ଫେକ୍ ନ୍ୟୁଜ୍‌’ ଭାଇରସ୍‌ର ଦ୍ରୁତ ପ୍ରସାର କରୁଛନ୍ତି। କିନ୍ତୁ ଉଦ୍‌ବେଗର ବିଷୟ ଏହି ସଂକ୍ରମଣର ମୁକାବିଲା କରାଯିବା ସମ୍ଭବ ‌ହୋଇ ପାରୁନାହିଁ। ଆମ ଦେଶରେ ଏ ବାବଦରେ କଠୋର ଆଇନ ନାହିଁ। ବର୍ତ୍ତମାନ ଆମ ଦେଶରେ ଥିବା ସୂଚନା ପ୍ରଯୁକ୍ତି ଆଇନ ଓ ଆଇପିସି ଏହାକୁ ରୋକିବା ଲାଗି ଯଥେଷ୍ଟ ନୁହେ ବୋଲି ବିଶେଷଜ୍ଞମାନଙ୍କ ମତ।

ମିଥ୍ୟା ଖବରକୁ ଜାଲ ଇଲେକ୍ଟ୍ରୋନିକ୍ ରେକର୍ଡ ବୋଲି ବିଚାର କରାଯାଏ। ଏହାର ପ୍ରସ୍ତୁତକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। କିନ୍ତୁ ଯେ ପର୍ଯ୍ୟନ୍ତ ସେହି ‘ଫେକ୍ ନ୍ୟୁଜ୍’ ଦ୍ବାରା କାହାର କୌଣସି କ୍ଷତି ହୋଇନାହିଁ, ସେ ପର୍ଯ୍ୟନ୍ତ ଅସୁବିଧା ନାହିଁ। ଏହା ଦ୍ବାରା କାହାର ମାନ ହାନି ହେଉଥିଲେ ୪୬୯ ଦଫା ବା କାହାକୁ ପ୍ରତାରଣା କରାଯାଉଥିଲେ ୪୬୮ ଦଫା (ଦୋଷୀ ଲାଗି ୭ ବର୍ଷ ଜେଲ୍ ଦଣ୍ଡ) ଅନୁସାରେ ମାମଲା ରୁଜୁ ହୋଇପାରିବ। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ପୁଲିସ ଉପରୋକ୍ତ ଦଫାଗୁଡ଼ିକ ପ୍ରୟୋଗ କରିବାରେ ସଫଳ ହେଉନାହିଁ। ‘ଫେକ୍ ନ୍ୟୁଜ୍’ ଅପରାଧରେ କ୍ବଚିତ୍ କେହି ଜେଲରେ ରହୁଥିବା ଦେଖିବାକୁ ମିଳୁଛି।

ସେହିପରି ମିଛ ଭିଡିଓ ବା ଖବର ପ୍ରସାର କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ବା ଉସୁକାଉ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଉଦାହରଣ ବହୁତ କମ୍। ୨୦୦୮ରେ ଆଇ.ଟି. ଆକ୍ଟ (ସୂଚନା ପ୍ରଯୁକ୍ତି ଆଇନ) ୬୬-ଏ ଅନୁସାରେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ସୂଚନାର ପ୍ରସାର ଦଣ୍ଡନୀୟ ଅପରାଧ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା ବିରୋଧରେ ଆପତ୍ତି ଉଠିବାରୁ ସୁପ୍ରିମକୋର୍ଟ ୨୦୧୫ରେ କିଛି ଜନସ୍ବାର୍ଥମୂଳକ ଆବେଦନର ଶୁଣାଣି କରି ‘ଆଇଟି ଆକ୍ଟ ୬୬-ଏ’କୁ ଅସାମ୍ବିଧାନିକ ବୋଲି ଘୋଷଣା କଲେ। କେବଳ ଅଶ୍ଳୀଳ ଓ ଆପତ୍ତିଜନକ ବିଷୟବସ୍ତୁର ଅନ୍‌ଲାଇନ ପ୍ରଚାର ପ୍ରସାର କ୍ଷେତ୍ରରେ ହିଁ ‘ଆଇ.ଟି. ଆକ୍ଟ ୬୭’ ଅନୁସାରେ ପୁଲିସକୁ କାର୍ଯ୍ୟାନୁଷ୍ଠାନର ଅଧିକାର ଦିଆଯାଇଛି। ହେଲେ ଏଭଳି କାର୍ଯ୍ୟାନୁଷ୍ଠାନର ଉଦାହରଣ ନାହି ବୋଲି କହିଲେ ଚଳେ।

ଫେକ୍ ନ୍ୟୁଜ୍‌କୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥିଲା ବେଳେ ଏବେ ପୁଣି ଦେଖା ଦେଇଛି ‘ଡିପ୍ ଫେକ୍’ ନାମରେ ଆଉ ଏକ ସମସ୍ୟା। ‘ଡିପ୍ ଫେକ୍‌’ ବା (ଗହୀର ମିଛ) ହେଉଛି ଏଭଳି ଏକ ପ୍ରବିଧି ଯାହା ମାଧ୍ୟମରେ ମିଛକୁ ଅତି ନିଖୁଣତାର ସହ ସତ ରୂପେ ଉପସ୍ଥାପନ କରାଯାଇପାରିବ। ଏହାର ସତ୍ୟାସତ୍ୟତାକୁ ସହଜରେ ଜାଣି ହେବ ନାହିଁ। ଏହା ଦ୍ବାରା ଭିଡିଓରେ ସ୍ବର ବଦଳାଇ ଦିଆ ଯାଇପାରୁଛି, ଯାହା ସ‌ାଧାରଣ ଲୋକଙ୍କ ଲାଗି ବିିଶ୍ବାସଯୋଗ୍ୟ ହୋଇଯାଉଛି। ଏହା ନିଶ୍ଚିତ ଭାବେ ବଡ଼ ଚିନ୍ତାର କାରଣ।

ଦିଲ୍ଲୀ ସାଂପ୍ରଦାୟିକ ଦଙ୍ଗା କାଳରେ ଅନେକ ମିଥ୍ୟା ଭିଡିଓ ବହୁଳ ଭାବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିଲା। ଏସବୁ ଭିଡିଓ ଦ୍ବାରା ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ହେଉଥିଲା। କେବଳ ଭାରତ ନୁହେଁ, ପୃଥିବୀର ସର୍ବତ୍ର ଫେକ୍ ନ୍ୟୁଜ୍‌ ମୁଣ୍ଡ ବିନ୍ଧାର କାରଣ ହେଲେଣି। ଏହାକୁ ରୋକିବା ଲାଗି ସାମା‌ଜିକ ଗଣମାଧ୍ୟମର ମଞ୍ଚଗୁଡ଼ିକ ଉଦ୍ୟମଶୀଳ ହୋଇଥିଲେ ବି ବିଶେଷ ଲାଭ ମିଳୁନାହିଁ। ଏହାକୁ ଦମନ କରିବା ଲାଗି କଠୋର ଦଣ୍ଡବିଧାନର ଆବଶ୍ୟକତା ରହିଛି। ଏହି ବିପଜ୍ଜନକ ଧାରାକୁ ରୋକିବା ଦିଗରେ ମାଲେସିଆ କିଛି ପଦକ୍ଷେପ ନେଇଛି। ଆମ ଦେଶ ମଧ୍ୟ ସେଭଳି ଉଦ୍ୟମ ଆରମ୍ଭ କରିବା ଜରୁରୀ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର-୮
ମୋ- ୯୭୦୩୬୯୦୮୪୭

ସମ୍ବନ୍ଧିତ ଖବର