ସ୍ମାର୍ଟଫୋନ୍ ରପ୍ତାନିରେ ଲମ୍ଫ

ଦର୍ପଣ

ଭାରତ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ସ୍ମାର୍ଟ‌୍ଫୋନ୍ ରପ୍ତାନିରେ ୮୩% ଅଭିବୃଦ୍ଧି ହାସଲ କରିବାକୁ ଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରୁ ୨୩,୦୦୦ କୋଟି ଟଙ୍କାର ସ୍ମାର୍ଟ‌୍ଫୋନ୍ ରପ୍ତାନି କରାଯାଇଥିବା ବେଳେ ୨୦୨୧-୨୨ରେ ଏହି ମୂଲ୍ୟ ୪୨,୦୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଜଣାପଡ଼ିଛି। ଅପ୍‌ଲ ଓ ସାମ୍‌ସଙ୍ଗ୍‌ ସ୍ମାର୍ଟ‌୍ଫୋନ୍ ରପ୍ତାନିର ସିଂହଭାଗ ଅର୍ଥାତ୍‌ ଯଥାକ୍ରମେ ୧୨,୦୦୦ କୋଟି ଓ ୨୦,୦୦୦ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରିଛନ୍ତି। ଚାରି ବର୍ଷ ତଳେ (୨୦୧୭-୧୮ରେ) ଭାରତରୁ ମାତ୍ର ୧,୩୦୦ କୋଟି ଟଙ୍କାର ସ୍ମାର୍ଟ‌୍ଫୋନ୍ ରପ୍ତାନି ହୋଇଥିବା ଦୃଷ୍ଟିରୁ ଏହି ବର୍ଷର ଅଭିବୃଦ୍ଧିକୁ ନିଶ୍ଚିତ ରୂପେ ଏକ ଲମ୍ଫ ବୋଲି କୁହାଯାଇପାରେ। ଏହି ଚାରି ବର୍ଷରେ ସ୍ମାର୍ଟ‌୍ଫୋନ୍ ରପ୍ତାନିରେ ୩୨ ଗୁଣା ବୃଦ୍ଧି ଘଟିଛି। ଏ ବର୍ଷର ରପ୍ତାନି ଅଭିବୃଦ୍ଧିକୁ ଦୃଷ୍ଟାନ୍ତମୂଳକ ଭାବେ ଅଭିହିତ କରାଯିବାର ଅନ୍ୟ ଏକ କାରଣ ହେଲା, ଏହି ସମୟରେ ଦେଖାଦେଇଥିବା ସେମିକଣ୍ଡକ୍ଟର୍ ନିଅଣ୍ଟ ଜନିତ ଦୁଃସ୍ଥିତି, ଯାହାକୁ ଅତିକ୍ରମ କରି ଏଭଳି ଏକ ବିରାଟ ସଫଳତା ହାସଲ କରିବା।

କୋଭିଡ୍‌ଜନିତ ଲକ୍‌ଡାଉନ୍ ଓ ଅନ୍ୟାନ୍ୟ କଟକଣା ସମେତ ଚୀନ ସହିତ ତିକ୍ତ ସମ୍ପର୍କ ଯୋଗୁଁ ଇଲେକ୍ଟ୍ରୋନିକ୍‌ସ ବଜାରର ମେରୁଦଣ୍ଡ ଭାବେ ପରିଚିତ ସେମିକଣ୍ଡକ୍ଟର୍‌ ଚିପ୍‌ ହାସଲରେ ଅନେକ ସମସ୍ୟା ଉପୁଜିଥିଲା। ଏହି ଆହ୍ବାନମୂଳକ ପରିସ୍ଥିତିର ସମ୍ମୁଖୀନ ହେବାରେ ଭାରତ ସରକାର ୨୦୨୦ ଏପ୍ରିଲ୍‌ରେ ଆରମ୍ଭ କରିଥିବା ସ୍ମାର୍ଟ‌୍ଫୋନ୍ ପ୍ରଡକ୍ଟ ଲିଙ୍କଡ୍‌ ଇନ୍‌ସେଣ୍ଟିଭ୍ (ପିଏଲ୍‌ଆଇ) ଯୋଜନା ବିଶେଷ ସହାୟକ ହୋଇଛି। ମୋବାଇଲ୍‌ ଫୋନ୍ ରପ୍ତାନିରେ ଏହି ଅପ୍ରତ୍ୟାଶିତ ଅଭିବୃଦ୍ଧି ଆଉ ଏକ ବୈପ୍ଳବିକ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁଛି। ଏହା ହେଉଛି ମୌଳିକ ସାମଗ୍ରୀ ରପ୍ତାନି ସାଙ୍ଗକୁ ପ୍ରଯୁକ୍ତି ଶିଳ୍ପ ସଂପୃକ୍ତ ଉଚ୍ଚ-ମାନର ସାମଗ୍ରୀ ରପ୍ତାନିରେ ଭାରତ ଉଲ୍ଲେଖନୀୟ ଅଂଶୀଦାର ପାଲଟିବା। ଇଣ୍ଡିଆନ୍ ସେଲ୍ୟୁଲାର୍ ଆଣ୍ଡ୍ ଇଲେକ୍ଟ୍ରୋନିକ୍‌ସ ଆସୋସିଏସନ୍ (ଆଇସିଇଏ) ଅନୁଯାୟୀ ଭାରତ ନିର୍ମିତ ସ୍ମାର୍ଟ‌୍ଫୋନ୍‌ଗୁଡ଼ିକ ଏବେ ବିଶ୍ବର ସବୁଠାରୁ ବିକଶିତ ତଥା ପ୍ରତିଯୋଗିତାମୂଳକ ବଜାରରେ ନିଜର ଉପସ୍ଥିତି ଜାହିର କଲାଣି।

ସମ୍ବନ୍ଧିତ ଖବର